Nityananda Nandi

Classics Inspirational

3  

Nityananda Nandi

Classics Inspirational

ଗ୍ରୀନଭେଲି ଗେଟେଡ୍ କମ୍ୟୁନିଟି

ଗ୍ରୀନଭେଲି ଗେଟେଡ୍ କମ୍ୟୁନିଟି

7 mins
12



ମୋ ଘର ଆଗରେ ବେଶ୍ ଭିଡ଼। ଗତ କାଲି ଚାକିରିରୁ ଅବସର ନେଇଛି ମୁଁ। ଆଜି ଠୁ ମୁଁ ଜଣେ ବରିଷ୍ଠ ନାଗରିକ । ତୁଳନାତ୍ମକ ଭାବେ ବାହାରେ ଭିଡ ଜମାଇଥିବା ଲୋକମାନେ ମୋ ଠୁ ବୟସ୍କ। ସେମାନେ ଚାହୁଁଥାନ୍ତି ମୁଁ ଗାଆଁ କୁ ନ ଫେରି ସେମାନଙ୍କ ସହ ସେଇ କଲୋନୀ ଭିତରେ ହିଁ ସେଟେଲ ହେଇ ଯିବାକୁ। 

ଅଳ୍ପ କିଛି ପେନସନ ପଇସାରେ ଘର ଭଡା ଦେଇ ଏଇଠି କଣ ରହିବା ସମ୍ଭବ ! ସେଇ କୋଳାହଳ ଭିତରେ ଅତୀତ କୁ ଘାଣ୍ଟି ହେଲି, କାହିଁକି କେଜାଣି।


ପଚିଶ ବର୍ଷ ପରେ ପୁଣି ଥରେ ଏଇ ସହରକୁ ଫେରି ଆସିବା ମୋ ପାଇଁ ଏକ ମନୋରମ ଘଟଣା ଥିଲା, ଯେଉଁ ସହରରେ ଦିନେ ମୁଁ ସେଟେଲ ହେବାକୁ ଚାହୁଁଥିଲି। ମିସେସ କହିଲେ ଚାଲ ଗ୍ରୀନଭେଲି ଗେଟେଡ୍ କମ୍ୟୁନିଟିରେ ରହିବା ! 


"ମନେ ଅଛିନା ଅଶୋକ, ତୁମେ ସେଇଠି ଫ୍ଲାଟ୍ କିଣିବା ପାଇଁ ସ୍ବପ୍ନ ଦେଖିଥିଲ। ବିଲଡର ଚାଳିଶ ଲକ୍ଷ ମାଗିଲେ। ଋଣ ଏବଂ ସଞ୍ଚିତ ସମସ୍ତ ପଇସା ମିଶାଇ ତିରିଶ ପର୍ଯ୍ୟନ୍ତ ଛୁଁ ଥିଲା। ସ୍ବପ୍ନ ଭାଙ୍ଗିବାକୁ କଣ ସମୟ ଲାଗେ। ସ୍ବପ୍ନ ତ ସମୁଦ୍ର କୂଳରେ ବାଲି କଣ୍ଢେଇ ପରି। ଅତି ସ୍ୱଳ୍ପ ତା ଜୀବନ। ତମ ସ୍ବପ୍ନ ଭାଙ୍ଗି ଯିବା ପରେ ବି ତମେ ଚୁପ୍ ରହିଲ"।


ରେଖାଙ୍କ କଥା ଶୁଣି ମୁରୁକି ହସିବା ଛଡା ବିକଳ୍ପ କିଛି ନ ଥିଲା ମୋ ପାଖରେ।"


ତିନି ଚାରି ଦିନ ସାଙ୍ଗ ଘରେ ରହି ଘର ଖୋଜିବୁ ବୋଲି ମନସ୍ଥ କରି ଆସିଥିଲୁ ସହରକୁ। ସରକାରୀ ଡ଼ାକ୍ତରଖାନାରେ କମ୍ପାଉଣ୍ଡର। ଏଇ ସହର ସଦର ଡାକ୍ତର ଖାନାରେ ମୁଁ ପ୍ରଥମ ଥର ପାଇଁ ଚାକିରୀରେ ଯୋଗ ଦେଇଥିଲି ପଚିଶ ବର୍ଷ ଆଗରୁ। ନିପଟ ମଫସଲକୁ ବଦଳି ହେବ ବୋଲି କେବେ ଭାବି ନ ଥିଲି। ସହରରେ ପାଞ୍ଚ ବର୍ଷ ରହଣି ଭିତରେ ଅନେକ ସ୍ବପ୍ନ ଦେଖିଲି, ବାହାସାହା ହୋଇ ଘର କିଣି ରହିବି। ବାହାଘର ଦୁଇ ବର୍ଷ ଭିତରେ ମୋର ବଦଳି ହେଲା । ପଚିଶ ବର୍ଷ ମଫସଲରେ କଟେଇବା ଆଜୀବନ କାରାଗାର ସଦୃଶ।  ପିତାମହ ଭୀଷ୍ମ ପରି ସମୟର କଣ୍ଟକିତ ବିଛଣା ଉପରେ ଦିନ ପରେ ଦିନ କାଟୁ ଥିଲୁ, ଅନିଶ୍ଚିତ ପ୍ରତି ମୁହୂର୍ତ୍ତ ସାଥିରେ ବୁଝାମଣା  କରି କି। ଯୁଦ୍ଧ ହେବା ଆଗରୁ ହିଁ ହରିଯାଇ ଥିଲୁ ଆମେ ସବୁ। ସମୟ ଜିତିଗଲା ଏକ ତରଫା ଯୁଦ୍ଧରେ। ନା ମନ୍ତ୍ରି ତନ୍ତ୍ରି କୁ ଧରି ସହରକୁ ଆସିବାର ସାଧନ ଥାଏ ମୋ ପାଖରେ ନା ନିଜ ବିଭାଗରେ ପ୍ରଭାବିତ କରି ପାରିଲି କାହାକୁ। ପିଲାମାନଙ୍କ ପଢାପଢିରେ ଭାରି ଅବହେଳା ହେଲା। ଝିଅକୁ ବାହା ଦେବା ପରେ ବେକାର ପୁଅଟା ସାଥିରେ ରହୁଛି। 


ଅଟୋ ଟିଏ ଧରି ପହଞ୍ଚିଲୁ ଗ୍ରୀନ ଭେଲି ଗେଟେଡ୍ କମ୍ୟୁନିଟି ର ଗେଟ୍ ପାଖରେ। 


ପାଖା ପାଖି ପଚାଶ ଫ୍ଲାଟ୍ ପାଇଁ ଟୁ ଲେଟ୍ ନୋଟିସ୍ ଲାଗିଥାଏ ଗେଟ୍ ପାଖରେ। ଏତେ ବଡ ବିଲ୍ଡିଂ ରେ ଆଉ ଚାକଚକ୍ୟ ନାହିଁ। ଧୂଳି ଧୂସରିତ କାନ୍ଥ ଉପରେ ଜୀବନ ନ ଥିଲା ପରି ଲାଗୁଥାଏ। ଖୋଲା ଆକାଶ ତଳେ ଏତେ ନିର୍ଜନତା, ଯେମିତି ପକ୍ଷୀ ମାନେ ଉଡିଗଲା ପରେ ପରିତ୍ୟକ୍ତ ଅବସ୍ଥାରେ ବସା ସବୁ ଝୁଲୁଥାଏ କଇଁଥ ଡାଳରେ। ସଂଜ ହେଲେ ଅନିଶ୍ଚିତତା ର ଭୟ ବିରାଜମାନ କରେ ପକ୍ଷୀ ବସା ଭିତରେ। ବଞ୍ଚିଥିବା ପକ୍ଷୀ ଯଦି ଫେରି ଆସେ ତାହା ହିଁ ଯଥେଷ୍ଟ। ପରିବେଶ ସଂପୂର୍ଣ୍ଣ ଅଲଗା ଥିଲା ଏଇଠି, ପଚିଶ ବର୍ଷ ତଳେ ମୁଁ ଯେତେବେଳେ ଫ୍ଲାଟ୍ କିଣିବା ପାଇଁ ଆସିଥିଲି। ମୋଟ ୨୮୦ ଟି ଫ୍ଲାଟ୍। ସହର ଭିତରେ ସେ ସମୟର ସବୁଠୁ ବଡ ପ୍ରୋଜେକ୍ଟ। ଗୋଟାଏ ପରେ ଗୋଟାଏ ସ୍କୁଲ ବସ୍,  ବିନା ପାସରେ ପଶିବାକୁ ଚେଷ୍ଟା କରୁଥିବା କାମ ବାଲି ଉପରେ ସୁରକ୍ଷା କର୍ମୀଙ୍କ ତାଗିଦ୍ ଭିତରେ ଭାରି ଚଳ ଚଞ୍ଚଳ ଥିଲା ପରିବେଶଟି। ଆଜି ସବୁକିଛି ଅଲଗା ଥିଲା। କୃର ଏଇ ସମୟର କାବୁ ଭିତରେ ବନ୍ଧା ପଡି ଯାଇଥିଲା ସେଦିନର ସେଇ ସୁନେଲି ମୁହୂର୍ତ୍ତ ସବୁ। କେତେ ଗତିଶୀଳ ଏଇ ପରିସ୍ଥିତି, ଧିରେ ଧିରେ ଜମା ହେଇଯାଏ ସମୟର ସୁପ୍ତ ଆଗ୍ନେୟ ଗିରି ଭିତରେ।


ସୁରକ୍ଷା କର୍ମୀଙ୍କ ଭିତରେ ବି ଶିଥିଳତା। ଆଗ ପରି ଆଉ ଚଂଚଳତା ନାହିଁ। ନା ସ୍କୁଲ ବସ୍ ନା କାମ ବାଲିଙ୍କ ଭିଡ।

ସାହାସ କରି ପଚାରିଲି ସୁରକ୍ଷା କର୍ମୀଙ୍କୁ। ଜଣେ ସୁରକ୍ଷା କର୍ମୀ ସମୟ ଦେଇ ଗପିବେ ବୋଲି ଆଶା କରି ନ ଥିଲି। କହିଲେ

"ଏବେ ସମସ୍ତେ ଏଇଠି ବରିଷ୍ଠ ନାଗରିକ, ପ୍ରାୟ ସମସ୍ତଙ୍କ ପିଲାମାନେ କୋଉଠି ନା କୋଉଠି ବିଦେଶରେ କିମ୍ବା ବାହାରେ ରହନ୍ତି। ୫୦ ରୁ ଉର୍ଦ୍ଧ୍ବ ହେବ ଘର ମାଲିକ, ସ୍ବର୍ଗ କୁ ଗଲେଣି। ଏଇଠି ଆଉ ସ୍କୁଲ ବସ୍ ର ଭିଡ ନାହିଁ। ପ୍ରତିଦିନ ଅତି କମରେ ପାଞ୍ଚ ପାଞ୍ଚ ଟା ଆମ୍ବୁଲାନ୍ସ ଆସି ଛିଡା ହୁଏ, ବାସ୍ "


ଟୁ ଲେଟ୍ ବୋର୍ଡ ଉପରେ ଥିବା ନମ୍ବର କୁ ଫୋନ୍ ଲଗେଇ ମାସକୁ ୧୨୦୦୦/ ରେଣ୍ଟ ରେ ଫାଇନାଲ କରିଦେଲି ଘରଟିଏ। ଅନେକ ଦିନରୁ ସ୍ବପ୍ନ ପୂରଣ ହେଲା ବୋଲି ଲାଗୁଥିଲା। ଦୁଇ ଦିନ ଭିତରେ ଜିନିଷ ପତ୍ର ବୋହି ନେଇ ଆସି ରହିଲି ସେଇ କ୍ୟାମ୍ପସ ଭିତରେ । ବର୍ଷେ ପରେ ଅବସର, ସାହାସ ହେଲାନି ସେକେଣ୍ଡ ହାଣ୍ଡ ଘରଟିଏ କିଣିବା ପାଇଁ। ସତୁରୀ ଲକ୍ଷ।


ପ୍ରତିଦିନ ରାତିରେ ଦୁଇ ତିନିଥର ନିଦ ଭାଙ୍ଗି ଯାଏ ଆମ୍ବୁଲାନ୍ସ ଶବ୍ଦରେ। ସକାଳୁ ଶୁଣେ ଅମୁକ୍ ବାବୁ ଙ୍କ ପ୍ରେସର୍ କୁଆଡେ ବଢି ଯାଇଥିଲା, ସମୁକ୍ ବାବୁଙ୍କ ସୁଗାର ଡ୍ରପ ହେଇ ଯାଇଛି।

 ଧିରେ ଧିରେ ଅନୁଭବ କଲି କେତେ ସ୍ବପ୍ନ ନେଇ ଅବସର ନେବାର ପାଞ୍ଚ ଦଶ ବର୍ଷ ଆଗରୁ ଫ୍ଲାଟ୍ କିଣିଥିବା ବାପା ମାନଙ୍କ ପାଖରୁ ପିଲାମାନେ ବିଦେଶ ଚାଲିଯିବା ପରେ କେତେ ଅସହାୟ ମନେ କରନ୍ତି ସେମାନେ। ହାତ ଧରି ସ୍କୁଲ ବସକୁ ଉଠେଇ ଦେଇ ବାୟ ଵାୟ କରିବା ଭିତରେ  କଷ୍ଟଦାୟକ ଗୋଟାଏ ଭବିଷ୍ୟତ ନିଜର ରୂପରେଖ କୁ କଳ୍ପନା କରିନେଇଥାଏ ବୋଧେ। ସୁବିଧା ଅସୁବିଧାରେ ସୁରକ୍ଷା କର୍ମୀ ୧୦୮ କୁ ଫୋନ୍ କରନ୍ତି, ବାସ୍।


ବେଳେ ବେଳେ  ଭାବିବାକୁ ଲାଗିଲି ପୁଅର ଚାକିରୀ ନ ହେଲେ ବି ଦୁଃଖ ନାହିଁ। ପାଖରେ ଅଛି ତ। ଆଉ କଣ ଦରକାର। ମଥା ବିନ୍ଧିଲେ ପୁଅ ଆସି କପାଳ ଉପରେ ହାତ ରଖି ଯଦି ପଚାରେ, ବାପା କଷ୍ଟ ହେଉଛି କି ? କିଛି ନ ଥାଇ ବି ଲାଗେ ଯେମିତି ସବୁ ଅଛି ମୋ ସାଥିରେ.. କ୍ଷଣ ଭଙ୍ଗୁର ଜୀବନରେ ଅନ୍ତରଙ୍ଗ କେହି ଜଣେ ଛୁଇଁଦେଲେ ଉଷ୍ମତା ଭରି ଯାଏ, ଦେହ ଭିତରେ। ପ୍ରକୃତ ଖୁସି ବୋଧେ ସେଇଠି !!!!


ସକାଳୁ ଉଠି ପ୍ରତି ମହଲାରେ ଥିବା ଘର ସାମ୍ନା ରେ ବୁଲି ବୁଲି ଦେଖିଲି। ଅନେକ ଘରେ ତାଲା ପଡିଛି। କୋଉ ଘର ଭିତରୁ ଖୁଁ ଖୁଁ କାଶିବାର ଶବ୍ଦ ଆସୁଛି ତ ଆଉ କୋଉ ଘର ଭିତରୁ କେହି ଜଣେ ଅନୁଲୋମ ବିଲୋମ କରୁଥିବାର ଶବ୍ଦ ବି ଶୁଭୁଛି। ସମସ୍ତେ ସଂଗ୍ରାମ କରୁଛନ୍ତି ବଞ୍ଚିବା ପାଇଁ। ସ୍କୁଲ ବସ୍ ରୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜୀବନର ବାର ବାର ବିବର୍ତ୍ତନ, ମନ ବିଜ୍ଞାନ ଭିତରେ ଗବେଷଣାର ଏକ ବିଶେଷ ଅଧ୍ୟାୟ ରୂପେ ସ୍ଥାନ ପାଇଛି ବୋଧେ...


ମୋ ମୁଣ୍ଡ ବି କାମ କଲା ନାହିଁ, କିଛି ମୁହୂର୍ତ୍ତ ପାଇଁ।


ସମସ୍ତଙ୍କୁ ଅତି ନିଜର ଭାବି ସମସ୍ତଙ୍କ ଦୁଃଖ ସୁଖର ସାଥୀ ହେବା ପାଇଁ ଗୋଟାଏ କାର୍ଯ୍ୟକ୍ରମ ଆରମ୍ଭ କଲି ଗ୍ରୀନଭେଲି ଗେଟେଡ୍ କମ୍ୟୁନିଟି ର ଗେଟ୍ ପାଖରେ। ପେଶାରେ ମୁଁ ଜଣେ ଅନୁଭବୀ କମ୍ପା ଉଣ୍ଡର । ଅଫିସ ଯିବା ପୂର୍ବରୁ ଏବଂ ଅଫିସ ରୁ ଆସିବା ପରେ ପ୍ରେସର୍ ମେସିନ, ଗ୍ଲୁ କୋ ମିଟର ନେଇ ବସିଲି। ଭାରି ଖୁସି ଲାଗିଲା ବୟସ୍କ ଲୋକ ସବୁ ଧାଡିରେ ଆସି ଛିଡ଼ା ହୋଇ ହାତ ବଢାଉ ଥିଲେ ମୋ ଆଡକୁ। ଅସାଧାରଣ ରକ୍ତ ଚାପ ଓ ସୁଗାର୍ ଦେଖିଲେ ବିଦେଶରେ ଥିବା ସେମାନଙ୍କ ପିଲା ମାନଙ୍କୁ ସିଧା ସିଧି କଥାହେଲି। ସେମାନେ ଦୂରରେ ଥାଇ ବି ପରିବାର ସଦସ୍ୟଙ୍କୁ ହସ୍ପିଟାଲରେ ଆଡ଼ମିଶନ କରିବାର ବ୍ୟବସ୍ଥା କଲେ। ଧିରେ ଧିରେ ଆମ୍ବୁଲାନ୍ସ ଆସିବା ବନ୍ଦ ହେଇଗଲା ଅନେକ ମାତ୍ରାରେ। ଭାରି ଖୁସି ହେଲି ମୁଁ।  କାହିଁକି କେଜାଣି ସମସ୍ତେ ମୋ ସହିତ ଯୋଡି ହେଇଗଲେ। ହୃଦୟରେ ଜାଗା ବି ଦେଲେ"



ଭିଡ ଭିତରୁ ଜଣେ ବୟସ୍କ ବ୍ୟକ୍ତି ଫୋନ୍ ଧରେଇ ଦେଇ କହିଲେ ମୋ ପୁଅ ନରୱେ ରୁ। ତମ ସହିତ କଥା ହେବାକୁ ଚାହୁଁଛି।


ଅଙ୍କଲ ! ଆଶା ନିରାଶା ର ଖେଳ ଭିତରେ ଆମେ ହାରି ଯାଇଛୁ । ମହାଭାରତ ଯୁଦ୍ଧ ପରଦିନ ସକାଳ ପରି ନୀରବତା ଆମର ଏଇ 

ଗେଟେଡ୍ କମ୍ୟୁନିଟି ଭିତରେ ପ୍ରତିଟି ମଣିଷ କୁ ପ୍ରତି ମୁହୂର୍ତ୍ତରେ ଆହତ କରୁଛି। ବାପା କହୁଥିଲେ ତମେ ଆସିବା ପରେ ଅନେକ ଚଳ ଚଞ୍ଚଳ ହେଇ ଉଠିଛି ଆମ କଲୋନୀ ଟା। କାହିଁକି କେଜାଣି, ବାପା ମାଆଙ୍କୁ ଛାଡି ଆମେ ଏତେ ଦୂରକୁ ଚାଲି ଆସିଛୁ ଯେ ଫେରିବା ଆଉ ସମ୍ଭବ ନୁହେଁ। ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ତୁମର ଏଇ ଭୂମିକା ପାଇଁ ଆମେ ଚିର କୃତଜ୍ଞ। ତମେ ସମସ୍ତଙ୍କ ଯତ୍ନ ନେଉଛ ଶୁଣି ଭାରି ଖୁସି ହେଲି। ଆମର ପାଞ୍ଚୋଟି ଫ୍ଲାଟ୍ ଅଛି ଏଇ କମ୍ୟୁନିଟି ଭିତରେ। ସବୁ ଥାଇ କି ବି କିଛି ନାହିଁ ମୋ ବାପାଙ୍କ ପାଖରେ। ଖାଲି ଏତିକି ଜାଣିଛି ଯେ ବିପଦ ଆପଦରେ ପରସ୍ପରକୁ ଛୁଇଁଦେଲେ ମନ ମୋହି ଯାଏ। ତାହା କଣ ହେଇ ପାରୁଛି।


ପଚିଶ ବର୍ଷ ଆଗରୁ ଆପଣ କୁଆଡେ ଇଚ୍ଛା କରିଥିଲେ ଏଇଠି ଗୋଟାଏ ଫ୍ଲାଟ୍ କିଣିବା ପାଇଁ, ବାପା କହୁଥିଲେ। ୪୦ ଲକ୍ଷ ରୁ ଆରମ୍ଭ କରି ଆଜି ସତୁରୀ ଲକ୍ଷ ଭିତରେ ବାର ବାର ହାରି ଯାଇ କି ବି ତମେ ହାରି ନ ଅଙ୍କଲ। ସଂପୂର୍ଣ୍ଣ ହାରିଯିବା ପରେ ଗାଁ କୁ ଫେରି ଯିବାର ସିଦ୍ଧାନ୍ତ ଅନ୍ତର୍ନିହିତ ସତ୍ସାହସକୁ ନିଦର୍ଶନ କରେ। ଅସୀମ ଧୈର୍ଯ୍ୟ ତମ ପାଖରେ। ତମେ ଓ  ଆମ ଭିତରେ ପାର୍ଥକ୍ୟ ହେଉଛି ତୁମେ ତମ ଇଚ୍ଛାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଛ। ମୁଁ ତୁମକୁ ସଲାମ କରୁଛି ଅଙ୍କଲ।

ଆଉ ଗୋଟାଏ କଥା, ୫୦୭ ନମ୍ୱର୍ ଫ୍ଲାଟ୍ ମୁଁ ତୁମକୁ ବିକ୍ରି କରୁଛି ୨୦ଲକ୍ଷ  ଟଙ୍କାରେ। 

ମୁଁ ଆବାକାବା ହେଇ ଚୁପ୍ ରହିଲି !!!!!!


ହଁ ବାପା କହୁଥିଲେ ତମେ ଭାରି ସ୍ଵାଭିମାନୀ। ତମ ଘର ଆଗରେ ଭିଡ କରିଥିବା ବୟସ୍କ ଲୋକଙ୍କ କଥା ଥରେ ଭାବ। ଆଜି ଦୁନିଆରେ କାହା ପାଖରେ ସମୟ ଅଛି କହିଲ, ତା ସତ୍ତ୍ୱେ ସେମାନଙ୍କ ପାଇଁ ଯାହା କରିଛ, ଭାଷାରେ ବ୍ୟକ୍ତ କରି ହେବନି। ବାପା କହୁଥିଲେ ଆଜିକାଲି ସେମିତି ଏମାର୍ଜେନ୍ସି ନାହିଁ, କଲୋନୀ ଭିତରକୁ ପଶୁଥିବା ଆମ୍ବୁଲାନ୍ସ  ର ସଂଖ୍ୟା ଅନେକ ମାତ୍ରାରେ କମି ଯାଇଛି। ସେମାନଙ୍କ ରକ୍ତ ଚାପ ଓ ସୁଗାର ନିୟନ୍ତ୍ରଣ ତମ ହାତରେ। ଏତେ ମାତ୍ରାରେ ନିଃଶୁଳ୍କ ସେବା କେହି କଣ କରିପାରେ !! ପ୍ଲିଜ୍ ମନା କରନି।


ଆଖିରୁ ଦୁଇ ଟୋପା ଲୁହ ବହି ଆସିଲା


କହିଲି ଠିକ୍ ଅଛି....କିନ୍ତୁ ଗୋଟାଏ ସର୍ତ୍ତରେ। ମଝିରେ ମଝିରେ ତମେ ସବୁ ଛୁଆ ପିଲାଙ୍କୁ ନେଇ ଆସ। ବାପା ମାଆ ଖୁସି ହେବା ସଙ୍ଗେ ସଙ୍ଗେ କମ୍ୟୁନିଟି ଭିତରେ ଜୀବନ ଫେରି ଆସିବ। ବାପା ବୋଉଙ୍କ ବାର୍ଷିକ ହେଲ୍ଥ  ଚେକ ଅପ୍ ବି ହେଇଯିବ ସେଇ ବାହାନାରେ। ଛୁଆ ପିଲାଙ୍କ ଗହଣରେ କିଛି ଦିନ ପାଇଁ ହେଉ ପଛେ ଜୀବନ୍ତ ହେଇଯିବ ପରିବେଶଟା... ଏମିତି ବି ଘର କେବେ ପୁରୁଣା ହୁଏନି, ଖାଲି ଆମର ଆଟିଚ୍ୟୁଡ ହିଁ ବଦଳିଥାଏ। ପାରିବ ତ ଚିଲ୍ଡରେନ୍ ଆସୋସିଏସନ୍ ବନେଇ ବର୍ଷକୁ ଥରେ ଦୁଇ ଥର ଗେଟ୍ ଟୋଗେଦାର କଲେ ପରିସ୍ଥିତି ବଦଳି ଯିବ।


ସେ ଚୁପ୍ ହେଇଗଲା ବୋଧେ.. ହଉ ଭାବି କି ଦେଖ। ଫୋନ ବଢେଇ ଦେଲି ତା ବାପାଙ୍କୁ।


ଭିଡ ଭିତରେ ସମସ୍ତଙ୍କୁ ଅନେଇଲି, ସମସ୍ତେ ହସୁଥିଲେ 

ରେଖାଙ୍କ ଆଡକୁ ଅନେଇଲି, ସେ ବି ଖୁସିଥିଲେ। କଣ ବୁଝିଲେ କେଜାଣି...ll


Rate this content
Log in

Similar oriya story from Classics