Amiya Bej

Others

2.1  

Amiya Bej

Others

ମୁଠାଏ ଖୁଚୁରା

ମୁଠାଏ ଖୁଚୁରା

3 mins
7.2K


ଅଭ୍ୟସ୍ତ ଥିବାରୁ , ମୁଠାଏ ଖୁଚୁରା ସଂଗ୍ରହ କରି , ଯିବାବେଳେ 'ସ୍ଵଭାବ' ପକେଟ୍ ରେ ରଖିନିଏ । ସାତଘଣ୍ଟା ଯାତ୍ରାରେ ସତରଜଣ ମିଳିବେ । ସେଇ ଖର୍ଚ୍ଚ ସମତୁଲ କରିବାକୁ ସେ ଟ୍ରେନ୍ ର ବାଜ୍ଜେ ଚା’ କଫିକୁ ଆଭଏଡ୍ କରିଦିଏ ।

ମାସରେ ଥରୁଟିଏ 'ମିନୁ' ସହ ଭେଟ ହୁଏ । ମିନୁ ଘରର ବଡ ବୋହୂ । ସବୁ ଘରର ବଡ ବୋହୂ ମାନେ , ଇଚ୍ଛା ଅନିଚ୍ଛା ରେ ନିଜକୁ ତ୍ୟାଗମୟୀ ତିଆରିବାର ଏକ ଅଲିଖିତ ସନ୍ଧି କରିନିଅନ୍ତି । ସେଇ କାରଣରୁ 'ମିନୁ'କୁ ଘରୁ ରାଉରକେଲା ଆଣିବାର ସାହାସଟେ କରିପାରୁନଥିଲା 'ସ୍ୱଭାବ' ।

- ସାଙ୍ଗରେ ତୁମେ ଥିଲେ, ଘର ବାହାର ଲୋକଙ୍କ ଘୃଣା ତିରସ୍କାର ସବୁ ଭାଗ କରି ହଜମ କରିନିଅନ୍ତେ । ଏଠି ଏକୁଟିଆ ମୁଁ ପାରୁନି ।

- କ'ଣ ଆଉ କରିପାରିବା? ମନକୁ ବୁଝାଇ ରୁହ । ସବୁ ଚେଷ୍ଟା ତ ବିଫଳ । ଲୋକ ତ କହିବେ । ଈଶ୍ୱର ଆମକୁ ବଧୀରା କରିଦିଅନ୍ତେ ଭଲା । ସହିଯା'ନ୍ତେ ସବୁକିଛି । ଠାକୁର ପାଖରେ କିଛି ଦେଇ ପାରିବାରେ କ୍ଷମ ନଥିଲେ ନାହିଁ , କିଛି ନେଇ ତ ପାରନ୍ତା !!!

…………………………….

ପିଲାଟିଏ । କଙ୍କାଳସାର ପିଲାଙ୍କ ସଠିକ୍ ବୟସ ଆକଳିବା ମୁସ୍କିଲ୍ । ଛୋଟ ଝାଡୁଟେ ଧରି ଓଳେଇ ପକାଉଛି ସିଟ୍ ତଳଯାକର ଆବର୍ଜନା । ବୋଧେ ସଫା କରିବାକୁ ଏଇମାନେ ଅଛନ୍ତି ବୋଲି , ଆମେ ଅଳିଆ ନିଶ୍ଚିନ୍ତରେ କରୁଁ । ନଇଁ ଘୁଷୁରୀ ପିଲାଟି ସଫା କରିବା ପରେ ସମସ୍ତଙ୍କ ପାଦ ବି ଛୁଇଁ କିଛି ମାଗୁଥିଲା । ଓଃ କି ଅସନା ସ୍ପର୍ଶ ! ସଂକ୍ରମିତ ହୋଇଯିବାର ଭୟରେ ସମସ୍ତେ ଦୁର୍ ମାର୍ କରିବାରେ ଲାଗୁଥିଲେ । କେହି କଦବା ଅଧୂଲେ ସୁଉକିଟେ ପିଲାଟିକୁ ବଢାଇଦେଉଥିଲେ । କିଛି ଫୋପାଡିବାକୁ ଥିବା ଅରୁଚିକର ଉଚିଷ୍ଟ ବି ପିଲାଟିର ଭାଗ୍ୟ ହେଉଥିଲା । ସ୍ଥଳବିଶେଷରେ ଦାନର ପରିଭାଷା କେତେ ଭିନ୍ନ ସତେ ! ଜଣେ କିଏ କହୁଥିଲା - କି' ଭିକାରୀ ଦେଶରେ ଜନ୍ମ ଆମର !!!

'ସ୍ୱଭାବ' ଭାବୁଥିଲା ଏଇ ପିଲାଟିର ବି କେଉଠିଁ ଗୋଟେ ମା ବାପା ଥିବେ । ଥରେ 'ମିନୁ' ଦେଖନ୍ତା ଯଦି ଜାଣନ୍ତା, ପିଲା ଜନ୍ମ କରିବାଠୁଁ, ପାଳିବାରେ ରହିଛି କେତେଯେ' ଯନ୍ତ୍ରଣା ।

ପିଲାଟି ଅଦୃଶ୍ୟ ହୋଇଯିବା ପରେ , ଆସିଲା ପଲଟଣ ଟାଏ ! କି' ଔଧତ୍ୟ ସେମାନଙ୍କର । ୟେ' ବି ଭିନ୍ନ ଏକ ଭିକ୍ଷା ବୃତ୍ତି । ଓଠ ଗାଢ କରି , ଅର୍ଦ୍ଧଉନ୍ନତ୍ତ ମୁକୁଳା ଛାତିରେ , ସମସ୍ତଙ୍କୁ ଜବର କରି ଟଙ୍କା ମାଗିବାରେ ଲାଗିଗଲେ କିନ୍ନର ଦଳ । ଏ ମାନଙ୍କ ସ୍ପର୍ଶରେ ସଂକ୍ରମଣର ଭୟ ନଥିଲା ବୋଧେ ! ସମସ୍ତେ ସହଜ ହୋଇ ପକେଟ୍ ରୁ ଟଙ୍କା କାଢୁଥିଲେ । ପଛରୁ ସେଇ ଜଣକ କହୁଥିଲା -

- ଏମାନଙ୍କ ସ୍ନେହ ଆଶୀର୍ବାଦରେ ସ୍ୱର୍ଗମୁଖା ହୁଏ ମଣିଷ ପରା!!!

ପୁରୁଷ ମିଶ୍ରିତ ନାରୀ ଗନ୍ଧ ତକ ଯାତ୍ରୀ ଡବା ଭିତରୁ ଛାଡିଯିବା ପରେ , ଆବିର୍ଭାବ ହେଲା ମା' ଟାଏ ଏଥର । ହାତ ଧରି ନିରିମାଖି ଝିଅଟିଏ , କାଖରେ ବାଳୁତ ଆଉ ପେଟଭର୍ତ୍ତି ସାମ୍ଭାବ୍ୟ ଆଗନ୍ତୁକ !!

- ଏଇ ଏବେ ଯେଉଁ ପିଲାଟା ଝାଡୁ ମାରି ଗଲା, ସେ ତୋରି ପୁଅ ନା? ଏକାପରି ଲାଗୁଛି ।

- ହଁ ବଡ ।

- ତା'ପରେ ପୁଣି ଆଉରି ଏତକ? ଆଁଆଁ ? ଶଃ! ବୁଲାକୁକୁର ପରି ସରକାରୀ ବନ୍ଧ୍ୟା କରଣ ଯୋଜନାଟା ଏଇମାନଙ୍କ ପାଇଁ ଲାଗୁହେବା ଉଚିତ୍ ।

ଚୁପ୍ ରହି ମୁଣ୍ଡ ପୋତିଲା ନାରୀ । ସବୁ ପ୍ରଶ୍ନ କୁ ସାମ୍ନା କରେ ନାରୀ । ପିଲା ହେଲେବି ପୁଣି ନହେଲେ ବି !!

ଲୋକଟା ତଥାପି ଛାଡୁନଥିଲା ତାକୁ ।

- କ'ଣ ଛୁଆଙ୍କୁ ଭୋକିଲା ରଖି ଖାଲି ଭିକାରୀ ବଂଶ ବଢାଇବାର ଅଛି କି ତୁମମାନଙ୍କର? ତିନି ତିନିଟା ଛୁଆରେ ହେଲାନି ଯେ , ଆଉଟେ ପେଟରେ ଧରିଛୁ ?

ତଥାପି ଚୁପ୍ ହୋଇ ଆଗକୁ ବଢୁଥିଲା ନାରୀ । ହୋହା ହୋଇ ହସୁଥିଲେ ସଭିଏଁ । କେଜାଣି କ'ଣ ଭାବି ପଛକୁ ଫେରିଆସିଲା ଏଥର ମାଇପିଟା । ଜବାବ ଦେଲା -

- ଭୋକ ଦାଉରୁ ମୁକୁଳିବା ପାଇଁ, ଏ ଦେହଟାକୁ ଜମା ଜଗି ହେଉନି ବାବୁ!!! ବେଳ ଅବେଳରେ ସେଇଥିରେ ହିଁ ପେଟ ପୁରିଯାଉଛି ଆଉ !!!

@ ଅମୀୟ ବେଜ୍


Rate this content
Log in