Rajalaxmi Tripathy

Classics

2  

Rajalaxmi Tripathy

Classics

ଅନୁତାପ ର ଅଶ୍ରୁ

ଅନୁତାପ ର ଅଶ୍ରୁ

3 mins
549


ଶିତୁଆ ସକାଳ। ଶେଯରୁ କେତେବେଳୁ ଉଠିଲେଣି ଅବିନାଶ ବାବୁ। ବାହାରେ କୁହୁଡ଼ି। ପ୍ରାତଃ ଭ୍ରମଣ ପାଇଁ ଏବେ ସେ ଡେରି ରେ ବାହାରୁଛନ୍ତି। ଚାକିରୀ ରୁ ଅବସର ନେବା ପରେ ଆଉ ଏତେ ସମୟ ଜ୍ଞାନ କୁ ଖାତିରି କରୁନାହାନ୍ତି ସେ। ସ୍ତ୍ରୀ ହେମା ଚା'କପ୍ ସହ ଖବରକାଗଜ ରଖି ଫୁଲ ତୋଳିବାକୁ ବଗିଚା କୁ ଗଲେଣି। ଏତେ ବଡ଼ ଘରଟିରେ ସେ ଓ ତାଙ୍କ ସ୍ତ୍ରୀ ହେମା, ଦୁଇଟି ମଣିଷ। ଭଲ ମନ୍ଦ ବୁଝିବାକୁ କେହି ନାହିଁ। ସୁବିଧା, ଅସୁବିଧା ସବୁ ଟେଲିଫୋନ ମାଧ୍ୟମରେ ହୁଏ। ଦିନ ମଧ୍ୟରେ କିଛି ଘଣ୍ଟା ପାଇଁ ଆସନ୍ତି କାମବାଲୀ ଓ ରୋଷେଇ କରିବା ଲୋକ। ସେମାନଙ୍କ ଯିବା ପରେ ଘରକୁ ପ୍ରାୟ କାହାର ଆଗମନ ନଥାଏ। ଚା'ପିଇ ଖବରକାଗଜ ପଢିବାକୁ ଚେଷ୍ଟା କଲେ ଅବିନାଶ ବାବୁ।ନା,ଆଜି କାହିଁକି ସେ କିଛି ପଢି ପାରୁନାହାନ୍ତି, ସକାଳୁ ତାଙ୍କର ପିଲାମାନଙ୍କ କଥା ମନେ ପଡୁଛି। ମନଟା ଘାଣ୍ଟି ଚକଟି ହୋଇଯାଉଛି,ଦୁଇ ପୁଅ ଅଭୟ ଓ ବିନୟ ପାଇଁ। ପୁଅ ଦୁଇ ଯାକ ବିଦେଶରେ ରହନ୍ତି। ଅନେକ ଦିନରୁ ସେମାନଙ୍କୁ ଦେଖିନାହାନ୍ତି ଅବିନାଶ ବାବୁ ଓ ସ୍ତ୍ରୀ ହେମା। ଘରକୁ ଆସି ବାପା,ମା, ଙ୍କୁ ଦେଖିବା ବୋଧହୁଏ ସମ୍ଭବ ହେଉନି ସେମାନଙ୍କ ପାଇଁ। ତାର କାରଣ ହୁଏତ କାର୍ଯ୍ୟ ବ୍ୟସ୍ତତା ବା ଇଚ୍ଛା ର ଅଭାବ ତାହା ଜାଣି ପାରନ୍ତିନି ଅବିନାଶ ବାବୁ। ଆଜିକାଲି ନାତି,ନାତୁଣୀ ଓ ପିଲାମାନଙ୍କୁ ଭିଡ଼ିଓ କଲ ରେ ଦେଖି ସନ୍ତୁଷ୍ଟ ହେବାକୁ ପଡୁଛି। ସେମାନଙ୍କୁ ଫୋନ ପର୍ଦା ଉପରେ ଦେଖି ସ୍ତ୍ରୀ ହେମା କାନ୍ଦି ପକାଇ ଫୋନ ଉପରେ ହାତ ରଖି ନାତି ନାତୁଣୀ ଙ୍କୁ ଗେଲ କରି ପକାନ୍ତି।

ମନେ ପଡ଼ିଲା ଅବିନାଶ ବାବୁ ଙ୍କ ର ପିଲାଦିନେ ସାନପୁଅ ବିନୟ ଅତି ଛୋଟ ଥିଲା ବେଳେ ହେମା ତା'କୁନି ହାତକୁ ଧରି 'କାଉମୁଚି,କାଉମୁଚି ଯା ପରବତ ଯା ଘୁଞ୍ଚି'ଗୀତ ଶୁଣାଇଲା ବେଳେ ବଡ଼ପୁଅ ଅଭୟ ନିଜ ହାତକୁ ମୁଠା ମୁଠା କରି ଆନନ୍ଦ ରେ ଅଗଣା ସାରା ଡେଇଁ ବୁଲେ। ଘରସାରା ଖାଲି ଖୁସି ହିଁ ଖୁସି ବୁଣି ହୋଇଯାଏ । ପିଲାମାନେ ବଡ଼ ହେଲେ,ସ୍କୁଲ ଗଲେ। ତାଙ୍କ ଅଧ୍ୟାପକ ଚାକିରୀ ର କାର୍ଯ୍ୟ ଭାର ବଢ଼ିଲା। କଲେଜ ଓ ଚାକିରୀ କୁ ନେଇ ତାଙ୍କର ବ୍ୟସ୍ତ ଜୀବନ ରେ ସମସ୍ୟା ମଧ୍ୟ ଲାଗି ରହିଲା। କଲେଜ ରୁ ଫେରିଲେ ହେମା ଙ୍କ ର କ୍ଲାନ୍ତ ମୁହଁ ଦେଖିବାକୁ ପଡେ । ପିଲା ଦୁହିଁ କର ପାଠପଢା ଓ ସବୁ ଦାୟିତ୍ୱ ହେମା ବୁଝନ୍ତି। ବେଳେବେଳେ ହେମା ପିଲାମାନଙ୍କ ବିଷୟରେ କିଛି କଥା ବା ଅଭିଯୋଗ ଆଣିଲେ ଅବିନାଶ ବାବୁ ଅଭୟ ଓ ବିନୟ କୁ ଭାରି ତାଗିଦ କରନ୍ତି। କେବଳ ପାଠପଢା ରେ ଅଧିକ ମନୋନିବେଶ କରିବା କଥା କହନ୍ତି। ପିଲାଏ କଥା ନଶୁଣିଲେ ମାଡ଼ର ଭୟ ଦେଖାନ୍ତି। ଦୁଷ୍ଟାମୀ ଦେଖିଲେ ପିଲାଙ୍କୁ ମାଡ଼ ମଧ୍ୟ କେତେଥର ଦେଇଛନ୍ତି। ଥରେ ଟେଷ୍ଟ ପରୀକ୍ଷା ରେ ରେଜଲ୍ଟ ଖରାପ ଯୋଗୁଁ ବିନୟ କୁ ନିଜର ବେଲଟ୍ ରେ ଦୁଇ ତିନି ପ୍ରହାର ପିଟିଛନ୍ତି ସେ। ଏକଥା ଭାବି ଲୁହ ଧାର ଗଡ଼ି ଆସିଲା ତାଙ୍କ ଆଖିରୁ ।

ମନସ୍ତତ୍ବ ବିଭାଗ ର ପ୍ରାଧ୍ୟାପକ ଥିଲେ ଅବିନାଶ ବାବୁ। ଶିଶୁ ମନସ୍ତତ୍ବ ଉପରେ ଯଥେଷ୍ଟ ଜ୍ଞାନ ଓ ଧାରଣା ତାଙ୍କର। ଏବେ ନିରୋଳା ଓ ନିସଃଙ୍ଗ ରେ ବସି ସେ ଭାବୁଛନ୍ତି, କାହିଁକି ସେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ନିଜର ଛୋଟ ଦୁଇ ପିଲା ଙ୍କୁ ସ୍ନେହ ଆଦର ମାଧ୍ୟମରେ ବୁଝାଇ ପାରୁନଥିଲେ? ମାଡ଼ ଦେବାର କଣ ବା ଆବଶ୍ୟକତା ଥିଲା। ଓଃ, ସେ ସମୟର କଥା ଭାବିଲେ ମୁଣ୍ଡ ଘୁରିଯାଉଛି ତାଙ୍କର । ପିଲାଙ୍କୁ ଶିକ୍ଷିତ କରିବାପାଇଁ ଯେଉଁ ନିଷ୍ଠୁର ହୃଦୟରେ ସେ ପିଟିଥିଲେ, ଆଜି ସେହି ହୃଦୟଟା ଏତେ ନରମି ପଡି କଅଁଳ ହୋଇଯାଇଛି ,ତାଙ୍କ ଆଖିର ଏ ଅଶ୍ରୁ ସବୁ ବୁଝାଇଦେଉଛି ତାଙ୍କୁ । ଇଚ୍ଛା ହେଉଛି ଅଭୟ ଓ ବିନୟ ତାଙ୍କ ପାଖରେ ଆସି ପହଞ୍ଚିଯାନ୍ତେ କି,ସେମାନଙ୍କୁ ସେ ତାଙ୍କ ପିତୃତ୍ବ ପଣରେ ଟିକେ ଆଉଁସି ଦେଇ କ୍ଷମା ମାଗି କହିଦିଅନ୍ତେ," ପିଲାଦିନେ କେତେ ଗାଳି ମାଡ଼ ମୋ ଠୁ ଖାଇଛ। ସେ ସବୁ ଭୁଲିଯାଇ, ମୋତେ କ୍ଷମା କରିଦିଅ। ମୋ ପାଖକୁ ଟିକିଏ ଆସ,ଦେଖିକରି ଯାଅ ଆମେ ବୁଢ଼ା ବୁଢ଼ୀ ଦି'ଟା କେମିତି ବଂଚିଛୁ ! ତମମାନଙ୍କ ମା'ତୁମକୁ ଝୁରି କଣ୍ଟା ହୋଇଗଲାଣି। ତୁମେ ସହ ନାତି ନାତୁଣୀ ମାନେ ଆସିଲେ ମୁଁ ତାଙ୍କୁ ବହୁତ ବୁଲାଇବି। ତାଙ୍କ ମନପସନ୍ଦ ର ଖାଇବା ଖୁଆଇବି।

ଏତେ ସବୁ କଥା ଭାବି ଚାଲିଥିଲେ ଅବିନାଶ ବାବୁ। ଆଖିର ଟୋପା ଟୋପା ଲୁହ ଖବରକାଗଜ ଉପରେ ପଡି ଯାଉଥିଲା। ଆଖିରୁ ଚଷମା କାଢ଼ି ତଉଲିଆ ରେ ମୁହଁ ପୋଛିଲେ ଅବିନାଶ ବାବୁ। ମନରେ ଭାବୁଥିଲେ,ଏ ଅଶ୍ରୁ ମାମୁଲି ନୁହେଁ, ଏହା ତାଙ୍କ ଅନ୍ତରର ଅନୁତାପ ର ଅଶ୍ରୁ ।


Rate this content
Log in

Similar oriya story from Classics