ABADHOOT PANDA

Children

3  

ABADHOOT PANDA

Children

ଅତୃପ୍ତ ପ୍ରେତିନୀ

ଅତୃପ୍ତ ପ୍ରେତିନୀ

6 mins
182


ଆମ ସ୍ବର୍ଗତ ଆଇ ଆମକୁ ଛୋଟ ବେଳେ କାହାଣୀ ଶୁଣାନ୍ତି l ବାପାଙ୍କ ଅଜା ମଧ୍ୟ ଯେତେବେଳ ଆମ ଘରକୁ ଆସନ୍ତି ଆମେ ତାଙ୍କ ମୁହଁରୁ ରାତିରେ ଶୋଇଲା ବେଳେ କାହାଣୀ ଶୁଣିବାକୁ ଜିଦି କରୁ l ନିମ୍ନ ଲିଖିତ କାହାଣୀ ବାପାଙ୍କ ଅଜା ଆମକୁ କହିଥିଲେ l ମୁଁ ବଡ଼ ଭାଇ ହିସାବରେ ମୋ ତଳେ ଥିବା ଦଶ ଭାଇ ପାଞ୍ଚ ଭଉଣୀଙ୍କୁ ମଧ୍ୟ କହିଛି l ସମସ୍ତେ ଏହି କାହାଣୀଟିକୁ ମନେ ରଖିଛନ୍ତି l ଅଜାଙ୍କର ଅଧିକାଂଶ କାହାଣୀ ଅଙ୍ଗେ ନିଭା l


ଥରେ ରାତିରେ ଅଜା ରାତିରେ କଟକରୁ ତାଙ୍କ ଗାଁ ଘର ସତ୍ୟଭାମାପୁରକୁ ଫେରୁଥିଲେ l ଜଗତପୁର ଷ୍ଟେସନରୁ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ତାଙ୍କ ଗାଁକୁ ଫେରୁ ଥିଲେ l ବାଟରେ ପଡ଼ିଲା ପାଗା ମଶାଣି l ବଡ଼ ଭୟଙ୍କର ମଶାଣି l ଅତୃପ୍ତ ଆତ୍ମାଙ୍କ ଅଡ୍ଡା ଜାଗା l ସେତେବେଳେ କାଳି ଅନ୍ଧାରି ଜହ୍ନ ଆଲୁଅରେ ବାଟ ଚାଲୁ ଥାନ୍ତି ଅଜା l ମଶାଣି ଭିତରେ ହଠାତ୍ ଅଜାଙ୍କ ଆଗରେ ଗୋଟାଏ ବିରାଟକାୟ ସ୍ତ୍ରୀଲୋକର ଛାୟା ମୂର୍ତ୍ତି ଜିଭ କାଢ଼ି ତାଙ୍କ ଆଗକୁ ଆସୁଥାଏ ମାଡ଼ି l କିନ୍ତୁ ଅଜା ଭାରି ନିର୍ଭିକ l ସେ ଭୂତ ପ୍ରେତଙ୍କୁ ଆଦୌ ଭୟ କରନ୍ତିନି l ତେଣୁ ସେ ସିଧା ସିଧା ସେହି ଅତୃପ୍ତ ପ୍ରେତିନୀକୁ ପଚାରିଲେ, " ଆଲୋ ମା ତୁ ମୋ ବାଟ କାହିଁକି ଓଗାଳୁଛୁ କହ l ତୁ କିଏ ତୋର କଣ ଦରକାର କହ ସଫା ସଫା କହିଦେ l ମୋ ତାକତ ମୁତାବକ ତୋ ଆଶା ପୂରଣ କରିବି l " ଆମ ବାପାଙ୍କ ଅଜାଙ୍କ ଟୋକା ବେଳେ ଏମିତି ଅନେକ ଅତୃପ୍ତ ଆତ୍ମା ଗାଁ ଲୋକ ବା ବାଟେଇମାନଙ୍କୁ ହଇରାଣ କରନ୍ତି l ଆମ ଅଜାଙ୍କ ପରି ଯେଉଁମାନେ ସାହସୀ ସେମାନେ ତାଙ୍କ ହାବୁଡ଼ରୁ ଖସିଯାନ୍ତି l କିନ୍ତୁ ଯେଉଁମାନେ ଡରୁଆ ସେମାନେ ମୁକାବିଲା କରି ନପାରି ମୂର୍ଛା ହେଇ ତଳେ ପଡ଼ିଯାନ୍ତି l ବେଳେ ବେଳେ କିଛି ଲୋକଙ୍କ ହାର୍ଟ ଫେଲ୍ ହୋଇଯିବାରୁ ସେହି ମଶାଣି ଭିତରେ କିମ୍ବା ଘରକୁ ଫେରି ଝାଡ଼ାବାନ୍ତିରେ ମରିଯାନ୍ତି l ଆଉ ମଧ୍ୟ ସେତେବେଳେ ଭୂତପ୍ରେତମାନେ କଥା କହୁଥିଲେ l ଆଜିକାଲିକା ପରି ଏତେ ରେଳଲାଇନ୍ ଆଉ ଇଲେକ୍ଟ୍ରିକ୍ ବତୀର ବ୍ୟବହାର ନଥିଲା l ପ୍ରେତାତ୍ମାଗୁଡ଼ିକ ଅନ୍ଧାରରେ ରହିବାକୁ ଭଲ ପାଆନ୍ତି l 


ଅଜା ପଚାରିଲା ପରେ ପ୍ରେତିନୀ କହିଲା, " ହୁଁ ହୁଁ ମୋ ନା ଝରଣା ଚମାରୁଣୀ l ଭୈରୀପୁର ଆମ ଗାଁ l ମୋ ସ୍ୱାମୀ ତୁମ ବଗିଚାର ନଡ଼ିଆଗଛରେ ଚଢ଼ି ନଡ଼ିଆ ତୋଳି ତୁମକୁ ଦିଅନ୍ତି l ମୋ ସ୍ୱାମୀଙ୍କ ନା ରୁଷିଆ l ତୁମ ଘରୁ ଆଉ ଅନ୍ୟମାନଙ୍କ ନଡ଼ିଆ ତୋଳା ମଜୁରୀ ଆଉ ମୂଲିଆ କାମ କରି ଯାହା ଯାହା ପାଆନ୍ତି ତାର ଅଧା ଟଙ୍କା ମଦ ପିଇବାରେ ଯାଏ l ଆଉ ଅଧେ ମତେ ଦିଅନ୍ତି l ସେତିକି ପଇସାରେ ଘର ଚଲାଇବାକୁ ଭାରି କଷ୍ଟ ହୁଏ l ବାହାଘର ବାର ବର୍ଷ ବିତି ଯାଇଥିଲେ ବି ଆମେ ପିଲା ଛୁଆଙ୍କ ମୁହଁ ଦେଖି ପାରିନଥିଲୁ l ତେଣୁ ସ୍ୱାମୀଙ୍କ ସାଙ୍ଗ ଆଉ ସାହି ପଡ଼ିଶାର ଲୋକେ ସକାଳୁ ଆମ ମୁହଁ ଚାହୁଁ ନଥିଲେ l ଆଣ୍ଠୁକୁଡ଼ା ବୋଲି ସାଇ ପଡ଼ିଶାର ଲୋକେ ଟୁପୁରୁ ଟାପୁରୁ ହୁଅନ୍ତି l ସାହିର ମାଇକିନାମାନେ ମୋତେ "ବାଞ୍ଝ,ନିସଂସିଆ ଛଡ଼ା " କହି କଣ୍ଟା ବାଡ଼ ରେ ଲୁଗା ପକେଇ ମୋ ସାଙ୍ଗେ କଜିଆ କରନ୍ତି l ମୋ ସ୍ୱାମୀଙ୍କୁ ବହୁତ ଲୋକେ ମତେ ତେଜ୍ୟପତ୍ର ଦେଇ ଆଉ ଗୋଟେ ଝିଅକୁ ବାହା ହବାକୁ କୁହନ୍ତି l ସ୍ୱାମୀଙ୍କ କାନରେ ଏକଥା ପଡ଼ିଲେ ଆହୁରି ବେଶୀ ମଦ ପିଇ ଘରକୁ ଫେରନ୍ତି l ମୁଁ ତାଙ୍କୁ ଭଲମନ୍ଦ ପଚାରିଲେ ଆଉ ଦେଶୀ ମଦ ପିଇବାକୁ ମନା କଲେ ମତେ ନିସ୍ତୁକ ମାଡ଼ ମାରି ବେହୋସ କରିଦିଅନ୍ତି l ସ୍ୱାମୀଙ୍କ ବ୍ୟବହାର ଆଉ ଗାଁଲୋକଙ୍କ ଅପମାନ କଥା ମୋତେ ଭାରି ବାଧେ l କ୍ରମେ କ୍ରମେ ମୋର ଆତ୍ମା ଅଶାନ୍ତ ହେଲା l ମୁଁ କିଛି କହି ପାରେନି ଲୋକ ଲଜ୍ୟାରୁ l କିନ୍ତୁ ମୋ ମନ ପୋଡ଼ି ଯାଏ l ଦିନେ ଦୋଳପୂର୍ଣ୍ଣମୀ ରାତିରେ ଠାକୁର ଆମ ସାହିରେ ଭୋଗ ଖାଉଥିଲା ବେଳେ ମୁଁ ତାଙ୍କୁ ମୁଣ୍ଡିଆଟିଏ ମାରି ଚୁପ୍ ଚାପ୍ ଚାଲି ଚାଲି ଘରୁ ପଳାଇ ଆସିଲି l ଏଇ ମଶାଣିରେ ଏକ ଯୁଇ ଜଳୁଥିଲା ହୁତୁ ହୁତୁ ହେଇ l ମୁଁ ତା ଭିତରକୁ କୁଦା ମାରିଦେଲି l ମୁଁ ପୁରା ପୋଡ଼ି ହେଇଗଲି l ମୋ ପିଣ୍ଡରୁ ଆତ୍ମା ବାହାରି ଯାଇଥିଲା l ସେହି ଦିନରୁ ମୁଁ ପ୍ରେତିନୀ ସାଜି ଏଇ ମଶାଣିରେ ବୁଲୁଛି l ମୁଁ କାହାକୁ ଡରାଏନି l କିନ୍ତୁ ସମସ୍ତେ ମତେ ଡରନ୍ତି l ସେହି ଡରୁଆ ଲୋକଗୁଡ଼ାଙ୍କୁ ମୋର ଏଇ ମନର କଥା କହିବାକୁ ଇଚ୍ଛା ହୁଏ l କିନ୍ତୁ ସେମାନେ ମତେ ଦେଖି ଭୀଷଣ ଡରି ଯାଇ ପଛଘୁଞ୍ଚା ଦିଅନ୍ତି l ଆଉ କେହି କେହି ମରିଯାନ୍ତି l ହଉ କୃଷ୍ଣ ଭାଇନା ତୁମର ସାହସ ଦେଖି ମୋତେ ଭାରି ଖୁସି ଲାଗୁଛି l ଆଉ ତୁମ ଆଗରେ ମୋର ଅତୀତର ଅଭିଶପ୍ତ ନାରୀ ଜୀବନର ଅକୁହା କଥା ବିନା ସଂକୋଚରେ କହିଦେବାରୁ ମନଟା ମୋର ଏକ୍ ଦମ୍ ହାଲୁକା ଲାଗିଲା l"


ସେଇଠୁଁ ଅଜା କହିଲେ, " ତୋର ଆଶା କଣ ଅଛି କହ l ମୁଁ ପୂରଣ କରିବାକୁ ଚେଷ୍ଟା କରିବି l ତୁ ଆଉ ବାଟେଇମାନଙ୍କୁ ହଇରାଣ କରିବୁନି ତ? " ଅତୃପ୍ତ ପ୍ରେତିନୀ ଝରଣା ଉତ୍ତର ଦେଲା, " ହୁଁ ହୁଁ ହୁଁ ଛେଳିକଲିଜା ବିରିୟାନୀ ଆଉ କଚୁମ୍ବର ଖାଇବାକୁ ମୋର ଭାରି ଆଶାଥିଲା ମାତ୍ର ମୋର ସ୍ୱାମୀ ମଦୁଆ l ମତେ ଭଲ ଭାବେ ମୋ ରୁଚି ଅନୁସାରେ ଖାଇବାକୁ ଦିଅନ୍ତିନି l ଯଦି ମୁଁ କହେ ତେବେ ମାଡ଼ ଗାଳି ଖାଏ l ମୁଁ ଭାରି ଆତ୍ମ ଅଭିମାନୀ ଝିଅ l କାହାକୁ ମାଗିବାକୁ ପସନ୍ଦ କରେନି l ତୁମେ କଣ ନନା ଦେଇପାରିବ ମତେ? ତୁମେ ବ୍ରାହ୍ମଣ ଲୋକ l ତୁମ ପଇତା ମାରା ହବ l "


ଅଜା ଉତ୍ତର ଦେଲେ, " ଆଲୋ ଝରଣା ମୁଁ ତତେ କାଲି ରାତିରେ ଆଣି ଦେବି ତୋର ମନ ପସନ୍ଦ ଖାଦ୍ୟ l ଏଇଠି ଅପେକ୍ଷା କରିଥିବୁ କୁଆଡ଼େ ଯିବୁନି l ତୁ ଯୋଉ ପଇତା ମାରା କଥା କହିଲୁ ବେକାର କଥା l ମାଛ ମାଂସ ଛୁଇଁଲେ ବା ଖାଇଲେ ପଇତା ମାରା ହୁଏନା l ମନଟାକୁ ଖରାପ ଦିଗରେ ଲଗେଇଲେ ପ୍ରକୃତରେ ପଇତା ମାରା ହୁଏ l ଆମେ ପୁଲିସିଆ ଲୋକ l ମଝିରେ ମଝିରେ ମାଛ ମାଂସ ଅଣ୍ଡା ଇଂରେଜ ମଦ ଟିକେ ନଖାଇଲେ ଆମେ ଆମ ଡ୍ୟୁଟି ଠିକ୍ କରିପାରିବୁନି l ଆମ ବଡ଼ ଗୋରା ହାକିମ ଆମକୁ ଏସବୁ ଖାଇବାକୁ ବାଧ୍ୟ କରନ୍ତି l" ହଉ ଠିକ୍ ଅଛି,ରାତି ବେଶୀ ହେଲାଣି ଭାଇନା ତୁମେ ଘରକୁ ଯାଅ l ଆଉ ଡେରି କରନା l ଘରେ ପିଲାମାନେ ଚାହିଁ ବସିଥିବେ l ତୁମ ଆଗରେ ସତ ଖୋଲା କଥା କହି ଦେବାରୁ ମତେ ଉଶ୍ୱାସ ଲାଗିଲା l ମୁଁ ମୋ ବରଗଛ ଉପରକୁ ଫେରି ଯାଉଛି l ସେଠି ବର ଡାଳ ଉପରେ ଶୋଇବି l କାଲି ଫେଣି ଦେଖା ହବ l" ପ୍ରେତିନୀ ଏତିକି କହି ଧୂଆଁଟିଆ ରୂପରେ ଗଛ ଉପରକୁ ଉଠିଗଲା ଚୁଡ଼ି ଝୁମ୍ ଝୁମ୍ କରି l ତାପରେ ଆମ ଗୋସେଇଁ କୃଷ୍ଣ ଅଜା ନିଜ ଗାଁ ଆଡ଼କୁ ପାହୁଣ୍ଡ ପକେଇ ଆଗେଇ ଚାଲିଲେ ସତେଜ ମନରେ l


ଅଜା ଘରେ ପହଞ୍ଚିଲେ l ରାତି ତିନିଟା l ଗୋଡ଼ ହାତ ମୁହଁ ଧୋଇ ଗିଲାସେ କ୍ଷୀର ପିଇ ଖଟ ଉପରେ ଶୋଇ ପଡ଼ିଲେ l ବାଟଚଲା ବାଧାରେ ଅତି ଶୀଘ୍ର ତାଙ୍କୁ ନିଘୋଡ଼ ନିଦ ଆସିଗଲା l ରାତି ପାହି ସକାଳ ହେଲା l ପୁଷମାସର ଶୀତ ଅଜାଙ୍କୁ ଅଳସୁଆ କରିଦେଲା l ବିଛଣାରୁ ଉଠୁ ଉଠୁ ସକାଳ ଆଠଟା ବାଜିଗଲା l ଆଈ ଆଉ ତାଙ୍କ ବାପା ବୋଉଙ୍କୁ ଗତ ରାତିରେ ଅଙ୍ଗେ ନିଭାଇଥିବା ଘଟଣା କଥା କହିଲେ ଆଉ ପାଖ ହାଟକୁ ଯାଇଁ କେଜିଏ ଖାସିକଲିଜା କିଣି ଆଣି ଦେଲେ ଆଈଙ୍କୁ l ଆଈମା ରାନ୍ଧିବାରେ ଥିଲେ ସିଦ୍ଧହସ୍ତା l ବିଭିନ୍ନ ପ୍ରକାରର ସାଧା ଓ ଆଇଁଷ ତରକାରୀ ରନ୍ଧା ସେ ଶିଖିଥିଲେ ତାଙ୍କର ଜଣେ ମୁସଲମାନ ବବରଚି ଗୁରୁଙ୍କ ପାଖରୁ ନିଜ ସ୍ୱାମୀଙ୍କ ସମ୍ମତିରେ l ତେଣୁ କାଳ ବିଳମ୍ବ ନକରି ଶିଳରେ ଗରମ ମସଲା ବାଟି ଚାଲିଲେ l ତେଣେ ହାଣ୍ଡିଶାଳେ ମାଟିହାଣ୍ଡିରେ ବାସୁମତି ଅରୁଆ ଚାଉଳ ଫୁଟୁଥାଏ l ମାଟି ହାଣ୍ଡିରେ ମାଂସ କସି ଅରୁଆ ଚାଉଳ ମିଶାଇ ବିରିୟାନୀ ତିଆରି କଲେ l ରନ୍ଧା ସରୁ ସରୁ ଦିନ ତିନିଟା ବାଜିଗଲା l ପ୍ରେତିନୀ ପାଇଁ ଅଲଗା ଏକ ପରିଷ୍କାର ଯାଗାରେ ବିରିୟାନୀ ରଖିଲେ l ଅବଶିଷ୍ଟ ସମସ୍ତେ ଖାଇଲେ କେବଳ କୃଷ୍ଣ ଅଜାଙ୍କ ବ୍ୟତୀତ l କାରଣ ଅଜାଙ୍କ ମନ ବାରିଲା l ଅଜା କେବଳ ସରବତ ପିଇ ରହିଲେ l ତାଙ୍କର ଜିଦ୍ଦି ପ୍ରେତିନୀକୁ ଖୁଆଇଲା ପରେ ସେ ଖାଇବେ l


ଚାହୁଁ ଚାହୁଁ ହେଇଗଲା ରାତି ଦଶଟା l ଶହେ ବର୍ଷ ତଳେ ରାତିରେ ଗାଁ ଗହଳି ରହୁଥିଲା ଶୂନଶାନ୍ l ସେଦିନ ଥିଲା ପୌଷ ଅମାବାସ୍ୟା l ଅଜା ଗାଧେଇ ପଡ଼ି ସାହିର ଜଣେ କର୍ମାଣୀ ବ୍ରାହ୍ମଣଙ୍କୁ ଡାକି ସବୁ କଥା କହିଲେ l ଭାଇନା ତାଙ୍କ ସାଙ୍ଗରେ ମଶାଣୀଙ୍କୁ ଯିବାକୁ ରାଜି ହେଇଗଲେ l ଅଜାଙ୍କ କହିବା ଅନୁଯାୟୀ ତାଙ୍କର ଜଣେ ଭାଗ ଚାଷୀ ଶଗଡ଼ ଆଣି ଆସିଲେ l ଶଗଡ଼ରେ ବିରିୟାନୀ ଓ କଚୁମ୍ବର ହାଣ୍ଡି, କଦଳୀ ପତ୍ର, ମାଟି ଗିଲାସ, ହାଣ୍ଡିଏ ପାଣି, ଲୁଣ, ଲଙ୍କା, କାଗଜି ଲେମ୍ବୁ, ଆମ୍ବୁଲ ଖଟା ପାତ୍ର, ଟର୍ଚ୍ଚ ଲାଇଟ, ଲଣ୍ଠନ, ବସିବା ଆସନ ଇତ୍ୟାଦି ଲଦା ହେଲା l ସମସ୍ତେ ଶଗଡ଼ରେ ବସି ମଶାଣି ଆଡ଼କୁ ଚାଲିଲେ l ଚାରିଆଡ଼େ କିଟିକିଟିଆ ଅନ୍ଧାର l ମୁହଁକୁ ମୁହଁ ଦିଶୁ ନଥାଏ l ପ୍ରେତିନୀ ରହୁଥିବା ବରଗଛ ତଳେ ଶଗଡ଼ ରହିଲା l


ଗଛ ଉପରୁ ହଠାତ୍ ଝମ୍ ଝମ୍ ଆୱାଜ ଶୁଭିଲା l ସମସ୍ତେ ଉପରକୁ ଅନେଇଲେ l ଦେଖିଲେ ଗୋଟାଏ କଳାରଙ୍ଗର ନାରୀ ଛାୟା ମୂର୍ତ୍ତି ବାଳ ମୁକୁଳା କରି ବରଗଛ ଶାଖା ଉପରେ ବସି ଗୋଡ଼ ହଲାଉଛି l ଅଜା ସମସ୍ତଙ୍କୁ କହିଲେ, " ଇଏ କିଏ ଜାଣିଛ? ତୁମର ମନେ ଥିବ, ଭୈରୀପୁର ଗାଁର ଋଷିଆ ଚମାର କଥା ଯିଏ କି ଆମ ଗାଁକୁ ଆସି ନଡ଼ିଆ ତୋଳେ l ରୁଷିଆ ବର୍ଷେ ହେଲା ମଲାଣି l ଇଏ ତା ସ୍ତ୍ରୀ ଝରଣାର ଅତୃପ୍ତ ଆତ୍ମା l ରୁଷିଆ ମରିବାର ସାତ ବର୍ଷ ପୂର୍ବରୁ ସେ ଏଇ ମଶାଣି ଯୁଇରେ ନିଜକୁ ପୋଡ଼ି ଆତ୍ମହତ୍ୟା କରିଛି l " ବ୍ରାହ୍ମଣ ଗୋସେଇଁଙ୍କ ପରାମର୍ଶରେ ଗଛତଳେ କଦଳୀ ପତ୍ର ବିଛାଇ ଦିଆଗଲା l ପତ୍ର ଉପରେ ବିରିୟାନୀ ଆଉ ଏକ ପତ୍ର ଠୋଲାରେ କଚୁମ୍ବର ଢଳା ଗଲା l ଆଉ ଗୋଟିଏ ମାଟି ସରାରେ ପାଣି ଭର୍ତ୍ତି କରି ଦିଆଗଲା l ଲଣ୍ଠନ ଆଉ ଅଜାଙ୍କ ଟର୍ଚ୍ଚ ଆଲୁଅରେ ଏ କାମ ହଉଥାଏ l ବ୍ରାହ୍ମଣ ଗୋସେଇଁ ଶ୍ରାଦ୍ଧ ମନ୍ତ୍ର ପାଠ କରି ପ୍ରେତିନୀକୁ ଖାଦ୍ୟ ସମର୍ପଣ କଲେ l ସେହି ସମୟରେ ଗଛ ଉପରୁ ଚୁଡ଼ି ହଲା ଝଣ ଝଣ ଶବ୍ଦ ଶୁଭିଲା l ବର ପତ୍ର ଓ ଓହଳ ଖଡ଼ ଖଡ଼ ଶବ୍ଦ କରି ହଲିବାକୁ ଲାଗିଲା l ମନ୍ତ୍ର ପାଠ ଶେଷ ହେଲା l ବ୍ରାହ୍ମଣ ଗୋସେଇଁ ସମସ୍ତଙ୍କୁ କହିଲେ, " ଆମ କାମ ଶେଷ ହେଲା l ଆମେ ଚାଲ ଘରକୁ ଫେରିବା l ଆମ ଗଲାପରେ ପ୍ରେତିନୀ ତଳକୁ ଆସି ଖାଇବ l " ଅଜାଙ୍କ ସହ ସମସ୍ତେ ବରଗଛକୁ ନମସ୍କାର କରି ଘର ବାହୁଡା଼ ହେଲେ l ଶଗଡ଼ିଆ ପୂର୍ବରୁ ଶଗଡ଼ରେ ବଳଦ ଯୋଚି l କିଛିବାଟ ଶଗଡ଼ରେ ଗଲାପରେ ପଛରୁ ଗୋଟାଏ ସ୍ତ୍ରୀଲୋକର ସ୍ୱର ଶୁଣାଗଲା, " ହେ କୃଷ୍ଣ ଭାଇନା ତୁମ ପରିବାରକୁ ଭଗବାନ ଭଲରେ ରଖନ୍ତୁ l ମତେ ତୁମେ ଆଜି ପ୍ରେତ ଯୋନୀରୁ ମୁକ୍ତି ଦେଲ l ମୁଁ ସ୍ୱର୍ଗକୁ ଯାଉଛି l " ସମସ୍ତେ ଏହି ସ୍ୱରକୁ ଶୁଣି ପଛକୁ ଚାହିଁଲେ l ଦେଖିଲେ ଗୋଟାଏ ବିରାଟ ସବୁଜ ଆଲୋକ ପିଣ୍ଡ ଉପରକୁ ହଲି ହଲି ଉଠି ଯାଉଛି l

       ××××ସମାପ୍ତ××××

          



Rate this content
Log in

Similar oriya story from Children