ନିଜସ୍ବ ଅନୁଭୂତି
ନିଜସ୍ବ ଅନୁଭୂତି
୧୯୮୦ ମସିହା, ଶୀତଦିନ। ମୁଁ ସେତେବେଳେ ଯାତ୍ରା ଦଳରେ ଅଭିନୟ କରୁଥାଏ। ଆମ ଘର ଠାରୁ ଆଖଡ଼ା ଘର ଅଧା କିଲୋମିଟର ହେବ। ସେଦିନ ଆଖଡ଼ା ସରିଲା ବେଳକୁ ରାତି ଗୋଟାଏ।ଚାଲି ଚାଲି ଏକା ଆସୁଛି।ହାଟ ପଡିଆ ପରେ ବାମ ପାର୍ଶ୍ଵରେ ପୋଖରୀ, ଡାହାଣ ପାର୍ଶ୍ଵରେ ଧାନକୁଟିବା ମେସିନ ଘର। ପିଲାଦିନେ ଶୁଣିଥିଲି ମେସିନ ଘରକୁ ଲାଗି ଯେଉଁ ପୁରୁଣା ଆଶ୍ଵସ୍ଥ ଗଛଟି ଅଛି, ସେଥିରେ କାଳେ ଭୁତୁଣୀଟିଏ ତା ପିଲାକୁ ଧରି ଅଛି। ହଠାତ୍ ମୋ ନଜର କୁ ଆସିଲା କି, ମେସିନ ଘର ବାଡ଼କୁ ଢେରାଦେଇ କେହି ଜଣେ ଧଳା ଚାଦରଟେ ଘୋଡାଇହୋଇ ପୋଖରୀ ଆଡ଼କୁ ଗୋଡ ଲମ୍ବାଇ ବସି ଝୁଲୁଛି। ମନକୁ ଆସିଲା ଲୋକଙ୍କ କହିବାନୁଯାୟୀ ଭୁତୁଣୀ ତା ପିଲାକୁ ଝୁଲି ଝୁଲି କ୍ଷୀର ପିଆଉଛି।କଣ କରିବି ଭୋକରେ ପେଟ ଆଉଟ ପାଉଟ। ଭାବିଲି ସେ'ତ ପିଲାକୁ କ୍ଷୀର ପିଆଉଛି, ଯାଉଛି ତା'କୁ ଡେଇଁ ଦୌଡ଼ି ଚାଲିଯିବି।ସେ ମୋତେ ପିଛା କଲା ବେଳକୁ ମୁଁ ଘରେ ପହଞ୍ଚି ଯାଇଥିବି। ସେହିପରି କଲି କୂଳଦେବ ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କୁ ସ୍ମରଣ କରି ଡିଆଁ ମାରି ଦୌଡ଼ିଲି। କିଛି ଦୂର ଯିବାପରେ ସେ କେତେ ଦୂରରେ ଅଛି ଜାଣିବା ପାଇଁ ,ଯେବେ ପଛକୁ ବୁଲି ଚାହେଁ ସେ ସେହି ସ୍ଥାନରେ ଅଛି। ଏଇଟା କେମିତି ସମ୍ଭବ? ପ୍ରକୃତ ରେ ଘଟଣା କଣ ଜାଣିବା ପାଇଁ ମନରେ ଉତ୍କଣ୍ଠା ଜାଗିଲା।ସାହାସ ସଞ୍ଚୟ କରି ପଛକୁ ଫେରିଲି। ସେତେବେଳେ ମୋ ହୃତ ସ୍ପନ୍ଦନ କେମିତି ସହଜରେ ଅନୁମାନ କରି ପାରୁଥିବେ । ପାଖରେ ପହଞ୍ଚି ଯାହା ଦେଖିଲି ବହେ ନହସି ରହିପାରିଲି ନାହିଁ। ଘଟଣା ଏହିପରି,ମେସିନ ଘରେ ଯେଉଁ ବଲବ୍ ଜଳୁଛି ତା'ର ଆଲୋକ ରଶ୍ମୀ ଛୋଟ ଝରକା ଦେଇ ପୋଖରୀ ଆଡ଼କୁ ଲମ୍ବି ଯାଇଛି। ବାଡର ଗଛ ପବନରେ ହଲିବା ଫଳରେ ଆଲୋକ ରଶ୍ମୀ ମଧ୍ୟ ହଲୁଛି। ଯାହାକି ଭୁତୁଣୀ ଝୁଲିବାର ପ୍ରତ୍ୟୟମାନ ହେଉଛି। ଭୁଲ୍ ହୋଇଗଲା ମା'ଙ୍କୁ ସବୁ କଥା କହିବା । ଭାବିଥିଲି ମା ମଧ୍ୟ ବହେ ହସିବେ,ମାତ୍ର ଫଳ ହେଲା ଓଲଟା। ମା'ଙ୍କ ନିର୍ଦ୍ଦଶ, ଯାଆ ପେଣ୍ଟସାର୍ଟ ବଦଳାଇ ଗୋଡହାତ ଧୋଇ ,ଅଇନା ଦେଖି ଶୋଇପଡ଼। ଆଜି ତୋ'ର ଖାଇବାର ନାହିଁ। ସେଦିନର ସେ ଘଟଣା ମନେ ପଡିଲେ ଆଜିବି ହସ ଲାଗେ।