Santosh Kumar Ojha

Fantasy

4  

Santosh Kumar Ojha

Fantasy

କାଳ ରାତ୍ରୀ

କାଳ ରାତ୍ରୀ

6 mins
214


      ଚିହ୍ନ ଲିଭି ଗଲେ ଘା' କଥା ଭୁଲି ହେଇଯାଏ । ଘା' କେବେ ହେଇଥିଲା କାହିଁକି ହେଇଥିଲା, କେତେ ରକ୍ତ ଯାଇଥିଲା, କେତେଦିନ ପରେ ଘା ଶୁଖିଲା, କେତେ କଷ୍ଟ ହେଇଥିଲା ଇତ୍ୟାଦି ଇତ୍ୟାଦି ? ସବୁ କିଛି ଭୁଲି ହେଇଯାଏ ଆପେ ଆପେ । ଏଇ ଯେମିତି ମୋ ଜୀବନର ଏତେ ବଡ଼ ଦୁଃଖଦ ଘଟଣାକୁ ମୁଁ ସହଜରେ ଭୁଲିଯାଇଛି । ସବୁ ଏଇ ସୁମନଙ୍କ ପାଇଁ । ସୁମନଙ୍କ ଭଲପାଇବା ମୋର ଯତ୍ନ ନେବା, ମନ ମୁତାବକ ଜିନିଷ ଆଣି ଦେବା, ଯୁଆଡ଼େ ଇଛା ହେଲା ବୁଲେଇ ନେବା, ଆଶା ବାହାରେ ଗହଣା, ଶାଢ଼ୀ ପିନ୍ଧେଇବା ଆଦି ଜଣେ ସ୍ତ୍ରୀର ଯାହା ଯାହା ସବୁ ସୁଖ ଶାନ୍ତି ପାଇଁ ଦରକାର ସବୁ କିଛି ମାଗିବା ପୂର୍ବରୁ ମୋତେ ମିଳି ଯାଇଛି । ଗାଡ଼ି, ଘୋଡ଼ା, ଘର ବ୍ୟାଙ୍କ ବାଲାନ୍ସ, ସନ୍ତାନ ସନ୍ତତି ସବୁ କିଛି । ସବୁ କିଛି ଅଜାଡ଼ି ଦେଇଛନ୍ତି ମୋ ପାଦ ତଳେ ସୁମନ । ଦୁଃଖ ଭୁଲିବାକୁ ଆଉ କ'ଣ ଦରକାର ହେଇଥାନ୍ତା ଯେ ! କହନ୍ତି ସୁଖ ଏକା ଆସେ ଆଉ ଦୁଃଖ ଯେତେବେଳେ ଆସେ ଭାଇ ବଂଧୁ କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । କିନ୍ତୁ ମୋ କ୍ଷେତ୍ରରେ ଓଲଟା । ଯେବେଠୁ ସୁମନଙ୍କ ସହ ମୋର ଦେଖା ହେଲାଣି ସେବେଠୁ ଦୁଃଖ ଏକା ଆସେ । ସୁମନଙ୍କ ସହ ମୋର ଦେଖା ହେବା ବେଶୀ ଦିନ ନୁହଁ ମ ଏଇ ପାଞ୍ଚ ବର୍ଷ ହେବ । ସେଦିନ ସେ କାଳ ରାତ୍ରୀ...

             - ଏଇ ! ଏଇ ! ଏଇ..? କିଏ ତମେ ? ତମକୁ କ'ଣ ଶୁଭୁନି ? ତମେ କ'ଣ କାଲା ? ଦୂରେଇ ଯାଅ । ଟ୍ରେନ୍ ଆସୁଚି । ମାଡ଼ି ଯିବ ..। ଆରେ ହେଇ, ଏଇଟା ପାଗିଳୀଟେ କି ? ଦୂରରୁ କେହି ଜଣେ ଚିତ୍କାର କରି କରି ମୋ ଆଡ଼କୁ ଧାଇଁ ଆସୁଥାଏ । ମୁଁ ଜାଣୁଥାଏ କିନ୍ତୁ କିଛି ନଜାଣିଲା ପରି ଟ୍ରେନ୍ ଲାଇନ୍ ରେ ଟ୍ରେନ୍ ଆଡ଼କୁ ବେଶି ବେଶି ମାଡ଼ି ଚାଲିଥାଏ । ଟ୍ରେନ୍ ହର୍ଣ୍ଣର ବିକଟାଳ ଶବ୍ଦରେ କାନ ତଡ଼ା ପଡ଼ିଯାଉଥାଏ । ସେ ଅଜଣା ଲୋକଟାର ଡାକ ଆଉ ଠିକ୍ ରେ ଶୁଭୁ ନଥାଏ ।କିନ୍ତୁ ଟ୍ରେନ୍ ଆଲୁଅରେ ଦେଖିପାରୁ ଥାଏ ସେ ମୋ ଆଡ଼କୁ କ୍ଷିପ୍ର ବେଗରେ ଆସୁଥିବାର ।ତାଙ୍କ ପଛେ ପଛେ କିଛି ଲୋକ ଧାଉଁ ଥାନ୍ତି । ହଠାତ୍ ମୋତେ କିଏ ଧକ୍କା ମାରିଲା ମୁଁ ତଳେ ପଡ଼ି ଯାଇଥାଏ । କିଛି ବୁଝିବା ପୂର୍ବରୁ ଟ୍ରେନ୍ ଚାଲିଗଲା । ଲୋକମାନେ ମୋ ଚାରିପାଖରେ ରୁଣ୍ଡ ହେଇଥାନ୍ତି । ମୁଁ ସେଇ ଅଜଣା ଲୋକର ବାହୁ ତଳେ ଶକ୍ତ ଭାବରେ ଚାପି ହେଇଥାଏ । ଉଠିବାକୁ ଚେଷ୍ଟା କଲେବି ଉଠିପାରୁ ନଥାଏ । ଏଥର ସେ ଉଠିଲେ । ପ୍ଲିଜ୍ ଆପଣମାନେ ଯାଆନ୍ତୁ ତାଙ୍କ ମୁଣ୍ଡ ଟିକେ ଠିକ୍ ନାହିଁ ତ ...ଲୋକମାନଙ୍କ ଉଦ୍ଦେଶ୍ଯରେ କହିଲେ । ସବୁ ଭୁଲ୍ ମୋର । ମୁଁ ତାଙ୍କୁ ଏକା ଛାଡ଼ି ଯିବାର ନଥିଲା ।ଆମେ ଏବେ ଠିକ୍ ଅଛୁ ଆପଣମାନେ ଯାଆନ୍ତୁ । ମୁଁ ସେଇ ଭିତରେ ଜୋର ଛାଟିପିଟି ହେଉଥାଏ । ମୋତେ ଚାଡ଼ି ଦିଅ ମୁଁ ମରିବାକୁ ଚାହେଁ ..ଏମିତି କହୁଥାଏ । କିନ୍ତୁ ସେ ମୋତେ ଏତେ ଜୋରେ ଭିଡ଼ି ଧରିଥିଲେ ଯେ ମୁଁ ହଲଚଲ୍ ହେଇପାରୁ ନଥାଏ ।

               ଲୋକମାନେ ଯିଏ ଯୁଆଡ଼େ ସବୁ ଚାଲିଗଲେଣି । ମୋର ବି ଆଉ ବଳ ପାଉ ନଥାଏ । ମୁଁ ସ୍ଥିର ହେଇ ଯାଇଥାଏ । ତାଙ୍କ ବ୍ୟାଗ୍ ରୁ ପାଣି ବୋତଲ କାଢ଼ି ମୋ ଆଡ଼କୁ ବଢ଼େଇ ଦେଲେ - ନିଅ ପାଣି ଟିକେ ପିଇ ଦିଅ ।ମୁଁ ବି ବାଧ୍ୟ ଶିଶୁଟି ଭଳି ଅଧ ବୋତଲେ ପାଣି ପିଇଗଲି ।

- ଚାଲ

- କୁଆଡ଼େ ?

- ଚୁପଚାପ୍ ମୋ ସହ ଯିବ ନା ପୋଲିସ୍ ଡାକିବି ?

- ହେଲେ କୁଆଡ଼େ ? ଆପଣ କିଏ ? ମୁଁ ଚିହ୍ନିନି କି ଜାଣିନି କୁଆଡ଼େ ଯିବି ? ମୋତେ ଛାଡ଼ି ଦିଅନ୍ତୁ, ମୁଁ ମରିବାକୁ ଚାହେଁ ।

- ବାଜେ କଥା ବନ୍ଦ କର ।ତମେ ମରିବାକୁ ଚାହୁଁଚ ତ ? ଆଜି ମରିଥାନ୍ତ ନହେଲେ କାଲି ମରିବ । ମରିଗଲେ ଯଦି ସବୁ ସମସ୍ୟାର ସମାଧାନ ହେଇଯିବ ତେବେ ମୁଁ ଜମା ଅଟକେଇବିନି । କିନ୍ତୁ କାହିଁକି ମରିବାକୁ ଚାହୁଁଚ ତମକୁ କହିବାକୁ ପଡ଼ିବ । ଚାଲ ।

- କିନ୍ତୁ ...

- କିନ୍ତୁ ଫିନ୍ତୁ କିଛି ନାହିଁ । ମୃତ୍ୟୁ ଠାରୁ ମୁଁ ଭୟଙ୍କର ନୁହେଁ । ମୃତ୍ୟୁକୁ ସମସ୍ତେ ଡରନ୍ତି ତମେ ତାକୁ ଯେତେବେଳେ ନଡରି ଆପଣେଇ ନଉଥିଲ, ମୋତେ କାହିଁକି ଡରୁଚ ? ଯିବ ନା...? ବାଧ୍ୟ ହେଇ ତାଙ୍କ ସହ ଆସିଲି ତାଙ୍କ ଘରକୁ । ଘର ନୁହଁ ତ ରୁମ୍ କୁ ।ତାଙ୍କ କଥାରୁ ଲାଗୁଥିଲା ସେ ଜଣେ ଭଲ ଲୋକ । ନହେଲେ ସେ ନିଜ ଜୀବନକୁ ପାଣି ଛଡ଼େଇ ମୋତେ ମରଣ ମୁହଁରୁ ଛଡ଼େଇ ଆଣି ନଥାନ୍ତେ । ଗୋଡ଼ ହାତ ଧୁଆ ଧୋଇ ହେଲାପରେ ଗୋଟେ ଖାଦ୍ୟ ପୁଡ଼ିଆକୁ ଭାଗକରି ଦୁହେଁ ଖାଇଲୁ । ଇଛା ନଥାଏ, ତଥାପି ଖାଇବାକୁ ପଡ଼ିଲା । ନଖାଇଲେ କାଳେ ସେ ବି ଖାଇବେନି ।

- ହୁଁ, ଏବେ କୁହ କାହିଁକି ଏମିତି ଗୋଟେ ମସ୍ତବଡ଼ ଭୁଲ କାମ ଆପଣେଇ ଥିଲ ? କଥା ଦଉଚି ତମର ଟିକେ ବି କ୍ଷତି ହବନି, ବରଂ ଯଦି ସମାଧାନର ରାସ୍ତା କିଛି ଥାଏ ବତେଇ ଦେବି ।

- ମୁଁ ଜଣେ ବିଧବା ।

- ତ !

- ମାତ୍ର ୬ମାସ ହେଲା ବାହାଘର ହେଇଥିଲା । ଦୁର୍ଘଟଣାରେ ସ୍ବାମୀଙ୍କର ଦେହାନ୍ତ ହେଲା ।

- ଓଃ ! କି ଦୁଃଖ । ଭଗବାନ ଯେ କାହିଁକି ଏମିତି କରନ୍ତି ?

- ପାଦରୁ ଅଳତା ହାତରୁ ମେହେନ୍ଦିର ଦାଗ ଲିଭିନି । ବାହାଘର ସିନ୍ଦୂର ଫରୁଆରୁ ସିନ୍ଦୂର ଏଯାଏଁ ସରିନି । କିନ୍ତୁ ମଥାରୁ ସିନ୍ଦୂର ହଜିଗଲା । ସ୍ବାମୀଙ୍କୁ ଚିହ୍ନିବା ଆଗରୁ ସ୍ବାମୀ ଚାଲିଗଲେ । କେମିତି ସହିଥାନ୍ତି ? ତମେ କୁହ...ଭୋ ଭୋ କାନ୍ଦୁଥାଏ ।

- ତା ବୋଲି..? ଆତ୍ମ ତ୍ୟା କରିଦେଲେ କ'ଣ ସବୁ ସମାଧାନ ହେଇଯିବ ? ତମେ କ'ଣ କେବଳ ସେଇ ଜଣଙ୍କ ପାଇଁ ସଂସାରକୁ ଆସିଥିଲ ? ଆଉ କାହାପାଇଁ କ'ଣ ତମର କିଛି କର୍ତ୍ତବ୍ୟ ନାହିଁ ?

- ଲୋକ ନିନ୍ଦା ସହିପାରୁନି ।

- ଲୋକ ନିନ୍ଦା ?

- ହଁ । ଅମଙ୍ଗଳି, ଆସୁ ଆସୁ ସ୍ଵାମୀ ମୁଣ୍ଡ ଖାଇଲା, ମରି ଯାଉନି କାହିଁକି ? ଆଉ କାହା ମୁଣ୍ଡ ଖାଇବ ବୋଲି ବଞ୍ଚି ରହିଛିନା ? ୟା ମୁହଁ ଚାହିଁକି ଗଲେ ଯଶ ନାହିଁ । ବାର ଲୋକଙ୍କର ବାର କଥା । ଶୁଣିପାରୁନି। ତାଛଡ଼ା ବାକି ଜୀବନ ଏକା ଏକା କେମିତି କାଟିବି ? ଏତେ ଲମ୍ବା ରାସ୍ତା କେମିତି ପାରି ହେବି । ଚାରିଆଡ଼ ଅନ୍ଧାର ଦେଖାଗଲା । କିଛି ଭଲ ବାଟ ଦେଖା ଗଲା ନାହିଁ । ବଞ୍ଚିବାର ରାହା ପାଇଲିନି । କାହାରି ପାଟିରୁ ଆହା ପଦେ ଶୁଣିବାକୁ ପାଇଲିନି । ବରଂ କୁଳବୁଡେଇ, ବଅଁଶବୁଡ଼େଇର ପ୍ରଶଂସାରେ ପୋତି ପକେଇଲେ । ଏମିତି ଜୀବନ ଜୀଇଁବା ଅପେକ୍ଷା ହାରିଦେବା ଭଲ ।

- ଚୁପ୍ କର । ତମେ ଚାହିଁଥିଲେ ଆଉଥରେ ବାହା ହେଇ ପାରିଥାନ୍ତ ?

- ବିଧବାକୁ କିଏ ବାହା ହବ ? ଯୋଉ ସମାଜ ବିଧବାକୁ ଘୃଣା ଚକ୍ଷୁରେ ଦେଖେ ସେଠି ବାହା ହବାକୁ ବର କୋଉଠୁ ପାଇବ ଯେ ବାହା ହବାର ଦିବା ସ୍ବପ୍ନ ଦେଖିବ ।

- କାହିଁକି ତାକୁ ଘୃଣା କରନ୍ତି ? କ'ଣ ତାର ଅଭାବ ? ସେ କ'ଣ ମଣିଷ ନୁହେଁ ? ତାର କ'ଣ ସୁଖ ପାଇବାର ହକ୍ ନାହିଁ ? ତାର କ'ଣ ବଞ୍ଚିବାର ଅଧିକାର ନାହିଁ ?

- ସେ ପରା ସ୍ବାମୀ ଭୋଗ୍ୟା । ସେ ପରା ଅଇଁଠା ହେଇ ସାରିଛି । ତାକୁ ଆଉ କିଏ ନବ ?

- Plz stop those nonsense words । ଶହେରୁ ନବେ ଜଣ ଝିଅ ତଥା କଥିତ ପ୍ରେମିକଙ୍କ ଦ୍ବାରା ଅଇଁଠା ହେଇସାରିଥାନ୍ତି । ଏମିତିକି କୁମାରୀ ମାତୃତ୍ବ ଲାଭକରି, ଗର୍ଭ ନଷ୍ଟ କରି ମଧ୍ୟ ବାହା ହେଇପାରୁଛନ୍ତି । କାହିଁ ସମାଜ ତ ସେତେବେଳେ ସେମାନଙ୍କୁ ଘୃଣା କରୁନି କି ବାଛନ୍ଦ କରୁନି ?

- ସେମିତି ସମାଜ ତିଆରି ହେଇନି ବାବୁ ।

- ସମାଜ ତିଆରି ହେଇନଥାଏ । ସମାଜକୁ ତିଆରି କରାଯାଏ । ଭଗବାନଙ୍କ ସୃଷ୍ଟିରେ ନାରୀ ପୁରୁଷ ଉଭୟ ସମାନ । ଉଭୟଙ୍କର ସମାନ ଅଧିକାର ଅଛି ।ସମାନ ସୁଖ ସୁବିଧା ପାଇବେ । କେତେ ଜଣ ମୁଷ୍ଟିମେୟ ଅର୍ଦ୍ଧ ଶିକ୍ଷିତ ସ୍ବାର୍ଥ ନ୍ୟଷ୍ଠ ତଥାକଥିତ ପଣ୍ଡିତଙ୍କ ନିର୍ମିତ ଓ ଆଶ୍ରିତ ସମାଜରେ ଇଏ ସବୁ ଘୃଣ୍ୟପ୍ରଥା ଚାଲେ । ସେହିମାନଙ୍କ ବୋହୂ ଅକାଳରେ ମରିଗଲା ପରେ ପୁଅକୁ ଧୋଇଧାଇ ପୁଣିଥରେ ବାହା କରେଇ ଆଣନ୍ତି । ସେତେବେଳେ ତ କାହିଁ ସଂସ୍କୃତି, ପରମ୍ପରା, ପୋଥି, ପୁରାଣ, ସମାଜ କିଛି ବି ଅଶୁଦ୍ଧ ହଉନି ?

- ତମ କଥା ଠିକ୍, ଯୁକ୍ତିଯୁକ୍ତ ବି । କିନ୍ତୁ ସମାଜ ; ସମାଜ । ସମୁଦ୍ର ମଝିରେ ଘରକରି କୁମ୍ଭୀର ସହ ବାଦ କରି ହବକି ?

- ତେବେ ଠିକ୍ ଅଛି, ମୁଁ ଗୋଟେ କଥା କହିବି ରଖିବ ?

- କୁହନ୍ତୁ । ଖାଲି ଖାଲିଟାରେ ଜୀବନ ଦେଇ ଦଉଥିଲି, ଆପଣଙ୍କ ପରି ହୃଦୟବାନ ପାଇଁ ଜୀବନ ଦେବାରେ ଅସୁବିଧା କେଉଁଠି ? କୁହନ୍ତୁ କ'ଣ କରିବାକୁ ହେବ ।

- ତମର ଏ ସମାଜ କାଲି ସକାଳେ ବିଧବା ବୋଲି ଜାଣିବା ଆଗରୁ, ତମେ ଅଚିହ୍ନା ଲୋକ ସହ ରାତି ବିତେଇଛ ଶୁଣିବା ଆଗରୁ ଚାଲ ଆମେ ବାହା ହେଇଯିବା । ତମର ଯଦି କିଛି ଆପତ୍ତି ନଥାଏ ତେବେ ମୁଁ ତମକୁ ବିବାହ କରିବାକୁ ଚାହୁଁଚି । ସେଇଥି ପାଇଁ ବୋଧେ ଭଗବାନ ଆଜିଯାଏଁ ଓଥରା ରଖିଥିଲେ । କ'ଣ କହୁଚ ? ତମେ ମୋ କଥାରେ ରାଜି ?

ମୁଁ କିଛି କହିପାରୁ ନଥାଏ । ପାଟିରେ ଭାଷା ଆସୁନଥାଏ ।

ତମକୁ ଗୋଟେ ନୂଆ ଜୀବନ ଦେବି, ନୂଆ ପରିଚୟ ଦେବି, ନୂଆ ରାହା ଦେବି, ନୂଆ ବିଶ୍ବାସ ଦେବି ।

- ବାବୁ ? ଇଏ ମୋର ସେଇ ସୁମନ । ଯାହାଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି । ନୂଆ ସଂସାର ଗଢ଼ିଛି । ଏକ ନୂଆ ସମାଜ ଗଠନରେ ସୁମନ ପରି ସୁପୁରୁଷର ହାତଧରି ସହଯୋଗ କରିଛି ।

ଧେତ୍, କହିବିନି କହୁ କହୁ ସବୁ କଥା କହିଦେଲି । ଅଫିସ୍ ରୁ ସୁମନଙ୍କ ଆସିବା ସମୟ ହେଇଗଲାଣି, ଯାଏଁ କ'ଣ ଟିକେ ତାଙ୍କ ପାଇଁ କରିଦିଏଁ ....।

                            


Rate this content
Log in

Similar oriya story from Fantasy