ଭାଗ୍ୟଚକ୍ର
ଭାଗ୍ୟଚକ୍ର
ଦୁର୍ଗାପୂଜା ପାଖେଇ ଆସୁଥାଏ। ସହର ଧୀରେ ଧୀରେ ଚଳଚଞ୍ଚଳହୋଇ ଉଠୁ ଥାଏ। ସବୁ କମ୍ପାନୀ ରେ ବଡ଼ବଡ଼ ରିହାତି ରେ ଇସ୍ତାହାର ଚାଲିବା ଆରମ୍ଭ ହୋଇ ଯାଇଥାଏ। ମଦନ ର କିନ୍ତୁ ସେ କମ୍ପାନୀ ଗୁଡ଼ିକରେ ଦିଆ ଯାଉଥିବା ରିହାତି ପ୍ରତି ନଜର ନଥାଏ ।ମଦନ ଗୋଟେ ଛୋଟ ଘରୋଇ କମ୍ପାନୀ ରେ କେୟାର ଟେକର ଭାବେ
କାର୍ଯ୍ୟ ରତ ଥାଏ। ସେ ଚାକିରୀ ଆରମ୍ଭ କରିବା ଦିନଠୁ ସେଇ କମ୍ପାନୀ ରେ ଅତି ଇମାନଦାର ଭାବେ କାମ କରୁଥିବାରୁ କମ୍ପାନୀ ର ମାଲିକ
ମଦନ ହାତରେ କମ୍ପାନୀ ର ଚାବି ହିଁ ଧରାଇ ଦେଇ ଥାଆନ୍ତି।ଘରେ ତା'ର ପିତା ,ମାତା , ସ୍ତ୍ରୀ ଓ ଗୋଟିଏ ପୁଅ କୁ ନେଇ ସୁଖୀ ସଂସାର। ସେ ସେହି କମ୍ପାନୀ ରୁ ଚାଳିଶ ହଜାର ଟଙ୍କା ଦରମା ପାଏ।
କଷ୍ଟେ ମଷ୍ଟେ ସଂସାର ଚଳିଯାଏ । ପୁଅକୁ ଗୋଟେ ଭଲ ସ୍କୁଲରେ ପାଠ ମଧ୍ୟ ପଢ଼ାଉଥାଏ।
ପିଲାଦିନେ ମଦନ ଖୁବ ଭଲ ପାଠ ପଢୁଥିଲା। ସ୍କୁଲରେ ସବୁବେଳେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା। ଶିକ୍ଷକ ମାନଙ୍କର ଖୁବ ପ୍ରିୟ ମଧ୍ୟ ଥିଲା। ଭଲ ପାଠ ପଢୁ ଥିବାରୁ ତାକୁ ସମସ୍ତେ ଚିହ୍ନି ଥିଲେ। ସମସ୍ତଙ୍କର ଧାରଣା ଥିଲା। ମଦନ ବଡ଼ ହେଲେ କିଛି ଗୋଟେ ବଡ଼ ଚାକିରୀ କରିବ।
ମେଟ୍ରିକ ପରୀକ୍ଷା ରେ ନାଇଣ୍ଟି ଫାଇପ୍ ପରସେଣ୍ଟ ରଖି ପାସ କରିଥିଲା।ମଦନ ର ସୁଧୀର ନାମରେ ଜଣେ ଖୁବ ଭଲ ସାଙ୍ଗ ଥିଲା। ସେ ଏତେ
ଭଲ ପାଠ ପଢୁନଥିଲା କିନ୍ତୁ ମଦନ ସହ ସବୁବେଳେ ସାଙ୍ଗ ହେଉଥିଲା। ମଦନ ର ପିତା ଜଣେ ଶ୍ରମିକ ଥିଲେ ସେଥିପାଇଁ ଘରେ ସବୁବେଳେ
ଆର୍ଥିକ ବାଧା ଲାଗିରହିଥିଲା । ମେଟ୍ରିକ ପରେ ମଦନ ଅଧିକ ପଢ଼ିବାକୁ ଚାହିଁଥିଲେ ମଧ୍ୟ ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ତା' ପିତା ତାକୁ ଅଧିକ
ପଢ଼ାଇବାକୁ ଅସମର୍ଥ ଥିଲେ ସେଥିପାଇଁ ସେ ଆଉ ପାଠ ନ ପଢ଼ି ନିଜେ ରୋଜଗାର କରିବାକୁ ଏକ ଘରୋଇ କମ୍ପାନୀ ରେ ଚାକିରୀ କଲା ।
ସେପଟେ ସୁଧୀର ର ପିତା ମେଟ୍ରିକ ପାସ ପରେ ଅଧିକ ପାଠ ପଢ଼ି ବାକୁ ତା'କୁ ବାହାରକୁ ପଠାଇ ଦେଇଥିଲେ ସେଥିପାଇଁ ମଦନ ସହ ତା'ର
କୌଣସି ପ୍ରକାର ସମ୍ପର୍କ ନଥିଲା।ମଦନ ସେଇ ଘରୋଇ କମ୍ପାନୀ ରେ ଚାକିରୀ କରିବାର ପ୍ରାୟ ପଚିଶ ବର୍ଷ ବିତି ଯାଇଥିଲା। ମଦନର ପୁଅବି ବଡ଼ ହୋଇ ଯାଇଥିଲା। ବଡ଼ ସ୍କୁଲରେ ପଢ଼ୁଥିବାରୁ ତା'ର ସବୁ ଖର୍ଚ୍ଚ ବି ବେଶି ଥିଲା। ମଦନ ନିଜେ ଛୋଟ ବେଳୁ ନିଜର ଇଚ୍ଛା କୁ ସବୁ ମାରି ବଢିଥିବାରୁ ସେ ତା' ପୁଅର ସବୁ ଇଚ୍ଛା ପୂରଣ କରୁଥିଲା।ପୂଜା ବେଳେ ଯେତେ ଅଫର ସବୁ ଚାଲେ ମଦନ କୁ କିଛି ଜଣା ନଥିଲେ
ମଧ୍ୟ ତା'ପୁଅକୁ ସବୁ ଜଣାଥାଏ। ଦିନେ ତା' ପୁଅ କହିଲା, " ପାପା! ମୋର ସବୁ ସାଙ୍ଗଙ୍କ ପାଖରେ କମ୍ପ୍ୟୁଟର ଅଛି ମୋତେ ବି କମ୍ପୁଟର ଦରକାର। ମଦନ ପ୍ରଥମେ ତାକୁ ମନା କରି ପରବର୍ତ୍ତୀ ବର୍ଷ ଦେବ ବୋଲି କହିଲା କିନ୍ତୁ ପୁଅ ଜମା ବି ମାନିଲା ନାହିଁ। ସ୍ତ୍ରୀ ମଧ୍ୟ ପୁଅକୁ ସପଟ କରି ତା' ସହ ଝଗଡ଼ା କଲା। ଘରେ ଏତେ ଅଶାନ୍ତି ବଢ଼ିଯାଇଥିଲା ଯେ ମଦନ ଶାନ୍ତିରେ ରହିପାରୁନଥିଲା।କମ୍ପ୍ୟୁଟର କିଣିବାକୁ ହେଲେ ଅତି କମ୍ ରେ ପଚାଶ ଷାଠିଏ ହଜାର ଟଙ୍କା ଦରକାର। ସେ ଏତେ
ଗୁଡ଼ିଏ ଟଙ୍କା କୋଉଠୁ ଆଣିବ। ଏପଟେ ତା' ଅବସ୍ଥା ବୁଝିବାକୁ କେହି ନାହାଁନ୍ତି । ନିଜ ସ୍ତ୍ରୀ ,ପୁଅ ତା' ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ପୁଅ ରାଗିକି ଖାଇବା ଛାଡ଼ି ଦେଇଥିଲା । ଶେଷରେ
ମଦନ ତା'କୁ କମ୍ପ୍ୟୁଟର କିଣି ଦେବାକୁ ପ୍ରତିଶ୍ରୁତି ଦେବାରୁ ଯାଇ ପରିସ୍ଥିତି ଠିକ୍ ହେଲା।
ମଦନ ପୁଅ କୁ କମ୍ପୁଟର ଦେବାକୁ କହି ଘରେ ପରିସ୍ଥିତି କୁ ନିୟନ୍ତ୍ରଣ କଲା ସିନା କିନ୍ତୁ ଏତେ ଟଙ୍କା କେଉଁଠୁ ଆଣିବ ସେଇ ଚିନ୍ତାରେ ତା'ର ନିଦ ହଜି ଯାଇଥିଲା। ଶେଷରେ ସେ ବାଧ୍ୟ ହୋଇ ଏତେ ବର୍ଷର ମାଲିକ ର ବିଶ୍ୱାସ ଭାଙ୍ଗିଲା। ସେ ଲୁଚାଇ କମ୍ପାନୀ ରୁ କିଛି ମୂଲ୍ୟବାନ ଜିନିଷ ବାହାରେ
ବିକ୍ରି କରି ଦେଇଥିଲା ଏବଂ ସେଇ ଟଙ୍କାରେ ପୁଅ କୁ କମ୍ପ୍ୟୁଟର ଟେ କିଣି ଦେଇଥିଲା। କିଛି ମାସ ପରେ କମ୍ପାନୀ ର ଖୋଜାଖୋଜି ଆରମ୍ଭ ହେବା ପରେ ସେ ଧାରା ପଡ଼ିଲା। ସେ କମ୍ପାନୀ ର ମାଲିକ ତାକୁ ଚାକିରୀ ରୁ ବିତାଡ଼ିତ କରିବା ସହିତ ପୋଲିସ ଥାନାକୁ ଫୋନ କରି ତା'କୁ ଏରେଷ୍ଟ କରାଇଦେଲେ। ସେ ଜେଲ୍ ରେ କିଛି ଦିନ ରହିବା ପରେ ଯେତେବେଳେ ତା'ର ବିଚାର
ଆରମ୍ଭ ହେଲା ଏବଂ ତାକୁ କୋର୍ଟ କୁ ଅଣାଗଲା ଏବଂ ବିଚାରପତି ଙ୍କ ସାମ୍ନାରେ ଛିଡ଼ା
କରାଗଲା ସେ ପୁରା ଗମ୍ଭୀର ଥିଲା। ତଳକୁ ମୁହଁ ପୋତି ତା' ଦୋଷ ସ୍ୱୀକାର କରୁଥିଲା। ସେ ଲଜ୍ୟାରେ କାହା ମୁହଁକୁ ଦେଖି ପାରୁନଥିଲା
କିନ୍ତୁ ବିଚାରପତି ତାକୁ ଚିହ୍ନି ପାରିଥିଲେ।
ହଠାତ ବିଚାରପତି ତାକୁ କହିଲେ,
" ମୁଁ ଭାବୁଥିଲି ତୁମେ କେଉଁଠି ବଡ଼ ଚାକିରୀ କରୁଥିବ। ସ୍କୁଲରେ ଏତେ ଭଲ ପଢୁ ଥିବା ଛାତ୍ର ତୁମେ ଯେ ଥିଲ। ମନେ ମନେ ବହୁତ ତୁମକୁ ଖୋଜୁଥିଲି କିନ୍ତୁ ଏମିତି ଅବସ୍ଥାରେ ପାଇବି
ବୋଲି ମୋର ଧାରଣା ନଥିଲା"। ମଦନ ମୁହଁ ଉପରକୁ କରି ଦେଖିଲା ବିଚାରପତି ଙ୍କ ମୁହଁକୁ।
ତା'ର ସେଇ ପୁରୁଣା ସାଙ୍ଗ ସୁଧୀର କୁ ସେ ଚିହ୍ନ ପାରିଲା। ସେ ତା' ଆଖିର ଅଶ୍ରୁ କୁ ସେ ଲୁଚେଇ ପାରିଲା ନାହିଁ। ଭୋ ଭୋ ହୋଇ କାନ୍ଦି ପକେଇଲା। ବିଚାରପତି ତାକୁ ତା'ର ଦଣ୍ଡ ଶୁଣାଇ ସାରିଲା ପରେ ବାହାରେ ଆସି ତା'ସହ ଦେଖା କଲେ ଏବଂ ଜେଲ୍ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରି
ସମସ୍ତ ଙ୍କୁ ଖୁବ ଭଲ ବ୍ୟବହାର କଲେ ସେ ତା'ର ଜେଲ୍ ଦଣ୍ଡକମାଇ ଦିଆଯିବ ବୋଲି କହିଲେ।
ମଦନ ସମସ୍ତ ଙ୍କ ସହ ଖୁବ ଭଲ ବ୍ୟବହାର କରୁଥିବାରୁ ତାକୁ ଦୁଇବର୍ଷ ପୂର୍ବରୁ ଛାଡି ଦିଆଗଲା। ସେ ଜେଲ ରୁ ବାହାରିବା ବେଳେ
ତା' ସାଙ୍ଗ ସୁଧୀର ତାକୁ ଦେଖା କରି ଆସିଥିଲେ। ତା' ହାତରେ ସେ କିଛି ଟଙ୍କା ସାହାର୍ଯ୍ୟ ଦେଇ ପୁଣିଥରେ ଭଲ ଜୀବନ ଆରମ୍ଭ
କରିବାକୁ ପରାମର୍ଶ ଦେଇଥିଲେ।
ଘରକୁ ଫେରିବା ପରେ ସ୍ତ୍ରୀ, ପୁଅ ତାଙ୍କୁ କ୍ଷମା ମାଗିଥିଲେ ଏବଂ ପୁଣିଥରେ ନୂଆଁ ଜୀବନ ମଦନ ର ଆରମ୍ଭ ହୋଇଥିଲା।