SARATA KUMAR DAS

Others

2.5  

SARATA KUMAR DAS

Others

ଶିମିଳିପାଳରେ ରାତିଟିଏ - ୧

ଶିମିଳିପାଳରେ ରାତିଟିଏ - ୧

3 mins
322


ଝାପସା ଝାପସା ମୋର ଯାହା ମନେ ପଡୁଛି ବୋଧହୁଏ ଡିସେମ୍ବର ଶେଷ ସପ୍ତାହ ହେବ ।ସମ୍ଭବତଃ ବଡଦିନ ଛୁଟି। ମୋର ସେ ବର୍ଷ ପି. ଜି ର ଶେଷ ବର୍ଷ ।ଆମେ କେତେଜଣ ସାଙ୍ଗ ବାହାରିଲୁ ପିକନିକ୍ କରିବାପାଇଁ। ସ୍ଥାନ ବି ସ୍ଥିର ହେଲା ।

ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ । ଆମ ଜାତୀୟ ଉଦ୍ୟାନ। 

ସବୁଜ ବନାନୀରେ ଭରପୂର ବିଭିନ୍ନ ପଶୁ ପକ୍ଷୀ ବନ୍ୟଜନ୍ତୁଙ୍କ ଆଶ୍ରିତ ସ୍ଥଳ ଶିମିଳିପାଳ। କେତେ ଜଙ୍ଗଲୀ ମଣିଷଙ୍କ ନିବାସ ସ୍ଥଳ, ପୁଣ୍ୟ ତପୋବନେ ଶିମିଳିପାଳ । ପକ୍ଷୀଙ୍କ କାକଳି ସହିତ କେତେ ହିଂସ୍ର ପ୍ରାଣୀଙ୍କ ଗୁରୁ ଗମ୍ଭୀର ଗର୍ଜନରେ ଉଛୁଳିପଡୁଥିବା ପର୍ଯ୍ୟଟକ ମାନଙ୍କର ଅମରାବତୀ ଶିମିଳିପାଳ ।

କେନ୍ଦୁଝରରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଭାୟା ଯଶିପୁର ପାଖାପାଖି ୧୨୫ କିଲୋମିଟର ହେବ । ୬ ନଂ ରାଜପଥ ଦେଇ କେନ୍ଦୁଝରରୁ ବହାରିଲେ ୨ ରୁ ୩ ଘଣ୍ଟା ମଧ୍ୟରେ  ପହଂଚି ହେବ ।

ଥୁରୁ ଥୁରୁ ଶୀତରେ ଥରୁଥିବା ପାଉଁଶିଆ ସକାଳର ଘନ କୁହୁଡିକୁ କାଟି ଆମ ଗାଡି ଜାତୀୟ ରାଜପଥରେ ମାଡିଚାଲିଥିଲା ଆଗକୁ ଆଗକୁ ପାହାଡିଆ ଓ ଜଙ୍ଗଲୀ ରାସ୍ତାକୁ ଅତିକ୍ରମ କରି । ସାଙ୍ଗମାନଙ୍କ ଥଟ୍ଟା ମଜା ସହିତ ଟେପ୍ ରେକର୍ଡର ମନଛୁଆଁ ଗୀତର ତାଳେ ତାଳେ ଆମ ଯୁବ ସୁଲଭ ମନ ନାଚିଉଠୁଥିଲା । ବିକଟାଳ ରଡି କରି ଆମ ଗାଡି ଟି ଧାଇଁ ଯାଉଥିଲା ଅଙ୍କା ବଙ୍କା ରାସ୍ତାର କଳା ମଚ୍ ମଚ୍ ଛାତି ଉପରେ । ଶିମିଳିପାଳ ଜାତୀୟ ଉଦ୍ୟାନ କୁ ମନଖୋଲି ଦେଖିବାର ବ୍ୟାକୁଳତା ମୋତେ ଅନ୍ୟମନସ୍କ କରି ଦେଉଥିଲା ବାରମ୍ବାର। 

 ରାସ୍ତାର ଦୁଇ କଡରେ ଝଲମଲ ହେଉଥିଲା ପାଚିଲା ଧାନ ଗଛର କ୍ଷେତ । ସକାଳର ସୁଲୁସୁଲିଆ ପବନରେରେ ଖିଲି ଖିଲି ହସୁଥିଲେ ନଦ ନଦୀ ପାହାଡ ପର୍ବତ । ମଝିରେ ମଝିରେ ଝଙ୍କାଳିଆ ମୋଟା ମୋଟା ଜଙ୍ଗଲୀ ଗଛ ଗୁଡିକର ସବୁଜ ଆସ୍ତରଣ ରାସ୍ତାର ପ୍ରସସ୍ଥ ଛାତିକୁ ଢାଙ୍କି ରହିଥିଲେ ବି ବାଟ ପରିଷ୍କାର ଦେଖାଯାଉଥିଲା ।

ମୋ ଡାହାଣ କଡରେ ବସିଥିଲା ଅଜୟ । ବାମ କଡରେ ବ୍ରହ୍ମାନନ୍ଦ । ତା' କଡକୁ ଗଦାଧର , ରମେଶ, ମହେଶ୍ୱର ଓ ଅନ୍ୟମାନେ । ଅଜୟର ଥଟ୍ଟା ମଜା ସହିତ ତା' କୋକିଳ କଣ୍ଠରୁ

ଗୀତ ଓ ବ୍ରହ୍ମାନନ୍ଦର ଧୀରେ ଚଲାଇବା ପାଇଁ ଗାଡି ଡ୍ରାଇଭରକୁ ବାରମ୍ବାର ତଗିଦ ଆଜି ବି ମୋର ସ୍ପଷ୍ଟ ମନେ ପଡୁଛି । ଥଣ୍ଡା ପବନର କଅଁଳ ସ୍ପର୍ଶରେ ଦେହ ମୁଣ୍ଡ ଶିରି ଶିରି ହେଇ ଯାଉଥିଲା। ଆଖି ପତା ବି ବୋଲ ମାନୁଥିଲା । ରାସ୍ତା ମଝିରେ ଥିବା ହମ୍ପସ ଗୁଡିକ ରେ ଗାଡି ବ୍ରେକ୍ ଦେଉଥିଲାବେଳେ ମୁଁ ପ୍ରକୃତିସ୍ଥ ହୋଇପଡୁଥିଲି । 

ପ୍ରାୟ ଦିନ ଦଶଟା ହେବ । କୁହୁଡିଆ ଖରାଟା ମଧ୍ୟ ଟାଣ ହେବାରେ ଲାଗିଥିଲା । ଆମ ଗାଡି ଅଟକି ଗଲା ଯଶିପୁର ବଜାରର ଠିକ୍ ମଝି ରାସ୍ତା ରେ । ଛୋଟ ବଜାରଟି ହେଲେ ବି ନିତି ଚଳିବା ପାଇଁ ଆବଶ୍ୟକ ସାମଗ୍ରୀର ଅଭାବ ନଥିଲା ।

ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର କିଣା ବିକାରେ ବଜାରଟି ଉଛୁଳି ପଡୁଥିଲା । ମାତ୍ର କିଛି ସମୟର ରହଣି ସେଠାରେ । ଚା' ଜଳଖିଆ ତରବରରେ ଶିଘ୍ର ସାରିଦେଲୁ । ଶିମିଳିପାଳର ଚନ୍ଦନ ମହକ ସ୍ପଷ୍ଟ ଅନୁଭୂତ ହେଉଥିଲା ଯଶିପୁରର ମୁକୁଳା ଛାତିରେ ।   

ରେଞ୍ଜ ଅଫିସ୍ ରୁ ଆବଶ୍ୟକୀୟ ଅନୁମତି ପତ୍ର ସଂଗ୍ରହ କରି ଆମେ ଶିମିଳିପାଳ ଅଭିମୁଖେ ଯାତ୍ରା ଆରମ୍ଭ କଲୁ ।

ଯଶିପୁର ର ଟିକେ ଆଗକୁ ଯାଇଁ ଡାହାଣକୁ ମୋଡିଲେ ଶିମିଳିପାଳ ଜାତୀୟ ଉଦ୍ୟାନକୁ ରାସ୍ତା ସ୍ପଷ୍ଟ ଦେଖାଯାଏ । ତୀର ଚିହ୍ନ ସହିତ ଟିଣରେ ତିଆରି ଏକ ବୋର୍ଡରେ ମଧ୍ୟ ଲେଖାଥିଲା ଶିମିଳିପାଳ କୁ ରାସ୍ତା ।ଏକ ଅଣଓସାରିଆ ଖାଲ ଢିପ ସୁରୁ ମାଟି ରାସ୍ତାଟିଏ ସାପ ଲାଞ୍ଜ ପରି ଲମ୍ବି ଯାଇଥିଲା । ଠାଏ ଠାଏ ଛୋଟ ବଡ ଲଣ୍ଡା ପାହାଡ କେତୋଟି ଆକାଶକୁ ମୁଣ୍ଡ ଟେକି ଛିଡା ହୋଇଥିଲା । ପଥୁରିଆ ଚାଷ ଜମି ରାସ୍ତାର ଦୁଇକଡରେ ଖୋଲା ଆକାଶ ତଳେ ପଡିରହିଥିଲେ କେଉଁ ଏକ ଅନାଦି କାଳରୁ ।

ପ୍ରବଳ ଧୂଳି ମଧ୍ୟରେ ଆମ ଗାଡିଟି ମାଡି ଚାଲିଥିଲା ଆଗକୁ। ଆମ ଲକ୍ଷ ସ୍ଥଳ ଯେତେ ପାଖେଇ ଆସୁଥିଲା ମୋ ମନରେ ଉତ୍ସୁକତା ବଢି ବଢି ଚାଲୁଥିଲା ସେତେ ଅଧିକ ଅଧିକ । ଆମେ ସମସ୍ତେ ଏକ ଲୟରେ ଚାହଁରହିଥିଲୁ ଆଗକୁ କାଳେ କେଉଁଠି କିଛି ଜଙ୍ଗଲୀ ପଶୁ ଆଖି ସାମନାରେ ପଡିଯିବେ । ମୁଣ୍ଡ ଉପରକୁ ଧୀରେ ଧୀରେ ଉଠୁଥିଲେ ସୂର୍ଯ୍ୟ । ବେଳ ବଢୁଥିଲା । ଖରା ବି ଟାଣ ହେବାରେ ଲାଗିଥିଲା । 

ଟିକେ ବାଟ ଆଗକୁ ଯାଇଛୁ କି ନାହିଁ କାଠରେ ତିଆରି ଗୋଟିଏ ଛୋଟ ଗେଟ୍ ପାଖରେ ଆମ ଗାଡି ଅଟକି ଗଲା। ଆମେ ସମସ୍ତେ ଗାଡିରୁ ଓହ୍ଲାଇ ପଡିଲୁ । ବନ୍ୟା କର୍ମଚାରୀ ଜଣକ ଆମ ଗାଡିର ନମ୍ବର ଟିପି ରଖିଲେ ।କିଛି କଥା କହି ଦିନ ଚାରିଟା ସୁଦ୍ଧା ଫେରି ଆସିବାକୁ ସଙ୍କେତ ଦେଲେ । ମୁଁ ଜାଣିଗଲି ଆମେ ଆସି ପହଞ୍ଚି ଯାଇଛୁ ଶିମିଳିପାଳର ପାଦ ଦେଶରେ । 'ହେଇ ଦେଖ ଦେଖ ! ସେପଟେ ହରିଣ ଛୁଆଟି ପାଣି ପିଉଛି'- ବ୍ରହ୍ମାନନ୍ଦର ଚିତ୍କାର ରେ ଆମେ ସମସ୍ତେ ଚମକି ପଡିଲୁ । ମୁଁ ଏକ ଲୟରେ ଚାହଁ ରହିଥିଲି ସେହି ସରଳ ନିଷ୍ପାପ ହରିଣ ଶିଶୁ ଟି ଆଡକୁ। ଜୀବନରେ ପ୍ରଥମ ଥର ପାଇଁ ହରିଣ ଦେଖୁଥିବାରୁ ମୁଁ ଖୁସିରେ ଆତ୍ମହରା ହୋଇପଡୁଥିଲି । (କ୍ରମଶଃ)


Rate this content
Log in