Nityananda Nandi

Classics Inspirational

4  

Nityananda Nandi

Classics Inspirational

ଅବିବାହିତା

ଅବିବାହିତା

4 mins
300


ଭାରି ଭିଡ ଥାଏ ଗୃହରେ, ଛୋଟ ଛୁଆଟା ତା ମାଆ କୁ ନାତ ମାରି ମାରି ହସୁଥାଏ ମୁଁ ଛୁଆଟାକୁ ଦେଖି ହସି ଦେଲି। ବୋଉ ଗପିଥିବା ସବୁ କଥା ମନେ ପଡିଗଲା, କାହିଁକି କେଜାଣି

"ତିନି ମାସର ହୋଇଥାଏ ମୁଁ ସେତେବେଳେ। ଗୋଡ ହଲେଇ ନାତ ମାରୁଥିଲି ମୋ ବୋଉକୁ। ସେ ବି ହସୁଥିଲା, ମୁଁ ବି କୁଆଡେ ହସି ହସି ବେଦମ୍ ହୋଇ ଯାଉଥିଲି ବୋଲି ମୋତେ ଅନେକ ଥର କହିଛି, ମୋ ବୋଉ।

ଶୁଣିଛି,ଜନ୍ମ ପରେ ଛୋଟ ଛୁଆ ମାନେ ଯେତେ ନାତ ମାରିବେ ସେତେ ଲମ୍ବା ହେବେ ଉଚ୍ଚତାରେ। କଥାଟି ସତ ପରି କାହିଁ ଲାଗିଲାନି। ମୋ ଉଚ୍ଚତା ଯେମିତି ଭାବିଥିଲି, ହେଲାନି କିନ୍ତୁ। ବୋଉ ମାନେ ମନ ବହଲିବା ପାଇଁ ବୋଧେ ଏମିତିକା ଆଲତୁ ଫାଲତୁ କଥା ସବୁ କହନ୍ତି। ଶେଷରେ ମୋ ଉଚ୍ଚତା ଥିଲା ଚାରି ଫୁଟ ନ ଇଞ୍ଚ। ସ୍ଵାଭାବିକ, ଏତେ କମ୍ ହାଇଟ୍ ର ଝିଅ କୁ କେହି ବାହା ହେବାକୁ ଇଚ୍ଛା କରନ୍ତି ନାହିଁ। ଯଦି କେହି ବାହା ହୋଇଗଲା ତ ଜୀବନ ସାରା ଶୁଣିବାକୁ ପଡିବ ହିଁ ପଡିବ। ମୋତେ କେହି ବାହା ହେଲେନି। ସୁତରାଂ ମୁଁ ବଛା ପଡିଗଲି।

ଅନେକ ପ୍ରସ୍ତାବ କିନ୍ତୁ ଆସୁଥିଲା ଆମ ଘରକୁ। ବାପା ବୋଉ ନାକେ ଦମ୍ ହୋଇ ଯାଉଥିଲେ। କୁଣିଆ ମାନଙ୍କର କିଛି ଅସୁବିଧା ନ ହେଉ ! କାହାଠୁ ହଁ ବୋଲି ଶୁଣିବା ଲାଗି ବ୍ୟଗ୍ର ହେଉଥିଲା ମୋ ବୋଉ, ଫୋନକୁ ଅପେକ୍ଷା କରି କରି ବୋଉ ବି ଚାଲିଗଲା। । ମୋ ଦକ୍ଷତା ଅନୁଯାୟୀ କମ ହାଇଟ୍ ଥାଇକି ବି ଗୋଟାଏ ବିଶେଷ କୋଟାରେ ମୁଁ ପାଇଲଟ୍ ଟ୍ରେନିଂ କରୁଥିଲି। ମୋ ଶିକ୍ଷାଗତ ଯୋଗ୍ୟତା ଦେଖି ଜଣେ ଆସିଥିଲେ, ପ୍ରଲୋଭନରେ ବୋଧେ। ସବୁ ଠିକ୍ ଠାକ୍ ଥିଲା। ପସନ୍ଦ ବି କରିଥିଲେ, ଲାଗୁଥିଲା। କେତେ ଦିନ ବର୍ଷା ପରେ ସୂର୍ଯ୍ୟ ଉଇଁଲେ ଲାଗେ ଯେମିତି ଆକାଶ ସଙ୍ଗେ ପୃଥିବୀର ବାହାଘର ହେବ। ବଣ, ଲତା, ଝରଣା, ପାହାଡ ଏମିତି ବି ସୁସଜ୍ଜିତ ପ୍ରାକୃତିକ ଭାବେ। ବିନା ଇନ୍ଦ୍ରଧନୁରେ ଆକର୍ଷଣୀୟ ଲାଗେ ଆକାଶଟା । ସମ୍ଭାବନାର ଗୀତ ଗାଇ ଗାଇ ପୃଥିବୀ ଟା ରଜବତୀ ହୋଇଉଠେ ମନଟା ଆନ୍ଦୋଳିତ ହେଲା, ଖୁସିରେ। ଠିକ୍ ଯିବା ପୂର୍ବରୁ ସେ କହିଲେ "ଆସିଲ ଟିକେ, ତମ ହାଇଟ୍ ମାପିବା"। ମୁଁ ରାଜି ହୋଇଗଲି। କାନ୍ଥରେ ସ୍କେଲ ରଖି ମୋ ଉଚ୍ଚତା ମାପିଲେ। ଖୁସିର ତରଙ୍ଗଟା ଶୀର୍ଷକୁ ଯାଇ ଭସ୍ମୀଭୂତ ହେବାର ଏକ ନିଆରା ମୁହୂର୍ତ୍ତ କୁ ଦେଖିଲି ଅତି ପାଖରୁ। ସ୍ୱାଭିମାନ ଦବିଗଲା ପରିସ୍ଥିତିର ଚାପରେ। ଅଚାନକ ଚୋରାବାଲି ଭିତରେ ନିଜକୁ ହଜେଇ ଦେବାର ଅନୁଭବ ମୋତେ ବିବ୍ରତ କଲା, ଖୁସିର ବୟସ ନିଜ ଇଚ୍ଛା ଅନୁସାରେ ନିର୍ଦ୍ଧାରିତ ହୁଏନି ବୋଲି ବୁଝିଲି ପ୍ରଥମ ଥର ପାଇଁ।

ବାପାଙ୍କ ଆଖିଟା ଭିଜା ଭିଜା ଲାଗୁଥିଲା। ମନଟା ଭାରି ହୋଇଗଲା ଦୁଃଖରେ। ମୋ ଉଚ୍ଚତା ମାପିବାକୁ ବାପା ପସନ୍ଦ କଲେ ନାହିଁ ନା ବାହାଘର ଭାଙ୍ଗି ଯିବାର ସମ୍ଭାବନା ତାଙ୍କ ଭିତରେ ଅହେତୁକ ଭୟ ସୃଷ୍ଟି କରିଥିଲା।, ମୁଁ ଜାଣି ପାରିଲିନି। ଅଭିମାନ ଥରେ ଚୂର ଚୂର ହେଲେ ନିଶବ୍ଦରେ ଏଭାରେଷ୍ଟ ସମ ଉଚ୍ଚ ମନଟା ଭାଙ୍ଗି ଧରାଶାୟୀ ହୋଇଯାଏ। ବାପାଙ୍କ ସ୍ୱାଭିମାନରେ ଦାଗ ନ ଲାଗୁ। ସଂରକ୍ଷିତ ରହୁ ତାଙ୍କ ଅଭିମାନର ପ୍ରତିଟି କଣିକା। ତାଙ୍କ ଅଜାଣତରେ ପ୍ରସ୍ତାବଟି ଗ୍ରହଣୀୟ ନୁହେଁ ବୋଲି ମୁଁ ଜଣେଇ ଦେଇଥିଲି ସେମାନଙ୍କୁ, ବାପା କିନ୍ତୁ ଅପେକ୍ଷା କରିଥିଲେ ବୋଧେ କିଛି ଜବାବ ଆସିବ ବୋଲି, ପୁଅ ଘରୁ " ଏହା ଭିତରେ ମୋ ବାପା ଯାଇ ମଞ୍ଚ ଉପରେ ହାଜର। ଏଇଠି ପୂରା ଓଲଟା। ଝିଅର ସମ୍ଭର୍ଦ୍ଧନା ସଭାରେ  ବାପାଙ୍କୁ ସମ୍ମାନିତ କରା ହୁଏ ଶୁଣି ଯେତିକି ଅଡୁଆ ଲାଗିଲା ସେତିକି ଖୁସି ହେଲି ମନେ ମନେ । ହଁ ତ ଠିକ୍ କଥାଟା, ସେ ନ ଥିଲେ ମୁଁ କଣ ଏତେ ଉପରକୁ ଆସି ପାରି ଥାଆନ୍ତି। ପେଟରୁ କାଟି ମୋତେ ଖୁଏଇ, ପିଏଇ ମଣିଷ କରିବା ଭିତରେ ତାଙ୍କ ଦେହରୁ ତାତିଲା ଝାଳ ବୋହିବାର ମୁଁ କେତେ ଥର ଦେଖିଛି। ତାଙ୍କୁ ଥରିବା ବି ଦେଖିଛି, ବାର ବାର ମୋ ବିଫଳତାରେ। ଇନଷ୍ଟିଚିଉଟ୍ ରେ ଶେଷ ଫିଜ୍ ଭରିବା ପାଇଁ ଶେଷ ବିଘା ଜମି ବିକି ଦେଇଥିଲେ ମୋ ବାପା। ଖାଲି ବାକି ଅଛି ମୋ ବୋଉର କାନ ଫୁଲ, ବିକି ନାହାନ୍ତି ସେ। ଯଦି କେବେ ବାହା ହୁଏ ତ ମୋତେ ମୋ ବୋଉର କାନ ଫୁଲ ଦେଇ ବିଦା କରିବେ, ଭାରି ଇଚ୍ଛା ଥିଲା ତାଙ୍କର। ମୋ ବାହାଘର ନେଇ ତାଙ୍କ ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା। ମୁଁ ଆଜି ବି ଅବିବାହିତା ! ତାଙ୍କର ବଳିଦାନ କୁ ଭୁଲିବା ଆପାତତଃ ଏଇ ଜନ୍ମରେ ଆଉ ସମ୍ଭବ ନୁହେଁ। ସୁତରାଂ ଏଇ ପୁରସ୍କାର ପାଇଁ ମୋ ବାପା ହିଁ ଉପଯୁକ୍ତ।  ତମ ଝିଅ ବାବଦରେ ଦୁଇ ପଦ କୁହ ମଉସା ! ମାଇକ ଧରି କେମିତି କହିବାକୁ ହୁଏ , ବାପା ଜାଣି ନ ଥିଲେ। ଥରୁଥିଲେ ସେ। ବ୍ଲୁ ଟୁଥ୍ ସେଟ୍ କରିଦେଲେ ସେମାନେ ମୋ ବାପା ପିନ୍ଧିଥିବା ପଞ୍ଜାବୀ ବୁତାମ ପାଖରେ।

ଏବେ କୁହ ମଉସା ବାପା କହିଲେ, "ହଁ ! ଉଚ୍ଚତା କେତେ ଆପେକ୍ଷିକ ନା କେତେବେଳେ ଏଭାରେଷ୍ଟ ଉଚ୍ଚା ଲାଗେ ତ ଆଉ କେତେବେଳେ ଆକାଶକୁ ଅନେଇଲେ ଲାଗେ ଯେମିତି ଏଭାରେଷ୍ଟ କିଛି ନୁହେଁ ଆକାଶ ଆଗରେ ମୋ ଝିଅର ଉଚ୍ଚତା କମ୍ ଥିଲା ବୋଲି ସ୍କେଲ୍ ଦ୍ଵାରା ତା ଉଚ୍ଚତା କୁ ମାପି ମୋ ସ୍ୱାଭିମାନ କୁ ଆଘାତ କରିଥିବା ଯୁବକର ଉଚ୍ଚତା ଏବେ କେତେ ହୋଇଥିବ ମୁଁ ଜାଣିନି। ଖାଲି ଏତିକି ଜାଣିଛି ଯେ ମୋ ଝିଅ ଆଜି ଶ୍ରେଷ୍ଠ ଲେଡି ପାଇଲଟ୍ ଭାବେ ବିବେଚିତ ହୋଇ ଏତେ ବଡ ପୁରସ୍କାର ପାଇବ। ସେ ଆଜି ଆକାଶରେ ଉଡୁଛି, ଯେତେ ଚେଷ୍ଟା କଲେ ବି ସେଇ ଯୁବକ ଜଣଙ୍କ ମୋ ଝିଅକୁ ଆଉ କେବେ ଛୁଇଁ ପାରିବ ନାହିଁ। ସ୍ୱପ୍ନରେ ସୁଦ୍ଧା।  ଅଳ୍ପ ହାଇଟ୍ ହେଲେ ବି ମୋ ଝିଅର ଉଚ୍ଚତା ଆଜି କଳ୍ପନାର ବାହାରେ ଏତେ ସର୍ତ୍ତ କାହିଁକି ବିବାହରେ ? ମୁଁ ବୁଝି ପାରେନି ! କେତେବେଳେ ଉଚ୍ଚତା ତ କେତେବେଳେ ଶିକ୍ଷାଗତ ଯୋଗ୍ୟତା, ଆଉ କେତେବେଳେ ବାପା ମାଆଙ୍କ ସାମାଜିକ ସ୍ଥିତି ଓ ପରିସ୍ଥିତି। ଆମ ସମୟରେ ମନର ମନ ସହ ମେଳକୁ ବିବାହ କହନ୍ତି ବୋଲି ମୁଁ ବୁଝିଥିଲି" ଏତେ ଉଚ୍ଚତା ବିଶିଷ୍ଟ ଝିଅର ଭାଗ୍ୟବାନ ପିତା ହିସାବରେ ଏତେ ବଡ ପୁରସ୍କାର ପାଇଁ ଆପଣ ହିଁ ହକଦାର। ଝିଅକୁ ଏତେ ଉପରକୁ ଆଣିବା ପଛରେ ଆପଣଙ୍କ ବଳିଦାନ ଅବିସ୍ମରଣୀୟ। ମୋ ବାପାଙ୍କୁ ପୁରସ୍କାର ଦିଆ ଯାଉଥିଲା ମଞ୍ଚ ଉପରେ, ଆଖିରୁ ମୋର ଅନବରତ ଆନନ୍ଦାଶ୍ରୁ ବହୁଥିଲା। ମୋତେ ବି ଡକା ହେଲା ମଞ୍ଚ ଉପରକୁ। 

ବୋଉ ବଞ୍ଚିଥିଲେ କେତେ ଖୁସି ହେଇଥାନ୍ତା ଆଜି ଦିନରେ, ଅତ୍ୟଧିକ ଭାବ ବିହ୍ୱଳ ହୋଇ ବାପା ମୋତେ କୋଳେଇ ନେଲେ ସେଇ ମଞ୍ଚ ଉପରେ। ବହୁତ୍ ଖୁସିରେ ଅଛି ମୁଁ ବାପାଙ୍କ ସହିତ। ମୋ ବାପାଙ୍କ କୋଳରେ ଆଜି ବି ମୁଁ ସେଇ ଚାରି ଫୁଟ ନ ଇଞ୍ଚ ଉଚ୍ଚତାର ଝିଅ ସୁଧା, ଅବିବାହିତା ଝିଅଟିଏ। ସମସ୍ତେ କିନ୍ତୁ କହୁଛନ୍ତି ଅମାପ ଉଚ୍ଚତାରେ ମୁଁ ଉଡୁଛି, ବାପା ଠିକ୍ କହୁଥିଲେ ବୋଧେ, ଉଚ୍ଚତା ଶବ୍ଦଟି ହିଁ ଆପେକ୍ଷିକ

ମୁଁ ଯାଇ ମୋ ବାପାଙ୍କ ପାଦ ସ୍ପର୍ଶ କଲି କରତାଳିରେ ଭରି ଉଠିଲା ସଭା ଗୃହଟି ମୋ ଛାତିଟା କୁଣ୍ଢେ ମୋଟା ହୋଇଗଲା, ଜାଣିନି, ମୋ ପାଇଁ କି ବାପାଙ୍କ ପାଇଁ ।


Rate this content
Log in

Similar oriya story from Classics