LALIT MOHAN DASH

Romance Action Classics

4  

LALIT MOHAN DASH

Romance Action Classics

ଗରୁଡଙ୍କ ଲୁହ

ଗରୁଡଙ୍କ ଲୁହ

6 mins
360


ଅବସର ପରେ ଗରୁଡ ବାବୁ ଆଉ କୌଣସି କାର୍ଯ୍ୟକଳାପରେ ବ୍ୟସ୍ତ ରୁହନ୍ତୁ କି ନରୁହନ୍ତୁ ଛୋଟ ମୋଟ କଥାକୁ ନେଇ ପତ୍ନୀଙ୍କ ସହିତ ବାଦାନୁବାଦ ରେ ଦୀର୍ଘ ସମୟ ଧରି ବାନ୍ଧି ରହୁଥିଲେ। ବେଳେ ବେଳେ ଏସବୁ କଥା ଏତେ ତୀବ୍ର ହୁଏ ଯେ କିଛି ଦିନ ଧରି ପରସ୍ପର କଥା ନହେଇ ମଧ୍ଯ ରହିଯିବାକୁ ହୁଏ କାରଣ ତତଜନିତ ଚିନ୍ତା ମନକୁ ଏତେ ଭାବମୟ ରଖେ ଯେ ସେ ଆଉ କୌଣସିଥିରେ ମନୋନିବେଶ କରି ପାରନ୍ତି ନାହିଁ। ସମୟର ସୁଅ ଗଡି ଗଡି ଚାଲେ। ଗରୁଡ ବାବୁ ଭାବନ୍ତି, ଏମିତି ଆଉ କିଛିଦିନ ଗଡିଗଲେ ମୃତ୍ୟ ହିଁ ଶେଷରେ ଅନ୍ତିମ ସତ୍ଯ ହେଇ ଆସିବ। ସେପର୍ଯ୍ୟନ୍ତ ସମୟ ସହ ତାଳ ଦେଇ ଚାଲିବାକୁ ହେବ ଭାବି ଉର୍ମିଳାଙ୍କୁ ଚାହିଁ ଦେଖିଲେ, ତାଙ୍କ ନିଦ ଭାଙ୍ଗିନାହିଁ।

ପତ୍ନୀଙ୍କର ଏପରି ସୁନିଦ୍ରା ଦେଖି କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ହେଲେ ଗରୁଡ। ଏତେ ବାଦାନୁବାଦ ପରେ ମଧ୍ଯ କେମିତି ଏମାନେ ଏତେ ଶାନ୍ତିରେ ଶୋଇ ପାରନ୍ତି। ଏଇଟା କଣ ଏମାନଙ୍କ ପାଖେ ଏକ ବିଶେଷ କଳା। କାହାକୁ ବାଦାନୁବାଦର କ୍ଳାନ୍ତି ଶୋଇବାରେ ସହାୟକ ହେଉଛି ତ କାହାକୁ ସେଇ ବାଦାନୁବାଦ ମାନସିକ ପୀଡାର ଯନ୍ତ୍ରଣା ଦେଇ ଶୋଇବାରେ ଶତୃ ସାଜୁଛି। ସମାନ ଜିନିଷ ଦୁଇ ବିପରୀତ ଧର୍ମୀ ବ୍ୟକ୍ତି ପାଖରେ ଯେ ଭିନ୍ନ ଭିନ୍ନ ରୂପ ପ୍ରକାଶ କରିପାରେ ଏହା ସୃଷ୍ଟିର ବୈଚିତ୍ର ନୁହେଁତ ଆଉ କଣ! 

ପୂର୍ବଦିନ ଠାକୁରଙ୍କ ପାଇଁ ଫୁଲ ଆଣିବା ପ୍ରସଙ୍ଗକୁ ନେଇ ଘଟିଥିବା ବାଦାନୁବାଦ ଏପର୍ଯ୍ୟନ୍ତ ତାଙ୍କ ମନରୁ ଯାଇନି, ସେ ଶାନ୍ତିରେ ଶୋଇବେ କେମିତି।

ୟା'ଘର ତା'ଘର ବୁଲି ବୁଲି ସେ ଆଉ ଫୁଲ ତୋଳି ପାରିବେନି ବୋଲି ଫୁଲ କିଣିବାକୁ ସ୍ଥିର କରିଥିଲେ ଯେ ଉର୍ମିଳାଙ୍କ ଏକା ଜିଦ୍ ଦୋକାନର ବାସି ଫୁଲ ଠାକୁର ପିନ୍ଧିବେ ନାହିଁ। ସେଥିପାଇଁ ସେ ଆଗରୁ ଦି'ଟା ଟଗର ଗଛ ଆଣି ଆପାର୍ଟମେଣ୍ଟ ତଳେ ଲଗାଇ ଥିଲେ ଯେ ଭୋର ସକାଳୁ ଅନ୍ୟମାନେ ନେଇ ଯାଉଛନ୍ତି। ସେ କଣ କରିବେ! ଗଛ ଆଣି ଲଗାଇବାକୁ ଆଉ ଯାଗା ନାହିଁ କି ସେ ଲଗାଇଛନ୍ତି ବୋଲି ତାଙ୍କ ପାଇଁ ଫୁଲ ଛାଡିଦେବାର ଭାବନା ମଧ୍ଯ କାହାର ନାହିଁ। କାହିଁକି ବା କିଏ ଭାବିବ। ସମସ୍ତେ ତ ନିଜ ନିଜ ଠାକୁରଙ୍କୁ ଖୁସି କରିବାକୁ ଚାହାନ୍ତି। ସେଇଟା ଯଦି ବଜାରରୁ ଫୁଲ ନ କିଣି ମାଗଣାରେ ମିଳିଗଲା ଅଯଥା ଉଦାର ହେବାର ଆବଶ୍ୟକତା କଣ! ସମସ୍ତେ ନିଜ ପ୍ରଭୁଙ୍କର ଶ୍ରଦ୍ଧା ଭାଜନ ହେବାକୁ ଚେଷ୍ଟା କରିବା ତ ଭୁଲ ହେଇ ନପାରେ।

ଗରୁଡଙ୍କ ଚିନ୍ତା ଯେତିକି ବିସ୍ତାର ହେଉଥାଏ ସେ ସେତିକି ପରିମାଣରେ ଛନ୍ଦି ହେଇ ଯାଉଥାନ୍ତି। ସେ ଜୋର କରି ବଜାରରୁ ଫୁଲ ଆଣିଲେ ବି ପତ୍ନୀ ତାକୁ ଠାକୁରଙ୍କୁ ଲଗାଇ ଦେବେ ନାହିଁ। ସେଥିପାଇଁ ପୁଣିଥରେ ଲଢିବାକୁ ପଡିବ। ସ୍ୱାମୀଗୁଡାକ ସମର ଅଭ୍ୟାସ କରି ମଧ୍ଯ ସ୍ତ୍ରୀମାନଙ୍କ ସହ ସମର ସମର୍ଥ ନହେବାଟା ବୋଧହୁଏ ସୃଷ୍ଟିକର୍ତ୍ତାଙ୍କ ଅଭିଶାପ। 

ଉର୍ମିଳା କଡ ଲେଉଟାଇବାରୁ ଗରୁଡ ଚାହିଁଲେ। କିଛି କହିବାକୁ ଇଚ୍ଛା ଥିଲେ ବି କହିବାର ସ୍ପୃହା ଆସୁନଥିଲା। କିନ୍ତୁ ନକହିଲେ ମଧ୍ଯ ଅଯଥା ନୀରବତା ଭଲ ଲାଗୁନଥିଲା। କଣ କରିବେ ଭାବି ଦ୍ବନ୍ଦ୍ବରେ ପଡି ଯାଉଥିଲେ!


ପତ୍ନୀଙ୍କ କଟୁତା ପ୍ରତ୍ୟକ୍ଷ ପ୍ରତୀୟମାନ ହେଉଥିଲେ ବି ପତ୍ନୀଙ୍କ ପ୍ରିୟତାରେ ଏପରି ଏକ ମିଠା ମିଠା ସୁଖ ଲୁକ୍କାୟିତ ରହିଥାଏ ଯେ ସେହି କଟୁତାର ଦୁଃଖ ବେଶି ସମୟ ସ୍ଥାୟି ରହି ପାରେନାହିଁ।

ଭାଗବତରୁ ଶ୍ରୀକୃଷ୍ଣ ଉଦ୍ଧବଙ୍କ କଥା ପ୍ରସଙ୍ଗ ମନେ ପଡିଗଲା। ବିୟୋଗ ବିଚ୍ଛେଦ ନହେଲେ ସଂଯୋଗ ସୁଖର ପୂର୍ଣ୍ଣ ଅନୁଭୂତି ଆସିପାରେ ନାହିଁ। ସଂସାର ଦ୍ବନ୍ଦ୍ବ ଉପରେ ଅବସ୍ଥିତ। ଏଣୁ ଉତ୍ଥାନ ପତନ, ସୁଖ ଦୁଃଖ, ଜୀବନ ମରଣ, ଯଶ ଅପଯଶ ସବୁ ଗୋଟିଏ ଅନ୍ୟକୁ ଅପେକ୍ଷା କରି ରହିଥାଏ। ଗୋଟିକୁ ଛାଡି ଅନ୍ୟର ଅସ୍ତିତ୍ବ ଅନୁଭବ କରିହୁଏ ନାହିଁ। ସଂଯୋଗ ବିଯୋଗ ସୁଖର ଦୁଇଟି ପାର୍ଶ୍ବ ପରି। ବିଯୋଗ ରେ ଦୁଃଖ ଥିଲେ ମଧ୍ଯ ପୁନର୍ମିଳନ ର ଆଶା ନଥିଲେ ବିୟୋଗଜନିତ ଦୁଃଖ ସହ୍ଯ କରି କେହି ରହି ପାରନ୍ତେ ନାହିଁ।

ପତ୍ନୀଙ୍କ ଡାକରେ ଗରୁଡଙ୍କ ଭାବନା ଭଙ୍ଗ ହେଲା। କହିଲେ, କଣ ଭାବୁଛ! ଫୁଲ ତୋଳିବାକୁ ଯିବନି କି ! ଡେରି କଲେ ସବ ସରିଯିବ ଯେ !

ଉର୍ମିଳାଙ୍କ କଥାରେ ପୂର୍ବଦିନର କିଞ୍ଚିତ ବି କଟୁତା ନଥିଲା। ଶବ୍ଦ ଧ୍ବନିର ସ୍ୱରୋଚିତ ମାଧୁର୍ଯ୍ୟ ସେ ବେଶ୍ ଅନୁଭବ କରି ପାରୁଥିଲେ। ପ୍ରତିରୋଧ କରି ପୁଣି ଥରେ ଫୁଲ କିଣିବାର ପ୍ରସ୍ତାବ ଦେବାକୁ ସେ ଆଉ ଚାହୁଁ ନଥିଲେ। ଚୁପଚାପ ଖଟରୁ ଉଠି ପାଖ କବାଟରେ ଗୁଞ୍ଜା ହେଇଥିବା ଏକ ପଲିଥିନ ଧରି ଫୁଲ ତୋଳିବାକୁ ବାହାରିଲେ। ଯିବା ପୂର୍ବରୁ ଫୁଲର ସ୍ଥିତି ଦେଖିବା ପାଇଁ ଥରେ ବାଲକୋନି ଗ୍ରୀଲ ବାଟେ ବାହାରକୁ ଚାହିଁଲେ। ଟଗର ଗଛର ଡାଳଗୁଡିକ ପାଖ ଗଛର ଡାଳରେ ଏମିତି ଛନ୍ଦି ହେଇଥିଲା ଯେ ଫୁଲ ଜଣା ପଡୁ ନଥିଲା। ଉର୍ମିଳା ଅଭିଜ୍ଞଙ୍କ ପରି କହିଲେ ତମକୁ କଣ ଉପରୁ ଦିଶିବ ଯେ ଦେଖୁଛ। ଡାଳ ଭିତରେ କିଛି ଫୁଲ ରହି ଯାଇଥିବ ତମେ ଜଲଦି ଯାଅ ନହେଲେ ସେତକ ବି ମିଳିବ ନାହିଁ।

ଗରୁଡ ତୁରନ୍ତ ତଳକୁ ଓହ୍ଲାଇ ଟଗର ଗଛର ଚାରି ପଟକୁ ଦୃଷ୍ଟି ଦେଲେ। କାଁ ଭାଁ କୋଉଠି ଗୋଟିଏ ଅଧେ ଫୁଲ ଦିଶୁଥାଏ। ନିରାଶ ନ ହୋଇ ଗରୁଡ ବାବୁ ଫୁଲ ନଷ୍ଟ ହେଇଯିବା ଭୟରେ ବଡ ଯତ୍ନ ଓ ସନ୍ତର୍ପଣର ସହ ତୋଳିଲେ। ଚାରି ପାଞ୍ଚଟି ଫୁଲ ମାତ୍ର ସଂଗ୍ରହ ହେଲା। ତାଙ୍କ ଠାକୁରଙ୍କ ସଂଖ୍ୟା ପଚିଶି ଥିବାରୁ ବିମର୍ଷ ଚିତ୍ତରେ ତନ୍ନ ତନ୍ନ କରି ଗଛ ଭିତରକୁ ଚାହିଁଲେ। କୋଉଠି ଆଉ ଫୁଲ ଦିଶୁ ନଥିଲା। ସେ ବାଲକୋନିକୁ ମୁଣ୍ଡ ଟେକି ଚାହିଁଲେ କାଳେ ଉର୍ମିଳା ଦୟା ପରବଶ ହେଇ କହିଦେବେ, ଫୁଲ ଯଦି ନମିଳୁଛି ଦୋକାନ ଯାଇ ନେଇ ଆସ। ନା ! ସେଭଳି କୌଣସି ସମ୍ଭାବନାର ସୂଚନା ମିଳିଲା ନାହିଁ। ତାଙ୍କୁ ଏବେ ବାହାରକୁ ଯାଇ ଘଣ୍ଟାଏ କାଳ ବୁଲିଲେ ଆଉ କୋଡ଼ିଏ ପଚିଶ ଟଗର ଫୁଲ ସଂଗ୍ରହ ହେଇପାରେ। ସବୁ ଠାକୁରଙ୍କୁ ନିହାତି ଗୋଟିଏ ଫୁଲ ତ ଦେବାକୁ ପଡିବ। ମନରେ ଭକ୍ତି ଯାହା ବି ଥାଉ ଦିଶୁଥିବା ଉପଚାର କମିଗଲେ ଔପଚାରିକତାର ଧୃଷ୍ଟତା ଧରାଯିବ। ଆଜିକାଲି ବାସ୍ତୁବିତ୍ ମାନେ ମଧ୍ଯ ଟିଭି ରେ ଏସବୁକୁ ଗୁରୁତ୍ବ ଦେଉଥିବାରୁ ମହିଳାଙ୍କ ସଜ ଫୁଲ ପ୍ରତି ଅହେତୁକ ଦୂର୍ବଳତା ବଢିବାରେ ଲାଗିଛି

ଗୀତାରେ କୁହାଯାଇଥିବା 'ପତ୍ର ପୁଷ୍ପ ଯାହା ଭକ୍ତି ରେ ଦେଲେ ଗ୍ରହଣ କରିବି' ବର୍ତ୍ତମାନ ଦୃଷ୍ଟି ଆଢୁଆଳ ରେ ରହିଗଲାଣି କାରଣ ଉପଚାର ଓ ଉପଢୌକନ ଯଦି କାହାର ଦୃଷ୍ଟିକୁ ନ ଆସେ ତାହାଲେ ନିଜର ନିଷ୍ଠା ନିଶ୍ଚିତ କେମିତି ହେବ। ଭାବର ଭକ୍ତି ଭଗବାନ ଜାଣନ୍ତୁ କି ନଜାଣନ୍ତୁ ପାଖ ପଡିଶା ନିହାତି ଜାଣିବା ଦରକାର। 

ଗରୁଡଙ୍କ ଚିନ୍ତା ବଢି ବଢି ଯାଉଥିଲା। ଉର୍ମିଳା ଉପରୁ ଥାଇ କହିଲେ, ଫୁଲ ଯଦି ନାହିଁ ଘେରାଏ ତମେ ବୁଲି ଆସ। ତମ ପ୍ରାତଃ ଭ୍ରମଣ ହେଇଯିବ ଓ ଠାକୁରଙ୍କ ଫୁଲ ବି ମିଳିଯିବ।

ଗରୁଡ ନିରୁତ୍ତର ରହି ମନକୁ ମନ କହିବାରେ ଲାଗିଲେ, ଫୁଲଗଛ କିଏ ଲଗେଇଲେ ସିନା ଫୁଲ ଦି'ଟା ମିଳିବ। ଲୋକେ ତ ଟିକିଏ ଯାଗା ବଳିଲେ ଘର କରି ଦେଉଛନ୍ତି ଯେ ଗାଡି ରାସ୍ତାରେ ରହୁଛି ଆଉ ଫୁଲ ଗଛ ଲଗାଇବ କିଏ। ତଥାପି କିଛି ଲୋକ ପାଚେରି କଡକୁ କୌଣସିପ୍ରକାରେ ଗଛଟେ ଲଗାଇଥାନ୍ତି। ସେଇ କେତୋଟି ଗଛ ତାଙ୍କ ଆଶା।


ଗରୁଡ ବାବୁ କ୍ଷୀପ୍ର ଗତିରେ ପାଦ ବଢାଇଲେ। କିଛି କିଛି ଫୁଲ ମିଳିଲା। ଗରୁଡ ଗଣି ଦେଖିଲେ ଅଠରଟି ହେଉଛି। ତାଙ୍କ ସବୁ ଠାକୁରଙ୍କୁ ତଥାପି ପାଇବ ନାହିଁ। ଆଉ କିଛି ଫୁଲ ପାଇଁ କଣ ତାଙ୍କୁ ନିରାଶ ହେବାକୁ ପଡିବ! ଉର୍ମିଳା ଅଳ୍ପ ଫୁଲ ଦେଖି ପୁଣି ଚିଡିଚିଡି ହେବେ। କେତେଦିନ ଆଉ ଏମିତି ବାକ୍ଯ ବାଣର ଶୀକାର ହେବେ !

ମନର ଭାବନା ତାଙ୍କୁ ତଡିତ ବେଗରେ ଭାଗବତ କଥା ଆଡକୁ ଟାଣି ନେଲା। ସଂସାରରେ କୌଣସି କଷ୍ଟ କେବଳ ନିଜ କର୍ମ ଓ ପ୍ରାରବ୍ଧ ର ଫଳ। ପ୍ରଚେଷ୍ଟା କେବଳ ଏକ ପନ୍ଥ, କଷ୍ଟ ନିବାରଣର କାରଣ ନୁହେଁ। ସେଥିପାଇଁ ସନ୍ଥ ନିଜ ପ୍ରାରବ୍ଧ ନିଷ୍କ୍ରାନ୍ତ ହେବା ପର୍ଯ୍ୟନ୍ତ କଷ୍ଟ ସ୍ବୀକାର କରିଥାଏ। 

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଥିଲେ- ଉଦ୍ଧବ ! ପ୍ରାରବ୍ଧକୁ ଭକ୍ତ ଅସ୍ବୀକାର କରେନାହିଁ ବୋଲି ମୁଁ ମଧ୍ଯ ମୋ ଭକ୍ତଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ଯ କରିବାକୁ ଇଚ୍ଛା କରେ ନାହିଁ। ମନେରଖ, ଭକ୍ତ ଯେତେବେଳେ କର୍ମ ଓ କର୍ମଫଳକୁ ସମର୍ପଣ କରିବାକୁ ସକ୍ଷମ ହୁଏ ମୁଁ ସେତେବେଳେ ଭକ୍ତର ଯୋଗକ୍ଷମ ଦାୟିତ୍ବ ନିଜ ଉପରକୁ ନେଇଯାଏ। 

ଯେତେବେଳେ ଭଗବାନ ଭକ୍ତର ସମସ୍ତ ଦାୟିତ୍ବ ନିଅନ୍ତି ବୋଲି ଭକ୍ତର ହୃଦବୋଧ ହୁଏ ସେ ଅଚିନ୍ତା କର୍ତ୍ତବ୍ଯ କର୍ମରେ ନିୟୋଜିତ ହେଇଯାଏ।

ଗରୁଡଙ୍କ ହୃଦୟ ଈଶ୍ବରୀୟ ଭାବନାରେ ବିଗଳିତ ହେବାକୁ ଲାଗିଲା। ସେ ଚିନ୍ତା କଲେ ଭକ୍ତଟିଏ ଯେତେବେଳେ ଶରଣାପନ୍ନ ହେଇ ଭଗବାନ ଙ୍କ ଆଶ୍ରିତ ହେଇଯାଏ ଭଗବାନ ସ୍ଵୟଂ ଭକ୍ତର ସମସ୍ତ ଆବଶ୍ୟକ କାର୍ଯ୍ୟ କରିଦିଅନ୍ତି।

ଭୀଷ୍ମ ପିତାମହ ଶରଶଯ୍ୟାରେ ଥାଇ ପ୍ରଭୁଙ୍କୁ ନିବେଦନ କରିଥିଲେ ଯେ ସେ ଶ୍ରୀକୃଷ୍ଣ ଙ୍କୁ ଦେଖି ଦେହତ୍ୟାଗ କରିବେ। ଭଗବାନ ସ୍ଵୟଂ ଉପସ୍ଥିତ ରହି ତାଙ୍କର ଏଇ ଅଭିଳାଷ ପୂରଣ କରିଥିଲେ।

ଜଟାୟୁ ରାବଣ ଦ୍ବାରା ଆହତ ହୋଇ ଅତ୍ୟଧିକ ପୀଡାରେ ଭଗବାନଙ୍କୁ ସ୍ମରଣ କରିବାରେ ଅସମର୍ଥ ହେଇ ପଡିବାରୁ ଶ୍ରୀରାମଚନ୍ଦ୍ର ସେଠାରେ ଉପସ୍ଥିତ ରହି ତାଙ୍କର ଶେଷ ଇଚ୍ଛା ପୂରଣ କରିଥିଲେ।

ଅନ୍ତିମ କାଳରେ ଯେ ଭଗବାନଙ୍କୁ ସ୍ମରଣ କରେ ସେ ଶ୍ରେଷ୍ଠ ଭକ୍ତ। କିନ୍ତୁ ମୃତ୍ୟ କାଳରେ ଯାହାକୁ ଭଗବାନ ସ୍ମରଣ କରନ୍ତି ତାର ସୌଭାଗ୍ଯ ଅଚିନ୍ତ୍ୟ ଓ ଅବର୍ଣ୍ଣନୀୟ ।

ଗରୁଡ ବାବୁଙ୍କର ଫୁଲ କଥା ମନେ ପଡିବାରୁ ସେ ଆଉ ଆଗକୁ ଭାବି ପାରିଲେ ନାହିଁ। ସେ ଭୀଷ୍ମଙ୍କ ପରି କଣ ଅନ୍ତ କାଳରେ ପ୍ରଭୁଙ୍କୁ ସ୍ମରଣ କରି ପାରିବେ ନା ଜଟାୟୁ ପରି ଅସମର୍ଥ ହେଲେ ବି ପ୍ରଭୁ ତାଙ୍କୁ ସ୍ମରଣ କରି ପାଖକୁ ଆସିବେ। ଯିଏ ପ୍ରଭୁଙ୍କ ପାଇଁ ଫୁଲ ଦି'ଟା ସଂଗ୍ରହ କରି ପାରୁନି ତାର ଏତେବଡ ପ୍ରତ୍ୟାଶା ପ୍ରତିସ୍ପର୍ଦ୍ଧା ନୁହେଁତ ଆଉ କଣ ! ମନେ ମନେ ସ୍ଥିର କଲେ ସେ କାଲିଠାରୁ ଶୀଘ୍ର ଉଠି ଫୁଲ ତୋଳିବାକୁ ବାହାରି ଆସିବେ । ଫୁଲ ତୋଳିବା ସମୟରେ ପ୍ରଭୁଙ୍କ ଚିନ୍ତନ କିଛି ତ ଧର୍ମ ଅର୍ଜିବାକୁ ସମର୍ଥ ହେବ। ମନୁଷ୍ଯର ପ୍ରତି ପଦକ୍ଷେପ ପଛରେ ପ୍ରଭୁଙ୍କର ଉଦ୍ଦେଶ୍ଯ ନିହିତ ଥାଏ। ଥରେ ତାର ଦୃଷ୍ଟି ପରିଜ୍ଞାତ ହେଇ ଗଲେ ପରିତୃପ୍ତିର ସମ୍ଭାବନା ବଢିଯାଏ। ଈଶ୍ବରୀୟ ଚିନ୍ତାରେ ଅଭିଭୂତ ହେଉ ହେଉ ଆଖି ରେ ଦୁଇ ଠୋପା ଲୁହ ଜକେଇ ଆସି ଥିଲା। ମନକୁ ମନ ହସିଦେଇ ପୋଛିବାକୁ ଉଦ୍ୟତ ହେଲା ବେଳେ ଦେଖିଲେ ପାଖରେ ପିଲାଟିଏ ଠିଆ ହେଇ ତାଙ୍କୁ ଦେଖୁଛି। ନିଜ ଆଖିର ଲୁହ ପାଇଁ ଗରୁଡଙ୍କୁ ଲଜ୍ଜା ଆସିଲା। ପିଲାଟିକୁ ପଚାରିଲେ - କଣ !

ପିଲାଟି ହସିଦେଇ କହିଲା - ହାତ ଦେଖାନ୍ତୁ କହିବି

ଗରୁଡ କିଛି ନଭାବି ହାତ ଦେଖାଇ ଦେଲେ।

ପିଲାଟି ସହସା କିଛି ଫୁଲ ହାତରେ ରଖି ଦୌଡି ପଳାଇଲା। ଗରୁଡବାବୁ କିଛିକ୍ଷଣ ଆଶ୍ଚର୍ଯ୍ୟରେ ତା'ଆଡେ ଚାହିଁଥାନ୍ତି। ତାପରେ ଆଉ ସେ ଦୃଷ୍ଟି ଗୋଚର ନହେବାରୁ ବ୍ୟସ୍ତ ବିବ୍ରତ ହେଇ ଚାରି ଆଡକୁ ଚାହିଁଲେ ମଧ୍ଯ ତାର ପତା ପାଇଲେ ନାହିଁ।

ଡହଳ ବିକଳ ମନରେ ଘରେ ପହଞ୍ଚିଲା ବେଳକୁ ଉର୍ମିଳା ତୀକ୍ଷ୍ଣ ସ୍ୱରରେ କହିଲେ ଏତେ ସମୟ ହେଲାଣି କୁଆଡେ ଯାଇ ଫୁଲ ତୋଳୁଛ କି ! ତମ ଆଖିରେ କଣ ପଶିଛି କି ! ଏତେ ଲୁହ କଣ ! ବୁଢା ହେଲଣି, ଟିକିଏ ଦେଖି ଚାହିଁ ତୋଳିଲେ ହୁଅନ୍ତା ନି ! ବୁଢା ବେଳେ ଆଖି ଖରାପ କରି ନିଜେ ଭୋଗିବ, ମୋତେ ବି ଭୋଗେଇବ କହି ଗାମୁଛାଟେ ଧରାଇ ଦେଇ କହିଲେ, ଶୁଣ କାଲିଠୁ ଏଇଠି ଯାହା ମିଳିବ ସେତିକି। କୁଆଡେ ଯିବା ଦରକାର ନାହିଁ। ଆମକୁ ଯେତିକି ଫୁଲ ମିଳିବ ଠାକୁର ସେତିକି ପିନ୍ଧିବେ। 


ଈଶ୍ବରୀୟ ପ୍ରେମର ଉଚ୍ଛାସରୁ ବୋହି ଆସୁଥିବା ଲୁହକୁ ଗରୁଡ ତୁରନ୍ତ ପୋଛି ଦେଇ ସେଇ ପିଲାଟି କଥା ଭାବୁଥାନ୍ତି। ସେ କାଲି ସକାଳୁ ପୁଣି ନଗଲେ କଣ ତା ଦେଖା ପାଇବେ! ଯେମିତି ବି ହେଉ ତାଙ୍କୁ ଯିବାକୁ ପଡିବ। 

ଗରୁଡଙ୍କ ଆଖିରୁ ଲୁହ ବୋହି ଚାଲିଥାଏ। ଉର୍ମିଳା ବ୍ୟସ୍ତ ହେଇ କହିଲେ, ଚାଲ ଡାକ୍ତର ଦେଖାଇ ଆସିବା। ଉର୍ମିଳାଙ୍କ କଥା ଶୁଣି ଗରୁଡ ମୁରୁକି ହସି ଦେଲେ।

ଗରୁଡ ଭାବୁଥିଲେ, ସେ କାହୁଁ ବୁଝିବେ ଏ ଲୁହରେ କେତେ ଆନନ୍ଦ ଓ କେତେ ପୁଲକ ଭରି ହେଇ ରହିଛି। ଉର୍ମିଳା କିନ୍ତୁ ଗାମୁଛାଟା ଗରୁଡଙ୍କ ହାତରୁ ଭିଡି ଆଣି ବାହାରି ଆସୁଥିବା ଲୁହକୁ ପୋଛିବାରେ ଲାଗି ପଡିଥାନ୍ତି। 



Rate this content
Log in

Similar oriya story from Romance