Trushna Das

Drama Tragedy Others

4.3  

Trushna Das

Drama Tragedy Others

ସ୍ୱାମୀ ମୋର ଜଣେ ଦେବତୂଲ୍ୟ ଲୋକ

ସ୍ୱାମୀ ମୋର ଜଣେ ଦେବତୂଲ୍ୟ ଲୋକ

7 mins
356


ତିଥି କୁନୁ ଦୁଇ ବର୍ଷର ପୁଅ ଶିବାକୁ ନେଇ ଶୋଇ ଥାଆନ୍ତି। କେତେଦିନ ହେଲାଣି ତାଙ୍କ ସ୍ୱାମୀ ଦୀପକ ଘରକୁ ଆସି ନାହାଁନ୍ତି। ଦୀପକ ଜଣେ ଡାକ୍ତର। ଫୋନ କରି ସେ ତିଥିଙ୍କୁ କହିଲେ ଜଣେ ରୋଗୀର ଦେହ ବହୁତ ଖରାପ। ତେଣୁ ସେ କିଛି ଦିନ ସେ ରୋଗୀର ଘରେ ଯାଇ ରହିବେ।ଡ୍ରାଇଭର ସବୁବେଳେ ଘରେ ରହିବ.... କିଛି ବି ଅସୁବିଧା ହେବ ନାହିଁ। 


ରାତି ପାଖାପାଖି ଏଗରଟା ହେବ। ହଠାତ୍ ଫୋନ ଆସିଲା ବାପାଙ୍କର ମୋବାଇଲରୁ। ବାପାଙ୍କ ଫୋନ ଦେଖି ସେ ଚମକି ଗଲେ। ପାଖାପାଖି ଦେଢ ବର୍ଷ ହେଲାଣି ତିଥିଙ୍କ ବାପଘର ସହ ସମ୍ପର୍କ ନାହିଁ। 


ଫୋନ ଉଠାଇଲେ ତିଥି। ମାଆ କହିଲେ ତିଥି ଜଲଦି ତୁ ଡାକ୍ତରଖାନା ପଳେଇ ଆସ୍। 


ଡାକ୍ତରଖାନା କଣ ହେଇଛି ମାଆ.... ତିଥି ପଚାରିଲେ। 


ମାଆ କହିଲେ ଫୋନରେ କହି ପାରିବିନି..... ତୁ ଜଲଦି ଆ। 


ତିଥି ସାଙ୍ଗେ ସାଙ୍ଗ ବାହାରିଲେ ଡାକ୍ତରଖାନା। ପୁଅ ଶିବାକୁ ଶୋଇ ଥିବା ଅବସ୍ଥାରେ ସେମିତି ଧରି ବାହାରିଲେ। ଡ୍ରାଇଭରକୁ ଫୋନରେ କହିଲେ ଗାଡି କାଢିବା ପାଇଁ। ଦୀପକଙ୍କୁ ବି ଫୋନ କରୁ ଥାଆନ୍ତି। ହେଲେ କଣ ହୋଇଛି କେଜାଣି ସକାଳଠାରୁ ଦୀପକଙ୍କ ଫୋନ ଲାଗୁ ନାହିଁ। 


ଗାଡିର ପଛ ସିଟରେ ଶିବାକୁ ଧରି ତିଥି ବସିଛନ୍ତି। ପୁରୁଣା କଥା ଭାବି ଆଖିରୁ ଲୁହ ବୋହି ଯାଉଛି। 


ଦେଢ ବର୍ଷର ତଳ କଥା।ତିଥିଙ୍କ ବଡ ଭାଈଙ୍କର ବାହାଘର। ଦୀପକ ବହୁତ ମଜା କରନ୍ତି। ଶଳା ଭାଉଜ ବୋଲି ଥଟ୍ଟା ଲାଗୁ ଥାଆନ୍ତି।ହେଲ ଭାଉଜ ବୋଧେ ମଜାକୁ ଅନ୍ୟ ଅର୍ଥରେ ନେଉଥିଲେ। ସେ ବୋଧେ ତିଥିଙ୍କ ଭାଈଙ୍କୁ ଏ ବିଷୟରେ ଆଗରୁ କିଛି କହିଥାଆନ୍ତି। 


ଚତୁର୍ଥୀ ପର ଦିନ କଥା। ଦୀପକ,ତିଥି,ତାଙ୍କ ଭାଈ ଓ ଭାଉଜ ବସି କଥା ହେଉଥାଆନ୍ତି।ପୁଅ ଶିବା କାନ୍ଦିବାରୁ ତିଥି କ୍ଷୀର ପିଆଇବା ପାଇଁ ନିଜ ରୁମକୁ ଗଲେ। ଗୋଟିଏ ଫୋନ ଆସିବାରୁ ତିଥିଙ୍କ ଭାଈ ରୁମରୁ ବାହାରକୁ ଗଲେ। ଫୋନ୍ ସାରି ରୁମରୁ ଭିତରକୁ ଆସନ୍ତି ତ ଦେଖିଲେ ଯେ ଦୀପକ ଭାଉଜଙ୍କ ଶାଢୀର ପଣତକାନୀକୁ ହାତରେ ଧରିଛନ୍ତି ଓ ଆଉ ଗୋଟିଏ ହାତରେ ଭାଉଜଙ୍କୁ ଧରିଛନ୍ତି। ଭାଉଜ ଅଧା ପଡିଲା ପରି ଦୀପକଙ୍କ ହାତରେ। ଦୀପକଙ୍କ ହାତ ଭାଉଜଙ୍କ ଅଣ୍ଟାରେ ଓ ପଣତକାନୀ ଖସି ଯାଇଛି। ଭାଉଜ କଣ କରୁଛନ୍ତି ଦୀପକ ବାବୁ ପଚାରୁଛନ୍ତି। 


ଏତିକି ଶୁଣି ତିଥିଙ୍କ ଭାଈ ଆସି ଜୋରରେ ପାଟି କରି ଦୀପକଙ୍କୁ ଜାବୁଡାଟିଏ ମାରିଛନ୍ତି। ସାଙ୍ଗେ ସାଙ୍ଗ ବନ୍ଧୁ ବାନ୍ଧବ ଆସି ଏକତ୍ର ହୋଇ ଗଲେ।ସବୁ ଦୀପକଙ୍କୁ ଛି ଛି କହିଲେ। ଏମିତି କି ତିଥିଙ୍କ ବାପା ବି ଦୀପକଙ୍କୁ କହିଲେ ତୁମ ଠାରୁ ମୁଁ ଏପରି ବ୍ୟବହାର ଆଶା କରି ନ ଥିଲି। ତିଥିଙ୍କ ମାଆ କହୁ ଥାଆନ୍ତି ଟିକେ ଦୀପକଙ୍କ କଥା ଶୁଣନ୍ତୁ ତ....? ହେଲେ ସମସ୍ତଙ୍କର ମନକୁ ଯାହା ଆସିଲା କହି ଗଲେ। 


ତିଥି ପାଟି ଶୁଣି ଶିବାକୁ ରୁମରେ ଶୁଆଇ ଦୌଡି ଆସିଲେ। ନିଜ ସ୍ୱାମୀଙ୍କ ଅପମାନ ସେ ସହି ପାରିଲେ ନାହିଁ।କଣ ହୋଇଛି କିଛି ନ ପଚାରି କହିଲେ ଆପଣମାନେ ଯାହା କହୁଛନ୍ତି ସବୁ ମିଛ। ମୋ ସ୍ୱାମୀ କେବେ ଚରିତ୍ରହୀନ ନୁହଁନ୍ତି। କାରଣ ମୁଁ ଜାଣିଛି ସେ ସେମିତି କିଛି ବି କରିବେନି। ଆଜକୁ ମୋର ବାହାଘର ଚାରି ବର୍ଷ ହେଲାଣି। ମୁଁ ବିବାହ ଆଗରୁ ବିରାଟଙ୍କୁ ଭଲ ପାଉଥିଲି। ହେଲେ ବାପାଙ୍କ ଜିଦରେ ମୁଁ ଦୀପକଙ୍କୁ ବିବାହ କଲି.... ଆଉ ପ୍ରଥମ ରାତିରେ ମୁଁ ତାଙ୍କୁ ସବୁ ଜଣାଇଲି...... ଆଉ ସମୟ ମାଗିଲି।ସେ ମୋ କଥାରେ ରାଜି ବି ହେଲେ। ଯେ ଲୋକ ସ୍ୱାମୀ ହୋଇ ମଧ୍ୟ ମୁଁ ସମୟ ମାଗି ଥିବାରୁ ବାହାଘର ଛଅ ମାସ ଧରି ମୋତେ ନଜର ଉଠାଇ ଦେଖି ନାହାଁନ୍ତି..... ମୋତେ ଛୁଇଁବାକୁ ଚେଷ୍ଟା କରି ନାହାଁନ୍ତି..... ସେ ପୁଣି ନିଜ ଶଳା ଭାଉଜଙ୍କ ସହ ଏମିତି....ନା ଏହା ଅସମ୍ଭବ। କେବଳ ସେତିକି ନୁହେଁ ମୁଁ ତାଙ୍କର ଭଲ ଗୁଣ ଦେଖି ଛଅ ମାସ ପରେ ତାଙ୍କ ସହ ସାଂସାରିକ ଜୀବନ ଆରମ୍ଭ କଲି। କିଛି ମାସ ମୋରେ ମୁଁ ଗର୍ଭବତୀ ହେଲି। ହେଲେ ମୋର ଗର୍ଭ ନଷ୍ଟ ହୋଇ ଗଲା। ଡାକ୍ତର କହିଲେ ମୋର ମାଆ ହେବା କଷ୍ଟ। ତଥାପି ଦୀପକ ହାର ମାନି ନାହାଁନ୍ତି। ସହରର ବଡ ବଡ ଡାକ୍ତରଙ୍କ ଠାରୁ ମୋର ଚିକିତ୍ସା କରାଇଛନ୍ତି। ଦେଖନ୍ତୁ ଆଜି ମୋ ଛୁଆ ଶିବା.... ଦୀପକଙ୍କ ପାଇଁ ମୁଁ ମାଆ ହୋଇଛି।ଆଉ ଆପଣମାନେ ଏତେ ବଡ ଦୋଷ ଦେଲେ।


ତିଥିଙ୍କ ଭାଈ କହିଲେ.... ବାସ୍ ଥାଉ। ତୁ ତୋ ସ୍ୱାମୀର ଗୁଣଗାନ କରନି। ତୋ ଭାଉଜ ମୋତେ ଆଗରୁ ଦୀପକଙ୍କ ବିଷୟରେ କହିଛି..... ତାକୁ ଦୀପକର ବ୍ୟବହାର ଭଲ ଲାଗେ ନାହିଁ। 


ଶେଷରେ ତିଥି ରାଗି ଯାଇ ନିଜ ରୁମକୁ ଯାଇ ପୁଅ ଶିବା ଓ ନିଜ ଲୁଗାପଟା ଧରି ବାହାରକୁ ଆସିଲେ ଏବଂ ଦୀପକଙ୍କ ହାତ ଧରି କହିଲେ ଠିକ୍ ଅଛି..... ଯଦି ମୋ ସ୍ୱାମୀ ଖରାପ ତେବେ ମୋର କି ମୋ ସ୍ୱାମୀ ଏ ଘର ସହ ସମ୍ପର୍କ ନାହିଁ। ଯେଉଁ ଘରେ ମୋ ସ୍ୱାମୀର ଅପମାନ ହେବ ସେ ଘରେ ମୁଁ ରହିବି ନାହିଁ। କେବଳ ତିଥିଙ୍କ ମାଆ ତିଥିଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ। ତିଥିଙ୍କ ବାପା କହିଲେ ତିଥି ପାଗଳୀ ହୋଇ ଯାଇଛି। ତାକୁ ଯିବା ପାଇଁ ଦିଅ। ତା ସହ ଆମର ସମ୍ପର୍କ ନାହିଁ। ଆଉ ତୁମେ କେହି ଯଦି ତା ସହ କଥା ହେବ ତାହା ହେଲେ ମୋର ମଲା ମୁହଁ ଦେଖିବ। ସେବେ ଠାରୁ ତିଥି ଓ ତାଙ୍କ ବାପଘର ସମ୍ପର୍କ କଟି ଯାଇଛି। 


ଦୀପକ ଘରକୁ ଆସି କହିଲେ ତିଥି ମୁଁ ସତ କହୁଛି.... ମୋର ଉଦ୍ଦେଶ୍ୟ ଖରାପ ନ ଥିଲା। ଭାଉଜଙ୍କ ପଣତକାନୀ ଟେବୁଲ ଫ୍ୟାନରେ ଲାଗି ଯାଇଥିଲା। ସେ ଦେଖି ନ ଥିଲେ। ତାଙ୍କ କାନୀକୁ ଫ୍ୟାନରୁ କାଢିବା ସମୟରେ ସେ ଛିଡା ହୋଇ ଗଲେ ଏବଂ ଟାଣି ହୋଇ ମୋ ହାତରେ ପଡିଲେ। ତାଙ୍କୁ ଲାଗିଲା ମୁଁ ତାଙ୍କ ସହ ଖରାପ ବ୍ୟବହାର କରିବାକୁ ଯାଉଥିଲି ବୋଲି। ତାଙ୍କର ବି କିଛି ଭୂଲ ନାହିଁ। ତିଥି କହିଲେ ଛାଡ ସେ କଥା..... ଭାଉଜଙ୍କୁ ନେଇ ମୋର ରାଗ ନାହିଁ। ରାଗ ତ ଭାଈ ଓ ବାପାଙ୍କ ଉପରେ.... ସେ କଣ ତୁମକୁ ଜାଣି ନାହାନ୍ତି? 


ତିଥିଙ୍କୁ ଦୀପକ ବୁଝାନ୍ତି ଯେ ରାଗ ଛାଡି ଯାଆ ବାପା ମାଆଙ୍କ ସହ କଥା ହେବ। ସେମାନେ ବଡ। ତାଙ୍କ କଥାକୁ ଧରି ରଖିଛ। କିନ୍ତୁ ତିଥି କୁହନ୍ତି ସେ ଘରକୁ ମୋର ଯିବାର ନାହିଁ। ଅଭିମାନ ମାରି କୁହନ୍ତି ସେଠି ମୋର କେହି ନାହିଁ.... କେବଳ ମାଆକୁ ଛାଡ଼ି ଦେଲେ। ମାଆ ତ ଲୁଚି ଲୁଚି ଆସେ ମନ୍ଦିର ପାଖକୁ ମୋତେ ଦେଖା କରେ.... ଶିବା ସହ ଖେଳେ।ଆଉ କାହା ପାଇଁ ଯିବି ସେଠାକୁ। 


ହେଲେ ଆଜି ଏତେ ରାତିରେ ଏତେ ଦିନ ପରେ ମାଆଙ୍କ ବାପାଙ୍କ ମୋବାଇଲରୁ ଫୋନ.... ପୁଣି ଡାକ୍ତରଖାନା ଡାକିଲେ.....ତିଥି ବ୍ୟସ୍ତ ହୋଇ ପଡୁଥାଆନ୍ତି।


ତିଥି ଡାକ୍ତରଖାନା ପହଞ୍ଚି ମାଆ ପାଖକୁ ଗଲେ। ମାଆଙ୍କ ଠାରୁ ଶୁଣିଲେ ବାପା ଆ. ଇ. ସ୍ୟୁ ରେ ଅଛନ୍ତି। ତାଙ୍କଧ କିଡନି ଦୁଇଟି ଯାକ ନଷ୍ଟ ହୋଇ ଯାଇଥିବାରୁ କିଡନି ଅପରେଶନ ହୋଇଛି। 


ଏତିକିବେଳେ ନର୍ସ ତିଥିଙ୍କୁ ଦେଖି କହିଲେ ମ୍ୟାଡମ୍ ଆପଣ ଆସିଗଲେ..... ଭଲ ହେଲା।ଦୀପକ ସାର ଏବେ ଠିକ୍ ଅଛନ୍ତି। ହେଲେ ସେ ଏବେ ଅଚେତ ଅଛନ୍ତି। 


ତିଥି ଚମକି ଗଲେ। ପଚାରିଲେ ନର୍ସ କଣ ହୋଇଛି ମୋ ଦୀପକଙ୍କ। 


ନର୍ସ କହିଲେ ଚାଲନ୍ତୁ ମୁଁ ଦୀପକ ସାରଙ୍କ ପାଖକୁ ନେଇ ଯିବି। ତିଥି ଶିବାକୁ ମାଆ ପାଖରେ ଛାଡି ଦେଇ ନର୍ସ ସହ ଗଲେ। ଦେଖିଲେ ଦୀପକ ଅଚେତ ଅବସ୍ଥାରେ ଅଛନ୍ତି ଏବଂ ଭାଈ ଭାଉଜ ଦୀପକଙ୍କ ପାଖରେ ବସିଛନ୍ତି। ତିଥି କାନ୍ଦି କାନ୍ଦି ନର୍ସଙ୍କୁ ପଚାରିଲେ କୁହନ୍ତୁ ମୋ ଦୀପକଙ୍କ କଣ ହୋଇଛି। 


ନର୍ସ କହିଲେ ତାଙ୍କର ଅପରେଶନ ହୋଇଛି। 


ତିଥି କହିଲେ ଅପରେଶନ.... କଣ ଅପରେଶନ।ସେ ତ ରୋଗୀ ଚିକିତ୍ସା ପାଇଁ ସହର ବାହାରକୁ ଯାଇ ଥିଲେ ଯେ। 


ତିଥିଙ୍କ ଭାଈ ଆସି କହିଲେ ତିଥି ଆମକୁ କ୍ଷମା କରି ଦେ। 


ତିଥି କହିଲେ ଭାଈ ସେ ସବୁ ଛାଡ.... ମୋତେ କୁହ ମୋ ଦୀପକଙ୍କ କଣ ହୋଇଛି। 


ତିଥିଙ୍କ ଭାଈ କହିଲେ ଶୁଣ ତିଥି। ବାପାଙ୍କ ଦେହ କିଛି ମାସ ହେବ ଭଲ ନ ଥିଲା। ତାଙ୍କ କିଡନି ଦୁଇଟି ଯାକ ନଷ୍ଟ ହୋଇ ଯାଇ ଥିଲା। ତାଙ୍କର ଚିକିତ୍ସା ଚାଲିଥାଏ। ଡାକ୍ତର କହିଲେ ଗୋଟିଏ ହେଲେ ବି କିଡନି ଟ୍ରାନ୍ସଫର ନ କଲେ ବାପାଙ୍କ ବଞ୍ଚିବା କଷ୍ଟ। ଭାଗ୍ୟକୁ ଠିକ୍ ମାସେ ହେବ ଦୀପକ ଏ ଡାକ୍ତରଖାନାକୁ ବଦଳି ହୋଇ ଆସିଲେ। ହେଲେ ଏବେ ବି ଆମେ ଦୀପକଙ୍କ ସହ କଥା ହେଉ ନ ଥିଲୁ।ଭାବୁଥିଲୁ କେମିତି କା ଲୋକ କେଜାଣି.... ବାପାଙ୍କ ଏମିତି ଅବସ୍ଥା ଦେଖି ମଧ୍ୟ ସେ ତାଙ୍କ ମତାମତ କିଛି ଦେଉ ନାହାଁନ୍ତି। କିଡନି ଟ୍ରାନ୍ସଫର ପାଇଁ ଲୋକ ଖୋଜାଖୋଜି ଚାଲିଥାଏ। ହେଲେ କେହି ମିଳିଲେନି। ଯଦି ବି କେହି ରାଜି ହେଉ ଥିଲେ ବାପାଙ୍କ ସହ ତାର କିଡନି ମ୍ୟାଚ କରୁ ନ ଥିଲା। ବାପାଙ୍କ ଅବସ୍ଥା ଗୁରୁତର ହୋଇ ଗଲା। ଅପରେଶନ ନିହାତି ଦରକାର।ଆମେ ସବୁ ଚିନ୍ତାରେ ଥାଉ। 


ହଠାତ୍ ଡାକ୍ତର ଆସି କହିଲେ କିଡନି ଟ୍ରାନ୍ସଫର ପାଇଁ ଲୋକ ମିଳି ଗଲେ..... ହେଲେ ଗୋଟିଏ ସର୍ତ୍ତରେ ଯେ ସେ ନିଜ ପଚିଚୟ କାହାକୁ ଦେବା ପାଇଁ ମନା କରିଛନ୍ତି। 


ଏହା ଶୁଣି ଆମକୁ ଅଡୁଆ ଲାଗିଲା.... ଏମିତି ବା କିଏ.... ଯିଏ ବିନା ସ୍ୱାର୍ଥରେ..... ଟଙ୍କା ନ ନେଇ କିଡନି ଦେବାକୁ ରାଜି ହେଲେ। ଯାହା ବି ହେଉ ବାପା ଠିକ ହୋଇ ଯାଆନ୍ତୁ। ଆମେ ଅପରେଶନ ପାଇଁ ରାଜି ହେଲୁ। ଆଜି ଦୁଇ ପହରେ ଅପରେଶନ ହେଲା। ବାପାଙ୍କ ଅପରେଶନ ପରେ ଅବସ୍ଥା ଠିକ ଅଛି। ହେଲେ କିଏ କିଡନି ଦେଇଛି ଆମେ ଜାଣି ନ ଥିଲୁ। 


ତୋ ଭାଉଜ ଆମ ଝିଅକୁ କ୍ଷୀର ଖୁଆଇବା ପାଇଁ ଗାଡିକୁ ଯିବା ପାଇଁ ଆସୁଥାଏ।ସେ ଦୀପକଙ୍କୁ ଦେଖିଲା।ନର୍ସ ଦୁଇ ଜଣ ଦୀପକଙ୍କ ବିଷୟରେ କଥା ହେଉଥିବା ଶୁଣି ସେ ବୁଝି ଗଲା ଯେ କିଡନି ଦେଇ ଥିବା ଅଜଣା ଲୋକ ଆଉ କେହି ନୁହେଁ..... ଆମ ଦୀପକ। ସେ ସାଙ୍ଗେ ସାଙ୍ଗ ଆସି ଆମ ସମସ୍ତଙ୍କୁ କହିଲା। ମାଆ ଆସି ଦୀପକଙ୍କୁ ଦେଖି ଗଲା। ତାପରେ ତୋତେ ଫୋନ କରି ଡାକିଲା। ଆମେ ସବୁ ଏବେ ଅନୁତାପ କରୁଛୁ ତିଥି।ଆମକୁ କ୍ଷମା କରି ଦେ। 


ଭାଉଜ ବି ଆସି କହିଲେ ତିଥି ଆଜି ମୋର ଭୂଲ ବୁଝାବଣା ପାଇଁ ଆମ ଘର ଭାଙ୍ଗି ଗଲା। ମୋତେ କ୍ଷମା କରି ଦିଅ। ମୁଁ ନିଜକୁ ଲଜ୍ଜିତ ମନେ କରୁଛି। ଦେବତା ତୂଲ୍ୟ ଲୋକ ଉପରେ ମୋ ପାଇଁ ଏତେ ଘୃଣ୍ୟ ଦୋଷ ଲାଗିଲା।


ତିଥି ଭାଉଜଙ୍କୁ କହିଲେ ମୁଁ ତୁମ ଉପରେ ରାଗି ନାହିଁ......ଅଭିମାନ କରି ଥିଲି ବାପା ଆଉ ଭାଈ ଉପରେ...... ତୁମେ ତ ଜାଣି ନ ଥିଲ ଦୀପକଙ୍କୁ ଭଲ କରି.... କିନ୍ତୁ ସେମାନେ ବି ତାଙ୍କୁ ସନ୍ଦେହ କଲେ।ତାପରେ ସେ ସେଦିନର ସବୁ କଥା କହିଲେ। ଭାଈ ଓ ଭାଉଜ ନିଜକୁ ଧିକ୍କାର କଲେ।। 


ତିଥି ଭାଉଜଙ୍କ ପାଖରୁ ଭାଈ ତିନି ମାସର ଝିଅକୁ ନେଇ ଗେହ୍ଲ କଲେ।ତାପରେ ସେ ଦୀପକଙ୍କ ପାଖକୁ ଯାଇ ଆଖି ଛଳଛଳ କରି ବସିଲେ ଏବଂ ଦୀପକଙ୍କ ମୁଣ୍ଡ ଆଉଁସିବାକୁ ଲାଗିଲେ। ପାଖାପାଖି ଘଣ୍ଟେ ପରେ ଦୀପକଙ୍କ ଚେତା ଆସିଲା। ତିଥିଙ୍କୁ ଦେଖି କହିଲେ ତୁମେ....? ତୁମେ ବ୍ୟସ୍ତ ହେବ ବୋଲି କିଛି କହି ନ ଥିଲି। 


ତିଥି କହିଲେ ହଁ ମୁଁ ସବୁ ଜାଣି ସାରିଛି। ତୁମେ କିଛି କୁହନି। ଧିର କି ଶୋଇ ପଡ। ତାପର ଦିନ ସକାଳୁ ତିଥି ମାଆ ଆସି କହିଲେ ତିଥିଙ୍କୁ ତୋ ବାପାଙ୍କ ଚେତା ଆସିଲା। ତିଥି ଖୁସି ହୋଇ ଗଲେ ଏବଂ କହିଲେ ଏବେ ମୁଁ ବାପାଙ୍କୁ ଦେଖା କରିବି ନାହିଁ। ମୋତେ ଦେଖି ହୁଏ ତ ସେ ବିବ୍ରତ ହୋଇ ଯିବେ।ବାପାଙ୍କୁ ଏବେ କିଛି କହିବ ନାହିଁ। ପରେ କଥା ହେବା। 


ଦୀପକ ଜଲଦି ଭଲ ହୋଇ ଗଲେ। ବାପାଙ୍କୁ ଟିକେ ସମୟ ଲାଗିଲା। ବାପା ଡାକ୍ତରଖାନାରୁ ଘରକୁ ଯିବା ଦିନ ନିଜ ବୋହୂ ଠାରୁ ସବୁ ଶୁଣି ଅନୁତାପ କଲେ। ସେ ନିଜେ ଫୋନ କରି ଦୀପକ ଓ ତିଥିଙ୍କୁ ଡାକିଲେ।


ଦୀପକ ଓ ତିଥି ଆସିବାରୁ ବାପା ଦୀପକଙ୍କୁ ହାତ ଧରି କ୍ଷମା ମାଗି କହିଲେ ମୁଁ ତୁମ କୁ ଏତେ କଥା ବିନା ଦୋଷରେ କହିଲି। ହେଲେ ତୁମେ କିଛି ରାଗ ନ ରଖି ମୋତେ ବଞ୍ଚାଇଲ। ମୋତେ କ୍ଷମା କରି ଦିଅ..... ତିଥି ତୁ ବି ମୋତେ କ୍ଷମା କରି ଦେ। 


ଦୀପକ କହିଲେ ଛି ବାପା.... ବଡ ହୋଇ କ୍ଷମା ମାଗୁଛନ୍ତି। ଆପଣଙ୍କ ହାତ ଆମକୁ ଆଶୀର୍ବାଦ ଦେବା ପାଇଁ ଉଠାନ୍ତୁ। 


ତିଥି ବାପାଙ୍କୁ କୁଣ୍ଢାଇ ଧରିଲେ ଏବଂ କହିଲେ ବାପା ଦୀପକ ଭଳି ଲୋକ ମୁଁ ତୁମ ପାଇଁ ପାଇଲି..... ସ୍ୱାମୀ ମୋର ଜଣେ ଦେବତୂଲ୍ୟ ଲୋକ। ମୁଁ ତ ତୁମକୁ ଯେତେ ଧନ୍ୟବାଦ ଦେଲେ ବି କମ। 


ତାପରେ ଖୁସିରେ ସମସ୍ତେ ଡାକ୍ତରଖାନାରୁ ଘରକୁ ଗଲେ। ସବୁ ଠିକ ହୋଇ ଯିବା ଖୁସିରେ ତିଥିଙ୍କ ବାପା ପାର୍ଟି ଦେଲେ ଏବଂ ବନ୍ଧୁ ବାନ୍ଧବଙ୍କ ମୁହଁ ବନ୍ଦ କଲେ।


Rate this content
Log in

Similar oriya story from Drama