Gobinda Chandra Sethi

Inspirational

4.5  

Gobinda Chandra Sethi

Inspirational

ଅଦୃଶ୍ୟ ମଠ କାହାଣୀ

ଅଦୃଶ୍ୟ ମଠ କାହାଣୀ

6 mins
14



    ଆମ ଜଗନ୍ନାଥ ସଂସ୍କୃତିରେ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ । ସେଥି ମଧ୍ୟରୁ କେତେ ଲିପିବଦ୍ଧ ହୋଇଥାଏ ଓ ଅନେକ କାହାଣୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି । ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ଏକ ସଂଗୃହିତ ତଥ୍ୟକୁ ଏଠାରେ ମୁଁ ପରିପ୍ରକାଶ କରୁଛି।


 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ରାଜା ମହାରାଜମାନେ ଅନେକ ଜମି ଦାନ କରି ତାଙ୍କରି ନାମରେ ନାମିତ କରି ଦେଇଅଛି। ଅନେକ ଜମି ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ରାଜ୍ୟରେ ଅଛି। ଥରେ କୌଣସି ଏକ ମଠର ଗୁମାସ୍ତା ଧାନ ଆଦାୟ କରିବା ପାଇଁ ଖଣ୍ଡପଡା ଯାଇଥିଲେ ସେ ଗାଆଁରେ ଗୋଟିଏ ଅନାଥ ପିଲା ରହୁ ଥିଲା। ପିଲାଟି ସ୍ୱଭାବରେ ଅନେକ ସରଳ,ନିଷ୍କପଟ ଓ କର୍ମଠ ଥିଲା । ଖଣ୍ଡପଡା ଗାଆଁର ମୁଖିଆ ପିଲାଟାକୁ ନେଇ ମଠରେ ରଖିବାକୁ ଗୁମାସ୍ତାଙ୍କୁ ବହୁତ ଅନୁରୋଧ କଲେ । ଅନୁରୋଧ ରକ୍ଷା କରି, ଗୁମସ୍ତା ସେ ପିଲାଟିକୁ ତାଙ୍କ ସହିତ ନେଇ ମହନ୍ତଙ୍କ ପାଖରେ ହାଜର କରି ଅନାଥ ପିଲାଟି ବିଷୟରେ ସବୁ କଥା କହିଲେ ।


  ମଠ ମହନ୍ତ ପିଲାଟିକୁ ଲକ୍ଷ୍ୟ କଲେ ଅନେକ ଶାନ୍ତ ସ୍ଵଭାଵର । ପିଲାଟିକୁ ପଚାରିଲେ, ଆରେ ବାବୁ , ତୁ କଣ କାମ କିଛି ଏ ମଠରେ କରି ପାରିବୁ ? ପିଲାଟି ସଙ୍ଗେ ସଙ୍ଗେ ବିନମ୍ର ସହିତ କହିଲା, ଆଜ୍ଞା ହଜୁର ଯେଉଁ କାମ ଦେବେ ମୁଁ କରି ପାରିବି ଆଜ୍ଞା । ମତେ କୌଣସି କାମ ଭିଡ ଲାଗେ ନାହିଁ କି ମୁଁ ଡରେ ନାହିଁ । ମହନ୍ତ ପଚାରିଲେ ତୋ କାମର ପାଉଣା କଣ ଓ କେତେ ନେବୁ । ପିଲାଟି ସଙ୍ଗେ ସଙ୍ଗେ ଉତ୍ତର ଦେଲା କିଛି ନେବି ନାହିଁ। ମୁଁ ବାପ ମା ଝେଉଣ୍ଡ ଏକ ଅନାଥ ବାଳକ କେବଳ ଦୁଇ ଓଳି ପାଞ୍ଚ'ପା ଚାଉଳର ଭାତ ଏ ମଠରେ ଖାଇବି । ତା'ଛଡା ମୋର କିଛି ଦରକାର ନାହିଁ। କେବଳ ସକାଳେ ପାଞ୍ଚ ପା ଓ ରାତିରେ ପାଞ୍ଚ ପା ମୋ ପାଇଁ ଯଥେଷ୍ଟ । ମହନ୍ତ ଟିକିଏ ଚିନ୍ତାରେ ପଡିଲେ , ଏତେ ଛୋଟ ପିଲାଟା, ପାଞ୍ଚ ପା ଚାଉଳର ଭାତ, ବକତକେ କିପରି ଖାଇବ । ମହନ୍ତ ଶୁଣି ଆଶ୍ଚର୍ଯ୍ୟ ହେଲେ ବି ପିଲାର ସରଳ ସ୍ଵଭାଵ ଦେଖି ତାକୁ ମଠରେ ରଖିବାକୁ ନିଷ୍ପତି ନେଲେ ।

    ପିଲାଟା ମଠରେ ରହି, ସବୁ ବୋଲ ହାକ କରୁଥାଏ।

ମଠର ଅନ୍ତେବାସୀମାନେ ପିଲାଟି ଥରକେ ପାଞ୍ଚ ପା ଖାଏ ବୋଲି ତାକୁ ସ୍ନେହରେ,"ପାଞ୍ଚ ପା" ବୋଲି ସମ୍ବୋଧନ କରିବାକୁ ଲାଗିଲେ । ପିଲାଟିର ସେଥିରେ କିଛି ଚିନ୍ତା ନ ଥାଏ । ଯେଉଁ ଦିନ ଏକାଦଶୀ ତିଥି ଆସେ ସେ ଦିନ ମଠରେ ଅନ୍ନ ଭୋଜନ ନିଷେଧ। ତେଣୁ ମହନ୍ତ ମହାରାଜ ପିଲାକୁ ଡାକି ପଚାରିଲେ ଆରେ ପାଞ୍ଚ ପା, ଆଜି ମଠରେ ରୋଷେଇ ହବ ନାହିଁ। ଆଜି ଅନ୍ନ ବ୍ୟଞ୍ଜନ ନ କରି ଫଳମୂଳ ଖାଇ ଚଳେଇ ଦେବୁ କି। ପିଲାଟି ସଙ୍ଗେ ସଙ୍ଗେ କହିଲା ଭାତ ନ ଖାଇଲେ ମୋ ପେଟ ପୁରିବ ନାହିଁ ନିଦ ହେବ ନାହିଁ । ତେଣୁ ମଠ ମହନ୍ତ ତାକୁ ମଠରୁ ପାଞ୍ଚ ପା ଚାଉଳ ନେଇ, ପାର୍ଶ୍ୱରେ ଥିବା ଆମ୍ବ ତୋଟା ରେ ରାନ୍ଧି କରି ଖାଆକୁ ନିର୍ଦ୍ଧେଶ ଦେଲେ । ତାପରେ ପିଲାଟିକୁ କହିଲେ ଆମେ ଯାହା ସବୁ ଖାଉଛେ, ସେ ସବୁର ମାଲିକ ହେଲେ ଜଗନ୍ନାଥ ଖାଇବା ପୂର୍ବରୁ, ତାଙ୍କୁ ସମର୍ପଣ କରି ଖାଇବୁ । ହଁ ଆଜ୍ଞା କହି, ସେ ଆମ୍ବ ତୋଟାକୁ ପାଞ୍ଚ ପା ଚାଉଳ ସହିତ ହାଣ୍ଡି କୁଣ୍ଡାଇ ନେଇ ଚାଲିଗଲା । ଜଗନ୍ନାଥଙ୍କୁ ନିଜ ରନ୍ଧା ଖାଇବା ପୂର୍ବରୁ ସମର୍ପଣ କରିବାକୁ ପଡିବ। ତେଣୁ ପାଞ୍ଚ ପା, ଅତି ଯତ୍ନର ସହିତ ତୋଟା ରେ ରୋଷେଇ କଲା। ରୋଷେଇ ସାରିବା ପରେ ସେ ବଡ ପାଟିରେ ଡାକିଲା ଆହେ, ଜଗନ୍ନାଥ ବୋଲି କିଏ କେଉଁଠି ଅଛ, ଶୁଭୁଛି ଟିକେ ଜଲଦି ଆସ ।ତୁମକୁ ଭାତ ସମର୍ପଣ କଲେ ଖାଇବି ବୋଲି ଆମ ମଠ ମହନ୍ତ କହିଛନ୍ତି । ଟିକେ ଜଲଦି ଆସ।, ଭୋକରେ ପେଟ ଆଉଟି ପାଉଟି ହୋଇ ଜଳିଲାଣି। ପିଲାଟିର ସରଳ ନିଷ୍କପଟ ସ୍ୱଭାବରେ ମୁଗ୍ଧ ହୋଇ ମହାପ୍ରଭୁ ତତକ୍ଷଣାତ ସେଠାରେ ଆବିର୍ଭାବ ହୋଇଗଲେ। ପ୍ରଭୁ ବାଙ୍କ ଚାହାଣୀ ମନେ ମନେ ହସି କହିଲେ, ଆରେ ପାଞ୍ଚ ପା, ମୋତେ ବି ଭୋକ ହେଲାଣି ଜଲଦି , ଦୁଇଟା ପତ୍ରରେ ବାଢ, ଦୁହେଁ ଖାଇବା । ପିଲାଟି ସଙ୍ଗେ ସଙ୍ଗେ କହିଲା,କଣ ହେଲା ? ତମେ ଖାଇବ ନା କଣ ? ମହନ୍ତ ତ ସେ କଥା କହି ନ ଥିଲେ କି ତମ ପାଇଁ ଚାଉଳ ଦେଇ ନାହାନ୍ତି । ସେ କହିଥିଲେ କେବଳ ତୁମେ ସମର୍ପଣ କରି ତୁ ଖାଇବୁ । ତମେ ଖାଇବା କଥା ଜାଣିଥିଲେ, ଅଧିକା ଚାଉଳ ଆଣି ନ ଥାନ୍ତି ? ହଉ ତମେ ଆଜି ଟିକେ ଅଳପ ଖାଅ, ଆର ଏକାଦଶୀକୁ ତମ ପାଇଁ, ଆଉ ପାଞ୍ଚ ପା ଅଧିକ ଚାଉଳ ଆଣିବି । ସେ ଦିନ ପେଟ ପୁରା ଖାଇବ । କିଛି ସମୟ ପରେ ମହାପ୍ରଭୁ ହସ ହସ ମୁହଁରେ ତା ରନ୍ଧା ଭାତ ଖାଇ ଚାଲି ଗଲେ ।

   ପନ୍ଦର ଦିନପରେ, ପୁଣି ଏକାଦଶୀ ପଡିଲା ସେ ଦିନ ସକାଳେ, ପାଞ୍ଚ ପା, ମହନ୍ତଙ୍କୁ କହିଲା,ମହାରାଜ, ଗତ ଥର ଆପଣ କହିଥିଲେ ଯେ ଜଗନ୍ନାଥଙ୍କୁ ସମର୍ପଣ କରି ଖାଇବୁ। ହେଲେ ସତକୁ ସତ ସେ ଆସିଲା। ଆଉ ଖାଇଲା ମୋ ପେଟ ପୁରିଲା ନାହିଁ। ଏ ଥର ତା ପାଇଁ ପାଞ୍ଚ ପା ଚାଉଳ ଦିଅ । ନୋହିଲେ ଜାଗନ୍ନାଥକୁ ସମର୍ପଣ କରିବି ନାହିଁ । ମହନ୍ତ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେ ବିଷୟରେ ବେଶୀ ମୁଣ୍ଡ ନ ଖେଳେଇ ତା କହିବା ଅନୁସାରେ ଚାଉଳ ଦେଇ ଚାଲିଗଲେ । 

ଦଶ ପା ଚାଉଳ ନେଇ ତୋଟାରେ ରାନ୍ଧିସାରି ଡାକିଲା। ହଇ ହୋ ଜଗନ୍ନାଥ, କେଉଁଠି ଅଛ ଆସ, ଆଜି ତମପାଇଁ ବି ପାଞ୍ଚ ପା ଚାଉଳ ପକେଇଛି। ଜଲଦି ଆସ ମିଶି ଭୋଜନ କରିବା। ଡାକ ଶୁଣି ସେ ଦିନ ମହାପ୍ରଭୁ ଯେତେବେଳେ ଆସିବାକୁ ବାହାରିଲେ , ମାଆ ଲକ୍ଷ୍ମୀ କୁଆଡେ ଯାଉଛ ବୋଲି ପଚାରିଲେ । ମହାପ୍ରଭୁ ତାଙ୍କର ଅଦ୍ଭୁତ ଭକ୍ତ ପାଞ୍ଚ ପା କଥା କହିବାରୁ ମାଆ ଲକ୍ଷ୍ମୀ, ନିଜେ ଆସି ସେ ପରି ଜଣେ ଭକ୍ତକୁ ଦେଖିବା ପାଇଁ ଚାହିଁଲେ । ତେଣୁ ଦୁହେଁ ସାଙ୍ଗ ହୋଇ ଆମ୍ବ ତୋଟାରେ ପହଞ୍ଚି ଗଲେ। ମା ଲକ୍ଷ୍ମୀଙ୍କୁ ସଙ୍ଗରେ ଦେଖି ପାଞ୍ଚ ପା ରାଗି ପଞ୍ଚମ ଓ ସଙ୍ଗେ ସଙ୍ଗେ କହିଲା, ହେଇ ଦେଖ ଜଗନ୍ନାଥ, ଗଲା ଥର ତମେ ଆସି ଥିଲ ବୋଲି, ତମ ପାଇଁ ଆଉ ପାଞ୍ଚ ପା ଚାଉଳ ମାଗି ଆଣିଥିଲି। ତମେ କଲ କଣ ନା ମାଗଣା ମିଳୁଛି ବୋଲି ଆଜି ଜଣେ ମାଇପି ଲୋକଟାକୁ ସଙ୍ଗରେ ଧରି ଖାଇବାକୁ ଆଣିଛ। ହଉ, ତମେ ଯାହା କରୁଛ, କର। ମୋ ପାଞ୍ଚ ପା ମୁଁ ଖାଇବି । ବାକି ଯାହା ରହିଲା, ତମେ ଦି ଜଣ ବାଣ୍ଟି ଖାଅ ।

  ସେ ତିନି ଖଣ୍ଡ ପତ୍ର ପକେଇ ଯାହା ରାନ୍ଧିଥିଲା , ସେଥିରୁ ଅଧା ନିଜେ ନେଲା ଓ ବାକି ଅଧା ସେମାନଙ୍କ ପତ୍ରରେ ବାଢି ଦେଲା । ଜଗନ୍ନାଥ ଓ ଲକ୍ଷ୍ମୀ ମହା ଆନନ୍ଦରେ ପାଞ୍ଚ ପା ରନ୍ଧଣା ଖାଦ୍ୟ ଖାଇ ଚାଲିଗଲେ । ତୃତୀୟ ଏକାଦଶୀ ଦିନ 

ପାଞ୍ଚ ପା ମହନ୍ତ ଙ୍କୁ କହିଲା, ମହାରାଜ, ସେଇ ଯୋଉ ଜଗନ୍ନାଥ ନୁହଁ, ଗଲାଥର ତା ଭାରିଯା ହବ କି କଣ, ଗୋଟେ ମାଇପିକୁ ନେଇକି ଆସି ଥିଲା । ମୋ ପାଞ୍ଚ ପା ମୁଁ ଖାଇଲି, ବାକି ପାଞ୍ଚ ପା ସେମାନଙ୍କୁ ବାଣ୍ଟି ଦେଲି। ସେଥିରେ ପେଟ ପୁରି ନ ଥିବ। ଆଜି ଆଉ ପାଞ୍ଚ ପା ଚାଉଳ ଅଧିକା ଦିଅନ୍ତୁ ।

ଏ କଥା ଶୁଣି ମହନ୍ତ ଙ୍କ ମନରେ କୌତୁହଳ ଜାତ ହେଲା। ପିଲାଟା ଚାଉଳ ନେଇ ରୋଷେଇ କରୁଛି, ତା ଠୁ ଖାଉଛି କିଏ ? ଏହି ରହସ୍ୟ ଜାଣିବାପାଇଁ, ତାର ମାଗିବା ଅନୁସାରେ ଚାଉଳ ଦେଇ ତା ଅଜାଣତରେ ତା ପଛେ ପଛେ ଗମନ କଲେ। ଗୋଟେ ଆମ୍ବ ଗଛ ଆଢୁଆଳରେ ଲୁଚି ରହି ତାର କାର୍ଯ୍ୟ କଳାପ ଲକ୍ଷ୍ୟ କଲେ । ଯେତେ ବେଳେ ପିଲାଟି ରୋଷେଇ ଶେଷ କରି କହିଲା ହଇ ହୋ ଜାଗନ୍ନାଥ କୁଆଡେ ଗଲା ତୁମ ଭାରୀଯା ସହିତ ଆସ । ସେ ଦିନ ପିଲାଟିର ଡାକ ଶୁଣି ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ତୋଟାକୁ ଆସୁଥିବା ବେଳେ,ବଡ ଠାକୁର ବଲଭଦ୍ର କୁଆଡେ ଯାଉଛ ବୋଲି ପଚାରିବାରୁ ମହାପ୍ରଭୁ ହସିହସି ପାଞ୍ଚ ପା କଥା କହିଲେ। ବଡ ଠାକୁର ସବୁ କଥା ଶୁଣି ସେମାନଙ୍କ ସାଙ୍ଗରେ ଆସି ଆମ୍ବ ତୋଟାରେ ପହଞ୍ଚିଲେ। ପାଞ୍ଚ ପା ଆଶ୍ଚର୍ଯ୍ୟ ହୋଇ ପ୍ରଥମେ ସେମାନଙ୍କୁ, ତାଳୁରୁ ତଳିପା ଯାଏ ଚାହିଁଲା ଓ ତା ପରେ କହିଲା,ଭଲ ଲୋକ ହେ । ପ୍ରଥମେ ଏକା ଆସିଲ, ତା ପରେ ଗୋଟେ ମାଇପି ଲୋକକୁ ନେଇକି ଆସିଲ , ଆଜି ଦେଖିଲା ବେଳକୁ ଜଣେ ଭାଇ ଥନ୍ତଲା ପେଟା ବତାସିଆକୁ ଆଣି ମାଡି ଆସିଛ । ତୁମର ମତି ଗତି ମୋତେ ଭଲ ଲାଗୁ ନାହିଁ। ଏତେ ଲୋଭ କାହିଁକି, କାମ ଧାମ କରି ଖାଅ। ମହନ୍ତ ମହାରାଜ ଖାଲି ଜଗନ୍ନାଥ କଥା କହିଥିଲେ । ହେଲେ ମୁଁ ଗଲା ଥର ପରି ଆଜି ସଫା କଥା କହି ଦେଉଛି । ମୋ ଭାଗ ପାଞ୍ଚ ପା ରୁ ଗୋଟେ ଦାନା କମ ହବନି । ବାକିତକ ତମ ତିନି ଜଣକୁ ବାଣ୍ଟି ଦେବି । ଯେତିକି ହେଲା ସେତିକି। ପାଞ୍ଚ ପା ପ୍ରଥମେ ନିଜ ଖାଇବା ବାଢି ନେଇ ବାକି ଭାତକୁ ତିନି ଜଣଙ୍କ ପତ୍ରରେ ବାଢି ଦେଲା । ସେ ଦିନ ତିନି ଠାକୁର ପାଞ୍ଚ ପା ହାତ ରନ୍ଧା ଖାଇ ଆନ୍ତର୍ଧ୍ୟାନ ହୋଇଗଲେ । ଏ ସମସ୍ତ ଦୃଶ୍ୟ ଗଛ ଆଢୁଆଳରେ ଦେଖି ମଠର ମହନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତୁରନ୍ତ ଗଛ ଆଢୁଆଳରୁ ବାହାରି ଆସି ପାଞ୍ଚ ପା ର ଗୋଡ ତଳେ ପଡିଗଲେ। 

 ଏହା ଦେଖି, ପାଞ୍ଚ ପା, କଣ ହେଲା ବୋଲି, ଜିଭ କାମୁଡି ମହନ୍ତଙ୍କ ମୁହଁକୁ ଜଳ ଜଳ ହୋଇ ଚାହିଁ ରହିଲା । କହିଲେ ଆଜ୍ଞା ଆପଣ ଭଗବାନ ମୋ ଗୋଡ ତଳେ ପଡୁଛନ୍ତି।

ପ୍ରକୃତିସ୍ଥ ହୋଇ ମହନ୍ତ କହିଲେ, ନାରେ ପାଞ୍ଚ ପା, ଯୁଗେ ଯୁଗେ ଭକ୍ତର ହିଁ ଭଗବାନ । ତୁମେ ହିଁ ମଠର ମହନ୍ତ ମୁଁ ନୁହେଁ । ଯେଉଁ ମହାପ୍ରଭୁମାନଙ୍କ ଦର୍ଶନ ଦେବତାମାନଙ୍କ ପାଇଁ ଦୁର୍ଲଭ, ଯାହାର ଦର୍ଶନ ପାଇଁ, ମୁନିଋଷିମାନେ ସାରା ଜୀବନ ସାଧନା କରି ମଧ୍ୟ ପାଆନ୍ତି ନାହିଁ, ସେ ଆଜି ତୋର ସରଳ ଭକ୍ତିରେ ସନ୍ତୁଷ୍ଟ ହୋଇ ତୋତେ ପ୍ରତ୍ୟକ୍ଷ ଦର୍ଶନ ଦେଇଛନ୍ତି ଓ ତୋ ହାତରନ୍ଧା ପ୍ରସାଦ ଭୋଜନ କରିଛନ୍ତି । 

ତୁ ଧନ୍ୟ, ଧନ୍ୟ ତୋର ପିତାମାତା । ତୋ ଯୋଗୁ ମୁଁ ମହାପ୍ରଭୁମାନଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କଲି,ମୋ ଜୀବନ କୁତାର୍ଥ ହୋଇଗଲା । ଆଜି ଠାରୁ ତୁମେ ହିଁ ଆମର ଗୁରୁ। ତୁମେ ହିଁ ଆମ ମଠର ମହନ୍ତ ମହାରାଜ। ଆଜି ଠାରୁ ଏ ମଠ ତୁମ ନାମ ପାଞ୍ଚ ପା ନାମରେ ନାମିତ ହେଲା । ଆଜି ଏ ମଠ ଲୁପ୍ତ ପ୍ରାୟ ଲୋକ ଲୋଚନରୁ ଅଦୃଶ୍ୟ । ତାର ଭୌଗଳିକ ଅବସ୍ଥିତି ଅଧୁନା ଯୁଗରେ କାହାରିକୁ ଜଣା ନାହିଁ। କିନ୍ତୁ ଆଜି ସଂସାରେ ଲୋକ ସ୍ମୃତିରେ ଏ ଅଦୃଶ୍ୟ ମଠ କାହାଣୀ ଆଜି ଜାଗନ୍ନାଥ ସଂସ୍କୃତିରେ ଗୁଞ୍ଜରଣ କରେ ।     

      ଜୟ ଜଗନ୍ନାଥ



Rate this content
Log in

Similar oriya story from Inspirational