Ranjit Sahu

Drama Others

4.0  

Ranjit Sahu

Drama Others

ଆଞ୍ଜୁଳାଏ ଅବିର

ଆଞ୍ଜୁଳାଏ ଅବିର

3 mins
615


ଦୋଳ ପୂର୍ଣ୍ଣିମା ଆସିଲେ ଫଗୁର ରଙ୍ଗ ଦେଖି ମହକି ଯାଏ ସେବତୀର ମନ I ତିନି ବର୍ଷ ହେଲାଣି ସୋମୁକୁ ପ୍ରତି ଥର ଭେଟ କରିଛି ଦୋଳ ଯାତ୍ରାରେ ଆଉ ପ୍ରତିଥର ନିଜକୁ ଅଟକେଇଛି ତାହା ଉପରେ ଅବିର ବୋଳିବାକୁ I ସୋମୁ ମଧ୍ୟ କିଛି କହେନି I ବେଶ ବୁଝି ପାରେ ସିଏ ସେବତୀର ପରିସ୍ଥିତିକୁ I ବାପା ମା ଛେଉଣ୍ଡ ଝିଅଟିଏ ବଡ ଭାଇର ଲାଳନ ପାଳନରେ ବଢି ଆସିଛି ଆଉ ବଡ ଭାଇ କୌଣସି ପ୍ରକାର ତାକୁ ସବୁ ସୁବିଧା ଅସୁବିଧାକୁ ଏଡେଇ ମଣିଷ କରିଛି I ଦୁଇ ବର୍ଷ ପୂର୍ବରୁ ସ୍ନାତକ ପରୀକ୍ଷା ସାରିବା ପରେ ସୋମୁ ଚାଲିଯାଇଛି ସହରକୁ ପଢିବା ଲାଗି ଏବଂ ଏ ବର୍ଷ ଚାକିରୀ ମଧ୍ୟ ପାଇଛି ଏବଂ  ନିଯୁକ୍ତି ପତ୍ରର ଅପେକ୍ଷାରେ  ଅଛି  I ଏ ବର୍ଷ ସେବତୀର ପାଠ ପଢା ମଧ୍ୟ ସରିଯିବ I ତେଣୁ ସୋମୁର ଇଛା ସେବତୀ ମଧ୍ୟ ସହରକୁ ଚାଲିଯିବ ଆଉ ଯାହା କରିବା କଥା କରିବ I ନିହାତି ସାଧାରଣ କଥା ଆଜି କାଲି ଭଲ ପାଇ ବାହା ହେବା ଆଉ ଅନ୍ୟ ସହରକୁ ଯାଇ ପଢ଼ିବା I ଆଜି କାଲି ପ୍ରେମ ବିବାହ ଏତେ ଜଣାଶୁଣା ହୋଇଗଲା, ଆଉ ସେ ପୁରୁଣା ସିନେମା ଭଳି ରୋମାଣ୍ଟିକ ମଧ୍ୟ ଲାଗୁ ନାହିଁ କି ଅଭିଯାନ ଭଳି ଲାଗୁନାହିଁ, ପ୍ରେମ ବିବାହଟିଏ ! କିନ୍ତୁ ସେବତୀର ସମସ୍ୟା ଅନ୍ୟତମ ଏବଂ ତାହାର କାହାଣୀଟି ଏକ ଅଭିଯାନ ମଧ୍ୟ !ଏକୁଟିଆ ବଡ଼ଭାଇକୁ ଛାଡି ଚାଲିଯିବାର ବେଦନା ଯେତିକି କଷ୍ଟ ଦେଉନି, ଅନ୍ୟ ଜାତିର ଟୋକାଟିଏକୁ ବାହା ହୋଇ ଗାଆଁ ଲୋକଙ୍କ ଆଗରେ ଲୋକ ହସା ହେବାର ଭୟ ସେତିକି ଘାରିଛି I ଜଣାଶୁଣା ଗାଆଁର ଭିଟାମାଟି ଛାଡି, ଭାଇର ଛତ୍ରଛାୟା ଛାଡି ସହରରେ ଅନିଶ୍ଚିତତା ଭିତରେ ହଜିଯିବାର ଆତଙ୍କ ସେତିକି ଆଲୋଡିତ କରୁଛି I କିନ୍ତୁ ସଂଘର୍ଷର ସବୁଠାରୁ କଠିନ ମାପକାଠି ହେଲା ସୋମୁ ଶାରୀରିକ କାରଣରୁ କେବେ ମଧ୍ୟ ବାପା ହୋଇ ପାରିବନି ! ଗତ ବର୍ଷ ଅକସ୍ମାତ କୌଣସି ଏକ ରୋଗରେ ଆକ୍ରାନ୍ତ ହେବା  ପରେ ଚିକିତ୍ସା ଲାଗି ତାହାକୁ ଯେଉଁ ଔଷଧ ଦିଆ ଯାଇଥିଲା ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକେଇଥିଲା ଏବଂ ପରବର୍ତ୍ତୀ କାଳରେ ଡାକ୍ତର ଜଣେଇ ଦେଇଥିଲେ, ସନ୍ତାନ ବିକଳାଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଥିବ ସଦାବେଳେ I    ସୋମୁ ନିଷ୍ପତି ନେଇଛି ସିଏ ପୌଷ୍ୟ ସନ୍ତାନଟିଏ କରିବ ! ପ୍ରଥମେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ସେବତୀକୁ, କିନ୍ତୁ ପରେ ସତ୍ୟତାକୁ ମାନି ନେଇଥିଲା I କିନ୍ତୁ କଣ କରିବ କିଛି ବୁଝି ପାରୁ ନଥିଲା I ଗୋଟିଏ ପଟେ ଥିଲା ତାହାର ପ୍ରଥମ ପ୍ରେମ ଯାହା ପ୍ରତି ଅବିବାହିତା ଝିଅର  ସ୍ଵପ୍ନ ଆଉ ଆର ପାଖରେ ଥିଲା ସନ୍ତାନର ଜନନୀ ନ ହେବାର ଦୁଃସ୍ବପ୍ନ ଯାହା ପ୍ରତି ବିବାହିତା ସ୍ତ୍ରୀର ଦୁଃସ୍ଵପ୍ନ ! ବହୁତ ଦିନ ଯାଏଁ ନିଜର ମନ କଥା ମନେ ରଖି ରହିଥିଲା ଯେଉଁ ଦିନ ଯାଏଁ ଭାଇ ପଚାରିଲେ ତାକୁ, "ଗାଆଁରେ ସମସ୍ତେ କହିଲେଣି, ତୋର ବାହାଘର ପାଇଁ  ଭାବିବା ଲାଗି I”


ସବୁ ଘଟଣା କହିଦେଲା ସେବତୀ ଭାଇକୁ I ପ୍ରଥମେ ତଟସ୍ଥ ହୋଇଗଲେ ତାହାର ଭାଇ I ଦୁଇ ଦିନ ପରେ ଡାକି କହିଲେ, " ତୋର ଯାହା ଠିକ ମାନେ ହେଉଛି କରେ I ତୋ ସୁଖରେ ମୋର ସୁଖ I”

ସେବତୀ କହିଲା," କିନ୍ତୁ ଭାଇ ମୁଁ ସିନା ଚାଲିଯିବି ସହରକୁ ତୁମେ ଏଠାରେ ସବୁ ଦିନେ ଏହି ଗାଆଁ ଲୋକଙ୍କ କଥା ଶୁଣୁଥିବ I ତୁମକୁ ଦୁଃଖୀ କରି କଣ ମୁଁ ସୁଖୀ ହୋଇ ପାରିବି?" 

"ତୁ କାହିଁକି କାହାକୁ ଡରୁଛୁ? ନିଜର ଜୀବନର ପଥ  ନିର୍ଣ୍ଣୟ କରିବାର ଅଧିକାର ସମାଜ ଆଉ ସମ୍ବିଧାନ ଦ୍ଵାରା ନୁହେଁ, ସ୍ଵୟଂ ସ୍ରଷ୍ଠାଙ୍କର ଦ୍ଵାରା ମିଳିଥାଏ I ଆଉ ତୋର ଯଦି ଏତିକି ବିଶ୍ଵାସ ଅଛି ଯେ ତୁ ସୁଖରେ ରହି ପାରିବୁ ମୋର କଣ ଅଛି? ମୋ ଲାଗି ଏହି ଗାଆଁର ଭିଟାମାଟିର ଆକର୍ଷଣ ସେହି ଦିନ ସରିଯିବ ଯେଉଁ ଦିନ ତୁ ଚାଲିଯିବୁ ! ମୁଁ ଯେଉଁଠାରେ ମଧ୍ୟ କାମ କରି ଚଳିଯିବି I ସହରରେ ଅନେକ ଚିହ୍ନା  ଅଛନ୍ତି ଯେଉଁ ମାନେ ମୋତେ ଡାକୁଛନ୍ତି କାମ ଦେବାକୁ I ଏମିତି ମଧ୍ୟ ମୁଁ ଏକା ଏଠି ସବୁ ସମ୍ଭାଳି ପାରିବିନି ତେଣୁ ତୋର ବାହାଘର ହେଲା ପରେ ମୁଁ ସହରକୁ ଚାଲି ଯାଇ ଥାଆନ୍ତି !"

ସ୍ଥିର ହେଲା ତାହା ପର ଦିନ ଦୋଳ ଯାତ୍ରାରେ ଦୁହେଁ ସୋମୁ ସହ ଦେଖା କରିବେ ଏବଂ ତାହା ପରେ ସେବତୀର ଭାଇ ଯିବେ ସୋମୁ ଘରକୁ କଥା ବାର୍ତ୍ତା ହେବ ଲାଗି I ଦୋଳ ଯାତ୍ରା ଚାଲିଥାଏ ଆଉ ଭିଡ଼ ମଧ୍ୟରେ ସଂକୀର୍ତ୍ତନ ସହ ରାଧାମାଧବଙ୍କର ପୂଜା ମଧ୍ୟ I ଦୂରରୁ ଦେଖିଲା ସୋମୁକୁ I ସେବତୀର ଆଞ୍ଜୁଳାରେ ଭରି ଯାଇଥିଲା ରଙ୍ଗ ବିରଙ୍ଗ ଅବିର !ସୋମୁ ପାଖକୁ ଆସିବା ସାଥେ ବୋଲି ଦେଇଥିଲା ତାହାର ମୁଁହରେ ରଙ୍ଗ I ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସୋମୁ I 

"ତୁମେ କଣ ସତରେ ..", ସୋମୁ ପଚାରିଲା I 

"ହଁ ଭାଇ ବି ମାନି ଯାଇଛନ୍ତି," କହିଲା ସେବତୀ I 

"ଓଃ ବାପା ଜଣାଇଲେ ଆଶ୍ଚର୍ଯ୍ୟ ହେଇଯିବେ," ସୋମୁ ଉତ୍ତର ଦେଲା I

 "କାହିଁକି? ମୁଁ ଭାବୁଛି କାଲି ଯାଇକି କଥା ବାର୍ତ୍ତା ହେବି," ସେବତୀ ଭାଇ କହିଲେ I 

"କାରଣ ବାପା ମୋତେ କହିଥିଲେ, ସେବତୀ କେବେ ମଧ୍ୟ ରାଜି ହେବନି ତୋ ସହ ବାହା ହେବାକୁ , ତୁ ଯେତେ ତାକୁ ଭଲ ପାଉଥା I ତାକୁ ତୁ ଥରେ କହିକି ଦେଖେ ତୁ ବାପା ହେବାର ଯୋଗ୍ୟତା ହରେଇ ବସିଛୁ ଚିକିତ୍ସା ଯୋଗୁଁ I ଜାତି ଗୋତ୍ର ସମ୍ପତି ସବୁ କିଛି ଅଦେଖା କରିପାରେ ଝିଅଟିଏ, କିନ୍ତୁ ଜନନୀ ହେବାର ସୁଖକୁ ନୁହେଁ !”

"ତାହାର ମାନେ କଣ..", ରେବତୀ ପଚାରିଲା I

 "ହଁ ବାପାଙ୍କର ଆଉ ଆପତ୍ତି କରିବାର କାରଣ ନାହିଁ I ତାଙ୍କ ଉପଦେଶରେ ମୁଁ ତୁମକୁ ମିଛ କହିଥିଲି,କ୍ଷମା ଚାହୁଁଛି ," ସୋମୁ ଉତ୍ତର ଦେଲା I

 " ମୁଁ ମଧ୍ୟ ଖୁସି I ତୁମ ବାପା ତୁମର ଶୁଭ ଚିନ୍ତକ ଆଉ ଏମିତି ବାପାଟିଏ ନିଶ୍ଚୟ ଭଲ ଶ୍ଵଶୁର ମଧ୍ୟ ହେବେ I ମୁଁ କାଲି ସକାଳେ ଆସିବି ତୁମ ଘରକୁ," ସେବତୀର ଭାଇ କହିଲେ  I 

"ଏଠି ଏବେ ସବୁ ସ୍ଥିର କରିନେବା I ମୁଁ ସବୁ ଶୁଣି ସାରିଛି ଆଉ ମୁଁ ମଧ୍ୟ ଖୁସି I ମୋ ଘର ପରିବାର କଥା ମୁଁ ବୁଝିବି, ଗାଆଁ ଲୋକ ଯାହା କହିଲେ କୁହନ୍ତୁ," ଅନ୍ଧାରରେ ଠିଆ ହୋଇଥିବା ବୃଦ୍ଧ ଜଣେ ବାହାରୁ ଆସୁ ଆସୁ କହିଲେ I ବାପାଙ୍କୁ ଦେଖି ସୋମୁ ଚକିତ ହୋଇଗଲା I ସେବତୀର ନମସ୍କାରକୁ ଆଶୀର୍ବାଦରେ ଉତ୍ତର ଦେଲେ ସୋମୁର ବାପା  I ସେବତୀର ଭାଇର ଆଖିରେ ଲୁହ ଜକେଇ ଆସିଥିଲା I ଭବିଷ୍ୟତର ସୁଖ ଦୁଃଖର ସଂସାରର କଳ୍ପନା କରିକି I 

ହୁଳହୁଳି ସହ ଆରମ୍ଭ ହୋଇଯାଇଅଥିଲା ଫଗୁ ଖେଳ ଆଉ ରଙ୍ଗରେ ଭରିବାକୁ ଲାଗିଥିଲା ମଣ୍ଡପ I ସୋମୁର ହାତରେ ରଙ୍ଗ ଭରିବାର ଦେଖି ନିଜର ଆଉ ଆଞ୍ଜୁଳାରେ ରଙ୍ଗ ଭରି ସାରିଥିଲା ସେବତୀ I 


Rate this content
Log in

Similar oriya story from Drama