Pranati Mahapatra

Inspirational

3  

Pranati Mahapatra

Inspirational

ବାହାଘର ପରେ ବେଦୀ ମୁହଁ ପୋଡା

ବାହାଘର ପରେ ବେଦୀ ମୁହଁ ପୋଡା

5 mins
169


ବାହାଘର ପାଇଁ ଖୁବ୍ ପ୍ରସ୍ତୁତି ଭିତରେ ସର୍ବପ୍ରଥମେ ବେଦୀ କରାଯିବା ପାଇଁ ସ୍ଥାନ ନିରୁପଣ କରୁଥିଲେ ରାମଚନ୍ଦ୍ର ବାବୁ । ପୁଅଝିଅ, ବ୍ରାହ୍ମଣ, ବାରିକ,ସ୍ତ୍ରୀ ଓ ପଡୋଶୀଙ୍କ ମତାମତ ପରେ ଖୁବ୍ ଯତ୍ନ ସହକାରେ ସ୍ଥାନ ନିରୁପଣ ହେଲା । କେଉଁଠି ବ୍ରାହ୍ମଣ ବସିବେ, ସାତକଳସ ଆଠ ଦୀପ ବସିବେ, ବରକନ୍ୟା କେଉଁଠି ବସିବେ ଇତ୍ୟାଦି ପରେ ବେଦୀକୁ ଆକର୍ଷଣୀୟ କରିବା ପାଇଁ ପ୍ରଥମେ ବାଉଁଶ ବନ୍ଧା ହେଲା । 

  କଦଳୀ ପଟୁଆ,ଜାମୁ ଡାଳ,ନାନା ରଙ୍ଗର ଫୁଲ ପଡିବା ସହ ଚାରିପଟେ କଦଳୀ ଗଛ ପୋତି ଦିଆଗଲା । ବେଦୀ ଆଗରେ ଝିଲିମିଲି କପଡାରେ ବରକନ୍ୟା ଦୁହିଁଙ୍କର ନାମ ଲେଖାଗଲା । ଏଥର ବେଦୀ ଜୀବନ୍ତ ହୋଇଗଲା ।


    ବେଦୀ କହିଲା ଆହା,କାଲି ମୋ ଝିଅର ବାହାଘର । ପ୍ରଭୁଙ୍କୁ ନିବେଦନ କରିଲା ପ୍ରଭୁ ମୋ ପିଲାଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ହେଉ, ମୋ ଝିଅ ଅହ୍ୟ ସୁଲକ୍ଷଣୀ ହେଉ, ହାତ କାଚ ବଜ୍ର କର ପ୍ରଭୁ, ଜୀଇଁ ଥିବା ଯାଏ ମଥାର ସିନ୍ଦୂର ଦାଉ ଦାଉ ହୋଇ ଜଳୁ, ପୁତ୍ରକନ୍ୟା, ସୁଖ ସମ୍ପଦ, ଧନଧାନ୍ୟରେ ପୁରିଉଠୁ ତା ଘର । ବେଦୀ ଆନନ୍ଦରେ ଅଧୀରା ହୋଇଗଲା ।


କାହିଁକି ନା,ଆଜି ତା ଝିଅ ବାହାଘର ପରା ।

ଖୁସିକୁ ବାହାରକୁ ଦେଖାଯାଏ ନାହିଁ ସତ,ହେଲେ ସେ ସେହି ଖୁସିରେ ଭାରି ସୁନ୍ଦରୀ ଦିଶେ । ବାରିକ ବାଲି ଓ ମାଟି ପକେଇ ସମାନ କରିଦିଏ ଯେତେବେଳେ ସେ ଆହୁରି ଖୁସି ହୁଏ । ସବୁଠାରୁ ବେଶୀ ଖୁସି ହୁଏ ଯେତେବେଳେ ସାତକଳସ, ଆଠଦୀପ, ବ୍ରାହ୍ମଣ, ପୁରୋହିତ, ନାହାକ ବସି ମନ୍ତ୍ରପାଠ ପୂର୍ବକ ବରକନ୍ୟାକୁ ଆଣିବାକୁ କହନ୍ତି । ଲୁଚି ଲୁଚି ଝିଅ ଜ୍ବାଇଁଙ୍କୁ ଦେଖି କେତେ କ'ଣ ଆଶୀର୍ବାଦ ପ୍ରଦାନ କରେ ବେଦୀ । ହସ୍ତଗଣ୍ଠି ପଡିବା ବେଳେ ବହୁତ ଆନନ୍ଦିତ ହୁଏ ଯେତେବେଳେ ଝିଅ ନାମ ସହିତ ଜ୍ବାଇଁ ନାମ କୁହାଯାଏ । ବହୁତ ଖୁସି ଆଉ ଦୁଃଖର ଭାବ ହୁଏ ତା ମୁହଁରେ ଯେତେବେଳେ ଝିଅ ବିଦାୟ ନେଇଯାଏ ସେ ଘରୁ । 


   ତା ପରଦିନ ସକାଳେ ଠପ୍ ଠପ୍ ଭଳି ଲୁହ ନିଗାଡେ କାରଣ ସେହି ବେଦୀ ଉପରୁ ବାଉଁଶ, ବତା,କଦଳୀ ପଟୁଆ ସବୁ ଭଙ୍ଗାରୁଜା ଭଳି ବିକ୍ଷିପ୍ତ ହୋଇଥାଏ । କେହି ଆଉ ସେ ବେଦୀ ଉପରକୁ ଦୃଷ୍ଟି ଆକର୍ଷଣ କରନ୍ତି ନାହିଁ ।ଚତୁର୍ଥୀ,ଅଷ୍ଟମଙ୍ଗୁଳୀ କର୍ମ ବିଧିବିଧାନ ଅନୁସାରେ ହୁଏ ସତ କିନ୍ତୁ ସେଦିନର ସେ ତେଜ ଆଉ ନ ଥାଏ ବେଦୀର ।


 ଦିନେ ପୁରୋହିତ ମହାଭାଗଙ୍କୁ ରାମବାବୁ ଏକଥା ପଚାରିଲେ, ପୁରୋହିତେ କହିଲ ଏସବୁ କାହିଁକି ଏମିତି ହୁଏ ।


 ପୁରୋହିତ ନିଷ୍ଠୁର ଉତ୍ତର ଦେଲେ, ବୁଝିଲେ ରାମବାବୁ ବାହାଘର ପରେ ବେଦୀମୁହଁ ପୋଡା ପରା ।


ରାମଚନ୍ଦ୍ର ବାବୁ ଜଣେ ଅଭିଜ୍ଞ ଲୋକ । ଭାବି ଚାଲିଥିଲେ କେତେ କଅଣ । ସତକଥା ତ, ବର୍ତ୍ତମାନ ସଂସାରରେ ଏମିତି ଅନେକ ଘଟଣା ଘଟି ଚାଲିଛି । ହେଲେ କାହିଁକି ? 

ନିଜେ ନିଜ କଥାର ପୁନରାବୃତ୍ତି କଲେ...

 ପୁଅଟିଏ ଝିଅଟିଏକୁ ନେଇ ଖୁବ ହସଖୁସିର ସଂସାର । ଗାଁ ଚାଟଶାଳୀରେ ଦୁଇକେ ଦୁଇପଣ, ଦୁଇ କାହାଣ ପଢୁଥିବା ସମୟରେ ଭୋକ ଜ୍ୱାଳାରେ ମାଗଣାରେ ବିଷାକ୍ତ ମଦ ପିଇ ପରପାରିକୁ ଟିକେଟ କାଟି ଦେଇଥିବା ବାପଛେଉଣ୍ଡ ରାମଚନ୍ଦ୍ରର ମାଆ ପରଘରେ ବାସିପାଇଟି କରି ପୁଅକୁ ସାକ୍ଷର କରିଲା ସତ ଆଗକୁ ନେଇ ପାରିଲା ନାହିଁ । ମାଟି ସଙ୍ଗେ ମାଟି ହୋଇ ଝାଟିମାଟି କୁଡିଆରେ ବିବେକାନନ୍ଦ, ସୁଭାଷ,ପଠାଣି ସାମନ୍ତ ହେବାର ସ୍ୱପ୍ନରେ ଅନେକ ଯାତନାକୁ ଦେହର ମଳି କରି ଏକାଦଶ ପାସ କଲା ରାମ । ଘର ପାଖରେ ଅନେକ ଲୋକଙ୍କ ଭିଡ଼ ଥିଲା ସେଦିନ କାରଣ ସେସମୟରେ ଏକାଦଶ ପଢୁଥିବା ଲୋକର ବହୁତ ଖାତିର ଥିଲା । ପାଖ ଗାଁରେ ଅବଧାନେ ହୋଇ ମାଆର ସ୍ୱପ୍ନ ପୂର୍ଣ୍ଣ ସହ ମାଆକୁ ଭଲ ଖଣ୍ଡେ ପିନ୍ଧିବାକୁ ଭଲ ଗଣ୍ଡେ ଖାଆବାକୁ ଦେଇଥିଲେ । ପିତୃଦତ୍ତ ଦୁଇ ଡିସମିଲ୍ ଡିହରେ ମାଆ ପୁଅ ବେଶ୍ ଖୁସିରେ ରହି ବିବାହ କଲେ । ଏଇ ପୁଅଟି ଜନ୍ମ ପରେ ଆଖି ବୁଜି ଦେଇଥିଲେ ଚଳନ୍ତି ଦେବୀ ରାମ ବାବୁଙ୍କର । ମନେ ପଡିଯାଏ ତାଙ୍କର ଏତେ ଅଭାବ ଥିଲା ଯେ ପିଲାବେଳେ, ଖୋଇ ଦେଉ ଦେଉ ବାନ୍ତି କରି ଦେଉଥିଲେ ରାମବାବୁ ମାଆ ତାଙ୍କର ହାତରେ ସେହି ବାନ୍ତି ଗୁଡିକ ଧରି ପୁନର୍ବାର ଖୋଇ ଦେଉଥିଲେ । ଆଜି ମାଆ ଛେଉଣ୍ଡ ରାମବାବୁ ମାଆର ସେହି ତ୍ୟାଗପୂତ ଜୀବନକୁ ବାରମ୍ବାର ଘରର ଚାରି କାନ୍ଥରେ ଅନୁଭବ କରୁଛନ୍ତି । 

 ଅଭିଜ୍ଞତା ଯୋଗୁଁ ଗାଁ ମାଇନର ସ୍କୁଲ, ହାଇସ୍କୁଲ ପରେ ଏଇ କିଛି ଦିନ ହେବ କଲେଜରେ ଚାକିରୀ କରିବା ପାଇଁ ଚିଠି ଆସିଛି ରାମବାବୁଙ୍କର । ଗାଁ ପାଖରୁ୧୩୫ କିଲୋମିଟର ଦୂର । ତେଣୁ ଏତେ ବାଟ ଯିବା ଆସିବା କରିବା ସମ୍ଭବ ନୁହେଁ ସବୁଦିନ ଭାବି ପୁଅ ସ୍ତ୍ରୀକୁ ନେଇ ସହରକୁ ଆସିଲେ । କିଛି ଦିନ ପରେ ଭଲ ଜାଗାଟିଏ ଦେଖି କିଣି ନେଇ ବହୁତ ସୁନ୍ଦର କୋଠାଟିଏ କରି ନେଇ *ରାମଚନ୍ଦ୍ର ନିବୟଳୟ* ବୋଲି ଲେଖିଦେଲେ ଘରର ନାମ । ଇତି ମଧ୍ୟରେ ଝିଅଟିଏ ହୋଇଥାଏ । ବେଶ୍ ହସଖୁସିରେ ପରିବାର ଚାଲିଲା ।

.............. ..........................

 ପିଲାମାନେ ବଡ଼ ହୋଇ ସ୍କୁଲ, କଲେଜ ପାଠ ଶେଷ କରି ଚାକିରୀ କଲେ । ସବୁବେଳେ ସ୍ତ୍ରୀ କହିଲେ କି ପୁଅ ବାହାଘର କର । ମୋତେ ଆସି ୫୦ ଛୁଇଁଲା, ଆଉ କାମକୁ ପାରୁନାହିଁ । ଏଥର ବୋହୁ ହାତ ପରସାକୁ ଭାରି ଆଶା । 

ସତକୁ ସତ ପୁଅ ପସନ୍ଦର ଝିଅ ସହ ବାହାଘର ସରିଗଲା । ଝିଅଟି ବହୁତ ବଡ଼ ଘରର ଝିଅ । 

ଘରକାମ କଥା ତ ଛାଡ, ଯେତିକି କାମ କରି ନ ପାରୁଥିବା ପତ୍ନୀ ବୋହୁ ପାଇଁ ଅଳି କରୁଥିଲେ, ଆଜି ତା ଦଶଗୁଣା କାମ ହସି ହସି କରୁଛନ୍ତି ପଛେ ପ୍ରତିବାଦ ନାହିଁ ।

ତଥାପି ଘରେ ଅଶାନ୍ତି ସବୁବେଳେ ଲାଗି ରହିଥିଲା । କେତେବେଳେ ଭେରାଇଟ୍ ଆଇଟମ ହେଉନାହିଁ ତ କେତେବେଳେ ବୋହୁର ପସନ୍ଦ ଅନୁସାରେ କାମ ହେଉନାହିଁ ।

ହଠାତ ଚା ପିଉଥିବା ସମୟରେ ପୁଅବୋହୁ ଏକତ୍ର ଆସି ପହଞ୍ଚି ଗଲେ । ପୁଅ ପଛେ କହିଲା ହେଲେ ବୋହୁ ଆଗ ପାଟି ଖୋଲି କହିଲା, ବାପା ଏ ଛୋଟ ଘରେ ଆମେ ଆଉ ରହି ପାରିବୁ ନାହିଁ । ଆମେ ଅନ୍ୟତ୍ର ରହିବୁ ବୋଲି ଶେଷ ନିଷ୍ପତ୍ତି ନେଇ ସାରିଛୁ । ଏଠାରେ ଚାକର ନାହିଁ, ମୋ କଥା କେହି ଶୁଣୁ ନାହାଁନ୍ତି । ତେଣୁ ଆମ ନିଷ୍ପତ୍ତି ତ ଶୁଣେଇଦେଲି । କହି ଝଡବେଗରେ ଦୁହେଁ ଚାଲିଗଲେ ।

ରାମବାବୁ କହିଲେ ମଧ୍ୟ, ଇରେ ବାପରେ, ଏ କଣ ଝଡ଼ ହୋଇ ମାଡି ଆସିଲେ ବହେ ଛେଚି ଦେଇ ପୁଣି ଝଡ଼ବେଗରେ ପଳେଇ ଗଲେ । ହେଉ ସନ୍ଧ୍ୟାରେ ଏ ବିଷୟରେ କିଛି ଆଲୋଚନା କରିବି ପୁଅ ସହ । 


  ଉପର ଓଳି ବଜାର ଆଡକୁ ବୁଲାବୁଲି କରିବା ପାଇଁ ଯାଇ ଦେଖିଲେ ଗୋଟିଏ କୋଠା ଆଗରେ ଲେଖା ଯାଇଛି *ଗୋବିନ୍ଦ ନିବାସ*, ଏହି ସମୟରେ ଜଣେ ସିକ୍ୟୁରିଟି ଆସି ହାତ ଧରି ଟାଣିଲା ଭିତରେ ବାବୁ ଡାକୁଛନ୍ତି । ବଡ଼ ଦ୍ବନ୍ଦ ମନରେ ଭିତରେ ଯାଇ ଯାହା ଦେଖିଲେ ରାମବାବୁ ଭାବିଲେ ସତରେ ପୃଥିବୀ ଦୁଇଫାଳ ହୋଇ ଫାଟି ଯିବକି ଆଉ । ମଝିରେ ଗୋଟିଏ ବଡ଼ ଆସନ ପଡିଛି, ତା ଉପରେ ବସିଛି ତାଙ୍କ ନିଜ ପୁଅ ଗୋବିନ୍ଦ ଚନ୍ଦ୍ର ।

ପାଖକୁ ଗଲେ ରାମବାବୁ...

ହଇରେ ଗୋବିନ୍ଦା, ମୁଁ ତୋର କି ଅପରାଧ କରିଥିଲି କିରେ । 

 ବୁଢା ବୁଢ଼ୀ ବେଳେ ତୁ ଆମକୁ ଏଇ ଯନ୍ତ୍ରଣା ଦେଲୁ !

କେଉଁଥିରେ ତୋର ଅଭାବ କରିଥିଲି ବାବା ! ଆଜି ମୋ ଛାତି ଉପରେ ଭାରତ ପାକିସ୍ତାନ ଗେଟ ଠିଆ କରେଇ ଦେଲୁ ।

କି ଅଭାବ କରିଥିଲା ତୋ ମାଆ, ଆଜି ଏଇ କାକର ସଞ୍ଜରେ କ୍ଷୀର ଓଜନ ହାଲକା କରି ଦେଲୁ । ଏ ସହରର ଓଜନିଆ ଚିକିମିକିଆ ସଞ୍ଜରେ ତୁ ଏକା ଏକା ଚାଲିବାକୁ ନିଷ୍ପତ୍ତି ନେବା ପୂର୍ବରୁ ମୋ ଝାଳୁଆ ଗାମୁଛାଟା ମୋତେ ଫେରେଇ ଦେ ବାବା,

ସ୍ମାର୍ଟ ସିଟିର ବହଳିଆ ଆଲୁଅରେ କଫି ପିଇବା ଆଗରୁ ଦୁଇ ଡିସମିଲ୍ ଗାଁ ଡିହରେ ମାଟି ଗନ୍ଧାଉଥିବା କାନି ଉପରେ ଶୋଇ ପିଇଥିବା ମାଆ ଛାତିର ସେହି କେତେ ବୁନ୍ଦା କ୍ଷୀରକୁ ଫେରେଇ ଦେବୁ ବାବା । 

ଏଇ ଆଲିସାନ ବଙ୍ଗଳାର ଶିଶୁ କାଠ ନିର୍ମିତ ଦୋଳିରେ ଝୁଲିବା ଆଗରୁ ଫେରେଇ ଦେବୁ ବାବା ତୋ ମାଆର ଝାଳୁଆ କୋଳରେ ଧୋ ରେ ବାଇଆ ଗୀତ ଗାଉଥିବା କୋଳକୁ । ମୋ ଗାଆଁର ଜହ୍ନରାତି, ତାରା ଖଚିତ ଆକାଶ,ମୋ ଗାଆଁ ଦାଣ୍ଡ,ମୋ ପୋଖରୀରେ ପହଁରା, ମୋ ଗଡିଆ ମାଛକୁ ମୋତେ ଫେରେଇ ଦେବୁ ନିଶ୍ଚୟ । 

ଫେରେଇ ଦେବୁ ବାବା ହେଲିକପ୍ଟରରେ ବସିବା ଆଗରୁ, ଏଇ ମଳିମୁଣ୍ଡିଆ ବୁଢାର କାନ୍ଧରେ ବସି ସାରା ରାଇଜ ବୁଲିଥିବା ପାଉଣାଟା ।

********************************


ତୁ ତ କହିଥିଲେ ଏ କଲିଜାଟା ଛାତିରୁ କାଢି ନିଜେ ତୋତେ କର୍ଣ୍ଣ ହୋଇ ରୋଷେଇ କରି ଦେଇ ଦେଇଥାନ୍ତି ବାବା, ହେଲେ ତୁ ତ ମୋ ଆତ୍ମାକୁ ଆଜି ଦାସତ୍ୱ ନୁହେଁ ଚିରଦିନ କଳାପାଣିର ନିର୍ବାସନ ଦଣ୍ଡ ଦେଇଦେଲୁ। 

ତୁ କହିଥିଲେ ରାମଚନ୍ଦ୍ର ନିବାସ ବଦଳରେ ଗୋବିନ୍ଦ ନିବାସ ଲେଖି ଦେଇଥାନ୍ତି ମୁଁ ଗର୍ବରେ, ଆତ୍ମତୃପ୍ତିରେ ଆନନ୍ଦରେ । ହେଲେ ବାବା ଏମିତି କାହିଁକି କଲୁ । 

ଏତେ ସବୁ କଥା ଏକାନିଃଶ୍ୱାସରେ କହି ସାରି ସଂଜ୍ଞା ହୀନ ଅବସ୍ଥାରେ ପ୍ରାୟ ବାହାରି ଆସିବା ବେଳେ ଶୁଭୁଥାଏ କାହାର କଟାକ୍ଷ ବାହାଘର ପରେ ବେଦୀ ମୁହଁ ପୋଡା ।

ବାପ ହୋଇ ପିଲାକୁ ବଡ଼ କରିଛ, କ'ଣ ଏମିତି ଆଲୁଅ କରି ଦେଇଛ ଯେ ଫେରାଦି ପାଇଁ ଧାଇଁ ଆସିଛ ।

ପୁରୋହିତେ ଡାକୁଥିଲେ ରାମବାବୁ -

କଣ ଭାବନା ଭିତରେ ହଜିଗଲେ କି !

 ନାହିଁ ଆଜ୍ଞା, ଆପଣ ସତ କହିଲେ ବାହାଘର ପରେ ବେଦୀମୁହଁ ପୋଡା ।



Rate this content
Log in

Similar oriya story from Inspirational