ପଞ୍ଚତନ୍ତ୍ର କାହାଣୀ
ପଞ୍ଚତନ୍ତ୍ର କାହାଣୀ
ଉଜ୍ଜଳକ ନାମକ ଜଣେ ବ୍ୟକ୍ତି ଥରେ କର୍ମ ଅନ୍ୱେଷଣରେ ସହରକୁ ଯାଉଥାଏ । ବାଟରେ ସେ ଗୋଟାଏ ଛୋଟୀ ଓଟ ଦେଖିଲା । ସେ ଛୋଟୀ ବୋଲି ତାକୁ ବୋଧ ହୁଏ ତା' ମାଲିକ ପରିତ୍ୟାଗ କରିଥିଲା କିମ୍ବା ସିଏ ନିଜେ ପଛରେ ପଡ଼ି ଯାଇଥିଲା । ଉଜ୍ଜଳକ ଓଟକୁ ନିଜ ଘରକୁ ନେଇଆସିଲା। କେତେଦିନ ପରେ ସେ ଛୋଟୀ ଓଟ କେତୋଟି ଶାବକ ଜନ୍ମ ଦେଲା । ଉଜ୍ଜଳକ ସେମାନଙ୍କୁ ଖୁବ୍ ସାବଧାନରେ ଓ ଶ୍ରଦ୍ଧା ଭବରେ ପୋଷଣ କରିବାକୁ ଲାଗିଲା । ସେମାନେ ହୃଷ୍ଟପୃଷ୍ଟ ହୋଇ ବଢ଼ିଲେ । ଉଜ୍ଜଳକ ସେମାନଙ୍କୁ ଭଡ଼ାରେ ଦିଏ ଓ ଭଲ ଉପାର୍ଜନ କରେ ।
କ୍ରମେ ସେ ଓଟ ବ୍ୟବସାୟରେ ହିଁ ମନ ଦେଲା। ଭଡା ଦେବା ସଙ୍ଗେ ଓଟ ବିକ୍ରି ବି କଲା। ଓଟ ଶାବକ ମାନଙ୍କୁ ଅଳ୍ପ ଦାମରେ କିଣି ବଡକରି ବହୁତ ଲାଭରଖି ବିକ୍ରି କରେ। ତା' ଓଟ ପଲରେ ଗୋଟିଏ ସୁନ୍ଦର ଛୋଟିଆ ଓଟ ଥାଏ। ସ୍ନେହରେ ଉଜ୍ଜଳକ ତା ଗଳାରେ ଗୋଟିଏ ଅଳଙ୍କାର ପିନ୍ଧାଇଦେଲା । ତାହା ଘୁଙ୍ଗୁର ଭଳି । ଓଟ ଚାଲିଲେ ତାହା ମଧୁର ଭାବରେ ଶବ୍ଦ କରେ । ସେ ତରୁଣ ବୟସ୍କ ଓଟ ର ଗର୍ବର ସୀମା ନଥାଏ । ବିଶେଷତଃ ବୟସ୍କ ଓଟ ମାନଙ୍କ ଆଗରେ ମୁଣ୍ଡ ହଲାଇ ଅଳଙ୍କାର ଦେଖାଇ ବାକୁ ଭାରି ସୁଖ ପାଉଥାଏ । ଫଳରେ କେହି କେହି ବିରକ୍ତ ହେଉଥାନ୍ତି ; କେହି କେହି ତାକୁ ଥଟ୍ଟା କରୁଥାନ୍ତି । ସେ ଭାବୁ ଥାଏ ସମସ୍ତେ ତାକୁ ଈର୍ଷା କରୁଛନ୍ତି ।
ଦିନେ ଓଟପଲ ସହ ଯିବା ବେଳେ ସେ ଇଚ୍ଛା କରି ପଛରେ ରହିଲା । ସମସ୍ତଙ୍କ ଭିତରେ ଥାଇ ସେ ବାଟୋଇ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରୁ ନାହିଁ ବୋଲି ଏପରି କଲା । ଜଣେ ବୁଢ଼ା ଓଟ କହିଲା, "ତୁ ପଛରେ ରହିଯିବା ଜମା ଭଲ କଥା ନୁହେଁ । ବିପଦ ହୋଇପାରେ !" କିନ୍ତୁ ଅଳଙ୍କୃତ ଓଟ ଭାବିଲା ବୁଢ଼ା ତାକୁ ଈର୍ଷା କରୁଛି । ସେ ଉଦ୍ଧତ ଭାବରେ ଥରେ ମୁଣ୍ଡ ହଲାଇ ଘୁଙ୍ଗୁର ବଜେଇଦେଲା ଓ ଆହୁରି ପଛରେ ରହିଗଲା । ବାଟରେ ପଡିଲା ବଣ ଫଳରେ ଜଗୁଆଳି ପଲ ସହ ଆଗରେ ଥାଏ ପଲଠାରୁ ବହୁତ ପଛରେ ପଡ଼ିଥାଏ ସେ ଟୋକା ଓଟ । ହଠାତ୍ ତା' ଘୁଙ୍ଗୁରର ମଧୁର ଶବ୍ଦରେ ଆକୃଷ୍ଟ ହୋଇ ସିଂହଟାଏ ଝାମ୍ପ ମାରି ତାକୁ ଧରିନେଇ ଚାଲିଗଲା ।