Lalita Mohan Mishra

Romance Tragedy

4.1  

Lalita Mohan Mishra

Romance Tragedy

ମଧ୍ୟାହ୍ନର ଛାଇ

ମଧ୍ୟାହ୍ନର ଛାଇ

13 mins
502



ଏଥର ପରୀକ୍ଷା ଫଳ ଭଲ ହୋଇଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଏ ଓ୍ୱାନ୍, ଏ ଟୁ ରେ ବେଶୀ ପିଲା ପାଶ୍ କରିଛନ୍ତି । ସରକାରଙ୍କ ତରଫରୁ ଉତ୍ତମ ବିଦ୍ୟାଳୟ ଏବଂ ଉତ୍ତମ ଛାତ୍ରକୁ ନେଇ ପୁରସ୍କୃତ କରା ଯାଉଛି। ସେଥିପାଇଁ ଭୁବନେଶ୍ବର ଆଦିବାସୀ ପଡିଆରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଭିଡ । ତପନ ପ୍ରଧାନଶିକ୍ଷକ ଭାବରେ ପ୍ରମୋଶନ ପାଇବାର ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି । କେବେ ହେଲେ ମଧ୍ୟ ସର୍ଗୀଫୁଲରେ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରି ପାରି ନ ଥିଲା । ଏଥରର ପରିଶ୍ରମର ଫଳ । ନୂଆ ନୂଆ ଲାଗୁଥାଏ ପରିବେଶ ।


ଅଫିସରଙ୍କ ଆତଯାତ । କେତେ ଜିଲ୍ଲାର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଆସିଛନ୍ତି । କିଏ ବା କାହାକୁ ଜାଣିଛି ? ଏ ବିଭାଗରେ ଚାକିରୀ କଲା ଠାରୁ ସଦାସର୍ବଦା ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ସମସ୍ୟା ଗୁଡିକ ଦେହରେ ଯେପରି ଭେଦି ଗଲାଣି । ସବୁ କାର୍ଯ୍ୟକୁ ଅତି ଦକ୍ଷତାର ସହିତ ଏବଂ ଚତୁରତାର ସହିତ ସମ୍ପାଦନା କରି ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ସମସ୍ତଙ୍କୁ ସାଥିରେ ନେଇ ଚାଲିବା କଷ୍ଟକର ହେଲେ ମଧ୍ୟ ଚାଲିବାକୁ ପଡୁଛି । କାହାକୁ ଅଣଦେଖା କରି ହେଉ ନାହିଁ । ସହକାରୀ ଶିକ୍ଷକରୁ ଆଜି ପ୍ରଧାନ ଶିକ୍ଷକ । କିଛି ଭଲ କାମ କରିଥିବାରୁ ସରକାରଙ୍କ ପୁରସ୍କୃତ ପ୍ରକ୍ରିୟାରେ ଭାଗିଦାରୀ । ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକ ସ୍ଵତନ୍ତ୍ର ଗ୍ୟାଲେରୀରେ ବସା ଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ଅଲଗା । ଅଧିକ ସଂଖ୍ୟାରେ ଉନ୍ନତ ଛାତ୍ରଛାତ୍ରୀ ପାଶ୍ କରିଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ୍ରମିକ ନମ୍ବରରେ ବସା ଯାଇଛି । ମନ୍ତ୍ରୀ ଆସିଲେ ପୁରସ୍କୃତ କରିବେ ।


ମଞ୍ଚ ଉପରକୁ ଡାକୁ ଡାକୁ ଯେମିତି ଯିବାକୁ ହେବ ସେହିଭଳି ସଜା ଯାଇଛି । ସମସ୍ତେ ଯେ ଯାହାର ଆସନରେ ବିରାଜମାନ । ହଠାତ୍ ତପନ ବାବୁଙ୍କର ନଜର ପଡିଲା ତନୁଜା ଙ୍କ ଉପରେ । ବୟସର ଅପରାହ୍ନରେ ତପନ ବାବୁ । ଯଦିଓ ଅନ୍ୟ ମାନଙ୍କ ତୁଳନାରେ କମ୍ ବୟସ ପରି ଜଣା ଯାଉଛନ୍ତି । ତଥାପି ଜୀବନର ମୋହ ମାୟା ଏବଂ ସେତେବେଳେର ସୁନ୍ଦରତା ଆଉ ନାହିଁ । ଜୀବନର ଗାଡି ଚାଲିଛି ତ ଚାଲିଛି । ଗାଡି କେତେବେଳେ ଅଟକି ଯିବ କିଏ କହି ପାରିବ ନାହିଁ । ଏକା ଏକା ଜୀବନକୁ କାଟିଦେଲେ ତପନ ।


ମନେପଡେ ସେଦିନର କଥା । ନୂଆ ନୂଆ ବିଦ୍ୟାଳୟରେ ଜଏନ୍ କରିଥାନ୍ତି । ବୟସ ସେତେବେଳେକୁ ପଚିଶି କି ଛବିଶି ହେବ । ମନରେ ନୂତନ ଉତ୍ସାହ ଉଦ୍ଦୀପନା । କାର୍ଯ୍ୟ କରିବା, ପାଠ ପଢାଇବା ସବୁଥିରେ ପାରଦର୍ଶିତା ତପନର । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂଗ୍ରାଜୀ ରେ ଏମ୍ ଏ ପାଶ୍ କରିଛନ୍ତି । ଏହାପରେ କଟକରୁ ବିଏ. ଡ କରି ବିଭାଗ ତରଫରୁ ପୋଷ୍ଟିଂ ହୋଇଛି । ଦୂର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ତପନ ବଦ୍ଧ ପରିକର । ସକାଳ ସନ୍ଧ୍ୟା ଫ୍ରି କୋଚିଂ କରନ୍ତି । ବିଦ୍ୟାଳୟ ସମୟରେ ଦିଆଯାଇଥିବା ବିଷୟ ନିୟମିତ ପଢାନ୍ତି । ତତ୍ ସଙ୍ଗେ ସଙ୍ଗେ କୌଣସି ଶିକ୍ଷକ ଅନୁପସ୍ଥିତ ଥିଲେ କିମ୍ବା ଶ୍ରେଣୀ ଗୃହ ଫାଙ୍କା ଥିଲେ ତାଙ୍କର ବିଷୟ ମଧ୍ୟ ପଢାନ୍ତି । 


ଅଳ୍ପ ଦିନ ମଧ୍ୟରେ ସମସ୍ତଙ୍କର ଆଦରର ପାତ୍ର ହୋଇଥିଲେ ତପନ । ଯୁବ ସୁଲଭ ଉଦ୍ଦାମତା । କାର୍ଯ୍ୟ କରିବାର ଦକ୍ଷତା ଅନ୍ୟ ମାନଙ୍କ ଠାରୁ ଭିନ୍ନ । ସମସ୍ତେ ତପନ ବାବୁଙ୍କୁ ଭାରି ଭଲ ପାଆନ୍ତି, ପ୍ରଶଂସା କରନ୍ତି । ଗୋରା ତକତକ ସୁନ୍ଦର ଚେହେରା । ମୁଖ ମଣ୍ଡଳରୁ ପ୍ରସନ୍ନତା ସଦାସର୍ବଦା ପ୍ରତୀତ ହୁଏ । କଥାରେ କାର୍ଯ୍ୟରେ ସମସ୍ତଙ୍କର ସେ ମନ ମୋହି ନିଅନ୍ତି । କିଛି ଦିନ ପରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ ଯୋଗ ଦିଅନ୍ତି ତନୁଜା । ବୟସ କହିବାକୁ ଗଲେ ବାଇଶି କି ତେଇଶି ହେବ । ସଦ୍ୟ ବିଏ. ଡ ପାଶ୍ କରି ଚାକିରୀରେ ଯୋଗ ଦେଇଛନ୍ତି । ତପନ ବାବୁଙ୍କ ପଡିଶା କ୍ବାଟର ମିଳିଲା ତନୁଜା ଙ୍କୁ । ତପନର ବାପା ମାଆ ଫୋନ୍ ରେ ସଦା ସର୍ବଦା କଥା ହୁଅନ୍ତି । ପରାମର୍ଶ ଦିଅନ୍ତି ଦେଖି କରି ଚଳିବୁ ଦୂର ଯାଗା । ସବୁ କଥା ବୁଝାଇ କୁହନ୍ତି - ଖାଇଲୁକି, କଣ ରୋଷେଇ କରିଥିଲୁ, ଆଜି କୁଆଡେ ଯାଇଥିଲୁ ଇତ୍ୟାଦି ଇତ୍ୟାଦି ।


ତନୁଜା ତପନଙ୍କର କାର୍ଯ୍ୟ ଶୈଳୀରେ ପ୍ରଭାବିତ ହୁଏ । ତପନ ମାପି ଚୁପି କଥା କହିବା ଶୈଳୀ ତନୁଜାକୁ ଭାରି ଭଲ ଲାଗେ । ତପନ ଏତେ କାହା ସହିତ ମିଶେ ନାହିଁ । ତାର କାମ ଭଲ ତ ସେ ଭଲ । ବ୍ରାହ୍ମଣ ଘରର ଛୁଆ । ବାପା ଜଣେ ପ୍ରାଇମେରୀ ଶିକ୍ଷକ । ତାଙ୍କର ଆଦର୍ଶରେ ସେ ଗଢି ଆସିଛି । ବହୁଦୂରରେ ଗୋଟିଏ ବୋଲି ପୁଅ ଚାକିରୀ କରି ଥିବାରୁ ତପନର ବାପା ମାଆ ସଦା ଚିନ୍ତିତ । ତପନ ମଧ୍ଯ ଭାରି ସଂଜମୀ । ହେଲେ ପ୍ରେମ କେତେବେଳେ କାହା ସହିତ କେମିତି ହୋଇ ଯାଏ ତାହା ମଣିଷର ଆୟତ୍ତ ବାହାରେ । ଯୋଜନା ବଦ୍ଧ ଭାବରେ ପ୍ରେମ କରା ଯାଏନା । ବାସ୍ ପ୍ରେମ ଆପେ ଆପେ ହୋଇଯାଏ । ଜୀବନ ଅଛି ତ ପ୍ରେମ ନିଶ୍ଚୟ ଅଛି ।


କୁହନ୍ତି ଦୁନିଆର ସବୁ ସମ୍ପର୍କ ଠାରୁ କୁଆଡେ ରକ୍ତଗତ ସମ୍ପର୍କ ଭାରି ନିବିଡ଼ । କାରଣ ରକ୍ତ କୁଆଡେ ରକ୍ତ କୁ ଟାଣେ । ଭଲରେ ମନ୍ଦରେ ଖୋଜେ । ହେଲେ ଆହୁରି କେତେକ କୁହନ୍ତି ଯେ ରକ୍ତଗତ ସମ୍ପର୍କ ଠାରୁ ଆଉ ଗୋଟିଏ ନିବିଡ଼ ସଂପର୍କ ଅଛି। ଯାହା ସବୁଠାରୁ ବଡ ଶକ୍ତିଶାଳୀ । ତାହା ହୃଦୟ, ଆତ୍ମା ଓ ମନର ସମ୍ପର୍କ । ପ୍ରେମ ଆଗରେ ରକ୍ତ ସମ୍ପର୍କ ବେଳେ ବେଳେ ଫିକା ପଡ଼ିଯାଏ । ସେହି ସମ୍ପର୍କ ଥରେ ହୃଦୟ ଭିତରେ ଗଢି ହୋଇଗଲେ ତାହା ଭାଙ୍ଗିବା ଏତେ ସହଜ ହୁଏନାହିଁ । ଶରୀର ରେ ନିଜ ରକ୍ତ ଅଶୁଦ୍ଧ ହୋଇଗଲେ ଗଲେ, ଅନ୍ୟ ଜଣକର ରକ୍ତ ଦ୍ବାରା ମଣିଷ ବଞ୍ଚି ଯାଇ ପାରେ । ହେଲେ ହୃଦୟ ର ସ୍ପନ୍ଦନ ଥରେ ବନ୍ଦ ହୋଇଗଲେ , ବଞ୍ଚି ହୁଏନି । ପ୍ରେମ ସେମିତି ଜାତି ଧର୍ମ ବର୍ଣ୍ଣ କିଛି ମାନେ ନାହିଁ ।


ତନୁଜା କୁ ଭାରି ଭଲ ଲାଗେ ତପନ । ସକାଳୁ ଉଠି ତପନ ଯୋଗ ବ୍ୟାୟମ କରେ । ତନୁଜା ଠାକୁରଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ଫୁଲ ତୋଳିବାକୁ ବାହାରି ପଡେ ବଗିଚା ଆଡେ । ସବୁଦିନ ସକାଳୁ ସକାଳୁ ଦୁହିଁଙ୍କର ଦର୍ଶନ ହୁଏ । ଦିନେ ଦୁଇଦିନ ନୁହେଁ ଏମିତି ଅନେକ ଦିନ ବିତିଗଲାଣି । ସକାଳୁ ସକାଳୁ କିଏ କାହାକୁ କିଛି କୁହନ୍ତି ନାହିଁ । କଥା ହୁଅନ୍ତି ନାହିଁ ବୋଲି ଆଦୌ କହିହେବ ନାହିଁ । ଈଶ୍ବର ସିନା କଥା କହିବା ପାଇଁ ପାଟି ଦେଇଛନ୍ତି ହେଲେ ମଣିଷର ଆଖି ନାକ ଓଠ ଓ ମୁହଁର ଅଙ୍ଗ ଭଙ୍ଗିରେ କଥା ହୋଇପାରେ । ଆଉ ପ୍ରେମର ପରିଭାଷାକୁ ଶରୀରର ପରିପ୍ରକାଶ କୌଣସି ଅଙ୍ଗରୁ ନୁହେଁ ମୁହଁରୁ ପଢି ହେବ । ଏମିତି ବାରମ୍ବାର ହୋଇଛି ତପନ ଆଉ ତନୁଜାଙ୍କ ମଧ୍ୟରେ ।


ତନୁଜା କେବେ କେବେ ସକାଳୁ ନ ଆସିଲେ ତପନକୁ ସେ ଦିନର ସକାଳଟି କାହିଁକି ଭଲ ଲାଗେ ନାହିଁ, ସେ ଜାଣି ପାରେ ନାହିଁ । ଅପେକ୍ଷା କରେ ଲାଲ ଟୁକୁ ଟୁକୁ ସୂର୍ଯ୍ୟ ପ୍ରଖର ହେଲା ପର୍ଯ୍ୟନ୍ତ । ସମୟ ଗଡିଗଲେ ମନ ତାର ମଉଳି ଯାଏ । ତନୁଜା ଫୁଲ ତୋଳିବା ପାଇଁ ଆସିବାର ସମସ୍ତ ସମ୍ଭାବନା ସମୟ ସାଥିରେ ମିଳେଇ ଯାଏ । ସେ ଦିନସାରା ଭଲରେ କିଛି କାମ କରିପାରେ ନା ରହିପାରେ । ତା ମନ ଭିତରେ କେମିତି ଏକ ଅଭାବ ବୋଧ ପରିଲକ୍ଷିତ ହୁଏ । ସେ ଜାଣି ପାରେନା.... କିନ୍ତୁ ଯନ୍ତ୍ରଣା ତାକୁ ଛାଡେନା । ବୋଧହୁଏ ସେ ଯନ୍ତ୍ରଣାର ଅନ୍ୟ ନାମ ପ୍ରେମ । ତନୁଜାର ଅବସ୍ଥା ମଧ୍ୟ ଠିକ୍ ସେହିପରି । ଯେଉଁଦିନ ତପନ ନ ଥାଏ ସେହିଦିନ ତନୁଜାର ଅବସ୍ଥା କୁହୁଳି କୁହୁଳି ଜଳି ଉଠେ କେଉଁ ଏକ ଅକୁହା ଯନ୍ତ୍ରଣାରେ । ସକାଳର ପ୍ରତିଟି ମୂହୁର୍ତ୍ତ ହୋଇପଡେ ଦୁର୍ବିସହ । ଦାଉ ଦାଉ ନିଆଁ ଭିତରେ ସେ ଭାରି ଡହଳ ବିକଳ ହୁଏ । ଜଳେ ତାର ଅନ୍ତର । ଏହି ଜ୍ବଳନକୁ ସେ ବୁଝି ପାରେନା...... କି ଜାଣି ପାରେନା । ମାତ୍ର ଏହି ଜ୍ବଳନର ଅନ୍ୟ ନାମ ପ୍ରେମ ।


ପରସ୍ପରକୁ କହି ପାରୁ ନ ଥିବା ଉଭୟଙ୍କର କଥା ସେଦିନ ଗୋଟିଏ ଅଫିସିଆଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଦେଶ ଆସିଥିଲା । ଦୁହେଁ କେମିତି ଯିବେ ଭାବି ଭାବି ଶେଷରେ ରମେଶ ସାର୍ ଙ୍କ ମଟର ସାଇକେଲରେ ଯାଇଥିଲେ । ଗାଡିର ଗତି ସାଙ୍ଗକୁ ଦୁଇଜଣଙ୍କର ନିରବତା କେମିତି କେମିତି ଅଡୁଆ ଲାଗୁଥିଲା । କିଏ କଥା ଆରମ୍ଭ କରିବ ଏବଂ କେଉଁଠାରୁ ଆରମ୍ଭ କରିବ ଭାବି ଭାବି କିଏ କିଛି କହୁ ନ ଥିଲେ । ହଠାତ୍ ହମ୍ପସରେ ଗାଡିର ବ୍ରେକ୍ ଦେବାରୁ ତନୁଜା ଭିଡି ଧରି ପକାଇଲା ତପନକୁ । ଟିକେ ଲାଜେଇ ଯାଇ କହିଲା - ପଡି ଯାଇଥାନ୍ତି ଧିରେ ଗାଡି ଚଳାଇଲେ ହୁଅନ୍ତା ନାହିଁ ? ? 


ତପନ ଅନ୍ୟ ମନସ୍କରେ କହି ପକାଇଲା - ହଁ... ହଁ... ହଠାତ୍ ହମ୍ପସ ବୋଲି ଜାଣି ପାରିଲି ନାହିଁ ।


ତନୁଜା କହିଲା - ଜାଣି ପାରିଲ ନାହିଁ... ନା.... କ'ଣ ଭାବୁଥିଲ....


ତପନ କହିପକେଇଲା ତୁମ କଥା ଛାଡି ଆଉ କାହା କଥା ଭାବିବି...


ଉଭୟ ଉଭୟଙ୍କୁ ବୁଝି ସାରିଥିଲେ.... କିନ୍ତୁ ଭୟ ତାଙ୍କର ସମାଜ ଜାତି ଧର୍ମ ପରିଜନଙ୍କୁ ।


ତନୁଜା ସେଦିନ ନିର୍ଭିକତାର ସହ ପଚାରି ଥିଲା ତପନକୁ - ତୁମେ ମୋତେ ପସନ୍ଦ କର ?


ତପନ ନିମିଷକେ ତନୁଜାକୁ ଚାହିଁଲା - ତାର ଭାବନାକୁ ବୁଝିଲା । ତାର ଅନ୍ତରରେ ଲୁଚି ରହିଥିବା ଅସଲ ସତ୍ଯଟି ବାହାରିଗଲା । ସେ ଦୃଢ ଭାବରେ କହିଲା - ହଁ... 


କାଳବିଳମ୍ବ ନ କରି ତନୁଜା ପଚାରିଲା - ତୁମେ ମୋତେ ସତରେ ଭଲ ପାଅ ! ! !


ତପନ କଥାରୁ ସେଦିନ ସ୍ପଷ୍ଟ ବାରି ହେଉଥିଲା ଯେ ସେ କେତେ ଭଲ ପାଏ ତନୁଜାକୁ.....


ତନୁଜା ତପନର ନିରବତାକୁ ସମ୍ଭାଳି ପାରୁ ନ ଥିଲା । ସେ କହିଲା - ତପନ ସତରେ ତୁମେ ସତଟାକୁ ଲୁଚାଇ... ଭଲ ଭାବରେ ଲୁଚାଇ ପାରୁ ନାହଁ ।


ନା... ତନୁଜା ! ! କେଉଁଟା ନା.... ତପନ କହିଲା - ମୁଁ ଭଲ ପାଉଛି ସତ କିନ୍ତୁ ଦୁଃଖିତ....... ତୁମକୁ ବିବାହ କରି ପାରିବି ନାହିଁ ।


ତନୁଜା ପ୍ରଥମ କରି ଏକ ନିର୍ବୋଧ ମଣିଷ ଦେଖିଲା ପରି ଚାହିଁ ରହିଲା ତପନକୁ।


କିଛି ସମୟ ପରେ ତନୁଜା ହସିବାକୁ ଲାଗିଲା । ବିସ୍ମୟର ସହିତ ତପନ ତନୁଜାକୁ ଦେଖୁଥାଏ । ତନୁଜାର ହସ ବନ୍ଦ ହେଲା ବେଳକୁ ତାର ଆଖିର ଲୁହଟା ଛଳ ଛଳ ହେଉଥିଲା । ଜାଣି ହେଉ ନ ଥିଲା ଏ ହସ ଆନନ୍ଦର ନା ବିଷାଦର । ହଠାତ୍ ଲୁହ ଲୁହ ପୋଛୁ ପୋଛୁ ତନୁଜା କହିଲା - ତୁମେ ଗୋଟାଏ ମୂର୍ଖ ! ! !


ମୁଁ ତ ତୁମକୁ ଭଲ ପାଇବା କଥା ପଚାରିଥିଲି ? ବିବାହ କଥା କିଏ କହିଲା ? ତପନ କିଛି ନ ବୁଝିଲା ପରି ବାଲୁ ବାଲୁ ହୋଇ ଚାହିଁ ରହିଥିଲା ତନୁଜାକୁ । ମନେ ମନେ ଭଲପାଇବାର ସଂଜ୍ଞାଟିକୁ ବିଶ୍ଲେଷଣ କରୁଥିଲା । ଭାବୁଥିଲା ଭଲ ପାଇବା.... ଆଉ ଭଲ ପାଇ ବିବାହ କରିବାର ଦୂରତା କେତେ ହୋଇପାରେ ? ?


ତନୁଜାର ପ୍ରତିଟି ଶଦ୍ଦ ତପନର ଆତ୍ମାକୁ ସ୍ପର୍ଶ କରୁଥିଲା । ତପନର ଆତ୍ମା ବି ତନୁଜାର ଆତ୍ମା ସହିତ ଏକାକାର ହେବାରେ ଲାଗିଥିଲା । ତପନ ଆଉ ତନୁଜା ବନ୍ଧୁତ୍ବର ଡୋରିରେ ବାନ୍ଧି ହୋଇ ଯାଇଥିଲେ । ବାହାରକୁ ବୁଲି ଯିବା, ଏକାଠି ଖାଇବା, ଏକାଠି ବସିବା, ମିଳିମିଶି କାମ କରିବା, ନିଜ ନିଜର ହସ ଖୁସି ପରଶିବା ଦୁହିଁଙ୍କର ଦୈନନ୍ଦିନ କାର୍ଯ୍ୟ । ଦିନ ପରେ ଦିନ ବର୍ଷ ପରେ ବର୍ଷ ଏମିତି ଦୁଇ ବର୍ଷ ବିତିଗଲାଣି । ଯେମିତିକି ଲାଗୁଛି ଦୁଇଦିନ ପରି । ଏହା ଭିତରେ ପରସ୍ପର ପ୍ରତି ଏତେ ଆତ୍ମିୟତା ବଢି ଯାଇଛି ଯେ ସେମାନେ ବି ଏହାର ଟେର୍ ପାଇ ପାରି ନାହାଁନ୍ତି । ସେମାନଙ୍କୁ ଦେଖିଲେ ଲାଗେ ଯେମିତି ଦୁଇଟି ଶରୀର ଗୋଟିଏ ଆତ୍ମା । ଆଉ ଦୁଇଟି ଆତ୍ମା ଗୋଟିଏ ସ୍ପନ୍ଦନ ।


ତନୁଜା ତପନର ଖାଇବା ପିଇବା ପିନ୍ଧିବା ପ୍ରତିଟି ରୁଚି ଅରୁଚି ସମ୍ପର୍କରେ ଭାରି ସଚେତନ । ଏପରିକି କେଉଁ ଦିନ କେଉଁ ଖାଦ୍ୟ, କେଉଁ ଦିନ କେଉଁ ରଙ୍ଗର ପୋଷାକ.. ସବୁ କିଛି ତା ଜିଭ ଆଗରେ । ତପନ ମଧ୍ଯ ସେହିପରି ନିଜ ସମ୍ପର୍କରେ ଯେତେ ସଚେତନ ଶୀଳ ନୁହେଁ, ତନୁଜା ପାଇଁ ସଦା ତତ୍ପର । ତନୁଜାର ସାମାନ୍ୟ ଦେହ ଖରାପ ହେଲେ ସେ ଯେତେ ଯତ୍ନଶୀଳା ନୁହେଁ ତା ଠାରୁ ଅଧିକ ଯତ୍ନବାନ୍ ତପନ । ତନୁଜା କଥା ମଧ୍ଯ ନିଆରା ସେ ତପନ ଦେହରେ ଧୂଳି ଟିକେ ଲଗାଇ ଦିଏନାହିଁ ।


ସବୁ ବର୍ଷ ପରି ଏ ବର୍ଷ ଖରା ଛୁଟି ହେବ, ଯେ ଯାହାର ଗାଁକୁ ଯିବେ । ଗାଁ ଯିବା ପୂର୍ବ ଦିନ ଦୁହେଁ ଭାରି ବୁଲିଛନ୍ତି । ମୌଜ ମସ୍ତି କରିଛନ୍ତି । ମନ ଭରି ଗପିଛନ୍ତି । ଆସନ୍ତା କାଲି ବିଛେଦକୁ ନେଇ କାହା ମନରେ ବିଷାଦର ଛାଇ ଯେମିତି ଦୃଶ୍ୟମାନ ହୋଇନାହିଁ । ବୋଧହୁଏ ସେମାନଙ୍କର ଶପଥ... ଲୁହ ଠାରୁ ମଜବୁତ୍ କରି ଦେଇଛି । ତନୁଜା ସେଦିନ ରାତ୍ରି ଭୋଜନ ନିମିତ୍ତ ଡାକିଛି ତପନକୁ । ସମସ୍ତ ଭୋଜନ ପ୍ରସ୍ତୁତ ହୋଇଛି ତପନର ମନପସନ୍ଦ ଅନୁଯାୟୀ । ଭୋଜନ ସରିଲା । ରାତି ବାରଟାରେ ଗାଡି । ଯେ ଯାହାର ଗାଁକୁ ଚାଲିଯିବେ । ଛୁଟି ପରେ ପୁଣି ଦୁଇଜଣଙ୍କର ଦେଖା ସାକ୍ଷାତ । ଅନୁଭୁତି ଅନୁଭବର ଅଭୁଲା ସ୍ମୃତିକୁ ଦୁହେଁ ସାଉଁଟୁଥାନ୍ତି ।


ସେଥର ଖରା ଛୁଟିରେ ଯେ ଯାହାର ଗାଁ କୁ ଯାଇଥିଲେ । ତପନ ଛୁଟି ଖୋଲିଲା ପରେ ଦେଖେ ତ ତନୁଜାର ମଥାରେ ସିନ୍ଦୁର । ଭାଙ୍ଗି ପଡେ ତପନ । କାରଣ ପଚାରିବାକୁ ସାହସ କରିପାରେ ନାହିଁ । ଥରେ ଏକାନ୍ତରେ ତପନ ! ନିଜ ମନର କଥା ତନୁଜାକୁ ପଚାରିବାକୁ ସାହସ କଲା । ତନୁଜା କାନ୍ଦି କାନ୍ଦି ନିଜ ମନର ବ୍ୟଥା ବେଦନା ପ୍ରକାଶ କଲା । ମୋର ମାଆ ହଠାତ୍ ଏକ ଅଚିହ୍ନା ରୋଗରେ ପୀଡ଼ିତ ହେଲା । ଡାକ୍ତର ବଞ୍ଚିବାର ଆଶା କମ୍ ବୋଲି ଶୁଣାଇଦେଲେ । ମାଆର ଇଛା ଥିଲା ମାମୁଁଙ୍କ ପୁଅ ସହିତ ମୋର ବିବାହ । ମାଆ ଚାଲିଯିବା ପୂର୍ବରୁ ରାଣ ପ୍ରମାଣ ଶପଥ କରାଇ କହିଲା। ମୋର ଶେଷ ଇଚ୍ଛା ଗୋଟିଏ ତୁ ରକ୍ଷା କରିବୁ । ମୁଁ ଅନ୍ୟ କିଛି ଭାବୁଥିଲି । ମାଆର ଏଭଳି କଥା ଶୁଣି ମୋ ଉପରେ ଆକାଶଟି ଛିଣ୍ଡି ପଡିଲା ପରି ଲାଗିଲା ।


ମୋର ମନର କଥା କେହି ଶୁଣିବାକୁ ସୁଯୋଗ ଦେଲେ ନାହିଁ । ସପ୍ତାହକ ମଧ୍ୟରେ ବିବାହର । ମୋର ଜୀବନର ସମସ୍ତ ଖୁସିର ପ୍ରଦୀପଟି ଯେମିତି ହଠାତ୍ ଲିଭି ଗଲା । ମୋର ମନ ଗହନର କଥା ଧ୍ବଂସ୍ତ ବିଧ୍ବସ୍ତ ହୋଇ ଯାଉଥିବା ଘର ପରି ମନରେ ଚାପି ହୋଇ ରହିଗଲା । ଛାଡି ଗଲା ଖାଲି ଆଖିରୁ ଅନବରତ ଅଶ୍ରୁ । ତପନକୁ ଏ ସବୁ ଶୁଣି ଆଉ ଭଲ ଲାଗିଲା ନାହିଁ । କିଛି ନ ପାଇବାର ଆଶାରେ ଦଗ୍ଧୀଭୂତ ହେଲା । ଯୁଆଡେ ଆଖି ବୁଲାଇଲା ଚତୁର୍ଦ୍ଦିଗ ନିରାଶ ହିଁ ନିରାଶ । ଖାଇବା ପିଇବାକୁ ଭଲ ଲାଗିଲା ନାହିଁ । ଖାଇବା ପିଇବା ଭଲ ଭାବରେ ନ ରହିବାରୁ ଶରୀର କ୍ଷୀଣ ହେବାରେ ଲାଗିଲା । ସଦା ସର୍ବଦା ମାନସିକ ଦୁଶ୍ଚିନ୍ତା ବଢିଲା । ମନରେ ହୃଦୟର ବ୍ୟଥା ବେଦନା ବଢିବାରେ ଲାଗିଲା । ନିଜର କଥା କାହାକୁ କହି... ମନ ହାଲକା କରି ପାରିଲା ନାହିଁ । ବାପା ମାଆ ଏସବୁ ଜାଣି ପାରି ତପନକୁ ନିଜ ଜିଲ୍ଲାକୁ ବଦଳି କରି ନେଇଗଲେ । ସେବେଠାରୁ ଆଉ କେବେ ଦେଖା ହୋଇନାହିଁ ତନୁଜାକୁ । ବା ତା ପାରିବାରିକ ଜୀବନ ବିଷୟରେ କେବେ ଜାଣିବାକୁ ଇଛା କରିନାହିଁ । 


ଏହା ଭିତରେ ଦୀର୍ଘ ପଚିଶି ଛବିଶି ବର୍ଷ ବିତି ଯାଇଛି । ହଠାତ୍ ଏଭଳି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତପନ ଆଉ ତନୁଜା ପୁଣି ଥରେ ଦେଖା ହେବ ବୋଲି କିଏ ଭାବି ଥିଲା ? ? 


ତପନ ଏହି ଗହଳି ମଧ୍ୟରେ ତନୁଜା ପାଖକୁ ଯାଇ କହିଲେ - ଆପଣ ତନୁଜା ତ ?  ?  ?


ହଠାତ୍ ଆଶ୍ଚର୍ଯ୍ୟ ଚକିତ ହୋଇ ତଲ୍ଲିନା କହିଲେ - ମୁଁ ତନୁଜା ନୁହେଁ । ମୁଁ ତାଙ୍କର ଏକମାତ୍ର ଅଲିଅଳି କନ୍ଯା ତଲ୍ଲିନା । ସେହି ମୁହଁ ସେହି ହସ ସେହି ନାକ.... ତନୁଜା ଆଉ ତଲ୍ଲିନା ମଧ୍ୟରେ କିଛି ଫରକ ନାହିଁ ଯାହା ଫରକ ତାହା ସମୟର.. 


ତଲ୍ଲିନା ପଚାରିଲା - ଆପଣଙ୍କର ପରିଚୟ ଜାଣିପାରେ କି ?


ତପନ କହିଲେ - କି ପରିଚୟ ଦେବି... କେଉଁ ପରିଚୟ ଦେବି... ପରିଚୟ ର ମାନେ କ'ଣ । ଏତିକି ଜାଣ ! ! ! ମୁଁ ତାଙ୍କର ଜଣେ ସହକର୍ମୀ ଥିଲି । ମୋର ନାମ ତପନ ।


ତଲ୍ଲିନା କହିଲା - ହଁ ହଁ ଠିକ୍ କହିଛନ୍ତି । ମାମା ଆପଣଙ୍କ ବିଷୟରେ ବେଳେ ବେଳେ କୁହନ୍ତି । ମାମା ବ୍ରେନ୍ ଟ୍ୟୁମରରେ ଚାଲି ଯିବାର ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି । ମୁଁ ରିୟାଭର୍ସନ ସ୍କିମରେ ମାମା ଙ୍କର ଚାକିରୀଟି ପାଇଛି । ଆମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅସୁସ୍ଥତା ହେତୁ ମୋତେ ଏଠାକୁ ପଠାଇଛନ୍ତି । 


ମାମା ଆପଣଙ୍କ ବିଷୟରେ ପ୍ରାୟ ସମୟ ମୋତେ କୁହେ । ଆପଣଙ୍କର ପ୍ରଶଂସାରେ ସେ ଶତମୁଖା । ଆପଣ ଏବେ କେଉଁଠି ? ଆପଣଙ୍କର ପୁଅ ଝିଅ ? ସେ ବିଷୟରେ ଆପଣ କହିବେ କି... ।


ତପନ - ମୁଁ ଏକା, ଆଉ ମୋର ସଂସାରର କହିଲେ ମୋ ବ୍ୟତୀତ କେହି ନୁହେଁ .....


ତଲ୍ଲିନା - ଆପଣଙ୍କୁ ଗୋଟିଏ ଜିନିଷ ଦେବାକୁ ମାମା କହିଥିଲା । ମୁଁ ବଡ ଯତ୍ନରେ ଆଜି ପର୍ଯ୍ୟନ୍ତ ସାଇତି ରଖିଛି । ଆପଣ ଆସନ୍ତା କାଲି ଏଠାକୁ ଆସନ୍ତୁ । ମୁଁ ତାହା ଆପଣଙ୍କୁ ଦେବି ।


ପରଦିନ ଠିକ୍ ସମୟରେ ଗ୍ୟାଲେରୀରେ ଉପସ୍ଥିତ ହେଲେ ତପନ । ତଲ୍ଲିନା ପାଖକୁ ଆସି କହିଲା । ଅଙ୍କଲ ମାମା ଏହି ଜିନିଷଟି ଆପଣଙ୍କୁ ଦେବାକୁ କହିଥିଲା । ଏଥିରେ କ'ଣ ଅଛି.... ମୁଁ ଜାଣି ନାହିଁ ? ଜାଣିବାକୁ ବି ମୋର କେବେ ଉତ୍କଣ୍ଠା ନ ଥିଲା । ବଡ ଦାୟିତ୍ବ ସହକାରେ ରଖିଥିଲି । ଏବେ ମୁଁ ଦାୟିତ୍ବ ମୁକ୍ତ । ତପନ ବାବୁ ଲଫାପାଟି ଖୋଲିବାକୁ ଲାଗିଲେ..... ସେଥିରେ ଲେଖାଥିଲା..... 


ତପନ,


ମୋର ଶୁଭେଚ୍ଛା ନେବ । ତୁମେ ଚିଠିଟି ପାଇଲା ବେଳକୁ ମୁଁ ହୁଏତ ଦୁନିଆରେ ଥିବି କି ନାହିଁ କହିପାରୁନାହିଁ । ଚିଠିଟିଏ ଦେବି କି ନ ଦେବି ଭାବି ଭାବି ତୁମକୁ ଏ ଚିଠିଟି ଲେଖିଲି । କେତେକ ନିହାତି କଥା ଜାଣିବା ଜରୁରୀ ମନେକରି ଲେଖିଲି । କାରଣ ମୋ ବିଷୟରେ ତୁମର ଗୋଟିଏ ଭୁଲ୍ ଧାରଣା ରହିପାରେ ! ! ! ମୁଁ ତୁମର ବ୍ୟକ୍ତିଗତ ଜୀବନ ସହିତ ଜଡିତ ଥିଲି । ମୋ ବିଷୟରେ ତୁମର ଜାଣିବାର ଆଗ୍ରହ, ଭଲପାଇବା , ସ୍ନେହ ନିଶ୍ଚୟ ଅନ୍ୟମାନେ ଭୁଲ୍ ଦୃଷ୍ଟିରେ ନେବେ । ସେଇଥି ପାଇଁ ତ ମୁଁ ବିବାହ ପରେ ତୁମଠାରୁ ଦୁରେଇ ରହିବାକୁ ଚେଷ୍ଟା କରୁଥିଲି । ତୁମର ମାନସିକତା ଉନ୍ନତତର । ହେଲେ ଆମ ସମାଜର ଦୃଷ୍ଟି ଭଙ୍ଗି ଭିନ୍ନ । ଗୋଟେ ନାରୀ ଓ ପୁରୁଷର ବନ୍ଧୁତ୍ୱକୁ ଏଠି କେହି ସରଳ ଭାବରେ ନିଅନ୍ତି ନାହିଁ।


ସେମାନଙ୍କ ସଂପର୍କ କୁ ଦେଖିଲା ବେଳେ ନିଜ ଦୃଷ୍ଟି ଭଙ୍ଗିରେ ଦେଖନ୍ତି ।କିଏ କେତେ ରଙ୍ଗର ଚଷମା ପିନ୍ଧି ସେ ସମ୍ପର୍କକୁ ନିଜ ହିସାବରେ ରଙ୍ଗେଇ ଦିଅନ୍ତି, ତାର ହିସାବ ନ ଥାଏ । ବାସ୍ତବରେ ଗୋଟିଏ ସତ କଥା - "ତୁମେ ହିଁ ମୋ ଜୀବନର ପ୍ରଥମ ପୁରୁଷ" ଯିଏକି ମୋ ହୃଦୟକୁ ସ୍ପର୍ଶ କରିପାରି ଥିଲ । କାହିଁକି ଜାଣିଛ ? ତୁମ ସହିତ ପ୍ରଥମ ଦେଖାରେ ତୁମର ବ୍ୟବହାର, ତୁମର ଲାଜକୁଳିଆ କଥା, ତୁମର କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା, ସଚ୍ଚୋଟ ପଣିଆ ମୋତେ ବେଶୀ ପ୍ରଭାବିତ କରିଥିଲା । ତୁମରି ପରି ଜଣେ ବ୍ୟକ୍ତିତ୍ୱକୁ ସହକର୍ମୀ ହିସାବରେ, ପ୍ରେମିକା ଭାବରେ ପାଇ ନିଜକୁ ଭାଗ୍ୟବାନ୍ ମନେ କରୁଥିଲି । କାରଣ ଗୋଟିଏ କର୍ମଯିବି ମହିଳା ପାଇଁ ତାର ସହକର୍ମୀ ଜୀବନର ଗୋଟିଏ ଅଙ୍ଗ।


ଆଉ ତୁମ ଭଳି ଜଣେ ସହକର୍ମୀକୁ ପାଇ ମୁଁ ବେଶୀ ଖୁସି ଥିଲି। କାରଣ ତୁମେ ହିଁ ମୋର ଖାଲି ସହକର୍ମୀ ନ ଥିଲ, ମୋର ପ୍ରଥମପୁରୁଷ.... ଯାହାର ସବୁ ଗୁଣ ଗୁଡିକ ମୋର ଲୋମ କୋପରେ ବିରାଜମାନ କରୁଥିଲା । ସେଥିପାଇଁ ତୁମକୁ ମୁଁ ଜୀବନର ସର୍ବସ୍ବ ମାନି ନେଇଥିଲି । ଭୁଲି ଯାଇଥିଲି ଯେ ତୁମେ ଜଣେ ପୁରୁଷ, ଆଉ ମୁଁ ଗୋଟିଏ ନାରୀ । ମନେ ଅଛି ? ମୋର ବିବାହ ପରେ ମୋତେ ଭୁଲି ଯାଇ ଆଉ ଥରେ ନୂତନ ଜୀବନ ଆରମ୍ଭ କରିବାକୁ ମୁଁ ତୁମକୁ କହିଥିଲି । ଆଉ ତୁମେ ରାଗରେ ସେଦିନ ନିଆଁ ବ।ଣ ପରି ମୁହଁ ଛିଞ୍ଚାଡି ଉତ୍ତର ଦେଇଥିଲ - ପ୍ରେମରେ ବିଫଳତା ହେବା ପରେ ଆଉ କ'ଣ ମୁଁ ଦ୍ବିତୀୟ ପୁରୁଷ କାହାର ହୋଇ ପାରିବି ? ? ?


ତୁମ ହୃଦୟର କଥାଟି ସେଦିନ ମୋତେ ବହୁତ ଆଘାତ ଦେଇଥିଲା । କିଛି ନ କରିପାରିବାର ଅଗ୍ନିରେ ସେଦିନ ଦଗ୍ଧୀଭୂତ ଏବଂ ଅନୁତପ୍ତ ହୋଇଥିଲି । 

ତୁମ ଭିତରର ମଣିଷ ପଣିଆ ଓ ବ୍ୟକ୍ତିତ୍ଵ ଆଗରେ ମୋର ମଥା ସଦା ନଇଁ ଯାଉଥିଲା । କେତେକ ପୁରୁଷଙ୍କ ପାଇଁ ବିବାହ ଓ ପ୍ରେମ ର ଅର୍ଥ....... କେବଳ ଶାରୀରିକ ସମ୍ପର୍କ । ସେମାନେ ପ୍ରେମର ମାନେ କେବଳ ଦୈହିକ ସମ୍ପର୍କ ହିଁ ବୁଝିଥାନ୍ତି । ଯେଉଁ ପରିସ୍ଥିତି ଦେଇ ମୁଁ ଗତି କରୁଥିଲି ତାହା ତୁମକୁ ବ୍ଯକ୍ତ କରି ପାରିବି ନାହିଁ । ତୁମର ଆବେଗକୁ ତୁମର ଭଲ ପାଇବାକୁ ତୁମର ମନଦଶାକୁ ଜାଣି ନ ଜାଣିଲା ପରି ରହୁଥିଲି ।


ବେଳେ ବେଳେ ମନରେ ବଞ୍ଚିବାର ମୋହ ତୁଟିଯାଏ । ତୁମରି ପରି ଜଣେ ପୁରୁଷକୁ ଜୀବନ ସାଥୀ ନ କରି ପାରିବାର ଅଭିପ୍ସାରେ ଅଭିଶପ୍ତ ହୁଏ । ଆହୁରି ବି ବେଳେ ବେଳେ ଭାବି ଭାବି ଭାଙ୍ଗି ପଡେ ତୁମକୁ ନିଜର ସାଥି କରିବାରେ ଭଗବାନଙ୍କ ମୋ ପ୍ରତି କିଛି ନିଷ୍ଠୁରତା ଥିଲା ।


ତୁମ ଭଳି ପୁରୁଷ କୁ ଜୀବନ ସାଥୀ ଭାବରେ ପାଇବାକୁ ହେଲେ ସାତ ଜନ୍ମର ତପସ୍ୟା ବି କମ୍ ପଡିଯିବ । ବିବାହ ପରେ ତୁମକୁ କୋଉ ରୂପରେ ପ୍ରେମ କରିବି ଭାବି ପାରୁ ନ ଥିଲି। କାରଣ ଜଣେ ବିବାହିତ ନାରୀକୁ ଆଉ ଗୋଟେ ପୁରୁଷକୁ ପ୍ରେମ କରିବା ତ ଦୂରର କଥା , ତା ବିଷୟରେ ଭାବିବାକୁ ବି ଏ ସମାଜ ସ୍ଵୀକୃତି ଦିଏନି। ପତିର ପ୍ରେମ ବିନା ଜୀବନ ନିରର୍ଥକ। ପର ପୁରୁଷ ପାପ ।  ବାହାହେଲା ପରେ ଆଉ ଗୋଟେ ପୁରୁଷ ବିଷୟରେ ଭାବିଟା ମୋ ପାଇଁ ପାପ ! ! ! ହେଲେ ମୁଁ ସେ ପାପ ପାଇଁ ମନ ଭିତରେ ଭାବି ହେଉଥିଲି। ତୁମେ କେଉଁ ଏକ ଅଜଣା ରାଇଜ ଚାଲିଗଲ ଯାହାର କି ଖବର ଅନ୍ତର ଥରେ ଜଣାଇବାକୁ ଇଛା କଲ ନାହିଁ । 


ମୁଁ କିନ୍ତୁ ଭୁଲି ପାରି ନ ଥିଲି । ବେଳେ ବେଳେ ମୋ ପିଲାଙ୍କ ଭିତରେ ତୁମକୁ ଦେଖୁ ଥିଲି । ଆଉ କେତେବେଳେ ଗୋଟେ ଅନ୍ତରଙ୍ଗ ବନ୍ଧୁ ଭାବରେ ତୁମକୁ ଖୋଜୁ ଥିଲି। ହେଲେ ତୁମକୁ ଆମର ବନ୍ଧୁତ୍ୱ ବୋଧହୁଏ ସ୍ବୀକାର ନ ଥିଲା। କାରଣ ମୁଁ ଜଣେ ନାରୀ ଥିଲି । ଆଉ ତୁମେ ପୁରୁଷ । ସମ୍ପୂର୍ଣ୍ଣ ବିପରୀତ । କିନ୍ତୁ ମୁଁ ତୁମ ଭିତରର ପୁରୁଷ କୁ ପ୍ରେମ କରୁ ନ ଥିଲି । ତୁମ ଭିତରେ ଥିବା ନିଆରା ବ୍ୟକ୍ତିତ୍ଵକୁ ପ୍ରେମ କରୁ ଥିଲି । ତୁମ ଭିତରର ସ୍ୱଚ୍ଛ ଆଉ ପବିତ୍ର ହୃଦୟକୁ ପ୍ରେମ କରୁଥିଲି । ତୁମ କଥା ଭାବିଲା ବେଳେ ମୁଁ ଭୁଲି ଯାଇଥିଲି ଯେ ମୁଁ ଗୋଟେ ବିବାହିତା ନାରୀ ଆଉ ତୁମେ ଅବିବାହିତ ପୁରୁଷ । ସେ ସମୟରେ ମୁଁ ଗୋଟେ ଅଶରିରୀ ପାଲଟି ଯାଇଥିଲି । ସେଇ ସମୟରେ କେବଳ ମୋ ହୃଦୟ,ମୋ ଆତ୍ମା କୁ ଅନୁଭବ କରୁଥିଲି। ଆଜି ମୋ ପାଇଁ ଜୀବନ,ମରଣ,ପ୍ରେମ, ପ୍ରତାରଣା ଘୃଣା ଭିତରେ କିଛି ବି ଫରକ୍ ନାହିଁ।


କାରଣ ମୋ ଭିତରେ ଆଉ ଆସକ୍ତି ହିଁ ନାହିଁ । ମୁଁ ଚାହୁଁ ନ ଥିଲି ମୋ ପାଇଁ ତୁମେ କଷ୍ଟ ପାଅ । ଆଉ ଜୀବନରେ ପ୍ରଥମ ଥର ଯିଏ ମୋ ହୃଦୟ କୁ ଛୁଇଁ ପାରିଥିଲା, ସେ ମୋତେ ଘୃଣା କରୁ ଏକଥାକୁ ବି ମୁଁ ବରଦାସ୍ତ କରି ପାରୁ ନ ଥିଲି। ପ୍ରେମରେ ଏତେ ଶକ୍ତି ଥାଏ ବୋଲି ମୁଁ ସେଇଦିନ ଅନୁଭବ କରିଥିଲି। କାରଣ ଆଗରୁ ମୋ ସ୍ବାମୀ ଏସବୁ ପାଇଁ ମୋତେ କେତେ ଥର କହିଥିଲେ , ଚକିରୀ ଛାଡ଼ିବାକୁ । କାରଣ ମୋ ସ୍ଵାଧୀନତା ତାଙ୍କର ପସନ୍ଦ ନ ଥିଲା । ତାଙ୍କ କହିବା ଅନୁସାରେ ମୁଁ ଚାକିରୀ ଛାଡ଼ୁ ନ ଥିଲି। ବେଳେ ବେଳେ ମନୁଷ୍ଯର ନିରବତା ଅନେକ କିଛି କହିଦିଏ ।


ତୁମେ ତୁମ ଜୀବନର ଶାନ୍ତି ପାଇଁ ମୋ ଠାରୁ ଦୂରେଇ ଗଲ କିନ୍ତୁ ମୁଁ ତୁମର ଭଲ ପାଇବାକୁ ଆଜି ପର୍ଯ୍ୟନ୍ତ ଭୁଲି ପାରିଲି ନାହିଁ । ପ୍ରେମରେ ବାଧ୍ୟ ବାଧକତା ନ ଥାଏ କିମ୍ବା ବନ୍ଧୁତ୍ୱ ରେ ପାଇବାର ଜିଦ୍ ନ ଥାଏ। ଦୂରରେ ଥାଇ ବି ନିରବରେ ପ୍ରେମ କରାଯାଇ ପାରେ । ତଲ୍ଲିନାକୁ ଆମ ବିଷୟରେ କହିଛି । ସେ କହେ ଯେ ମାମା ଅଙ୍କଲ ଦିନେ ନିଶ୍ଚୟ ଆସିବେ। ମୁଁ ଜାଣିଛି ତୁମେ ଆସିବ। କିନ୍ତୁ ତୁମ ଆସିବା ବୋଧହୁଏ ଡେରି ହୋଇ ଯିବ। ସେଥିପାଇଁ ତା ପାଖରେ ଏ ଚିଠି ଛାଡ଼ି ଯାଉଛି। କାରଣ ଯାହା ହେଉ ପଛେ ମୁଁ ଗଲା ପରେ,ହେଲେ ମୋ ପ୍ରତି ତୁମ ଭିତରରେ ଥିବା ଭୁଲ୍ ଧାରଣାଟା ଯେମିତି ଦୂର ହୋଇଯିବ । ରହୁଛି।


      " ତନୁଜା "


ଚିଠି ଟା ପଢି ସାରି ତପନଙ୍କର ଆଖିରୁ ଅଜାଣତରେ ଲୁହ ଝରି ଯାଇଛି। ନିଜର କୋହକୁ ରୋକି ପାରୁ ନାହାଁନ୍ତି । ଗୋଟେ ଅପରାଧ ବୋଧରେ ତପନଙ୍କର ମନଟା ଭାରକ୍ରାନ୍ତ ହୋଇଗଲା । ହେଲେ କ୍ଷମା ମାଗିବାର ସୁଯୋଗ ଆଉ ନ ଥିଲା। ସେ ମୋ ପାଖରୁ ଖାଲି ବନ୍ଧୁତ୍ୱ ଟିକେ ତ ଚାହୁଁ ଥିଲେ।


ସମୟ ବି ଅପସରି ଯାଇଥିଲା । ତପନଙ୍କର ହାତରେ ଆଉ କିଛି ନ ଥିଲା । ତଲ୍ଲିନାକୁ ଝିଅ ବୋଲି ମୁଣ୍ଡ ଉପରେ ଦୁଇଥର ହାତ ବୁଲାଇ ଆଣିଲେ । ମୋର ଜୀବନରେ କ'ଣ ଅଛି ମାଆ...... ଏବେ ମୁଁ ଭୁବନେଶ୍ୱର ରେ ରହୁଛି। ତୁ ମୋ କଥା ରଖି ପ୍ରତି ରବିବାରେ ଆସିଲେ ମୋତେ ଭଲ ଲାଗିବ ।  ମଧ୍ୟାହ୍ନରେ ଛାଇ କଣ ସତରେ ଶୀତଳତା ଆଣିଦେବ......


Rate this content
Log in

Similar oriya story from Romance