ଲାଞ୍ଚ
ଲାଞ୍ଚ
ସବୁ ମଣିଷଙ୍କ ଜୀବନରେ କେବେ ନା କେବେ ଏମିତି କିଛି ଘଟଣା ଦୁର୍ଘଟଣା ଘଟିଯାଏ, ଯାହା ବହୁତ କଷ୍ଟ ଦେଇଥାଏ ସେହି ସମୟରେ ବି, ଆଉ ଅତୀତ ହୋଇଗଲା ପରେ ମଧ୍ୟ। ଇଚ୍ଛା କରି ମଧ୍ୟ ଭୁଲି ହୁଏ ନାହିଁ ସେସବୁକୁ।ଆଉ ଯଦି କେବେ ଏକାନ୍ତରେ ଉଖାରି ହୋଇଯାଏ, ଅଜାଗା ଘା' ଭଳି ନା ଦେଖାଇ ହୁଏ, ନା କଷ୍ଟ ପରିପ୍ରକାଶ କରି ହୁଏ, ନା ସହି ହୁଏ।
ଅଜାଣତରେ ମିଳିଥିବା କଣ୍ଟାର ଆଘାତ ଜନିତ କଷ୍ଟ ତ କ୍ଷଣିକ ମୂହୁର୍ତ୍ତ ପାଇଁ, ବାସ୍ "ଆଃ" ସହିତ ମିଳେଇ ଯାଏ, ସେ ଅନୁଭବ....କିନ୍ତୁ ସେ ଅତୀତରେ ମିଳିଥିବା କଣ୍ଟକିତ ପଥର ଆଘାତ ଆମରଣ କଷ୍ଟଦାୟକ।
ସୁତରାଂ ସତ୍ ପଥରେ ଚାଲୁଥିଲେ, କଣ୍ଟାର ଆଘାତ ଲାଗିବା ମଧ୍ୟ ସ୍ୱାଭାବିକ। ସର୍ବାଧିକ କଷଣ ନିଜ ଲୋକଙ୍କ ଠାରୁ ହିଁ ମିଳିଥାଏ। ଆଉ ସେ କଷଣର ଗଭୀରତାରେ ନିଜକୁ ସନ୍ତୁଳିବା ଅର୍ଥ ବାରମ୍ବାର ବାରମ୍ବାର ନିଜର ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା।
ସବୁବେଳେ ସମୟ ସମାନ ନ ଥାଏ। ତେଣୁ ସୁଧିଜନେ ଜାଣନ୍ତି ସତ୍ୟର ପଥ କଣ୍ଟକାଚ୍ଛାଦିତ, କିନ୍ତୁ ସ୍ୱଚ୍ଛ; ଗଙ୍ଗାଜଳ ପରି ପବିତ୍ର କରି ମଣିଷକୁ ଏ ମାୟା ମୋହ ସଂସାରରେ ଆଗକୁ ବଢ଼ିବାରେ ବାଟ କଢ଼େଇ ନିଏ। ମିଥ୍ୟାର ପଥ ରଙ୍ଗୀନ ଓ ରହସ୍ୟମୟ। ଚକ୍ରବ୍ୟୁହ ମଧ୍ୟରେ ଫାସି ଦେଇ ମଣିଷକୁ ନର୍କ ସଦୃଶ ଯନ୍ତ୍ରଣା ପ୍ରଦାନ କରେ।
ଏମିତି କିଛି ଘଟିଥିଲା କନଷ୍ଟେବଳ ହରିବାବୁଙ୍କ ଜୀବନରେ, ଯାହା ତାଙ୍କର କର୍ମମୟ ଜୀବନରେ ଓ ବ୍ୟକ୍ତିଗତ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣି ଦେଇଥିଲା। ସେ ଜଣେ ସଚ୍ଚୋଟ କର୍ମଚାରୀ ଭାବରେ ତାଙ୍କ ବିଭାଗରେ ଜଣାଶୁଣା ଥିଲେ। କେବେ କୌଣସି ବାଦବିବାଦ ମଧ୍ୟରେ ପଶିବା ଭଳି କାର୍ଯ୍ୟ କରୁ ନ ଥିଲେ କି ତାଙ୍କ ବିଭାଗରେ କିଏ ଯଦି ଏପରି କାମ କରୁଥିଲା ତାକୁ ତାଗିଦ୍ କରୁଥିଲେ। କିନ୍ତୁ କୁହନ୍ତି ନା! ସଚ୍ଚୋଟ ମଣିଷକୁ ହିଁ ସବୁବେଳେ ପରୀକ୍ଷା ଦେବାକୁ ହୁଏ। ସେଇଆ ହିଁ ହେଲା। ଲାଞ୍ଚ ନେବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାମରେ ଆସିଲା। ତାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଜାଣିଥିଲେ ସେ ନିର୍ଦ୍ଦୋଷ ବୋଲି, କିନ୍ତୁ ନୀରବଦ୍ରଷ୍ଟା ସାଜି ହରି ବାବୁଙ୍କୁ ବିଚାରବିଭାଗୀୟ କମିଟି ହାତରେ ଟେକି ଦେଲେ। କିଛି ଅସାଧୁ କର୍ମଚାରୀ ହରି ବାବୁଙ୍କୁ ଢାଲ ବନାଇ ଖସିଯିବାକୁ ସମର୍ଥ ହୋଇଗଲେ କିଛି ସମୟ ପାଇଁ। ହରି ବାବୁଙ୍କୁ ଜେଲ୍ ହୋଇଗଲା। ନିର୍ଦ୍ଦୋଷୀ ଯେତେବେଳେ ଦଣ୍ଡ ପାଏ, ସେତେବେଳେ ଭଗବାନ ମଧ୍ୟ ସହ୍ୟ କରିପାରନ୍ତି ନାହିଁ।
ହରି ବାବୁ ଶ୍ରୀଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ଥିଲେ। ଯେତେବେଳେ କଷଣ ପଡ଼ିଛି ଆଉ ପରୀକ୍ଷାର ବେଳ ଜାଣି ହରି ବାବୁ ମନ ମଧ୍ୟରେ ଦୃଢ଼ତାର ସହିତ ସେ ବିଷମ ପରିସ୍ଥିତିକୁ ସାମ୍ନା କରିଲେ। ବେଶୀ ଦିନ ପର୍ଯ୍ୟନ୍ତ ସତ ଲୁଚିକରି ରହି ପାରିଲା ନାହିଁ। ରଥଯାତ୍ରା ହେବାକୁ କିଛି ଦିନ ଥାଏ। ହରି ବାବୁଙ୍କ ସ୍ତ୍ରୀ ଦୌଡ଼ି ଗଲେ ବଡ଼ଦେଉଳକୁ। ମନର ଅଭିମାନ ଆଖିର ଲୁହ ହୋଇ ବୋହିଗଲା ଚକା ଆଖି ସହିତ ଆଖି ମିଶିବା ପରେ। ଶ୍ରୀମନ୍ଦିର ଭିତରୁ ବାହାରି ସେ ଗାଡ଼ି ମୁହାଁ ହେଉଛନ୍ତି, ଫୋନରେ ଆସିଲା ଯେ, ହରି ବାବୁଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି। ଆଉ ପ୍ରକୃତ ଦୋଷୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହରି ବାବୁଙ୍କ ସ୍ତ୍ରୀ ଦୌଡ଼ି ଗଲେ ବଡ଼ଦେଉଳକୁ ପୁଣି ଥରେ।ଫେରି ଆସୁଥିବା ପାଦ ପୁଣି ଥରେ ଟାଣି ହୋଇଗଲା ରତ୍ନବେଦୀ ପର୍ଯ୍ୟନ୍ତ। ଆନନ୍ଦାଶ୍ରୁ ଝରୁଥିଲା ଆଉ କୋଟି ଧନ୍ୟବାଦ ଅର୍ପଣ କରି ସିଏ ଫେରିଗଲେ।
ହରି ବାବୁଙ୍କୁ ଘରକୁ ଫେରି ଆସିବାର ଦେଖି, କାନ୍ଦି ପକାଇଲେ। ହରି ବାବୁ ସେହି ଦିନ ହିଁ ବୁଝାଇ ଦେଲେ, "ଦେଖିଲ ନା! ସତ୍ ପଥରେ ଚାଲୁଥିଲେ କଣ୍ଟାର ଆଘାତ ଲାଗିବା ସ୍ୱାଭାବିକ। କିନ୍ତୁ ଅସତ୍ ପଥର ଯାତ୍ରୀ ନିଜର ଅସାଧୁ କର୍ମ ଘେନି ଯେଉଁ ଫଳ ଭୋଗ କରିଥାଏ, ତାକୁ ତା'ର ଅନ୍ତରାତ୍ମା ସହିତେ ଧିକ୍କାର କରେ। ବିବେକ ହରାଇ କେତେ ଦିନ ମଣିଷ ତା'ର ମୁଖା ପିନ୍ଧା ଅଭିନୟ ଜାରି ରଖି ପାରିବ? ସତ୍ୟର ଜୟ ହେଉଥିଲା, ହେଉଛି, ଆଉ ହେଉ ଥିବ ମଧ୍ୟ। ମୋ ମନରେ କୌଣସି ଗ୍ଳାନି ନାହିଁ, ବରଂ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଗଲି ଓ କିଛି ଲୋକଙ୍କୁ ମୋର ଆଦର୍ଶରେ ଅନୁପ୍ରାଣିତ କରି ପାରିବି ଯଦି ମୋର ଜୀବନର ସାର୍ଥକ ହୋଇଯିବ।" ଏତିକି କହି ହରି ବାବୁ ବୈଠକଖାନାରେ ଝୁଲା ହୋଇଥବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋଚିତ୍ରକୁ ଅନାଇ ଧନ୍ୟବାଦ ଅର୍ପଣ କରୁଥିଲେ ନତଃମସ୍ତକ ହୋଇ।