ବରାହ ଅବତାର
ବରାହ ଅବତାର
ଭଗବାନ ବିଷ୍ଣୁ ଗ୍ରହଣ କରିଥିବା ଅବତାର ମଧ୍ଯରୁ ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ ଅବତାର ପ୍ରଧାନ। ଭଗବାନଙ୍କ ବରାହ ଅବତାର ଦଶ ଅବତାର ମଧ୍ଯରୁ ଆଉ ଏକ ଅବତାର। ଉତ୍କଳୀୟ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ମୁଖ୍ଯ ବା 'ଅବତାରୀ' ରୂପେ କଳ୍ପନା କରାଯାଇଛି।
ସମ୍ଯକରେ :
ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛନ୍ତି ବରାହ। ବ୍ରହ୍ମାଙ୍କ ଅଭିଶାପରେ ଜୟ ଓ ବିଜୟ ଦୁଇଭାଇ ସ୍ବର୍ଗପୁରରୁ ବିଚ୍ୟୁତ ହୋଇ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଦୈତ୍ୟ ରୂପେ ଜନ୍ମ ଗ୍ରହଣ କରିଥିଲେ। ସେ ଦୁଇ ରାକ୍ଷସଙ୍କୁ ମୋକ୍ଷ ପ୍ରାପ୍ତ କରିବା ପାଇଁ ଭଗବାନ ବିଷ୍ଣୁ ଦୁଇଟି ଅବତାର ଗ୍ରହଣ କରିଥିଲେ - ପ୍ରଥମଟି ବରାହ ଓ ଦ୍ବିତୀୟଟି ନୃସି˚ହ ଅବତାର।
ସବିଶେଷ :
‘ଭାଗବତ’ ଅନୁସାରେ, ଯେତେବେଳେ ପୃଥିବୀ ପ୍ରଳୟ ଜଳରେ ବୁଡ଼ି ଯାଇଥିଲା ସେତେବେଳେ ଦେବତା ଓ ଋଷିମାନେ ପ୍ରାର୍ଥନା କରି ପୃଥିବୀକୁ ଉଦ୍ଧାର କରିବା ପାଇଁ ବ୍ରହ୍ମା ଏବଂ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ। ଫଳତଃ ବ୍ରହ୍ମାଙ୍କ ନାସିକାରୁ ଆଙ୍ଗୁଠି ଆକାରର ଏକ ବରାହ ଶିଶୁ ପ୍ରକଟ ହେଲେ। ସେ ବାହାରକୁ ଆସି ବିରାଟ ଆକାର ଧାରଣ କଲେ। ପ୍ରଳୟ ଜଳରେ ପ୍ରବେଶ କରି, ସେ ପୃଥିବୀକୁ ଦନ୍ତରେ ଧରି ଉଠିଆସୁଥିବା ବେଳେ ହିରଣ୍ୟାକ୍ଷ ସହ ତାଙ୍କର ଯୁଦ୍ଧ ହେଲା। ଶେଷରେ ହିରଣ୍ୟାକ୍ଷକୁ ନିହତ କରି ଭଗବାନ ବିଷ୍ଣୁ ପୃଥିବୀକୁ ଉଦ୍ଧାର କଲେ। ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।
ମାଘ ମାସ ଶୁକ୍ଳ ଦ୍ବାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କର ସେହି ବରାହ ରୂପକୁ ପୂଜା କରାଯାଉଥିବାରୁ ତାହା ‘ବରାହ ଦ୍ବାଦଶୀ’ ନାମରେ ଖ୍ଯାତ।
କିନ୍ତୁ ‘କାଳିକା ପୁରାଣ’ ଅନୁସାରେ - ପୃଥିବୀକୁ ଉଦ୍ଧାର କରିବା ପରେ, ବରାହ ପୃଥିବୀ ଉପରେ ବିଚରଣ କରିବାରେ ଲାଗିଲେ। କିନ୍ତୁ ଧରଣୀ ମାତା ତାଙ୍କର ଭାର ସହିବାରେ ଅସମର୍ଥ ହେଲେ। ସେ ମହାଦେବ ଶିବଙ୍କୁ ତାଙ୍କର ଦୁଃଖ ଜଣାଇବାରୁ ମହାଦେବ ଶିବଶଙ୍କର ବରାହ ରୂପ ତ୍ୟାଗ କରିବାକୁ ବିଷ୍ଣୁଙ୍କୁ ଅନୁରୋଧ କଲେ। ତାପରେ ବରାହ ଅନ୍ତର୍ଦ୍ଧାନ ହୋଇ ଲୋକାଲୋକ ପର୍ବତକୁ ଚାଲିଗଲେ। ସେଠାରେ ଧରଣୀଦେବୀଙ୍କ ସହ ତାଙ୍କର ମିଳନ ହେଭାରୁ ସୁବୃତ୍ତ, କନକ ଓ ଘୋର ନାମରେ ତିନିଟି ପୁତ୍ର ଜାତ ହେଲେ। ସେମାନେ ଏତେ ଦୁରାଚାରୀ ହେଲେ ଯେ ସେମାନଙ୍କର ଭାରରେ ପୃଥିବୀ ପ୍ରକମ୍ପିତ ହେବାକୁ ଲାଗିଲା। ପୁଣି ବ୍ରହ୍ମା ତାହାର ପ୍ରତିକାର ପାଇଁ ବିଷ୍ଣୁଙ୍କୁ ଅନୁରୋଧ କଲେ।
ଭଗବାନ ବିଷ୍ଣୁ କହିଲେ - ମୁଁ ପୃଥିବୀର କଲ୍ୟାଣପାଇଁ ବରାହ ରୂପ ଗ୍ରହଣ କରିଥିଲି। କିନ୍ତୁ ମୁଁ ଓ ମୋର ପୁତ୍ର-ପୌତ୍ରମାନେ ଏବେ ପୃଥିବୀର ଦୁଃଖର କାରଣ। ଯେହେତୁ ମୁଁ ମୋର ବରାହ ରୂପ ତ୍ୟାଗ କରିବାରେ ଅସମର୍ଥ, ତେଣୁ ମୁଁ ମୋ ନିଜ ଇଚ୍ଛାରେ ନିହତ ହେବି ଏବ˚ ମୋର ପୁତ୍ରମାନେ ମଧ୍ୟ ନିପାତ ହେବେ। ବ୍ରହ୍ମଦେବ ଆପଣ ଆପଣଙ୍କର ବ୍ରହ୍ମତେଜ ବିସ୍ତାର କରନ୍ତୁ। ବ୍ରହ୍ମା ନିଜର ବ୍ରହ୍ମତେଜ ବିସ୍ତାର କଲେ ଏବ˚ ସେଥିରୁ ଶରଭ ନାମରେ ଏକ ମୃଗ ଆକୃତିର ଭୟଙ୍କର ପ୍ରାଣୀ ଜନ୍ମ ହେଲା। ଭୟଙ୍କର ଦନ୍ତ ଓ ବିଶାଳକାୟ ଶିଙ୍ଗଧାରୀ ଶରଭ ଓ ବରାହଙ୍କ ମଧ୍ଯରେ ଯୁଦ୍ଧ ହେଲା। ଯୁଦ୍ଧରେ ବରାହ ନିହତ ହେଲେ। ତାଙ୍କ ଦୁରାଚାରୀ ପୁତ୍ର ଓ ପୌତ୍ରମାନେ ମଧ୍ୟ ଶରଭ ଦ୍ବାରା ନିହତ ହେଲେ।
ଜଣେ ଯେତେ ଲୋକ କଲ୍ୟାଣକାରୀ ହେଲେ ମଧ୍ଯ ପରବର୍ତ୍ତି ସମୟରେ ସେ ଯେତେବେଳେ ସେବକମାନଙ୍କର ଶତ୍ରୁ ହୋଇଯାଏ, ସେତେବେଳେ ସେ ନିଜେ ନିଜର ଓ ନିଜ ବ˚ଶର ନିପାତ ପାଇଁ ଉପାୟ କରିନେବା ଆବଶ୍ୟକ। ନହେଲେ, ତାର ସେହି ଲୋକ କଲ୍ୟାଣକାରୀ କାର୍ଯ୍ୟର ମହତ୍ତ୍ବ ଆଉ ରହେ ନାହିଁ। ଯୁଗାବତାର ଶ୍ରୀକୃଷ୍ଣ ମଧ୍ଯ ଦ୍ବାପର ଯୁଗ ଶେଷରେ ତାହା ଅନୁଶରଣ କରିଥିଲେ।