Banabihari Mishra

Tragedy Crime

4.2  

Banabihari Mishra

Tragedy Crime

ମଲା ପରର ଜୀବନ

ମଲା ପରର ଜୀବନ

6 mins
650


ଦୁଇ ଦିନ ହେଲାଣି। ଡାକ୍ତରଖାନା ଆଗ ବାରଣ୍ଡାରେ ବୁଢୀ ବସିଛି ଯେ ଉଠିବାର ନାଁ ଧରୁନି। ଯିଏ ଯେତେ କହିଲେ ବି ବୁଢୀ ସେଠୁ ହଲୁନି। ସେଇମିତି ଖୁଣ୍ଟକୁ ଆଉଜି ବସି ରହି କେତେ କ'ଣ ବକର ବକର ହୋଉଛି। ଝାଡୁ କରିବା ପାଇଁ ସଫେଇ କର୍ମଚାରୀ ଜଣକ ବଡ କଠୋର ହେଇ ତାକୁ କେତେ କହିଲାଣି। ତଥାପି ବୁଢୀ ଉଠୁନି। ଖାଲି ତା ମୁହଁକୁ ବଲବଲ କରି ଚାହୁଁଚି। ତା ଧମକ ଶୁଣି ଅଳ୍ପ କିଛି ସମୟ ଚୁପ୍ ହେଇଯିବା ପରେ ପୁଣି ବକର ବକର ଆରମ୍ଭ କରିଦୋଉଚି। ସଫେଇ କର୍ମଚାରୀ ବିଚରା ବୁଢୀ ଅକ୍ତିଆର କରି ବସିଥିବା ଯାଗା ଛାଡିଦେଇ ଝାଡୁ ମାରି ଚାଲିଯାଏ। ଦୁଇ ଦିନ ହେଲା ଏଇମିତି ଚାଲିଛି। 


ବୁଢୀ କହିବା କଥା ଦି'ଦିନ ତଳେ ତା' ପୁଅ ଭଗିଆ ଗୋଟେ ଅଜଣା ଗାଡି ସହ ଦୁର୍ଘଟଣାରେ ମରିଗଲା। ଛଅ ଛଅଟା ଜୀବନଦୀପ ସେଇ ବିରାଟ ଦାନବର ଚକାତଳେ ଚାପି ହୋଇ ଚାଲିଗଲା। ଘଟଣା ସ୍ଥଳରୁ ପୋଲିସ ସମସ୍ତଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଏଇ ଡାକ୍ତରଖାନାକୁ ଆଣିଛି। ବ୍ୟବଚ୍ଛେଦ ମଧ୍ୟ ସରିଗଲାଣି। ଖାଲି ପୋଲିସ ଶବକୁ ନେଇ ମୃତକର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା କଥା। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଆସିନି କି ଶବଟାକୁ ବୁଢୀକୁ ଦିଆ ହୋଇନାହିଁ। ଡାକ୍ତରଖାନାର ଅଧିକାରୀ ମଧ୍ୟ ନାଚାର। ପୋଲିସ ଆଣିଥିବା ଶବଟାକୁ ସେମାନେ ପୋଲିସର ବିନା ଅନୁମତିରେ କାହାକୁ ଦେଇ ପାରିବେ ନାହିଁ। ବୁଢୀ ବି ନଛୋଡବନ୍ଧା। ତା ପୁଅର ମୁର୍ଦ୍ଦାରଟାକୁ ସିଏ ନେଇକି ଯିବ। କାକୁଡି ନଟା ଛିଡୁନି କି ହଡା ଛାଡୁନି। ମୁର୍ଦ୍ଦାର ନନେଲେ ତା ପୁଅର କ୍ରିୟାକର୍ମ ହବ କେମିତି? ତା ପୁଅର ଆତ୍ମା ମୁକ୍ତି ପାଇବ କେମିତି?


ଡାକ୍ତର ବାବୁ ଥାନାକୁ ଫୋନ କଲେ। ଜଣେଇଦେଲେ ଯେ ବୁଢୀ ଏ ପର୍ଯ୍ୟନ୍ତ ଏଠି ଡାକ୍ତରଖାନା ବାରଣ୍ଡାରେ ଅଖିଆ ଅପିଆ ବସିଛି। ଶବଟା ବି ଡିକମ୍ପୋଜ୍ ହେବା ଆରମ୍ଭ କଲାଣି। ଶୀଘ୍ର ଆସି ଶବଟା ବୁଢୀକୁ ହସ୍ତାନ୍ତର କରିବା ବନ୍ଦୋବସ୍ତ କରନ୍ତୁ। ତା'ଛଡା ନଖାଇ ନପିଇ ବୁଢୀର ଯଦି ଡାକ୍ତରଖାନା ହତା ଭିତରେ କିଛି ହେଇଯାଏ ତେବେ କଥା ବଡ ଅସମ୍ଭାଳ ହେଇଯିବ। 


ସକାଳୁ ପୋଲିସ ଥାନାକୁ ଖବର ଦିଆଗଲା ଯେ ଦିନ ଦି'ପହର ବେଳକୁ ଜଣେ କନେଷ୍ଟବଳ ଆସିଲା। ମୁର୍ଦ୍ଦାରଟାକୁ କାଗଜପତ୍ରରେ ବୁଢୀକୁ ହସ୍ତାନ୍ତର କରିଦିଆଗଲା। ଏବେ ଆଉ ଗୋଟେ ସମସ୍ୟା। ମୁର୍ଦ୍ଦାରଖାନା ଭିତରୁ ବାହାର କରିବା ପାଇଁ ପଇସା ଦେବାକୁ ପଡିବ, ପାଁଶହ ଟଙ୍କା। ଅଣ୍ଟି ଖୋସଣିରୁ ଲୋଚାକୋଚା ହେଇ ରହିଥିବା ଟଙ୍କା କେତେଟା ବୁଢୀ ବାହାର କଲା। ମୋଟ ଦୁଇଶହ ଆଉ ଖୁଚୁରା କିଛି। ସେତିକି ବୁଢୀର ସମ୍ବଳ। ସେତକ ଝାଡିଝୁଡି ଦେଇ ହାତଗୋଡ ଧରି ନେହୁରା ହେଇ ଶବଟାକୁ ଆଣିଲା।


ଧଳା ଚଦରରେ ଗୁଡେ଼ଇ ହେଇଥିବା ଶବଟାକୁ ବୁଢୀ ଦେଖିବାକୁ ସାହସ କରି ପାରୁନଥିଲା। ଏକେତ ମୁହଁଟା ବିକୃତ ହେଇ ଯାଇଥାଏ, ତା'ଉପରେ ସମୟର ଅଭାବ। ଶବ ସତ୍କାର ପାଇଁ ଶୀଘ୍ର ଗାଁରେ ପହଞ୍ଚିବା ଆବଶ୍ୟକ। ସଢି ଆସୁଥିବା ଶବଟାକୁ ଧରି ରିକ୍ସାରେ ଗାଁରେ ପହଞ୍ଚିବା ବେଳକୁ ସଞ୍ଜ ହେଲାଣି। ଏଠି ବି ଆଉ ଗୋଟେ ସମସ୍ୟା। ଶବ ସତ୍କାର ଆଉ ସାଇଭାଇଙ୍କି ଭୋଜି ଦେବାକୁ ପଡିବ। କ୍ଷମତା ଥାଉ କି ନଥାଉ, ଏଇଟା ସମାଜର କାନୁନ। ନହେଲେ କୁଆଡେ ପୁଅର ଆତ୍ମାର ମୋକ୍ଷ ହବନି। ପ୍ରେତ ଯୋନିରେ ଘୁରି ବୁଲିବ ବୋଲି ନନା କହୁଛନ୍ତି। ଅନ୍ତଫାଡି ଜନ୍ମ ଦେଇଛି, ସିଏ ମାଆ। ପୁଅର ମଲାପରେ ହେଲେ ବି ତା'ର ଏଭଳି ଦୁର୍ଗତି ଜାଣିଶୁଣି କରିବ କେମିତି? ଅଗତ୍ୟା ଘରେ ଯାହାକିଛି ବାସନକୁସନ ଥିଲା, ବନ୍ଧା ପକେଇ ବ୍ରାହ୍ମଣ ଭୋଜନ ଦେଇ ପୁଅର ଶୁଦ୍ଧିକ୍ରିୟା ସାରିଲା।


ଭେଣ୍ଡିଆ ପୁଅ ମରିବାର ଦୁଃଖରୁ ପେଟର ଜ୍ବାଳା ସହିବା ଆହୁରି କଷ୍ଟକର। ଭଗିଆମା ବୁଢୀ ତା'ର ନିତ୍ୟନୈମିତ୍ତିକ ଜୀବନଧାରାକୁ ଧୀରେ ଧୀରେ ଫେରୁଥାଏ। ବାଡିରେ ଶାଗ, ଭେଣ୍ଡି, ବାଇଗଣ ଆଉ କେତେ ପ୍ରକାରର ପରିବା ଲଗେଇ ତାକୁ ବାଟ କଡରେ ବସି ବିକେ। ସେଇଥିରେ ଯାହା ଯେମିତି ଚଳିଯାଏ। ଗଲାଦିନର ଦୁଃଖଗୁଡା ଜାବୁଡି ଧରି ବସିଲେ ଗରିବ ଲୋକଙ୍କ ପେଟକୁ ଦାନା ଯିବା ସମ୍ଭବ ହୁଏନି। ଭଗିଆର ସ୍ମୃତିକୁ ଦୁର୍ବଳ ଛାତି ପଞ୍ଜରା ତଳେ ଚାପି ବୁଢୀ ତା ପେଟପାଟଣା ଚିନ୍ତାରେ ବର୍ଷେ ଉପରେ ସମୟ କାଟିଦେଇଛି। ଏମିତି କୌଣସି ଗୋଟିଏ ମୂହୁର୍ତ୍ତ ଯାଇନି ଯେତେବେଳେ ସିଏ ଭଗିଆକୁ ବିସ୍ମରଣ କରିଛି। ଯୁଆନ ପୁଅର ଏମିତି ମରଣ ବୁଢୀମାଆକୁ ମାନସିକ ସ୍ତରରେ କିଛିମାତ୍ରାରେ ଅସନ୍ତୁଳିତ କରିବା ପ୍ରାୟତଃ ସର୍ବତ୍ର ଦେଖାଯାଏ। ବୁଢୀର ମଧ୍ୟ ସେଇ ଅବସ୍ଥା। ସଞ୍ଜବେଳୁ ଉଚ୍ଚ ବାରଣ୍ଡାରେ ବସି ଗୁଡାଏ ଅସଙ୍ଗତ ଆବୁରୁ ଜାବୁରୁ କଥା ନିଜକୁ ନିଜେ ହୁଏ। ଗାଁରେ ସମସ୍ତେ ବୁଢୀର ଏପରି ଅବସ୍ଥା ସହ ଖାପ ଖୁଏଇ ନେଲେଣି। କିଏ କିଏ କୁହନ୍ତି, ବୁଢୀଟା ପେଖନା କରୁଛି। ପିଲାଏ ବୁଢୀକୁ ମଉକା ପାଇଲେ ଚିଡାନ୍ତି, 'ଭଗିଆ ମଲା, ତା ଉପରେ ମଟର ଗଲା, ପୋଲିସ ନେଲେ ବୋହି, କାନ୍ଦେନାଲୋ ଭଗିଆ ମାଆ, ଭଗିଆ ଆଉ ନାହିଁ'। ବୁଢୀ କିନ୍ତୁ ନିର୍ବିକାର। ଏ ସବୁଥିରେ ତା'ର କିଛି ଲେନଦେଣ ନଥାଏ। 


ହଠାତ୍ ଦିନେ ଗାଁ ମୁଣ୍ଡରେ ଭଗିଆକୁ ଲୋକେ ଦେଖିଲେ। ଛିଣ୍ଡା କୋତରା ପ୍ୟାଣ୍ଟ ଖଣ୍ଡେ ପିନ୍ଧିଥିଲା ଯାହା ଖାଲି ଲଜ୍ଜା ନିବାରଣ କରୁଥିଲା। ଅଯତ୍ନ ବର୍ଦ୍ଧିତ କେଶ, ମୁହଁଯାକ ଅଲରା ନିଶଦାଢୀରେ ଢାଙ୍କି ହେଇ ଯାଇଛି। ଗାଁ ପିଲାଏ 'ବାଇଆ, ବାଇଆ' କହି ଚିଡୋଉଛନ୍ତି। ପିଲାଙ୍କର ଏପରି ଆଚରଣକୁ ଭ୍ରୁକ୍ଷେପ ନକରି ଭଗିଆ ଆଗକୁ ମାଡି ଚାଲିଥାଏ। ସେତେବେଳକୁ ଭଗିଆମା କାନରେ ଖବର ପଡି ସାରିଥିଲା। ନସରପସର ହେଇ ବୁଢୀ ଧାଇଁଛି, ଲୁଗାପଟା ଅସମ୍ଭାଳ। ପଡିଉଠି ବୁଢୀ ଭଗିଆ ପାଖରେ ପହଞ୍ଚିଗଲା। ଅସନା କୋତରା ହେଇ ଆସିଥିବା ଭଗିଆକୁ ବହେ ଆଉଁସି ପକେଇ ତାକୁ ଧରି ଘରକୁ ଆସିଲା। 


ଏବେ ଭଗିଆ ଟିକେ ସୁସ୍ଥ ହେଲାଣି। ଖିଅରବାଆର ହେଇ ପ୍ୟାଣ୍ଟ ସାର୍ଟ ପିନ୍ଧି ସେଇ ପୁରୁଣା ଭଗିଆ ହେଇଯାଇଛି। ତା କହିବା କଥା ଯେ ସେଦିନ କାମ କରିବା ପାଇଁ ଗଲାବେଳେ ଯେଉଁ ଦୁର୍ଘଟଣା ଘଟିଥିଲା ସେଥିରେ ଭଗିଆ ରାସ୍ତାରୁ ଛିଟିକିଯାଇ ନାଳରେ ପାଣିରେ ପଡିଲା। ଲୋକ ଜମା ହେଲାବେଳକୁ ବୋଧହୁଏ ସିଏ ବେଶ୍ କିଛି ଦୂର ଭାସିଯାଇ କୂଳରେ ଲାଗିଛି। ଅନେକ ସମୟ ପରେ ତା'ର ଚେତା ଆସିଲା ବେଳକୁ ତା'ର କିଛି ମନେ ନଥିଲା। ବିକୃତ ହେଇଯାଇଥିବା ଶବ ଭିତରୁ ଏକାଭଳି ଲୁଙ୍ଗି ଗାମୁଛା ପିନ୍ଧିଥିବା ଶବଟାକୁ ଭଗିଆର ଶବ ବୋଲି ଧରିନେଇ ପୋଲିସ ଡାକ୍ତରୀମାଇନା କାମଟା ସାରିଦେଲା। ଜାଲୁଜାଲୁଆ ଦେଖା ହେଉଥିବା ବୁଢୀକୁ ବି ଅନ୍ଧାରୁଆ ଶବ ବ୍ୟବଚ୍ଛେଦ ଘରେ ସନାଖ୍ତ କରିବାକୁ କୁହାଗଲା। ବୁଢୀର ବା ଆଉ ଚାରା କାହିଁ? ପୁଅ ମରିବାର ଖବର ଶୁଣି ତା ମୁଣ୍ଡ କୋଉ ଠିକ ଥିବ ଯେ, ପୋଲିସ ଯୋଉଟାକୁ ଭଗିଆର ମଡା ବୋଲି ଦେଖେଇଦେଲା, ସେଇଟାକୁ ଭଗିଆ ମାନିନେଇ ବୁଢୀ ଗାଁକୁ ଆଣି କାମ ସାରିଦେଲା। ହେଲେ ଏ ଭଗିଆ ଫେରିବା ପରେ ପୁଣି ଯେଉଁ ସମସ୍ୟା ମୁଣ୍ଡ ଟେକିଲା, ତା'ର କୌଣସି ସମାଧାନ ବୁଢୀ ପାଖରେ ନଥିଲା।


ଗାଁଟା ସାରା ଟୁପୁରୁଟାପର ହୋଉଛନ୍ତି। ଭଗିଆକୁ ବୁଢୀ ଶୁଦ୍ଧି ହେଇଗଲା। ପୁଣି ଭଗିଆ ଫେରିଆସିଲା ପରେ ଭଗିଆମା ପ୍ରାଶ୍ଚିତ କଲାନି କି ବାହ୍ମୁଣ ଭୋଜି ଦେଇନି। ଗୋକୁଳାନ୍ନା ତାଙ୍କ ପୁରୁଣା ପୋଥି ଆଡେଇ ଏଥିପାଇଁ କେତେକ'ଣ ପ୍ରାଶ୍ଚିତ ବିଧି ବତୋଉଥିଲେ। ବୁଢୀ କିଛି ବି କରିନି। ଆଜିକାଲି ବୁଢୀ କି ଭଗିଆ କାହାରି ସାଙ୍ଗରେ କେହି କଥା ହେଉନାହାନ୍ତି। ସମସ୍ତେ ନିଜ ନିଜ ଭିତରେ ଟୁପୁରୁଟାପର ହେଉଛନ୍ତି ସିନା, ବୁଢୀ କି ଭଗିଆ ମୁହଁ ଉପରେ କେହି କିଛି କହୁନାହାନ୍ତି। ହୁଏତ ସମସ୍ତଙ୍କ ପ୍ରତି ବୁଢୀର ଭଲ ବ୍ୟବହାର, ବୁଢୀର ଆର୍ଥିକ ଦୟନୀୟ ଅବସ୍ଥା ଆଉ ସବୁଠାରୁ ବଡକଥା, ଭଗିଆର ମଲା ଖବରର ଶକ୍ତ ଧକ୍କା ପରେ ପୁଣି ଭଗିଆର ଘରକୁ ଫେରିବା ଭଗିଆମା ମନରେ ଯେଉଁ ଆନନ୍ଦ ଆସିଛି ତାକୁ ଦେଖି ବୁଢୀକୁ କେହି କିଛି କହୁନାହାନ୍ତି। କିନ୍ତୁ ସମାଜର ବଡପଣ୍ଡାମାନଙ୍କ ଦ୍ବାରା ତଥାକଥିତ ଅଲିଖିତ ନିୟମକୁ ବି ଭାଙ୍ଗିବାର ସାହସ ବି କାହାର ନାହିଁ।


କାଲି ଗାଁରେ ଏ ନେଇ ସଭା ବସିବ। ସବୁ ଶାସନ ମହାଜନମାନେ ଆସିବେ। ସକାଳୁ ସକାଳୁ ଭୀମା ବାରିକ ଆସି ଭଗିଆମାକୁ ବାତିନି ଦେଇ ଗଲାଣି। ଭଗିଆମା ବଡ ଚିନ୍ତାରେ ପଡିଯାଇଛି। ତାକୁ କେହି କିଛି କହୁନାହାନ୍ତି। କୋଉକଥା ନେଇ ସଭା ହବ ସିଏ କିଛି ଜାଣିନି। କେତେ ବାଆଁରେଇ କେତେ ଲୋକଙ୍କୁ ପଚାରିଲାଣି, ସମସ୍ତେ ମୁହଁ ଆଡେଇ ଚାଲି ଯାଉଛନ୍ତି। ଭଗିଆର ଏସବୁ କିଛି ମୁଣ୍ଡରେ ଢୁକେନି। ଘରକୁ ଫେରି ସୁସ୍ଥ ହେଲାପରଠୁ ତାକୁ କେହି କାମକୁ ଡାକୁନାହାନ୍ତି। ଏମିତିରେ ତ ଭଗିଆ ଗାଁର ବାତରା ଟୋକାଙ୍କ ସାଙ୍ଗରେ ବେଶି ମିଶାମିଶି କରେନି। ଏଇ ତା ଫେରିବା ପରଠୁ କିନ୍ତୁ ସବୁ ଠପ୍ ପଡିଯାଇଛି। ଏବେ ଖାଲି ମାଆ ପୁଅ ମୁହଁ ଚୁହାଁଚୁହିଁ ହେଇ ବାରଣ୍ଡାରେ ବସୁଛନ୍ତି। ସାରା ରାତି ଚିନ୍ତାରେ କଟିଗଲା। କି ସଭା, ସେଠି କ'ଣ ହବ ଏସବୁ ନେଇ ଭଗିଆମା'ର ଚିନ୍ତା। କୋଉଠି କ'ଣ ଭୁଲଭାଲ ଆଉ ହେଇଗଲା କି! ନହେଲେ ନିଶାପ କାଇଁ ଡକାହୁଅନ୍ତା? ଭଗିଆର କିନ୍ତୁ ହୋଲେ ନାହିଁ କି ଡୋଲେ ନାହିଁ। ଯାହା ହବ ଦେଖାଯିବ। କଥାରେ ଅଛି ପରା ଗାଁ ଘଇତାକୁ ମାଆ ଘଇତା ପାରେନି। ପଞ୍ଚପରମେଶ୍ବର ଯାହା କରିବେ ସେଥିରୁ ମାଆ ପୁଅ ବାହାରିଯିବେ କେମିତି?


ସଞ୍ଜବେଳେ ନିଶାପ ଆରମ୍ଭ ହେଲା। ଶାସନ ମହାଜନମାନେ ଆଉ ଗାଁର ପୁରୁଖା ବୁଢାମାନେ ସମସ୍ତେ ଏକମତ ହେଇ ସ୍ଥିର କରି ନିର୍ଦ୍ଦେଶ ଶୁଣେଇ ଦେଲେ। ଯେ ପର୍ଯ୍ୟନ୍ତ ଭଗିଆ ପ୍ରାଶ୍ଚିତ ନକରିଛି ସେ ପର୍ଯ୍ୟନ୍ତ ସମାଜରେ ମିଶି ପାରିବନି। ପୁରସ୍ତମ ଯାଇ ନଣ୍ଡା ହେଇ ପ୍ରାଶ୍ଚିତ କରିବାକୁ ପଡିବ। ଗାଁରେ ବ୍ରାହ୍ମଣ ଖାଇବେ। ପୁଣି ସାଇଭାଇଙ୍କି ଡାକି ପତର ପକେଇବାକୁ ହବ। ଏସବୁ ଶୁଣିବା ସାଙ୍ଗେ ସାଙ୍ଗେ ଭଗିଆ ମନେ ମନେ ହିସାବ କରିନେଉଥାଏ। ଅତି କମରେ ଦଶ କି ଏଗାର ହଜାରର ମାମଲା। ତା ମିଛ ଶୁଦ୍ଧିକ୍ରିୟାରେ ଆଉ ଥାନା ଡାକ୍ତରଖାନା ଘଟଣାଚକ୍ରରେ ଜମି ଦି'ଗୁଣ୍ଠ ଆଉ ଘରର ବାସନକୁସନ ଯାଇଛି। ଯାହା ଅଛି ଏଇ ଘରଡିହ ଖଣ୍ଡକ। ଏବେ ସେ ଖଣ୍ଡକ ବି ଯିବାର ଚକ୍ରାନ୍ତ ଆରମ୍ଭ ହେଇଗଲା। ଭଗିଆ ସବୁ ବୁଝି ପାରୁଥାଏ। ଶାସନ ମହାଜନମାନଙ୍କ ଗୋଡତଳେ ଲମ୍ବ ହେଇ ପଡିଗଲା ଭଗିଆ। 'ମୋତେ କ୍ଷମା କରିଦିଅ ଗୋସେଇଁ ମହାପୁରୁ, ମୁଁ ନିକା ଗରିବଟାଏ। ଏତେ ଖରଚକୁ ମୋ ସାହସ କୁଳୋଉନି।' ଗୋକୁଳି ମହାପାତ୍ରେ ବୁଝେଇବା ଭଳି କହିଲେ, 'ତୋର କିଛି ଚିନ୍ତା କରିବାର ନାହିଁ। ଘରଡିହ ଖଣ୍ଡକ ପଧାନ ବୁଢା ପାଖରେ ବନ୍ଧା ପକେଇ କାମଟା ସାରିଦେ। ତା'ପରେ ସମୟ ସୁବିଧା ଦେଖି ମୁକୁଳେଇ ନବୁ। ନା କ'ଣ କହୁଛ ପଧାନେ?' ଗୋକୁଳାନ୍ନା ପାଟିରୁ କଥା ସରିଛି କି ନାହିଁ, ପଧାନ ବୁଢା କହି ଉଠିଲେ, 'ହଁ, ପଞ୍ଚପରମେଶ୍ବର ଯେତେବେଳେ ଆଜ୍ଞା କଲେଣି ମୋର ସେଥିରୁ ବାହାରିବାର ଚାରା କାହିଁ? ମୁଁ ଏଥକୁ ରାଜି।' ଓଃ, ବଡ ଦୟାବାନ ପୁରୁଷ। ଭଗିଆ ବୁଝିପାରୁଥିଲା, ଏସବୁ ଚକ୍ରାନ୍ତର ସୂତ୍ରଧରକୁ ସିଏ ଚିହ୍ନିପାରୁଥିଲା। ସଭାରେ ସବୁକଥାରେ ମୁଣ୍ଡ ଟୁଙ୍ଗାରି ଭଗିଆ ଘରକୁ ଫେରି ତା। ମାଆକୁ କହିଲା, 'ମୁଁ ମରିଥିଲି, ସେ ପର୍ଯ୍ୟନ୍ତ ସବୁ ଠିକ ଥିଲା। ପୁଣି ବଞ୍ଚିକି ଫେରି ଆସିଲାପରଠୁ ସବୁକିଛି ଓଲଟପାଲଟ ହେଇଗଲା।' ରାତିସାରା ଭଗିଆମା ଘରେ ଡିବିରିର ଦିକିଦିକି ଆଲୁଅ ଜଣେଇ ଦେଉଥିଲା ଯେ ମାଆ ପୁଅ ଦି'ଜଣ ସାରାରାତି ଶୋଇ ନାହାଁନ୍ତି। ସକାଳୁ କିନ୍ତୁ ତାଟି କବାଟ ସାଆଣମେଲା ହେଇ ପଡିଥିଲା। ଏ ଗାଁରୁ ଦି'ଟା ଲୋକ କମି ଯାଇଥିଲା। ତା'ପରଠୁ ଭଗିଆକୁ କି ତା ମାଆକୁ ଏ ଅଞ୍ଚଳରେ କେହି ଦେଖିଥିବାର ନଜିର ନାହିଁ।


Rate this content
Log in

Similar oriya story from Tragedy