LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ସେଇ ହସ ,ଏକ ଅନୁଭବ

ସେଇ ହସ ,ଏକ ଅନୁଭବ

3 mins
351


ମେଘୁଆ ମେଘୁଆ ଥିଲା ସେଦିନ ସକାଳର ପାଗଟା । ଇଚ୍ଛା ତ ହେଉଥିଲା ସେମିତି ପଡ଼ିରହିବାକୁ ଶେଯଟା ଉପରେ ଘୋଡ଼ାଘୋଡ଼ି ହୋଇ, ନିଶ୍ଚିହ୍ନରେ, ନିଶ୍ଚିନ୍ତରେ । ହେଲେ ସେଇଟା କ'ଣ ସମ୍ଭବ ! ଅଫିସ୍, ଘର, ନିଜ ପଢ଼ା, ପିଲାମାନଙ୍କୁ ପଢେଇବା, ଓଃ... ଏତେ ସବୁ କାମ ସାରି ବି ବାକି ରହିଯାଏ ଅନେକ କିଛି । ଏଇ ଯେମିତି ଗପିବା; ଏକାନ୍ତ ସହ ଆଉ ହସିବା ହୃଦୟର ସହ, ଏକ ମନଖୋଲା ହସ । ହାଃ...ଛାଡ଼ନ୍ତୁ, ଏସବୁ ତ ସ୍ବପ୍ନ ହୋଇଗଲାଣି କେବେଠାରୁ ।


କାହିଁକି କେଜାଣି ? ବସରେ ଯିବାକୁ ଇଚ୍ଛା ନ ଥାଇ ବି ସେଦିନ ଟାଣିହୋଇଗଲି ବସ୍ ଆଡ଼କୁ । ଚଢ଼ିଲି ଭିତରକୁ । ଧେତ୍....ଯାହା ଡରୁଥିଲି ଠିକ୍ ସେୟା ହିଁ ହେଲା । ଏତେ ଗହଳି ଯେ, ପାଦ ରଖିବାକୁ ବି ଜାଗାଟିକେ ନାହିଁ, ସିଟ୍ ମିଳିବା କଥା ଭୁଲିଯାଆନ୍ତୁ । କଷ୍ଟେମଷ୍ଟେ ବ୍ୟାଗକୁ ସମ୍ଭାଳି ଠିଆ ହୋଇଗଲି ଗୋଟେ ପାଖକୁ । ଓଃ.. ଏତେ ଜାମରେ କାହା ମୁହଁ ବି ଦେଖି ହେଉ ନ ଥାଏ ଠିକ୍ ସେ । କାନ ପାଖରେ ଘୋ ଘା, ଯେମିତି ବସ୍ ନୁହେଁ ପଶିଆସିଛି ଗାଁର କେଉଁ ଗୋଟେ ହାଟ ଭିତରକୁ ।


ହଠାତ୍ ବାଁ ପଟୁ ଶୁଭିଲା କେହିଜଣେ ହସିବାର ଶବ୍ଦ । କେଜାଣି କିଏ ? ଟିକେ ବୁଲି ଚାହିଁଲି । ସୁଟ୍ ବୁଟ୍ ପିନ୍ଧା ଭଦ୍ର ଲୋକ ଜଣେ, ପଛ ପଟରୁ ଯାହା ଅନୁମାନ କଲି । ଏତେ ଗହଳିରେ ସେ କ'ଣ କହିଛନ୍ତି ତ ଶୁଭୁ ନ ଥାଏ, ହେଲେ ତାଙ୍କ ହସର ଲହରୀଟା ପୁରା ସ୍ପଷ୍ଟ ଭାବରେ ବାଜୁଥିଲା ମୋ କାନରେ । ବହୁତ୍ କଷ୍ଟରେ କିଛି ଜଣଙ୍କୁ ପାଖେଇ ଟିକେ ଆଗକୁ ଗଲି । ପୁରା ଚେହେରାଟା ତ ଦେଖାଗଲାନି, ହେଲେ ତାଙ୍କ ହସର କାନଭାସଟା ଥିଲା ବେଶ୍ ଆକର୍ଷଣୀୟ । ବାସ୍ ସେଇଠି ହିଁ ଅଟକିଗଲି ମୁଁ । ବୋଧେ ସେ ବି ସିଟ୍ ନ ପାଇ ଠିଆ ହୋଇଯାଇଛନ୍ତି ପୂର୍ବ କେଉଁ ଷ୍ଟପେଜରୁ, ଆଉ ସାମ୍ନାରେ ବସିଥିବା ଦୁଇଜଣଙ୍କ କିଛି ଆଲୋଚନା କରୁଛନ୍ତି କୌଣସି ବିଷୟରେ । ସେ ଯାହା ବି ହେଉ, ମୋ ଆଖି ତ ଖାଲି ଲାଖିଯାଉଥିଲା ତାଙ୍କ ଦୁଇ ଓଠର ମାନଖୋଲା ହସରେ, ପ୍ରତିଥର । ଯେତେ ଚାହିଁଲେ ବି କରିପାରୁ ନ ଥିଲି ଅଣଦେଖା ସେ ହସକୁ ।


ଓଃ... କେତେ ବିନ୍ଦାସ୍ ସେ ! ଯେମିତି ଦୁଃଖ କି କଷ୍ଟ କି ଅବଶୋଷର ତିଳେ ଦାଗ ଲାଗିନି ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନରେ । ହଁ... ବୟସ ବି ବେଶି ନୁହେଁ ଯେ ସେଇ ତିରିଶ ଭିତରେ ହିଁ ହେବ, ହେଲେ ତା' ଠାରୁ କମ୍ ବୟସରେ ମୁଁ ଯେ ଏତେ କ୍ଳାନ୍ତିର ମାୟା ଜାଲରେ । କିନ୍ତୁ ସେ କେମିତି ନୁହେଁ ? ନା ଦୁଃଖ କଷ୍ଟ ପାଇ ବି ସେ ହସିପାରୁଛନ୍ତି ସେ ସବୁକୁ ସହିଯାଇ ? ହଁ ବୋଧହୁଏ ସେୟା । 


ଆଃ.. ଯେମିତି ବହୁତ୍ ଦିନରୁ ଖୋଜୁଥିବା ଖୋଲା ହସଟିକକ ତ ଏଇ, ଝଲସି ଉଠୁଥିଲା ମୋ ଆଖି ସାମ୍ନାରେ । ଧୀରେ ଧୀରେ ଆଖି ବନ୍ଦ କରି ଅନୁଭବ କରିବାକୁ ଲାଗିଲି ସେଇ ହସର ପ୍ରଭାବକୁ, ତା' ସୁଗନ୍ଧିତ ପଟ୍ଟଚିତ୍ରକୁ । ଖୁବ୍ ଗଭୀର ଭାବରେ, ଅତି ନିକଟରୁ । ଉଫ୍... ଅନେକ ଦିନରୁ ଛାତି ତଳେ ଚାଲୁଥିବା ଘମାଘୋଟ ଝଡ଼ ଯେମିତି ମିଳେଇ ଯାଉଥିଲା ସେଇ ହସରେ ।


ହଠାତ୍ ବସ୍ ର ଏକ ଝୁଙ୍କରେ ଖସିପଡିବାରୁ ଅଳ୍ପକେ ବର୍ତ୍ତି ଖୋଲି ଦେଲି ଆଖି । ଆରେ କୁଆଡ଼େ ଗଲା ସେ ହସ..ମାନେ ସେଇ ହସକୁରା ଚେହେରା ! ଏତେଦିନ ପରେ ଯିଏ ବାଧ୍ୟ କରିଦେଲା ମୋତେ ଟିକେ ମନଖୋଲି ହସିବାକୁ । ବୋଧେ ପୂର୍ବ ଷ୍ଟପେଜରେ କେଉଁଠି ସେ ଓହ୍ଲାଇଯାଇଥିଲେ ନିଜ ଠିକଣାକୁ । ହେଲେ ସେଇ କିଛି ମୁହୂର୍ତ୍ତ ଭିତରେ ମୁଁ ଯେମିତି ଭୁଲି ଯାଇଥିଲି ମୋ ନିଜ ଠିକଣା ସେଇ ହସର ଠିକଣା ଭିତରେ....। 


ସେବେଠାରୁ... ଜୀବନରେ ଯେବେ ବି ଏଇ ହସଟିକକୁ ଝୁରିଛି, ବ୍ୟାକୁଳିତ ହେଇ ଡାକିଛି, ମନର ଝଡ଼ ବ୍ୟତିବ୍ୟସ୍ତ କରିଦେଇଛି...ବାସ୍ ମନେ ମନେ ଭାବିନିଏ ସେଦିନର ଅନୁଭୂତିକୁ, କିଛି ମୁହୂର୍ତ୍ତର ସେଇ ଅନୁଭବକୁ । ଯିଏ କି ମନର କାନଭାସ୍ ରେ ଆଙ୍କିଦିଏ ସେଇ ମନଖୋଲା ହସଟିକକୁ ଆଉ ମିଳେଇଦେଇଯାଏ ସବୁ ଅକୁହା ଅଦୃଶ୍ୟ ଝଡ଼କୁ ।



Rate this content
Log in

Similar oriya story from Abstract