shibaram dalai

Tragedy

3.5  

shibaram dalai

Tragedy

ଅଦିନ ଝଡ଼

ଅଦିନ ଝଡ଼

4 mins
368



   ସମୁଦ୍ର କୂଳରେ ନାଚି ଗାଇ ବଡ଼ ହେଇଥିବା ନଟିଆ କେଉଟ ଦିନେ ସମୁଦ୍ର ଭିତରକୁ ମାଛ ଧରି ଯାଇଛି ଯେ ସମୁଦ୍ର ଗର୍ଭରେ ହଜି ଯାଇଛି ।ଛୋଟ ବେଳୁ ସମୁଦ୍ର ତାର ସାଥି ।ମାଛ ଧରି ପେଟ ପୋଷିବା ତାହାର ନୀତି ଦିନିଆ ଜୀବନି । ସେହି ଅଦିନ ଝଡ଼ ତା ସୁଖୀ ପରିବାର ରେ ଦୁଃଖ ର ପାହାଡ ହେଇ ଠିଆ ହେଲା ।ପୁଅ ଝିଅ ସ୍ତ୍ରୀ ର ଆଖି ଲୁହ ରେ ସମୁଦ୍ର ପାଣି ଦ୍ବିଗୁଣିତ ଲୁଣିଆ ହେଲେ ବି ଫେରି ନଥିଲା ନଟିଆ କେଉଟ ।ନଟିଆ ତ ନଟିଆ ଯେତେ ଖୋଜିଲେ ବି ମିଳିନଥିଲା ନଟିଆ ର ମାଛ ଧରା ଡଙ୍ଗା । ନଟିଆ ପରିବାର ର "ଜୀବନ ଆଉ ଜୀବିକା " ଉଭୟ ସମୁଦ୍ର ରେ ଲିନ୍ନ ।


     ସ୍ତ୍ରୀ କବିତା ଆଖି ର ଲୁହ ଝରିବା ବି ବନ୍ଦ କରି ସାରିଲାଣି ।କବିତା ବାର ଘରେ ତେର ପାହିଟି କରି ପୁଅ ଝିଅକୁ ମଣିଷ କରିବା ବ୍ୟସ୍ତ ରେ ଭୁଲି ସାରିଛି ନଟିଆ ନିଖୋଜ ର ଦୁଃଖ । କବିତା ର ଝିଅ ବିବାହ ପାଇଁ ପ୍ରାପ୍ତ ବୟସ୍କ ହେଇସାରିଛି ।ଭଗବାନ ସିନା କବିତା ର ଝିଅ ଶାନ୍ତିକୁ ଗରିବ ଘରେ ଜନ୍ମ ଦେଇଛନ୍ତି ହେଲେ ନିଖୁଣ ବୁଦ୍ଧି ଓ ସୁନ୍ଦରତା ତା ଦେହରେ ଖୁନ୍ଦି ଦେଇଛନ୍ତି ।ଭଗବାନଙ୍କ ସୃଷ୍ଟି ଏପରି ଯେ ଯଦି କେହି ଦୁଇ ଦିନ ଉପାସ ଥାଇ ତା ମୁହଁ ଚାହିଁ ଦିଏ ତେବେ ତା ପେଟ ପୁରିଯାଏ । ସେଥିପାଇଁ ତ ଆମ ଗାଁ ସରପଞ୍ଚ ପଞ୍ଚାବନ ବର୍ଷୀୟ ହେଲେ ବି ତିନି ତିନି ଥର ପ୍ରସ୍ତାବ ପଠେଇ ସାରିଲାଣି ଶାନ୍ତିକୁ ବିବାହ କରିବାକୁ । ଅମାପ ସମ୍ପତ୍ତି ଆଉ ମୃତ ସ୍ତ୍ରୀ ର ଗୋଟିଏ ବୋଲି ଭେଣ୍ଡିଆ ପୁଅ ଥିଲେ ବି ସରପଞ୍ଚ "ଶାନ୍ତିର ସୌନ୍ଦର୍ଯ୍ୟ ରେ ବିଭୋର ହୋଇ ଭୁଲିଯାଏ ବୟସ ର ତାରତମ୍ୟ । କୋଉ ମାଆ ଚାହିଁବ ତା ଝିଅକୁ ଗୋଟେ ବୁଢ଼ା ବର ହାତରେ ଟେକି ଦେବାକୁ ତେଣୁ କବିତା ସଫା ସଫା ମନା କଲା ।


     କବିତା ର ପୁଅ ପାଠଶାଠ ଖେଳକୁଦ ରେ ଏକ ନମ୍ବର ।କିଛି ମାସ ହେବ ବାହାର କମ୍ପାନୀ ତାକୁ ମୋଟା ଅଙ୍କର ଦରମା ଦେଇ ଡକେଇଛି ।କିନ୍ତୁ କିଛି ପ୍ରମାଣ ପତ୍ର ର ଅଭାବ ଯୋଗୁଁ ଗାଁ ମୁଖିଆ ଙ୍କ ଦସ୍ତଖତ ଖୋଜୁଛି ।କବିତା କାଗଜଟିକୁ ଧରି ଧାଇଁ ଗଲା ସରପଞ୍ଚ ଙ୍କ ପାଖକୁ ।ସରପଞ୍ଚ ସଫା ସଫା ମନା କଲା ।କହିଲା ନିର୍ବାଚନ ସମୟରେ ତୋ ଭୋଟ ଖଣ୍ଡେ ପାଇଁ ମୁଁ ଦେଇଥିବା ଦୁଇ ସହ ଟଙ୍କାରେ ଦୁଇଟା ଶୂନ ବସେଇ ଆଣିଲେ ମୁଁ ଯାଇ ଦସ୍ତଖତ ଦେବି ।ଏ ଦୁଃଖିନୀ କବିତା ପାଖରେ ଏତେ ଟଙ୍କା ବା କେଉଁଠୁ ଆସିବ ? ଶେଷରେ ଭାଗ୍ୟକୁ ନିନ୍ଦି ଦୁଃଖ କୁ କାନିରେ ବାନ୍ଧି ନିରାଶ ହେଇ ଫେରି ଆସିଲା ଘରକୁ ।


    ଶାନ୍ତି ପଚାରିଲା ମାଆ ମୋ ଭାଇ ପାଇଁ ସରପଞ୍ଚ ଠୁ ଦସ୍ତଖତ କରିଲୁ ନା ? ଦେଖିବୁ ମୋ ଭାଇ ଚାକିରୀ କଲେ ଆମ ଦୁଃଖ ଆଉ ରହିବନି ।ଆଜି ଠୁ ଆମର ସୁଖ ଦିନ ଆସିଗଲା । 

     

   କବିତା ଆଖି ଛଳ ଛଳ କରି କହିଲା ନା "ଦୁଃଖ ଆମ ଭାଗ୍ୟରେ ଲେଖା" । ଭଗବାନ ଦୁଃଖୀ କୁ ହିଁ ଦୁଃଖ ଦେଇଥାନ୍ତି।ସରପଞ୍ଚ ତ ଲୋଭିଟାଏ ।ସେ ଦସ୍ତଖତ ଦବାକୁ ମନା କରିଦେଲା ।ଏତିକି କହିଲା ବେଳକୁ କବିତା ଆଖିରେ କେଇବୁନ୍ଦା ଲୁହ ନିଗିଡ଼ି ପଡ଼ିଲା ।


  ଶାନ୍ତି ମାଆ ହାତ ରୁ କାଗଜ ଖଣ୍ଡିକ ଧରି ସିଧା ଧାଇଁ ଗଲା ସରପଞ୍ଚ ପାଖକୁ ।ସରପଞ୍ଚ ଘରେ ପହଞ୍ଚିଲା ବେଳକୁ ସଞ୍ଜ ନଇଁ ଆସୁଥାଏ । ସରପଞ୍ଚ ସୋଫା ଉପରେ ବସି ଦୂରଦର୍ଶନ ଦେଖିବା ସହିତ ସୁରାପାନ ର ମଜା ନେଉଥାଏ । ହଠାତ ଶାନ୍ତିକୁ ଦେଖି ତା ହାତରୁ ପିଆଲା ଟା ଖସି ପଡି ଚୂନା ହେଇଗଲା । ସରପଞ୍ଚ ଭାବିଲା ମୁଁ ସତରେ ନାଁ ନିଶାରେ ଏ ସବୁ ଦେଖୁଛି ? ସିଧା ବୋତଲ ଉଠେଇ ଢକ ଢକ କରି ଆଉ କିଛି ପିଇଗଲା । ଶାନ୍ତି ସରପଞ୍ଚ ଙ୍କୁ ମୁଣ୍ଡିଆ ଟେ ମାରି ଭଙ୍ଗା ପିଆଲା ର କାଚ ସବୁ ଗୋଟାଇବାରେ ଲାଗିଲା ।ସରପଞ୍ଚ ଶାନ୍ତିର ଦୁଇ ଖୁଆକୁ ଧରି ଠିଆ କରାଇ ପଚାରିଲା ,ଆରେ ଶାନ୍ତି ଏ ସମୟରେ ତୁ କାହିଁକି ଆସିଛୁ ।କଣ ମୋ ପାଖରେ କିଛି କାମ ଥିଲା ।ତୁ କହିଥିଲେ ମୁଁ ତୋ ଘର ଆଡ଼େ ଚାଲି ଯାଇଥାନ୍ତି !  

   

   ଶାନ୍ତି କହିଲା ନାହିଁ ଯେ ମାଆ ଆସିଥିଲେ ଆପଣଙ୍କ ପାଖକୁ ।ଆଉ ଆପଣ ଦସ୍ତଖତ ନ କରି ଖାଲି ହାତରେ ଫେରେଇ ଦେଲେ ।ତେଣୁ ମୁଁ ଚାଲିଆସିଲି ।ମୋ ଭାଇ ର ଭାଗ୍ୟ ଆପଣଙ୍କ ହାତରେ ।ଆପଣ ଚାହିଁଲେ ଆମ ପରିବାର ର ଭାଗ୍ୟ ବଦଳି ଯିବ ।ମୁଁ ଆପଣଙ୍କ ଗୋଡ଼ ଧରୁଛି ଆପଣ ମୋ ଭାଇ ର ଭାଗ୍ୟ କୁ ଦୁଃଖ ଭିତରକୁ ଠେଲି ଦିଅନ୍ତୁ ନାହିଁ ।

ଶାନ୍ତିର ଦୁଇ ଖୁଆକୁ ଧରି ଠିଆ କରାଇ ସରପଞ୍ଚ କହିଲେ ଛି ଶାନ୍ତି ମୋର ଗୋଡ଼ ଧରିବା ଦରକାର ନାହିଁ "ତୁମ ଭାଇର ଭାଗ୍ୟ ତ ତୁମ ହାତରେ "


 ମୋ ହାତରେ ହେଲେ କେମିତି ?

 

ହଁ ତୋ ହାତରେ   , ଯଦି .....


ଯଦି.......... ଯଦି ପୁଣି କଣ ?


ଯଦି ତୁ ମୋର ଗୋଟାଏ ଛୋଟ ସର୍ତ୍ତ ରେ ରାଜି ହେବୁ ତେବେ......


ସର୍ତ୍ତ .....ସର୍ତ୍ତ ପୁଣି କଣ ? ପଚାରିଲା ଶାନ୍ତି ।


  ସରପଞ୍ଚ ଶାନ୍ତି ହାତରୁ କାଗଜଟିକୁ ନେଇ ତା ମୁଣ୍ଡକୁ ଆଉଁସି ଦେଇ ନିଜ ଛାତି କୁ ଆଉଜାଇ ଦେଇ ଧୀର ସ୍ୱରରେ କହିଲା ଆଲୋ ତୋର ତ ବୁଝିବା ବୟସ ହେଇସାରିଛି ,ଆଉ ତୋତେ କଣ ବୁଝାଇବାକୁ ପଡିବ ।


    ଶାନ୍ତି ନିଜକୁ ତା କବଳରୁ ବଞ୍ଚାଇବା କୁ ଚେଷ୍ଟା କରୁକରୁ ତା ଆଖି ଆଗରେ ଭାଇ ର ଭବିଷ୍ୟତ, ଘରର ଗରିବତ୍ୱ ଓ ମାଆ ର ଦୁଃଖ ସବୁ ଢେଉପରି ତା ମନରେ ପିଟି ହେଉଥିଲା ।


  ସେପଟେ ଦୀର୍ଘଦିନ ନାରୀ ର ସାନିଧ୍ୟ ପାଇ ନ ଥିବା ସରପଞ୍ଚ ଶାନ୍ତିକୁ ନିଜ ଦୁଇ ବାହୁରେ ଜାଵ ପକାଇ ସାରିଥିଲା ।ସତ ଚେଷ୍ଟା କଲେ ବି କଞ୍ଚା ମାଂସ ଖିଆ ପିଚାଷ କବଳରୁ ଶାନ୍ତି ମୁକୁଳି ପାରିଲାନି ।

କେଇ ମିନିଟ ରେ ସରପଞ୍ଚ ମନର ଗଭୀର ସାଗର ଟା ଶାନ୍ତ ପଡ଼ିଗଲା ।ହେଲେ ଶାନ୍ତିର ହୃଦୟ ସମୁଦ୍ରରେ ସେହି ଅଦିନ ଝଡ଼ ଅଶାନ୍ତ ର ରୂପ ନେବାରେ ଲାଗିଲା ।

   

  ସରପଞ୍ଚ ଦସ୍ତଖତ କରି କାଗଜଟିକୁ ଶାନ୍ତି ମୁଁହକୁ ଫିଙ୍ଗିଦେଲା ।ମନରେ ଭୟ ,ଲଜ୍ୟା କୁ ଜାବୁଡି ଧରି ଭାଇର ଭାଗ୍ୟ ପାଇଁ ସେ ଘରକୁ ଫେରିଲା ।

   

   ଭାଇ ଚାକିରୀ କରିବା ର ଦେଢ଼ ମାସ ବିତିଗଲାଣି ।କବିତା ଆଖିରେ ଥିବା ଦୁଃଖ ର ଜୁଆର ଭଟ୍ଟାର ରୂପ ନେଲାଣି ।ହେଲେ ଶାନ୍ତି ପେଟରେ ସେ ଅଦିନ ଝଡ଼ ଟା ପ୍ରଳୟଙ୍କରୀ ବାତ୍ୟା ର ରୂପ ନେଇ ସାରିଛି ।

  

    କାଲି ମାଆ ଆଗରେ ସବୁ କହି ପକାଇଲା ଶାନ୍ତି ।ସତେ ଯେମିତି ବଜ୍ରଟେ ପଡିଗଲା କବିତା ମୁଣ୍ଡରେ ।ଭାବିଲା ପରିବାରର ସୁଖ ପାଇଁ ,ଭାଇର ଭବିଷ୍ୟତ ପାଇଁ ଭଉଣୀ ର ଏପରି ତ୍ୟାଗ କଣ କରିବ ସ୍ଥିର କରିପାରୁନଥିଲା କବିତା ।ସେ ଗାଁର ନିନ୍ଦା, ଅପବାଦ ,ଘୃଣା କଥା ଭାବୁ ଭାବୁ ସକାଳ ଘଡ଼ିଏ ଥାଇ ଆଖିକୁ ନିଦ ଟିକିଏ ଆସିଗଲା । ସେହି କିଛି ସମୟ ବ୍ୟବଧାନ ମଧ୍ୟରେ ଶାନ୍ତି ଗାଁ ମୁଣ୍ଡ ବରଗଛ ଡାଳରେ ଶାନ୍ତିରେ ନିଜକୁ ସର୍ବସାନ୍ତ କରିଦେଲା ।


Rate this content
Log in

Similar oriya story from Tragedy