NIBEDITA MOHAPATRA

Others

3  

NIBEDITA MOHAPATRA

Others

ଅନୁତାପ

ଅନୁତାପ

2 mins
372


ସକାଳୁ ସକାଳୁ ହଲ୍ ରେ ବସି ସୁଷମା ଦେବୀ ଦେଖୁଥିଲେ ଝିଅ ସାଲିନୀର କାର୍ଯ୍ୟକଳାପ। ସେ ଏକା ଏକା ହଲ୍ ର ଗୋଟିଏ କୋଣକୁ ପୋଛାପୋଛି କରି ସୁନ୍ଦର ଭାବରେ ମୁରୁଜରେ ସଜେଇ ପୂଜାର ବିଭିନ୍ନ ଜିନିଷ, ବ୍ରାହ୍ମଣଙ୍କ ପାଇଁ ଛଞ୍ଚା ଭଳି କେତେ ଜିନିଷ ଆଣି ରଖୁଥାଏ। ଆଜି ତା ନନା ସତୀଶ ବାବୁଙ୍କ ଶ୍ରାଦ୍ଧ। ତା'ର ଦୁଇ ଜଣ ଭାଇ ଥିଲେ ବି ପ୍ରତିବର୍ଷ ଶ୍ରାଦ୍ଧ କିନ୍ତୁ ତାକୁ ହିଁ କରିବାକୁ ପଡ଼ିଥାଏ। କାରଣ ତା ଭାଇମାନେ ବିଦେଶରେ ରୁହନ୍ତି। ଥରେ ବୋଉ ବଡ଼ ଭାଇକୁ କହିଥିଲା ନନାଙ୍କ ଶ୍ରାଦ୍ଧ କରିବାକୁ ;ହେଲେ ସେଠି ଏସବୁ କରିବାର ସୁବିଧା ନାହିଁ ବୋଲି ସେ ସିଧା ସିଧା ମନା କରି ଦେଇଥିଲା। ସେଦିନ ଠାରୁ ପ୍ରତିବର୍ଷ ସାଲିନୀ ତା ନନାଙ୍କ ଶ୍ରାଦ୍ଧ କରୁଛି।         

ବୟସର ଅପରାହ୍ନରେ ଦୁଇ ଦୁଇଟି ପୁଅ ଥାଉ ଥାଉ ସୁଷମା ଦେବୀ ଆଜି ଝିଅ ପାଖରେ ରହୁଛନ୍ତି। ଠିକ୍ ସମୟରେ ବ୍ରାହ୍ମଣ ଆସି ଶ୍ରାଦ୍ଧ କାର୍ଯ୍ୟ ସାରିଲେ। ତାଙ୍କୁ ଦକ୍ଷିଣା ଦେଇ ସମ୍ମାନର ସହ ବିଦାୟ ଦେଇ ସାଲିନୀ ଅଫିସ ବାହାରି ଗଲା। ସୁଷମା ଦେବୀ ନିଜର ସବୁ କାମ ଶେଷ କରି ନିଜ ରୁମକୁ ଗଲେ। ଟେବୁଲ୍ ଉପରେ ଥୁଆ ହୋଇଥିବା ନିଜ ସ୍ବାମୀଙ୍କ ଫଟୋଚିତ୍ର ପାଖରେ ବସିଲେ। ଆଖିରେ ଥିଲା ଅନୁତାପର ଲୁହ। ଫଟୋ ପାଖରେ ବସି ସେ ମନେ ପକାଉଥିଲେ ଅତୀତର ଘଟଣା ସବୁ।

            ସାଲିନୀ ତାଙ୍କ ବଡ ଝିଅ। ବାହାଘରର ତିନି ବର୍ଷ ପରେ ଯେତେବେଳେ ସୁଷମା ଦେବୀ ଗର୍ଭବତୀ ହେଲେ ସମସ୍ତେ ବହୁତ ଖୁସି ହୋଇଥିଲେ। ସତୀଶ ବାବୁଙ୍କ ମା'ଙ୍କର ଏକମାତ୍ର ଇଚ୍ଛା ତାଙ୍କର ନାତିଟିଏ ହ‌ଉ। ହେଲେ ସେ ଇଚ୍ଛା ମ‌ଉଳି ଗଲା ଯେତେବେଳେ ଏକ ସୁନ୍ଦର ପୂର୍ଣ୍ଣିମା ରାତିରେ ତାଙ୍କ କୋଳକୁ ଆସିଲା ସାଲିନୀ। ସତୀଶ ବାବୁ ବହୁତ ଖୁସି ଥିଲେ। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି କହି ସେ ସମସ୍ତଙ୍କୁ ମିଠା ବି ବାଣ୍ଟିଥିଲେ। କିନ୍ତୁ ସୁଷମା ଦେବୀ କି ସତୀଶ ବାବୁଙ୍କ ମା' ଏଥିରେ ଖୁସି ନ ଥିଲେ। ସୁଷମା ଦେବୀ ଝିଅକୁ ପାଳୁଥିଲେ ବି ମନରେ ଭାରି ଦୁଃଖୀ ଥିଲେ। ସମୟ ଗଡିବା ସହ ସୁଷମା ଦେବୀ ପୁଣି ଦୁଇଥର ଗର୍ଭବତୀ ହୋଇ ଦୁଇ ପୁଅଙ୍କୁ ଜନ୍ମ ଦେଇଥିଲେ ବି ସାଲିନୀକୁ ସେ କେବେ ବି ଭଲ ପାଆନ୍ତି ନାହିଁ। 

         ସମୟ ସହ ତାଳ ଦେଇ ସବୁ ପରିବର୍ତ୍ତନ ହେଇଛି। ଦୁଇ ପୁଅ ବିକାଶ ଆଉ ସୁରେଶ ଭଲ ପାଠ ପଢି ବିବାହ କରି ବିଦେଶରେ ରହୁଛନ୍ତି। ଝିଅ ସାଲିନୀ ବି ଭଲ ପାଠ ପଢି ଆଜି ସରକାରୀ କଲେଜରେ ଅଧ୍ୟାପିକା । କିନ୍ତୁ ନନା ବୋଉଙ୍କୁ ଏକା ଛାଡ଼ି ଯିବନି ବୋଲି ସେ ବାହା ହେବାକୁ ମନା କରି ଦେଇଥିଲା। ତଥାପି ସେ ସବୁବେଳେ ମାତୃ ସ୍ନେହରୁ ବଞ୍ଚିତ। ପରିବାରର ସବୁ କାମରେ ସାଲିନୀ ସହଯୋଗ କରୁଥିଲେ ବି ସୁଷମା ଦେବୀ କିନ୍ତୁ ପସନ୍ଦ କରନ୍ତିନି ସାଲିନୀକୁ। ସାଲିନୀ ଏଥିପାଇଁ ମାନସିକ ସନ୍ତାପରେ ରହୁଥିଲେ ବି କେବେ କାହାକୁ କିଛି କହେନି। ସତୀଶ ବାବୁଙ୍କ ଦେହ ଖରାପ ଠାରୁ ଦେହ ଛାଡ଼ିବା ପର୍ଯ୍ୟନ୍ତ ସାଲିନୀ ହିଁ ତାଙ୍କ ପାଖେ ପାଖେ ରହିଥିଲା। ମୃତ୍ୟୁ ସମୟରେ ସତୀଶ ବାବୁଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ମୁହଁରେ ତାଙ୍କ ଝିଅ ହିଁ ମୁଖାଗ୍ନି ଦେବ। 

        ଶେଷରେ ସେଇଆ ହେଲା।ସାଲିନୀ ତାଙ୍କୁ ମୁଖାଗ୍ନି ଦେଲା। ତାଙ୍କ ମୃତ୍ୟୁର ଚାରି ଦିନ ପରେ ପୁଅମାନେ ଘରକୁ ଆସିଲେ ଆଉ କାମ ସାରି ଫେରିଗଲେ। ଗଲାବେଳେ ସେ ସୁଷମା ଦେବୀଙ୍କ ଚଳିବାର ବ୍ୟବସ୍ଥା କରିଥିଲେ ବି କେହି ଜଣେ ସାଥିରେ ନବାକୁ ଚାହିଁ ନଥିଲେ। କିନ୍ତୁ ସାଲିନୀ ବୋଉ ପାଖେ ପାଖେ ରହିଥିଲା। ଠିକ୍ ଗୋଟିଏ ପୁଅ ପରି। 

      ଆଜି ସୁଷମା ଦେବୀ ନିଜ ଝିଅ ପ୍ରତି କରିଥିବା କାର୍ଯ୍ୟ ପାଇଁ ଅନୁତପ୍ତ। ହେଲେ ସେ କିନ୍ତୁ କହିପାରୁନାହାନ୍ତି ଯେ ସେ ଏବେ ନିଜ ଭୁଲ୍ ବୁଝିପାରିଛନ୍ତି। କାହିଁ କେତେବେଳୁ ସେ ଖାଲି ନିଜ ସ୍ବାମୀଙ୍କୁ ହିଁ ତାଙ୍କ ଅନୁତାପର କଥା ଶୁଣାଉଛନ୍ତି।


Rate this content
Log in