Sudeshna Misra

Children Stories Inspirational

4.3  

Sudeshna Misra

Children Stories Inspirational

ସଜବାଜ

ସଜବାଜ

5 mins
271


ଦିଦିନ ହେଲା ଋଷି ବସିଛି ଲିନା । ଭଲରେ ଖିଆପିଆ ନାହିଁ କି କଥାବାର୍ତ୍ତା ନାହିଁ। ଏପରିକି ବଗିଚାକୁ ବି ଖେଳିବାକୁ ଯାଉନି ସେ। ମା ପ୍ରଥମେ ଭାବିଥିଲେ ବୁଝେଇଦେଲେ ବୁଝିଯିବ ଝିଅ। କିନ୍ତୁ ଯେତେ ବୁଝେଇଲେ ବିଲକୁଲ୍ ବୁଝୁନି। ଅଡି ବସିଛି ରଜରେ ନୂଆ ଜାମା ପାଇଁ।‌ ବିନୋଦ ବାବୁଙ୍କ ବଡ଼ ଝିଅ‌ ଲିନା ଆଉ ଗୋଟିଏ ପୁଅ ରିଙ୍କୁ। ବାପା ମା ଜେଜେ ସମସ୍ତେ ବୁଝେଇ ବୁଝେଇ ଥକି ଗଲେଣି। ଏବର୍ଷ ଲୁଗାପଟା କିଣାକିଣି କରିବାକୁ ଯାଇନାହାନ୍ତି ବିନୋଦ ବାବୁ। ତେଣୁ ଲିନାର ଜାମା କିଣା ହେଇନି। ଗୋଟେ ଦିନ ଛାଡି ତା ପରଦିନ ରଜ। ଲିନାର ମା ପିଠାପଣା ଯୋଗାଡ଼ ଆରମ୍ଭ କଲେଣି। କିଛି ତ କରିବାକୁ ପଡ଼ିବ, ରଜପର୍ବ ତ ବନ୍ଦ ହେବନି, ବାଡିରୁ ଆମ୍ବ ପଣସ ଇତ୍ୟାଦି ତୋଳାହେଇ ଆସିଛି। ଏଥର ଅବଶ୍ୟ ପୂର୍ବବର୍ଷ ଭଳି ଆୟୋଜନ ହେଇନାହିଁ, ଅଳ୍ପ ସ୍ୱଳ୍ପରେ ହେଉଛି। ଅସଲ କଥା ହେଲା ବର୍ତ୍ତମାନ କୋଭିଡ୍‌ ପରିସ୍ଥିତିରେ ପଇସାପତ୍ରର ବେଶ୍ ଅଭାବ। ବିନୋଦ ବାବୁଙ୍କ ପୈତୃକ ଜମି ବାଡ଼ିରୁ ଯାହା ଅମଳ ହେଉଛି ସେଥିରେ ଖାଇବା ଖର୍ଚ୍ଚ ଟା ଚଳିଯାଉଛି, ଆଉ କିଛି କରିବା ସମ୍ଭବ ନୁହେଁ। ଲକ୍ ଡାଉନ୍ ପାଇଁ ରଜପର୍ବଟା ଗାଁରେ ମାନ୍ଦା ପଡିଯାଇଛି। ସମସ୍ତଙ୍କର ଅଭାବ ବଢିଯାଇଛି। କିନ୍ତୁ ଆଠ ବର୍ଷର ଝିଅ ଲିନା, ଅଭାବ କଣ ସେ ବୁଝିବ ଯେ ।

ବିନୋଦ ବାବୁଙ୍କ ଗୋଟେ ଛୋଟ ତେଲଘଣା ଥିଲା ତାଙ୍କ ଗାଁ ସୁବର୍ଣ୍ଣପୁରରେ । ଏଇ ଛୋଟ ତେଲକଳ ସେ ତାଙ୍କ ନିଜ ଜମିରେ ବସେଇଥିଲେ। ତା ପାଖରେ ନଡ଼ିଆ ଓ ପଣସ ତଥା ଆଉ କିଛି ଦରକାରୀ ବଡ଼ ବଡ଼ ଗଛ ଅଛି। ଚାରିଆଡ଼େ ଧାନଖେତ, ସବୁଜ ଓ ସତେଜ। ଭରା ଧାନଖେତରେ ପବନ ଲହଡ଼ା ମାରୁଥାଏ। ଦେଖିଲେ ପେଟ ପୁରି ଯାଏ। ଏହି ଗୃହଦ୍ୟୋଗରୁ ସେମାନଙ୍କର ଭଲ ଉପାର୍ଜନ ହୁଏ। ଆଖପାଖ ଗାଁର ଲୋକେ ତେଲ ପେଡିବାକୁ ଆଣନ୍ତି ଆଉ ପଇସା ଦେଇ ତେଲ ନେଇଯାଆନ୍ତି। କିଛି ଲୋକ ପଇସା ନଦେଇ ତାବଦଳରେ ତେଲ ଦିଅନ୍ତି। ଏମିତିରେ ତେଲ ବି ଗଚ୍ଛିତ ହୁଏ। ସୁବର୍ଣ୍ଣପୁର ଚିନାବାଦାମ ଓ ରାଶି ଉତ୍ପାଦନ ପାଇଁ ଖ୍ୟାତ। ତେଣୁ ବିନୋଦ ବାବୁ ଏସବୁ ତୈଳବୀଜ କିଣି ତେଲ ପେଡ଼ି ବିକ୍ରି ମଧ୍ୟ କରନ୍ତି। ବିନା ଅପମିଶ୍ରିତ ବିଶୁଦ୍ଧ ତେଲ ମିଳୁଥିବାରୁ ଲୋକମାନେ ଏଇଘଣାରୁ ତେଲ ନେବାକୁ ପସନ୍ଦ କରନ୍ତି। ଏଇ କୁଟୀର ଶିଳ୍ପ ଉପରେ ଦୁଇ ତିନୋଟି ପରିବାର ନିର୍ଭର କରନ୍ତି। ସେମାନେ ଘଣା ଚଲେଇବା ଚିନାବାଦାମ, ରାଶି ଶୁଖେଇବା ଓ ବିକ୍ରିବଟା କାମରେ ସାହାଯ୍ୟ କରନ୍ତି। ସେଇଥିରେ ସେମାନଙ୍କ ଗୁଜୁରାଣ ଚଳିଯାଏ। 


ଗାଁର ବସ୍ତିଠୁ ଅଳ୍ପ ଦୂରରେ ଥିବା ଏହି ଘଣା ପାଖରେ ସେ ଦୁଇଟି ପରିବାର ରୁହନ୍ତି, ଦାମ ଓ ବୀର। ତାଙ୍କୁ ଘର ଯୋଗେଇ ଦେଇ ଥାଆନ୍ତି ବିନୋଦ ବାବୁ। ଆଉ ଜଣେ କର୍ମଚାରୀଙ୍କ ଘର ତାଙ୍କ ଗାଁରେ ।ତେଣୁ ସେ ଯିବା ଆସିବା କରନ୍ତି। କରୋନାରେ ଏହି ଛୋଟିଆ ଗୃହଦ୍ୟୋଗଟିରେ ତାଲା ପଡିଯିବା ଯୋଗୁଁ, ଏହି ଦୁଇଟି ପରିବାର ବହୁତ ଅସୁବିଧାରେ ଥାଆନ୍ତି। ନିଜର ରୋଜଗାର ଓ ଲାଭ ହେଉନଥିବା ସତ୍ତ୍ୱେ ବିନୋଦ ବାବୁ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି । ସେମାନଙ୍କୁ ନିଜ ଜମିରେ ଭାଗରେ ପରିବା ଚାଷ କରିବାକୁ ଦେଇଛନ୍ତି। ଚାଉଳ ମୁଗ ବି ଦିଅନ୍ତି। ତା ଛଡା ସରକାରୀ ସାହାଯ୍ୟ ବି କିଛି ମିଳିଥିଲା। ଯେଉଁଥିରେକି ସେମାନେ କଷ୍ଟେ ମଷ୍ଟେ ଖାଇପିଇ ଚଳିଯାଉଥିଲେ। କିନ୍ତୁ ଆଉସବୁ ଆବଶ୍ୟକତା ପୂରଣ ହେଇ ପାରୁ ନଥିଲା, ସେମାନଙ୍କର। ଦାମ, ତା ସ୍ତ୍ରୀ ଓ ଝିଅ ରିନି କଳଘର ପାଖରେ ଗୋଟେ ବଖୁରିକିଆ ଘରେ ରହୁଥିଲେ। ବୀର ଏକା ରହେ, ସେ କଳଘରେ ଶୁଏ। ତା ପରିବାର ଦୂର ଏକ ଗାଆଁରେ ଥାଆନ୍ତି। ଦାମ ପରିବାର ଓ ବୀର ଏକାଠି ମିଶି ରୋଷେଇ କରି ଖାଆନ୍ତି।


ସଜବାଜ ପୂର୍ବଦିନ ବିନୋଦ ବାବୁଙ୍କ ବାପା ଗୌରହରିବାବୁ କିଛି ଜିନିଷ ଧରି ତେଲକଳ ପାଖକୁ ଯିବାକୁ ବାହାରିଲେ। ଉଦ୍ଦେଶ୍ୟ ଥିଲା କଳଘର ଖୋଲି ସଫା ସଫି କରେଇବେ ଆଉ ଦାମ ଓ ବୀରଙ୍କୁ ଚଳିବା ପାଇଁ ଚାଉଳ ପତ୍ର ଦେଇଆସିବେ। ଆଗକୁ ପର୍ବ ଅଛି। କେମିତି କଣ ଚଳୁଥିବେ ବୋଲି ଟିକେ ଦେଖି ଆସିବେ। ତାଙ୍କ ପରିବାର ଉପରେ ନିର୍ଭର କରି ତ ଏ ଦୁଇଜଣ ଅଛନ୍ତି। ସେମାନଙ୍କର ଭଲମନ୍ଦ ବୁଝିବା ତାଙ୍କର କର୍ତ୍ତବ୍ୟ। ଗାଁର ପାଦଚଲା ରାସ୍ତା ଓ ହିଡେ ହିଡେ ଗଲେ କୋଭିଡ୍ କଟକଣା ନାହିଁ କି କିଛି ଅସୁବିଧା ନାହିଁ। କାରଣ ସେପଟେ କେହି ଯିବାଆସିବା କରନ୍ତି ନାହିଁ। ନାତି ରିଙ୍କୁ,  ବି ବାହାରିଲା ଜେଜେଙ୍କ ସହିତ। ଯିବା ପୂର୍ବରୁ ଜେଜେ ରିଙ୍କୁକୁ ଲିନାକୁ ଡାକିନେବାକୁ କହିଲେ । ଲିନା ତ ରୁଷି ଥିଲା ପ୍ରଥମେ ମନା କରିଦେଲା।  ଭାଇ ରିଙ୍କୁ କହିଲା, "ଚାଲ୍ ନା ଦେଇ, ରିନିଅପା ସହିତ ଖେଳିବା" । 

'ଆରେ ହଁ ତ ରିନି ଅଛି କଳଘର ପାଖରେ, କେତେଦିନ ହେଲା ଦେଖା ହେଇନି ତା ସହିତ। ସ୍କୁଲ ଖୋଲାଥିଲା ବେଳେ ତ ନିଇତି ଦେଖାହେଉଥିଲା। ଏବେ ତ ଆଉ କୋଉ ସାଙ୍ଗଙ୍କ ସହିତ ଦେଖାହେବାର ସୁଯୋଗ ନାହିଁ।' ଘରେ ବସି ବସି ବିରକ୍ତ ଲାଗୁଥିଲା ଲିନାକୁ। ୫ ବର୍ଷର ଭାଇ ରିଙ୍କୁ କୁ ମନାବି କରିପାରୁ ନଥିଲା ମନେ ମନେ ରିନି ସହିତ ଖେଳିବ ଭାବି ଯିବାକୁ ବାହାରିଲା ଜେଜେଙ୍କ ସହିତ। 


 ବଡଵାଵୁ ଓ ପିଲାମାନେ ଆସିଛନ୍ତି ଦେଖି ରିନିର ବାପା ବାହାରେ ଖଟିଆ ପକେଲେ।ରିନିର ମା ଗୋଡ଼ ଧୋଇବା ପାଇଁ ଲୋଟାରେ ପାଣି ଆଣି ରଖିଲେ। ଲିନାକୁ ବହୁତ ଭଲ ପାଆନ୍ତି ରିନିର ମା। ତା ପାଇଁ ଖସାଲଡୁ ଓ ବାଦାମ୍ ଲଡୁ ରଖିଥାନ୍ତି ଯେତେବେଳେ ସେ ଯାଏ ଦିଅନ୍ତି। ଅଜିତ ଘରେ ଖୁଦଗଣ୍ଡେ ବି ନାହିଁ, କଣ ଦେବେ ? ଗୌରହରିବାବୁ ସାଙ୍ଗରେ ଆସିଥିବା ତାଙ୍କ ଲୋକଟିକୁ ଆଣିଥିବା ବସ୍ତା ରଖି କଳଘରଖୋଲିବାକୁ କହିଲେ ଦାମ ଓ ବୀରଙ୍କୁ। 


ରିନି, ଲିନା ଓ ରିଙ୍କୁକୁ ଦେଖି ଖୁସି ହେଇ ଦୌଡ଼ି ଆସିଲା।ଲିନାବି ଖୁସୀ ଥାଏ। ସେମାନେ ତିନିଜଣ ଖେଳିବାକୁ ଲାଗିଲେ। ଖେଳୁ ଖେଳୁ ମୁଣ୍ଡ ବୁଲେଇ ପଡ଼ିଗଲା ରିନି। ତାର ଚେତାବୁଡି ଗଲା। ଲିନା ଓ ରିଙ୍କୁ କିଛି ବୁଝିନପାରି ଯୋରରେ ଡାକ ପକେଇଲେ, ପାଣିଛାଟି ତାର ଚେତା ଫେରେଇ ବାକୁ ଚେଷ୍ଟା କରାଗଲା। ଡାକ୍ତରଖାନା ନେଇଗଲେ ତାକୁ। ଡାକ୍ତର ଗୌରବାବୁଙ୍କ ଜଣାଶୁଣା। ପରୀକ୍ଷା କରି କହିଲେ ଦୁର୍ବଳତାରୁ ହେଇଥାଇପାରେ। ବ୍ୟସ୍ତ ହେବାର କାରଣ ନାହିଁ। ନିଶ୍ଚିନ୍ତ ହେବାପାଇଁ କେତେଟା ଟେଷ୍ଟ କଲେ, ଜଣାପଡିଯିବ ଯଦି ଆଉ କିଛି ହେଇଥିବ। ଗୋଟେ ଦିନ ସେ ଏଠି ହସ୍ପିଟାଲରେ ରହୁ। ଆପଣମାନେ ତାକୁ ଟିକେ ପୁଷ୍ଟିକର ଖାଦ୍ୟ ଦେବେ। ଅଣ୍ଡା, ମାଛ,କ୍ଷୀର ଟିକେ ଅଧିକ ଦେବେ। ଆଉ ବିଶ୍ରାମ ବି ଦରକାର। ରିନିର ମା ଓ ଦାମଙ୍କର ମନ ବହୁତ ଦୁଃଖ। ସବୁ ଦେବାଦେବୀଙ୍କୁ ମାନସିକ କରିପକାଇଲେ। 


ଲିନା ମନ ଆହୁରି ଦୁଃଖ ତା ସାଙ୍ଗ ଦେହ ଖରାପ ଦେଖି। ତା ଆଖିରେ ଲୁହ। ସେ ଯାଇ ତା ମା'କୁ କହିଲା, "ମା ରିନି କଣ ଠିକ୍ ହେବନି। ତା ବାପା ମା ତାକୁ ଅଣ୍ଡା ଓ କ୍ଷୀର କାହିଁକି ଦେଉନାହାନ୍ତି?" ଲିନାର ମା କହିଲେ "ତୁତ ଜାଣିଛୁ ଏବେ ଲକ୍ ଡାଉନ୍ ବେଳେ ତେଲ କଳ ବନ୍ଦ। ରୋଜଗାର କେଉଁଠୁ ହେବ ଯେ ସେମାନେ ଏସବୁ ଜିନିଷ କିଣିକି ରିନିକୁ ଦେବେ। ଆମେ ବି ତ ବହୁତ ଅସୁବିଧାରେ ଚଳୁଛୁ। ହଉ ତୁ କାନ୍ଦନି। କିଛି ଗୋଟେ ବ୍ୟବସ୍ଥା ହେଇଯିବ।" ଲିନା ମୁହଁ ଶୁଖେଇ ତା ମାଆକୁ ଟିକେ ଚାହିଁଲା। ମାଆ ତାର ଆଉକିଛି ନକହି କାମରେ ଲାଗିଗଲେ।


ଲିନା ଓ ରିନି ରଜରେ ଦୋଳି ଖେଳିବେ, ବୁଲିବେ ଆଉ କେତେ କଣ ମଜା କରିବେ ବୋଲି ଯୋଜନା କରିଥିଲେ, ସବୁତ ଗଲା। ତା ସହିତ ପୁଣି ରିନି ଆଉ ଖେଳିବୁଲି ପାରିବନି ଭାବି ତାକୁ କାନ୍ଦ ମାଡୁଥାଏ। ଲିନା ମୁଣ୍ଡରେ ଗୋଟେ କଥା ଆସିଲା। ତା'ର ନୂଆ ଜାମା କିଣିବା ପାଇଁ ତ ପଇସା ଲାଗିବ, ଯଦି ସେଇ ଟଙ୍କାରେ କ୍ଷୀର ଅଣ୍ଡା ଓ ମାଛ କିଣିକି ରିନିକୁ ଦିଆଯିବ, ତେବେ ସେ ତ ଭଲ ହେଇଯିବ। ଲିନା ଯାଇ ତା ମା'ଙ୍କୁ ଏକଥା ଜଣେଇଲା। ମା କଣ କାମରେ ବ୍ୟସ୍ତ ଥିଲେ ଭଲକି ଶୁଣିଲେନି। ସେ ଦୌଡିଗଲା ତା ଜେଜେଙ୍କ ପାଖକୁ ଲୁହ ଛଳ ଛଳ ଆଖିରେ ଆଉ କହିଲା, "ଜେଜେ ଜେଜେ, ମୋ ପାଇଁ ଯେଉଁ ଟଙ୍କାରେ ଜାମା କିଣିଥାଆନ୍ତ, ସେଇଥିରେ ରିନି ପାଇଁ କ୍ଷୀର ଅଣ୍ଡା ଆଣିଦିଅନା" ଲିନାର ଜେଜେ, ଲିନାର ସରଳ ଭାବରେ ପ୍ରକାଶିତ ରିନି ପ୍ରତି ଥିବା ଅନ୍ତରର ସ୍ନେହ ଭାବକୁ ପଢୁଥିଲେ ମନେମନେ। ଆଉ ଦେଖୁଥିଲେ ନିଃସ୍ଵାର୍ଥପର ଭାବରେ ସାଙ୍ଗ ପାଇଁ କିଛି କରିବାର ମନୋଭାବ। ଗୌରହରି ବାବୁ ତା କଥାରେ ଭାବବିହ୍ୱଳ ହେଇଗଲେ। ଲିନା ଏତେ ସହଜରେ ସବୁକଥା ବୁଝିଯିବ ବୋଲି ସେ ଭାବିନଥିଲେ। ତାଙ୍କ ଆଖିରେ ଲୁହ ଦିଟୋପା ଜକେଇ ଆସିଗଲା। ଲିନାକୁ କୁଣ୍ଢେଇ ଧରି କହିଲେ "ତୁ ତ ସୁନାପିଲାଟେ"


ଆଜି ପହିଲି ରଜ। ଲିନାର ମା ବଡି ଭୋରରୁ ତାକୁ ଗାଧେଇ ପାଧେଇ ସଜ କରିଦେଲେ। ବାକ୍ସରୁ ପୂରୁଣା ଭଲ ଜାମା ଟେ କାଢି ପିନ୍ଧେଇଦେଲେ ତାକୁ। ଆଉ ଗୋଟେ ପୁରୁଣା ଫ୍ରକ୍ କାଢି ପଲିଥିନ୍ ପ୍ୟାକେଟରେ ରଖିଲେ। ରିଙ୍କୁକୁ ବି ପ୍ରସ୍ତୁତ କରିଦେଲେ। ଗୋଟେ ଝୁଡ଼ିରେ ପିଠା, ଆମ୍ବ ସହିତ ସେ ଡ୍ରେସ୍କୁ ବି ସଜାଡି ଦେଲେ। ଆଉ ଅଲଗା ଅଣ୍ଡା ଡଜନେ ଦେଇ ଲିନାକୁ ତା ଜେଜେଙ୍କ ସହ ପଠେଇ ଦେଲେ, ଦାମଘରକୁ। ରିନି କିପରି ଥିବ, ସେହି ଆଶଙ୍କାରେ ଥାଏ ଗୌରହରି ବାବୁଙ୍କ ମନ ଆଉ ଲିନାର ମଧ୍ୟ।

ଦୂରରୁ ମୁଣ୍ଡିଆ ଉପରେ ଥିବା କଳଘର ଦିଶିଲାଣି। ଲିନା ସେହି ଆଡ଼କୁ ଚାହିଁ ଚାହିଁ ଆଗେଇ ଚାଲୁଥାଏ। ପାଖେଇ ଆସିଲା ସେମାନଙ୍କ ଘର, କାହିଁ ରିନିତ ଦିଶୁନି। ଦବିଗଲା ଟିକେ ଲିନାର ମନଟା। ପହଞ୍ଚିଗଲେ ସେଠି ସମସ୍ତେ। ଦାମ ଘର କବାଟରେ ତାଲା, କେହି କୁଆଡେ ଦିଶୁନାହାନ୍ତି। ପୁରା ଶୁନ୍ ଶାନ୍ ସେ ସ୍ଥାନଟି ଦେଖି ଲିନାକୁ ଟିକେ ଭୟ ଲାଗୁଥାଏ, ରିନିର ଦେହ ଠିକ୍ ଅଛି ତ ? ଲିନାର ଜେଜେ ବେଶ୍ ଗମ୍ଭୀର ହେଇ ଚାହୁଁ ଥାଆନ୍ତି ଚାରିଆଡକୁ। କିଛି ସମୟ ଅପେକ୍ଷା ପରେ ଦୂରରୁ ଦେଖାଗଲା କିଏ ତିନିଜଣ ଚାଲି ଚାଲି ଆସୁଛନ୍ତି। ଆରେ ଏମାନେତ, ଦାମ,ରିନି ଓ ରିନିର ମା । ହସ୍ପିଟାଲରୁ ଫେରିଲେ ବୋଧେ। 

"ରିନି ଆସିଲା ରିନି ଆସିଲା"ପାଟି କରି ଉଠିଲେ ଲିନା ଓ ରିଙ୍କୁ।

ଦାମ ହେରିକା ଘର ପାଖରେ ପହଞ୍ଚିଲା ବେଳକୁ ବୁଢାଵାଵୁ, ଲିନା ଓ ରିଙ୍କୁ ଙ୍କୁ ଦେଖି ଖୁସୀ ହେଇଗଲେ। ରିନିର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଆଗ ପଚାରିଲେ ଗୌରହରି ବାବୁ। ଡାକ୍ତର କହିଥିବା ସବୁ ପରୀକ୍ଷାର ରିପୋର୍ଟ ରେ ଭଲ ବାହାରିଛି ଶୁଣି ସେ ଆସ୍ବସ୍ତ ହେଲେ। ରିନି ଭଲଥିବା କଥା ଶୁଣି ଲିନାର ଖୁସୀ କହିଲେ ନସରେ। 

ଅନତି ଦୂର ଆମ୍ବଗଛଟା ରେ ଦୋଳି ଟାଙ୍ଗୁଥିଲା ବୀର । ତିନିଜଣ ଯାକ ଯାଇ ଦୋଳି ପାଖରେ ହାଜର। ଏଥର ରଜଟା ମଜାରେ କଟିବ ବୋଲି ଲାଗୁଥିଲା ପିଲାମାନଙ୍କୁ।


 


 



Rate this content
Log in