Gargi Mishra

Drama Romance Inspirational

4  

Gargi Mishra

Drama Romance Inspirational

ଅବୁଝା କାହାଣୀ

ଅବୁଝା କାହାଣୀ

4 mins
395



ଘରେ ଖୁଵ ବାକବିତଣ୍ଡା... କେଜାଣି କାହିଁ ବାପା କେବେ ପାଟି ଫିଟାନ୍ତିନି । ବୋଉ ସବୁବେଳେ ରାଗ ଜରଜର ହୋଇ କଣ ବୋଲି କଣ କହିଦିଏ । ପାଟିରେ ବାଡ଼ ବତା ରଖେନି ।


କେତେଥର କହିଲା ପରେବି ଘରେ ରୋଷେଇଆ କି କାମବାଲିଙ୍କୁ ପ୍ରଶ୍ରୟ ଦିଏନାହିଁ ବୋଉ । ତା' କଥାକୁ ଖାତିର ନ କରି ଗୋଟେ କାମବାଲିକୁ ଜୋର କରି ରଖେଇଥିଲା ତ ପ୍ରତ୍ୟୁଷା । ହେଲେ ବୋଉର ଏଇ ଜିରାରୁ ଶିରା କାଢିବା ପ୍ରକୃତି ପାଇଁ ସେ ବି ବିଚାରି କିଛିଦିନରେ କାମ ଛାଡି ଚାଲିଗଲା ।


କେବେ ସମୟରେ ଆସିନି ତ, କେବେ ଭାତହାଣ୍ଡି ଛୁଆଁ ହେଲା, କେବେ ସାବୁନ ବେଶୀ ବେଶୀ କାଦୁଅ ପରି ଆମ୍ପୁଡ଼ି ନେଇଯାଉଛି, ଫେଣ ଛାଡ଼ୁନି ବାସନରୁ ତ କେବେ ଛୁଟି ମାଗିଲାଣି । ସବୁବେଳେ କିଛି ନା କିଛି ତା ଖିଲାଫରେ ଅଭିଯୋଗ । ଅଫିସ ଫୋନ କରି କହିବା କଣ ଦରକାର ସୋଫା ତଳୁ ଅଳିଆ ଚାଙ୍ଗୁଡ଼ିଟେ ବାହାରିଲା ବୋଲି? ସେମାନେ ଆଉ ସମସ୍ତଙ୍କ ଘରେ କେମିତି କାମ କରୁଛନ୍ତି ପୁଣି ବର୍ଷ ବର୍ଷ? 


 ନିଜେ ଦେହରେ ପକେଇ କଲେ କେତେବା କରିପାରିବ? ଶେଷକୁ ବୋଉଟା ବିରକ୍ତ ହୋଇ ଚିଡିଚିଡ଼ା ସ୍ଵଭାଵର ହେଇ ଗଲାଣି । 


ସକାଳୁ ସକାଳୁ ପ୍ରତ୍ୟୁଷା ବାହରି ପଡିଥାଏ ଅଫିସ । ନିତି ଦିନିଆ ଝଗଡାରୁ ତ ଟିକେ ତ୍ରାହି ।


- ଆରେ ଆହୁରି ଘଣ୍ଟେ ଅଛି । ନଖାଇ ଘରୁ ଗୋଡ଼ କାଢ଼ନ୍ତିନି ।

ସ୍କୁଟି ଷ୍ଟାର୍ଟ କରିବା ବେଳେ ପଛରୁ ଶୁଭୁଥିଲା ବୋଉ କଥା । 


- ଆଜି ମୋର କ୍ଲାଏଣ୍ଟ ମିଟିଙ୍ଗ । ପ୍ରେଜେଣ୍ଟେସନ ଅଛି । ଭଲ ପ୍ରୋଜେକ୍ଟଟିଏ ହାତଛଡା ହେଲା ବଡ଼ ଅସୁବିଧା । ମୋ କଥା ମୁଁ ଦେଖୁଛି ।

ଓଲଟା ରାଗି କହିଲା ପ୍ରତ୍ୟୁଷା । 


ଏକୁଟିଆ ଅଫିସରେ କଣ କରିବ? ବାଟରେ ସହକର୍ମୀ ଅନିରୁଦ୍ଧଙ୍କୁ କଲ କଲା । କେଜାଣି କାହିଁ ଭରସାକରି ବାକୁ ଇଛାହୁଏ । ଅ ଠୁ କ୍ଷ ଯାଏ ସବୁକିଛି କହିହୁଏ ଅନିରୁଦ୍ଧଙ୍କୁ । ଏଇ ଯେମିତି ଚାଟୁକାର ସୁବ୍ରତର ଜୁନିଅର ହୋଇ ମଧ୍ୟ ପ୍ରଥମେ ପ୍ରମୋସନ ପାଇବା , ମ୍ୟାନେଜରର ତା ଉପରେ ଥିବା ଖରାପ ନଜର ତଥା ବାପାଙ୍କ ଲୋ ବି.ପି. ସୁଧା ଖିଆପିଆ ଅବହେଳା କରିବା କଥା...


କଥାରେ କଥାରେ ମନ ହାଲକା ହୋଇଗଲେ ଲାଗେ ଯେମିତି ଦୁରୂହ ଲକ୍ଷ୍ୟସ୍ଥଳକୁ ରାସ୍ତା ସୁଗମ ହୋଇଗଲା ପରି । ନହେଲେ କଣ୍ଟାଝଣ୍ଟାତ ସମସ୍ତଙ୍କ ପଥରେ.... ସାଥିହୋଇ ହାତରେ ହାତ ମିଶାଇ ଚାଲିଲେ ନିଶ୍ଚୟ କଷ୍ଟ ଆଉ ଆଗ ପରି ଅନୁଭୂତ ହୁଏନା । ବାଣ୍ଟିକୁଣ୍ଟି ହୋଇଯାଏ ।ଅନିରୁଦ୍ଧ ମନବୁଝେ ଆଉ ଅବୁଝା ମନକୁ ବୁଝାଇ ମଧ୍ୟ ପାରେ ।


- ଆଜି କଣ ଏତେ ଜଲଦି ଟିପ ଟପ ହୋଇ ଆସିଛ...? କଥା କଣକି ?

ଅନିରୁଦ୍ଧ ପଚାରିଲେ ।


ପ୍ରତ୍ୟୁଷା କହିଲା,

-ଆଜି ମୋ ବର୍ଥ ଡେ । ମୋ ତରଫରୁ ଲଞ୍ଚ ଟ୍ରିଟ ।


ଅନିରୁଦ୍ଧ ଆଶ୍ଚର୍ଯ୍ୟ ହୋଇ ପୁଣି ପଚାରିଲେ, 

-ତୁମେ ସତ କହୁଛ? ଛ' ମାସ ତଳେ ପରା ତୁମ ବର୍ଥ ଡେ ଯାଇଥିଲା ନା କଣ ?


- ଏଇଟା ତିଥିରେ ପଡୁଛି । ମୁଁ ଜାଣିନି ମୁଁ କେବେ ଜନ୍ମ ହେଇଛି ଅନିରୁଦ୍ଧ? ମୋ ଇଛା ମୁଁ ବର୍ଷରେ ଦି ଟା କରେ କି ଛ ଟା । ମୁଁ ତ ସେଲିବ୍ରେଟ କରିବି । ତୁମ ଇଛା ଆସିଲେ ଆସ ନ ଆସିଲେ ନାହିଁ ।

ପ୍ରତ୍ୟୁଷା ମୁହଁ ଫୁଲେଇ କହିଲା ।


-ହଉ ହଉ, ଠିକ ଅଛି । ମଧ୍ୟାହ୍ନରେ ଆସିବି । ହାପି ବର୍ଥ ଡେ । ଏବେ ଚା ଟିକେ ହେବ?

ଅନିରୁଦ୍ଧ ପରିସ୍ଥିତିକୁ ସହଜ କରିବାକୁ କହିଲେ । 


ଚା' ପିଉ ପିଉ ସକାଳୁ ଘଟିଥିବା ଅନେକ କଥା ଗପିଗଲା ପ୍ରତ୍ୟୁଷା । ସବୁ ଶୁଣି ଚାହାକପକୁ ଚାହିଁ କେବଳ ହଁ, ହଁ ମରୁଥାନ୍ତି ଅନିରୁଦ୍ଧ । ସବୁ ଯେମିତି ଏକ ନିୟମିତ ଅଭ୍ୟାସ । ଠିକ ଏଇ ଚାହା ଅମଳ ପରି । ଭଲ ହେଉ ଖରାପ ହେଉ ଅଭ୍ୟାସରେ ପଡିଗଲେ ଆଉ ଛାଡିହୁଏନା ।


-ସେ ବୋଉ ପରା । ମା' ମୁହଁରେ ସରସ୍ବତୀ ଆଉ ହାତରେ ଲକ୍ଷ୍ମୀ । ତାଙ୍କ ହସରେ ସ୍ନେହ ଗାଳିରେ ଆଶିଷ । ତୁମେ ତାଙ୍କ କଥା ବିରୁଦ୍ଧରେ କାମବାଲି ରଖିବା କଣ ଠିକ? ବରଂ ମୁଁ କହିବି ମାଉସୀଙ୍କୁ ବୁଝିବାରେ ଭୂଲ ହୋଇଛି ।

ଅନିରୁଦ୍ଧ ଖୋଲା ମନ୍ତବ୍ୟ ଦେଲେ । 


ସେଦିନ କାହିଁ ଅନିରୁଦ୍ଧଙ୍କ କଥା ପ୍ରତ୍ୟୁଷାକୁ ତା' ବାପାଙ୍କ କଥା ପରି ଲାଗୁଥିଲା । ଲଞ୍ଚରେ ଖୁଵ ବେଶୀ ଭୋକଲାଗୁ ଥିଲା । ଅନେକ ଆଇଟମ ମଗାଇଲା ପ୍ରତ୍ୟୁଷା । ଘରକଥା ସମ୍ପୂର୍ଣ ଭୁଲିଯାଇଥାଏ ସେତେବେଳକୁ । ପ୍ରେଜେଣ୍ଟେସନ ଦେବା ସମୟରେ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ପ୍ରତ୍ୟୁଷା ମୁହଁରେ ଖେଳୁଥାଏ । ସମସ୍ତେ କଂଗ୍ରାଚୁଲେଟ କରୁଥାନ୍ତି ।


ମିଟିଙ୍ଗ ସରିଲା ପରେ ଅନିରୁଦ୍ଧଙ୍କ ସହ କ୍ୟାବିନକୁ ଫେରିବା ବେଳେ ଦେଖିଲା ୱେଟିଙ୍ଗ ରୁମରେ ବାପା... ପ୍ରତ୍ୟୁଷା ଆଖିକୁ ବିଶ୍ୱାସ ହେଉ ନଥାଏ ।


ପିଅନ କହିଲା,

-ପ୍ରତ୍ୟୁଷା ମ୍ୟାଡ଼ାମ, କିଏ ଜଣେ ଅଧଘଣ୍ଟା ହେଲା ବାହାରେ ଅପେକ୍ଷା କରିଛନ୍ତି ।


ମନହେଲା କହି ଦିଅନ୍ତା, ବାପା ଏଇଟା ଅଫିସ । ତୁମେ କଣ ପାଇଁ ଆସିଛ? ହେଲେ ପ୍ରଫେସନାଲିଜମ କଣ ଏ ବାପା ବୋଉଙ୍କୁ କଣ ବୁଝାଇ ହୁଏ? 

ଅନିରୁଦ୍ଧ ନମସ୍କାର କହି ଖଣ୍ଡେ ଦୂରରେ ଛିଡାହୋଇଥାନ୍ତି । ଶୁଣୁଥାନ୍ତି ବାପ ଝିଅଙ୍କ କଥା । 


- ମା' ରେ, ତୁ ନ ଖାଇ ଆସିଛୁ, ଘରେ ବୋଉ କି ମୁଁ କେହି ଖାଇନୁ, ଅପେକ୍ଷା କରିଛୁ ପରା । ଫୋନବି ସ୍ବିଚ ଅଫ ମୁଁ କହିଲି ଛୁଆଟା ଭୋକରେ ଆଉଟୁ ପାଉଟୁ ହେଇ ଯିବଣି । ଆ... ଅଫିସରେ ଜଣେଇ ଦେଇ ଅଧ ଘଣ୍ଟେ ବ୍ରେକ ନେଇ ଖାଇଦେଇ ଆସେ ।


ଅନିରୁଦ୍ଧ ମୁହଁକୁ ଚାହିଁଲା ବଲ ବଲ ହୋଇ ପ୍ରତ୍ୟୁଷା ।


ଅନିରୁଦ୍ଧ ଦାନ୍ତତଳେ ଓଠଚାପି ବାହାରକୁ ଚାହିଁ ହସିଦେଲେ । ଯେମିତି କିଛି ଶୁଣି ନାହାନ୍ତି । 


ପ୍ରଥମେ ତ ମନେ ମନେ ବିରକ୍ତ ହେଲା । ଫୋନ କାଢି ସ୍ବିଚ ଅନ କଲା । ହେଲେ ପରେ ପରେ ବାପାଙ୍କ ଭୋଳାପଣ ଆଉ ବୋଉର ନିସର୍ତ୍ତ ଭଲପାଇବା ଆଗରେ ଖୁଵ ନ୍ୟୁନ ମନେକରୁଥିଲା ନିଜକୁ ପ୍ରତ୍ୟୁଷା । ଏହା ଛଡା କିଛି ସମୟ ପୂର୍ଵରୁ ଛୋଟ ପାରିବାରିକ ଝଗଡାକୁ ବଡ଼କରି ସାଙ୍ଗକୁ କହିଥିବାରୁ ଭିତରେ ଭିତରେ ଲଜ୍ଜିତ ମନେ କରୁଥିଲା ପ୍ରତ୍ୟୁଷା । 


ଅଫିସରେ ସବୁକିଛି ସମ୍ଭାଳି ନେବାର ପ୍ରତିଶୃତି ଦେଇ ଘରକୁ ଯିବାକୁ କହିଲେ ଅନିରୁଦ୍ଧ । ଚୁପଚାପ ଛୋଟ ପିଲାଙ୍କ ପରି ବାପାଙ୍କ ସହ ପଛ ସିଟରେ ବସି ଗଲାବେଳେ ଅନିରୁଦ୍ଧ ଆଖି ବଡ଼ ବଡ଼ କରି ମୁଣ୍ଡ ହଲାଇ ଇଶାରାରେ ମନା କରୁଥିଲେ ବର୍ଥ- ଡେ ଟ୍ରିଟ କଥା ବାପାଙ୍କୁ ନ କହିବାକୁ । ତାଙ୍କ ସରଳ ମନକୁ ଯେତେହେଲେବି କଷ୍ଟ ହେବ ।


ପ୍ରତ୍ୟୁଷା ଜାଣି ପାରୁଥିଲା ବାପା କାହିଁ ବୋଉର କୌଣସି କଡାକଥାରେ ପାଟି ଫିଟାନ୍ତିନି । ଜୀବନ ଛୋଟ ବଡ଼ ଅନେକ କାହାଣୀର ଏକ ସଂକଳନ । କିଛି କାହାଣୀ ଆଖିରେ ଆଖିରେ ବୁଝି ହୋଇଯାଏ, ଆଉ କିଛି ବୁଝିବାକୁ ଗଭୀର ଅନୁଶୀଳନ ଦରକାର ହୁଏ । 



Rate this content
Log in

Similar oriya story from Drama