Ajaya Mahala

Children Stories Others

3  

Ajaya Mahala

Children Stories Others

ସାର୍

ସାର୍

7 mins
248



ସୁପରସାଇନ ସିନିୟର ସେକଣ୍ଡାରୀ ସ୍କୁଲ ।

ଜୟପୁର ପୁରୁଣା ସହରରେ ଅତ୍ୟଧିକ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁରୀ ବସ୍ତି ଭିତରେ ଅବସ୍ଥିତ ଏହି ସ୍କୁଲଟି । ଦୀପାବଳୀ ଆଉ ଚାରି ଦିନ ମାତ୍ର । ଝିଅ ଦୁଇଟି ଲେଡିଜ୍ ଟୟଲେଟ ଭିତରେ କଣ ଗୋଟିଏ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଲୋଚା ମୋଚା ଖବର କାଗଜଟିଏ ଚଟାଣରେ ରଖିଦେଲା ଝିଅଟିଏ । ଦ୍ଵିତୀୟ ଝିଅଟି ତା ସ୍କୁଲ ୟୁନିଫର୍ମ ଭିତରେ ଲୁଚାଇ ରଖିଥିବା ସୂତଲି ବମ ତା ଉପରେ ରଖିଲା । ତା'ପରେ ପ୍ରଥମ ଝିଅଟି କାଗଜରେ ମାଚିସ ମାରି ନିଆଁ ଲଗାଇଲା । ଆଉ କେହି ଦେଖିବା ପୂର୍ବରୁ ବିଜୁଳି ବେଗରେ ଦୌଡ଼ି ଚାଲିଗଲେ ସେମାନେ ।


କିଛି ସେକେଣ୍ଡ ପରେ ଭୟଙ୍କର ଶବ୍ଦକରି ବିସ୍ଫୋରଣ ହେଲା । ସ୍କୁଲର ଛାତ ହଲିଗଲା ଯେମିତି । ଚାହା ପିଇବା ଛାଡି ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ଛିଡା ହୋଇଗଲେ ସେମାନଙ୍କ ଜାଗାରେ । ମୂର୍ଛିତ ହୋଇ ପଡ଼ିଥିଲା ଝିଅଟିଏ ଟୟଲେଟ ଆଗରେ । ପାଖ ବଜାର ଭିତରୁ ଲୋକ ଦୌଡ଼ି ଆସିଲେ ସ୍କୁଲ ଭିତରକୁ । ଚୌକିଦାର ଗେଟ ପାଖରେ ରୋକିବାକୁ ଚେଷ୍ଟା କରୁଥିଲା ସେମାନଙ୍କୁ । 


ପ୍ରିନ୍ସିପାଲ ଲକ୍ଷ୍ମଣାନନ୍ଦ ଦୁଇ ଜଣ ସହାୟକ ଶିକ୍ଷକଙ୍କ ସହ ପହଞ୍ଚି ଯାଇଥିଲେ ତିନି ମହଲାରେ ଅବସ୍ଥିତ ନବମ ଶ୍ରେଣୀ ସେକ୍ସନ 'ଏ', ' ବି' ଆଉ ବିଜ୍ଞାନ ଲାବୋରେଟରୀ ପାଖରେ । ବେଶୀ ଡେରି ଲାଗି ନ ଥିଲା ବୁଝିବାକୁ କଣ ହୋଇଛି ବୋଲି । ଧୂଆଁ ଏବେ ବି ବାହାରୁଥିଲା ନିବୁଜ ଛୋଟ ଲେଡିଜ ଟୟଲେଟଟି ଭିତରୁ । ଛିନ୍ନ ଭିନ୍ନ ହୋଇ ପଡ଼ିଥିଲେ ଚାରିଆଡେ ସୂତା ଆଉ କାଗଜ । ଶକ୍ତିଶାଳୀ ସୂତଲୀ ବମ ଫୁଟାଇଛି କିଏ । ଲେଡିଜ ଟୟଲେଟରେ ଫୁଟିଛି ସତ, ଦୃଢ଼ ରୂପରେ କହି ହେବନି ଏଥିରେ ପୁଅପିଲାଙ୍କ ହାତ ନାହିଁ ବୋଲି । 


ଘଟଣାକୁ ନେଇ ପିଲା ମାନେ ସତର୍କ ହୋଇ ସାରିଥିଲେ । ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ନିଜ ନିଜ ଦ୍ୱାୟିତ୍ବରେ ଥିବା ଶ୍ରେଣୀ ଗୁଡିକର ତଲାସୀ ନେବା ପୂର୍ବରୁ ବାକି ଯାହା ବାଣ ସ୍କୁଲ ବ୍ୟାଗରେ ପିଲାମାନେ ଲୁଚାଇ ରଖିଥିଲେ ତାହା ଝରକା ବାଟେ ତଳକୁ ଫୋପାଡ଼ି ସାରିଥିଲେ । ସଫାଇ ଦ୍ୱାୟିତ୍ୱରେ ଥିବା ଶାନ୍ତିବାଇ ସେ ସବୁ ଗୋଟାଇ ପ୍ରିନ୍ସପାଲ ସାରଙ୍କ ଟେବୁଲ ଉପରେ ରଖି ଦେଇଥିଲା। ତ୍ୱରିତ ପଦକ୍ଷେପ ସ୍ୱରୂପ ସାଇନ୍ସ ଟିଚର ଅନିର୍ବାଣ ରାୟଙ୍କୁ ଦୋଷୀ ଛାତ୍ର କିମ୍ବା ଛାତ୍ରୀଙ୍କୁ ଚିହ୍ନଟ କରିବାର ଦ୍ୱାୟିତ୍ୱ ପ୍ରିନ୍ସିପାଲ ମହୋଦୟ ଦେଇଥିଲେ ।


ବଜାରରୁ ବମ୍ବ ବ୍ଲାଷ୍ଟ ହୋଇଥିବା ଭାବି ଦୌଡ଼ି ଆସିଥିବା ଜନତା ଏବେ ବୁଝି ସାରିଥିଲେ ଯେ ଏହା ପାଖେଇ ଆସିଥିବା ଦିବାଲୀର ସାଧାରଣ ବାଣ ଫୁଟା ଘଟଣା । ଅତ୍ୟଧିକ ରୂପରେ ଘବରେଇ ଯାଇଥିବା ଶିକ୍ଷକଶିକ୍ଷିକାମାନେ ଏବେ ମୁରୁକି ହସୁଥିଲେ । କିନ୍ତୁ ସେମାନଙ୍କ ପାଇଁ ମାମଲା କୌତୁହଳପ୍ରଦ ଥିଲା । ସ୍କୁଲରେ ମଝିରେ ମଝିରେ ପିଲାମାନେ ଏହିଭଳି ଘଟଣା ଘଟାଇ ଜୀବନରେ ଯତ୍ କିଞ୍ଚିତ ରୋମାଞ୍ଚ ଆଣିଥାଆନ୍ତି । ନ ହେଲେ ନିରସ ଶିକ୍ଷକ ଜୀବନରେ ଆନନ୍ଦ କାହିଁ ! ଶିକ୍ଷକ ମାନେ ଏହି ସବୁ ଗତିବିଧିରେ ଅଗ୍ରଣୀ ନାମୀ ପୁଅ ଝିଅ ମାନଙ୍କର ସୂଚୀ ପ୍ରସ୍ତୁତ କରି ସାରିଥିଲେ ଯେଉଁମାନେ ଟୟଲେଟ ବାଣ ଫୁଟା ଘଟଣାରେ ସମ୍ପୃକ୍ତ ଥିବେ ବୋଲି ଅନୁମାନ ଥିଲା । ୟା ଭିତରେ ଟୟଲେଟ ଆଗରେ ମୂର୍ଚ୍ଛିତ ପଡିଥିବା ଝିଅଟିର ହୋଶ ଫେରି ଅସଥିଲା । ହେଲେ ତା ପ୍ରତି କାହାର ଟିକେ ବି ସନ୍ଦେହ ନ ଥିଲା । ସେ ମାଛିକୁ ମ ନ କହୁଥିବା ସଂସ୍କୃତ ସାରଙ୍କ ଝିଅ ଅନିନ୍ଦିତା ।  


ଯାଞ୍ଚ ପ୍ରକ୍ରିୟାରେ ପ୍ରାରମ୍ଭିକ ସଫଳତା ମିଳିଥିଲା । ଜାଲିମ ସିଂ ଆଉ ଜୋରାବର ସିଂ ନାମକ ଦୁଇଟି ଛାତ୍ରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ଅନିର୍ବାଣ ସାର୍ । ସ୍କୁଲ ବସ୍ତାନୀ ତଲାସୀ ନେଲା ବେଳେ ସେମାନଙ୍କ ବ୍ୟାଗରୁ ବାଣ ନ ହେଲେ ବି ଅନ୍ୟ କିଛି ନିଷିଦ୍ଧ ବସ୍ତୁ ମିଳିଲା । ସ୍କୁଲରେ ମୋବାଇଲ ଫୋନ ଆଣିବା ମନା । କିନ୍ତୁ ସେମାନେ ତାହା ଟିଫିନ ବାକ୍ସରେ ଲୁଚାଇ ଆଣିଛନ୍ତି । ଦୁଇଟି ଯାକ ଛାତ୍ର ବହୁତ ଗରିବ ପରିବାରର। ସମସ୍ତେ ଜାଣିଛନ୍ତି ଦୁହେଁ ଯଦି ସ୍କୁଲରୁ ବାହାର ହୋଇଯିବେ, ସେମାନଙ୍କ ପକ୍ଷରେ କୌଣସି ଅଭିଭାବକ ବି ଆସିବେନି ଯୁକ୍ତି କରିବାକୁ । କିନ୍ତୁ ସ୍କୁଲକୁ ଅନ୍ୟ ଏକ କାରଣରୁ କ୍ଷତି ହେବ । ସ୍କୁଲ ହକି ଟିମର ସେ ଦୁହେଁ ଅଗ୍ରଣୀ ଖେଳାଳୀ । ଅନେକ ଗୁଡିଏ ଟ୍ରଫି ଜିତିବାରେ ସେମାନଙ୍କର ବ୍ୟକ୍ତିଗତ ଯୋଗଦାନ ଅଣଦେଖା କରି ହେବନି । 


ରାତି ଅନେକ ହେଲାଣି । ଅନିର୍ବାଣ ରାୟ ସ୍କୁଲ ସିସିଟିଭି ଫୁଟେଜ ଦେଖୁଛନ୍ତି ନିଜ ବସା ଘରେ । ଦିନ ୧୧.୨୫ ଠୁଁ ଆରମ୍ଭ କରି ୧୧.୩୫ ପର୍ଯ୍ୟନ୍ତ ଟାଇମ ଷ୍ଟାମ୍ପ ଥିବା ଦଶ ମିନିଟର ଯେଉଁ ଫୁଟେଜ ତାହାହିଁ ମହତ୍ତ୍ୱପୂର୍ଣ୍ଣ । ଟୟଲେଟ ବାଣ ଫୁଟା ଘଟଣାର ସୂତ୍ର ଖୋଜୁଛନ୍ତି । ଟୟଲେଟ ପାଖରେ କୌଣସି କ୍ୟାମେରା ନ ଥିଲା । କେବଳ ସାମ୍ନା ଵାଲା କରିଡରର ଆଂଶିକ ଚିତ୍ର ଦିଶେ । 


ଚମତ୍କୃତ ହେଲେ ସେ । ୧୧.୩୧ ସମୟରେ ଦଉଡି ଯାଉଥିବା ଦୁଇଟି ଝିଅଙ୍କ ଅସ୍ପଷ୍ଟ ଆଂଶିକ ଛବି ଫୁଟେଜରେ ରେକର୍ଡ଼ିଂଗ ହୋଇଛି । କେବଳ ଦୌଡୁଥିବା ଝିଅ ମାନଙ୍କୁ ଦେଖି ସନ୍ଦେହ କରିବା ଅମୂଳକ । ବିନା କାରଣରେ ସ୍କୁଲ କରିଡରରେ ସେମିତି ଦୌଡୁଥିବା ଝିଅ ଅନେକ ଅଛନ୍ତି । ତା ଛଡା ବାଣରେ ନିଆଁ ଲଗାଇ ସାରି ଜଣେ ନିଶ୍ଚିତ ଭାବରେ ଦୌଡ଼ିବ ଏହାର ବି କୌଣସି ଯଥାର୍ଥତା ନାହିଁ ।


ଏବେ ରହିଲା କ୍ଲାସରୁମ ଫୁଟେଜ ।   ନବମ ଶ୍ରେଣୀ ସେକ୍ସନ "ଏ" ର ଫୁଟେଜ ଦେଖା ଚାଲିଛି । ଚମକି ପଡିଲେ ଅନିର୍ବାଣ । ଆରେ ବାଃ ! ଦୋଷୀ ଝିଅ ଦୁଇଟି କେମିତି କ୍ଲାସରୁମରେ ପ୍ରବେଶ କଲେ ଉପରକୁ ହାତ ଉଠାଇ " ମିଶନ ଆକମ୍ପ୍ଲିସଡ" ମୁଦ୍ରାରେ । ଯେମିତି ସେମାନେ ବଡ଼ ଜୋରରେ "ୟା ହୂ" କହୁଛନ୍ତି । ଟିକେ ସମୟ ପରେ ଝିଅ ଦୁଅଟି ଝରକା ପାଖକୁ ବି ଦୌଡ଼ି ଯାଉଥିଲେ କିଛି ବ୍ୟାଗରୁ ତଳକୁ ଫିଙ୍ଗି ଦେବାକୁ । ଅନିର୍ବାଣ ସେମାନଙ୍କୁ ଚିହ୍ନଟ କରି ସାରିଛନ୍ତି । ଦୁଇଜଣ ହେଲେ ସାୟନା ଶର୍ମା ଆଉ ସ୍କୁଲକୁ ଚେସରେ ପ୍ରତିନିଧିତ୍ୱ କରୁଥିବା ନିବି ଓରଫ ନିବେଦିତା ସୈନି । 


ତା ପର ଦିନ । ନବମ ଶ୍ରେଣୀ ସେକ୍ସନ "ଏ" ରେ ଏବେ ସବୁ ପିଲାଙ୍କ ବେଞ୍ଚ ପାଖକୁ ଯାଇ ଅନିର୍ବାଣ ରାୟ ପଚରା ଉଚରା କରୁଛନ୍ତି। ପିଲାଙ୍କ ମୁହଁର ହାଵ ଭାବ ଦେଖୁଛନ୍ତି। ହେଲେ କେହି ସତ କଥା କହୁନାହାନ୍ତି । ଅନିର୍ବାଣ ମୁହଁରେ ଉପର ଦେଖାଣିଆ କ୍ରୋଧ ଫୁଟାଇ ରଖିଛନ୍ତି । କିନ୍ତୁ ମନେ ମନେ ଖୁସି ହେଉଛନ୍ତି କ୍ଲାସର ସମସ୍ତ ଛାତ୍ରଙ୍କ ଏକଜୁଟ ଭାବ ଦେଖି । ଦୃଷ୍ଟି ବୁଲାଉ ବୁଲାଉ ଆଖି ସ୍ଥିର କରିଦେଲେ ପାଖାପାଖି ବସିଥିବା ସାୟନା ଆଉ ନିବି ଉପରେ କିଛି ସେକେଣ୍ଡ ପାଇଁ । ନିବି ଟିକିଏ ଡରକୁରୀ । ସିଏ ପାଖରେ ବସିଥିବା ସାୟନାକୁ ଚିମୁଡ଼ି ସାରିଲାଣି । ଯେମିତି ସିଏ କହୁଛି, "ସାୟନା, ଏବେ ଖେଳ ଖତମ । ଦଣ୍ଡ ପାଇବାକୁ ପ୍ରସ୍ତୁତ ହୋଇ ଯାଆ"


ଅନିର୍ବାଣ ଦେଖୁଥିଲେ କେତେ କୁଶଳତା ସହ ଦୁହେଁ ମୁହଁରେ ନିର୍ଦ୍ଦୋଷ ଭାବ ଫୁଟାଇ ରଖିଛନ୍ତି । କିନ୍ତୁ ନିଜେ ତାଙ୍କୁ ଯେ ଅଭିନୟ କଳା କମ୍ ଜଣା ତା ନୁହେଁ । ପରମୂହୁର୍ତ୍ତରେ ସେ ଦୁହିଁଙ୍କ ଉପରୁ ଏବେ ନଜର ହଟାଇ ନେଇ ଅନ୍ୟ ଛାତ୍ର ମାନଙ୍କୁ ସେହିପରି ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ସାୟନା ଆଉ ନିବେଦିତା ଆଶ୍ୱସ୍ତ ହୋଇ ସାରିଥିଲେ ଯେ ସନ୍ଦେହର କଣ୍ଟା ସେମାନଙ୍କ ଉପରୁ ହଟି ସାରିଛି ।


କିଛି ସମୟ ଏହିପରି କରିବା ପରେ ଅନିର୍ବାଣ କହିଲେ, " ଏବେ ମତେ ସିସିଟିଭି ଫୁଟେଜ ଦେଖିବାକୁ ପଡିବ । ଯିଏ ବି ବାଣଫୁଟା ଘଟଣାରେ ସାମିଲ ଅଛନ୍ତି ସ୍କୁଲରୁ ତାକୁ ବାହାର କରାଯିବା ନିଶ୍ଚିତ । ତେଣୁ ସ୍ବେଚ୍ଛାରେ ନିଜର ଦୋଷ ସ୍ଵୀକାର କରିନେଲେ ଭଲ - ପ୍ରିନ୍ସିପାଲଙ୍କୁ କହି ଦଣ୍ଡରେ କିଛି କମ୍ କରାଯାଇପାରେ ।" ଯେବେ ସେ ସାୟନା ଆଡକୁ ଅନାଇଲେ ତା ମୁହଁରେ ପୂର୍ବ ପରି ସେହି ବେଖିଆଲ ଭାବ ଲାଗି ରହିଥିଲା । କିନ୍ତୁ ଏଥର ଟିକିଏ ଝାଉଁଳି ପଡିଥିଲା ଡ଼ରକୁରୀ ନିବେଦିତା । 


ଅଭିନୟର ରଙ୍ଗ ପୁଣି ବଦଳେଇଲେ ଅନିର୍ବାଣ । ଏଥର ନିଜର ହତାଶା ଦେଖାଇ ସେ କହି ଉଠିଲେ, " ମୁଁ ସିସିଟିଭି ଫୁଟେଜ ଦେଖି ସାରିଛି ପିଲେ ! ସେଥିରେ କିଛି ନାହିଁ" । ଏତିକି ଶୁଣିଲା ପରେ ସାୟନା ଆଉ ନିବି ଆଶ୍ଚର୍ଯ୍ୟ ବିସ୍ଫାରିତ ନେତ୍ରରେ ପରସ୍ପରକୁ ଦେଖୁଥିଲେ । ନିଜ ଚେୟାରରେ ଥାଇ ଅନିର୍ବାଣ ଦୂରରୁ ଅନୁଭବ କରୁଥିଲେ ଦୁହିଁଙ୍କ ମନରେ ବିନା କଷ୍ଟରେ ମିଳି ଯାଇଥିବା ଏହି ବିଜୟର ଉଲ୍ଲାସକୁ । ଦୁଃସାହସିକ କାମରେ ଆନନ୍ଦ ପାଉଥିବା ଦୃଢ଼ମନା ସାୟନା ଯେପରି ଟିକିଏ ହତପ୍ରଭ ହୋଇ ଯାଇଥିଲା ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟାର ଏହି ରୋମାଞ୍ଚହୀନ ପରିସମାପ୍ତିରେ । 


ଏବେ ଅନିର୍ବାଣ ନୂଆ ଆଉଏକ ଭୂମିକା ନେଲେ । କହୁଥିଲେ, ପ୍ରିନ୍ସିପାଲଙ୍କୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗତିବିଧି ନେଇ କିଛି ଗୋଟେ ରିପୋର୍ଟ ଆଜି ଶନିବାର ଭିତରେ ଦେବାକୁ ପଡିବ । ତାପରେ ସେ କାଳୀ ପୂଜା ଅବସରରେ କୋଲକତା ପାଇଁ ଟ୍ରେନ ଧରିବେ । ହାତରେ ସମୟ ନାହିଁ ବିସ୍ତୃତ ଯାଞ୍ଚ କରି ରିପୋର୍ଟ ଦେବା ଲାଗି ।  ସେ ସାଜିଗଲେ ଏକ ମୂର୍ଖରାଜା ଯେମିତି କ୍ଷଣିକ ପାଇଁ । ସେ ତାଙ୍କର ନିଷ୍ଠୁର ନିଷ୍ପତ୍ତି ଶୁଣାଇଲେ । ଜାଲିମ ସିଂ ଆଉ ଜୋରାବର ସିଂଙ୍କୁ ଛିଡ଼ା ହେବାକୁ କହିଲେ ଆଉ ଦଣ୍ଡ ପାଇଁ ପ୍ରସ୍ତୁତ ରହିବାକୁ କହିଲେ । ସେମାନଙ୍କ ବ୍ୟାଗରୁ ମୋବାଇଲ ଫୋନ ମିଳିଥିଲା । 

ସେତିକି ଯଥେଷ୍ଟ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ।


 ଅନିର୍ବାଣ ସାରଙ୍କ ଏହି ନିଷ୍ପତ୍ତି ଶୁଣି କ୍ଲାସର ସମସ୍ତ ଛାତ୍ରଛାତ୍ରୀ ସ୍ତବ୍ଧ ହୋଇଗଲେ । କେହିବି ଅନିର୍ବାଣ ସାରଙ୍କ ରିପୋର୍ଟକୁ ବିଶ୍ୱାସ କରିଯିବ । ବଡ଼ ବୈଜ୍ଞାନିକ ପ୍ରଣାଳୀରେ ସେ ତାଙ୍କର ଯୁକ୍ତି ରଖନ୍ତି ବୋଲି ଶିକ୍ଷକ ମାନଙ୍କ ଭିତରେ ଜଣାଶୁଣା । ସାୟନା ଭାବୁଥିଲା - ଜାଲିମ ଆଉ ଜୋରାବରଙ୍କ ସହ ଯାହା ଅନ୍ୟାୟ ହେଉ, ସେ ଆଉ ନିବି ଏବେ ବହୁତ ସୁରକ୍ଷିତ । ତା ଛଡା ସନ୍ଦେହର କଣ୍ଟା ଏବେ ପୁଅ ମାନଙ୍କ ଉପରେ । ସୂତଲି ବାଣ ପରି ଶକ୍ତିଶାଳୀ ବାଣ ଫୁଟାଇବା କୌଣସି ଝିଅ ପିଲାର କାମ ନ ହୋଇପାରେ !


ପର ମୂହୁର୍ତ୍ତରେ ସାୟନା ମୁଣ୍ଡ ବୁଲାଇ ପଛ ଧାଡିରେ ବସିଥିବା ଜାଲିମ ଆଉ ଜୋରାବରଙ୍କ ଆଡକୁ ଚାହିଁଲା । ଯେମିତି ମୁହଁରେ ହସ ନାହିଁ କି କାନ୍ଦ ନାହିଁ । କେଡ଼େ ବେୟକୁଫ ସେମାନେ ! ବାଣ ଫୁଟା କାଣ୍ଡରେ ଜଡିତ ନ ଥିବା ପକ୍ଷରେ କୌଣସି ଦୃଢ଼ ଯୁକ୍ତି ବି ଦେଉ ନାହାନ୍ତି । ମୋବାଇଲ ଫୋନ ରଖିଥିବା ଦୋଷ ଯୋଗୁଁ ଆଉ କୌଣସି ଆଧାରହୀନ ଆରୋପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ନୈତିକ ଅଧିକାର ହରାଇ ସାରିଛନ୍ତି ଯେପରି ଦୁହେଁ। ସାୟନା ଦେଖୁଥିଲା, ଦୁହେଁ ନିର୍ବିକାର ଛିଡା ହୋଇଥିଲେ, ଯେମିତି ଝରକାରୁ ଦେଖି ହେଉଥିବା ଅନତି ଦୂରର ଆରାବଳୀ ପାର୍ବତ୍ୟ ଶୃଙ୍ଖଳାର ପାହାଡ଼ ଦୁଇଟି ପରି । ସେ ଦୁହିଁଙ୍କ ନିରୀହପଣକୁ ନେଇ ଏବେ କିଞ୍ଚିତ ଅସ୍ବସ୍ତି ଅନୁଭବ କଲା ସାୟନା ।


 ଜାଲିମ ଆଉ ଜୋରାବରକୁ ଅଧ ଘଣ୍ଟାପରେ ତାଙ୍କ ରୁମରେ ଭେଟ କରିବାକୁ କହି ଅନିର୍ବାଣ ସାର୍ ରୁମରୁ ବାହାରିଗଲେ । ପ୍ରିନ୍ସିପାଲ ସାରଙ୍କ ରୁମରେ ପଶିଯିବା ପୂର୍ବରୁ ହଠାତ୍ ତାଙ୍କ ରାସ୍ତା ଓଗାଳି ଛିଡାହେଲା ସାୟନା । ଅନିର୍ବାଣ ରାୟ ଛିଡା ହୋଇଗଲେ ସେଇଠି । କିଛି ସେ କହିବାକୁ ଚାହୁଁଛି ମନେ କରି ନିଜ ରୁମକୁ ଡାକିନେଲେ ସାୟନାକୁ ।


 -"ଜାଲିମ ଆଉ ଜୋରାବରଙ୍କର ଟିକେ ବି ଦୋଷ ନାହିଁ ସାର୍ ! ", ସାୟନା କହୁଥିଲା ।


 -"ତେବେ ଆଉ କିଏ ସେ କାଣ୍ଡ କରିଥିଲେ?"


 -"ମୁଁ "


 - "ଆଉ କିଏ ତୁମ ସାଥିରେ ?"


 - " ନା, ମୁଁ ଏକୁଟିଆ କରିଛି"


" ନା ମ !", ମୁହଁରେ ମିଛ ଅବିଶ୍ୱାସ ଫୁଟାଇ କହିଲେ ଅନିର୍ବାଣ ।


"ହଁ ସାର, ସତ କହୁଛି "


" ତୋ ସାଙ୍ଗରେ ଆଉ କେହି ?"


" ନା ସାର ! ମୁଁ ଏକୁଟିଆ ।"


" ମୁଁ ତୁମକୁ ନେଇ ଗର୍ବିତ, ସାୟନା !" ପିଠିରେ ହାତ ଥାପୁଡ଼େଇ କହୁଥିଲେ ଅନିର୍ବାଣ । ସେ ଜାଣିଥିଲେ, ସାୟନା ସବୁ ଦୋଷନିଜ ମୁଣ୍ଡରେ ନେବାକୁ ଚାହୁଁଛି ।


" ହଉ, ଏବେ ଯାଇପାର । ନିବେଦିତାକୁ କହିବ ମୋତେ ଦେଖା କରିବ । "


ନିବେଦିତାର ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସାୟନା । ସାର କଣ ତାହେଲେ ଜାଣିଛନ୍ତି ସବୁ କଥା ? ସେ ଜାଣି ନ ଥିଲା ବିଚରା ନିବିର କି ଦଶା ହେବ ଏବେ । ତା କହିବା ହିସାବରେ ନିବି ତ ତାକୁ ତା କାମରେ ତାକୁ ସାହାଯ୍ୟ କରିଥିଲା ବିଚରା।


ସେ କ୍ଲାସରୁମ ଆଡେ ଚାଲିଗଲା ।

 

ୟା ଭିତରେ ଜାଲିମ ଆଉ ଜୋରାବର ଅନିର୍ବାଣଙ୍କ ରୁମରେ ପହଁଚି ସାରିଥିଲେ । ଅନିର୍ବାଣ ତାଙ୍କ ଭିତରୁ କେହି ଜଣକୁ ତାଙ୍କୁ ସ୍କୁଟରରେ ଷ୍ଟେସନରେ ଛାଡିବା ପାଇଁ ଅନୁରୋଧ କରିଥିଲେ । ବୟସ୍କଙ୍କ ପରି ସ୍କୁଟର ଚଳାଇ ପାରନ୍ତି ସେମାନେ ।


ସାରଙ୍କ ପାଖରେ ପହଞ୍ଚି ନିବେଦିତା ଆଶ୍ୱସ୍ତ ହେଲା । ତାକୁ ଅନିର୍ବାଣ ସାର ରିପୋର୍ଟ ଟାଇପ କରିବାରେ ସାହାଯ୍ୟ କରିବାକୁ ଡକାଇ ପଠାଇଛନ୍ତି ମାତ୍ର । 

ଅନିର୍ବାଣ ନିବି ହାତରେ ଚିଠିଟିଏ ଟାଇପ କରାଇ ପ୍ରିନ୍ସିପାଲ ସାରଙ୍କ ଟେବୁଲ ଉପରେ ରଖିଦେଲେ । ଦୀପାବଳୀ ଛୁଟି ହୋଇ ସାରିଥିଲା ।  ଟ୍ରେନ ସମୟ ହେଲାଣି - ତାଙ୍କୁ ଶୀଘ୍ର ବାହାରିବାକୁ ପଡିବ । 


ସେଦିନ ସାୟନା ଆଉ ନିବି ସ୍କୁଲରୁ ବାହାରୁ ବାହାରୁ ଅପ୍ରତ୍ୟାଶିତ ରୂପରେ ସେମାନଙ୍କର ପିତା ମାନଙ୍କୁ ଏକାଠି ସ୍କୁଲ ଗେଟ ପାଖରେ ଦେଖି ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ। କିଛି ଡରି ଯାଇଥିଲେ ବି । ସେତିକିବେଳେ ଜୋରାବର ସ୍କୁଟରରେ ଅନିର୍ବାଣ ସାରଙ୍କୁ ନେଇ ସ୍କୁଲ ପିଲାଙ୍କ ଭିଡ ଆଡେଇ ଅତିକ୍ରମ କରୁଥିଲା। ଦୁହିଁଙ୍କ ପିତା ବି ସାରଙ୍କୁ ସସମ୍ମାନ ହାତ ହଲାଇ ଶୁଭ ବିଦାୟସୂଚକ ସଙ୍କେତ ଦେଉଥିଲେ ।


ସାୟନା ଅତ୍ୟଧିକ ଡରି ଯାଇଥିଲା । କେବେ ବି ସେ ତା ପିତାକୁ ସ୍କୁଲ ଆସିବାର କେବେ ଦେଖି ନାହିଁ ।ଏବେ ସଶଙ୍କିତ ଚାହାଣୀରେ ନିବିକୁ ପଚାରିଲା, "ସତ କହ, ସାରଙ୍କ ଲାଗି ଯେଉଁ ଚିଠି ଟାଇପ କଲୁ ସେଥିରେ କଣ ଲେଖା ହୋଇଛି ? ମୁଁ ଜାଣେ ମୋର ସ୍କୁଲରୁ ବିଦାୟ ହେବା ନିଶ୍ଚିତ " 


ନିବେଦିତା କିନ୍ତୁ କିଛି ଅଲଗା କଥା କହିଲା । ଅନିର୍ବାଣ ସାର ଅକାମୀ ହୋଇ ପଡ଼ିଥିବା ସିସିଟିଭିକୁ ନେଇ ପ୍ରିନ୍ସିପାଲଙ୍କୁ ସାମାନ୍ୟ ପତ୍ରାଚାର କରିଥିଲେ ମାତ୍ର । ତାଙ୍କ ସଂକ୍ଷିପ୍ତ ପତ୍ରରେ ସିସିଟିଭିର ତ୍ୱରିତ ମେଣ୍ଟେନାନ୍ସ ପାଇଁ କମ୍ପାନୀକୁ ଅନୁରୋଧ କରିବା ପାଇଁ ତାଙ୍କର ସୁପାରିଶ ଥିଲା ।


                   


Rate this content
Log in