ABADHOOT PANDA

Horror Classics

3  

ABADHOOT PANDA

Horror Classics

ପୁରୁଖା ଗୋସେଇଁ ଅଜାଙ୍କ କଥା

ପୁରୁଖା ଗୋସେଇଁ ଅଜାଙ୍କ କଥା

6 mins
221


ସ୍ବର୍ଗତ ବାପାଙ୍କ ସ୍ବର୍ଗତ ଅଜାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର l ଆଈଙ୍କ ନାମ ଥିଲା ଇନ୍ଦୁମତୀ l ତାଙ୍କ ନିଜ ମାମୁଁ ଘର କଟକ ଜିଲ୍ଲାର ସତ୍ୟଭାମାପୁର ମଧୁ ବାରିଷ୍ଟରଙ୍କ ଘର ପାଖରେ l ଅବିଭକ୍ତ ବ୍ରିଟିଶ ଇଣ୍ଡିଆ ଅମଳର କଥା l କୃଷ୍ଣ ଅଜା ସେତେବେଳେ ବର୍ମାରେ ଶିକ୍ଷକତା କରୁଥାନ୍ତି l ସେତେବେଳେ ତାଙ୍କ ବୟସ ମାତ୍ର ଉଣେଇଶରୁ କୋଡ଼ିଏ ଭିତରେ l ବର୍ମାର ରେଙ୍ଗୁନ୍ ରେ ଥିବାବେଳେ ଦିନେ ଏକ ଟେଲିଗ୍ରାମ ପାଇଲେ ଯେଉଁଥିରେ ଲେଖାଥିଲା, " Your daughter born at village come soon " l ଏତେ କମ ବୟସରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବାରୁ ତାଙ୍କ ଛାତି କୁଣ୍ଢେ ମୋଟ l ତେଣୁ ବାର୍ତ୍ତା ପାଇବା ମାତ୍ରେ ପାଖ ପୋଷ୍ଟ ଅଫିସ୍ କୁ ଯାଇ ଉତ୍ତର ଦେଲେ, " Don't worry I must reach at village on the 21st day " l


ତାପରେ ଯୋଗାଡ଼ ଯନ୍ତ୍ର କରୁକରୁ ପ୍ରାୟ ଉଣେଇଶ ଦିନ ଲାଗିଗଲା l ବ୍ରିଟିଶ ଶାସନ ଭାଡ଼ି କଡ଼ା l ଚାକିରିଆଙ୍କୁ ଯେମିତି ଅତି ଗେହ୍ଲା କରନ୍ତି ସେମିତି କାମ ଆଦାୟ କରନ୍ତି l ଅଜା ଦରଖାସ୍ତ ଦେଇ ଗୋରା ସାହେବଙ୍କ ଅନୁମୋଦନ କରାଇବା, ଅନ୍ୟ ଜଣଙ୍କୁ କାର୍ଯ୍ୟ ଭାର ଦବା, ଜିନିଷ ପତ୍ର କିଣାକିଣିରେ ବେଶୀ ସମୟ ଲାଗିଗଲା l ସବୁ କାମ ସରିଲା ପରେ ସେ ରେଙ୍ଗୁନ୍ ଷ୍ଟେସନରୁ ଟ୍ରେନ୍ ଧରି ଦିଲ୍ଲୀରେ ପହଞ୍ଚି ଟ୍ରେନ ବଦଳାଇ ବଦଳାଇ କଟକ ଷ୍ଟେସନ୍ ରେ ପହଞ୍ଚି ପୁରୀ ତାଳଚେର ପାସେଞ୍ଜର ଟ୍ରେନରେ କେନ୍ଦ୍ରାପଡ଼ା ରୋଡ଼ ( ଅଧୁନା ଜଗତପୁର ) ଷ୍ଟେସନରେ ରାତି ଆଠ ଟାରେ ଓହ୍ଲାଇ ଘରପାଇଁ ହାଣ୍ଡିଏ ରସଗୋଲା, ଗୋଲାପ ଜାମୁ, ଲେଡିକିନି, ଶିଶୁକନ୍ୟାପାଇଁ ପୋଷାକ ଆଉ ଜୋତା ମୋଜା ଦସ୍ତାନା ଇତ୍ୟାଦି କିଣି ଭର୍ତ୍ତି କଲେ ବ୍ୟାଗରେ l ସେ ସମୟରେ ଯାନ ବାହନର ଅଭାବ l ତେଣୁ ଚାଲି ଚାଲି ଆଗେଇଲେ l ପାଗା ହାଟ ପାଖରେ ପହଞ୍ଚି ଅଜା ହାତଘଣ୍ଟାକୁ ଚାହିଁ ଦେଖିଲେ ସାଢ଼େ ନଟା ବାଜିଛି l


କାନ୍ଧରେ ଲମ୍ବା ହାତ ବାଲା ଓଜନିଆ ବ୍ୟାଗ ଝୁଲାଇ ଆଗକୁ ଚାଲିଲେ l ମାଘ ମାସ ବାଘ ଶୀତ l ହାତରେ ମନ୍ତୁରା ବେତ ବାଡ଼ି l କୃଷ୍ଣ ପକ୍ଷର କାଳି ଅନ୍ଧାରି ଜହ୍ନ ଆଲୁଅରେ ପାଦଚଲା ଗାଉଁଲି ରାସ୍ତାରେ ଅଜା ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲୁଥାନ୍ତି l ପ୍ରାୟ ଅଧ ମାଇଲ୍ ବାଟ ଚାଲିଲା ପରେ ପାଗା ଗାଁର ମଶାଣି ପଡ଼ିଲା l ବଡ଼ ଭୟଙ୍କର ମଶାଣି l ପ୍ରବାଦ ଅଛି ସେହି ମଶାଣିରେ କୁଆଡ଼େ ଖରାବେଳେ ଭୂତ ଡାହାଣୀ ଦେଖା ଦେଇଥାନ୍ତି l ଅଜା ମଶାଣି ଭିତର ସରୁ ପାଦଚଲା ରାସ୍ତା ଦେଇ ଆଗେଇ ଯାଉଥାନ୍ତି l ରାସ୍ତା ଦୁଇ କଡ଼ରେ ବୁଦୁ ବୁଦୁକିଆ ଜଙ୍ଗଲ l ହଠାତ୍ ଅଜା ଦେଖିଲେ ରାସ୍ତା ଉପରେ ଜଣେ ସ୍ତ୍ରୀଲୋକ ଗୋଡ଼ ଲମ୍ବେଇ ବସିଛି l ତା କୋଳରେ ଗୋଟିଏ ଲଙ୍ଗଳା ଶିଶୁ ଶୋଇଛି l ସ୍ତ୍ରୀ ଲୋକଟି ଆଁ କରି ପାଟିରୁ ନିଆଁ ବାହାର କରୁଛି ଆଉ ସେଇ ନିଆଁରେ ତା କାନିରେ ପୁଡ଼ିଆ କରି ପିଲାଟିକୁ ସେକୁଛି l ( ଏକ ଗ୍ରାମ୍ୟ ପ୍ରବାଦ ଅଛି ଯେ ଯେଉଁ ମାମାନେ ଏନ୍ତୁଡ଼ିଶାଳରେ ପିଲା ଜନ୍ମକରି ନପାରି ମରିଯାନ୍ତି ସେମାନେ ମଲାପରେ ପ୍ରେତିନୀ ପାଲଟି ଯାଆନ୍ତି ଯାହାକୁ ଗାଁ ଲୋକେ ପିତାଶୁଣୀ କୁହନ୍ତି l )


ପିତାଶୁଣୀ ଓ ଅଜାଙ୍କ ମଧ୍ୟରେ ଦୂରତା ପ୍ରାୟ ପାଞ୍ଚ ଶହ ମିଟର l ଅଜା ଭାରି ସାହସୀ ପ୍ରକୃତିର l ସେ ଡରି ନଯାଇ ମଶାଣି ରାସ୍ତା ପାଖରେ ଗୋଟାଏ ଝଙ୍କାଳିଆ ପିଜୁଳି ଗଛର ଓସାରିଆ ଶାଖା ଉପରକୁ ଚଢ଼ି ତାଉପରେ ବସିଗଲେ l ଝୁଲା ମୁଣିଟିକୁ ଗଛ ଡାଳରେ ଟଙ୍ଗେଇ ହାତରେ ମନ୍ତୁରା ବେତ ଧରି ବସି ପିତାଶୁଣୀର ଗତିବିଧି ଲକ୍ଷ୍ୟ କଲେ l ପ୍ରାୟ ଅଧ ଘଣ୍ଟା ପରେ କଁଅଳା ପିଲାଟିକୁ ନିଜ ପାଟି ନିଆଁରେ ସେକି ସେକି ପିତାଶୁଣୀଟି ମଶାଣି ଭିତରେ ଅଦୃଶ୍ୟ ହେଇଗଲା l ଯାହା ହେଉ ଆମ ଅଜା ଟିକେ ରିହାତି ପାଇଲେ ଓ ଗଛରୁ ଓହ୍ଲେଇ ପୁଣି ସତ୍ୟଭାମାପୁର ଗାଁ ଆଡ଼କୁ ଆଗେଇ ଚାଲିଲେ l କିନ୍ତୁ ମଶାଣି ଶେଷ ହେଇ ନଥାଏ l ଅଜା ମଶାଣି ମଝିରେ ପହଞ୍ଚିଲେ l ସେତେବେଳକୁ ରାତି ଏଗାରଟା l ଜହ୍ନ ଆଲୁଅ ମଳିନ ଦିଶୁଥାଏ lବଡ଼ ବଡ଼ ଗଛ ଘେରରେ ରାସ୍ତା ଝାପ୍ସା ଦେଖା ଯାଉଥାଏ l ଚାରିଆଡ଼ ଅନ୍ଧାର କିଟିମିଟି l ଅଜା ନିଜର ଦୁଇ ସେଲିଆ ଟର୍ଚ୍ଚ ଟିପି ଟିପି ଆଗକୁ ମାଡ଼ି ଚାଲୁଥାନ୍ତି l


ଆହୁରି ଏକ କିଲୋମିଟର ରାସ୍ତା ଚାଲିଲା ପରେ ଗାଁ ପଡ଼ିବ l ରାସ୍ତାର ଡାହାଣ ପାଖରେ ଥିବା ଏକ ବଡ଼ ବେତ ବଣ ସହିତ ଘଞ୍ଚ ବୁଦା ବାଡ଼ l ଭିତରୁ ଏକ କାଳୀ ସ୍ତ୍ରୀଲୋକ ଜିଭ ବାହାରକରି ଲମ୍ବା ଲମ୍ବା ବାଳ ମୁକୁଳେଇ ହଠାତ୍ ରାସ୍ତା ଉପରକୁ ଚାଲି ଆସି ଅଜାଙ୍କ ସାମ୍ନାରେ ଠିଆ ହେଇ ପଡ଼ିଲା l ହାତରେ ଧରିଥିବା ଏଭେରେଡି ଟର୍ଚ୍ଚ ଲିଭିଗଲା l ତଥାପି ଅଜା ଡରିବା ଲୋକ ନୁହଁ l ସେହି ଅଶରୀରୀଣୀ କୁ କହିଲେ, " ବ୍ୟସ୍ତ ହୁଅନି l କାଲି ମୋ ଝିଅର ଏକୋଇଶିଆ ପୂଜା l ସତ୍ୟନାରାୟଣ ପୂଜା ଆଉ ପାଲା କରେଇବି l ତୋତେ ଭୋଗ ଶିରିଣି ଆଣି ଦେବି l ମନ ଭରି ଖାଇବୁ l ମୋତେ ବାଟ ଛାଡ଼ିଦେ l " ଏତିକି କହି ନିଜ ମନ୍ତୁରା ବେତକୁ ବୁଦାରେ ତିନି ଥର ବାଡ଼େଇବାରୁ ସେହି ଅତୃପ୍ତ ଆତ୍ମା ( ଗାଉଁଲି ଭାଷାରେ ଅପ ଦେବତା କୁହନ୍ତି ) ଉଭେଇ ଗଲା l ଅଜା ଚାଲି ଚାଲି ଘରେ ପହଞ୍ଚିଲେ l


ଘରକବାଟକୁ ଠକ୍ ଠକ୍ କରି ବାଡେ଼ଇଲା ପରେ ଅଜାଙ୍କ ବାପା କବାଟ ଖୋଲିଲେ l ରାତି ଗୋଟାଏ ବେଳେ ପୁଅର ଫେରିବା ଦେଖି ରାଗି ନିଆଁ ବାଣ ହେଇ କହିଲେ, " ତୁ ଗୋଟାଏ ପରା ମାଷ୍ଟର l ପିଲାଙ୍କୁ ଶିକ୍ଷା ଦଉଛୁ l ନିଜକୁ ଶିକ୍ଷା ଦେଇ ପାରୁନୁ l ରାତି ଗୋଟାଏ ମାନେ ଶୋଇବା ବେଳ l ଯୋଉ ବାଟ ଦେଇ ଆସିଲୁ ସେଇ ବାଟ ଭୂତ ପ୍ରେତ ଡାହାଣୀ ଚିରିଗୁଣୀଙ୍କ ଅଡ୍ଡା ଜାଗା l ସେମାନଙ୍କ ହାବୁଡ଼ରେ ଡରୁଆ ଲୋକ ପଡ଼ିଲେ ତାର ହାର୍ଟଫେଲ୍ ହେଇଯିବ l ତୁ ମୋର ଗୋଟିଏ ପୁଅ l ତୋର କିଛି ହେଇଗଲେ ମତେ କେମିତି ଲାଗିବ ଭାବିଲୁ l ଯଦି ଟ୍ରେନ୍ ଡେରିରେ ପହଞ୍ଚିଲା ତେବେ ଷ୍ଟେସନ ମାଷ୍ଟରଙ୍କୁ କହି ୱେଟିଂଗ୍ ରୁମ୍ ଭିତରେ ଶୋଇ ପଡ଼ିଥାନ୍ତୁ l ବଡ଼ି ଭୋରରୁ ଚାଲିଆସିଥାନ୍ତୁ l ଆଜିଠୁଁ ମନେ ରଖ ଏଣିକି ଏତେ ରାତିରେ କେବେ ଆଉ ଏମିତି ଭୁଲରେ ଆସିବୁନି l ତୋର ପରା ଝିଅ ହେଲାଣି l କିଛି ବର୍ଷ ପରେ ପ୍ରତ୍ୟକ୍ଷ ଜାଣିବୁ ବାପାର ହୃଦୟ କଣ l ହଉ ଯା ସାର୍ଟ ପ୍ୟାଣ୍ଟ ମୋଜା ସବୁ ଓଲ୍ହେଇ ବାହାରେ ରଖିଦେ l ସକାଳେ ଉଜଳା ନେଇଯିବ l ହାତ ମୁହଁ ଧୋଇ ଟିକେ ଶୋଇ ଯା l" ଗୋସେଇଁ ଅଜାଙ୍କ ଏମିତି ଗାଳି ଶୁଣି ଆମ କୃଷ୍ଣ ଅଜା କହିଲେ, " ହଁ ତୁମେ ଯାହା ଉପଦେଶ ଦେଲ ସବୁ ଠିକ୍ କଥା ବାପା l ମୁଁ ତୁମର ଭୟାଳୁ ପୁଅ ନୁହେଁ ଯେ ଭୂତକୁ ଦେଖି ଡରି ଛାନିଆ ହେଇଯିବି l ମୁଁ ଭୁତୁଣୀକୁ ଜବାବ ଦେଇଛି ଆଉ ମୋ ବେତରେ ଦି ପାହାର ପକେଇଛି l କାଲି ଝିଅର ଏକୋଇଶିଆ ପୂଜା ସରିଲେ ମୁଁ ମଶାଣୀକୁ ଯାଇ ତାକୁ ନିଜ ହାତରେ ଭୋଗ ଆଉ ଶିରିଣୀ ଖୁଆଇ ଆସିବି l " ହିମ୍ମତ୍ ଵାଲା ପୁଅର ଏପରି ଦମ୍ଭୋକ୍ତି ଶୁଣି ମନେ ମନେ ଗୋସେଇଁ ଅଜା ବହୁତ ଖୁସି ହେଇଗଲେ ଓ ପାନଖିଆ ପାଟିକୁ ସଫା କରି ଖଟ ଉପରେ ଶୋଇ ପଡ଼ିଲେ l


ପର ଦିନ ବାପାଙ୍କ ଅଜାଙ୍କ ଶିଶୁ କନ୍ୟା ଅର୍ଥାତ୍ ମୋର ଭାବୀ ଜେଜେମାଙ୍କ ଏକୋଇଶିଆ ପୂଜା ବଡ଼ ଧୂମ୍ ଧାମ୍ ରେ ପାଳିତ ହେଲା l ସାହି ଵାଲା ଓ ଗାଁ ଵାଲା ପାଲା ଵାଲା ଓଗେର ପେଟ ଭରି ଭୋଜନରେ ବିଶେଷ ଆପ୍ୟାୟିତ ହୋଇ ଶିଶୁ କନ୍ୟାଟିକୁ ଆଶୀର୍ବାଦ କଲେ l ଏ ସବୁ ଝାମେଲା ଶେଷ ହେଲା ପରେ ସାଙ୍ଗରେ ତିନି ଜଣ ସାହି ଲୋକଙ୍କୁ ନେଇ,ହାତରେ ସତ୍ୟନାରାୟଣ ପ୍ରସାଦ ଓ ଶିରିଣୀପୂର୍ଣ୍ଣ ମାଟି ହାଣ୍ଡି,କଦଳୀ ପତ୍ର,ମାଟିସରାରେ ପାଣି ଧରି ଅଜା କୃଷ୍ଣଚନ୍ଦ୍ର ଚାଲିଲେ ପାଗା ମଶାଣି ଆଡ଼କୁ l ରାତି ପ୍ରାୟ ସାଢ଼େ ବାର ପାଖା ପାଖି l ବୁଦା ପାଖ ବେତ ବଣ ପାଖରେ ପହଞ୍ଚିଲେ ସମସ୍ତେ l ବୁଦା ମୂଳେ କଦଳୀ ପତ୍ରଉପରେ ପାଣି ଛିଞ୍ଚା ସରିଲାପରେ ଭୋଗଶିରିଣୀ ହେଲା ପରସା l ଜଳପୂର୍ଣ୍ଣ ସରାଟି ଯତ୍ନ ସହକାରେ ଭୋଗପତ୍ରର ଡାହାଣ କଡ଼ରେ ଥୋଇ ଦେଇ ହାତ ଯୋଡ଼ି ଆହ୍ୱାନ କଲେ ଅପଦେବତାଙ୍କୁ," ହେ ଅତୃପ୍ତ ଆତ୍ମା ମୋର ପ୍ରତିଶ୍ରୁତି ଅନୁଯାୟୀ ଆପଣଙ୍କ ପାଇଁ ସତ୍ୟନାରାୟଣଙ୍କ ଶିରିଣୀ ପ୍ରସାଦ ଆଉ ପୁରି ତରକାରୀ ଆଣିଛି l କୃପା ପୂର୍ବକ ଆପଣ ପ୍ରସାଦ ସେବନରେ ଆପ୍ୟାୟିତ ହୁଅନ୍ତୁ l ଭୋଜନାନ୍ତେ ମାଟି ପାତ୍ରରୁ ଜଳପାନ କରି ତୃପ୍ତ ହୁଅନ୍ତୁ ଏବଂ ମୋର ଶିଶୁ କନ୍ୟାଟିକୁ ଆଶୀର୍ବାଦ କରନ୍ତୁ l "


ହଠାତ୍ ବିନା ପବନରେ ବୁଦା ଭିତରୁ ଖସ୍ ଖସ୍ ଆୱାଜ୍ ଆସିଲା, ପତ୍ର ହଲିବାକୁ ଲାଗିଲା ଓ ଲିଭି ଗଲା ଟର୍ଚ୍ଚ ଆଲୁଅ l ତାପରେ ଶୁଭିଲା କାଚଚୁଡ଼ି ଝୁମ୍ ଝୁମ୍ ଶବ୍ଦ l ସମସ୍ତେ ଅବାକ୍ ହେଇ ରହିଲେ ଅନ୍ଧାରରେ l ଅଜା ତିନିଜଣ ସହଗାମୀଙ୍କୁ କହିଲେ," ଆମ କାମ ସରିଲା ଚାଲ ଫେରିଯିବା l ଏଠି ଆଉ ବେଶୀ ସମୟ ରହିବା ଉଚିତ୍ ହେବନି l କାରଣ ପ୍ରେତାତ୍ମାକୁ ଟିକେ ଦରକାର ନିରୋଳା ପରିବେଶ l ଆମେ ଠିଆ ହେଇ ରହିଲେ ନିଶ୍ଚୟ ତାର ପ୍ରସାଦ ସେବନରେ ବାଧା ଆସିବ l ସେ ବିରକ୍ତ ହୋଇ ଯିବ lଇଏ ଗୋଟିଏ ସ୍ତ୍ରୀର ବହୁତ ଶକ୍ତିଶାଳୀ ଆତ୍ମା l ବହୁ ଦିନରୁ ଇଏ ଅତୃପ୍ତ ରହି ଆସିଛି l ଆଜି ନାରାୟଣଙ୍କ ପବିତ୍ର ପ୍ରସାଦ ସେବନ କରି ବୋଧ ହୁଏ ମୋକ୍ଷ ପାଇଯିବ l ଆଉ ମନେରଖ ତୁମେମାନେ ଗାଁମୁହାଁ ହେଇ ଚାଲିଲା ବେଳେ ପଛକୁ ଭୁଲରେ ବି ଚାହିଁବନି l କାରଣ ପ୍ରେତିନୀ ରାଗି ଯାଇ ବେକ ମୋଡ଼ି ଦେଇ ପାରେ l କାହିଁକି ନା ଦେଖ ତାର ନକାରାତ୍ମକ ଶକ୍ତିର ପ୍ରଭାବରେ ମୋ ଟର୍ଚ୍ଚ ଆପେ ଆପେ ଲିଭିଯାଇଛି l ଏହି ଜାଗାରୁ ବାହାରି ଗଲେ ପୁଣି ଜଳିବ l" ଅଜାଙ୍କ ଅନୁରୋଧ କ୍ରମେ ତିନି ଜଣ ଅନୁଗାମୀ ଅଜାଙ୍କ ଆଗେ ଆଗେ ଚାଲିଲେ l ସତକୁ ସତ ପ୍ରାୟ ତିରିଶ ହାତ ଫେରିଲା ପରେ ଟର୍ଚ୍ଚ ପୁଣି ଆପେ ଆପେ ଜଳି ଉଠିବା ସହିତ ତୃପ୍ତିପୂର୍ଣ୍ଣ ଭୋଜନର ଦୀର୍ଘ ନିଶ୍ଵାସର ଉଚ୍ଚ ଶବ୍ଦ ସମସ୍ତେ ଶୁଣିପାରିଲେ ସତେ ଯେମିତି ଦୀର୍ଘଦିନର ଅତି ଭୋକିଲା ଲୋକ ଜଣେ ଅନଶନ ଭଙ୍ଗ କରୁଛି l ଘରକୁ ଫେରି ସମସ୍ତେ କଲେ ବିଶ୍ରାମ l ସକାଳୁ ଗାଁ ପୋଖରୀ ତୁଠକୁ ନିତ୍ୟ କର୍ମ ସାରିଵାକୁ ଗଲାବେଳେ ମଶାଣି ବୁଦା ମୂଳ ଆଡ଼କୁ ଆଗେ ଆମ ଅଜା ମୁହେଁଇଲେ l ଦେଖିଲେ ଗତ କାଲି ରାତିର ଖାଦ୍ୟ ଉଚ୍ଚିଷ୍ଟ ଓ ପାନୀୟର ତିଳେ ମାତ୍ର ଚିହ୍ନ ବର୍ଣ୍ଣ କିଛି ନାହିଁ କେବଳ ପରିଷ୍କୃତ କଦଳୀ ପତ୍ର ଏବଂ ଶୁଷ୍କ ମାଟିର ପାଣି ସରାଟି ପଡ଼ି ରହିଥାଏ ନିଶ୍ଚଳ ଭାବେ l

           **********



Rate this content
Log in

Similar oriya story from Horror