ଇଏ ବି ଏକ ସ୍ୱାଧୀନତା
ଇଏ ବି ଏକ ସ୍ୱାଧୀନତା
ସେଦିନ ଥାଏ ଅଗଷ୍ଟ ପନ୍ଦର । ଆମର ପବିତ୍ର ସ୍ଵାଧୀନତା ଦିବସ। ଏହି ଅବସରରେ ରୋଟାରୀ କ୍ଳବ୍ ତରଫରୁ ଏକ ସଭା ଆୟୋଜନ କରାଯାଇଥାଏ । ଯେଉଁ ସଭାକୁ ମହାନ୍ତିବାବୁଙ୍କୁ ମୁଖ୍ୟ ଅତିଥି ରୂପେ ଡକା ଯାଇଥାଏ । ମହାନ୍ତିବାବୁ ହେଉଛନ୍ତି ଏକ ସରକାରୀ କର୍ମଚାରୀ ବ୍ୟକ୍ତି । ତାଙ୍କର ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ, ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ । ପୁଅଟି ଇଞ୍ଜିନିୟରିଂ ପଢୁଛି ଓ ଝିଅଟି ଏବେ ଦଶମ ଶ୍ରେଣୀରେ । ତାଙ୍କ ଘରେ ଆଉ ଦୁଇ ଜଣ ଖାସ୍ ମେମ୍ବର୍ ମଧ୍ୟ ଅଛନ୍ତି । ସେମାନେ ହେଲେ ଟମି (ତାଙ୍କର ପୋଷା କୁକୁର ) ଏବଂ ପୁତୁ (ତାଙ୍କର ପୋଷା ଶାରୀ) । ଚୋରି ହେବାର ଆଶଙ୍କା ଲାଗି ସେ ଏହି ଦୁଇ ଜଣଙ୍କୁ ପାଳିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ପୁତୁ ତ ମଣିଷଙ୍କ ଭଳି କଥା ମଧ୍ୟ କହିପାରେ ।
ସେଦିନ ସେମିତି ସେ ସକାଳୁ ଉଠି ଗାଧୋଇ ପାଧୋଇ ସୁଟ୍, ସାର୍ଟ ଓ କୋଟ୍ ପିନ୍ଧି ବାହାରିଲେ ରୋଟାରୀ କ୍ଳବ୍ ଅଭିମୁଖେ । ଗଲା ସମୟରେ ଟମିକୁ ବାନ୍ଧି ଦେଇଗଲେ ତାର ଠିକଣା ସ୍ଥାନରେ ଏବଂ ପୁତୁକୁ ତାର ପଞ୍ଜୁରୀ ଭିତରେ । ଏମିତି ବି କେତେ ଲେଟ୍ ହେଇଗଲାଣି । ଏଇ କିଛି ମାସ ହେବ ସେ ଏକ ନୂଆ ଫୋର୍ ହ୍ୱିଲର୍ କିଣିଛନ୍ତି । ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ଟଙ୍କା ହେବ । ହେଲେ ଏ ସବୁ ପଇସା ତ ତାଙ୍କର ବାଁ ହାତର । ସେଦିନ ସେ ରାସ୍ତାରେ ଯାଉଯାଉ ଦେଖିଲେ ଜଣେ ସ୍ୱାମୀ ତା ସ୍ତ୍ରୀକୁ ନିର୍ଦ୍ଦୟ ଭାବେ ପିଟାମରା କରୁଛି । ସେ ସେଠାକୁ ଯିବା ପାଇଁ ଇଚ୍ଛା କରି ମଧ୍ୟ ଯାଇ ପାରୁନଥିଲେ । କାରଣ ସେପଟୁ ରୋଟାରୀ କ୍ଳବ୍ ତରଫରୁ ତାଙ୍କ ପାଖକୁ ବାରମ୍ଵାର ଫୋନ୍ ଆସୁଥାଏ । ସେଥିପାଇଁ ସେ ତାକୁ ଅଣଦେଖା କରି ସ୍ପିଡ୍ରେ ଗାଡ଼ି ଚଳେଇ ପହଞ୍ଚିଗଲେ ରୋଟାରୀ କ୍ଳବ୍ରେ । ତାଙ୍କୁ ପାଛୋଟି ନେବା ପାଇଁ ଲୋକଙ୍କ ଭିଡ଼ । ସେ ଏବେ ହଲ୍ ମଧ୍ୟକୁ ଯାଇ ତାଙ୍କ ପାଇଁ ଥିବା ନିର୍ଦ୍ଦିଷ୍ଟ ଚେୟାର୍ରେ ବସି ପଡିଲେ । ଏବେ ତ ଅନ୍ୟ ଅତିଥି ମାନଙ୍କର ଭାଷଣ ଦେବା ଆରମ୍ଭ ହୋଇଗଲାଣି । ଅଗଷ୍ଟ ପନ୍ଦର ଉପଲକ୍ଷେ ପ୍ରାରମ୍ଭିକ ସଙ୍ଗୀତ ସାଙ୍ଗକୁ ପିଲାମାନଙ୍କର କେତେ ପ୍ରକାର ନୂତନ ଚିନ୍ତାଧାରାର ଭାଷଣ । ଏବେ ମହାନ୍ତିବାବୁଙ୍କୁ ଡକାଗଲା ଭାଷଣ ଦେବା ପାଇଁ । ସେ ମଧ୍ୟ ଖୁବ୍ ସୁନ୍ଦର ଭାଷଣ ଦେଉଥାନ୍ତି ।
ସେପଟେ ତାଙ୍କ ସ୍ତ୍ରୀ ପୁତୁକୁ ଖାଇବା ଦେବା ସମୟରେ ହଠାତ୍ ପୁତୁ କେମିତି କେଜାଣି ପଞ୍ଜୁରୀରୁ ବାହାରି ଉଡ଼ିଗଲା । ସେ କଣ କରିବେ କିଛି ଭାବି ନପାରି ଟମିକୁ ଚେନରୁ ଖୋଲି ଦେଲେ ଏବଂ ପୁତୁକୁ ଧରିବା ପାଇଁ କହିଲେ । ଟମି ଦୌଡୁ ଥାଏ ପୁତୁ ପଛରେ ଏବଂ ଟମିକୁ ପିଛା କରି ମହାନ୍ତିବାବୁଙ୍କ ସ୍ତ୍ରୀ । ପୁତୁ ଉଡ଼ିଉଡ଼ି ଯାଇ ପହଞ୍ଚିଗଲା ସେଇ
ରୋଟାରୀ କ୍ଳବ୍ରେ , ଯେଉଁଠି ମହାନ୍ତିବାବୁ ଭାଷଣ ଦେଉଥାନ୍ତି । ମହାନ୍ତିବାବୁ ପୁତୁକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ମାତ୍ର କିଏ ଜାଣିଥିଲା ସେଦିନ ଥିଲା ଗୋଟେ ଶାରୀର ଦିନ । ସେ କହୁଥିଲା - "ବାବୁ, ଆପଣ ସିନା ସ୍ଵାଧୀନରେ କେତେ ଜାଗା ବୁଲି ପାରୁଛନ୍ତି ।
ହେଲେ ଆମେ ?
ଏତିକି କଥା କହିଛି କି ନାହିଁ ପଛରୁ ଟମି ଓ ମହାନ୍ତିବାବୁଙ୍କ ସ୍ତ୍ରୀ ଆସି ସେଠାରେ ପହଞ୍ଚିଗଲେ । ହେଲେ ପୁତୁର କଥା ସରି ନଥାଏ । ସେ ରାଗ ତମତମ ହୋଇ କହୁଥିଲା -"ମୋତେ ପଞ୍ଜୁରୀରେ କାହିଁକି ରଖିଛନ୍ତି ? ଟମିକୁ କଣ ପାଇଁ ବାନ୍ଧି ରଖିଛନ୍ତି ? ଆମର କଣ କେବେ ସ୍ଵାଧୀନତା ନାହିଁ ? ଆପଣ ହେଉଛନ୍ତି ପରା ଜଣେ ବଡ଼ ଅଫିସର୍ । ଆପଣ କଣ କିଛି ବି ଜାଣିପାରୁନାହାନ୍ତି ? ଆପଣ ସଭିଙ୍କ ଆଗରେ କେତେ ସୁନ୍ଦର ସ୍ଵାଧୀନତାର ଭାଷଣ କହିଗଲେ । ହେଲେ ଆପଣ ତ ନିଜେ ଆମକୁ କେବେଠାରୁ ପରାଧୀନ କରି ରଖିଛନ୍ତି ।"
ସମସ୍ତଙ୍କ ଆଗରେ ଗୋଟେ ଶାରୀର ଏପରି କଥା ଶୁଣି ମହାନ୍ତିବାବୁଙ୍କୁ ଭାରି ଲାଜ ଲାଗିଲା । ଲାଜରେ ମୁଣ୍ଡ ତଳକୁ ହେଇ ଯାଉଥାଏ । ଲୋକଙ୍କ ଆଖିରେ ଆଖି ମିଶେଇ ପାରୁ ନଥିଲେ ସେଦିନ । ସେ ନିଜର ଭୁଲ୍ ବୁଝିପାରି ସେଦିନ ଉଭୟ ଶାରୀ ଓ କୁକୁରକୁ ନିଜ ପାଖରୁ ମୁକ୍ତ କରିଦେଲେ । ଉଭୟେ ତାଙ୍କ ମାଲିକକୁ ଛାଡ଼ି ଯିବାର ଦୁଃଖରେ ଥିଲେ ମଧ୍ୟ ଶାରୀଟେ ଉଡ଼ିଗଲା ଆକାଶର ବହୁଦୂରକୁ ଆଉ କୁକୁରଟେ କାନ୍ଦିକାନ୍ଦି ଚାଲିଗଲା ତା ମାଆ ପାଖକୁ ।
ଆଉ ସେଦିନ ମହାନ୍ତିବାବୁ ସମସ୍ତଙ୍କୁ କହୁଥାନ୍ତି - ମୁଁ କେତେ ବଡ଼ ଭୁଲ୍ କରୁଥିଲି । ଆମ ଭଳି ଏମାନେ ମଧ୍ୟ ସ୍ଵାଧୀନ ରୂପେ ବଞ୍ଚିବା ଦରକାର । ସ୍ଵାଧୀନ ଭାରତରେ ଆମେ ସବୁ ସ୍ଵାଧୀନ , ସିଏ ପଶୁ ହେଉ ଅବା ମଣିଷ । ଏଠାରେ ସମସ୍ତଙ୍କର ସମାନ ଅଧିକାର ଅଛି ।
ଯାଉଯାଉ ହସି ଦେଇ ପଦେ କହିଗଲେ -
"ଇଏ ବି ଏକ ସ୍ଵାଧୀନତା ।"