Sudeshna Misra

Children Stories Inspirational

4.3  

Sudeshna Misra

Children Stories Inspirational

ଅତି ଲେମ୍ବୁ ଚିପୁଡ଼ିଲେ ପିତା

ଅତି ଲେମ୍ବୁ ଚିପୁଡ଼ିଲେ ପିତା

3 mins
247


ପ୍ରାୟ ଶହେ କୋଡ଼ିଏ ବର୍ଷ ତଳର କଥା, କଟକ ବାଙ୍କୀ ସୁବର୍ଣପୁର୍ ଗାଁ ର ଚାରିଜଣ ସାଙ୍ଗ । ସେମାନେ ହେଲେ ରାମା କୁଟକୁଟା, ଗଙ୍ଗା ଫଡିଙ୍ଗ, ମସ୍ତରଆମ, ଚୈତନ୍ ଚୁଟକି । ଏଗୁଡିକ ସେମାନଙ୍କର ଛଦ୍ମନାମ । ସେମାନଙ୍କ ନିଜର ଅନ୍ଯ‌ ନାଁ ଥିଲେ ସୁଦ୍ଧା, ଏଇ ନାଁ ରେ ନିଜକୁ ପରିଚିତ କରିବାକୁ ଭଲ ପାଆନ୍ତି। ପାଖରେ ଥିବା ଜଙ୍ଗଲରେ ବୁଲିବା ସେମାନଙ୍କର ଗୋଟେ ସଉକ। ସରଣ୍ଡାଗଡ ହେଉଛି ସେମାନଙ୍କର ଆଡ୍ଡାସ୍ଥଳୀ। ଅନେକ ବର୍ଷତଳେ ସେଇଟା ବାଙ୍କି ରାଜାଙ୍କର ଗୋଟେ ଦୂର୍ଗ ଥିଲା। କିନ୍ତୁ କାଳକ୍ରମେ ତାହା ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବାରୁ, ଏଇ ପିଲାମାନେ ସେଇ ଗଡ଼ରେ ବୁଲାବୁଲି ଓ ଖେଳାଖେଳି କରୁଥିଲେ। ରାଜା ମନ୍ତ୍ରୀ, କଟୁଆଳ‌ ଖେଳ ଖେଳିବା ତାଙ୍କର ପ୍ରିୟ ଖେଳ ଥିଲା। ଆଉ ସେମାନଙ୍କ ଭିତରେ ସବୁ ବିଚାର ଆଲୋଚନା ସେଇ ଭଙ୍ଗାରୁଜା ଗଡ଼ରେ ହୁଏ।


ଜଙ୍ଗଲରେ ବୁଲି ବୁଲି ପକ୍ଷୀ, ଗଛପତ୍ର ଇତ୍ୟାଦି ଦେଖିବା ଥିଲା, ସେମାନଙ୍କର ନିତି ଦିନିଆ କାମ। ଏହିକାମ କରୁ କରୁ ବେଳେ ବେଳେ ସେମାନେ ଘରୁ ଗାଏବ୍ ହେଇଯାଆନ୍ତି। ଘର ଲୋକଙ୍କ ଠୁ ଗାଳି ମାଡ ବି ଖାଆନ୍ତି। 

ଥରେ କଣ ହେଲା ରାମା କୁଟକୁଟାର ବୋଉ ଅତି ଲେମ୍ବୁ ଚିପୁଡ଼ିଲେ ପିତା' ଏଇ ବାକ୍ଯଟି କହିବାରୁ , ସେ ଠିକ୍ କରି ବୁଝିପାରିଲାନି। ଅନେକଥର ଘରେ 'ଅତି ଲେମ୍ବୁ ଚିପୁଡ଼ିଲେ ପିତା' ଢଗ ଟି ସେ ପିଲା ମାନଙ୍କର କର୍ଣ ଗୋଚର ହୁଏ। ବିଶେଷ କରି ତାଙ୍କ ଜେଜେ ଓ ଜେଜେ ମା ଏଇଟା ଅନେକଥର  କହୁଥିବାର ଶୁଣନ୍ତି। ସେମାନେ ତ ପିଲା ଲୋକ। ଭାବିଲେ ଅତି ଲେମ୍ବୁ ବୋଧେ ଗୋଟେ ପ୍ରକାରର ଫଳ, ଆଉ ତା ରସଟା ପିତା। ଜଙ୍ଗଲରେ ବୁଲୁଥିବା ସମୟରେ ସେମାନେ ଅନେକ ପ୍ରକାରର ଫଳ ଓ କୋଳି ଗଛ ଦେଖିଥିଲେ। ତେଣୁ ଅତି ଲେମ୍ବୁ ଫଳଗଛ ଟିକୁ ବଣରେ ଯାଇ ଖୋଜିବା ପାଇଁ ଚିନ୍ତା କଲେ। ଚାରିଜଣ ଯାକ ସାଙ୍ଗ ବିଚାର ଆଲୋଚନା କରି ଦିନେ ସକାଳୁ ସକାଳୁ ପାଖ ଜଙ୍ଗଲକୁ ବାହାରିଗଲେ। କିଛି ଗଛତ ସେମାନେ ଆଗରୁ ଚିହ୍ନିଥିଲେ। ଆଉ କିଛି ନୂଆ ଗଛ ସେମାନେ ଦେଖିଥିଲେବି ତା ନାଁ ଟା ଜାଣି ନଥିଲେ। ଭାବିଲେ ସେଇଗଛ ହୁଏତ ଅତିଲେମ୍ବୁ  ଗଛ ହେଇଥାଇପାରେ। କିନ୍ତୁ କାହାକୁ ପଚାରି ବୁଝିବେ ? ଅବଶ୍ୟ ସେ ଗଛରେ କିଛି ଫଳ ଫଳିବା, ସେମାନେ 

ଦେଖି ନାହାନ୍ତି । 


ସେଇ ଛୋଟ ଦଳଟି ର ସର୍ଦ୍ଦାର ଚୈତନ୍ ଚୁରକି ଟିକେ ବୁଦ୍ଧିଆ, ସେ ପ୍ରସ୍ତାବ ଦେଲା, ଏଇ ଗଛ ଗୁଡ଼ିକର ପତ୍ର ନେଇ ଜଣେ ବଡ଼ ଲୋକକୁ ପଚାରାଯିବ, କି ଗଛ ବୋଲି। ସେଇଥିରୁ ଜଣା ପଡିବ। ସେଇଆ ଠିକଣା କରି ଗାଁର ଜଣେ ବୟସ୍କ ହରି ଅଜାଙ୍କ ପାଖକୁ ଗଲେ। ହରି ଅଜା ଏ ପିଲାମାନଙ୍କୁ ଭଲ ପାଆନ୍ତି। ତେଣୁ ପିଲାମାନେ ତାଙ୍କ ପାଖକୁ ଯାଇ ଗପ ବି ଶୁଣନ୍ତି। ଚାରିଜଣ ଯାକ ଯେତେବେଳେ ଦଶ ବାରଟି ପତ୍ର ନେଇ ଅଜାଙ୍କ ପାଖକୁ ଗଲ, ଅଜା ପଚାରିଲେ, ଏ ପତ୍ର ବିଷୟରେ କାହିଁକି ପଚାରୁଛ ? ସେମାନେ ନିଜ ନିଜ ଭିତରେ ଚାହାଁ ଚାହିଁ ହେବାରୁ ଅଜାଙ୍କୁ ଟିକେ ସନ୍ଦେହ ହେଲା। ସେ କହିଲେ, "ପିଲେ ସଠିକ୍ କହୁନ କଥାଟା କଣ"? ଗଙ୍ଗା ଫଡିଙ୍ଗ ଟିକେ ଆଗଚଲା। ଆଉ ଅପେକ୍ଷା ନକରି କହି ପକେଇଲା ଅତିଲେମ୍ବୁ କଥା। 

ଅଜା ଏମାନଙ୍କ କଥାଶୁଣି ପ୍ରଥମେ ହସି ହସି ଗଡ଼ିଗଲେ। ପିଲାମାନେ ତାଙ୍କ ହସ ଦେଖି ଆଶ୍ଚର୍ଯ୍ୟ ହେଇ ଚାହିଁ ଥାଆନ୍ତି। ତାପରେ ହରି ଅଜା କହିଲେ, " ଗଲ କିଏ ଜଣେ ଘରୁ ଲେମ୍ବୁଟେ ଆଣିବ, ତାପରେ ମୁଁ କହିବି"। ମସ୍ତରାମ୍ କୁ ସମସ୍ତେ ପେଲିଲେ ଲେମ୍ବୁ ଆଣିବା ପାଇଁ। ଲେମ୍ବୁକୁ କାଟିକି ଆଣିବାକୁ ଅଜା କହିଥିଲେ।  ଲେମ୍ବୁ ଆସିଲାରୁ ଅଜା ପ୍ରତ୍ୟେକଙ୍କ ହାତରେ ଟୋପେ ଟୋପେ ରସ ଦେଇ ଚାଖିବାକୁ କହିଲେ ଓ ତା'ର ସ୍ବାଦ କିପରି ଲାଗୁଛି ପଚାରିଲେ। ପିଲାମାନେ ଖଟା ବୋଲି କହିଲେ। ପୁଣି ଟୋପେ ଟୋପେ ଦେବାରୁ ସେଇ ଏକା ସ୍ବାଦ। ଏଥର ଭଲକି ଜୋର୍ ଲଗାଇ ଚିପୁଡିକି ଚାଖିବାରୁ ତାହା ଖଟା ସହିତ ବେଶ୍ ପିତା ଲାଗିଲା

ଅଜା କହିଲେ "ଏଥର ବୁଝିଲତ ? ଲେମ୍ବୁରସ ଖଟା । କିନ୍ତୁ ଅତି ଚିପୁଡିବାରୁ ସେଥିରୁ ପିତା ବାହାରିଲା। ତେଣୁ ଯେତିକି ବାହାରି ପାରିବ, ତାଠୁ ଅଧିକ ବାହାର କଲେ, ଠିକ୍ ଜିନିଷ ବାହାରେ ନାହିଁ " ସେହିପରି କୌଣସି କାମକୁ ଅତିରିକ୍ତ କଲେ ତାର ଫଳ ସବୁବେଳେ ଠିକ୍ ହୁଏନି। ତେଣୁ ଅତିଲୋଭ କରିବା ଉଚିତ୍ ନୁହେଁ। କେତେକ ବିଷୟରେ ସୀମିତତା ରକ୍ଷା କରିବା ଉଚିତ୍।


ସେ ଚାରିଜଣ ଯାକ ପିଲା ଏଥର ସବୁ ବୁଝିପାରି ଲାଜରେ ହସି ପକେଇଲେ। ଶିଶୁରୁ କୈଶୋର ଅବସ୍ଥା କୁ ଯିବା ପୂର୍ବରୁ ଏହିକଥା ଟି ସେମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଥିଲା।


Rate this content
Log in