N.sibashankar Reddy

Classics Fantasy Others

3.5  

N.sibashankar Reddy

Classics Fantasy Others

ଜାଗର ଯାତ୍ରାର କଥା

ଜାଗର ଯାତ୍ରାର କଥା

7 mins
172



ରାତି ପାହିଲେ ଜାଗର।ଆମ ପରିବାରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯିବା ପାଇଁ ମନ ବଳାଇଲେ।ସେଥିପାଇଁ ପ୍ରସ୍ତୁତ ହେଲୁ। ମହାଶିବରାତ୍ରି ଦିନ ପାହାନ୍ତି ସକାଳେ ନିତ୍ୟକର୍ମ ସାରି ଘରେ ପୂଜା ବିଧି କରି ଘର ପାଖ ଶିବ ମନ୍ଦିର ଦର୍ଶନ କରି ଆସିଲୁ। ସନ୍ଧ୍ୟା ବେଳକୁ ଯିବା ପାଇଁ ମନସ୍ଥ କରିଲୁ। ସନ୍ଧ୍ୟା ୦୬:୦୦ଟାରେଘରୁ ବାହାରିଲୁ। ସନ୍ଧ୍ୟା ୦୭:୦୦ଟାରେ ଷ୍ଟେସନରେ ପହଞ୍ଚିଲୁ।ଗାଡ଼ି ୦୭:୩୦ ରେ ଆସିବାର ସୂଚନା ମିଳୁଥାଏ।ବୋଉ ଓ ମୁଁ ଏକ ବେଞ୍ଚ ଉପରେ ହାଲିଆ ଘାଲିଆ ହୋଇ ଥକ୍ କିନା ବସିପଡ଼ିଲୁ ଏବଂ ଜିନିଷପତ୍ର ଗୁଡ଼ିକୁ ବେଞ୍ଚ ତଳେ ରଖିଲୁ।ବାପା ଟିକେଟ କାଉଣ୍ଟର ପାଖରେ ଧାଡ଼ିରେ ଛିଡ଼ା ହୋଇଥାଆନ୍ତି। ଜାଗର ହେତୁ ବିଭିନ୍ନ ଲୋକଙ୍କ ଭିଡ଼ ଜମିଲା ଏବଂ ଚାରିଆଡ଼େ ଶୁଭିଲା ଖାଲି କୋଳାହୋଳ।ଏମିତିରେ କିଛି ସମୟ ବିତିଗଲା। ହର୍ନର ଧ୍ଵନି ଶୁଭିଲା,ଦୂରରୁ ଅନ୍ଧାର ଆକାଶ ମଧ୍ୟରେ ରେଳର କଳାଧୂଆଁ ଗୁଡ଼ିକ ଅନ୍ଧାରରେ ମିଶିଯାଉଥିଲା କିନ୍ତୁ ଜଣାପଡ଼େ ନାହିଁ। ଅଦୃଶ୍ୟ ରେଳର ଆଲୋକ ଦେଖାଗଲା, ରେଳ ଷ୍ଟେସନରେ ପହଞ୍ଚିଲା।ତାପରେ ବହାରିପଡ଼ିଲୁ ଭୁବନେଶ୍ଵର ଅଭିମୁଖେ। ଟ୍ରେନ୍ ଚାଲୁଥାଏ, ଛୁକ୍.... ଚ୍ଛୁକ୍... ଛୁକ୍। ହଠାତ୍ ଟ୍ରେନ୍ ଅଟକିଲା ପରବର୍ତ୍ତୀ ଷ୍ଟେସନ ଖଲିକୋଟ ନିକଟରେ।ଜଣେ ବୟସ୍କ ବୁଢ଼ା ଏବଂ ଆଉଜଣେ ବୁଢୀ ଟ୍ରେନ୍ ରେ ଚଡ଼ିଲେ।ଆମ ସମ୍ମୁଖରେ ବସିଲେ। ଚର୍ମଗୁଡ଼ିକ ଓହଳି ଯାଇଛି,ଅଣ୍ଟା ଭାଙ୍ଗିଯାଇଛି, ସମ୍ପୂର୍ଣ ଜରାଜୀର୍ଣ୍ଣ ଅବସ୍ଥା। ସେ ଆମକୁ ନିରେଖି ନିରେଖି ଦେଖୁଥାନ୍ତି। ତାଙ୍କର ସାହାରା ସେହି ବାଡି।ମଇଳା ଧୋତି ଓ ଛିଣ୍ଡାଲୁଗା ଖଣ୍ଡିଏ ପିନ୍ଧିଥିଲେ। କାଳେ କଣ କହିବେ ବୋଧେ ମୋତେ।

    ବାପା ସେହି ବୁଢ଼ାକୁ ପଚାରିଲେ- ବାପା କଣ ହେଲା?କିଛି କାମ ଥିଲା କି!

   ହଠାତ୍ ସେହି ବୁଢ଼ା ଜଣକ ବାପାଙ୍କ ହାତକୁ ଧରିଦେଲେ, ତାଙ୍କ ଆଖିରୁ ବୋହିଗଲା ଦି ଟୋପା ଅଶ୍ରୁ, ପଡିଗଲା ବାପାଙ୍କ ହାତରେ। ବାପାଙ୍କ ହୃଦୟ ବିଗଳିତ ହୋଇଗଲା। ମନ ବିଚଳିତ ହୋଇଗଲା। ବାପା ଏହାର କାରଣ ପଚାରିବାକୁ ଯାଉଥିଲେ ଠିକ୍ ସେତିକି ବେଳେ ବୋଉ ପଚାରିଲା- ମାଆ ଜାଗର ଦେଖିବାକୁ ଆସିଛ କି?

ବୁଢ଼ୀ- ହଁ ଲୋ ମାଆ।

ବୋଉ- ଆପଣଙ୍କ ସନ୍ତାନ କେହିଆସିନାହାନ୍ତି।

ଏହା ଶୁଣି ବୁଢ଼ା ବୁଢୀ ଆଉରି କାନ୍ଦିବାକୁ ଲାଗିଲେ।

ବାପା ମନର କଥାକୁ ବାହାରକୁ ଆଣି ପଚାରିଲେ- ଆପଣ ମାନେ କାନ୍ଦୁଛନ୍ତି କାହିଁକି?

ଘଟଣା କଣ ହେଇଛି କୁହନ୍ତୁ। ମୁଁ ଆପଣଙ୍କ ପୁଅ ଭଳିଆ।

ଏହା ଶୁଣିବା ମାତ୍ରେ ବୁଢ଼ାଟି ରାଗରେ ଗର୍ ଗର୍ ହୋଇ କହିଲା- କେଉଁ ପୁଅ?

ମୋ ନିଜ ପୁଅ ମୋତେ ପର କରିଦେଇଛି।

ଆଉ କାହାକୁ ପୁଅ ବୋଲି ବିଶ୍ୱାସ କରିବି।

ସେ ପୁଅର ଶଦ୍ଦ ମୋ ଆଗରେ ଧରେନା।

ସେଇଟା ମୋ ପାଇଁ କଳଙ୍କ।

ବାପା- ମାନେ ଆପଣ

ବୁଢ଼ା- ହଁ! ମୋର ବି ଗୋଟେ ସୁନା ସଂସାର ଥିଲା କିନ୍ତୁ ଭାଗ୍ୟର ଈର୍ଷାରେ ଆଜି ସବୁ ଜଳି ଯାଇଛି।

ବାପା- ଭାଗ୍ୟର ଈର୍ଷା!

ବୁଢ଼ା- ହଁ! ଭାଗ୍ୟର ଈର୍ଷା। ମୋ ନାଁ ଲୋକନାଥ ରେଡି। ଗାଁ ମୋର ନରଣପୁର। ମୁଁ ମୋ ବାପାଙ୍କ ଗୋଟେ ବୋଲି ପୁଅ। ବାପାଙ୍କର କିଛି ଜମିବାଡ଼ିକୁ ମୁଁ ବୁଝାସୁଝା କରୁଥିଲି। ବହୁ କଷ୍ଟେ ମଷ୍ଟେ ଚଳୁଥିଲୁ। ପେଟ ପାଇଁ ଦି' ଓଳି ଦି' ମୁଠା ପଖାଳ ସୁଖ ଥିଲା। ଦୁଃଖ ସୁଖକୁ ଆଦରି ଚଳିଯାଉଥିଲୁ। ବେଳେ ବେଳେ ପେଟରେ ଓଦା କନା ଦେଇ ରହିବାକୁ ପଡୁଥିଲା। ଖୁଦଦାନାଟିଏ ବି ଦୁର୍ଲଭ ଥିଲା। ପୁଣି କେବେ କେବେ ଆଖ ପାଖ ପଡୋଶୀଙ୍କ ଠାରୁ କିଛି କିଛି ଖାଦ୍ୟ ଦ୍ରବ୍ୟ ଆଣି ଚଳିଯାଉଥିଲୁ। ମୋର ବାହାଘର ବେଳ ଯେତେବେଳେ ଆସିଲା, ବାପା ଚଳଚଞ୍ଚଳ ହୋଇ ଉଠିଲେ। ଶ୍ରୀହରିପୁରର ଟି.ଗଙ୍ଗା ରାଓଙ୍କ ଝିଅ ଟି.ରମ୍ଭା ରାଓ (ବୁଢୀ) ସହ ମୋର ବିବାହ ହେଲା। ତାପରେ ଘରେ ଖୁସିର ହାୱା ବାଜିଲା। ସକାଳୁ ସକାଳୁ ଭଜନ କୀର୍ତ୍ତନ। ଘଣ୍ଟ ଓ ଶଙ୍ଖ ନାଦ ଶୁଭୁଥାଏ। ସେ ଧିନାକ୍ ଧିନ୍ ଧା ଭଳି ଗାଇ ଚାଲେ।


  ଏମିତିରେ ଖୁସିରେ ଖୁସିରେ ଆମ ସଂସାର ରଥ ଚାଲୁଥିଲା ରମ୍ଭା ଆସିବା ପରେ। ଲକ୍ଷ୍ମୀ ସ୍ୱଳ୍ପ ପରିମାଣରେ ଚଳଚଞ୍ଚଳ ହୋଇ ଉଠିଲେ।ଗରିବରୁ ଉତ୍ତୀର୍ଣ୍ଣ ହେଲି ମଧ୍ୟବିତ୍ତକୁ। ସେହି ମଧ୍ୟବିତ୍ତ ରେ ମଧ୍ୟ ଦୁଃଖର ସାଗର ସୃଜି ହେଲା।

   ଦିନେ ମୁଁ ଜମିଜମା କାର୍ଯ୍ୟରେ ସପ୍ତାହକ ପାଇଁ ସହର ଯିବାକୁ ପଡିଲା। ସେଠାକୁ ଯାଇ ତିନିଦିନ ହୋଇଛି କି ନାହିଁ ମେଡିକାଲରୁ ଡାକ୍ତର ବିନୋଦ ବାବୁଙ୍କ ଟେଲିଗ୍ରାମ୍ ଆସିଥିଲା ବାପାଙ୍କ ଦେହ ଗୁରୁତର ବୋଲି। ଏହା ଶୁଣି ମୁଁ ଭୀତତ୍ରସ୍ତ ହୋଇ ପଡୁଥାଏ। ସେହି ବାହାରିପଡ଼ିଲି ଗାଁ କୁ ଯିବାପାଇଁ। ଯେତେବେଳେ ହସ୍ପିଟାଲ୍ ରେ ପହଞ୍ଚିଲି ସେତେବେଳେ ବାପାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ଅପରେସନ ଥିଏଟର କୋଠରି ବାହାରେ ରମ୍ଭା ଓ ବୋଉ ବସନରେ ନିଜ ମୁହଁ ଘୋଡାଇ କାନ୍ଦୁଥିଲେ। ଆଶ୍ୱାସନା ଦେଇପାରିଥାନ୍ତି କିନ୍ତୁ ମୁଁ ଅଣାୟତଥିଲି। ଡାକ୍ତର ବାବୁ କହିବା ଅନୁସାରେ ବାପାଙ୍କ ଦେହ ବହୁତ୍ ଗୁରୁତର। ସବୁ ସେହି ବିଧାତାଙ୍କ ଇଚ୍ଛା। ମୁଁ ଝରକା ବାଟେ ବାପାଙ୍କୁ ଦେଖୁଥାଏ। ବାପାଙ୍କର ପାଖରେ ଗୋଟେ ଯନ୍ତ୍ରପାତି ଥିଲା, ସେଥିରେ ବାପାଙ୍କ ହୃଦସ୍ପନ୍ଦନ ଖେଳୁଥିଲା କିନ୍ତୁ ତାହା ଦୁଇ ମିନିଟ୍ ପରେ ଏକ ରେଖାଖଣ୍ଡ ହୋଇଗଲା। ବାପା ଆଖିବୁଜି ଦେଲେ। ଡାକ୍ତର ବାବୁଙ୍କୁ ଚିତ୍କାର କରି ଡାକିଲି, କାଳେ ବାପା ଆଖି ଖୋଲି ଦେବେ କିନ୍ତୁ ଆଶା ନିରାଶା ହୋଇଗଲା। ପ୍ରାଣପକ୍ଷୀ ଶୂନ୍ୟପଥରେ ବିଜୟ କରି ଚାଳିଗଲା। ବୋଉର ଠାକୁରାଣୀ ରୂପ ଶ୍ରୀହୀନ ହୋଇଗଲା। ମଥା, ହାତ, ପାଦ ଲଙ୍ଗଳା ହୋଇଗଲା। ମଙ୍ଗଳସୂତ୍ର ଯମ ଛଡ଼ାଇ ନେଲା କେବଳ ଦେଇଦେଲା ମେଂଜାଏ ମେଂଜାଏ ଦୁଃଖ ରେ ଭିଜା ଧଳା ଲୁଗା ଖଣ୍ଡିଏ। ସେହି ଲୁଗା ତାର ମରଣ ପର୍ଯ୍ୟନ୍ତ ସାକ୍ଷୀ ରହିଗଲା। ମାଆ ଦୁଃଖରେ ଭାଙ୍ଗି ପଡୁଥାଏ, ଲୁହ ତାର ସରେ ନାହିଁ।

ମାଆ ତିନିଦିନ ଯାଏଁ ଖାଇନାହି।

 "ତମେ ଆସିଛ ନା ଆସିବାର ଛଳନା କରୁଛ"ଏହିପରି ମନେ ମନେ କେତେ କଥା ପାଗଳାମିରେ କହିଯାଏ। ବେଳେ ବେଳେ ଆଇନା ଆଗରେ ବସି ସଧବା ଭଳି ସଜେଇ ହୁଏ, ପୁଣି ତାହାକୁ କାନ୍ଦି କାନ୍ଦି ମୁଣ୍ଡ ପିଟି ଅସଜା କରିଦିଏ। ବାପାଙ୍କ ଫୋଟୋ କୁ ଦେଖି କାନ୍ଦୁଥାଏ, ପୁଣି ସେହି ଫୋଟୋ କୁ ପଖାଳ ଖୁଆଇଦିଏ।

   ଏମିତିରେ କିଛି ଦିନ ପରେ ମାଆ ବାପାଙ୍କୁ ଝୁରି ଝୁରି ଚାଲିଗଲା। ଆଜି ମୁଁ ଏକୁଟିଆ, ଆଶ୍ୱାସନା ଦେବାପାଇଁ ଥିଲା ମୋର ସ୍ତ୍ରୀ ରମ୍ଭା। ଘର ଖାଁ ଖାଁ ଲାଗିଲା। ସତେ ଯେମିତି ଲକ୍ଷ୍ମୀ ଛାଡ଼ି ଚାଲିଗଲେ।

      କିଛି ବର୍ଷ ବିତିଗଲା। ହଠାତ୍ ରମ୍ଭା ଅସୁସ୍ଥ ହୋଇପଡ଼ିଲା।ଡାକ୍ତରଙ୍କ ପାଖକୁ ନେଲି, ସେ କହିଲେ:- ଆପଣ ଙ୍କ ସ୍ତ୍ରୀ ମାଆ ହେବାକୁ ଯାଉଛନ୍ତି। ଏହି କଥା ଶୁଣି ଆମ ଦୁହିଁଙ୍କର ପାଦ ଖୁସିରେ ତଳେ ଲାଗୁନଥାଏ। କିଛି ଦିନ ପରେ ରମ୍ଭାର ପୁତ୍ର ସନ୍ତାନ ଜନ୍ମ ହେଲା। ଠିକ୍ ମୋ ପରି ଦେଖିବାକୁ। ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ପୁତ୍ର ସନ୍ତାନ ଜନମ ହେଲା, ତେଣୁ ତା ନାମ ବାସୁଦେବ ବୋଲି ଦେଲୁ। ଘରେ ଖୁସିର ମଉଛ ଖେଳିଗଲା। ଚାରିଆଡ଼େ ଆନନ୍ଦ ର ପରିବେଶ, ଖୁସିର ବାୟୁ ଏବଂ ଘର ସ୍ବର୍ଗ ପାଲଟିଗଲା କିନ୍ତୁ ମୋତେ ଏବେ ରୋଜଗାର କରିବାକୁ ହେବ,ନ ହେଲେ ମୋ ପିଲା ଚଳିବ କେମିତି, ପଢ଼ିବ, କେମିତି, ଚାକିରୀ କେମିତି ହେବ? ଇତ୍ୟାଦି କଥା ଭାବି ବସେ। ଯେତିକି ଖୁସି ଲାଗୁଥିଲା ସେତିକି ଚିନ୍ତା ମଧ୍ୟ ଲାଗୁଥିଲା।

    ମେରପଲ୍ଲି ପାହାଡ଼ ରେ ପଥର ଭାଙ୍ଗିବା ପାଇଁ ଶ୍ରମିକ ଖୋଜା ଚାଲିଛି ବୋଲି ଆମ ଗାଁ ର ସୁର ଭାଇ କହୁଥିଲା କିନ୍ତୁ କେହି ମଧ୍ୟ ଯିବା ପାଇଁ ରାଜି ହେଉନଥିଲେ କାରଣ ତାହା ଏକ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ଏବଂ ନକ୍ସଲ୍ ମାନଙ୍କ ପ୍ରତି ଭୟ ଥିଲା।

     ସ୍ତ୍ରୀ ଓ ପିଲାକୁ ସଙ୍ଗରେ ଧରି ବାହାରିପଡ଼ିଲି ନରଣପୁର ଠାରୁ ୩୦୦ କିଲୋମିଟର ଦୂର ଅଞ୍ଚଳ ମେରପଲ୍ଲି ଗ୍ରାମ କୁ। ସେଠାରେ ପହଞ୍ଚି ଶ୍ରମିକ ଭାବେ ନାମ ଲେଖାଇଲି। ତାପରେ ଏହି ମେଧ ପଥର ମାନଙ୍କୁ ଭାଙ୍ଗିବା ଆରମ୍ଭ କଲି।

      ସେହି ପାହାଡ଼ ଆଖ ପାଖରେ ଗୋଟେ ଚାଳଛପର ଘରେ ନିଜର ଏକ ବସତି ସ୍ଥାପନ କଲି। ବେଶ୍ ମନୋରମ ସ୍ଥାନଟିଏ।ଲାଗୁଥିଲା ଯେମିତି ପାହାଡ଼ ମୋତେ ତା ପାଖରେ ମୋତେ ସାଇତି ରଖିଲା କିନ୍ତୁ ମୁଁ ସେହି ମେଧର କଥା ବୁଝିପାରୁ ନଥାଏ। ସେମିତି କାଟି ଚାଲେ। ରବି ବୁଡ଼ିଗଲେ ମୁଁ ଘରକୁ ଚାଲିଆସେ। ସତେ କି ପ୍ରକୃତିର ସହ ଆମେ ଦୁହେଁ (ମୁଁ ଓ ରମ୍ଭା) ମିଶିଯାଇଛୁ! ଏବଂ ସେହି ଆକାଶର ଚିକ୍ ମିକ୍ ତାରା ତାରାଗୁଡ଼ିକ ମୋ ପୁଅର ଭବିଷ୍ୟତ ଭଳି ଦେଖା ଯାଉଥାଏ। ସ୍ୱଳ୍ପ ଦୁଃଖରେ ମଧ୍ୟ ଆମେ ସୁଖକୁ ଆଦରି ଚାଲିଯାଉଥିଲୁ। ଖାଇବାକୁ ସେମିତି କିଛି ଅଭାବ ନାହିଁ। ଏହି ଅଞ୍ଚଳ ଆଦିବାସୀ ପୂର୍ଣ୍ଣ। ବହୁତ୍ ସରଳ ଓ ବିଶ୍ବାସୀ ଏମାନେ। ଆନନ୍ଦରେ ଝୁମି ଯାଉ ଯୌଥ ପରିବାର ଭଳି। ସେତେବେଳେ ଲାଗୁଥିଲା ଏମାନଙ୍କ ସହ ମୋର ପୂର୍ବ ଜନ୍ମରେ କିଛି ସଂପର୍କ ଅଛି କିନ୍ତୁ ଏହି ଜନମରେ ଏହା ଭାବିଦେଲେ ନିଜକୁ ନିଜେ ପରିହାସ କରିବାକୁ ହୁଏ। ସେହି ପାହାଡିଦେବୀ ଙ୍କ କୃପା ଦୃଷ୍ଟିରୁ ସେଠାରେ ତିଷ୍ଠି ରହିପାରିଲୁ।

      ଦିନକର ଘଟଣା। ମୁଁ ନିତିଦିନ ପରି ପଥର କାଟୁଥାଏ। ହଠାତ୍ ଦୂରକୁ ଦୃଷ୍ଟି ନିକ୍ଷେପ ହେଲା। ଦେଖିଲି କେତେଜଣ ଅଧିକାରୀ ଏହି ଜଙ୍ଗଲରେ ବାଟବଣା ହୋଇଯାଇଛନ୍ତି। ବୋଧେ ନୂଆ ଆସିଛନ୍ତି। ତାଙ୍କ ପାଖକୁ ଗଲି ଏବଂ ଉଦ୍ଧାର କଲି। ତାପରେ ଜଣାପଡ଼ିଲା ଯେ ସେମାନେ ନୂତନ ବିଦ୍ୟୁତ୍ ବିଭାଗର ଅଧିକାରୀ ସାହେବ୍ ମାନେ। ସେମାନେ ମୋତେ ଆନ୍ତରିକ ସାଧୁବାଦ୍ ଜଣାଇଲେ। ମୁଁ ସେମାନଙ୍କୁ ମୋ ଘରକୁ ନେଇ ପଖାଳ ଓ ଶୁଖୁଆପୋଡ଼ା ଖାଇବାକୁ ଦେଲି। ସେମାନେ ଭୋଜନ କରିସାରିଲା ପରେ ମୋ ଉପରେ ଆନନ୍ଦ ହେଇଗଲେ। ଭାରି ଦୟାବାନ୍ ଲୋକମାନେ। ତୁ କି କାମ କରୁଛୁ? ତୋ ନାଁ କଣ?ବୋଲି ଜଣେ ଅଧିକାରୀ ପଚାରିଲେ। ମୁଁ ପ୍ରତ୍ୟୁତ୍ତରରେ କହିଲି- ମୋ ନାଁ ଲୋକନାଥ। ମୁଁପଥର କାଟୁଛି ବାବୁ।

ଅଧିକାରୀ- ପଥର କାଟୁଛୁ!

ମୁଁ- ହଁ ବାବୁ ପଥର କାଟୁଛି। ବାପା ବୋଉ ଚାଲିଗଲା ପରେ ମୋର ଦୁଃଖ ବ୍ୟାଧିର କେବଳ ଏକା ଆଶ୍ୱାସନା ଔଷଧି ହେଲା ମୋ ସ୍ତ୍ରୀ ରମ୍ଭା। ଆଉ ଖୁସି ମୋ ପୁଅ। ବାହାରେ ଏ ପଥର ଗୁଡ଼ାକୁ କାଟି କାଟି ମୁଁ ଆଜି ପାଷାଣ ପାଲଟି ଯାଇଛି ଏବଂ ଦୁଇ ପାଞ୍ଚ କିଲୋ ହାତୁଡ଼ି ଟେକିବା, ବୁଲାଇ ପିଟିବା ଅଭ୍ୟାସରେ ପରିଣତ ହୋଇଗଲାଣି। ସେହି ଅତୀତ ଦୁଃଖକୁ ମଧ୍ୟ ମେଧ ଭାଙ୍ଗିଲା ଭଳି ଭାଙ୍ଗିଦିଏ। ଦୁଃଖ ସୁଖ ସବୁ ବୁଝେ କିନ୍ତୁ ମୂକ ସାଜି ରହେ।

ସବୁ ସେହି ଉପରବାଲାର ଇଚ୍ଛା।

ଅଧିକାରୀ- ଆଚ୍ଛା! ଉପରବାଲାର ଇଚ୍ଛା, ସେହି ଉପରବାଲା ମୋତେ ପଠେଇଛି।ଶୁଣ୍, ଲୋକନାଥ ,ଗୋଟେ କଥା କହିବି ରଖିବୁ!

ମୁଁ- ହଁ ବାବୁ କୁହନ୍ତୁ।

ଅଧିକାରୀ- ଦେଖ୍ ଆମର କାର୍ଯ୍ୟାଳୟ ଏହି ଜଙ୍ଗଲ ପାଖରେ। ଆମର ଏହି ଜଙ୍ଗଲ ମଧ୍ୟରେ ଭୋଜନର ଅସୁବିଧା। ତେଣୁ ତୁ ଆଜି ଠୁ ଆମକୁ ଭୋଜନ ପ୍ରସ୍ତୁତ କରିଦେବୁ।

ମୁଁ- ହେଲେ............

ଅଧିକାରୀ- ତୁ ଚିନ୍ତାକରନି, ଆମେ ତୋତେ ନୂଆ କୋଠା ଦେବୁ,ଭୋଜନ ପ୍ରସ୍ତୁତ ପାଇଁ ଟଙ୍କା ମଧ୍ୟ ଦେବୁ। ତୋତେ ଆଉ ପଥର କାଟିବାକୁ ପଡ଼ିବନି।ଦେଖ୍ ମନା କରିବୁନି।

ମୁଁ- ହେଲେ ବାବୁ ମୁଁ କଣ ସେ ସବୁ କରିପାରିବି।

ଅଧିକାରୀ- ନିଶ୍ଚୟ କରିପାରିବୁ। ତେବେ ମୁଁ ଆସୁଛି ଲୋକନାଥ।

   ଏତିକି କହି ଅଧିକାରୀ ମାନେ ଫେରିଗଲେ। ମୋ ପରିବାରର ପ୍ରତିପୋଷଣ ପାଇଁ ମୁଁ ରାଜି ହୋଇଗଲି ସେମାନଙ୍କ କଥାରେ। ନୂଆ କୋଠା ମଧ୍ୟ ପାଇଲି, ଅଧିକାରୀ ମାନଙ୍କୁ ଭୋଜନ ପ୍ରସ୍ତୁତ କରି ଦେଉଥିଲି।

     ସେହି ଅଧିକାରୀଙ୍କ ସହାର୍ଥେ ଗାଁ ପ୍ରାଥମିକ ସ୍କୁଲ୍ ରେ ବାସୁର ନାମ ଲେଖାଇଲି। ଏମିତିରେ ବାସୁ ବଡ଼ ହେଲା। ତାର ଶ୍ରେଣୀ ଅବଧି ବଢିଲା ଏବଂ ତାର ଭବିଷ୍ୟତ କଥା ମୋତେ ଚିନ୍ତା ଲାଗିଲା।

      ମୁଁ ସେହି ଅଧିକାରୀ ମାନଙ୍କ କୃପାର୍ଥେ ଏକ ଭୋଜନାଳୟ ପ୍ରସ୍ତୁତ କଲି, ଯାହାର ନାମ ଚହଳ ପଡିଲା "ରେଡି ହୋଟେଲ୍"ବୋଲି। ବିଧାତା କିଛି ଖୁସି ମୋ ଉପରେ ଢାଳି ଦେଲା। ସଂସାର ମୋର ସୁଖରେ ଚାଲିଲା ଏବଂ ମୋର ସ୍ଵଜୀବିକା ମଧ୍ୟ ସୃଷ୍ଟି ହେଲା।

    ପୁଅକୁ କଷ୍ଟେ ମଷ୍ଟେ କଲେଜରେ ପଢ଼ାଇଲା ପରେ ସେ ଆଜି ଓଡ଼ିଶାରେ ଟପର୍। ଏହି କଥା ଶୁଣି ରମ୍ଭା ଆଉ ମୋର ଗର୍ବରେ ଛାତି ଫୁଲି ଉଠିଲା। ଖୁସିର ଆଉ ଏକ ଲହରୀ ମାଡ଼ି ଆସିଲା। ଯଦି ବାପା, ମାଆ ଥାଆନ୍ତେ ଅର୍ଥାତ୍ ତାର ଜେଜେ ଓ ଜେଜେବାପା ଥାଆନ୍ତେ କେଡ଼େ ଖୁସି ହୋଇଥାନ୍ତେ। ଆଖିରୁ ଦୁଃଖ ଓ ସୁଖର ଲୁହ ଝରିପଡ଼ିଲା।


     ପୁଅର ଚାକିରୀ ହେଇଗଲା। ବାସୁଦେବ ରେଡି ପୂର୍ବରୁ ଲାଗିଗଲା ପ୍ରଫେସର। ବୟସ ମୋହର ୬୦କୁ ଧକ୍କା ଖାଇଲା।ଶମନ ଡାକିବା ପୂର୍ବରୁ ଭାବିଲି ପୁଅ ବାହାଘର ପାଇଁ।ସହରରୁ ପ୍ରସ୍ତାବ ଆସିଲା। ସୁରରାଜ ରେଡିଙ୍କ ଝିଅ କାମିନୀ ରେଡି ସହ ମୋ ପୁଅର ବାହାଘର ନସ୍ପତି ହେଲା। ଝିଅର ବାପା ଦିଆ ନିଆ ବାବଦକୁ ଯେତେ ଖର୍ଚ୍ଚ ହେବ ଦେବା ପାଇଁ ରାଜି ହେଲେ। ନିର୍ବନ୍ଧ ସରିଗଲା।

 

     ବାହାଘର ଦିନ ପାଖେଇ ଆସିଲା। ନିମନ୍ତ୍ରଣ ଆରମ୍ଭ କଲି ପ୍ରଭୁ ଅଧିକାରୀ ସାହେବଙ୍କ ଠାରୁ। ତାଙ୍କରି ପାଇଁ ସମ୍ଭବ ସ୍ଵଜୀବିକା ଓ ମୋ ପୁଅ ବାହାଘର।

  କଦଳୀବାଡ ବନ୍ଧା ହେଲା, ପ୍ରଜାପତିଙ୍କ ସଙ୍ଗେ ଦୁଇଜଣଙ୍କ ନାମ କାନ୍ଥରେ ରହିଲା, ମହୁରୀ ବାଜିଲା,ଶଙ୍ଖ ବାଜିଲା,ହୁଳହୁଳି ଶୁଭିଲା।ମେରପଲ୍ଲି ମୁଣ୍ଡ ପାଖରୁ ସେ ପାଖ ପାହାଡ ଦେଇ କନ୍ଧସାହି ପର୍ଯ୍ୟନ୍ତ ଖୁସିର ମଉଚ୍ଛ ଲାଗିଲା।

   "ଯଥା ରବଣସ୍ୟ ମନ୍ଦୋଦରୀ"ମନ୍ତ୍ର ଗାନ ହେଲା,ସାତକଳସ, ଆଠଦୀପକୁ ସାକ୍ଷୀ ରଖି ଏବଂ ମଥାରେ ସିନ୍ଦୂର ପିନ୍ଧାଇ, ସାତଜନ୍ମର ସାଥି ହେବାର କଥା ଦେଇ ମୋ ପୁଅ ତାକୁ ନିଜର କଲା। ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହେଲା। ଆମ ପରିବାର ରେ ତିନିଜଣ ମଧ୍ୟରେ ଆଉଗୋଟେ ଚରିତ୍ର ସୃଷ୍ଟି ହେଲା ଅର୍ଥାତ୍ ବୋହୂର। ଆହାଃ କି ସୁନ୍ଦର୍ ସାକ୍ଷାତ ଠାକୁରାଣୀ।

   ବୋହୁ ଆଗମନରେ ଘରଟି ପୁରିଲା ପୁରିଲା ଲାଗୁଥାଏ। ଲାଗୁଥାଏ ଯେମିତି ଏହି ମରୀଚିକା ମଧ୍ୟରେ କେହିଜଣେ ଜଳ ଦେଇ ଜୀବ ବଞ୍ଚାଇଲା। ଖୁସି ମଉଜରେ ଚଳିଯାଉ।

    କିଛି ବର୍ଷ ଗଲା। ବୟସର ଅପରାହ୍ନରେ ପହଞ୍ଚିଲି। ଜରାଜୀର୍ଣ୍ଣ ଅବସ୍ଥା ଏବଂ ଅଣ୍ଟା ନଇଁଗଲା। ବୁଢ଼ୀର ମଧ୍ୟ ସମଦଶା। ବୋହୂର ସୁନ୍ଦରତା ପଛରେ ଗୋଟିଏ କଳଙ୍କ ଲୁଚିକିଥିଲା। ଆଜି ସେହି ସୁନ୍ଦରତାର ରଙ୍ଗ ବିବର୍ଣ୍ଣ ହୋଇ ବାହାରି ପଡ଼ିଛି କଳା କଳଙ୍କ। ଏହି ଦୁଃଖ ଅବସ୍ଥା ବେଳକୁ ବୋହୂ ଜ୍ଞାତରେ ହିଁ ଆମକୁ ଉପେକ୍ଷା କଲା। ବୋହୁ ଦୂରରେ ଥାଉ, ମୋ ଜନ୍ମ କଲା ପୁଅ ସବୁ କିଛି ଦେଖି ଚୁପ୍ ରହିଗଲା। ନା ସେବା ନା ଡାକ୍ତରୀ ଚିକିତ୍ସା କଲା।କେହି ମଧ୍ୟ ଆହା! ପଦେ କହିଲେ ନାହିଁ।

    ଆମକୁ ରାସ୍ତାକଡ଼କୁ ଠେଲିଦେଲା କିନ୍ତୁ ଯାହା ହେଲା ଭଲ ହେଲା, ଆଉ କେତେ ଦିନ ଆମେ ବୁଢ଼ା ବୁଢୀ ଦୁହେଁ ନରକରେ ପଡି ଯନ୍ତ୍ରଣା ଭୋଗିଥାଆନ୍ତୁ। ନିଜ ଜନ୍ମ କଲା ପୁଅ ଯଦି ସ୍ତ୍ରୀ ବୋଲକରା ହୋଇ ବାପାର ସେନେହ ଓ ମାଆର ପଣତ ଭୁଲି ବୁଦ୍ଧାଶ୍ରମ ଯିବା ପାଇଁ କହିପାରେ, ତାହେଲେ ମୁଁ କେଉଁ ପୁଅ ଉପରେ ଭରସା କରିବି। ଆଉ କିଛି ଦିନ ପରେ ଧପ୍ ଧପ୍ ହୋଇ ଜଳୁଥିବା ଏହି ଜୀଵନ ଦୀପଟି ଲିଭିଯିବ। ସବୁ ସେହି ଲୀଳାମୟଙ୍କ ଇଚ୍ଛା।

   ଭୁବନେଶ୍ୱର ଆସିଗଲା।କଥା ସରିଗଲା ମୁଁ ବାପାଙ୍କୁ କହିଲି- ଆଜିର ସମାଜର ସନ୍ତାନମାନେ କେଡ଼େ ନିଷ୍ଠୁର! ନିଜ ଜନ୍ମ କଲା ବାପା ମାଆଙ୍କୁ ମଧ୍ୟ ତଡ଼ି ଦେଉଛନ୍ତି। କିଛି କାଳ ଉତ୍ତାରୁ ମହାଦୀପ ଉଠିବାର ବେଳ ହେଲା। ଭକ୍ତ ଧ୍ଵନି ଶୁଭିଲା- "ହର୍ ହର୍ ମହାଦେବ ହର୍ ହର୍ ମହାଦେବ ।


Rate this content
Log in

Similar oriya story from Classics