sushama Parija

Inspirational

3.6  

sushama Parija

Inspirational

ନିର୍ମଳ ବନ୍ଧୁତା

ନିର୍ମଳ ବନ୍ଧୁତା

5 mins
188



କବିଙ୍କ ଭାଷାରେ “କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର , ଯା’ର ପ୍ରାପତି ଲାଗି ଦେବତା ନର “

ଅର୍ଥାତ ବନ୍ଧୁତା ଏକ ସ୍ୱର୍ଗୀୟ ଭାବ । ନିର୍ମଳ ବନ୍ଧୁତା ପାଇଁ ଦେବତା ମଧ୍ୟ ସ୍ୱର୍ଗ ରୁ ଓହ୍ଲାଇ ଆସନ୍ତି ମଣିଷ ରୂପରେ। ବନ୍ଧୁତା ଜାତିପତି କି ଧନୀ ଗରିବ ବିଚାର କରେନାହିଁ କେବଳ ହୃଦୟ ର ଭାବ ବିଚାର କରେ । ବନ୍ଧୁଟିଏ ବନ୍ଧୁତା ଲାଗି ମରି ବି ପାରେ , ମାରି ବି ପାରେ । ଯୁଗେ ଯୁଗେ ଏହାର ଉଦାହରଣ ରହିଛି, ରହିଥିବ ମଧ୍ୟ । ସେ ଶ୍ରୀରାମଚନ୍ଦ୍ର ଙ୍କ ସହିତ ଗୁହକ ଶବର ର ହେଉ କି ଶ୍ରୀକୃଷ୍ଣ ଙ୍କ ସହିତ ସୁଦାମା ବ୍ରାହ୍ମଣ ଙ୍କର ହେଉ , ବନ୍ଧୁତ୍ୱ ର ପରାକାଷ୍ଠା ସବୁଠି ଦୃଶ୍ୟମାନ । ଆଜିର ଏକବିଂଶ ଶତାବ୍ଦୀରେ ଯେତେବେଳେ ମଣିଷ ନିଜର ଜ୍ଞାନ ଗାରିମା ରେ ଈଶ୍ବରଙ୍କୁ ମଧ୍ୟ ପଛରେ ପକାଇ ଦେବାର ସ୍ପର୍ଦ୍ଧା ରଖିଛି, ସେତେବେଳେ ବନ୍ଧୁ ପଣିଆ ର ଏକ ସ୍ୱର୍ଣ୍ଣିମ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆମ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ ଙ୍କ ନିକଟରେ। ଧନ୍ୟ ଏ ଭାରତବର୍ଷର ସଂସ୍କୃତି, ଯେଉଁଥିପାଇଁ ଆମେ ସମସ୍ତେ ନିଜକୁ ଭାରତୀୟ ବୋଲି ଗର୍ବ ଅନୁଭବ କରୁ । ଘଟଣା ଟି ଥିଲା ଏହିପରି ଦୁଇହଜାର ଉଣେଇଶି ମସିହାର ଡିସେମ୍ବର ଆଠ ତାରିଖ, ସେଦିନ ଥିଲା ଓଡିଶା ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ପଚସ୍ତରୀବର୍ଷ ପୂର୍ତ୍ତି ର ଉତ୍ସବ । ଦେଶର କୋଣ ଅନୁକୋଣରୁ ଏହାର ନୂତନ, ପୂରାତନ ଛାତ୍ରଛାତ୍ରୀଙ୍କ ସମେତ ବହୁ ରାଜନୈତିକ ଦଳର ତୁଙ୍ଗ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ସଭାକୁ। ଉକ୍ତ ସଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ । ନିର୍ଦ୍ଧାରିତ ସମୟରେ ସଭା କାର୍ଯ୍ୟ ଆରମ୍ଭ ହେଲା । ସୁନ୍ଦର ସୁଦୃଶ୍ୟ ମଞ୍ଚ ଉପରେ ବସିଥାନ୍ତି ସମସ୍ତ ଅତିଥିବୃନ୍ଦ, କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପାରିଷଦଗଣ ଏବଂ ସଭାସ୍ଥଳ ଭରପୁର ହୋଇଥାଏ ଅନେକ ନୂତନ, ପୁରାତନ ଛାତ୍ର, ଛାତ୍ରୀ, ବୁଦ୍ଧିଜିବୀ, ସମ୍ବାଦପତ୍ର ର ପ୍ରତିନିଧି ଦଳ ଏବଂ ଆହୁରି ଅନେକଙ୍କ ଗହଳିରେ। ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କର ଭାଷଣ ଆରମ୍ଭ ହେଲା ।

 ଜଣେ ସୁବକ୍ତା ଭାବରେ ସେ ଅନର୍ଗଳ ଗାଇ ଗଲେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଶହେ ବର୍ଷ ର ଗୌରବମୟ ଇତିହାସ । ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ ଶ୍ରୋତା ମାନେ। ଏତେ ଲୋକଙ୍କର ଭିଡ ଭିତରେ ହଠାତ୍ ରାଷ୍ଟ୍ରପତି ମହୋଦୟ ଙ୍କର ଦୃଷ୍ଟି କ୍ଷଣିକ ନିମନ୍ତେ ଅଟକି ଗଲା ସଭାରେ ପଛ ଧାଡିରେ ବସିଥିବା ଜଣେ ବର୍ଷିୟାନ୍ ଶ୍ରୋତାଙ୍କ ଉପରେ, ସେଇ ଭଦ୍ରଲୋକ ଙ୍କୁ ଚାହିଁ ସେ କିଛି ଭାବିଲା ଭଳି ଲାଗୁଥିଲେ ମଧ୍ୟ ଭାଷଣ ଜାରି ରଖିଥାନ୍ତି। ଅନେକ ସମୟ ପରେ ସରିଲା ତାଙ୍କର ଅଭିଭାଷଣ। ତଥାପି ସମ୍ମୁଖରେ ଥିବା ଶ୍ରୋତାମଣ୍ଡଳୀ ଆଡକୁ ସେମିତି ଚାହିଁ ରହିଥିଲେ ସେ । ସଭାରେ ସମସ୍ତ ଅତିଥିମାନଙ୍କ ଅଭିଭାଷଣ ସରିବା ପରେ ମଞ୍ଚ ରୁ ଓହ୍ଲାଇବା ବେଳକୁ ପାଖରେ ଥିବା ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ଙ୍କ କାନ ପାଖରେ କିଛି କହିଲେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ । କେନ୍ଦ୍ରମନ୍ତ୍ରୀ ଜଣକ ସଙ୍ଗେ ସଙ୍ଗେ ମାଇକ୍ ରେ ଘୋଷଣା କଲେ “ ଶ୍ରୀ ବୀରଭଦ୍ର ସିଂ, ମୟୁରଭଞ୍ଜ ର ପୂରାତନ ସାଂସଦ ମହୋଦୟ ! ଆପଣ ଦୟାକରି ମଞ୍ଚ ପାଖକୁ ଆସନ୍ତୁ, ମହାମାନ୍ୟ ରାଷ୍ଟ୍ରପତି ଜୀ ଆପଣଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି “। ହଇଚଇ ଖେଳିଗଲା ସଭାସ୍ଥଳରେ, ସମସ୍ତଙ୍କ ଆଖି ବୁଲିଗଲା ପଛଧାଡିରେ ବସିଥିବା ଧଳା ଧୋତି, କୁର୍ତ୍ତା ପରିହିତ ଆଉ ମୁଣ୍ଡରେ ଧଳା ପଗଡି ବାନ୍ଧିଥିବା ସେଇ ବର୍ଷିୟାନ୍ ଆଦିବାସୀ ନେତାଙ୍କ ଉପରକୁ ।

ଭିଡ ଭିତରୁ ଦୁଇ ହାତ ଜୋଡି ହସ ହସ ମୁହଁ ରେ ବାହାରି ଆସିଲେ ସେଇ ଭଦ୍ରଲୋକ ଜଣକ । ଅସଂଖ୍ୟ ଚକ୍ଷୁର ପ୍ରଶ୍ନବାଚୀ ର ଉତ୍ତର ସିଏ ଦେବା ଆଗରୁ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ କହି ଉଠିଲେ “ ତାଙ୍କୁ ଆସିବାକୁ ଦିଅନ୍ତୁ, ବୀରଭଦ୍ରଜୀ ମୋର ବହୁ ପୁରାତନ ବନ୍ଧୁ , ଅନେକ ଦିନରୁ ତାଙ୍କ ସହିତ ସାକ୍ଷାତ ହୋଇ ପାରିନାହିଁ, ବୋଧହୁଏ ବାର ତେର ବର୍ଷର ବ୍ୟବଧାନ, ତାଙ୍କର ଆଉ ମୋର ଚେହେରାରେ ଅନେକ ପରିବର୍ତ୍ତନ ଆଣିଛି ସମୟ, ହେଲେ ତାଙ୍କର ସେଇ ପୁରୁଣା ପଗଡି ବାନ୍ଧିବା ଅଭ୍ୟାସ ଯାଇନାହିଁ, ତେଣୁ ସେଇ ପଗଡି ଦେଖି ହିଁ ଚିହି ପାରିଲି ତାଙ୍କୁ “ । ଉପସ୍ଥିତ ଦର୍ଶକ ମାନଙ୍କର ମଧ୍ୟ ଦେଇ ଆଗେଇ ଯାଉଥିଲେ ଶ୍ରୀ ବୀରଭଦ୍ର ସିଂ । ତାଙ୍କ ମୁହଁ ରେ ହର୍ଷ ର ଛାୟା ଥିଲେ ମଧ୍ୟ ଆଖି ଦୁଇଟି ଲୁହ ଛଳ ଜଳ ଦିଶୁଥିଲା । 

ମହାମାନ୍ୟ ରାଷ୍ଟ୍ରପତି ଜୀ ଆଗେଇ ଆସି ଆଦରରେ ନିଜର ପୁରୁଣା ବନ୍ଧୁଙ୍କୁ କୋଳେଇ ନେଇ କହି ଉଠିଲେ “ ବୀରଭଦ୍ର ଜୀ, ଆମେ ଏତେ ଦିନର ବନ୍ଧୁ ,ଆପଣ ମତେ ଭୁଲିଗଲେ କି? ମୁଁ ରାଷ୍ଟ୍ରପତି ହେବାର ଖବର ତ ଆପଣ ନିଶ୍ଚୟ ଜାଣିଥିବେ, ତଥାପି ଥରୁଟିଏ ହେଲେ ମୋତେ ଫୋନ୍ କଲେ ନାହିଁ,ଭଲ ମନ୍ଦ ବି ପଚାରିଲେ ନାହିଁ। ଆପଣ ତ ଦିଲ୍ଲୀ ଅବଶ୍ୟ ଆସୁଥିବେ,କିନ୍ତୁ ଥରେ ହେଲେ ରାଷ୍ଟ୍ରପତି ଭବନ ଆସିଲେନି, କାହିଁକି? ଆପଣ କ’ଣ ଖୁସି ନୁହଁନ୍ତି ମୋ ରାଷ୍ଟ୍ରପତି ହେବାରେ? ଆନନ୍ଦାତିଶଯ୍ୟରେ ଥରଥର ହୋଇ ଥରୁଥିଲେ ଶ୍ରୀ ବୀରଭଦ୍ର ସିଂ,ଉପସ୍ଥିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ମାନଙ୍କୁ ନମସ୍କାର ଜଣାଇ ସେ ନିଜର ବନ୍ଧୁଙ୍କ ହାତକୁ ଚାପି ଧରିଲେ । ବିନମ୍ରତା ର ସହିତ କହି ଉଠିଲେ “ ସେମିତି କୁହନ୍ତୁ ନାହିଁ ବନ୍ଧୁ, ମୁଁ ଖୁବ୍ ଖୁସି, ଖୁବ୍ ଗର୍ବିତ ମୋର ଅନ୍ତରଙ୍ଗ ବନ୍ଧୁ ଆଜି ଦେଶର ରାଷ୍ଟ୍ରପତି ବୋଲି । ମୋ ଗାଆଁ ରେ ମୁଁ ଆପଣଙ୍କୁ ଟିଭିରେ ଦେଖିଲେ ମୋ ଛାତି କୁଣ୍ଢେମୋଟ ହୋଇଯାଏ । ମୁଁ ସମସ୍ତଙ୍କୁ କୁହେ “ ଦେଖ ! ଇଏ ମୋର ବନ୍ଧୁ , ଦୁଇ ହଜାର ପାଞ୍ଚ, ଛଅ ମସିହାରେ ଆମେ ଦୁହେଁ ଦିଲ୍ଲୀ ରେ ଏକା ସାଥିରେ ଅନେକ ସମୟ ବିତାଇଛୁ । ସେତେବେଳେ ସିଏ ଥିଲେ ହରିଜନ ମାନଙ୍କର ମୁଖ୍ୟ ନେତା ଆଉ ମୁଁ ଥିଲି ଆଦିବାସୀ ମାନଙ୍କର ମୁଖ୍ୟ ନେତା, ସେତେବେଳେ ତଫସିଲଭୁକ୍ତ ଜାତି ଏବଂ ଜନଜାତି ଓ ଅନୁସୂଚିତ ଜାତି ମାନଙ୍କର ମଙ୍ଗଳ ପାଇଁ ଏକାଠି ଅନେକ କାମ କରିଛୁ ଆମେ, ଅନେକ ଯୋଜନା ର ବ୍ଲୁ ପ୍ରିଣ୍ଟ୍ ତିଆରି କରିଛୁ ଏକାଠି ବସି। ମୁଁ ସିନା ସାଧାରଣ ଗାଆଁ ଲୋକ ଟିଏ , ହେଲେ ସେ ଜଣେ ଖୁବ୍ ଜ୍ଞାନୀ,ଗୁଣୀ ବ୍ୟକ୍ତି , ସେ ପରା ଆମ ସୁପ୍ରିମକୋର୍ଟର ଓକିଲ । ମୋ ବନ୍ଧୁ ଙ୍କ ପାଇଁ ମୁଁ ଖୁବ୍ ଗର୍ବିତ " । 

ଆପଣଙ୍କ ପ୍ରତି ମୋ ସ୍ନେହ ଶ୍ରଦ୍ଧା ସେମିତି ଅତୁଟ ଅଛି ,କିନ୍ତୁ ଆପଣଙ୍କ ପାଖକୁ ଯିବା କଥା କେବେ ଭାବି ପାରିନାହିଁ । ଆପଣଙ୍କ କାର୍ଯ୍ୟକଳାପ ଦେଖି ଖୁସି ହେଉଛି , ବହୁତ ଭଲ କାମ କରୁଛନ୍ତି ଆପଣ। ଆଜି ମଧ୍ୟ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଜଣେ ପୁରାତନ ଛାତ୍ର ହିସାବରେ ଆସିଛି ଏଇ ସଭାରେ ଯୋଗ ଦେବା ପାଇଁ । ଏଠାକୁ ଆସି ଭାବିଥିଲି ଆପଣଙ୍କୁ ଗୋଲାପ ଫୁଲଟିଏ ଦେଇ ଶୁଭେଚ୍ଛା ଜଣାଇବି, ହେଲେ ସାହସ ହେଲା ନାହିଁ, ସେଥିପାଇଁ ଆପଣଙ୍କ ପାଖକୁ ଗଲିନାହିଁ । ଆପଣ ଆପଣଙ୍କ ଜାଗାରେ ଠିକ୍ ଅଛନ୍ତି ଆଉ ମୁଁ ମୋ ଜାଗାରେ ଠିକ୍ ଅଛି। ଆମ ବନ୍ଧୁତା ସେମିତି ନିର୍ମଳ ଅଛି” । ଆନନ୍ଦାଶ୍ରୁ ଝରି ପଡୁଥିଲା ଦୁହିଁଙ୍କ ଆଖିରୁ। ଦୁହିଁଙ୍କ ହାତକୁ ମୁଠାଏ ଧରି ଥିଲେ ଦୁହେଁ । ବୋଧହୁଏ ପ୍ରୋଟୋକଲ୍ କଥା ମନେ ପଡିଗଲା ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ ଙ୍କର। ସେ ବନ୍ଧୁ ବୀରଭଦ୍ର ସିଂ ଙ୍କର ହାତ ଥାପୁଡାଇ ଆଉ ଥରେ ଅନୁରୋଧ କଲେ “ ଆପଣ ସପତ୍ନୀକ ଥରେ ଦିଲ୍ଲୀ ଆସନ୍ତୁ ବୀରଭଦ୍ର ଜୀ, ରାଷ୍ଟ୍ରପତି ଭବନ କୁ, ସେଠାରେ ବସି ଦୁଇପଦ ଦୁଃଖ ସୁଖ ହେବା । ବହୁତ ଭଲ ଲାଗିବ । କ’ ଣ ଆସିବେ ତ ? ମୁଁ ଅପେକ୍ଷା କଲି ସେଇ ଦିନକୁ “। “ ନିଶ୍ଚୟ ଆସିବି ସାର୍ “ କହିଲେ ବୀରଭଦ୍ର ସିଂ । ବିଦାୟ ନେବାର ସମୟ ହୋଇ ଯାଇଥିଲା, ଦୁଇ ବନ୍ଧୁ ପୁଣି ଥରେ କୋଳାକୋଳି ହୋଇ ପରସ୍ପର ଠାରୁ ବିଦାୟ ନେଲେ।

ଦେଖଣାହାରୀଏ ଚାହିଁ ରହିଥିଲେ ସେଇ ଅମ୍ଳାନ ବନ୍ଧୁତ୍ୱ କୁ ଅପଲକ ଦୃଷ୍ଟି ରେ। ସାମ୍ବାଦିକ ମାନଙ୍କ ର କ୍ୟାମେରା ଖଚ୍ ଖଚ୍ କରି ଉତ୍ତାରି ନେଉଥିଲା ସେମାନଙ୍କ ଫଟୋକୁ ସେଇ ଦିନର ବିଶେଷ ଆକର୍ଷଣ ଭାବରେ ଛାପିବାକୁ । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମହୋଦୟ ତ ଉଡି ଯାଇଥିଲେ ଉଡାଜାହାଜ ରେ ଦିଲ୍ଲୀ, ହେଲେ ଶ୍ରୀ ବୀରଭଦ୍ର ସିଂ ଉପସ୍ଥିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ମାନଙ୍କ ଆଲୋଚନା ର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ମିଡିଆ ବାଲାଙ୍କର ପ୍ରଶ୍ନ ର ଉତ୍ତର ଦେଇ ଦେଇ କରି ପଡିଥିଲେ ମଧ୍ୟ ତାଙ୍କ ମୁହଁ ରୁ ବନ୍ଧୁ ମିଳନ ର ହସ ଟି ଲିଭି ନଥିଲା। ବନ୍ଧୁଙ୍କର ଖୁବ୍ ପ୍ରଶଂସା କରି କହୁଥିଲେ ସେ “ ଯେମିତି ଫଳଭରା ଗଛ ନଇଁ ପଡେ, ଯେମିତି ଜଳଭରା ମେଘ ନଇଁ ପଡେ , ସେମିତି ଅନେକ ସଦଗୁଣ ଧାରୀ ମୋ ବନ୍ଧୁ ଅତ୍ୟନ୍ତ ବିନମ୍ର “ ଈଶ୍ବର ତାଙ୍କୁ ଆହୁରି ଅନେକ ଅନେକ ଯଶସ୍ୱୀ କରନ୍ତୁ “।


Rate this content
Log in

Similar oriya story from Inspirational