Bharatabandhu Biswal

Horror Tragedy Inspirational

4  

Bharatabandhu Biswal

Horror Tragedy Inspirational

ପାଲଟା ବାଘ

ପାଲଟା ବାଘ

3 mins
11



  ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ ବିନ୍ଧ୍ଯଗିରିର ଆମ ରାଇଜରେ ଥିବା ଅଞ୍ଚଳ ଥିଲା ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ । ଅମରାବତୀ କଟକ ସନ୍ନିକଟ ପ୍ରସିଦ୍ଧ ଜଳୌକା ପାହାଡରେ ରହିଥିଲା ଅନେକ ଗୁମ୍ଫା । ସିଦ୍ଧ ସାଧୁମାନେ ସେଠାରେ ଏକାନ୍ତରେ ରହି କାଳେ ଗୁଢ ସାଧନାରେ ନିମଗ୍ନ ରହୁଥିଲେ । ଆଖପାଖରେ ଅବସ୍ଥିତ ପ୍ରାୟତଃ ବହୁ ପାହାଡ ଶିଖରରେ ମଧ୍ଯ ସାଧୁସନ୍ଥମାନଙ୍କ ଆବାଗମନ ଏବଂ ତପସ୍ଥଳୀ ରହିଥିଲା ।

   ଶୁଣିବା କଥା, ଜଳୌକାରୁ ଯଜ୍ଞନଗ୍ର ପ୍ରସିଦ୍ଧ ଶକ୍ତିପୀଠକୁ ଗଲାବେଳେ ସାଧୁସନ୍ଥମାନେ ରତ୍ନଗିରି ପାହାଡ ତଳି ଏକ ଛୋଟିଆ ଗାଁର ମୁଖିଆଙ୍କ ଗୃହରେ ରହି ବିଶ୍ରାମ କରନ୍ତି । ଗୃହପତି ଖୁବ ଶ୍ରଦ୍ଧା ଏବଂ ସମ୍ମାନର ସହିତ ସେମାନଙ୍କୁ ଆତିଥେୟତା ପ୍ରଦାନ କରିଥାନ୍ତି । 

   ତୀର୍ଥାଟନ ସାରି ଫେରିବା ବେଳକୁ ଦିନେ ସନ୍ଧ୍ୟା ରତରତ ହୋଇ ଆସୁଥାଏ। ଗୃହସ୍ବାମୀ ସାଧୁସନ୍ଥ ମାନଙ୍କୁ ସେଦିନ ଜଙ୍ଗଲ ପଥ ଦେଇ ନ ଯିବାକୁ ଅନୁରୋଧ କଲେ । ସାଧୁଙ୍କ ମଧ୍ଯରେ ବୟୋଜ୍ଯେଷ୍ଠ ବା ଗୁରୁଦେବ ଜଣଙ୍କ ତାଙ୍କୁ କହିଲେ-ବତ୍ସ ,ଆମେ ହେଲୁ ସିଦ୍ଧ ପୁରୁଷ । ବଣର ବାଘ ଭାଲୁ ହିଂସ୍ର ଜନ୍ତୁ ଆମ୍ଭର କିଛି କ୍ଷତି କରି ପାରିବ ନାହିଁ । କିନ୍ତୁ ତୁମର ଐକାନ୍ତିକ ଆଦର ଅଭ୍ୟର୍ଥନା ଦୃଷ୍ଟିରୁ ଆମ୍ଭେ ଆଜି ରାତ୍ରିଟି କଟାଇ ଆସନ୍ତା କାଲି ପ୍ରତ୍ୟୁଷରୁ ଆଶ୍ରମ ଅଭିମୁଖେ ବାହାରିବୁ ।

  ଗୃହସ୍ଥଙ୍କ ଆନନ୍ଦ କହିଲେ ନସରେ ।ସେ ସାଧୁସନ୍ଥଙ୍କ ପାଇଁ ଆବଶ୍ଯକ ଜଳଯୋଗ ଓ ଫଳମୂଳ ବ୍ଯବସ୍ଥା କଲେ ।

ସାଧୁଙ୍କ ଗୁରୁଦେବ ଅତ୍ଯନ୍ତ ପ୍ରୀତ ହୋଇ ତାଙ୍କୁ ଏକ ବର ଦେବାକୁ ଚାହିଁଲେ ।

  ଗୃହସ୍ଥତ ଆଗରୁ ଶୁଣିଥିଲେ ବଣର ମହାବଳ ବାଘ ପରି ହିଂସ୍ର ଜନ୍ତୁ ସାଧୁଙ୍କର କିଛି କ୍ଷତି କରି ପାରନ୍ତି ନାହିଁ । ଏଣୁ ସେ ଏପରି କିଛି ବଶୀକରଣ ବିଦ୍ଯା ଥିଲେ ତାଙ୍କୁ ଦେବା ପାଇଁ ବିନତି କଲେ ।

  ଗୁରୁ ଜଣଙ୍କ ଗୁପ୍ତ ବଶୀକରଣ ମନ୍ତ୍ର ତାଙ୍କ କାନରେ କହିଦେବା ସହିତ ସେ ଚାହିଁଲେ ନିଜ କାୟା ମଧ୍ଯ ପରିବର୍ତ୍ତନ କରି  ମହାବଳ ବ୍ଯାଘ୍ର ହୋଇ ପାରନ୍ତି ବୋଲି କହିଲେ ।

  ପୁନଶ୍ଚ , ପୂର୍ବରୁ ସେ ମନ୍ତୁରାଇ ରଖିଥିବା ହଳଦୀ ପାଣିକୁ ନିଜ ଉପରେ କେହି ବିଶ୍ବସ୍ତ ଲୋକ ଦ୍ବାରା ସିଞ୍ଚନ କରି ପାରିଲେ ମନୁଷ୍ଯ ରୂପ ଧରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଉପାୟ ବତାଇ ଦେଲେ । 

  ଗୃହସ୍ଥ କେବଳ ଆଁଟି କରି ଚକିତ ହୋଇ ଶୁଣୁଥାଏ । ତା ମନରେ ବିଶ୍ବାସ ଜନ୍ମାଇବା ପାଇଁ ଗୁରୁ ଜଣେ ଚେଲାଙ୍କୁ ସେଠାରେ କିଛି ଦିନ ରହି ବିଦ୍ଯାର ପ୍ରୟୋଗ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଲେ ।

  ଚେଲାଙ୍କ ବ୍ଯତୀତ ଅନ୍ଯ ସାଧୁସନ୍ଥ ମାନେ ନିଜ ବାଟରେ ଚାଲି ଯିବା ପରେ ସେହି ଦିନ ଅଧ ରାତି ବେଳକୁ ଗୁପ୍ତ ବିଦ୍ଯାର ପରୀକ୍ଷଣ ଆରମ୍ଭ ହେଲା । ଗୃହସ୍ଥ ମନ୍ତ୍ର ପଢି ହଳଦୀ ପାଣି ଖିଡ଼ିକି ଉପରେ ରଖିଦେଲେ । ମନ୍ତ୍ର ଉଚ୍ଚାରଣ କରି ବାଘ ବି ବନିଗଲେ । ଜଙ୍ଗଲରେ ବୁଲାବୁଲି କରି ରାତି ନ ପାହୁଣୁ ଆସି ଖିଡ଼ିକି ପାଖରେ ସଙ୍କେତ ଦେବାରୁ ଚେଲା ଜଣଙ୍କ ମନ୍ତୁରା ହଳଦୀ ପାଣିକୁ ତାଙ୍କ ଉପରକୁ ସିଞ୍ଚି ଦେଲେ । ସେ ତତକ୍ଷଣାତ ପୁଣି ମଣିଷ ପାଲଟି ଗଲେ ।

   କିଛି ଦିନ ନିୟମିତ ଅଭ୍ଯାସ କରିବା ପରେ ଗୃହସ୍ଥଙ୍କ ଆତ୍ମ ବିଶ୍ୱାସ ଆସିଗଲା ।ସେ କୃତ୍ଯକୃତ୍ଯ ହୋଇ ଚେଲାଙ୍କୁ ବିଦାୟ ଦେଲେ ।

   ଚେଲା କରୁଥିବା ମନ୍ତୁରା ପାଣି ଛିଞ୍ଚା କାମଟି ଗୃହସ୍ଥ ତାଙ୍କ ସ୍ତ୍ରୀ ଉପରେ ନ୍ଯସ୍ତ କରିବାକୁ ମନସ୍ଥ କରିଥାନ୍ତି ।କିନ୍ତୁ ସେ ଥିଲେ ଗର୍ଭବତୀ । ମାତ୍ର ଅଧିକ ଉତ୍ସୁକ ଥିବାରୁ ଗୃହସ୍ଥ ଜଣଙ୍କ ରାତିରେ ବାଘ ନ ହୋଇ ରହି ପାରିଲେ ନାହିଁ । ସବୁ କଥା ବୁଝାଇ ସୁଝାଇ ସେ ଅଧ ରାତିକୁ ବାଘ ହୋଇ ଗଲେ । ମନ୍ତୁରା ପାଣି ଖିଡ଼ିକି ଉପରେ ରଖା ଯାଇଥାଏ । ବଡି ଭୋରରୁ ଆସି ବହୁଥର ସଙ୍କେତ କଲାରୁ ବି ସ୍ତ୍ରୀଟି ଆଖି ମଳି ମଳି କବାଟ ଖୋଲେ ତ ମହାବଳ ବାଘ ରୂପରେ ଥିବା ତା ସ୍ବାମୀ ରାଗରେ ଖୁବ ଜୋରରେ ଗର୍ଜନ କଲା । ସ୍ତ୍ରୀଟି ମୂର୍ଚ୍ଛା ହୋଇ ତଳେ ପଡିଗଲା ଓ ତାର ହାତରେ ଧରିଥିବା ମନ୍ତୁରା ହଳଦୀ ପାଣି ବାଘ ଉପରେ ନ ପଡି ତଳେ ଢାଳି ହୋଇ ଗଲା । ସକାଳ ହୋଇଯିବାରୁ ବାଘ ଗାଁ ଛାଡି ଜଙ୍ଗଲ ପଳାଇବାକୁ ବାଧ୍ଯ ହେଲା । ଯେତେ ଚେଷ୍ଟା କଲେ ବି ଆଉ ମଣିଷ ରୂପ ଧାରଣ କରି ପାରିଲା ନାହିଁ ।

  ତାର ସ୍ତ୍ରୀ ପରେ ଚେତା ଫେରି ପାଇଲା ,କିନ୍ତୁ ତାକୁ ହଳଦୀ ପାଣିକୁ ମନ୍ତୁରାଇବା ବିଦ୍ଯା ଜଣା ନଥିଲା । ଲୋକେ କହନ୍ତି କାଳେ ପାଲଟା ବାଘ ଔରସରୁ ଯେଉଁ ସନ୍ତାନ ଜନ୍ମ ହେଲା,ସେ ମଣିଷ ପରି ଦିଶୁଥିଲେ ବି ଜଙ୍ଗଲି ବ୍ଯାଘ୍ର ପ୍ରକୃତିର ହୋଇ ବଂଶ ବଢାଇ ଚାଲିଲା । ଏବେ ପାଲଟା ବାଘର ବଂଶ କୁଆଡେ ଚାରି ଆଡକୁ ବ୍ଯାପୀ ଗଲାଣି ।

ତାଙ୍କ ଅଦୃଶ୍ଯ ପାଟି ଭିତରେ ରାସ୍ତା,ପୋଲ, ଖଣି, ପାଣି, ବାଲି,ଜଙ୍ଗଲ ଏବଂ ମଣିଷର ରକ୍ତ ଭାବରେ ପୁଳା ପୁଳା ଟଙ୍କା ସୁନା ସବୁ ଏଯାକ ବି ପଶି କାଳେ ଅସ୍ତିତ୍ବ ଶୂନ୍ଯ ହୋଇ ଯାଉଛି । ଗୁପ୍ତ ମନ୍ତ୍ର ଶକ୍ତିର କିଛି ଅଂଶ ଏବେ ବି କାମ କରୁଥିବାରୁ ତାଙ୍କ କବଳରୁ କେହି ସହଜରେ ଉଦ୍ଧାର ପାଇ ପାରୁ ନାହାନ୍ତି କି କେହି ତାଙ୍କର କିଛି ପ୍ରତିରୋଧ କରି ପାରୁ ନାହାନ୍ତି ।

     



Rate this content
Log in

Similar oriya story from Horror