Siddhartha Tripathy

Abstract Tragedy Inspirational

4.7  

Siddhartha Tripathy

Abstract Tragedy Inspirational

ବାର୍ଦ୍ଧକ୍ଯର ଅତ୍ମଲିପି

ବାର୍ଦ୍ଧକ୍ଯର ଅତ୍ମଲିପି

3 mins
551



ଜନ୍ମ, ଜରା, ମୃତ୍ୟୁ ଏକ ଚିରାଚରିତ ପ୍ରକ୍ରିୟା। ଏକବିଂଶ ଶତାବ୍ଦୀରେ ଆମେ ଚନ୍ଦ୍ରପୃଷ୍ଠରେ ଗୃହନିର୍ମାଣ ଯୋଜନାରେ। ଆଧୁନିକତାର ଚରମ ସୋପାନରେ ।


କିନ୍ତୁ......


ଟିକେ ଅନୁଶୀଳନ କଲେ ,


୧୯୭୦ ମସିହା ପର୍ଯ୍ୟନ୍ତ ବାପା ଥିଲେ ଘରର ମୁରବୀ। 

୧୯୯୦ ମସିହା ପରେ ବାପାମାଆ ଉପଲବ୍ଧି କଲେ ବାହାରେ ପୁଅଟିର ଖାଇବା ପିଇବା ଘୋର ଅସୁବିଧା ତେଣୁ ପୁଅସହ ବୋହୁକୁ ଛାଡିଦିଆଯାଉ ଭାବିଛାଡିଦିଅନ୍ତି। 


ମୋ କ୍ଷେତ୍ରରେ ବି ସେଇଆ ଘଟିଲା।ସାନଭାଇ ବାଙ୍ଗାଲୁରୁରେ ତା ପରିବାର ସହ। ଭଉଣୀ ବାଙ୍ଗାଲୁରୁରେ ତା ପରିବାର ସହ। ତିନିଚାରିବର୍ଷରେ ଥରେ ଦେଖାହେବା ମୁସ୍କିଲ। ଆଜି ମୋ ଏକମାତ୍ର ଭଣଜାର ବ୍ରତ ପାଇଁ ସମସ୍ତେ ବ୍ରହ୍ମପୁରରେ। 


ନିଜ ନିଜର ଛୁଆପିଲାଙ୍କ ଜଂଜାଳରେ ସମସ୍ତେ ବ୍ୟସ୍ତ। ହେଲେ ବାପାମାଆ ?

ବେଲଗୁଣ୍ଠା ହାଇସ୍କୁଲରୁ ପ୍ରଧାନଶିକ୍ଷକ ପଦବୀରୁ ଅବସର ନେଲା ପରେ ସଞ୍ଚିତ ଅର୍ଥରେ କ୍ରୟ କରିଥିବା ବ୍ରହ୍ମପୁର ଘରେ ଅବସ୍ଥାପିତ। ଗାଆଁରେ ଜମିବାଡି ।

କିନ୍ତୁ ବ୍ରହ୍ମପୁର ଘର ଛାଡିଗଲେ ଚୋରିଭୟ। ତେଣୁ ଜଗିରହିବାକୁ ବାଧ୍ଯ।


ବୟସ ବଢିଲେ ମନ ଛୁଆ ହୁଏ। ନାତି,ନାତୁଣୀ ମନେପଡନ୍ତି। କିନ୍ତୁ କାହାରି ଦେଖା ମିଳେନି। ବାହାରେ ଅମୁକ ନାତି ଡାକ୍ତର, ସମୁକ ନାତୁଣୀ ବିଦେଶରେ କହି ଉପରକୁ ହସୁଥିଲେ ବି ଅନ୍ତର କାନ୍ଦୁଥାଏ। 


ଜ୍ୟେଷ୍ଠପୁତ୍ର ମୁଁ । ସବୁ ବୁଝିପାରେ କିନ୍ତୁ ନାଚାର । ରାଜ୍ଯ ସରକାରଙ୍କ ଅଧିନରେ ଚାକିରୀ ତା'ପୁଣି ଯନ୍ତ୍ରୀ ପଞ୍ଚାୟତିରାଜରେ। ଘଡିକେ ଘୋଡା ଛୁଟେ। ପ୍ରତିମୁହୂର୍ତ୍ତରେ ବାପାଙ୍କ ସଚ୍ଚୋଟତା, ଅଧ୍ୟାପନା ମନେପଡେ। ମନଟା ଛଟପଟ ହୁଏ କିଛି କରିବାକୁ। 


ଚାକିରୀକ୍ଷେତ୍ରରୁ ଛୁଟି ନେଇ ଦିନେ ଦୁଇଦିନ ବ୍ରହ୍ମପୁର ଆସିଲେ ବାପାମାଆଙ୍କ ସେବା ପରିବର୍ତ୍ତେ ବଜାରରେ ନିଜର ଆବଶ୍ୟକୀୟ ସୌଖିନ ସାମଗ୍ରୀ କ୍ରୟରେ ସମୟ ସରିଯାଏ ଓ ମୁଁ ଫେରିଯାଏ ଚାକିରୀ କ୍ଷେତ୍ରକୁ।


ଫେରିଗଲା ପରେ ମନେପଡିଯାଏ ବୋଉର ବାର୍ଦ୍ଧକ୍ଯଜନିତ ପିଡା ପାଇଁ ଔଷଧ ଭୁଲିଯିବା କଥା। ବୋଧହୁଏ ନିଜ ସାମଗ୍ରୀ କ୍ରୟରେ ସମୟ ଦେଇ ମୁଁ ଜାଣିଶୁଣି ଏଡାଇଯାଏ। 

ସବୁକିଛି ସରିଗଲା ପରେ ଅନୁଶୀଳନ କରିବା ମୋର ଛୋଟବେଳୁ ବଦଭ୍ୟାସ। 

ଏଇ ଯେମିତି ଇଞ୍ଜିନିୟରିଂ ପଢିବା ସମୟର କଥା। ଏକା ବାହାରେ ରହି ପଢୁଥାଏ ମୁଁ। ବ୍ରହ୍ମପୁରରେ ସେତେବେଳେ ସର୍ବମୋଟ ଚାରୋଟି ପ୍ରେକ୍ଷାଳୟ। ନୁନ ସୋ ଠାରୁ ନାଇଟ ସୋ ଯାଏଁ ଗୋଟିଏ ଚଳଚ୍ଚିତ୍ର ଦେଖି ଭଡାଘରକୁ ଫେରିଲା ପରେ ମନେମନେ ଭାବେ ମୁଁ ପାଠ ପଢିବାକୁ ଆସି ଏ କ'ଣ କରୁଛି ? ଏମିତି ଭାବୁଭାବୁ କୁଆ କା କା ରାବେ। ପରଦିନ ଦିନସାରା ମୁଁ ନିଦ୍ରାଦେବୀଙ୍କ କୋଳରେ। 


କେମିତି କରି ଇଞ୍ଜିନିୟରିଂ ପାଶ୍ କରିଗଲି। ତାପରେ ଚାକିରୀ ଓ ସଂସାର। ଏତେ ଅବହେଳା ଭିତରେ ବି ବାପାବୋଉ ପଦେ ଆକ୍ଷେପ କରିନାହାନ୍ତି। ଆମର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। 


ଭଣଜା ବ୍ରତର ଦିନକ ପୁର୍ବରୁ ପହଞ୍ଚିଗଲି ଘରେ। ଘର ଖାଁ ଖାଁ। ବାପାଙ୍କୁ ପଚାରିଲି ସାନଭାଇ ଓ ଭଉଣୀ କେଉଁଠି ? ବୋଉ କହିଲା ବାବୁରେ ! କରୋନା ସମୟ ତ। ସେମାନେ ସପରିବାର ହୋଟେଲରେ ଅବସ୍ଥାନ କରୁଛନ୍ତି। ଆମ ଘରେ ଚଳିବା ସୁବିଧା ନାହିଁ। ଉପରକୁ ହସୁଥିଲା ବୋଉ କିନ୍ତୁ ଅନ୍ତରରୁ ତାର ବୁଢୀ ଆତ୍ମା କାନ୍ଦୁଥିଲା ମୁଁ ଠିକ୍ ବାରିପାରୁଥିଲି। 


ହୋଇପାରୁ ଆମେ ଆଧୁନିକ। କିନ୍ତୁ....


ସେଇ ବୋଉର ବାସିଡାଲି, ପଖାଳଭାତ ହିଁ ଆମକୁ ମଣିଷ କରିଛି। ଆଜି ସଫଳତାର ସିଡି ଚଢିଗଲା ପରେ ଆମେ ପଛକଥା ବୋଧହୁଏ ଭୁଲିଯାଇଛେ। 


ବୋଉର ବାତଜନିତ ରୋଗ। ଚାଲିବା କଷ୍ଟ।ମନଟା ସମ୍ଭାଳିଲାନି। 

ଡାକ୍ତରପାଖକୁ ନେଇ ଯତକିଂଚିତ୍ ସେବାକରି ଆତ୍ମସନ୍ତୋଷ ଲାଭ କଲି। ତାପରେ ବାହାରିଗଲୁ ବ୍ରତଘରର ପ୍ରାକପ୍ରସ୍ତୁତି ଦେଖିବାକୁ। 


କେହି କାହାକୁ ଚିହ୍ନିବାର ନାହିଁ। ହ୍ୟାଲୋ, ହାଏ, ବାଏ। ଭଲଲାଗିଲା ନାହିଁ ପରିବେଶ। ବୋଉକୁ ଛାଡି ଚାଲିଆସିଲି ଘରକୁ। ବାପା ଏକା। ଲେଖାରେ ବ୍ୟସ୍ତ। ମୁଁ ବୁଦ୍ଧିଜାଣିବା ଦିନରୁ ତାଙ୍କର ଲେଖା ଓ ବକ୍ତୃତାର ଦୃଢ ପ୍ରଶଂସକ। ସେ ହିଁ ମୋର ଲେଖିବାର ପ୍ରେରଣା। 


ରାମଚରିତମାନସ ପ୍ରବଚକ ତଥା ବିଶିଷ୍ଟ ସ୍ତମ୍ଭକାର। ପ୍ରତିଭାର ବହୁଳ ପ୍ରଚାରପ୍ରସାରର ଅଭାବରୁ ବଣମଲ୍ଲୀ ବଣରେ ଫୁଟିଲା ପରି ତାଙ୍କର ପ୍ରତିଭା ଆଶାନୁରୂପ ଲୋକଲୋଚନକୁ ଆସିପାରିଲା ନାହିଁ। ନିପଟ ମଫସଲର ଗରୀବ ପରିବାରର ପୁଅଟିଏ ସଫଳ ପିତା, ସଫଳ ପତି, ବିଶିଷ୍ଟ ଶିକ୍ଷାବିତ ହୋଇପାରିବା କମ୍ ଗୌରବର କଥା ନୁହଁ। 


ଆଜି ମୁଁ ବସି ଭାବୁଛି । ସମସ୍ତେ କୁହନ୍ତି ପୁଅ ବାପକୁ ମୁଖାଗ୍ନି ଦେଲେ ସ୍ୱର୍ଗପ୍ରାପ୍ତି। 

କିନ୍ତୁ....ପ୍ରତିଷ୍ଠିତ ହୋଇ ବାପାମାଆଙ୍କୁ ଏକା ଛାଡି ପିଲାମାନେ ଯେ ଝା ରାସ୍ତାରେ। ବିଳପିଉଠେ ମାତୃତ୍ବ। 

ବଞ୍ଚିଥାଉଥାଉ ନର୍କଯନ୍ତ୍ରଣା ଦେଲାପରେ ମୃତ୍ୟୁପରେ ସ୍ୱର୍ଗ, ନର୍କ କିଏ ଦେଖିଛି ? ମୁଖାଗ୍ନିର ମାନେ କ'ଣ ?


ସତାଅଶୀ ବର୍ଷ ବୟସରେ ମଧୁମେହ ରୋଗରେ ପିଡିତ ବିଶିଷ୍ଟ ଶିକ୍ଷାବିତ, ସ୍ତମ୍ଭକାର ଶ୍ରୀଯୁକ୍ତ ହୟଗ୍ରୀବ ତ୍ରିପାଠୀ ଥରଥର ପାଦରେ ଛକରୁ ସଉଦା ଧରି ଆସିଲେ ସତସ୍ତରୀ ବର୍ଷର ସହଧର୍ମିଣୀ ବାତ ରୋଗରେ ପିଡିତା ସୁପ୍ରୀତିଦେବୀ ରୋଷେଇ କରନ୍ତି ଓ ବାପାଙ୍କର ଯାବତୀୟ କାର୍ଯ୍ଯରେ ସାହାଯ୍ୟ କରନ୍ତି ଓ ଜ୍ୟେଷ୍ଠପୁତ୍ର ଶୀତତାପ ନିୟନ୍ତ୍ରିତ ବ୍ରିଜା ଗାଡିରୁ ଓହ୍ଲେଇ ଘରେ ପଶୁପଶୁ ମୁହଁ ପୋଛି ପଚାରନ୍ତି , ବାବୁରେ ! କେତେ ଝଡିଯାଇଛୁ। ଏହା ହିଁ ନିୟତି ନା ?


ଆଜି ବାପାଙ୍କ ଶୋଇବାଘର କାନ୍ଥରେ ତାଙ୍କରି ଲିଖିତ ଦୁଇଧାଡି ପଢି ମୋ ଶରୀର ସାରା ଶ୍ୱେଦଯୁକ୍ତ ହୋଇଗଲା। ଆଖିର ଲୁହ ବୋଲ ମାନୁନଥିଲା। 

ତେଣୁ ଲେଖିବାର ପ୍ରୟାସ କଲି, 

*" ବାର୍ଦ୍ଧକ୍ଯର ଆତ୍ମଲିପି। "*

ବାପାଙ୍କ ଶୋଇବାଘର କାନ୍ଥରେ ସେ ଲେଖିଥିଲେ, 


" ତୁ ଆଗ ଚାଲିଗଲେ ମୋର, 

 ମୁଁ ଆଗ ଚାଲିଗଲେ ତୋର, 

କ'ଣ ହେବ ଭାବିଛୁ !!!

ଚାଲେ ଆମେ ସାରଙ୍ଗ ପକ୍ଷୀ ହୋଇଯିବା ।

ଦିନରାତି ଏ ଚିନ୍ତା ଘାରୁଛି, 

ସବୁ ଝଗଡାଝାଣ୍ଟି ସତ୍ତ୍ୱେ, 

ମୋ ବିନା ତୁ, ତୋ ବିନା ମୁଁ 

ବଞ୍ଚିବା ଅସମ୍ଭବ। 

ସୁପ୍ରୀତି ପାଇଁ ~ ହୟଗ୍ରୀବ। "


ଦୀର୍ଘ ଛବିଶବର୍ଷ ଅନବରତ ନିରବଚ୍ଛିନ୍ନ ଅନୁପମଭାରତର ସ୍ତମ୍ଭକାରଙ୍କର ଆଜିର ଏହି କାନ୍ଥଲେଖା କେଇପଦ ମୋର ଜ୍ୟେଷ୍ଠତ୍ୱକୁ ଧିକ୍କାରୁଥିଲା। ଆମେ କହୁଛେ ଆମେ ବ୍ୟସ୍ତ, ସମୟ ନାହିଁ। କିନ୍ତୁ ଏଡୁଟିରୁ ଏତେବଡ କରି ଗଢିତୋଳିଥିବା ବାପାମାଆ କ'ଣ ବ୍ୟସ୍ତ ନଥିଲେ। ସେମାନେ ତ ଆମକୁ ସୁଯୋଗ୍ୟ କରିବାରେ କୌଣସିଥିରେ କମ୍ କରିନାହାନ୍ତି। 

ତାହେଲେ ଆମେ ବି ତ ଦିନେ ବୁଢା ହେବା । ଏତେବଡ ମହାମନିଷୀ ଯେତେବେଳେ ନିଜକୁ ଅସହାୟ ମଣି କାନ୍ଥରେ ବାର୍ଦ୍ଧକ୍ଯର ଆତ୍ମଲିପି ଲେଖୁଛନ୍ତି, ଆମେ ଅଯୋଗ୍ୟସନ୍ତାନ ମାନଙ୍କ ପାଇଁ ତ ଆଉ ଆତ୍ମଲିପିର ସ୍ଥାନ ନାହିଁ। 

ନେଡିଗୁଡ କହୁଣୀକୁ ବୋହିଗଲା ପରେ ଆଉ ଭାବି ଲାଭ କ'ଣ ?

କେବଳ ଅନୁଶୋଚନା, ଆତ୍ମଗ୍ଳାନି। 

ଏଇ କେଇପଦ ତାଙ୍କ ପ୍ରତି କରିଥିବା ଅବହେଳାର ତାଳିପକା ପ୍ରୟାସମାତ୍ର। 


ସମାପ୍ତ



Rate this content
Log in

Similar oriya story from Abstract