Gargi Mishra

Abstract Drama Inspirational

3  

Gargi Mishra

Abstract Drama Inspirational

ଦୁହିତା

ଦୁହିତା

5 mins
7


 


ବୋହୁ ନନ୍ଦିନୀ ମୋର ବିଚକ୍ଷଣ l ସମସ୍ତଙ୍କ ମନବୁଝେ l ତା ବାପା ଅର୍ଥାତ ସମୁଦୀ ମୋ ଭାଇର ଷଢ଼ୁଙ୍କ ଲେଖାଜୋଖାରେ କକେଇପୁଅ l ଅତଏବ କାମ କାର୍ଯ୍ୟରେ ଥରେଅଧେ ଆମର ଦେଖା ସାକ୍ଷାତ l ସମୁଦୀ ଯୁଆଡେ ଯାଆନ୍ତି ଝିଅକୁ ସାଥିରେ ନେଇ ଯାଆନ୍ତି l ତାଙ୍କ ହାତ ବାରିସୀ ଥିଲା ନନ୍ଦିନୀ l ମୋତେ ପ୍ରଥମ ଦେଖାରେ କାହିଁ ଭାରି ପସନ୍ଦ ଆସିଯାଇଥିଲା l 


ବଢ଼ା ବଢ଼ିରୁ ଜାଣିପାରିଲି ଝିଅଟି ବଡ଼ସାନ ପାତର ଅନ୍ତର କରେନାହିଁ l 

ଦିନକର କଥା, ମୋ ଭାଉଜ ଦିନେ ପୂଜା କରୁକରୁ ଫୁଲ କମ ପଡିଲା l ବାଡ଼ିଆଡ଼େ ହେନା, ତରାଟ, ଚମ୍ପା ଭର୍ତ୍ତି ଥାଏ l ହେଲେ ସେଦିନ ଗୋଟଏକି କଢ଼ନାହିଁ l ତତକ୍ଷଣାତ ଝୁଡିରୁ ଫୁଲ ତକ ଚୁନା ଚୁନା କରି ଅକ୍ଷତ ସହ ମିଶାଇ ସମସ୍ତଙ୍କ ହାତରେ ଟିକେ ଟିକେ ଦେଇ ପୁଷ୍ପାଞ୍ଜଳୀ ଦେବାକୁ କହିଦେଲା l ପୂଜା ସୁରୁଖୁରୁରେ ସମ୍ପନ୍ନ ହୋଇଗଲା l ମୋତେ ତା ଘରକରଣା ବୁଦ୍ଧି ଭାରି ପସନ୍ଦ ଆସିଲା l


 ପୁଅ କିନ୍ତୁ କୁଣ୍ଠାବୋଧ କଲା l ତା ସ୍ତ୍ରୀ ଉଚ୍ଚଶିକ୍ଷିତା ହୋଇଥିବା ଦରକାର ବୋଲି ଆଗରୁ କହିଥିଲା l ହେଲେ ବେଶୀ ପାଠପଢାରୁ କଣ ମିଳିବ? ଆମର ଯୌଥ ପରିବାର, ଆଉ ତା ଛଡା ମୋର କନ୍ୟା ସନ୍ତାନ ନଥିବାକୁ ମୁଁ ଝିଅଟିଏ ଆଶା କରିଥିଲି l ମୋତେ ମୋ ମନ ଜାଣି ବୋହୁଟି ମିଳିଲା l ଝିଅ କଣ ବୋହୁ କଣ? 


ବୋହୁ ଖୁବ ସହଜରେ ପୁଅର ମନ ଜିତିଗଲା l ଦୁହିଁଙ୍କୁ ଖୁସିରେ ଦେଖି ଆମେ ବୁଢାବୁଢ଼ୀ ଖୁସି l ଡାହାଣ ପଟ ଗୋଟେ ଘର ଛାଡି ମିଶ୍ରଘର l ଶାଶୁ ବହୁ ମାନଙ୍କ କଟୁକ୍ତି, ପାଟିତୁଣ୍ଡ, ଯୁକ୍ତି, କଥା କଟାକଟି ଆଦି ଆବାଜ ଆସେ l ମୁଁ ଦେଖେ ବାଲକୋନୀରେ ମିଶ୍ରବାବୁ ଭାରି ଚୁପଚାପ ହୋଇ ଆକାଶକୁ ଚାହିଁ ରହନ୍ତି ସତେକି ରାହୁ କେତୁ ଚନ୍ଦ୍ରଟାକୁ ସବୁଦିନେ ଗ୍ରାସ କରି ଦେଉଛନ୍ତି l ଦୁଃଖ ଲାଗେ l ମୋ ବୋହୁତ ବାପାଙ୍କୁ ଭୁଲି ଆମକୁ ସହଜରେ ଆପଣେଇ ନେଲା l ଛାତିଟା ଗର୍ବରେ ଚଉଡା ହୋଇଯାଏ ମୋବୋହୁ ଅନ୍ୟ ସମସ୍ତଙ୍କଠୁଁ ନିଆରା ଭାବିଲେ l 


ସଂସାରରେ ପର ବୋଲି କିଛି ନଥାଏ ବୋଧେ l ଆପଣାର କରିବା କୌଶଳ ଜଣାଥିଲେ ସାରା ଦୁନିଆ ଆମର l ନନ୍ଦିନୀର ସ୍କୁଲରେ ଶିକ୍ଷକତା କରିବାକୁ ମନ ବୋଲି ଜାଣି ପୁଅକୁ କହି ତାକୁ ମୁଁ ବି. ଏଡ଼. କରାଇଲି l ସୁଲୋଚନା ଆଉ ମୁଁ ଶାଶୁ ଶ୍ୱଶୁର ହିସାବରେ ଯଥେଷ୍ଟ ସାହାଯ୍ୟ ସହଯୋଗ କଲୁ l ସେ ଅଧିକ ପଢିବାକୁ ଇଚ୍ଛାକଲାଠୁଁ ତାକୁ ଏମ.ଏ. ମଧ୍ୟ କରାଇଲୁ l ସେ ବି ଚାକିରୀ କରି ଦରମାତକ ମୋ ହାତରେ ଦେଇଦିଏ l ହେଲେ ଦୈନନ୍ଦିନ ଖର୍ଚ୍ଚପାଇଁ ଯେମିତି ସ୍କୁଲପିଲା ପରି ମୋତେ ପଇସା ମାଗେ l ଜାଣିନି କାହିଁକି l 


ସମ୍ପୂର୍ଣ ବାର୍ଦ୍ଧକ୍ୟ ଆସିବା ଆଗରୁ ଆମକୁ ସେ ବୁଢା ବୁଢ଼ୀ କରିଦେଇଥିଲା ଆମକୁ l ସୁଲୋଚନାଙ୍କ ଉଠିବା ପୂର୍ଵରୁ ଉଠି ଘରକାମ ସାରି ତାଙ୍କୁ ହୋମିଓପାଥି ମେଡିସିନ ଦେଇ ଦେଇ ସ୍କୁଲଯାଏ l ସେତିକି ନୁହେଁ, ଶାଶୁ ହାତରୁ କପ ନେଇ ଧୋଇ ରଖିଦେଇ ଯାଏ l ସୁଲୋଚନା ନ କହିଲେବି ମୁଁ ଜାଣି ପାରେ ବୋହୁ ପ୍ରତି କେତେ ଲୋଭ ତାଙ୍କର l ଆଜି କୁଆଡେ ଗଲେ କେଜାଣି? ଏଯାଏ ଶୋଇ ରହିଛନ୍ତି ବୋଧେ l 


ପୃଥିବୀ ଉପରେ ଜୀବଜନ୍ତୁ ସୁସ୍ଥ ଭାବେ ଚଳ ପ୍ରଚଳ ହେଲେ ଆକାଶଟାବି ଶାନ୍ତିରେ ଶୋଇରହେ l 

ମୁଁ ସକାଳୁ ଯୋଗ ଅଭ୍ୟାସ କରେ l ମୋ ଲାଗି ରାତିରୁ ପିତ୍ତଳ ଢାଳରେ ଢାଳେ ପାଣି ରଖି ଦେଇଥାଏ l ସକାଳେ ବ୍ରସ କରିବା ପୂର୍ବରୁ ପିଏ l ରକ୍ତଚାପ କମ ହେବ କାଳେ l ପୁଅ ଆନନ୍ଦକୁ ଚା ' ପସନ୍ଦ ବୋଲି ଗୁଡ଼ଭାଇବ ପ୍ୟାକେଟ ମିଲକ ଜାଗାରେ ଗଉଡ଼ ଠୁଁ କ୍ଷୀର ମଗାଇ ଚା' କରେ l କହେ ମିଶାମିଶି ନୁହେଁ ଖାଣ୍ଟି ଗାଈ କ୍ଷୀରରେ ଚାହାର ପ୍ରକୃତ ସ୍ୱାଦ ଜଣାପଡେ l ଭାରି ଡରୁଥିଲି, ବାପକୁ ଏତେ ଭଲ ପାଉଥିବା ଝିଅଟି ଶ୍ୱଶୁରକୁ କଣ ବାପର ଜାଗା ବା ମାନ୍ୟତା ଦେଇ ପାରିବ? ସେ ତ ମୋତେ ଆଉ ମୋ ଘରକୁ ଆଶାତୀତ ଭାବେ ଭଲ ପାଇଗଲା l 


ଗୁରୁବାର ଦିନ ସ୍କୁଲ ଯିବା ପୂର୍ଵରୁ ଚିଠିଟିଏ ଆଣି ଧରାଇ ଦେଇ ଚାଲିଗଲା l ତା ବାପାଙ୍କ ଚିଠି l ଚାହିଁଥିଲେ ଚୁପଚାପ ନେଇ ପଢି ପାରିଥାନ୍ତା l ସେ କିନ୍ତୁ ଘର ମୁରବି ହିସାବରେ ମୋତେ ଆଣି ଚିଠିଟି ଦେଇ ଯାଇଛି l 


ଚିରି ପଢ଼ିଲି, ସମୁଦୀ ଯାହା ଲେଖିଛନ୍ତି ସେଥିରୁ ଜାଣିଲି ଦୀର୍ଘ ପାଞ୍ଚବର୍ଷ ହୋଇଗଲାଣି l ଥରଟେ ବହୁମା ଘରକୁ ଯାଇନାହାନ୍ତି l ପୂଜାରେ ଘରକୁ ଝିଅଜ୍ୱାଇଁ ଥରେ ଆସି ବୁଲି ଯିବାପାଇଁ ତାଙ୍କ ଇଛା l 


ସନ୍ଧ୍ୟାବେଳେ ନନ୍ଦିନୀ ଆସିଲା ପରେ କୃତ୍ରିମ ରାଗ ରଖି କହିଲି, 


"ଦେଖ ବୋହୁ, ତୁମେ ବାପାଙ୍କୁ ଦେଖିବାକୁ ଯିବାପାଇଁ କେବେବି ନିଜଆଡୁ କହିନ l ମୁଁ ବି କେମିତି ଶ୍ୱଶୁରଟା ଯେ ତୁମକୁ ବାଧ୍ୟ କରି କେବେ ବାପଘରକୁ ପଠାଇନି l ଏତେ ସ୍ୱାର୍ଥପର କାହିଁକି ହୋଇଗଲି କେଜାଣି? ବାର୍ଦ୍ଧକ୍ୟ ଏକ ନିର୍ମୁଳିଲଟା ପରି l ନିର୍ମୁଳିଲଟାକୁ ଭଗବାନ ସ୍ୱତନ୍ତ୍ର ବଞ୍ଚିବା ଅଧିକାର ଦେଇନାହାନ୍ତି l ସେ ଅନ୍ୟଠୁ ଖାଦ୍ୟ ସଂଗ୍ରହ କଲେ ବଞ୍ଚେ l ଜୀବନ ସଂଗ୍ରାମରେ ଏହାହିଁ ପ୍ରକୃତ ସତ୍ୟ l ହେଲେ ଜୀବନ୍ତଗଛ ଉପରେ ଆଶ୍ରୟ ନେଇ ତାକୁ ଏକଚାଟିଆ ଅଧିକାର ବୋଲି ଭାବିବସିବାଟା ସ୍ୱାର୍ଥପରତା ନୁହେଁ ତ ଆଉ କଣ? ମୁଁ ଜାଣେନି ସମୁଦୀ ଫୋନରେ ଅନେକ ଥର ଡାକିଲେଣି l ହେଲେ ତୁମେ ତ କହି ପାରିଥାନ୍ତ l ତୁମେ ମାନେ ବଡ଼ ହେଇଗଲଣି ତାହାଲେ l ମୋ କଥା କେହି ଶୁଣୁନ l ଆଜି ସମୁଦୀ ଏପରି ଚିନ୍ତିତ ହୋଇ ଚିଠି ଲେଖିବା ଯାଏ ଯାଇନଥାନ୍ତା?"


ବୋହୁକୁ ବାରମ୍ବାର କହିବା ପରେ ସେ ରାତିରେ ଖିଆପିଆ ସାରି ସମୁଦୀଙ୍କ ସହ କଥା ହେବାକୁ କହିଲା l ମୋ ପାଦରେ କ୍ରିମ ଲଗାଇ ଘଷାମୋଡା କଲା l ମୁଁ ଶୋଇବା ବାହାନା କଲି l 


ଲ୍ୟାଣ୍ଡଫୋନରେ କହିଲା, 


"ବାପା, ତୁମେ ଭଲ ଅଛନା? ମୁଁ ବହୁତ ଖୁସିରେ ଅଛି l ସମସ୍ତଙ୍କୁ ପୂଜାପାଇଁ ଆଗୁଆ ଅଭିନନ୍ଦନ l ଆମ ଘରେ ଆପଣ ମାନେ ସମସ୍ତେ ବୁଝିବା ସୁଝିବା ଲୋକ l ମୋ ଶ୍ୱଶୁରଙ୍କ କଥା ତ ସମସ୍ତେ ତ ଜାଣିଛ , ତେବେବି କାହିଁକି ମୋତେ ଡକାଉଛ କହିଲ ? ମୋର କେତେ କାମ l ଏଠି ବାଙ୍ଗାଲୋରରେ ରୋଷଇଆ, ଚାକରାଣୀଙ୍କ ଅଭାବ ନାହିଁ l ମୋର ସ୍କୁଲ କାମ ସୁରୁଖୁରୁରେ ହୋଇଯାଉଛି l ଶୁଣ, ତୁମ ଜ୍ୱାଇଁଙ୍କୁ ମୋ ଶାଶୁ କୌଣସି ଘରକାମ ଶିଖାଇ ନାହାନ୍ତି l ବହୁତ ଗେଲ୍ହାରେ ବଢ଼ିଛନ୍ତି ସେ l ଆଖିରୁ ଦଣ୍ଡେ ଓହରିବାକୁ ଦିଅନ୍ତିନି l ସବୁକଥାରେ ଖାଲି ନନ୍ଦିନୀ, ନନ୍ଦିନୀ.... ଓଃ l 


ତୁମେତ ଜାଣିଛ ବାପା,ପାଞ୍ଚ ବର୍ଷ ପୂର୍ବେ ମୋ ଶାଶୁ ସୁଲୋଚନାଙ୍କ ହୃଦଘାତ ପରେ ମୃତ୍ୟୁକୁ ସହଜରେ ନ ନେଇ ପାରିବା ଫଳରେ ଶ୍ୱଶୁର ଆଂଶିକ ମସ୍ତିଷ୍କ ରୋଗରେ ଆକ୍ରାନ୍ତ l ତାଙ୍କୁଲାଗେ ଶାଶୁ ଏବେବି ଜୀବିତ ଆଉ ସେ ଦୈନନ୍ଦିନ ଜୀବନରେ ତାଙ୍କ ସହ ଅଛନ୍ତି l 


 କେମିତି ବା ଜାଣନ୍ତେ?? କ୍ରିୟାକର୍ମ ବେଳକୁ ସେ ଦୁଇ ମାସ କୋମାରେ ଥିଲେ l ତାଙ୍କ ମନ ବୁଝିବାକୁ ମୋତେ ଶାଶୁଙ୍କ ସହ ବାର୍ତ୍ତାଳାପ କରିବା ବାହାନା କରିବାକୁ ପଡେ, ଅନେକ ଅଭିନୟ କରିବାକୁ ପଡେ l ସେ ମୋଟେ ଜାଣି ପାରିବେନି ଯେମିତି ସେଥିପାଇଁ ସକାଳେ ଶ୍ୱଶୁରଙ୍କ ଢାଳରେ ଔଷଧ ଦେଇ ପିଆଇଦେଇ ସ୍କୁଲ ଯାଏ l  


ଚାକର ବାକର ମାନେ ପଚାଶ ଘରକୁ ଯାଉଛନ୍ତି l କଥା ପ୍ରଘଟ କଲେ ଭଲନୁହେଁ l ସେଥିପାଇଁ ନିଜେ ମେଡ଼ିସିନ ଦିଏ l ମୁଁ ଚାଲିଗଲେ କିଏ ଏସବୁ ବୁଝିବ କହିଲ? ମୋ ଶ୍ୱଶୁର ଶାଶୁଙ୍କୁ ଖୁବ ଭଲପାଆନ୍ତି l ସେଥିପାଇଁ ମୁଁ ମୋ ଶାଶୁଙ୍କୁବି ବହୁତ ଭଲ ପାଏ l ଭଲ ପାଉଥିବା ମଣିଷ ସହ ଯୋଡ଼ା ସମସ୍ତେ ଆଉ ସବୁକିଛି ଭଲଲାଗେନା ବାପା? ମୋ ପାଇଁ ମୋ ଶ୍ୱଶୁର, ଶାଶୁ ନିଜ ବାପାମା ଙ୍କ ଆସନରେ ବସିଛନ୍ତି l ଶ୍ୱଶୁରଙ୍କ ସୁଖଦୁଃଖ ମୋର ଅନ୍ତରଙ୍ଗ l ବାପା ଆଉ ଶ୍ୱଶୁର ଏକାପରି ମାନୁଛି, ହେଲେ ସମାନ ନୁହେଁ l ବିବାହଟା ଗୋଟେ ପ୍ରତିବଦ୍ଧତା l ଶ୍ୱଶୁରଘର ଚଳାଇବା ବି ସେମିତି ବାପଘର ପରି ସରଳ ମନସାଙ୍କ ନୁହେଁ l ତପସ୍ୟାରେ କୌଣସି ଭୂଲଭଟକା ହେଲେ ପୂଜା ସମ୍ପୂର୍ଣ ହୁଏନି ବାପା l ମୋର ଏବେ ଏଇ ଘରହି ସବୁକିଛି l ମୋ ଭଲ ବାପା ପରା, ଅନ୍ତରର ସମ୍ପର୍କ ସବୁବେଳେ ଅଭିନ୍ନ l ଦୂରେଇ ରହିଲେବି ମୁଁ ତୁମର l ସବୁବେଳେ ମୋ ହୃଦୟରେ ସ୍ନେହ, ସମ୍ମାନ ତୁମପାଇଁ ପ୍ରଚୁର ରହିଛି l ମୁଁ ଭିଡିଓ କଲରେ ନିତି ତୁମସହ ଲଞ୍ଚବ୍ରେକରେ ଦେଖା କରିବି l ଓକେ?ମୋ ସୁନାବାପା l ବାଏ l "


ମୁଁ ଚୁପଚାପ ସବୁ ଶୁଣୁଥିଲି l ପ୍ରତିକ୍ରିୟା କରିବା ପାଇଁ ମୋ ଦେହରେ ବଳ ନଥିଲା l ଗଭୀର ଆଘାତରେ ମଣିଷ ପ୍ରତିକ୍ରିୟାଶୀଳ ହୋଇ ପାରେନା 

ନିରବରେ ଝଡ଼ଟିକୁ ସହିବାକୁ ହୁଏ l ନିଦଟିଏ ହୋଇଯାଆନ୍ତା ଭାବୁ ଭାବୁ ପାହାନ୍ତା ହୋଇଗଲା l 


ସକାଳୁ ମୋ ବହୁ ଚରଣ ସ୍ପର୍ଶ କରି କହିଲା, ମୁଁ ଏବେ ଯାଇ ପାରୁନି ବାପା l ପରେ ସମସ୍ତେ ମିଶି ଯିବାକୁ ବାପଘର ଅନୁରୋଧ କରିଛନ୍ତି l ପିତ୍ତଳ ଢାଳଟି ତା ହାତରୁ ନେଇ ତଳେ ରଖିଲି ଆଉ ଆସିଲାବେଳେ ଚନ୍ଦନହାର ଆଣି ଆସିବାକୁ ପଇସା ଧରେଇଦେଲି l ସୁଲୋଚନାଙ୍କ ଫୋଟୋଟା କାନ୍ଥରେ ଲାଗିବ l ଖାଲି ରହିବା ଅନୁଚିତ l 

ନିଜ ପଣତରେ ମୋ ଲୁହ ପୋଛି କହିଲା, "ବାପା!! ଆପଣ କଣ ସବୁ ଶୁଣୁଥିଲେ?"

ଆମ ଦୁହିଁଙ୍କ ଆଖିରୁ ଧାର ଧାର ଲୁହ ନିଗିଡି ଯାଉଥିଲା l ଅଜଣା କିଛି ବାସ୍ତବତା ଉପରୁ ପର୍ଦା ଉଠି ସାରିଥିଲା l ସତ୍ୟ ହିଁ ଶିବ l କହିଲି, 


"ମା ମୋର, ଦୁଇ କୂଳକୁ ଚାହିଁ କାମ କରିପାରିବାର କ୍ଷମତା କେବଳ ନାରୀର l ନାରୀ ବିନା ଘର ଘର ନୁହେଁ l ଶ୍ରଦ୍ଧା, ବିନୟ, ଦୟା, କ୍ଷମା, ସ୍ନେହ, ବଳିଦାନ ସବୁଥିରେ ସେ ଭୂଷିତ l ସେଥିପାଇଁ ସେ ଦୁହିତା l ତୁମେ ଆମପାଇଁ ବହୁମୂଲ୍ୟ l"


Rate this content
Log in

Similar oriya story from Abstract