ABADHOOT PANDA

Others Children

4  

ABADHOOT PANDA

Others Children

ବାଣ୍ଠୁଆ ବାଘ

ବାଣ୍ଠୁଆ ବାଘ

5 mins
15



ଟାଙ୍ଗି ଚୌଦ୍ୱାର ବ୍ଲକ୍ ଅଧୀନରେ ନୂଆଗାଁ ଗ୍ରାମ l ଏଇ ଘଟଣା ପ୍ରାୟ ୧୯୬0 ଦଶନ୍ଧି ର l ସେଇ ଗାଁ ରେ ଜନୈକ ଶବର ପରିବାର ରହୁଥିଲେ l ପରିବାରର ରୋଜଗାରକ୍ଷମ ଲୋକ ନାଁ ବାଣ୍ଠୁ l ତାର ଗୋଟିଏ ସ୍ତ୍ରୀ l ତା ନାଁ ଗୁରି l ବିଭାଘର ପାଞ୍ଚ ବରଷ ପୁରିଲା l ଅଥଚ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର କୌଣସି ପିଲାଛୁଆ ନଥିଲା l ଦୁଇ ଜଣ କର୍ମଠ l ମୁଲିଆ କାମ ଓ ଚାଷୀଙ୍କୁ ସାହାଯ୍ୟ କରି ଯାହା ମିଳେ ସେଥିରେ ସେମାନେ ଚାଲିଯାନ୍ତି l ନିଜର ଖଣ୍ଡେ ଚାଳ ଘର ଆଉ ଝାଟିମାଟି କାନ୍ଥ l ଗୋବର ଲିପା ମାଟି ଚଟାଣ l କାନ୍ଥରେ ଚିତା ଭାରି ସୁନ୍ଦର 

ଦିଶେ l ବାଣ୍ଠୁ ଓ ଗୁରି ଭାରି ମେଳାପୀ ଆଉ ପର ଉପକାରୀ l ଗାଁ ଲୋକେ ସେମାନଙ୍କୁ ଭାରି ଭଲ ପାଆନ୍ତି l 


ବାଣ୍ଠୁ ତନ୍ତ୍ର ବିଦ୍ୟାରେ ନିପୁଣ l ବାଘ ବାରିଣୀ ଓ ବାଘୁଆ ତନ୍ତ୍ର ତାକୁ ଅତି ଭଲ ଭାବେ ଜଣା l ସେ ଏଇ ଦୁଇଟି ବିଦ୍ୟାର ମନ୍ତ୍ରକୁ ଅତି ନିଷ୍ଠାରେ ଗାଁ ମଶାଣିରେ ବସି ସାଧିଛି l ବେଳେ ବେଳେ ତା ମନ ହେଲେ ବାଘୁଆ ତନ୍ତ୍ର ନିଜ ଉପରେ ପ୍ରୟୋଗ କରି ଵନିଯାଏ ଗୋଟାଏ ବିରାଟ ମହାବଳ ପଟାହାରିଆ ବାଘ l ସେତେବେଳେ ନୂଆଗାଁ ଚାରିପାଖରେ ଡାଳିଯୋଡ଼ା ବଣ l ବଣ ଭିତରେ ବହୁତ ହରିଣ, ସମ୍ବର, କୁଟ୍ରା ଇତ୍ୟାଦି ବାସ କରନ୍ତି l ଯଦି ବାଣ୍ଠୁର ଇଚ୍ଛା ହୁଏ ଜଙ୍ଗଲ ମାଂସ ଖାଇବାକୁ ତେବେ ରାତିରେ ସେ ବାଘ ରୂପରେ ଜଙ୍ଗଲରେ ପଶି ହରିଣ ମାରି ଆଣି ଗୁରିକୁ ରାନ୍ଧିବାକୁ ଦିଏ l କିନ୍ତୁ ପୁଣି ମଣିଷ ରୂପ ଫେରି ପାଇବାକୁ ଗୁରି ତା ଉପରେ ଶୁଖିଲାଲଙ୍କା ଗୁଣ୍ଡ ମିଶା ହଳଦୀପାଣି ଛିଞ୍ଚି ଦିଏ l ଏମିତି ଦୁଇ ଜଣଙ୍କ ଜୀବନ କଟେ l


ସେଦିନ ବୈଶାଖ ମାସ ଅମାବାସ୍ୟା ତିଥି l ଗୁରି ବାଣ୍ଠୁକୁ କହିଲା, " ହେଇ ହୋ ଶୁଣୁଛ l ମୋର ଆଜି ଭାରି ଇଚ୍ଛା ହଉଛି ମାଂସ ରାନ୍ଧି ଖାଇବାକୁ l ମୋ ପାଟିକି କିଛି ଭଲ ଲାଗୁନି l ଅରୁଚି ଲଗୁଛି l ମାଣ୍ଡିଆ ଯାଉ ଶୁଖୁଆପୋଡ଼ା ଖାଇବାକୁ ମୋର ଜମା ମନ ହଉନି l " ବାଣ୍ଠୁ ଉତ୍ତର ଦେଲା, " ହେଇଲୋ ତୁ ତ ମତେ କେବେ କହିନୁ ମାଂସ ଖାଇବାକୁ l ଆଜି କାହିଁକି ତୋ ମନ ଉଛୁଳି ପଡ଼ୁଛି? କଣ ହେଇଛି ତୋର? " ଗୁରି ମୁହଁକୁ ମୋଡ଼ି ଉତ୍ତର ଦେଲା, " ତୁ ଗୋଟାଏ ନିହାତି ବୋକା ମରଦଟା l ଅରୁଚି ମାନେ ବୁଝି ପାରୁନୁ l ତା ମାନେ ତୁ ଆଉ ଆଠ ମାସ ପରେ ବାପା ହେଇଯିବୁରେ l" ବାପା ହବା କଥା ଗୁରି ମୁହଁରୁ ଶୁଣି ବାଣ୍ଠୁ ତାଳି ମାରି ଡେଇଁବାକୁ ଲାଗିଲା l ମୁହଁରୁ ଖିଲି ଖିଲି ହସ ବାହାରି ପଡ଼ିଲା l ଗୁରି ପିଠି ଥାପୁଡ଼େଇ କହିଲା, " ସାବାସ୍ ଧାଙ୍ଗିଡ଼ି l ତତେ ନମସ୍କାର l ଆଚ୍ଛା ଠିକ୍ ଅଛି l ମତେ ଠିକ୍ ବେଳେ କହିଛୁ l ଆଜି ଅମେଇସା l ମୋର ବାଘୁଆ ମନ୍ତ୍ର ବହୁତ ବଢ଼ିଆ କାମ ଦବ l ଆଜି ରାତିରେ ଜଙ୍ଗଲକୁ ଯିବି l ମୁଁ ପାହାନ୍ତା ରେ ଫେରିବି l ତୁ ହଳଦୀ ପାଣି ରେଡି କରି ରଖିଥବୁ l ମୁଁ ଯେମିତି ଆସିବି ମୋ ଉପରେ ଛିଞ୍ଚି ଦବୁ ମନେ ପକେଇ l ଭୁଲି ବୁନି l " ଏତିକି କହି କାମରେ ଚାଲିଗଲା ବାଣ୍ଠୁ l ସନ୍ଧ୍ୟା ସନ୍ଧ୍ୟା ଘରକୁ ଫେରି ଆସିଲା l ମାଣ୍ଡିଆ ଯାଉ ଟିକେ ଖାଇ ଗାଁ ପାଖ ମଶାଣିକି ଗଲା l ସେଠି ଧ୍ୟାନରେ ବସି ମନ୍ତ୍ର ପଢ଼ି ଚାଲିଲା l ଚାହୁଁ ଚାହୁଁ ବାଣ୍ଠୁ ପାଲଟି ଗଲା ଗୋଟାଏ ବାର ଫୁଟିଆ ମହାବଳ ବାଘ l ଗର୍ଜନ କରି ଜଙ୍ଗଲ ଭିତରକୁ କୁଦା ମାରି ପଳେଇଲା l ଏଇ ଦୃଶ୍ୟ ତାର ସାଙ୍ଗ ପୁନିଆ ପରେ ଗାଁ ବାଲାଙ୍କ ଆଗରେ ବର୍ଣ୍ଣନା କରିଥିଲା l ବାଣ୍ଟୁ ବାଘ ହେଇଗଲେ ସେ ତା ଉପରେ ଘରକୁ ଫେରିବା ଯାଏଁ ନଜର ରଖେ l 


ଭବିଷ୍ୟତ କହି ହୁଏନା l ଦଇବ ଦଉଡ଼ି ମଣିଷ ଗାଈ l ମଣିଷ ଜୀବନ ରେ କେତେବେଳେ କଣ ଘଟିବ କେହି କହି ପାରିବେନି l ରାତି ଜାଙ୍ଗୁଲୁ ଜାଙ୍ଗୁଲୁ l ପୂର୍ବ ଆକାଶରେ ପୁକିଆ ତରା ଆଖି ମିଟି ମିଟି କରୁଥାଏ l ଗୋଟାଏ ବଡ଼ ହରିଣ ପାଟିରେ କାମୁଡ଼ି ବାଣ୍ଠୁଆ-ବାଘ ତା ଘର ଦୁଆର ମୁହଁରେ ପହଞ୍ଚି କବାଟରେ ହାତ ବାଡେ଼ଇଲା ମଲା ହରିଣଟାକୁ ତଳେ ରଖି ଦେଇ l କିନ୍ତୁ ତା ଭାଗ୍ୟ ଖରାପ ଥିଲା ସେଦିନ l ସେ ଘରୁ ଗଲା ପରେ ପରେ ଗୁରି ତା ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କଲା ଭୀଷଣ ଯନ୍ତ୍ରଣା l ପୁନିଆ ଥେଲା ପାଖରେ l ସେ ତାକୁ ସଙ୍ଗେ ସଙ୍ଗେ ନେଇଗଲା ପଡ଼ିଶା ଗାଁ ମୁଣ୍ଡମାଳରେ ଥିବା କବିରାଜଙ୍କ ଘରକୁ l ସେ ତାର ପେଟ ଦେଖି ଔଷଧ ଦେଲେ l ତଥାପି ପେଟରେ ହାତ ବାଡ଼େଇ ଗୁରି ତଳେ ଗଡ଼ୁଥାଏ l ତାପରେ କବିରାଜ ଆଉଟିକେ ପାୱାରଫୁଲ୍ ଜଡ଼ିବୁଟି ଓଷଧ ତାକୁ ଖୁଆଇ ଦେଲେ ଖଲରେ ଘୋରି l ଓଷଧ ପ୍ରଭାବରେ ଗୁରିକୁ ନିଦ ଆସିଗଲା l କିନ୍ତୁ ରାତି ବେଶୀ ହେବାରୁ ଗୁରିକୁ ତାଙ୍କ ଘରେ ରହିଯିବାକୁ କହିଲେ କବିରାଜ ମହାଶୟ l ପୁନିଆ ଆଉ ଗୁରି ସେଠି ଅଲଗା ଅଲଗା ଶୋଇ ପଡ଼ିଲେ l 


ତେଣେ ବାଣ୍ଠୁଆ-ବାଘ ଘର ଦୁଆର ମୁହଁ ପାଖରେ ଠିଆ ହୋଇ ତା ନଖରେ ନଖରେ ଆମ୍ପୁଡୁ ଥାଏ କବାଟକୁ l ଚାହୁଁ ଚାହୁଁ ରାତି ପାହିଗଲା l ହଳଦୀ ପାଣି ତା ଦେହରେ ନପଡ଼ି ବାରୁ ବାଣ୍ଠୁ ତାର ମଣିଷ ରୂପ ଫେରି ପାଇ ପାରିଲାନି l ଚାଲିଗଲା ବାଘୁଆ-ତନ୍ତ୍ରର ପ୍ରଭାବ l ଫେରି ଆସିଲା ବାଣ୍ଠୁର ମଣିଷ-ବୁଦ୍ଧି l ମାତ୍ର ରୂପଟା ଥାଏ ବାଘର l କାଳେ ଲୋକେ ତାକୁ ଦେଖିଲେ ବାଡ଼େଇ ମାରିଦେବେ ଭାବି ସେ ଘର ପାଖରେ ତା ଶୀକାରଟା ଛାଡ଼ି ପୁଣି ଫେରିଗଲା ଜଙ୍ଗଲକୁ ବାଘ ରୂପରେ l ଆର ଅମାବାସ୍ୟା ଯାଏଁ ତାକୁ ଅପେକ୍ଷା କରିବାକୁ ପଡ଼ିବ ମଣିଷ ରୂପ ପାଇବାକୁ l କାରଣ ଥରେ ହଳଦୀ ପାଣି ନପଡ଼ିଲେ ଏଇ ଅସୁବିଧା ହୁଏ l ପ୍ରଥମ ଥର ପାଇଁ ଆସିଥିଲା ବାଣ୍ଠୁ ଜୀବନରେ ଏଇ ଦୁର୍ଦ୍ଦଶା l ଜଙ୍ଗଲ ଭିତରେ ଥକିଗଲା ବୁଲି ବୁଲି l ଆଉ ଗୋଟାଏ ଅସଲି ବଣୁଆ ଅଣ୍ଡିରା ବାଘ ସାଙ୍ଗରେ କଜିଆ ହେଲା l ବାଣ୍ଠୁଆବାଘ ଖଣ୍ଡିଆ ଖାବଡ଼ା ହେଇ ଗଲା l ଦେହରେ କଷ୍ଟ ହେବାରୁ ସେ ବାଧ୍ୟ ହୋଇ ପଳେଇ ଆସିଲା ନିଜ ଗାଁକୁ ଭୋରୁ ଭୋରୁ l ଜଣେ ଗାଁ ଚାଷୀଙ୍କ ଖଳା ବାଡ଼ିଭିତରେ ପଶିଗଲା ଲୁଚି ଲୁଚିକା l 


ଦିନ ଆଠଟା l ସେହି ଚାଷୀଙ୍କ ସ୍ତ୍ରୀ ବାହାରକୁ ଆସିଲେ ଖଳାବାଡ଼ିରେ ଥିବା ସଜନା ଗଛରୁ ଛୁଇଁ ତୋଳିବାକୁ l ହଠାତ୍ ତାଙ୍କ ଦୃଷ୍ଟି ପଡ଼ିଗଲା ବାଣ୍ଠୁଆ ବାଘ ଉପରେ l ସେ ଡରିଯାଇ ଚିତ୍କାର କରି ପଛକୁ ଘୁଞ୍ଚି ଯାଇ ତାଙ୍କ ସ୍ୱାମୀଙ୍କୁ ଡାକ ପକେଇଲେ, " ଆଡ଼େ ଦୌଡ଼ି ଆସ ହୋ l ଆମ ବାଡ଼ିରେ ବାଘ ପଶିଛି l " କିନ୍ତୁ ବାଣ୍ଠୁଆବାଘର କିଛି ନଥାଏ ପ୍ରତିକ୍ରିୟା l ବରଂ ସେ ଆଉଜଣେ ପଡ଼ିଶାଙ୍କ ବାଡି଼ରେ ଚୁପ୍ ଚାପ୍ ପଶିଗଲା l କାରଣ ତାର ଭିତରଗୁଣଟା ମଣିଷ l ମଣିଷମାନେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ହେଲେବି ସେମାନେ ବେଳେ ବେଳେ ଡରୁଆ ପାଲଟି ଯାଆନ୍ତି ବାଘ ଭାଲୁ ଆଦି ହିଂସ୍ର ଜନ୍ତୁଙ୍କୁ ଦେଖିଲା ପଡ଼େ l ଯାହାବି ହଉ ସରପଞ୍ଚ ମହାଶୟଙ୍କ ମୁରବୀଙ୍କ କାନରେ ତୁଣ୍ଡ ବାଇଦ ପଡ଼ିଲା l ସେ ଅତି ଶୀଘ୍ର ଠେଙ୍ଗା ବାଡ଼ି ଫାର୍ଶା ଭାଲା ଟେଣ୍ଟା ମୁନା ଇତ୍ୟାଦି ଆଣି ବାଘମାରିବାକୁ ଦେଲେ ଗାଁ ଟୋକାଙ୍କୁ ନିର୍ଦେଶ l ଟୋକାମାନେ ବାଘ ପାଖରେ ପହଞ୍ଚି ଗଲେ l କିନ୍ତୁ ବାଣ୍ଠୁଆବାଘ ନିଶ୍ଚଳ ହୋଇ ପଡ଼ି ରହି ମନେ ମନେ ବୁଢ଼ାଲିଙ୍ଗ ମହାଦେବଙ୍କୁ ଡାକୁଥାଏ l ଏଇ ସମୟରେ ଖବର ପାଇ ବାଣ୍ଠୁର ସ୍ତ୍ରୀ ଓ ସାଙ୍ଗ ଆସି ପହଞ୍ଚିଲେ ଠିକଣା ଯାଗାରେ l ସେ ଦୁଇଜଣ ଗାଁ ମୁରବୀଙ୍କୁ ସଫା ସଫା କହିଲେ ବାଣ୍ଠୁ ବିଷୟରେ l ସେ କେମିତି ବାଘ ହୁଏ ପୁଣି ମଣିଷ ହୁଏ ମନ୍ତ୍ର ବଳରେ ଇତ୍ୟାଦି ଇତ୍ୟାଦି l ଗାଁ ମୁରବୀ ଓ ଗାଁ ଵାଲା ଓଗେରଙ୍କ ବଦଳିଗଲା ମନ l ମୁରବୀ କହିଲେ, " ହଉ ଏମିତି କଥା l ମତେ ଆଶ୍ଚର୍ଯ୍ୟ ଲାଗୁଛି l ଗୁରି ଓ ପୁନିଆ ତାର ଖାଇବା ପିଇବା ଦାୟିତ୍ୱ ନିଅନ୍ତୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ l ସେ ଯୋ ଉଠି ଅଛି ସେଇଠି ଥାଉ l " 


ମୁରବୀଙ୍କ କଥା ଅନୁସାରେ ଗୁରି ଆଉ ମନୁଆ ସେଇୟା କଲେ l ପ୍ରତିଦିନ ଗୁରି ଗୋଟାଏ ଲେଖା ଛେଳି ବା ମେଣ୍ଢା ଆଣି ଦିଏ l ଗୋଟାଏ ବଡ଼ ଡେ଼କ୍ଚିରେ ପାଣି ରଖେ ବାଣ୍ଠୁଆବାଘ ପାଖରେ l ଦେଖୁ ଦେଖୁ ଅମାବାସ୍ୟା ଆସିଗଲା l ସେଦିନ ପାହାନ୍ତାରେ ଘରୁ ମନ୍ତୁରା ହଳଦୀ ପାଣି ଆଣି ଯେମିତି ଛିଞ୍ଚି ଦେଇଛି ବାଣ୍ଠୁ ଉପରେ,ଆଖିପିଛୁଳାକେ ବାଣ୍ଠୁଆବାଘ ହେଇଗଲା ମଣିଷ l ଗୁରି ଓ ମୁନିଆ କୁଣ୍ଢେଇ ପକେଇଲେ ବାଣ୍ଠୁଆକୁ ଖୁସି ଗଦ ଗଦ ହେଇ l ଗୁରି ମଝିରେ,ଦୁଇ ପାଖରେ ଦୁଇ ସାଙ୍ଗ ଗୁରି କାନ୍ଧରେ ହାତ ପକା ପକି ହେଇ ହସି ହସି ଘରକୁ ଫେରିଲେ l ଗାଁ ର ମୁରବୀ ଆଉ ଚୌକିଆ ବି ପଛେ ପଛେ ଚାଲୁଥାନ୍ତି l ବାଣ୍ଠୁ ଓ ଗୁରି ସେମାନଙ୍କ ଘରେ ପହଞ୍ଚିଲେ l ଗାଁ ମୁରଵୀ ଶ୍ୟାମବାବୁ କହିଲେ, " ଦେଖ ମୁଁ ଭଗବାନ ବୁଢ଼ାଲିଙ୍ଗ ମହାଦେବଙ୍କୁ ପ୍ରାର୍ଥନା କରୁଛି କି ତୁମ ଜୀବନରେ ଏମିତି ଦୁର୍ଦଶା କେବେ ବି ନ ଆସୁ ଆଉ ଗୁରିର ଗୋଟିଏ ସୁନ୍ଦରିଆ ପୁଅ ହଉ l ହଉ ଯାଅ ଘରେ ବିଶ୍ରାମ କର l " 

     



Rate this content
Log in