Padmalaya Mishra

Drama Classics Inspirational

4  

Padmalaya Mishra

Drama Classics Inspirational

ଅପହୃତା

ଅପହୃତା

7 mins
17



    ନିର୍ଲଜ ନିଷ୍ଠୁର ରାତିଟା କେମିତି ଏତେ ଦିନ ତିଷ୍ଠିଛି କେଜାଣି ? ସାଉଁଟି ରଖିଛି ନିଜ ଛାତିର କଳା ଦୁନିଆରେ କେତେ ଜୀବନର କଳାମୟ ପୃଷ୍ଠା ସବୁ । ତଥାପି ପାଲଟିନି ସେ ନିର୍ଜୀବ । ବଞ୍ଚିଛି, ବଞ୍ଚିଥିବ ଯୁଗ ପରେ ଯୁଗ । ମୂକସାକ୍ଷୀ ପାଲଟି ଇତିହାସର । 


   ଆଜି ପୂର୍ଣ୍ଣମୀ । ଦୂର ଗଗନରେ ଜହ୍ନ ଦେଖାଦେବ ପୂର୍ଣ୍ଣ ହୋଇ । ନିଜ ଭଉଣୀ ପୃଥିବୀର ସନ୍ତାନ ସନ୍ତତିଙ୍କ ମନ ମୋହିବ ନିଜ ଶୀତଳ କିରଣକୁ ଅଜାଡି ଦେଇ । ହେଲେ… ଏ କଣ, ଆଜି ପୂର୍ଣ୍ଣମୀ ରାତିଟା ଅମାବାସ୍ୟାର ଭ୍ରମ ସୃଷ୍ଟି କରୁଛି । କଳାହାଣ୍ଡିଆ ମେଘ ଘୋଡେଇ ଦେଇଛି ଜହ୍ନକୁ । ତୁହାକୁତୁହା ମେଘ ଅଜାଡି ହୋଇ ପଡୁଛି ଧରା ବକ୍ଷରେ । ସୌଦାମିନୀ ଚକଚକ କଲା ବେଳେ ଅନ୍ଧାର ଭିତରେ ଗଛ ପତ୍ର ସବୁ ଭୂତ ପରି ମନେ ହେଉଛନ୍ତି । ସୁନିତା ଝରକା ଦେଇ ବାହାରକୁ ଚାହିଁଛନ୍ତି । କିଛି ତ ଦିଶୁନି । ସେ ଦେଖୁଛନ୍ତି କଣ ? ଶରୀରଟା ଦାଣ୍ଡ ଆଡକୁ ମୁହଁ କରି ଠିଆ ହୋଇଛି ହେଲେ ମନ ଅତୀତର ଗହୀରିଆ ନଦୀ ଭିତରେ ବୁଡି ଯାଇଛି । 


    ସେଦିନ ଥିଲା ଏମିତି ଏକ ଅମାବାସ୍ୟାର ଭ୍ରମ ସୃଷ୍ଟି କରୁଥିବା ପୂର୍ଣ୍ଣମୀ ରାତି । ଚାରିଆଡେ କଳାହାଣ୍ଡିଆ ମେଘର ରାଜୁତି । ମୁହଁକୁ ମୁହଁ ଦିଶୁ ନଥିଲା । ତଥାପି ଭୃକ୍ଷେପ ନଥିଲା ତାର । ଏକମୁହାଁ ଚାଲିଥାଏ ଆଗକୁ ଆଗକୁ । ଟିକିଏ ବି ଭୟର ଆଭାସ ନଥିଲା । କିଛି ଗୋଟେ କୁହୁଳୁଥିଲା ତା ଭିତରେ । ମନ କି ଆତ୍ମା ଠିକରେ ଜାଣି ହେଉ ନଥିଲା । କିଛି ବାଟ ପରେ ପାଦ ଆଉ ବଢି ପାରିଲାନି ଆଗକୁ । ବଳ ନଥିଲା ତା ପାଖରେ ଆଗକୁ ଆଗେଇବା ପାଇଁ । ପଡିଗଲା ରାସ୍ତା ମଝିରେ । କିଛି ସମୟ ପରେ ଅନ୍ଧକାରକୁ ଚିରି ସେହି ରାସ୍ତା ଦେଇ ଯାଉଥିଲା ଏକ ମୋଟର ଗାଡି । ମଝି ରାସ୍ତାରେ ଏ ଅନ୍ଧାର ବର୍ଷା ରାତିରେ କେହି ଜଣେ ପଡିଥିବା ଦେଖି ଅଟକି ଗଲା । ଗାଡି ଭିତରୁ ଓହ୍ଲାଇ ପଡିଲେ ମହେନ୍ଦ୍ର । ନାଡି ଚିପି ଦେଖିଲେ ବଞ୍ଚିଛି ଝିଅଟି । ଆଖପାଖ ଦେଖିଲେ । କେହି ନାହାନ୍ତି । ଗାଡିର ପଛ ସିଟରେ ଝିଅଟିକୁ ଶୁଆଇ ଦେଲେ । ନେଇ ଆସିଲେ ଘରକୁ । 


   ମହେନ୍ଦ୍ରଙ୍କ ହାତରେ ଝିଅଟିକୁ ଦେଖି ପ୍ରଶ୍ନ କଲେ ସୁନିତା । ବାର ଚଉଦ ବର୍ଷର ଝିଅଟି । ପତଳା, ଗୋରା । ମୁହଁଟି ଉଜ୍ଜ୍ୱଳ ଦିଶୁଛି । ମହେନ୍ଦ୍ର ସୁନିତାଙ୍କୁ ଗରମ ଉପଚାର ପାଇଁ କହିଲେ । ନିଜେ ଝିଅର ପାଦ ଦୁଇଟିକୁ ଘଷି ଦେଲେ । ମହେନ୍ଦ୍ରଙ୍କ ଠାରୁ ସବୁ ଶୁଣି ସୁନିତା ନୀରବ ରହିଲେ । କିଛି ସମୟ ପରେ ଝିଅର ହୋସ୍ ଆସିଲା । ସୁନିତା ଉଷୁମ କ୍ଷୀର ପିଇବାକୁ ଦେଇ ମୁଣ୍ଡକୁ ଆଉଁସି ଦେଲେ । 


    ବିବାହର ପନ୍ଦର ବର୍ଷ ପୁରିଗଲାଣି । ତଥାପି ତାଙ୍କର କୋଳ ଶୂନ୍ୟ । ଏଥିପାଇଁ ଅବଶ୍ୟ ସେ ଭଗବାନଙ୍କୁ ଦାୟୀ କରି ପାରି ନାହାନ୍ତି । ଆଜି ଝିଅଟିଏ ପାଇଛନ୍ତି ବୋଲି ଖୁସି ହେଉଛନ୍ତି । ଝିଅଟି ନିଜର ନାମ କହିଲା ଗୀତା । ତାର ସ୍ଵରରେ ଏକ ଆକର୍ଷଣ ଥିଲା । ସୁନିତାଙ୍କୁ ଆପଣାର ଆପଣାର ଲାଗିଲା । ସେ କିଏ, କେଉଁଠି ତାର ଘର, ଏଠାକୁ କେମିତି ଆସିଲା ସବୁ ଜଣାଇଲା । ତାକୁ କୋଳେଇ ନେଲେ ସୁନିତା । ମନେ ମନେ ନିଜ ଝିଅର ସ୍ଥାନ ଦେଇ ସାରିଥିଲେ । ଆଇନ ଅନୁସାରେ ଆପଣେଇ ନେବେ ବୋଲି ଭାବିନେଲେ । କିନ୍ତୁ ମହେନ୍ଦ୍ରଙ୍କ ହାବଭାବରୁ ଜଣା ପଡୁଥିଲା, ସେ ଅନ୍ୟ କିଛି ଭାବୁଛନ୍ତି । ତେଣୁ ସୁନିତାଙ୍କ କଥାରେ ଗୁରୁତ୍ୱ ଦେଇ ନପାରନ୍ତି । ସକାଳ ହେଉ, ଏ ବିଷୟରେ ସୁନିତା ନିଶ୍ଚୟ କଥା ହେବେ ମହେନ୍ଦ୍ରଙ୍କ ସହ ।


    ରାତି ପାହିଲା । ସୂର୍ଯ୍ୟ ଉଇଁଲେ । ଆକାଶରୁ ମେଘର ଆବରଣ ହଟି ଯାଇଥିଲା । ଅଳ୍ପ ଅଳ୍ପ ଜଳବିନ୍ଦୁ ପତ୍ର ମାନଙ୍କରେ ଲାଗି ରହିଥିଲା । କିନ୍ତୁ ସୁନିତାଙ୍କ ମନ ଆକାଶ ମେଘାଚ୍ଛନ୍ନ । ନୟନଦ୍ଵୟରୁ ଅବିରାମ ଗତିରେ ମେଘ ବରଷି ଯାଉଥିଲା । ମହେନ୍ଦ୍ର ଗୀତାକୁ ନେଇ ପୋଲିସ୍ ଷ୍ଟେସନ ଯାଉଥିଲେ । ସୁନିତା ସାଙ୍ଗରେ ଯିବାକୁ ଚାହିଁବାରୁ ବାରଣ କଲେ । ଗୀତା ଜଣେ ଅପହୃତା । ତାର ପିତାମାତା ବ୍ୟସ୍ତ ହେଉଥିବେ । ଆମକୁ ତାକୁ ତାର ପରିବାର ପାଖରେ ଛାଡିଦେବା ଉଚିତ । ସବୁ ବୁଝି ବି ଅବୁଝା ହେଉଥିଲେ ସୁନିତା । ତାଙ୍କ ମାତୃତ୍ଵ ଗୀତାକୁ ନିଜର ମାନି ନେଇଥିଲା । ମହେନ୍ଦ୍ରଙ୍କ ଗାଡି ଗୀତାକୁ ନେଇ ଅଦୃଶ୍ୟ ହେବା ଯାଏଁ ଅପଲକେ ସୁନିତା ଚାହିଁ ରହିଥିଲେ । 


    ମହେନ୍ଦ୍ର ଫେରୁ ଫେରୁ ସଞ୍ଜ ହୋଇଗଲା । କାହିଁକି କେଜାଣି ମନରେ ଆଶା ଥିଲା ମହେନ୍ଦ୍ର ଗୀତାକୁ ସାଙ୍ଗରେ ନେଇ ଫେରିବେ । ତେଣୁ ମହେନ୍ଦ୍ରଙ୍କ ଆଡ଼କୁ ଏକ ଆଶା ଭରା ନୟନରେ ଚାହିଁଲେ । ମହେନ୍ଦ୍ର ସୁନିତାଙ୍କ ମନ କଥା ବୁଝି ପାରୁଥିଲେ । ଆଖିରୁ ଲୁହ ପୋଛି ଶାନ୍ତ୍ଵନା ଦେଲେ । ସେ ତାର ପରିବାର ପାଖକୁ ଫେରି ଯାଇଛି । ପୋଲିସ୍ ନେଇ ତା ଗାଁ ରେ ଛାଡି ଆସିଛି । ଆଉ କାହାର ପିଲାକୁ ନିଜର କରିବା ଆଇନ ବିରୋଧୀ । ଭଗବାନ ନିଶ୍ଚୟ ଆମ ଡାକ ଶୁଣିବେ, ଆମେ ପିତାମାତା ହେବା ।


   ସୁନିତା କିଛି ନକହି ଲୁହ ଝରାଉ ଥାଆନ୍ତି । ମନେ ମନେ ଭାବୁଥିଲେ, “ତୁମେ ଲେଖକ । ବାକ୍ୟର ଧାରାକୁ ଏମିତି ମାର୍ଗ ଦିଅ ଯେ ତାକୁ ରୋକିବା କିମ୍ବା ବଦଳେଇବା ମୋ ପକ୍ଷେ ଅସମ୍ଭବ । ତେଣୁ ଆଜି ବି ମୁଁ ବ୍ୟର୍ଥ ଚେଷ୍ଟା କରିବିନି ।”


   କିଛି ଦିନ ବିତିଗଲା । ଏକ ଫୋନ୍ କଲ୍ ବିବ୍ରତ କରିଦେଲା ସୁନିତାଙ୍କୁ । ଗୀତା କରିଥିଲା । ଗୀତା ଯିବା ସମୟରେ ସୁନିତା ଘର ଫୋନ୍ ନମ୍ବର ଓ ନିଜ ମୋବାଇଲ ନମ୍ବର ଲେଖା କାଗଜଟିଏ ଦେଇଥିଲେ । ମଝିରେ ମଝିରେ ଗୀତା ଫୋନ୍ କରିବାକୁ କହିଥିଲେ । କିନ୍ତୁ ଗୀତା ଯିବା ମାସକ ଉପରେ ହେଲାଣି କେବେ ଫୋନ୍ କରି ନଥିଲା । ଆଜି ଫୋନ୍ କରି ସାହାଯ୍ୟ ମାଗୁଛି । ତାର ବାପା କିଛି ଟଙ୍କା ବଦଳରେ ତାକୁ ବିକି ଦେଇଛି । ସୁନିତାଙ୍କ ଠାରୁ ଏହା ଶୁଣି ମହେନ୍ଦ୍ର ବି ବ୍ୟସ୍ତ ହେଲେ । ସଙ୍ଗେ ସଙ୍ଗେ ପୋଲିସକୁ ଜଣେଇ ଲେଖିବାକୁ ବସିଲେ । ଗୀତାର କାହାଣୀକୁ ଲୋକଲୋଚନକୁ ଆଣିବି, ତାକୁ ନ୍ୟାୟ ଦେବି । 


    କିଛି ସମୟ ଅନ୍ତରରେ ଲେଖା ସରିଲା । ସୁନିତାଙ୍କୁ ଡାକି ହାତକୁ କାଗଜ ତକ ବଢେଇ କହିଲେ, “ପଢ଼ ଓ ମତାମତ ଦିଅ ।” ସୁନିତା ମହେନ୍ଦ୍ରଙ୍କ ଲେଖାର ସର୍ବଦା ପ୍ରଥମ ପାଠିକା । ସୁନିତାଙ୍କୁ ନପଢେଇ କୌଣସି ଲେଖା ପ୍ରକାଶ କରନ୍ତି ନାହିଁ । ଏଥର ବି ସୁନିତା ପଢି କହିଲେ, “ତାହେଲେ ଏଥର କାହାଣୀର ନାୟିକା ଗୀତା । ଭଲ ହେଇଛି ।”


   ସୁନିତାଙ୍କ କଥାର ମର୍ମ ଠିକରେ ବୁଝି ପାରିଲେ ନାହିଁ ମହେନ୍ଦ୍ର । କହିଲେ, କାହାଣୀର ଶେଷ କଣ କରିବି ଜାଣି ପାରୁନି । 


   ସୁନିତାଙ୍କ ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥାଏ । ସେ ମହେନ୍ଦ୍ରଙ୍କ ମୁହଁକୁ ଚାହିଁ ରହିଥାନ୍ତି । ସେ ଚାହାଣୀରେ ଅନେକ ପ୍ରଶ୍ନ, ଯାହା ମହେନ୍ଦ୍ରଙ୍କୁ ବିଚଳିତ କଲା । ମହେନ୍ଦ୍ର କହିଲେ, “ ଦେଖ, ମୁଁ ଜାଣିଛି ତମେ ଗୀତା ଜୀବନର କିଛି ପୃଷ୍ଠା ଜାଣିଛ । ତା ପାଇଁ ତୁମ ମନରେ ମାତୃତ୍ଵର ଭାବ ଅଛି । କିନ୍ତୁ….”

କିନ୍ତୁ ପୁଣି କଣ ? ଆମେ ଯଦି ଗୀତାକୁ ଆମ ପାଖରେ ରଖିଥାନ୍ତେ ଏମିତି କିଛି ଘଟି ନଥାନ୍ତା ।

କେମିତି ବାପ କେଜାଣି, ଝିଅକୁ ବିକି ଦେଇଛି । ପିଲାମାନଙ୍କୁ ପୋଷି ପାରିବନି ଯଦି ଜନ୍ମ ଦେଲା କାହିଁକି ? ମୁଁ ଏକ ଆର୍ଟିକଲ୍ ଲେଖି ନ୍ୟାସନାଲ ନ୍ୟୁଜ୍ ପେପରରେ ଦେବି । ଇଲୋକ୍ଟ୍ରୋନିକ୍ ମିଡିଆରେ ୟା ଉପରେ ଏକ ଡିବେଟ୍ ରଖିବି । ସେ ବାପା ନିଶ୍ଚୟ ଦଣ୍ଡ ପାଇବ ।

ଆମେ କଣ ଦଣ୍ଡ ପାଇବା ଯୋଗ୍ୟ ନୁହେଁ ମହେନ୍ଦ୍ର ?

 ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ମହେନ୍ଦ୍ର । ସୁନିତା ନେଇଗଲେ ଅତୀତର ଅଧ୍ୟାୟ ଭିତରକୁ । ସେତେବେଳେ ସେ ନୂଆ ନୂଆ ମହାବିଦ୍ୟାଳୟ ରେ ଅଧ୍ୟାପିକା । ମହେନ୍ଦ୍ରଙ୍କ ପରି ଉଚ୍ଚ ପଦସ୍ଥ ସରକାରୀ ଅଫିସର ଓ ଉଚ୍ଚକୋଟୀର ଲେଖକଙ୍କ ସହ ତାଙ୍କ ବିବାହ ହେଲା । ଉଭୟ ବିବାହ କରିଥିଲେ ସତ କିନ୍ତୁ ନିଜ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ ରହିଲେ । ସମୟ ବିତିବା ସହ ପରିବାରରୁ ଚାପ ଆସୁଥିଲା ଦୁଇରୁ ତିନି ହେବାକୁ । ଛୁଆ ପିଲା ଜଞ୍ଜାଳରେ ପଶି ଉଭୟେ ସମୟ ନଷ୍ଟ କରିବାକୁ ଚାହୁଁ ନଥିଲେ । ତେଣୁ ତିନି ଥର ମହେନ୍ଦ୍ରଙ୍କ ଅନୁମତିରେ ଲିଙ୍ଗ ନିରୁପଣ କରି ସୁନିତା ଗର୍ଭପାତ କରିଛନ୍ତି । ସେତେବେଳେ ସେ ଚାହୁଁଥିଲେ ଗୋଟିଏ ପୁଅ । 


    ଅତୀତରୁ ଫେରି ଆସିଲେ । ସୁନିତା ପ୍ରଶ୍ନ କଲେ ମହେନ୍ଦ୍ରଙ୍କୁ - “କୁହ ମହେନ୍ଦ୍ର , ଆମେ ଦୁହେଁ ତ ଉଚ୍ଚ ଶିଖିତ । ସଭ୍ୟ ସମାଜର ଅଂଶ । ଆୟ ଏତେ ଯେ ଏକାଧିକ ସନ୍ତାନ ପାଳନରେ ବାଧା ନଥିଲା । ତାହେଲେ କାହିଁକି ପୁଅ ଲୋଭରେ ତିନି ତିନି ଥର ଗର୍ଭପାତ କଲି । ନା ବଂଶ ରକ୍ଷା ହୋଇ ପାରିଲା ନା ମୁଁ ମାତୃତ୍ଵ ଲାଭ କଲି ।” 


   ଉତ୍ତର ଆଶାରେ ମହେନ୍ଦ୍ରଙ୍କୁ ଚାହିଁଲେ । ମହେନ୍ଦ୍ର କିନ୍ତୁ ନୀରବ । କିଛି ସମୟ ପରେ ତାଙ୍କ ଆଖି ଓଦା ହେଇ ଗଲା । 

    - ତୁମେ ଠିକ୍ କହୁଛ ସୁନିତା । ରୋଗୀଣା ମା’, ମଦୁଆ ବାପା, ଚାରି ଚାରିଟା ଭାଈ ଭଉଣୀଙ୍କ ଦାୟିତ୍ୱ ନେଇଥିଲା ଗୀତା ।

ଅପହୃତା କହି ତାକୁ ତା ପରିବାରକୁ ଫେରେଇ ଦେଲ । ଦେଖ କଣ ଘଟିଗଲା । ଗୀତାକୁ ଖୋଜି ଆଣ । ଆଇନ ଅନୁଯାୟୀ ଆମେ ତାକୁ ଆମ ଝିଅ କରିବା । 

ମହେନ୍ଦ୍ର ସୁନିତାଙ୍କ କଷ୍ଟ ବୁଝି ପାରୁଥିଲେ । ତାଙ୍କ ମଧ୍ୟରେ ପିତୃତ୍ଵ ସତ୍ତା ଉଙ୍କି ମାରୁଥିଲା । ତେଣୁ ଗୀତାକୁ ଖୋଜି ଆଣିବାକୁ ମନସ୍ଥ କଲେ । 


    ଗୀତା ଗାଁରେ ପହଞ୍ଚିଲେ ମହେନ୍ଦ୍ର । ସେଠି ଯାହା ଦେଖିଲେ, ଶୁଣିଲେ ନିଜକୁ କ୍ଷମା କରି ପାରିଲେନି । ଏକ ଭଙ୍ଗା ଦଦରା ଚାଳଘରେ ରହୁଛନ୍ତି ଗୀତା ପରିବାର । ଛିଣ୍ଡା କନ୍ଥା ଉପରେ ଶୋଇଛି ରୋଗୀଣା ମା । ଭାଇ ଭଉଣୀ ମାନଙ୍କ ଶରୀର ନୁହେଁ ତ ହାଡ଼ ପଞ୍ଜରା । ଗୀତା ସବୁଠୁ ବଡ଼ । ତାକୁ ସାତ ବର୍ଷ, ମା ରୋଗରେ ପଡିଲା । ତେଣୁ ଭାଈ ଭଉଣୀଙ୍କ ମା ସାଜି ଯାଇଥିଲା ଛୋଟିଆ ଝିଅଟି । ବାପ ଦିନ ମଜୁରିଆ । ଯାହା ରୋଜଗାର କରେ ମଦ ପିଇ ଉଡାଏ । ପିଲେ ଖାଇବାକୁ ମାଗିଲେ ପିଟେ । ଗୀତା ଦଶବର୍ଷରେ ସବୁ ବୁଝି ଭାଇ ଭଉଣୀ ମା ଦାୟିତ୍ୱ ନେଇ ଯାଇଥିଲା । ପରଘରେ କାମ କରି ଯାହା ଯେମିତି ମିଳୁଥିଲା ସମସ୍ତେ ଓଳିଏ ଖାଇ ଓଳିଏ ଉପାସ ରହୁଥିଲେ । ଧୀରେ ଧୀରେ ଯୌବନ ଛୁଉଁଥିଲା ଗୀତାକୁ । ବାର ଲୋକଙ୍କ ନଜର ପଡିଲା । ସେ ଧରା ଦେଉନଥିଲା ।


    ନିଶାସକ୍ତ ବାପ ଝିଅକୁ ବିକ୍ରି କରିଦେଲା । ସେଦିନ ସେ ଜଣଙ୍କ ଘରୁ ପାଇଟି ସାରି ଫେରୁଥିବା ବେଳେ ଦୁଇ ଜଣ ତାକୁ ଉଠେଇ ନେଲେ । ତେଣୁ ସେ ଭାବିଲା ତାର ଅପହରଣ ହୋଇଛି । କଳେବଳେ ସେମାନଙ୍କ ହାବୁଡରୁ ଖସି ମହେନ୍ଦ୍ରଙ୍କ ପାଖରେ ପହଞ୍ଚି ଥିଲା । ମହେନ୍ଦ୍ର ଗାଁରେ ଛାଡି ଦେବା ପରେ ନିଶାଖୋର ବାପା ଟଙ୍କା ନେଇ ପୁଣି ଝିଅକୁ ବିକ୍ରି କରି ଦେଇଛି । ମହେନ୍ଦ୍ର ସବୁ ଶୁଣି ଫେରିଲେ । ସୁନିତା ସବୁ ଶୁଣି ଅଧୀର । ନେହୁରା ହେଉଛନ୍ତି ଗୀତାକୁ ଫେରେଇ ଆଣିବା ପାଇଁ । ମହେନ୍ଦ୍ର ବି ପୋଲିସ ସହ ଗୀତା ସନ୍ଧାନରେ ଘରୁ ଯାଇଛନ୍ତି । 


    ଏକ ଘଡଘଡି ଶବ୍ଦରେ ପ୍ରକୃତିସ୍ଥ ହେଲେ ସୁନିତା । ନଦୀର ଗଭୀର ଜଳରୁ ଛାଣି କେହି ତାଙ୍କୁ ବର୍ତ୍ତମାନର କୂଳରେ ନିକ୍ଷେପ କଲା । କିନ୍ତୁ ଚିନ୍ତାର ଅନ୍ତ ନାହିଁ । ଗୀତା କେଉଁଠି କେଉଁ ଅବସ୍ଥାରେ ଥିବ ଭାବି ଚିନ୍ତାଗ୍ରସ୍ତ । ଅନେକ ଆଶଙ୍କା ମନକୁ ଆନ୍ଦୋଳିତ କରୁଥାଏ । ମନେ ମନେ ଭଗବାନଙ୍କ ନାମ ଜାପ କରୁଥାନ୍ତି । କହୁଥାନ୍ତି, “ ହେ ପ୍ରଭୁ ! ପିଲାଟିର ପିଲାଦିନ, କୈଶୋର ଅପହରଣ ହୋଇ ଯାଇଛି । ତାକୁ ମୋ କୋଳକୁ ଫେରେଇ ଦିଅ । ମୋର ମାତୃତ୍ଵର ଅପହରଣ ନହେଉ ।” 


   ଅବିରାମ ଗତିରେ ବର୍ଷା ଚାଲିଥାଏ । ସେମିତି ଅନ୍ଧକାରକୁ ଚାହିଁ ସୁନିତା ଠିଆ ହୋଇଛନ୍ତି ।



Rate this content
Log in

Similar oriya story from Drama