Rajalaxmi Mohanty

Others

3.8  

Rajalaxmi Mohanty

Others

ଭଙ୍ଗା ମଣିଷ

ଭଙ୍ଗା ମଣିଷ

10 mins
248


ଦୁଆରବନ୍ଧକୁ ଆଉଜିକି ସେମିତି ବସିଥାଏ ମୁଁ । ପୁଅ ଶ୍ରିତମର ଟ୍ୟାକ୍ସି ଆସି ଦାଣ୍ଡରେ ଛିଡା ହେଲାଣି । ବୋହୁ ପାୟଲ ଶେଷ ପ୍ୟାକିଂ ଭାବେ କିଛି ଦରକାରୀ ଜିନିଷ ନିଜ ହାତ ବ୍ୟାଗରେ ରଖୁଛି । ଯେଉଁଟା କି ଫ୍ଳାଇଟରେ ଗଲାବେଳେ ନିଜ ପାଖରେ ରଖିହେବ । ନାତୁଣୀ ରିଚା ଡ୍ରେସ୍ ପିନ୍ଧି ସାରିଲାଣି ମାନେ ଅଥୟ ହେଲାଣି ଗାଡିରେ ବସିବାକୁ । ଶ୍ରିତମ ଗୋଟିଗୋଟି କରି ଲଗେଜ ସବୁ ଆଣି ଗାଡିରେ ରଖୁଛି । ବୋହୁର କାମ ସରିଲା କି କ'ଣ କାନ୍ଧରେ ଭ୍ୟାନିଟି ବ୍ୟାଗଟି ଗଳେଇ ଆସି ମୋ ପାଖରେ ପହଞ୍ଚି ପାଦଛୁଇଁ ପ୍ରଣାମ କଲା । ମମ୍ମୀକୁ ଦେଖି ନାତୁଣୀ ରିଚା ବି ସେମିତି କଲା । ତାପରେ ସେମାନେ ଯାଇ ଗାଡିରେ ବସିଲେ । ଏଥର ପାଳି ଶ୍ରିତମର । ସେ ବି ପାଖକୁ ଆସି ମୋ ପାଦଛୁଇଁ ପ୍ରଣାମ କରି " ବାପା ଆମେ ଆସୁଛୁ"କହି ଗାଡିରେ ବସିଲା । ଗାଡି ଗଡିଲା ଏଆରପୋର୍ଟ ଅଭିମୂଖେ । ସେମାନେ ଚାଲିଗଲା ପରେ ସେମିତି ଆହୁରି କେତେ ସମୟ କେଜାଣି ସେଇ ଦୁଆର ବନ୍ଧକୁ ଆଉଜି ବସିଥାଏ ମୁଁ । ଘର ଭିତରକୁ ଯାଇ କରିବି ବା କ'ଣ । ଏତେବଡ ଘର ଭିତରଟା ଖାଁ ଖାଁ ହେଇ ଖାଇଗୋଡେଇଲା ଭଳି ଲାଗୁଛି । ଏଇଠି ହେଲେ ବସିଲେ କିଛି ସମୟ ଭଲ ଲାଗିବ । ଏଇଠି ଏମିତି ମୋ ଫେରିବା ବାଟକୁ ଜଗି ବସନ୍ତି ଅହଲ୍ୟା ମୁଁ ଫେରିବା ଯାଏ । ଗଲା ଆଇଲା ଲୋକ ଦି'ପଦ କଥା ହେଇଯାଆନ୍ତି ଅହଲ୍ୟା ସହ । ସମୟ ଜଣାପଡେନି ଅହଲ୍ୟାଙ୍କର । କିନ୍ତୁ ବିରକ୍ତ ହୁଏ ମୁଁ । ମୋତେ ଅହଲ୍ୟା କାହାସହ ବେଶି ମିଳାମିଶା କରୁ, ଜମାରୁ ବି ଭଲ ଲାଗେନି । "ଗୋଟେ ପାଲା ଚଲେଇଛୁ ଦାଣ୍ଡ ମୁହଁରେ ବସିକି" ବୋଲି ଅନେକ ଥର ଗାଳି ବି ଦେଇଛି । ସେଥିପାଇଁ ଦୂରରୁ ଅହଲ୍ୟା ମୋତେ ଦେଖିଦେଲେ ତରବର ହେଇ ଘର ଭିତରକୁ ପଶି ଯାଆନ୍ତି । ଘର ଆଗରୁ ଭିଡ ଭାଙ୍ଗିଯାଏ । କେବେକେବେ ଜାଣିନପାରି ଭିଡ ଲାଗିରହିଥିଲେ ସେଦିନ ଅହଲ୍ୟାଙ୍କର ଖାଇବାବନ୍ଦ । ଗାଳିରେ ପେଟ ପୂରିଯାଇଥାଏ । ଖାଇବେ ଆଉ କ'ଣ । ମନ ଭରି ଗାଳି ଖାଇସାରି ନିଜ ଲୁହ ନିଜେ ପିଇଦେଇ ଶୋଇଯାଆନ୍ତି ସେ ତକିଆରେ ମୁହଁ ଗୁଞ୍ଜି ଦେଇ । କିଛି ବି ଫରକ ପଡେନି ମୋତେ । ମୁଁ ମୋର ସେମିତି ନିଶ୍ଚିନ୍ତରେ ପେଟେ ଖାଇଦେଇ ଶୋଇଯାଏ ଅନାୟାସରେ ନିଘୋଡ ନିଦରେ । ବେଳେବେଳେ ନିଦ ନଆସିଲେ ମନେପଡେ ଅହଲ୍ୟା କଥା । ଏଥର ଅହଲ୍ୟାକୁ ଭିଡିଆଣେ ନିଜ ପଟକୁ । ଅହଲ୍ୟାର ଆଖିର ଲୁହ ଯେଉଁଠି ମୋତେ ଦେଖା ଯାଏନି ଛାତିର କୋହ କେଉଁଠି ଅବା ଦେଖାଯିବ । ବିଚାରୀର ଅପରାଧ କ'ଣ ଏମିତି ଥିଲା ଅବା । ସମୟ ବିତେଇବା ପାଇଁ ସାହିର ନଣନ୍ଦ ଝିଆରୀ କିମ୍ବା ଯାଆମାନଙ୍କ ସହିତ ଟିକେ ଆଳାପ ଆଲୋଚନାରେ ଭାଗ ନେଇଥାଏ । ସେଇଟା କ'ଣ ଏତେବଡ ଅପରାଧ ଯେ ତା ପାଇଁ ଏତେ ଗାଳି? କାହିଁକି ମୋତେ ଏସବୁ ଭଲ ଲାଗେନି?ନିଜ ମନକୁ ନିଜେ ପଚାରୁଥିଲି ମୁଁ । ନାଁ ଟା ମୋର କିଏ କେଜାଣି "ଆନନ୍ଦ" ଦେଇଥିଲା । ବାପା ନା ବୋଉ କିଏ ହେଇଥିବ ଜଣେ । ସମସ୍ତଙ୍କ ନଜରରେ ନିଜ ସନ୍ତାନ ଗୋଟେ ଗୋଟେ ହୀରା । ନହେଲେ ଏମିତି ନାଁ କିଏ ଦିଅନ୍ତା?ମୁଁ ଜାଣିବାରେ ଦିନେ କାଳେ ମୁଁ କାହାକୁ ଆନନ୍ଦରେ ରଖିନି କି ନିଜେ ବି ଆନନ୍ଦରେ ରହିନି । 


ଆଜି ପର୍ଯ୍ୟନ୍ତ ଯେଉଁସବୁ କଥାକୁ ମୁଁ କେବେ ବିଶ୍ଳେଷଣ କରିନଥିଲି, ଆଜି କାହିଁକି ସେଇ ସବୁ କଥା ମନେପଡୁଛି । ଯଦି ଏଇ କଥା ଆଗରୁ ମନକୁ ଆସିଥାନ୍ତା ତାହେଲେ ଆଜି ବୋଧେ ଏଇ ମାନସିକ ଦଣ୍ଡ ଭୋଗିବାକୁ ପଡିନଥାନ୍ତା । 


ହଁ,ମୋର ସ୍ପଷ୍ଟ ମନେପଡୁଛି ମୁଁ ଯେଉଁଦିନ ବାହାହେଇ ଏଇ ଘରକୁ ଅହଲ୍ୟାକୁ ଆଣିଥିଲି, ମଥାରେ ହାତେ ଓଢଣୀ, ସିନ୍ଥିରେ ସିନ୍ଦୂର,ହାତରେ ନାଲି ଶଂଖା ପିନ୍ଧି ବୋହୁ ବେଶରେ ଏଇଘର ଏରୁଣ୍ଡି ଦେଇ ଭିତରକୁ ପଶିଥିଲେ ଅହଲ୍ୟା । ବାହାଘରର ଅନ୍ୟାନ୍ୟ କର୍ମ କର୍ମାଣି ସରିଲା ପରେ ଶେଷରେ ଆସେ ବାସର ରାତି । ଏଇ ରାତିକୁ ନେଇ ପ୍ରତ୍ଯେକ ନବଦମ୍ପତ୍ତି ବେଶ୍ ଉତ୍ସାହିତ ରହିଥାନ୍ତି । ସ୍ୱାଭାବିକ ଭାବେ ଅହଲ୍ୟା ମଧ୍ୟ ସେଇଭଳି ଉତ୍ସାହିତ ଥିଲେ । ସାଙ୍ଗ ସାଥିରେ ସେ ଅନେକ କିଛି କଥା ଶିକ୍ଷା ବି ପାଇ ଆସିଥିଲେ । ଏଇ ରାତିରେ ନବବଧୂଟିର ଜୀବନସାଥିଟି କେଉଁ ଭଳି ମଧୁର ବଚନ କହେ, ମିଠା ମିଠା ପ୍ରତିଶ୍ରୁତି ଦିଏ, କେତେ ଆଦର ସୋହାଗ କରେ ଇତ୍ୟାଦି ଇତ୍ୟାଦି । ଏଇସବୁ କଥା ମନରେ ଭାବି ଅହଲ୍ୟା ବି ବେଶ୍ କୌତୁହଳୀ ହେଇ ଅପେକ୍ଷା କରିଥାଆନ୍ତି ତାଙ୍କ ଜୀବନସାଥିକୁ ମାନେ ମୋତେ । ବାବୁ ଆସିବେ ଘର ଭିତରକୁ ମନ୍ଦ ମନ୍ଦ ହସି ହସି । ପାଖରେ ବସିବେ, ମିଠାମିଠା କଥା କହିବେ । ମନ ଖୁସି କରିବେ, ନିଜେ ଖୁସି ହେବେ । କିନ୍ତୁ ସେଇଟା ଭାବିବା ଅହଲ୍ୟାଙ୍କର ଭୁଲ ଧାରଣା ଥିଲା । ସବୁ ଆଖିକୁ ସୁନ୍ଦର ଦିଶୁଥିବା ରଙ୍ଗିନ ଫୁଲ ସୁରଭିଯୁକ୍ତ ନଥାନ୍ତି । କେତୋଟି ଫୁଲ ବାସ୍ନା ରହିତ ଥାଏ ମଧ୍ୟ । କେତେକ ଫୁଲ କଣ୍ଟା ଯୁକ୍ତ ବି ଥାଏ । କେତେକ ଫୁଲ ପଦ୍ମନାଗର ବେଷ୍ଟନୀ ଭିତରେ ଥାଏ ତ ଆଉ କିଏ ଆକାଶମଲ୍ଲୀ ଭଳି ଖୁବ୍ ଉଚ୍ଚରେ ଥାଏ । କାହା ଭାଗ୍ୟରେ କ'ଣ ଲେଖାଥାଏ ସେକଥା କେବଳ ଭଗବାନ ଜାଣନ୍ତି । ସେଇ ପ୍ରଥମ ରାତିରେ ହିଁ ଅହଲ୍ୟା ଜାଣିଗଲେ ତାଙ୍କ ଭାଗ୍ୟରେ ମଲ୍ଲୀ କି ମାଳତୀ କିଛି ନାହିଁ । ବରଂ ଅଛି କେବଳ କାଗଜ ଫୁଲଟିଏ, ସୁରଭିରହିତ । ମୋର ଆକର୍ଷଣୀୟ ଚେହେରା ଦେଖି ସିନା ଅହଲ୍ୟା ପ୍ରଲୋଭିତ ହେଇଥିଲେ, କିନ୍ତୁ ମୋର କଡା କଥା ଶୁଣି ସେ ଭିତରୁ ଭାଙ୍ଗି ରୁଜି ଚୂନା ହେଇଯାଇଥିଲେ ସେଇଦିନ । ମୁଁ ଅହଲ୍ୟାକୁ ମିଠାମିଠା କଥା କହିବି କ'ଣ ବରଂ ତିଆରି କରିଥିଲି ଗୋଟେ ନୂଆ ସମ୍ବିଧାନ । ଯେଉଁ ସମ୍ବିଧାନର ସବୁ ନିୟମ ମୁଁ ନିଜେ ତିଆରି କରିଥିଲି ଓ ସେଇଟା କେବଳ ଅହଲ୍ୟା ଏକା ପାଳିବେ ବୋଲି ନିର୍ଦ୍ଦେଶ ଦେଇଥିଲି । ସ୍ତ୍ରୀ ଉପରେ କୁଆଡେ ସ୍ୱାମୀର ସମ୍ପୂର୍ଣ୍ଣ ଅଧିକାର ଥାଏ । ସ୍ୱାମୀ ଉପରେ ସ୍ତ୍ରୀର?ସେକଥା ମୁଁ କେବେ ଭାବିନଥିଲି । ଅହଲ୍ୟା ସେଇ ଦିନ ଠାରୁ ମୋ ପାଖରେ ନିର୍ଜୀବ ଖେଳଣାଟିଏ ପାଲଟିଗଲେ । ମୋର ପ୍ରତିଟି କଥାରେ ହଁରେ ହଁ ମାରିବା ଛଡା ଆଉ ଅନ୍ୟ ଉପାୟ ନଥିଲା । କେବେ କେମିତି ସେଥିରେ ବ୍ୟତିକ୍ରମ ଦେଖାଗଲେ ଗାଳିରେ ଘର କମ୍ପି ଯାଏ । ଆଉ କେବେ କେବେ ହାତ ଉଠିଯାଏ । ମଣିଷ ଏତେ ଭୟଙ୍କର ହେଇପାରେ !ଓଃ !


ବାହାଘର ପରେ ମୁଁ ମୋର ନିଜ ହାତରେ ପାଣି ଗ୍ଳାସଟେ ଆଣି କେବେ ପିଇଥିଲି ମନେ ପକେଇବାକୁ ହଜାରେ ଚେଷ୍ଟା କଲେ ମଧ୍ୟ ମନେପଡୁନି । କଡା ଇସ୍ତ୍ରୀ ବାଲା ସାର୍ଟ ପ୍ୟାଣ୍ଟ ନପିନ୍ଧିଲେ ଘରୁ ବାହାରେନି । ଟିକେ ଭାଙ୍ଗ ଫିଟି ଯାଇଥିଲେ ସେଦିନ ଆଉ ରକ୍ଷା ନାହିଁ ଅହଲ୍ୟାଙ୍କର । ମନର କ୍ରୋଧ ଶାନ୍ତ ନହେବା ଯାଏ ପାଟି ଚାଲିଥାଏ ମୋର । ସେମିତି ଭିତରୁ ଭାଙ୍ଗିଯାଇଥିବା ନିଜକୁ ସମ୍ଭାଳି ନେଇ ପୁଣିଥରେ ପ୍ୟାଣ୍ଟସାର୍ଟ ଇସ୍ତ୍ରୀ କରିବାକୁ ବସିପଡନ୍ତି ଅହଲ୍ୟା । କାନ୍ଦିବାକୁ ଫୁରୁସତ କାହିଁ?ମୁଁ ଘରୁ ଚାଲିଗଲା ପରେ ମନଭରି କାନ୍ଦନ୍ତି ବୋଧେ । ଆଖିଗୁଡା ଫୁଲାଫୁଲା ଦିଶେ ତ । ସେ ପୁଣି ସିମୀତ ସମୟ ପାଇଁ । ଲଞ୍ଚ ଟାଇମରେ ଘରକୁ ଆସି ଖାଇବା ପ୍ରସ୍ତୁତ ହେଇନଥିବା ଦେଖିଲେ ବଳକା ରାଗତକ ସୁଝେଇଦେବି ଯେ ମୁଁ ଏଇ ଭୟ ତାଙ୍କର ଥାଏ । ତରବର ହେଇ ରୋଷେଇଘରେ ପଶନ୍ତି ଅହଲ୍ୟା । ମନ ଯେଉଁଠି ପୋଡି ଅଙ୍ଗାର ହେଇଗଲାଣି ସେଠି ରୋଷେଇରେ କିବା ମନ ଲାଗିବ । ଟିକେ ଏପଟ ସେପଟ ହେଇଯାଏ ତେଲ ଲୁଣ ହଳଦୀର ମାପଚୁପରେ । ବାସ୍, ପୁଣିଥରେ ମୌକା ମିଳିଯାଏ ମୋତେ । ସିଧା ତରକାରୀ ଗିନାକୁ ଧରି ଫିଙ୍ଗିଦିଏ, ତ କେବେ କେବେ ପାଣି ଭର୍ତ୍ତି ଗ୍ଳାସକୁ । ଲକ୍ଷଚ୍ୟୁତ ହେଇ କେବେ କେବେ ସେ ଅହଲ୍ୟାଙ୍କ ପାଦରେ ବି ପଡିଯାଇଛି । କେବେ ପାଦ ସିଝି ଯାଏ ତ ପୁଣି କେବେ ଗ୍ଳାସ ବାଜି ହାଡ ଦରଜ ହେଇଯାଏ । ସେଥିପ୍ରତି ମୋର ଭୃକ୍ଷେପ ନଥାଏ କେତେବେଳେ । ରାଗ ଶାନ୍ତ ହେଲେ ମଲମଟିଏ କିଣିଆଣି ଧରେଇଦିଏ ସିନା କେବେ ଦୁଃଖ ପ୍ରକାଶ କରି ନିଜ ଆଡୁ କହେନି ଯେ "ମୋତେ ଦିଅ ମୁଁ ମାଲିସ କରିଦେବି"ବୋଲି । ଦିନସାରାର କ୍ଳାନ୍ତ ଦେହକୁ ରାତିହେଲେ ସାତ ଶୃଙ୍ଗାରରେ ସଜେଇ ନିଜକୁ ସମର୍ପଣ କରନ୍ତି ଅହଲ୍ୟା ମୋ ନିକଟରେ ନିଜର ଇଚ୍ଛା ଥାଉ କିମ୍ବା ନଥାଉ । 


ବାହାଘରର ବର୍ଷଟେ ପରେ ପ୍ରଥମ ଝିଅ । ଝିଅକୁ ଠିକ୍ ବର୍ଷେ ପୂରିଲା ବେଳକୁ ଅହଲ୍ୟା ଜାଣିବାକୁ ପାଇଲେ ଯେ ଦ୍ୱିତୀୟଟି ଆସିବାକୁ ଅଛି । ଏମିତି ପରେ ପରେ ତିନୋଟି ଝିଅ ଆସିଲେ । ଘର କାମକୁ ଛୁଆ କାମ । ସନ୍ତୁଳି ହେଉଯାଉଥିଲେ ବିଚାରୀ । ମୋର କିନ୍ତୁ ପୁତ୍ର ଲୋଭ ଲାଗିଥାଏ । ଝିଅ ହେଲା ସେଥିରେ ବି ଅହଲ୍ୟାଙ୍କର ଭୁଲ । ତିନିନମ୍ବର ଝିଅ ଜନ୍ମ ସମୟରେ ପ୍ରାୟ ମାସେ ଯାଏ ଛୁଆର ମୁହଁ ଚାହିଁନଥିଲି ମୁଁ । ଆହାଃ, ବିଚରା ଛୁଆଟି କେତେ କୁଆଁ କୁଆଁ ହେଇ କାନ୍ଦୁଥାଏ । ତାକୁ ଏକା ଛାଡି ଅହଲ୍ୟା ମୋ ସେବାରେ ଲାଗିଥାନ୍ତି । ଝିଅକୁ ଅବହେଳା କଲେ ସେ କ'ଣ ତା ମାଆ ଉପରେ ରାଗିପାରିବ । କିନ୍ତୁ ମୋର ଅବହେଳା ହେଲେ ଅହଲ୍ୟା ଜାଣିଛନ୍ତି ତାଙ୍କର ନିସ୍ତାର ନାହିଁ ବୋଲି । ଏଥର ତନ୍ତ୍ର ମନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କଲି । ଜଣେ ଜ୍ୟୋତିଷ ହାତ ଦେଖି କହିଲେ ସାତଟି ଝିଅ ପରେ ଯାଇ ପୁଅ ଯୋଗ ରହିଛି । ବାସ୍ ଏଥର ଆଉ ଗୋଟେ ଦଣ୍ଡ ଯୋଡିହେଇଗଲା ଅହଲ୍ୟାଙ୍କ ସହିତ । ପ୍ରତି ବର୍ଷ ଗୋଟେ ଗୋଟେ ଛୁଆ ଆବର୍ସନ କରାଗଲା ଅହଲ୍ୟାଙ୍କର ଇଚ୍ଛା ବିରୁଦ୍ଧରେ । ଶେଷରେ ଆଠ ନମ୍ବରକୁ ପୁଅ ହେଲା ଶ୍ରିତମ । କିଏ ଜାଣେ ଚାରି, ପାଞ୍ଚ, ଛଅ, ସାତ ବି ପୁଅ ଥିବେ କି କ'ଣ । କେବଳ ପୁତ୍ର ମୋହରେ ସିନା ସନ୍ତାନ ଚାହୁଁଥିଲି ମୁଁ, ପ୍ରକୃତରେ ମୋର ସେଇ ଉଗ୍ର ସ୍ୱଭାବ ସମସ୍ତଙ୍କ ଉପରେ ପ୍ରଭାବ ପକାଉଥିଲା । ପିଲାମାନଙ୍କର ଟିକେ ଟିକେ ଅଳି ଅଝଟରେ ରାଗି ଯାଇ ହାତ ଉଠେଇଦିଏ ମୁଁ । ଯାହାଦ୍ୱାରା ମୁଁ ଘରକୁ ଆସିଲେ ପିଲାମାନେ ଭୟରେ ବରଡାପତ୍ର ଭଳି ଥରୁଥିଲେ । ନିଜେ ଅହଲ୍ୟା ଯେଉଁଠି ସୁରକ୍ଷିତ ନଥିଲେ ସେ ପିଲାମାନଙ୍କୁ କି ସୁରକ୍ଷା ଦେଇଥାନ୍ତେ । ତଥାପି ପିଲାମାନେ କେବଳ ମାଆର ପିଛା ଧରନ୍ତି । ମୋ ପାଖ ମାଡନ୍ତିନି । ଆଉ ଅହଲ୍ୟା, ପିଲାମାନେ ସ୍କୁଲ ଚାଲିଗଲା ପରେ ପାଖ ପଡୋଶୀଙ୍କ ସହ ମିଶି ନିଜ ଦୁଃଖ ଭୁଲିବାକୁ ଚେଷ୍ଟା କରନ୍ତି । ସେଥିପାଇଁ ତ ମୋ ଆଖିରେ କଣ୍ଟା ଲାଗିଲା ଭଳି କଥାଟି ଲାଗିଯାଏ । କାଳେ କେଉଁ ପଡୋଶୀ ଆଗରେ ଅହଲ୍ୟା ମୋର କୁତ୍ସିତ କର୍ମ ବିଷୟରେ ବଖାଣୁଥିବେ । ଅହଲ୍ୟାଙ୍କର ସଂସ୍କାର ତାଙ୍କୁ ସେଇ ଶିକ୍ଷା ଦେଇନଥିଲା । ସ୍ୱାମୀର ନାଁରେ ପର ଆଗରେ ଚର୍ଚ୍ଚା କରିବା ତାଙ୍କ ନୀତି ବିରୁଦ୍ଧ କଥା ଥିଲା । ସେକଥା କ'ଣ ମୋ ଭଳି ଅହଙ୍କାରୀ ଲୋକ ବୁଝି ପାରିଥାନ୍ତି ଏତେ ଜଲଦି । 


ଘରର ସବୁକାମ ଅହଲ୍ୟା ନିଜେ କରନ୍ତି । ଏମିତିକି ଓଷାବ୍ରତ ପୁନିଁଅ ପର୍ବରେ ମଧ୍ୟ । କେଉଁ ଗୋଟିଏ କାମରେ ମୁଁ ହାତ ଲଗାଏନି । ଏମିତିକି ଗାଧେଇସାରି ନିଜ ଓଦା ଗାମୁଛାଟି ମଧ୍ୟ ତାର ଉପରେ କେବେ ପକାଇବାକୁ ମୋ ଅହଂ ମୋତେ ବାଧା ଦିଏ । ମୁଁ ରୋଜଗାର କରୁଛି । ମୋର ରୋଜଗାରରେ ଘର ଚଳୁଛି । ମୋର ଆଉ କିଛି କରିବା ଆବଶ୍ୟକ କ'ଣ?ବସିବା ଶୋଇବା ଲୋକର ଏ ସବୁ କାମ କରିବା ଉଚିତ୍ ବୋଲି ମୋର ଧାରଣା ଥିଲା । ଝିଅ ମାନେ ବଡ ହେଲାପରେ ଅହଲ୍ୟାଙ୍କ ଉପରେ ହାତ ଉଠେଇବାଟା ଟିକେ ଟିକେ କମିଗଲା ସିନା ଗାଳି ମନ୍ଦ କରିବାଟା ବନ୍ଦ ହେଉନଥାଏ । ବରଂ ଦୁଇଟା ଯାକ ମିଶି ଯାଇଥାଏ ଗାଳି ଆକାରରେ ବଡ ରୂପ ଧାରଣ କରି । 


ବର୍ଷକୁ ଥରେ ହେଲେ ଅହଲ୍ୟାକୁ ତାଙ୍କ ବାପଘରକୁ ଛାଡେନି ମୁଁ । କାହାର କେମିତି ବାହାଘର ହେଲେ ସେଇଦିନ ସାଙ୍ଗରେ ନେଇଯାଏ ପୁଣି ସାଙ୍ଗରେ ଆଣି ଆସେ । ସବୁ ଝିଅମାନଙ୍କ ଭଳି ଅହଲ୍ୟାଙ୍କର ଯେ ମନଟିଏ ଅଛି ଏକଥା ଜାଣିବାକୁ ଚେଷ୍ଟାବି କରିନାହିଁ ଦିନେ ମୁଁ । ଝିଅମାନଙ୍କୁ ଘରକରଣା ଶିକ୍ଷାଦେବା ବାହାନାରେ ଅନେକ ଗାଳିମନ୍ଦ ଦେଇଛି । ଯେଉଁଟା ସ୍ନେହ ଆଦରରେ ବୁଝେଇ ହେଇପାରିଥାନ୍ତା । ପୁଅକୁ ପାଠପଢାପାଇଁ ମଧ୍ୟ ସେଇଭଳି ଗାଳି ମାଡ ଦେଇଛି । ମାନୁଛି ପିଲାମାନଙ୍କ ପାଇଁ ଶାସନର ଆବଶ୍ୟକତା ପଡେ,ମାତ୍ର ମୋ କ୍ଷେତ୍ରରେ ଶାସନ ବହୁତ କଡା ଥିଲା । ଏମିତି ଗୋଟେଥର ହେଇଥିଲା ମୋର ସ୍ପଷ୍ଟ ମନେଅଛି ଯେ ଶ୍ରିତମ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇନଥିଲା ବୋଲି ତାକୁ ହଳୁଆ ପାଞ୍ଚଣରେ ଏମିତି ପିଟିଥିଲି ଯେ ପିଠିରେ ନୋଳା ପଡିଯାଇଥିଲା । ବିଚରା ଛୁଆଟା ମାଆ ଆଡକୁ ଚାହିଁ କାନ୍ଦୁଥାଏ ଭେଁ ଭେଁ ହେଇ, ମାଆ କାନ୍ଦୁଥାଏ ଧକେଇଧକେଇ । ମଝିରେ ମୋ ନାଲି ଆଖିର ବିରାଟ ପାଚେରି । କେହି କାହା ପାଖକୁ ଯାଇପାରିବେନି । ସେଇ ଦିନରୁ ଶ୍ରିତମ ପାଠଛଡା ଆଉ ସବୁ କିଛି ଭୁଲିଗଲା । ସ୍ନେହ ପ୍ରେମ ମମତା ଭାବପ୍ରବଣତା ସବୁ କିଛି । ତା ପାଖରେ ଏସବୁର ମୂଲ୍ୟ କିଛି ରହିଲାନି । ହଁ ରହିଲା କେବଳ ସେ ଯାହା ଠାରୁ ସେସବୁ ପାଇଲା ସେଇମାନଙ୍କ ପାଇଁ । ଜଣେ ହେଲା ତା ବୋଉ ଆଉ ତା ସ୍ତ୍ରୀ ପାୟଲ । 


ଝିଅ ମାନେ ଗୋଟେପରେ ଗୋଟେ ବାହାହେଇ ଶାଶୁଘରକୁ ଚାଲିଗଲେ । ପୁଅ ଶ୍ରିତମ ବି ଚାକିରି ପାଇ ବାହାରକୁ ପଳେଇଲା । ସେଇଠି ନିଜର ସହକର୍ମୀ ଜଣଙ୍କୁ ଭଲପାଇ ବାହାହେଇଗଲା । ତା ବୋଉକୁ ଏକା ଫୋନ୍ କରି ଜଣେଇଲା ସିନା ବାପାଙ୍କୁ ନୁହେଁ । ଘରେ ଏକା ରହିଲୁ ଅହଲ୍ୟା ଓ ମୁଁ । ପିଲାମାନଙ୍କ ପାଖରୁ ଦୂର ହେଇ ରହୁଥିବା ଏକ ମାଆର ମନ କଥା ବୁଝିଲି ନାହିଁ କେବେ । କେବେ ବୁଝିଥିଲି ଯେ ଏବେ ବୁଝିବି । ବୟସ ବଢିବା ସଙ୍ଗେ ସଙ୍ଗେ ଆହୁରି ନିର୍ଭରଶୀଳ ହେଉଥିଲି ଅହଲ୍ୟାଙ୍କ ଉପରେ । ଅବସର ପରେ ଅଧିକ ସମୟ ଘରେ ରହିବାରୁ ଅହଲ୍ୟାଙ୍କୁ ଅଧିକ ସମୟ ଗାଳି ଖାଇବାକୁ ସମୟ ମିଳୁଥିଲା । ପାଖ ପଡୋଶୀ ଧିରେ ଧିରେ ଦୂରେଇ ଯାଉଥିଲେ ଗୋଟିଗୋଟି ହେଇ । ସେମାନେ କେବଳ ଅହଲ୍ୟାଙ୍କ ପାଇଁ ଟିକେ ଟିକେ ପାଖକୁ ଆସୁଥିଲେ । ସେତକ ବନ୍ଦ ହେଇଗଲା ସମ୍ପୂର୍ଣ୍ଣ ଭାବେ । କହିବାକୁ ଗଲେ ଗୋଟେ ବେସରକାରୀ ଜେଲ୍ ଭିତରେ ରହୁଥିଲେ ଅହଲ୍ୟା । ଦେହରେ ଓ ମନରେ ରୋଗ ଘରକରିବାକୁ ଲାଗିଲେ । ଶରୀର ଦୁର୍ବଳ ହେଇଯାଉଥିଲା ଦିନକୁ ଦିନ । ଏଥର ଅହଲ୍ୟା ନୁହେଁ, ଅହଲ୍ୟାର ଶରୀର ସୁସ୍ଥ ରହିବା ଦରକାର ମୋ ପାଇଁ ବୋଲି ଭାବି ମେଡିକାଲ ନେଲି । ସେଇଠି ଜାଣିଲି କ୍ୟାନସର ରୋଗ ସମଗ୍ର ରକ୍ତ କଣିକାରେ ଖେଳିଗଲାଣି ଅହଲ୍ୟାଙ୍କର । ଜୀବନ ଏଥର ସୀମିତ । ପିଲାମାନେ ଖବର ପାଇ ଆସିଲେ, ସାଙ୍ଗରେ ବୋଉକୁ ନେଇଯିବା ପାଇଁ ଚାହିଁଲେ । କିନ୍ତୁ ଅହଲ୍ୟା କେବଳ ମୋରି ପାଇଁ ହିଁ କୁଆଡେ ଯାଇପାରିଲେନି । ଆହା, ଏଇ ନିଷ୍ଠୁର ଲୋକଟା ପାଇଁ ମନରେ ଏତେ ଦରଦ!!କ'ଣ ଅବା ତାଙ୍କୁ ଦେଇଛି,କେବଳ ଦୁଇପଟ ଶଂଖା ଆଉ ଟୋପାଏ ସିନ୍ଦୂର ଦେଇ ସାରା ଜୀବନ କିଣି ନେଇଛି । ମୋତେ ସାଙ୍ଗରେ ନେବାପାଇଁ ବି କେହି ଥରେ କହିଲେନି । ଝିଅ ମାନଙ୍କୁ ରହିବାପାଇଁ ଅନୁରୋଧ କଲି ସେମାନେ ଶୁଣେଇଦେଲେ ସିଧା ସିଧା ବାହାଘର ପରେ ଝିଅର ସ୍ଥାନ ତା ଶାଶୁଘରେ । ବାପଘରେ ନୁହେଁ । ଯେଉଁକଥା ମୋ ଠାରୁ ସେମାନେ ଶଖିଥିଲେ ତାଙ୍କ ବୋଉକୁ କହିଲାବେଳେ । ବୋହୁ କହିଲା ସ୍ୱାମୀ ସେବା ପରମ ଧର୍ମ । ସିଏବି ଯାହା ଶୁଣିଥିଲା ପୁଅଠାରୁ ସେଇଆ କହିଲା । ବାସ୍, ରହିଗଲି ଏକା ଏକା । ଷାଠିଏ ବର୍ଷ ହେଲା ଯାହା କେବେ ସ୍ୱପ୍ନରେ କରିନଥିଲି ସେଇଆ କଲି । କିଏ କହେ ଯମପୁର ମୃତ୍ୟୁପରେ ଦେଖାଯାଏ । ମୋ ପାଇଁ ଏଇଠି ସ୍ୱର୍ଗ ଏଇଠି ନର୍କ । ସ୍ୱର୍ଗ ଏଇଥିପାଇଁ ଯେ ଅହଲ୍ୟା ଭଳି ଜଣେ ଦେବୀଙ୍କର ଅତି ନିକଟରେ ଥାଇ ତାଙ୍କର ସେବା କରୁଥିଲି । ଆଉ ନର୍କ ଏଇଥିପାଇଁ ଯେ ନିତି ଅହଲ୍ୟାଙ୍କର ଘୁଅମୂତ କରିବାକୁ ମୋତେ ପଡୁଥିଲା । ନିଜେ ବୁଢା ବୟସରେ ରୋଷେଇକରି ଖାଇବାକୁ ପଡିଲା । ହାତରେ ଲୁଗାଧୋଇ ଛାତରେ ଶୁଖାଇବା ବି ଶିଖିଗଲି । ଟେକି ଟେକି ରୋଗିଣା ସ୍ତ୍ରୀକୁ ଉଠାନେବା ବି କଲି । ଏତିକି ହେଲେ ଯୌବନ ବେଳେ କରିଥାନ୍ତି । କେତେ ଖୁସିପାଇଥାନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁଇଜଣ । ମୋର ଦଣ୍ଡ ଦେଖି ଅହଲ୍ୟାଙ୍କୁ ବୋଧେ ଖରାପ ଲାଗିଲା କି କ'ଣ ଭଗବାନଙ୍କୁ ପ୍ରାର୍ଥନା କରି ସେ ମୋତେ ଦଣ୍ଡମୁକ୍ତ କରିଦେଲେ ସବୁଦିନ ପାଇଁ । ଦିନେ ରାତିରେ ଶୋଇଲେ ଯେ ସକାଳୁ ନିଦ ଭାଙ୍ଗିଲାନି ଆଉ । 


ପୁଣିଥରେ ସମସ୍ତେ ଘରକୁ ଆସିଲେ । ନିଜ ନିଜର ଧର୍ମ ପାଳନ କରି ନିଜ ନିଜ ଘରକୁ ଚାଲିଗଲେ । ଏବେବି ମୋର ସେଇ ଅହଙ୍କାରକୁ ଧରିବସି ଭାବୁଥିଲି ଏ ଘରଦ୍ବାର କାହାକୁ ଦେବିନି, ଯିଏ ମୋତେ ପାଖରେ ରଖିବ ଓ ମୋର ଦାୟିତ୍ୱ ସୂଚାରୁରୂପେ ନେବ ତାକୁହିଁ ଦେବି । କିନ୍ତୁ କେହି ସେ ଶାନ୍ତି ଶୂନ୍ୟ ଘରକୁ ଚାହିଁଲେନି । ଚାଲିଗଲେ ନିଜ ନିଜ ବାଟରେ । ଶୂନ୍ୟକୁ ଚାହିଁ ବସିଥାଏ ମୁଁ ସେମିତି କିଛି ସମୟ । କେହି ଜଣେ ବି ପଡୋଶୀ ଅଟକୁନଥାନ୍ତି କି କଥା ଦିପଦ ହେଉନଥାନ୍ତି । ଅହଲ୍ୟା ବିନା ଯେ ମୋ ଜୀବନ ଅଧୁରା ମୁଁ ଆଜି ଅନୁଭବ କଲି । ଅବଶ ପାଦକୁ ଘୋଷାଡି ଘୋଷାଡି ଘର ଭିତରକୁ ଗଲି । ଯେଉଁଠି ଯାହା ପଡିଥିଲା ସେମିତି ପଡିଛି ଅନାବନା ହେଇ । କାହାକୁ କେଉଁଠୁ ଆରମ୍ଭ କରିବି,କାହାକୁ କେଉଁଠି ସଜାଡି ରଖିବି କିଛି ଭାବିପାରୁନଥିଲି । ଚାରିଆଡେ ଏକ ଶୂନ୍ୟ ଭାବ ବିସ୍ତାରି ହେଇ ରହିଛି । ଶରୀର ଠାରୁ ମନ ବେଶି ଦୁର୍ବଳ ହେଇଯାଉଛି । ଦେହ ଓ ମନ ସହିତ ଅହଂକାର ସବୁ ଭାଙ୍ଗି ଚୂନାଚୂନା ହେଇଯାଉଛି । ଶୋଷରେ ତଣ୍ଟି ଶୁଖିଗଲା ଭଳି ଲାଗୁଛି, ପାଣି ପାଖକୁ ହାତ ବଢେଇବାକୁ ଶକ୍ତି ଆସୁନି । ଅବଶ ଦେହକୁ କୌଣସିମତେ ବିଛଣା ଯାଏ ଘୋଷାଡିନେଇ ଗଡିପଡିଲି । ପୁଣିଥରେ ଅହଲ୍ୟାମଗ୍ନ ହେଇଗଲି । କାହିଁକି କେଜାଣି ଅହଲ୍ୟା ବିନା ମୋତେ କିଛି ଭଲ ଲାଗୁନଥିଲା । ତାଙ୍କ ଭାବନାରେ ଏତେ ଶାନ୍ତି ଅଥଚ ସେ ପାଖରେ ଥିଲା ବେଳେ ତାଙ୍କୁ ଟିକେ ବୁଝିପାରିଲିନି । ଏବେ ତାଙ୍କ ଅନୁପସ୍ଥିତି ମୋତେ ନିରନ୍ତର ଜଳେଇ ଚାଲିଛି । 


ମୋର ଆହାର ଅହଲ୍ୟା, ମୋର ପାନୀୟ ଅହଲ୍ୟା,ମୋର ନିଃଶ୍ୱାସ ଅହଲ୍ୟା,ମୋର ଚିନ୍ତା ଅହଲ୍ୟା,ମୋର ଚେତନା ବି ଅହଲ୍ୟା । ପ୍ରତିଟି ମୁହୂର୍ତ୍ତରେ କେବଳ ଅହଲ୍ୟାଙ୍କ ସ୍ମୃତି ହିଁ ମୋତେ ବଞ୍ଚେଇ ରଖିଛି । ସେଇ କବାଟ ବନ୍ଧକୁ ଆଉଜି ବସି ଅହଲ୍ୟାମଗ୍ନ ହେଇଯାଏ ମୁଁ । ପୁଅର ଫେରିବା ବାଟକୁ ଚାହିଁଥାଏ । ଝିଅର ଫୋନକୁ ଅପେକ୍ଷା କରିଥାଏ । କିଛି ଲାଭ ହୁଏନି । 


ହଠାତ୍ ଗାଡିର ହର୍ଣ୍ଣ ଶୁଣି ପ୍ରକୃତିସ୍ଥ ହେଲି । ଟ୍ୟାକ୍ସିଟିଏ ଛିଡା ହେଇଥିଲା ମୋ ଘର ସାମ୍ନାରେ । ମୋ ମନର ଆଶାର ଆଲୋକ ଲିଭି ସାରିଥିଲା ଅନେକ ଦିନୁ । ସେପଟକୁ ଚାହିଁ ଅଯଥା ଅହଲ୍ୟାଙ୍କ ଭାବନାରୁ ଛିଣ୍ଡିବାକୁ ଚାହୁଁନଥିଲି । ଦେଖିଲି ଶ୍ରିତମ ଓ ପାୟଲ ଆସି ଛିଡାହେଲେ ମୋର ଦୁଇପାର୍ଶ୍ୱରେ । ଦୁଇହାତକୁ ଧରି କହିଲେ "ବାପା, ଚାଲ ଯିବା ଏଥର । ଆଉ ନୁହେଁ ବହୁତ ଭାଙ୍ଗିପଡିଲଣି ତମେ । ଆଉ ବେଶି ଭାଙ୍ଗିପଡିଲେ କିଏ ଆମକୁ ସମ୍ଭାଳିବ" । 


  ସମାପ୍ତ



Rate this content
Log in