Sudeshna Misra

Children Stories Others

4.4  

Sudeshna Misra

Children Stories Others

ବୁଝିବାର ପିଲା

ବୁଝିବାର ପିଲା

3 mins
411



 ଏକ ବିଶେଷ କାରଣ ପାଇଁ ପଞ୍ଚମ ଶ୍ରେଣୀଟା ମୁଁ ଅଜାଘରେ ରହି ପଢିବାର ସ୍ଥିର ହେଲା।‌ ବାବା ମା ଓ ମୋର ସାନ ସାନ ଦୁଇ ଭାଇ କଟକରେ ରହୁଥାଆନ୍ତି। ଅଜା ଆଈ ଙ୍କ ଘର ମୋ ପାଇଁ ସ୍ବର୍ଗ। ଏଭଳି ଆନନ୍ଦ ଦାୟକ ସ୍ଥାନରେ ରହିବାର ବ୍ଯବସ୍ଥାରେ ମୁଁ ଭାରି ଖୁସି ଥିଲି। 


ଭୁବନେଶ୍ବର ସ୍ଥିତ ଇଉନିଟ୍ ଓ୍ବାନ୍ ଉପ୍ରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ମୋ ନାଁ ଲେଖା ହେଲା। ସେ ସ୍କୁଲ ଅଜାଙ୍କ ସରକାରି ବାସଭବନଠୁ  ଗୋଟିଏ କିଲୋ ମିଟର ଦୂର ହେବ । ନୂଆ ନୂଆ ଟିକେ ଡର ମାଡୁ ଥିଲା ଯିବା ଆସିବା କରିବାକୁ । ତେଣୁ ଅଜା କି ମାମୁ ମାନଙ୍କ ଭିତରୁ କିଏ ଜଣେ ସ୍କୁଲରେ ଛାଡିଦେଉଥିଲେ। ଅଳ୍ପଦିନ ପରେ ଜାଣିଲି, ପଡିଶାଘରର ଦୁଇ ଭାଇ ଭଉଣୀ ମଧ୍ୟ ସେଇ ସ୍କୁଲରେ ପଢନ୍ତି। ଆଉ ଆଈ ଯାଇକି ତାଙ୍କ ମାଙ୍କ ସହିତ କଥାବାର୍ତ୍ତା କରିଥିଲା। ଏହାପରେ ସମାନଙ୍କ ସହ ମିଶି ଚାଲି ଚାଲି ଯିବର ବ୍ୟବସ୍ଥା ହେଇଗଲା। ପୂର୍ବରୁ ମୁଁ କଟକରେ ହିନ୍ଦୁ ମହିଳା ଟ୍ରେନିଂ ସ୍କୁଲରେ ପଢୁଥିଲି, ଆଉ ଘରୁ ବସ୍ ରେ ସ୍କୁଲ୍ ଯାଉଥିଲି। ଚାଲିକି ସ୍କୁଲ ଯିବାଟା ଏଇ ପ୍ରଥମ। 


ଫେରିଲା ବେଳେ ବି ସେଇ ଦୁଇଜଣଙ୍କ ସହ ମିଶି ସାଙ୍ଗ ହେଇକି ଫେରୁ। କେତେବେଳେ କେମିତି ଘରୁ କିଏ କିଏ ଛଡାଅଣା  କରି ଦେଉଥିଲେ। କିନ୍ତୁ ବେଶୀଭାଗ ଦିନ ମୁଁ ସାଙ୍ଗ ମାନଙ୍କ ସ‌ହିତ ହିଁ ସ୍କୁଲ ଯାଉଥିଲି ଓ ଫେରିଆସୁଥିଲି । ସେଇଟା କ୍ରମେ କ୍ରମେ ବିଶେଷ ଅସୁବିଧା ଲାଗିଲାନି, ବରଂ ସାଙ୍ଗମାନଙ୍କ ସହ ଗପି ଗପି ଯିବା ଆଶିବାଟା ବେଶ୍ ମଜା ଲାଗୁଥିଲ। ସମସ୍ତେ ତ ଛୁଟି ହେଲେ ସ୍କୁଲରୁ ବାହାରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପିଲା ଆମ ସାଙ୍ଗରେ ଆମେ ଆସୁଥିବା ରାସ୍ତା ଦେଇ ଆସନ୍ତି। କିଛିବାଟ ଆସିଲା ପରେ, ତାଙ୍କ ନିଜ ଘର ଆଡ଼କୁ ପଡ଼ିଥିବା ରାସ୍ତା ରେ ଯାଆନ୍ତି। କିଛି ପିଲା ଅଜାଘର ପଛପଟ ଟାଇପ୍ ଥ୍ରି କ୍ବାଟର୍ସରେ ରହୁଥିଲେ। ସେମାନେ ସେପଟେ ବାଟ ଭାଙ୍ଗି ଯାଆନ୍ତି। ସେମାନେ ସବୁ ପାଖାପାଖି ରହୁଥିଲେ ଓ ତାଙ୍କ ପରିବାର ସହ ଆମର ସମ୍ପର୍କ ମଧ୍ୟ ଥାଏ। 


ସେଦିନ ସ୍କୁଲରୁ ଫେରିବା ସମୟରେ ଏତେ ପିଲାଙ୍କ କୋଳାହଳ ଭିତରେ ଜଣେ ବଡ଼ ଲୋକର କଥା ଶୁଭିଲା। "ମା କହିଛନ୍ତି ଘରକୁ ଚାଲ ମୋ ସାଇକେଲ ରେ।"  ସେ ବ୍ୟକ୍ତି ଜଣଙ୍କ ମତେ ଡାକି କହିଲା ପରି ଲାଗୁଥାଏ। କିନ୍ତୁ ସେ ଲୋକ ମୋ ପାଇଁ ଅଚିହ୍ନା। ତେଣୁ ମୁଁ ତାକୁ ଶୁଣିକି ନଶୁଣିଲା ପରି ଥାଏ। ଜଣେ ଅଜଣା ଲୋକର ଡାକ ମୁଁ କାହିଁକି ଶୁଣିବି? ମୋ ଚାରିକଡ ଆମ ସ୍କୁଲର ଅନ୍ଯ ପିଲାମାନେ ଚାଲୁ ଥାଆନ୍ତି। ମୁଁ ପ୍ରାୟ ମଝାମଝି ଥାଏ। ତେଣୁ ସେ ଅପରିଚିତ ବ୍ୟକ୍ତି ଟି ମୋ ପାଖକୁ ଆସିପାରୁ ନଥାଏ। ପୁଣିଥରେ ସେ ଲୋକଟି ଆଉ ଟିକିଏ ପାଖକୁ ଆସି ଡାକିଲା, ଆଉ ଦୋହରେଇଲା ସେଇ କଥା। ଏଥର ମୁଁ ତାକୁ ଉତ୍ତର ଦେଲି "ମୁଁ ଯିବିନି"। ପାଖରେ ଥିବା ପିଲାମାନେ ଟିକେ ଚାହିଁଲେ ମତେ ଓ ସେ ଲୋକକୁ। ସେ କହୁଥିଲା "ଚାଲ, ମା ହେରିକା କୁଆଡେ ବାହାରିଛନ୍ତି। ତେଣୁ ତୁମକୁ ଶୀଘ୍ର ପହଞ୍ଚିବାକୁ କହିଛନ୍ତି।" 


ମୁଁ ଜମା ଯିବାକୁ ରାଜି ହେଲିନି। ପ୍ରକୃତରେ ମୋ ମୁଣ୍ଡରେ କିଛି ଅନ୍ଯ ଭାବନା ଥିଲା। ସେଇଟା ଥିଲା ପିଲାଚୋରୀ। 'ଛୁଆଧରା ବାଇଆ ନେଇଯିବ' ଏଇ କଥା ପିଲାଦିନୁ କାନରେ ପଡ଼ିଛି। ମତେ ସେତେବେଳେ ବୟସ ଆଠ। ମୁଁ ପିଲାଧରା ଚୋର କଥା ଶୁଣିଥିଲି। ତେଣୁ ମନ ଭିତରେ ସେ ଭୟଟା ସର୍ବଦା ରହିଥାଏ। ଯେଉଁ ଲୋକଟି ମତେ ଡାକୁଥିଲା ତାକୁ ମୁଁ ଆଗରୁ ଦେଖି ନଥିଲି କି ତା ନାଁ ଶୁଣି ନଥିଲି। ଲୋକଟିର ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ ମଧ୍ୟରେ ବର୍ଣ୍ଣ ସଫା ଓ ବଡ଼ ବଡ଼ ଆଖି। ସେ ପିଲାଧରା ଚୋର ହେଇଥାଇପାରେ ବୋଲି ମୋ ମନରେ ଦୃଢ଼ ଧାରଣା ହେଲା। ତେଣୁ ମୁଁ ଡରିଯାଇ ଥାଏ। ମୁଁ ଜମାରୁ ତା ସହିତ ନଯାଇ ସେମିତି ଚାଲି ଚାଲି ଗଲି। ସେ ଲୋକଟି ମଧ୍ୟ ସାଇକେଲ୍ ରେ ନ ବସି ଆମ ସହିତ ଚାଲି ଚାଲି ଯାଉଥାଏ। ମୋର ଡରଟା ବଢିଯାଉଥାଏ, ଛାତି ଧଡ଼ ପଡ୍। କାଳେ ଟାଣି କି ଜବରଦସ୍ତି ନେଇଯିବ। ଲୋକଟା ଯାଉନି କାହିଁକି? ମୁଁ ସେଥିପାଇଁ ସବୁ ପିଲାମାନଙ୍କ ମଝିରେ ଚାଲୁଥାଏ। ଅଲଗା ଦୌଡିକି ଯିବାକୁ ଇଛା କରୁନଥାଏ। 

ଏମିତି ଛକା ପଞ୍ଝାରେ ମୁଁ ଯାଇ ଘର ପାଖରେ ପହଞ୍ଚି ଗଲି। ଏବେ ଯାଇ ମନରେ ଟିକେ ସାହସ ଆସିଲା। ଗେଟ୍ ଖୋଲି ଭିତରକୁ ପଶିବା ପରେ ପରେ ଦୌଡି ଦୌଡି ଯାଇ ଆଈ ପାଖରେ ହାଜର, ଆଉ ସବୁ କଥା ଏକା ନିଃଶ୍ବାସ ରେ କହିଗଲି। ସେଠି ଘରର ଆଉ ସମସ୍ତେ ବି ଥିଲେ। ସେମାନେ ମୋ କଥା ଓ ମୋ ସନ୍ଦେହ ଶୁଣି ମତେ ଟିକେ ଆଶ୍ଚର୍ଯ୍ୟ ହେଇ ଚାହିଁଲେ। ଏଇ ସମୟରେ ପଛକୁ ବୁଲି ଦେଖିଲି ଯେଉଁ ଲୋକଟି ମତେ ସାଇକେଲରେ ଆସିବାକୁ ଡାକୁଥିଲା ସେ ସେଠି ପିଣ୍ଡାରେ ଠିଆ ହେଇଚି । ଆଈ ତାକୁ କିଛି କାମ କହୁଥିଲା କରିବାକୁ। ମୁଁ ବି ଆଶ୍ଚର୍ଯ୍ୟ ହେଇ ତାକୁ ଚାହିଁଲି। 

ଇଏ ତା ହେଲେ ପିଲାଧରା ଚୋର ନୁହେଁ। ବୋଧେ ଅଜାଙ୍କ ଅଫିସର ଲୋକ। ସେଦିନ ଆଈ କାହାଘରକୁ ଯିବାକୁ ବାହାରିଥିଲା। ମୁଁ ଚାଲିକି ଆସିବାକୁ ଡେରିହେବ ବୋଲି ଏଇ ବଳରାମକୁ ପଠେଇଥିଲା ସାଇକେଲରେ ମତେ ଆଣିବାକୁ।


ଏ ଘଟଣା ପରେ ଘରେ ସମସ୍ତେ ହସାହସି ହେଲେ, ଆଉ ମତେ ବେଶ୍ ଲାଜ ଲାଗୁଥାଏ। କିନ୍ତୁ ମୁଁ ଯେ ବୁଝିପାରୁଥିବା ପିଲାଟିଏ ସେକଥା ପରେ ପରିବାର ଲୋକେ କହୁଥିବାର ମୋର ମନେପଡ଼ୁଛି। 



Rate this content
Log in