Trushna Das

Horror Tragedy Thriller

4.7  

Trushna Das

Horror Tragedy Thriller

ମାୟାଜାଲ ( ଭାଗ: 4 )

ମାୟାଜାଲ ( ଭାଗ: 4 )

5 mins
659


ଭାଗ : 4 ( ଭଗବାନଙ୍କ ଉପରରୁ ଉଠିଲା ବିଶ୍ୱାସ ) 


କାହାଣୀଟି ବୁଝିବା ପାଇଁ ଦୟା କରି ମାୟାଜାଲ ର ପୂର୍ବ ଭାଗଗୁଡିକୁ ପଢନ୍ତୁ।ଆଗରୁ ଆମେ ପଢି ଥିଲୁ ଯେ ପେଟ୍ରୋଲ ପମ୍ପରେ ଧାନୀ ସେ ପ୍ରେତାତ୍ମାକୁ ଦେଖି ଅଚେତ ହୋଇଗଲେ। ଚେତା ଆସିବା ପରେ ସେ ଇନ୍ସପେକ୍ଟରଙ୍କୁ କହିଲେ ପ୍ରେତାତ୍ମା କହିଛି କାଲି ସେ ମଳୟକୁ ନିଜ ସାଙ୍ଗରେ ନେଇ ଯିବ ଓ ନିଜର ପ୍ରତିଶୋଧ ପୂରଣ କରିବ। ତାପରେ:


ଇନ୍ସପେକ୍ଟର : ମୁଁ କିଛି ବୁଝି ପାରୁ ନାହିଁ ।ସତରେ କଣ ଏ ଭୂତ ପ୍ରେତ ଦୁନିଆରେ ଅଛନ୍ତି। ସେ ଯାହା ବି ହେଉ ମୁଁ ଆପଣଙ୍କୁ କଥା ଦେଉଛି ଯେ କାଲି ଆପଣଙ୍କ ମଳୟଙ୍କ ସହ ସେପରି କିଛି ହେବ ନାହିଁ। ଆମେ ମିଶି କରି ତାଙ୍କୁ ବଞ୍ଚାଇବା। 


ଗାଡ଼ି ଏବେ ରତନପୁର ଅଭିମୁଖେ ଗଡି ଚାଲିଛି। ହେଲେ ବର୍ଷା ଅଟକିବାର ନାମ ନାହିଁ। ଯେମିତି ପ୍ରକୃତି ଆଜି ଦାଉ ସାଜିଛି। 


ଇନ୍ସପେକ୍ଟର : ମ୍ୟାମ କୁହନ୍ତୁ କଣ ହେଲା ତାପରେ? 


ଧାନୀ : ଆମେ ଘର ପହଞ୍ଚୁ ପହଞ୍ଚୁ ଦ୍ୱିପହର ହୋଇ ଯାଇଥାଏ। ବାହାଘରର ରୀତି ନୀତି ସାରି ବସି ଥାଉ। ହଠାତ ଘର ବାହାରେ ସଜା ହୋଇ ଥିବା ଟ୍ୟାଣ୍ଟରେ ନିଆ ଲାଗିଲା। ଭାଗ୍ୟକୁ ଜୋରରେ ଲାଗିବା ଆଗରୁ ପଡିଶା ଲୋକ ଡାକି କହିଲେ ଏବଂ ସମୟରେ ଦମକଳ ବାହିନୀ ଆସି ନିଆଁ ଲିଭାଇ ଦେଲେ। ମନରେ ଅନେକ ଭୟ। 


ବାହାଘର ପର ଠାରୁ ମୁଁ ଦେଖୁ ଥାଏ ଯେ ନେନା ମୁହଁ ଶୁଖାଇ ବୁଲୁ ଥାଆନ୍ତି। ଯେତେବେଳେ ଡାକି କଥା ହେବି କହିଲେ ବି ସେ କିଛି ନା କିଛି ବାହାନାରେ ମୋ ସହ କଥା ନ ହୋଇ ପଳାନ୍ତି। ମୁଁ ଭାବୁ ଥିଲି ବୋଧେ ଏବେ ବି ସେ ମଳୟଙ୍କୁ ଭଲ ପାଉଛନ୍ତି। କିନ୍ତୁ ସେ ମଳୟଙ୍କ ସହ କଥା ହେଉ ଥାଆନ୍ତି। ମଳୟ ବି ନେନା ସହ ବହୁତ ଖୁସି ହେଉ ଥାଆନ୍ତି। ଜାଣେ ନାହିଁ କଣ ପାଇଁ କେଜାଣି ନେନା ଆଉ ମଳୟଙ୍କୁ ମୁଁ ଏକାଠି ଦେଖି ସହି ପାରେ ନାହିଁ। 


ଚଉଠି ପୂଜାରେ ହୁମ ନିଆଁ ବହୁତ କଷ୍ଟରେ ଜଳିଲା। ତାପରେ ଆମର ବାସର ରାତିରେ ମାଆ ( ଶାଶୁ ) ଆମକୁ ଆମ ରୁମରୁ ବାହାରିବା ପାଇଁ ମନା କରିଥିଲେ। ସେ କହିଥିଲେ ଯେ ଯାହା ବି ହୋଇ ଯାଉ ଆମେ ଆମ ରୁମରୁ ବାହାରିବା ନାହିଁ କି ଦୀପ ଲିଭିବାକୁ ଦେବା ନାହିଁ। 


ହଠାତ କିଛି ସମୟ ପରେ ଗୋଟିଏ କୁକୁରର ଗର୍ଞ୍ଜନ ଓ ତାପରେ ନେନାର ଚିତ୍କାର ବଞ୍ଚାଅ ବଞ୍ଚାଅ ଶୁଣି ଆମେ ଆଉ ରୁମରେ ନ ରହି ବାହାରି ଆସି ଦେଖିଲୁ ନେନା ଟିକିଏ ଖଣ୍ଡିଆ ଖାବରା ହୋଇଛନ୍ତି। ଆଉ ସେ କୁକୁରଟିର ମୃତ୍ୟୁ ଶରୀର ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡିଛି। ନେନା ହାତରେ ଗୋଟିଏ ବାଡି ଅଛି। ନେନା କହିଲେ ସେ କୁକୁରଟି ପାଗଳ ପରି ତାଙ୍କୁ ଆକ୍ରମଣ କରିବାରୁ ନିଜକୁ ବଞ୍ଚାଇବା ପାଇଁ ଯାଇ ସେ କୁକୁରଟିକୁ ବାଡିରେ ପାହାରେ ମାରିଲେ। ହେଲେ କୁକୁରଟି ମରି ଗଲା। 


ଏ ତ ବଡ ଅଶୁଭ ସଙ୍କେତ। ମାଆ ଆମକୁ ବାହାରେ ଦେଖି ପାଟି କଲେ ଆଉ ଆମ ରୁମକୁ ଯିବା ପାଇଁ କହିଲେ। ରୁମକୁ ଗଲା ବେଳକୁ ଯାହା ହୋଇଥିଲା ଦେଖି ମୋ ଅବସ୍ଥା ଖରାପ ହୋଇଗଲା। ମୁଁ ଜୋରରେ ଚଳାଇବାକୁ ଲାଗିଲି। କାରଣ ଆମ ରୁମରେ ଜଳୁ ଥିବା ଦୀପ ଟି ଲିଭି ଯାଇଛି। ଦୀପଟିରେ ଘିଅ ବଦଳରେ ରକ୍ତ ଅଛି। ଆଉ ଆମ ଫୁଲ ସଜା ବିଛଣାରେ ରକ୍ତର ଛିଟା ସହ ଗୋଟିଏ ବିଲେଇର ପଚାଶଢା ଶରୀର। ମୁଁ ଏହା ଦେଖି ଅଚେତ ହୋଇ ଗଲି। 


ଚେତା ଆସିଲା ବେଳକୁ ଦେଖିଲି ସକାଳ ହେଲାଣି।ମୁଁ ମାଆଙ୍କ ରୁମରେ ଶୋଇଛି। ରାମୁ ବାବାଙ୍କ କଥା ଶୁଣା ଯାଉଛି।ବାହାରକୁ ଯାଇ ଦେଖିଲି ରାମୁ ବାବା ଆମ ରୁମକୁ ମନ୍ତ୍ର ପାଣି ଛିଞ୍ଚି ପବିତ୍ର କରୁଛନ୍ତି। ସେ ମାଆକୁ କହିଲେ ଯେ ସେ ପ୍ରେତ କୁକୁରକୁ ନିଜର ଶୀକାର କରି ନିଜ ଶକ୍ତିକୁ ବଢାଇଛି। ରାମୁ ବାବା ଆଉ ଗୋଟିଏ ତାବିଜ ଆଣି ମଳୟଙ୍କୁ ଦେଲେ ଓ ଗାଧୋଇ ସାରି ତାକୁ ପିନ୍ଧିବା ପାଇଁ କହିଲେ। 


ରାମୁ ବାବା କହିଲେ ସେ ସେଇ ଦିନ ସନ୍ଧ୍ୟାରେ ଘରକୁ ବନ୍ଧନ କରିବେ। ସନ୍ଧ୍ୟାକୁ ଆସିବେ କହି ରାମୁ ବାବା ପଳାଇଲେ। 


ତାପରେ ନେନା ଆସିଲେ। ହାତ ଗୋଡ଼ରେ ବ୍ୟାଣ୍ଡେଜ ହୋଇଛି। ସେ ମଳୟଙ୍କୁ କହିଲେ କାଲିର ଘଟଣା ପରେ ତାଙ୍କୁ ଆଉ ଭୟ ଲାଗୁ ନାହିଁ। ତେଣୁ ସେ ଆମ ଘରେ ରହିବେ ନାହିଁ । ସେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ପଳାଇବେ କହି ସେ ବି ପଳାଇଲେ। 


ସନ୍ଧ୍ୟାରେ ରାମୁ ବାବା ପୂଜା କରି ଘରକୁ ବନ୍ଧନ କରି କହିଲେ ଯେ ଗେଟ୍ ପାଖରେ ପୋତା ହୋଇ ଥିବା ଲୁହା ଛଡକୁ ଯେମିତି ସେଠାରୁ ନ ଉଠେ। 


ଏହା ପରେ ଆମ ଘରେ ଭଲ ଖୁସି ଶାନ୍ତିରେ କଟିଲା।ଆଉ ସେ ପ୍ରେତାତ୍ମାର ଛାୟା ନ ଥାଏ। ଏମିତି ପାଖାପାଖି ଛଅ ସାତ ମାସ ଗଲା ପରେ ମୁଁ ଆଉ ମଳୟ ଛୁଆ ପାଇଁ ଚାହିଁଲୁ। ଡାକ୍ତର ପାଖକୁ ଯାଇ ଦେଖାଇଲୁ ଏବଂ ଡାକ୍ତର କହିବା ଅନୁଯାୟୀ ସବୁ କଲୁ। ହେଲେ ତାପରେ ବି ଚାରି ମାସ ବିତିଗଲାଣି ଛୁଆ ରହୁ ନ ଥାଏ। ମନରେ ଡର ବି ଥାଏ। ବାହାଘର ବର୍ଷେ ହୋଇଗଲାଣି। କଣ ପାଇଁ ଛୁଆ ରହୁ ନାହିଁ। 


ଚିକିତ୍ସାର ପାଞ୍ଚ ମାସ ପରେ ଆମେ ଖୁସି ଖବର ପାଇଲୁ। ମନରେ କେତେ ସପନ।ମାଆ ଡାକ ଶୁଣିବା ପାଇଁ ହେଲେ..... କହି ଧାନୀ କାନ୍ଦିବା ପାଇଁ ଲାଗିଲେ।


ଇନ୍ସପେକ୍ଟର : କଣ ହେଲା ତା ପରେ? ଆପଣ ଏମିତି କାନ୍ଦନ୍ତୁ ନାହିଁ। 


ଧାନୀ : ମୋ ଛୁଆ ଚାରି ମାସରେ ମୋ ଗର୍ଭରେ ନଷ୍ଟ ହୋଇଗଲା। ସେ ପ୍ରେତାତ୍ମା ତାକୁ ଖାଇ ଦେଲା। 


ଇନ୍ସପେକ୍ଟର : କେମତି? ଆପଣଙ୍କ ପାଖରେ ଅଭିମନ୍ତ୍ରିତ ମଙ୍ଗଳସୁତ୍ର ଥିଲା, ମଳୟଙ୍କ ପାଖରେ କବଚ ଥିଲା ଆଉ ଘରକୁ ବନ୍ଧନ କରା ହୋଇଥିଲା ଯେ। 


ଧାନୀ : ହଁ ସବୁ ହୋଇଥିଲା। ହେଲେ ସମୟ ମୋର ଖରାପ ଥିଲା। ଯେଉଁ ଦିନ ମୋ ସହ ଏମିତି ହେଲା ତା ଆଗ ଦିନ ହଠାତ୍ ଗୋଟିଏ ଗାଡି ଆସି ଆମ ଗେଟ୍ କୁ କୁଟିଲା। ଆଉ ସେଥିରେ ସେ ଲୁହାଛଡ ଗଲି ପଡିଲା। ଘର ଆଉ ବନ୍ଧନରେ ନ ଥିଲା। ତାପରେ ଆଉ ଘର ବନ୍ଧନ ରେ ନ ଥିଲା।


ଇନ୍ସପେକ୍ଟର : ଆଉ ଆପଣଙ୍କ ମଙ୍ଗଳସୁତ୍ର ? 


ଧାନୀ : ହଠାତ୍ ସେ ମଙ୍ଗଳସୁତ୍ର ଶାଢୀ ପିନ୍ଧୁ ପିନ୍ଧୁ ଛାଡିଗଲା। ଏ କଥା ମାଆଙ୍କୁ କହିବା ପାଇଁ ଯାଉ ଥାଏ। ସେ ପ୍ରେତାତ୍ମା ଆସି ମୋ ସମ୍ମୁଖୀନରେ ଛିଡା ହୋଇ ଗଲା। ସେ ମୋ ପେଟରେ ହାତ ମାରି ବିକଟାଳ ଭାବରେ ହସିଲା। ମୋ ପେଟରେ ପ୍ରବଳ ଯନ୍ତ୍ରଣା ହେଲା। ମୁଁ ତା ପାଖରେ ବିକଳ ହୋଇ ତାକୁ କହିଲି ମୋତେ ଛାଡି ଦେବା ପାଇଁ। ହେଲେ ସେ ମୋ ପେଟକୁ ଧରି ଜାକି ମଡି ଦେଉ ଥାଏ। ମୋ ପେଟ ତଳ ପଟୁ ରକ୍ତ ବହିବାରେ ଲାଗଲା। ମୁଁ ତଳେ ପଡି ଛଟପଟ ହେଉଥାଏ। ଆଉ ସେ ଆସି ମୋ ପେଟକୁ କାମୁଡ଼ିବାରେ ଲାଗିଲା। 


ସେହି ସମୟରେ ମାଆ ଆସି ଦେଖିଲେ ଯେ ମୁଁ ତଳେ ଏମିତି ଅବସ୍ଥାରେ ଛଟପଟ ହେଉଛି। ହେଲେ ସେ ପ୍ରେତାତ୍ମାକୁ ଦେଖି ପାରିଲେ ନାହିଁ। ସେ ମୋତେ ଡାକ୍ତରଖାନା ନେଇ ଗଲେ। ମୋର ଚେତା ଚାଲି ଯାଇ ଥାଏ। ଉଠିଲା ବେଳକୁ ମୁଁ ଡାକ୍ତରଖାନାରେ ଶୋଇଛି। ଆଉ ମୋ ଗର୍ଭପାତ ହୋଇ ସାରିଛି। 


ସେଇଦିନ ଠାରୁ ମୁଁ ଆଉ ପୂଜାପଟଳ ଛାଡି ଦେଲି। ଭଗବାନଙ୍କ ପ୍ରତି ଆଉ ମୋର ବିଶ୍ୱାସ ରହିଲା ନାହିଁ। ତା ପର ଠାରୁ ମଳୟ ଆଉ ମୋ ସମ୍ପର୍କରେ ଫାଟ ପଡିଲା। ମଳୟ ମୋ ଅବସ୍ଥାରେ ମୋ ସାଙ୍ଗ ଦେବା ବଦଳରେ ମୋ ଉପରେ ଚିଡଚିଡ ହେଲେ। 


ତାପର ଠାରୁ ମଳୟ ହାତରେ ମୁଁ ସେ କବଚ ବି ଆଉ ଦେଖିବା ପାଇଁ ପାଇଲି ନାହିଁ କି ତାଙ୍କୁ ପଚାରିଲି ବି ନାହିଁ କୁଆଡ଼େ ଗଲା ବୋଲି। 


ଏମିତି ସମୟ ଥିଲା ସେତେବେଳକୁ ଯେ ରାମୁ ବାବା ତପସ୍ୟା ପାଇଁ ବାହାରକୁ ଯାଇ ଥିଲେ। 


ମାଆ ମୋତେ ବହୁତ ବୁଝାଇଲେ ପୂଜା ପଟଳ କରିବା ପାଇଁ। କିନ୍ତୁ ମୁଁ ଭଗବାନଙ୍କ ଉପରେ ଅଭିମାନ ମାରି ଆଉ ପୂଜା କରିଲି ନାହିଁ। ଗୋଟିଏ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁ ଥାଏ ଯେ ସେଦିନ ସେ ପ୍ରେତାତ୍ମା ମୋତେ କଣ ପାଇଁ ନ ମାରି ଛାଡି ଦେଲା। 


କିଛି ମାସ ପରେ ରାମୁ ବାବା ଫେରି ଆସିଲେ। ସେ ମାଆଙ୍କ ଠାରୁ ସବୁ ଶୁଣି କହିଲେ ଏ ସବୁ ପ୍ରେତତ୍ମାର ମୟାଜାଲ। ସେ ମଳୟ ଓ ମୋତେ ଅଲଗା କରିବା ପାଇଁ ଚାହୁଁଛି। ଭଗବାନଙ୍କ ଉପରୁ ମୋ ବିଶ୍ୱାସ ଉଠାଇ ମୁଁ ଜୀବନର ସବୁଠାରୁ ବଡ଼ ଭୂଲ କରୁଛି ବୋଲି ରାମୁ ବାବା କହିଲେ। ସେ କହିଲେ ଯାହା ହେଉଛି ମୋ କପାଳ ଲିଖନ। ଏବେ ଯାହା କରିବେ ଭଗବାନ କରିବେ କହି ସେ ପଳାଇଲେ ।


ହେଲେ ମୁଁ ଅଭିମାନ ମାରି କହିଲି ଭଗବାନ ଯଦି ମୋ ଛୁଆକୁ ବଞ୍ଚାଇଲେ ନାହିଁ ତ ମୋତେ ବି ମାରି ଦିଅନ୍ତୁ। ମୁଁ କିନ୍ତୁ ଆଉ ସେ ପୂଜା କରିବି ନାହିଁ। 


ରାମୁ ବାବା କିଛି ଦିନ ପରେ ପୁଣି ଅଭିମନ୍ତ୍ରିତ ମଙ୍ଗଳସୁତ୍ର ଓ କବଚ ଆଣି ଦେଲେ ଯେ ମଙ୍ଗଳପୁର କୁଳଦେବୀଙ୍କ ମନ୍ଦିର ଯାଇ ପିନ୍ଧିବା ପାଇଁ। ମୁଁ ରାଜି ହେଉ ନ ଥାଏ ଆଉ ମନ୍ଦିର ଯିବା ପାଇଁ। 


ଆଜି: 


ଇନ୍ସପେକ୍ଟରଙ୍କ ମୋବାଇଲ ବାଜି ଉଠିଲା। 


କ୍ରମଶଃ..... 


କଣ ଧାନୀ ମଙ୍ଗଳପୁର ମନ୍ଦିର ଯିବା ପାଇଁ ରାଜି ହେବେ? କଣ ଧାନୀ ପୁଣି ଭଗବାନଙ୍କ ଉପରେ ବିଶ୍ୱାସ ରଖିବେ ? ଧାନୀ କେମିତି ସେ ନଦୀ କୂଳରେ ରକ୍ତାକ୍ତ ଅବସ୍ଥାରେ ପହଞ୍ଚିଲେ ? କଣ ଧାନୀ ମଳୟଙ୍କୁ ପୋଲିସର ସାହାଯ୍ୟ ନେଇ ବଞ୍ଚାଇ ପାରିବେ ନା ଭଗବାନଙ୍କ ପାଖକୁ ଯିବେ ନା ପ୍ରେତାତ୍ମାର ବିଜୟ ହେବ ଜାଣିବା ପାଇଁ ମାୟାଜାଲର ପରବର୍ତ୍ତୀ ଭାଗଗୁଡିକୁ ପଢନ୍ତୁ। 




Rate this content
Log in

Similar oriya story from Horror