Laxman Kumar Behera

Classics

2  

Laxman Kumar Behera

Classics

ପ୍ରତାରଣା: ସ୍ବାର୍ଥୀ ଓ ପରମାର୍ଥୀ

ପ୍ରତାରଣା: ସ୍ବାର୍ଥୀ ଓ ପରମାର୍ଥୀ

10 mins
459



        ଜାମୁନାଳୀ ଆଉ ଦଣ୍ଡାସିଂହା ଗାଆଁ ଦ୍ବୟ ଯେଉଁ ଭୂମିରେ ଏକାଠି ମିଶନ୍ତି ସେ ଜାଗାର ନାଁ କୁନ୍ଦୁରୁ କଟେଇ । ସେଦିନ ହଠାତ୍ ଜାମୁନାଳୀ ଗାଆଁର ବୁଟି ଦାଦା (ସାନ ଭାଇ) ସହ ସେଇଠି ଭେଟ ହେଲା । ସେ ମୋତେ ଦେଖି ସକେଇ ହେଇ କାନ୍ଦିବାକୁ ଲାଗିଲା । ତୋର କ'ଣ ହେଇଛି ବୋଲି ମୁଁ ପଚାରିବାରୁ ସେ କହିଲା- 


        - ଐଶ୍ବର୍ଯ୍ଯା ମୋତେ ଭୁଲିଗଲା ଭାଇ । ତା' କୁ ମୁଁ ମନେଇ ପାରିଲିନି । ଆଜି ମୁଁ ଭାରି ଦୁଃଖିତ । ସେ ମୋତେ ପ୍ରତାରଣା ଦେଲା, ହେଲେ; ମୁଁ ତା'କୁ କ୍ରୋଧ କି ଅଭିମାନ ଜମାରୁ କରି ପାରୁନି ।


       - (ମୁଁ କହିଲି) ତା' ଅର୍ଥ ତୁ ତା'କୁ ପ୍ରଚୁର ଭଲପାଉ, ସେଇଥି ପାଇଁ । ଯାହା ଘଟିବାର ଥିଲା ତାହା ହିଁ ହେଲା । ବୋଧେ ତୋ ପାଇଁ ନିୟତ୍ତିଙ୍କର ଅନ୍ଯ କିଛି ନିର୍ଦେଶ ଅଛି । ଭବିଷ୍ୟତରେ ସମୟ ହିଁ କେବଳ କହି ପାରିବ । ତୁ ଅପେକ୍ଷା କର । 


       - ମୁଁ ତା'କୁ ତ ପିଲାଟି ଦିନରୁ ଭଲ ପାଉଥିଲି । ସେ ବି ମୋତେ ଭଲ ପାଉଥିଲା । ବିଶ୍ବାସ ଆଉ ଭରସା ବି କରୁଥିଲା । ବର୍ଷ ବର୍ଷର ମଧୁର ସଂପର୍କ ଆଜି ପ୍ରତାରଣାର ବିଷ ଜ୍ବାଳାରେ ଜଳିପୋଡି ପାଉଁଶ ହେଇଗଲା ଭାଇ । ସ୍ବପ୍ନ ଥିଲା ତା' ପାଇଁ ମୁଁ ସ୍ମୃତିର ମହଲ ଗଢିବି । ଭାବିଥିଲି ପଞ୍ଚୁପାଲି ଆମ ଦୁହିଙ୍କୁ ଦେଖି ବାଃ ବାଃ ବୁଟିଦାଦା ଖୁବ୍ ସୁନ୍ଦର ଯୋଡି ବୋଲି କହିବେ । ହେଲେ; ସେ ଆଶା ମୋର ପୂରଣ ହେଲା ନାହିଁ । ସବୁକିଛି ଆଜି ନିଜ ହାତ ମୁଠାରୁ ଅନେକ ଦୂରକୁ ଚାଲି ଯାଉଥିବାର ଦେଖି ମୁଁ ମର୍ମାହତ ହେଉଛି । 


       - ନିଜକୁ କାହିଁକି କଷ୍ଟ ଦେଉଛୁ ରେ ଭାଇ । ଏ ସମୟ ପରିବର୍ତ୍ତନ ଶୀଳ । ମାନୁଛି ଆଜି ର ସମୟ ତୋର ନୁହେଁ । ତା' ବୋଲି ଏ ସମୟ ଦିନେ ତୋର ସୁଖର କାରଣ ହେବନାହିଁ ତାହା ତ କହି ହେବନାହିଁ । 


       - ନିଜକୁ ଆଜି ମୁଁ ଅନେକ ଧିକ୍କାର କରୁଛି । ସେ ହିଁ ମୋତେ ଆଜି ପାଦରେ ଆଡେଇ ଚାଲିଗଲା ଦିନେ ଯାହାକୁ ମୁଁ ଆପଣାର ସର୍ବସ୍ଵ ଭାବିନେଇ ପ୍ରେମ କରୁଥିଲି । ଯାହା ପାଇଁ ମୁଁ ଆଉ କାହାକୁ ମଧ୍ଯ ସୃଷ୍ଟିରେ ଆପଣାର କରି ପାରିଲି ନାହିଁ କି ଭଲ ପାଇବା ନଜରରେ କେବେ ଦେଖି ପାରିଲି ନାହିଁ । ତା'କୁ ହିଁ ମୋର ସବୁକିଛି ବୋଲି ଭାବିଲି । ସେ ଆଜି ମୋତେ ପ୍ରତାରଣା ଦେଲା । ଯେଉଁ ସଂପର୍କକୁ ମୁଁ ଜଗତର ଶ୍ରେଷ୍ଠ ତଥା ପବିତ୍ର ସଂପର୍କ ବୋଲି ଭାବୁଥିଲି, ସେଭଳି ସଂପର୍କକୁ ସେ ବଧ ଆଉ ତ୍ଯାଗ କରିଦେଲା । 


       - ତୁମ ଦୁହିଙ୍କ ଭିତରେ ଏ ଫାଟ କେମିତି ସୃଷ୍ଟି ହେଲା ? ମାନେ, ପ୍ରେମରେ ପ୍ରତାରଣା କେମିତି ?


       - ଏଇ ଫୋନ୍ ପାଇଁ ପରା । ମୋ ଫୋନ୍ ରେ ମୁଁ ଫେସବୁକ୍ ଖୋଲିଛି । ଅନେକ ବନ୍ଧୁ ଓ ବାନ୍ଧବୀ ମୋର ଫେସବୁକ୍ ରେ ଅଛନ୍ତି । ସେ ଭିତରୁ ଅନେକ ମୋତେ ଫୋନ୍ ବି କରନ୍ତି । ଐଶ୍ବର୍ଯ୍ଯା ଆଉ ମୁଁ କଲେଜ୍ ଲାଇବ୍ରେରୀ ରେ ହେଉ କି କଲେଜ୍ କ୍ଯାମ୍ପସ୍ ରେ ଯେବେ ଏକାଠି ବସିଥାଉ ସେଇ ସମୟରେ ହିଁ ଅନ୍ଯ ମାନଙ୍କ ଠାରୁ ମେସେଞ୍ଜରରେ କିମ୍ବା ଫୋନ୍ କଲ୍ ମୋ ପାଖକୁ ଆସିଥାଏ । ତା' ସହ ଥିବାବେଳେ ମୁଁ ଅନ୍ଯ କୌଣସି ଝିଅ ସହ କଥା ହେଲେ ସେ ଜମାରୁ ସହି ପାରୁ ନଥିଲା । ସେ ପ୍ରଚୁର ରାଗୁଥିଲା ମୋତେ । ମୁଁ ହେଲେ କ'ଣ କରିଥାନ୍ତି, କୁହତ ? କାହାକୁ ହେଲେ ମନା କରିବି ମୋ ସହ କଥା କି ଚାଟିଙ୍ଗ୍ କରନି ବୋଲି ? ମୋର ସ୍ବଭାବ ମୁଁ ବଦଳେଇ ପାରୁ ନଥାଏ । ଶେଷରେ ସେ ମୋତେ ଦୁଇଟି ବିକଳ୍ପ ଦେଲା । ପ୍ରଥମଟି ଥିଲା, ତୁମେ ଯଦି ମୋତେ ଭଲପାଅ ମୋ ଛଡା ଅନ୍ଯ କାହା ସହ ଜମାରୁ କଥା ହେବ ନାହିଁ କି କୌଣସି ଝିଅ ତୁମକୁ ଦେଖି ମୁରୁକି ହସିଲେ ତୁମେ ହସିବ ନାହିଁ । ଆଉ ଦ୍ବିତୀୟ ଟି ହେଲା, ତୁମେ ଫୋନ୍ ଧରିବା ସଂପୂର୍ଣ୍ଣ ବନ୍ଦ କରିଦିଅ ନଚେତ୍ ମୁଁ ତୁମକୁ ଭୁଲି ଯିବାକୁ ବାଧ୍ଯ ହେବି । 


       - ଆରେ ଏମିତି କେମିତି ? ଇଏ କି ପ୍ରକାର ଭଲପାଇବା ? 


       - ହଁ ପରା ଭାଇ । ତା'କୁ ମୁଁ ସେଇ କଥା ବି ପଚାରିଲି । ହେଲେ; ସେ ଆଦୌ ମୋତେ ବୁଝି ପାରିଲାନି । ମୁଁ ସବୁ ପାରିଲି, ହେଲେ; ଫୋନ୍ ସହ ଏତେ ଅଭ୍ଯସ୍ତ ହେଇ ଯାଇଥିଲି ଯେ, ଫୋନ୍ ଧରିବା ଛାଡି ପାରିଲି ନାହିଁ । ତେଣୁ ସେ ଆଜି ମୋତେ ପ୍ରତାରଣା କଲା । ଯୌବନ ବାଟରେ ମୋତେ ପ୍ରତାରିତ ସଜାଇ ଦେଲା ଭାଇ ।


        ମୁଁ ଦେଖୁଥିଲି ସେଦିନ ସେ ପ୍ରଚୁର କାନ୍ଦୁଥିଲା । ମୁଁ ତା'ର କାନ୍ଦ ଦେଖି ତା'କୁ କିଛି କହିବା ପାଇଁ ଭାବିଲା ବେଳେ ସେ ପୁଣି କହିଲା, 


         ଭଗବାନ୍ ଙ୍କୁ ଡାକୁଛି ଏ ପ୍ରତାରଣା ଭାବନା ଅନ୍ଯ ପାଇଁ ମୋ ମନରେ କେବେ ନ ଆସୁ । ଐଶ୍ବର୍ଯ୍ଯାକୁ ଭୁଲି ପୁଣି ଆଉ କାହାକୁ ପ୍ରେମ କରିବା ମୋ ପାଇଁ ଭାରି କଷ୍ଟ ଦାୟକ ଭାଇ । ଆଜି ସେ ମୋର ଛାଇ ମାଡିବାକୁ ବି ନାରାଜ୍ । ଆମ ଦୁହିଁଙ୍କ ଭିତରେ ସବୁକିଛି ସମାପ୍ତ ହେଇଗଲା । ସେ ମୋତେ ଏବେ ବହୁତ ଘୃଣା କରୁଛି । ଆଉ କିଛି ଦିନ ଦେଖେ, ଯଦି ଐଶ୍ବର୍ଯ୍ଯା ମୋତେ ସ୍ବୀକାର ନକରେ ତେବେ ଭାବିଛି ଧରା ତଳେ ଜୀବନ ହାରିଦେବି । ଏ ପ୍ରତାରଣାର ପୀଡା ମୁଁ ଜମା ସହି ପାରୁନି ଭାଇ ।


      ମୁଁ ତା'ର କଥା ଶୁଣି ହଠାତ୍ ତା'କୁ କହିଲି, 


        - ଚୁପ୍ ••• ଜୀବନଟା ଶସ୍ତା ହେଇଛି କି ? ଯେବେ ଚାହିଁବୁ ନିଜକୁ ହତ୍ଯା କରିଦେବୁ । ଆରେ ତତେ ସିନା ଜଣେ ତ୍ଯାଗ କରିଦେଲା, ହେଲେ; ଏ ପ୍ରକୃତି - ଏ ସମୟ ତୋତେ କ'ଣ ତ୍ଯାଗ କରିଛି ? କହ ! ତତେ କେହି ତ ତ୍ଯାଗ କରି ନାହାଁନ୍ତି । ତତେ ଯିଏ ତ୍ଯାଗ କଲା ସେ କ'ଣ ସମୟ ପୁରିଲେ ଏ ଧରାରେ ରହିବ ? ଏ ପ୍ରକୃତି ତୋର ଜନ୍ମ ପୂର୍ବରୁ ବି ଥିଲା ଆଉ ତୋର ଅନ୍ତ ପରେ ବି ରହିବ । ତୁ ଆଗରୁ ଯେମିତି ତା'ର ପ୍ରିୟ ସନ୍ତାନ ଥିଲୁ ଠିକ୍ ସେମିତି ଆଜି ବି ଅଛୁ । ଦୁଃଖ କାହିଁକି କରୁଛୁ ? ମୁଁ ଯାହା କହୁଛି ଧ୍ଯାନର ସହ ଶୁଣ୍ ।


        - ହଁ, ଭାଇ କୁହନ୍ତୁ ।


        - ପ୍ରତାରଣା ପାଇବାର ଅର୍ଥ ନୁହେଁ ଦୁଃଖ କିମ୍ବା ଅଶ୍ରୁକୁ ଆପଣାର କରିବା, ସର୍ବଦା ମୃତ୍ୟୁକୁ ଆମନ୍ତ୍ରଣ କରି ସମସ୍ତ ସମୟକୁ ବର୍ବାଦ କରିବା କିମ୍ବା ଚିନ୍ତା ରୂପି ଚିତାରେ ନିଜକୁ ଜାଳି ପୋଡି ପାଉଁଶ କରି ଦେବା ବରଂ ଏକ ନୂତନ ସୃଷ୍ଟି ଆଡକୁ ଅଗ୍ରସର ହୋଇ ଆପଣାର ଶୈଳୀରେ ଜୀବନକୁ ପୁଣି ଥରେ ଆରମ୍ଭ କରିବା ।


        ବାସ୍ତବରେ ଦେଖିବାକୁ ଗଲେ ପ୍ରତାରଣା ପାଇବା ପରେ ହିଁ ଜୀବନର ପ୍ରକୃତ ଆରମ୍ଭ ହୋଇଥାଏ । ଏ ମର୍ତ୍ତ୍ଯରେ ଅସଲ ସ୍ବାଦ ଚାଖିବାକୁ ମିଳିଥାଏ । ପ୍ରତାରଣା ବୀଜ ରୋପଣ କରିଥିବା ଘାତକ ମଣିଷ କେବେ ସୁଖୀ ହୋଇ ନପାରେ, ହେଲେ; ପ୍ରତାରଣା ପାଇଥିବା ମଣିଷକୁ କେବେ କାଣିଚାଏ ଦୁଃଖ ସ୍ପର୍ଶ କରିପାରେ ନାହିଁ । 


        ପ୍ରତାରଣା ପାଇ ଆପଣାକୁ ଯାଯାବର ସଜାଇ ଥିବା ମଣିଷ ଆଉ କୌଣସି କାର୍ଯ୍ଯ ସ୍ବସ୍ବାର୍ଥ ହାସଲ ପାଇଁ କରି ନଥାଏ । ତା' ଠାରେ ସ୍ବାର୍ଥ ଥାଏ । ହେଲେ, ସେ ସ୍ବାର୍ଥୀ ହେବାକୁ ଆଉ କଦାପି ଇଚ୍ଛା କରେ ନାହିଁ । ସେ ସାରା ଜଗତକୁ ଭଲପାଏ । ପର ସେବାରେ ନିଜକୁ ନିୟୋଜିତ କରେ । ଅନ୍ଯର ସୁଖରେ, ହସରେ, ମଙ୍ଗଳରେ ନିଜକୁ ସଂପୂର୍ଣ୍ଣ ମନେକରି ପରମାର୍ଥୀ ବୋଲାଏ । 


        ଜାଣିଛି, ଅନ୍ଯକୁ ପ୍ରତାରଣା ଦେବା ଭାରି ସହଜ । ହେଲେ; ଅନ୍ଯଠୁ ପ୍ରତାରଣା ପାଇବା ଏତେ କଠିନ ହୋଇଥାଏ ଯେ, କାହାରି ଆଗରେ ସେସବୁ ବ୍ଯକ୍ତ କରିବା ପାଇଁ ତୁଣ୍ଡରେ କଥା ଆସେ ନାହିଁ । କେବଳ ହୃଦୟରେ କୋହ ନୟନରେ ଲୁହ ଉଙ୍କିମାରେ ।


         ପ୍ରତାରଣା ପାଇଥିବା ବ୍ଯକ୍ତି ଯେବେ ନିଜ ପ୍ରତାରଣାର କଥା ଅନ୍ଯ ଆଗରେ ପ୍ରକାଶ କରିଦିଏ ସେ ସେବେ ଆକାଶର ବିହଙ୍ଗ ସମ ନିଜକୁ ମୁକ୍ତ ତଥା ହାଲୁକା ମନେ କରେ, ତୋ ଭଳି । ସେ ନିର୍ଭୟରେ ବଖାଣି ଚାଲେ । ତା' କଥାରେ ନା ମିଥ୍ଯା ଥାଏ ନା ଛଳନା । ସେ ଯାହା କହେ ସବୁ ସତ୍ଯ ଥାଏ । ଆଉ ଶୁଣୁଥିବା ବ୍ଯକ୍ତିର ହୃଦୟକୁ ସେ କଥା ସବୁ ଏତେ ପ୍ରଭାବିତ କରେ ଯେ, ସେ ଶୁଣିବାକୁ ବାଧ୍ଯ ହୋଇଯାଏ । ସଂପୂର୍ଣ୍ଣ ଶୁଣି ନ ସାରିବା ଯାଏଁ ସେ ଇଞ୍ଚେ ମଧ୍ଯ ସେଠାରୁ ହଲେ ନାହିଁ । ହୃଦୟରେ କୋହ ଉଠେ, ଆଖିରେ ଲୁହ ଭାସେ ତଥାପି ମଧ୍ଯ ସେ ଅଧୈର୍ଯ୍ଯ ହୁଏନି ।


       ପ୍ରତାରଣା ପାଇଥିବା ବ୍ଯକ୍ତି ଆପଣାର ସମସ୍ତ କଥା ସୃଷ୍ଟିର ସଭିଙ୍କୁ ଶୁଣାଇବାକୁ ଭଲପାଏ । ଅନ୍ଯକୁ ନିଜର କଥା ଶୁଣାଇ ସାରିବା ପରେ ସେ ଏତେ ଆନନ୍ଦିତ ହୁଏ ଯେ, ପୁଣି ଥରେ ଏ ଧରାରେ ଜୀଇଁ ରହିବାର ଆଶା ମନରେ ଉକୁଟେ । ଶରୀର ସାରା ଶୀହରଣ ଖେଳେ । ତା' ପାଇଁ ପୁଣି ସକାଳର ନୂତନ ସୂର୍ଯ୍ୟ ପୂର୍ବ ଦିଶାରେ ଉଏଁ । ସେ ଗତକାଲିର ଅସ୍ତଗାମୀ ସୂର୍ଯ୍ୟକୁ ଆଉ କଦାପି ମନେ ପକାଏ ନାହିଁ କି ମନେ ପକାଇବାକୁ ବି ଚାହେଁ ନାହିଁ । ସେ ସଂପୂର୍ଣ୍ଣ ଅତୀତକୁ ହୃଦୟ ଓ ମସ୍ତିଷ୍କରୁ ଭୁଲିଯାଏ ।


         ଏ ସଂସାର ତା' ପାଇଁ ଏବେ ସୁଖର ସ୍ଥଳୀ । ସେ ଆଉ ପୂର୍ବ ଭଳି କେବଳ ଜଣକୁ ଭଲପାଇ ସ୍ବାର୍ଥୀ ସାଜି ତା'ର କେବଳ ସୁଖ - ଶାନ୍ତି ଚାହୁଁ ନାହିଁ, ବରଂ ଜଗତର ସଭିଙ୍କୁ ସେ ଏବେ ମନପ୍ରାଣ ଦେଇ ଭଲ ପାଇବାରେ ମଗ୍ନ । ସ୍ବାର୍ଥୀ ରୁ ବିଚ୍ଯୁତ ହୋଇ ସମଗ୍ର ଜୀବଜଗତକୁ ପ୍ରେମ କରି ପରମାର୍ଥୀ ହେବା ପାଇଁ ସେ ଆଜି ସଂପୂର୍ଣ୍ଣ ଭାବେ ସଜ । ସେ ତା'କୁ ବି ଭଲପାଏ ଯିଏ ଅତୀତରେ ଦିନେ ତା'କୁ ଜୀବନ ବାଟରେ ପ୍ରତାରଣାର ଅସଲ ସ୍ବାଦ ଚଖାଇଥିଲା । କାରଣ ସେ ଏହା ବୁଝି ପାରିଲା ଯେ, ସେ ମୋତେ ପ୍ରତାରଣା ଦେଲା ବୋଲି ଆଜି ମୁଁ ସାରା ବିଶ୍ବକୁ ଭଲ ପାଇବାର ଏକ ନୂତନ ପଥ ଆବିଷ୍କାର କରି ପାରିଲି । ବିଶ୍ବର ମଙ୍ଗଳ ସାଧନ କରି ପାରିବି ନିଃସନ୍ଦେହରେ । ପ୍ରେମ, ଶାନ୍ତି ଆଉ ଅହିଂସାର ପ୍ରଚାର ପ୍ରସାର କରି ପାରିବି ଜୀବନ ତମାମ୍ ।


        - ତୁମେ ସତ କହୁଛ ଜଗନ୍ ଭାଇ । ଏହା ସତ, ଜୀବନରେ ଯଦି ମୁଁ ପ୍ରତାରଣା ପାଇ ନଥାନ୍ତି ଏଭଳି ଏକ ନିଆରା ଅନୁଭବ କେବେବି ମୋ ହୃଦୟ ଓ ମସ୍ତିଷ୍କରେ ବସା ବାନ୍ଧି ନଥାନ୍ତା । 


        - ( ମୁଁ କହିଲି ) ଏଣୁ ପ୍ରତାରଣା ଭାବନା ମଧ୍ୟ ଭାବନା ରାଜ୍ୟର ଶ୍ରେଷ୍ଠ ଭାବନା । ଦୁଃଖ ନଥିଲେ ସୁଖର ଅନୁଭବ ଯେମିତି ଲାଗନ୍ତା, ପ୍ରତାରଣା ନଥିଲେ ପ୍ରେମର ଅନୁଭବ ମଧ୍ୟ ସେମିତି ଲାଗୁଥାନ୍ତା । ପଶ୍ଚାତାପ୍ ନ କରିବା ଯାଏଁ କେବେ କ'ଣ ଆଗକୁ ସହଜରେ ବଢି ହୁଏ ? ମନ ଭିତରେ ଯେବେ ଅତୀତର କଥା ସବୁ ମନେପଡେ ସେବେ ଭୁଲ୍ ଠିକ୍ ସବୁ ନିର୍ବାଚନ କରି ଆମେ ଆଗକୁ ବଢିଥାନ୍ତି । ଯଦି ପଛ କଥା କେବେ ମନେ ନ ପଡନ୍ତା, କ'ଣ ଆଗକୁ କେବେ ଆମେ ବଢି ପାରନ୍ତେ ? ଯଦି ବା ବଢନ୍ତେ, ହେଲେ; ସେ ବଢିବାରେ କୌଣସି ମଧୁରତା ନଥାନ୍ତା, ପ୍ରେମ କିମ୍ବା ଶାନ୍ତି ନଥାନ୍ତା ।


       ଐଶ୍ବର୍ଯ୍ଯା ତତେ ପ୍ରତାରଣା ଦେଲା ଏଥିରେ ତୁ ଜମା ଦୁଃଖିତ ହେଏନା । ଏ ସଂସାରରେ ଯେମିତି ପ୍ରେମ ଅଛି ଠିକ୍ ସେମିତି ପ୍ରତାରଣା ମଧ୍ୟ ଅଛି । ପ୍ରତାରଣା ପାଇ ପ୍ରତାରିତ ସାଜୁଥିବା ବ୍ଯକ୍ତି ମାନେ ହିଁ କେବଳ ଉତ୍ତର ରଖି ପାରିବେ କେତେ ଯେ' କଷ୍ଟ ଆଉ ଯନ୍ତ୍ରଣା ଦାୟକ ଏଇ ବିପରୀତ ଭାବନା ? କେତେ ଯେ ଅସହ୍ଯ ତାହା ଶବ୍ଦରେ ବଖାଣିବା ଜମା ସହଜ ନୁହେଁ ? ପ୍ରତାରଣା ପାଇଲା ପରେ ଆତ୍ମା ଓ ଶରୀର ଅଲଗା ହେଇଯିବା ପାଇଁ ଅନେକ ପ୍ରୟାସ କରନ୍ତି । ଲୁହ ଆଉ କୋହର ପରମ ସାଥୀ ସାଜି ମୃତ୍ୟୁ ଦେଶକୁ ଯିବା ପାଇଁ ମନ ବଳାନ୍ତି । ହେଲେ; ପ୍ରେମରେ ହୃଦୟ ଓ ମସ୍ତିଷ୍କ ଖୁସିରେ ଆତ୍ମବିଭୋର ତଥା ଗଦ୍ ଗଦ୍ ହୋଇଯାଏ । ପ୍ରଶାନ୍ତିର ପରମ ଆନନ୍ଦ ଅନୁଭବ କରିହୁଏ । ଯଦି ଆମେ ଥରେ ପ୍ରେମ ଓ ପ୍ରତାରଣାର ଉର୍ଦ୍ଧ୍ବକୁ ଯାଇ ଚିନ୍ତା କରିବା ତେବେ ସବୁ ପ୍ରଶ୍ନର ଉତ୍ତର ପାଇ ପାରିବା । ପ୍ରେମ ଆମକୁ ସୃଷ୍ଟି ଦେଇଛି । ଏ ସଂପୂର୍ଣ୍ଣ ଶରୀର ପ୍ରେମରେ ଗଢା । ଏ ସୃଷ୍ଟିରେ ତୁମେ ଦେଖି ପାରୁଥିବା ଆଉ ଦେଖି ପାରୁନଥିବା ଅର୍ଥାତ୍ ଅନୁଭବ କରୁଥିବା, ହେଲେ; ସ୍ପର୍ଶ କରି ପାରୁ ନଥିବା ସବୁକିଛି ହିଁ ପ୍ରେମରୁ ଭିଆଣ । କାହାକୁ ପ୍ରତାରଣା ଦେବା ଆଗରୁ ତା'ର ଭୁଲ୍ କ'ଣ ଥରୁଟେ ପଚାରିବାକୁ ହେବ । କୌଣସି ଭୁଲ୍ ନଥାଇ ମୋହ ବଶତଃ ହୋଇ ଅନ୍ଯକୁ ଭୁଲ୍ ବୋଲି ବିବେଚନା କରିବା ଅତ୍ଯନ୍ତ ପୀଡା ଦାୟକ । ଅନ୍ଯର ଭାବନା ସହ ଖେଳି ପୀଡା ଦେବା ଘୋର ପାପ । ଲକ୍ଷେ ପୂଣ୍ୟ କାର୍ଯ୍ଯ କଲେ ସୁଦ୍ଧା ସେଇ ଗୋଟିଏ ପାପକୁ ସହଜରେ ବିନାଶ ତଥା ଧୋଇ ହୁଏ ନାହିଁ । ଏଣୁ ଧରାରେ ପାପ ରଚନା କରିବା ଆଗରୁ ସତର୍କ ରହିଯିବା ହିଁ ଭଲ । ଯେମିତି ନିଜକୁ କଦାପି ପାପ ସ୍ପର୍ଶ କରି ନପାରେ । ଆମେ ଜାଣି ପାରନ୍ତି ନାହିଁ ବାସ୍ତବରେ ପ୍ରଥମ ପସନ୍ଦ ତଥା ପ୍ରଥମ ପ୍ରେମ ହିଁ ସଠିକ୍ ନିର୍ବାଚନ ଥାଏ । ଯାହା ଜୀବନର ଅନ୍ତିମ ସମୟ ଯାଏଁ ହୃଦୟରେ ରାଜ୍ କରେ । ଆମେ ପ୍ରଥମ ଭଲପାଇବା କୁ ସର୍ବଦା ଲୁଚାଇ ଥାନ୍ତି । କାହା ଆଗରେ ପ୍ରକାଶ କରିବା ପାଇଁ ମନ ବଳାନ୍ତି ନାହିଁ । ଆମେ ଜାଣନ୍ତି ପ୍ରଥମ ପ୍ରେମ ହିଁ ଆମ ପାଇଁ ଉପଯୁକ୍ତ ଥିଲା । ହେଲେ ପର ମୁହୂର୍ତ୍ତରେ ଯେବେ ଆମେ ଫଛକୁ ଫେରି ଦେଖନ୍ତି ଆମର ପ୍ରଥମ ପ୍ରେମକୁ ଆମେ ପ୍ରତାରଣା ଦେଇ ସାରିଥାନ୍ତି । ତା'କୁ ଦୂରେଇ ଦେଇଥାନ୍ତି ଜୀବନ ବାଟରୁ । ଅନେକ ଦୂରକୁ ଫିଙ୍ଗି ଦେଇଥାନ୍ତି ସାତପର ଭାବି । ଏହା ତ ସତ୍ଯ କି ତା'କୁ ହିଁ ଏ ହୃଦୟ ସଚା ପ୍ରେମ କରୁଥିଲା, ଯାହା ଆଜି ପ୍ରକାଶ କରିବା ଭାରି କଷ୍ଟ ।


         ହଁ, ଅତୀତର ସେ ସଂପର୍କ ମଧୁର ହୋଇଥାଏ, ନହେଲେ; ହୃଦୟରେ କେମିତି ଜାଗାଟିଏ ବନେଇଁ ସ୍ମୃତି ହୋଇ ରହିଯାଏ ଜୀବନ ସାରା ?


        ଏ ସଂସାରରେ ସମସ୍ତଙ୍କର ଆଉ ସବୁ ଭାବନାର ମୂଲ୍ଯ ଅଛି । ବିପରୀତ ଭାବନା ଯଦି ଧରାରେ ନଥାନ୍ତା ଏ ଜୀବନ ଜୀବନ୍ତ ଲାଗୁ ନଥାନ୍ତା । ବ୍ରହ୍ମାଣ୍ଡରେ ପ୍ରେମର ଯେତିକି ମହତ୍ତ୍ବ ତଥା ଭୂମିକା ଅଛି ପ୍ରତାରଣାର ବି ସେତିକି ଅଛି । ପୂଣ୍ୟ ର ଯେତିକି ମହତ୍ତ୍ଵ ଅଛି ପାପର ମଧ୍ୟ ସମ ପରିମାଣରେ ଅଛି । ବିକର୍ଷଣ ନ ଥିଲେ କେବେ କ'ଣ ଆକର୍ଷଣ ସମ୍ଭବ ? ବିପରୀତ ଭାବନା ନଥିଲେ ଆମ ମସ୍ତିଷ୍କ ଭାବ ଶୂନ୍ଯ ହୋଇ ଯାଆନ୍ତା । କାହାକୁ ଭଲ ବୋଲି ସ୍ବୀକାର କରିବାକୁ ଆମକୁ ଯୁଗ ଯୁଗ ଅନନ୍ତ ଅନନ୍ତ ସମୟ ଲାଗିଯାନ୍ତା ।


         ଯାହାକୁ ଏ ହୃଦୟ ଆପଣାର ବୋଲି ସ୍ବୀକାର କରିନିଏ କେବଳ ତା' କଥା ହିଁ ସେ ଶୁଣିବାକୁ ଆଉ ଭାବିବାକୁ ଭଲପାଏ । ତା' ଛଡା ଆଉ କିଛି ତା'କୁ ଦୃଶ୍ଯ ହୁଏନାହିଁ । ଦୂର ଦେଶ ଗଲେ ତା' କଥା ହିଁ ସ୍ମରଣ ହୁଏ, ଜମା ଭୁଲି ହୁଏନି । ଏହା ତ ସତ୍ଯ ଜଣକୁ ମନପ୍ରାଣ ଦେଇ ଭଲ ପାଇବାରେ ମଗ୍ନ ହେବା ହିଁ ସ୍ବାର୍ଥ ଅର୍ଥାତ୍ ସଂସାରରେ ନିଜର ସ୍ବାର୍ଥ ହାସଲ ପାଇଁ କର୍ମ କେବଳ ସ୍ବାର୍ଥୀ ହିଁ କରିଥାଏ । ସ୍ବାର୍ଥ ଯୁକ୍ତ ସଂପର୍କ ଅଢେଇ ଦିନ । ଏ ଭାବନା ଧରାରେ ବେଶି ଦିନ ତିଷ୍ଠି ରହି ପାରେନି । ଦେଖୁନୁ ତୋ ଭଳି ମୁଁ ବି ଦିନେ ଅନ୍ଯ ପଛରେ ପଡି ବାଉଳା ହେଉଥିଲି । ହେଲେ; ଆଜି ମୁଁ ସଂପୂର୍ଣ୍ଣ ପିଞ୍ଜରା ମୁକ୍ତ । 


        ହେଲେ ଭାଇ ତଥାପି ମଧ୍ୟ ମୁଁ ଦ୍ବନ୍ଦରେ ଅଛି । ମୋତେ ଟିକେ ବୁଝାଇ ଦିଅନ୍ତୁ ।


       ପଚାର୍ ।


      ଐଶ୍ବର୍ଯ୍ଯା ଠାରୁ ସିନା ପ୍ରତାରଣା ପାଇଲି । ହେଲେ; ତା'କୁ ନିରବରେ ନିରନ୍ତରେ ଏବେ ଭଲ ପାଇ ପାରିବି କି ନାହିଁ ? 


       - ନ ଜଣାଇଁ କ'ଣ ପ୍ରେମ କରି ହୁଏନି ? ଅନ୍ଯକୁ ଜଣାଇ ପ୍ରେମ କରିବା ହିଁ ତ ସ୍ବାର୍ଥ । ଏ ସଂସାରର ପ୍ରତ୍ଯେକ ଉଦ୍ଭିଦ ଓ ପ୍ରାଣୀ ପରସ୍ପରକୁ ନିବିଡ ଭାବରେ ପ୍ରେମ କରନ୍ତି । କେହି କାହାରି ଠାରୁ ଅଭିନ୍ନ ନୁହଁନ୍ତି । କାହାକୁ ନ ଜଣାଇ ସଂପୂର୍ଣ୍ଣ ଜଗତକୁ ପ୍ରେମ କରିବା ହିଁ ଆନନ୍ଦ । ମୁଁ ତୁମକୁ ପ୍ରେମ କରେ । ତୁମେ ମୋତେ ପ୍ରେମ କର କି ନାହିଁ, କୁହ ? ଏମିତି ଅନ୍ଯକୁ ପଚାରିବା ହିଁ ମୋହ ଆଉ ସ୍ବାର୍ଥ ରେ ଡୁବି ରହିବା । ତୁମକୁ କ'ଣ ପଞ୍ଚଭୂତ ଭଲ ପାଆନ୍ତିନି ? ବହୁତ ଭଲ ପାଆନ୍ତି । ହେଲେ ତୁମକୁ କେବେ ଭଲପାଏ, ପ୍ରେମ କରେ ବୋଲି କହିଛନ୍ତି ? କେବେ କହି ନଥିବେ । ହେଲେ; ତୁମକୁ ପ୍ରଚୁର ପ୍ରେମ କରନ୍ତି । ଏହା ତୁମେ ଜାଣ । କୌଣସି ବୃକ୍ଷକୁ କେବେବି ତୁମେ ପ୍ରେମ କରୁଛି ବୋଲି କହିଛ କି ? କହିନ ନା ! କେମିତି ହେଲେ କହିବ ସେ ତ ଦେଖି ପାରେ ନାହିଁ କି ଶୁଣି ପାରେ ନାହିଁ, କହି ପାରେ ନାହିଁ କି ଚଲାବୁଲା କରିପାରେ ନାହିଁ । ପୁଣି ସେ ଦେଖିବାକୁ ସୁନ୍ଦର ବି ନୁହେଁ । କିନ୍ତୁ ସେ ତୁମକୁ ଭଲପାଏ - ପ୍ରଚୁର ପ୍ରେମ କରେ । ସତ କି ନାହିଁ ? ଏହା ହିଁ ସତ୍ଯ । ତୁମେ ସେଇ ମାନଙ୍କୁ ହିଁ ପ୍ରେମ କର ନା ଯିଏ ତୁମ କଥା ଶୁଣିପାରେ, ତୁମକୁ ଯେ ଦେଖି ପାରେ, ତୁମ ସହ ଯିଏ ଚଲାବୁଲା କରିପାରେ, ଭାବ ଦେଇ ତୁମ ସହ କଥା ହେଇପାରେ । ହେଲେ; ଯାହାକୁ ତୁମେ ସୁସ୍ଥ - ଶବଳ - ରୂପ ରଙ୍ଗ ଦେଖି ଭଲପାଅ ସେ ଯେବେ କୌଣସି ଦୈବୀ ଦୁର୍ଘଟଣାର ଶୀକାର ହୋଇ ଆପଣାର ଅଙ୍ଗ ହରାଏ ତୁମେ ସେବେ ତା'କୁ ପ୍ରତାରଣା କର । ଏହା ତୁମର କି ପ୍ରକାର ଭଲପାଇବା ? ତୁମେ ତ ସ୍ବାର୍ଥୀ । ଏମିତି ତ ଅନେକ ଜୀବ ଜଗତରେ ଅଛନ୍ତି ଯେଉଁ ମାନେ ନା ଶୁଣି ପାରନ୍ତି ନା ଦେଖି ପାରନ୍ତି, ନା କଥା କହି ପାରନ୍ତି ନା ଚଲାବୁଲା ତୁମ ପରି କରି ପାରନ୍ତି । ଯେବେ ତୁମେ ସାରା ବିଶ୍ବକୁ ହୃଦୟ ସହକାରେ ପ୍ରେମ କରିବା ଆରମ୍ଭ କରିବ ସେବେ ହିଁ ତୁମେ ପରମାର୍ଥୀ ବୋଲାଇବ । ଆପଣାର ଆତ୍ମାକୁ ପରମାତ୍ମାଙ୍କ ଠାରେ ଲୀନ କରାଇ ପାରିବ ।


        ଟିକିଏ ମଉନ ରହି ପୁଣି ତା' କୁ ମୁଁ ପଚାରିଲି, ତୁ ଏବେ ନିଜ ହୃଦୟ କୁ ଥରେ ପଚାର୍ ତ, ତୁ ଆଜିଯାଏଁ ତା'କୁ ଯେତିକି ସମୟ ଦେଇଛୁ ସେ ତତେ ଏବେ ସେତିକି ସମୟ ଦେଇ ପାରିବ କି ?


       - ସେ ଆଉ କି ସମୟ ଦେବ ଭାଇ ? ସେ ତ ମୋତେ ଏବେ ପ୍ରତାରଣା କରୁଛି ।


       - ତା' ହେଲେ ତୁମ ଦୁହିଙ୍କ ପ୍ରେମରେ କ'ଣ ସ୍ବାର୍ଥ ନ ଥିଲା, କହ ? ମାନୁଛି ତୁ କେବେବି ମୋ କଥାକୁ ସ୍ବୀକାର କରିବୁ ନାହିଁ । ଏବେ ସମୟ ଆସିଛି ଭାଇ ସୁଧୁରି ଯାଆ । ବେଳହୁଁ ସାବଧାନ ହୋଇ ସମଗ୍ର ଜୀବଜଗତ କୁ ଭଲପାଆ, ତୁ ପରମାର୍ଥୀ ବୋଲାଇବୁ ।


        ମୋ କଥାରୁ ସେ କ'ଣ ବୁଝିଲା କେଜାଣି ଆଖିରୁ ଲୁହ ସବୁ ପୋଛି ମଉନ ହୋଇ ଗୋଟେ ସୁର୍ ରେ ତାଙ୍କ ଗାଆଁ ଜାମୁନାଳୀ ଆଡକୁ ଫେରିଗଲା ।


        ତା' ଆର ଦିନ ଶୁଣିଲି ସେ ଘୁରୁଡୁଖମଣ ଗାଆଁ ର ଏକ ଶାଳଗଛରେ ନିଜ ବାଇକ୍ କୁ ଧକ୍କା ଦେଇ ଗାଢ ନିଦ୍ରାରେ ସବୁଦିନ ପାଇଁ ଶୋଇ ଯାଇଛି ।



Rate this content
Log in

Similar oriya story from Classics