Kulamani Sarangi

Crime

4  

Kulamani Sarangi

Crime

ଉତ୍ତର ଜଣାଥିବା ଏକ ପ୍ରଶ୍ନ

ଉତ୍ତର ଜଣାଥିବା ଏକ ପ୍ରଶ୍ନ

3 mins
374



ବାପା ମା ତା ନାଁ କଣ ଦେଇଥିଲେ ସେମାନଙ୍କୁ ହିଁ ଜଣା।ଆମେ କିନ୍ତୁ ତାକୁ 'ସାରିଆ ମା' ବୋଲି ହେତୁ ପାଇଲାଦିନୁ ଜାଣୁ। ବେହେରା ପଡା ଗାଁ ସାରା ବି ତାକୁ ସେଇ ନାଁରେ ଡାକନ୍ତି।ସାତ ପଟ ମଇଁଷିର ମାଲିକାଣୀ ସାରିଆ ମା ତାର ମରଦପଣିଆଁ ପାଇଁ ଆଖପାଖ ସାତଖଣ୍ଡ ଗାଁରେ ଜଣାଶୁଣା।ମଇଁଷି ପରି କଳା ମଚ ମଚ ଚେହେରା।ନାକରେ ମୋଟା ପିତଳ ଗୁଣା।କାନରେ ପେଣ୍ଡିକରା ସୁନାଫୁଲ।ବେକରେ ଖା'ସୁ ହାର(ସୁନା ଟଙ୍କାର ହାର)।ସେଇ ଖା'ସୁ ମାଳି ପାଇଁ ତାର ଏତେ ଗର୍ବ।ଗେରସ୍ତଟା ମିଁ ମିଁଇଆଁ ପୋଷା ବିଲେଇ।ବସ କହିଲେ ବସେ,ଉଠୁ କହିଲେ ଉଠେ।

ସାରିଆ ମା'ର ସବୁଦିନିଆଁ କାମ ହେଲା,ପାହାନ୍ତାରୁ ଉଠି କୁସୁମୀ ନଈ ପାର ହୋଇ, ଛ'କିଲୋ ମିଟର ବାଟ ଖଣ୍ଡପଡା ଯିବ ଖୀର,ଦହି ଛେନା,ଘିଅ ବିକିବାକୁ।ଫେରୁଫେରୁ ଦିନ ବାର।ଯେଉଁଦିନ ଦାମ ଦୋକାନରୁ ସଉଦା ନବାର ଥିବ,ସେଦିନ ଗୋଟେ ବାଜିଯାଏ।ବାଜିବନି?କେତେ ପ୍ରକାର ସଉଦା;ଡିବି ତେଲ(କିରୋସିନ୍) ନିକ ତେଲ(ରାନ୍ଧଣା ପାଇଁ) ଫୁଟଣ , ଲଙ୍କା, ଚା'ପତି,ଗୁଡ,ମରଦ ପାଇଁ ବିଡି,ଗୁଣ୍ଡି,ପାନ,ଚୁନ,ଗଞ୍ଜେଇ,ଅଫିମ ଇତ୍ୟାଦି ଟଙ୍କେ ଦି'ଟଙ୍କାର କରି କିଣୁ କିଣୁ,ହିସାବ କରି ଦୋକାନୀ ହାଲିଆ,ସେ ନିଜେବି ବିଜାରେ(ବ୍ୟସ୍ତ)।


କୁସୁମୀ ପାର ହେବାବେଳେ ଜଙ୍ଘେ ପାଖାପାଖି ପାଣି।ନୁଗା ଜଙ୍ଘଯାଏ ନଟେକି ପାର ହେଲେ ପିନ୍ଧା ନୁଗା ଜୁଡୁବୁଡୁ।ଏପଟ ସେପଟ ଅନେଇଁ ନୁଗାକୁ ଜଙ୍ଘଯାଏ ଟେକି ନଦୀ ପାର ହୁଏ ସେ;କାଳେ କୋଉ ବାଡିପଡା ଅନେଇ ଥିବ।


ଏକା ଏକା ସହଳ ଗଲେ ବେପାର ଭଲ।ଶୀଘ୍ର ବିକିରି ହେଲେ ଶୀଘ୍ର ଫେରିବ।ଘରେ ଅସରନ୍ତି ପାଇଟି।ସେଥିପାଇଁ ସେ ପ୍ରାୟ ଏକେଲା ଯାଏ;ଫେରେ ବି ଏକେଲା।ବେଳେ ବେଳେ ପିତେଇ ବୋଉ ଫେରିଲା ବେଳେ ସାଙ୍ଗ ହେଇଯାଏ।


ସେ ଦିନ ଫେରିଲା ବେଳକୁ ମୁଣ୍ଡଫଟା ଉଦୁଉଦିଆ ଖରା ।ବୈଶାଖ ମାସ। ପିତେଇ ବୋଉ କେତେବେଳୁ ଯାଇ ସାରିଲାଣି।ଆଜି ଦାମ ଦୋକାନୀ ଯୋଗୁଁ ଏତେ ଡେରି।

ଧଅପ ଧପ ପାଦ ପକେଇ ସାରିଆ ମା ନଈ ପଠାରେ ପହଞ୍ଚିଲା।ନଈ ବନ୍ଧ ତଳକୁ ଗଡୁ ଗଡୁ ,ଚିତ୍ରକାର ଝୁଅ ନଖିମୀ ସାଙ୍ଗେ ଭେଟ ହେଲା।ନଖିମୀ କହିଲା "ଆଲୋ ନାନୀ ! ଆଜି ଏତେ ଡେରି କଣ'ମ?"

"ସଉଦାପତର କରୁ କରୁ ଡେରି ହେଲାଲୋ ମା",ସାରିଆ ମା କହିଲା।

ନଖିମୀର ପୁଣି ପ୍ରଶ୍ନ "କେଡେ ସୁନ୍ଦର ଖା'ସୁ ମାଳି ନଗେଇଚୁ କିଲୋ ନାନୀ,ପିତଳ ନା ସୁନା?"

ସାରିଆ ମା'ର ସମ୍ମାନକୁ ଆଞ୍ଚ୍ ଆସିଲା।କହିଲା"କଣ କହିଲୁ ଆଣ୍ଡର ଝୁଅ(ରାଣ୍ଡ'ର ଝିଅ'ର ଅପଭ୍ରଂଶ),ପିତଳ?ଖାଣ୍ଟି ଚବିଶ କେରେଟ ସୁନା।ଗୋଟେ ଗୋଟେ ଖା'ସୁ ଗୋଟେ ଗୋଟେ ମଇଁଷି ଭାଉ ସାଙ୍ଗେ ସମାନ।

ହସି ଦେଇ ନଖିମୀ କହିଲା "ମୁଁ ସେମିତି ଥଟ୍ଟା କରୁଥିଲି ନା ନାନୀ।କେଡେ ଚିକ୍ ଚିକ୍ କରୁଚି ତୋ ଖା'ସୁ ମାଳ!ମଥାର ଗୋଲ ସିନ୍ଦୁର ବିନ୍ଦୁ ସାଙ୍ଗକୁ ଚୋଖା ମାନୁଚି ଲୋ ନାନୀ।"

ଗର୍ବରେ ଫାଟି ପଡିଲା ସାରିଆ ମା।କହିଲା "କାଲି ମାଜିଚି।ଆହୁରି ଦି'ଟା ଖା'ସୁ ଥିଲା।ଗୋଟେ ଭାଙ୍ଗିକି ଝିଆରୀ ପାଇଁ ଚେନ୍ ଟେ କଲି।ପଇସା ରଖିଚି।ଏ ମାସରେ ଆଉ ଗୋଟେ ଖା'ସୁ ଏଇ ମାଳରେ ଯୋଡିବି"

'ଇଆଡେ କୁଆଡେ ଆଇଥେଲୁ?",ସାରିଆ ମା ନଖିମୀ କୁ ପଚାରିଲା।

ନଖିମୀ କହିଲା ବଣିଆ ତୋଟାକୁ କାଠଯୋଡେ ଗୋଟେଇ ବାକୁ ଆଇଥେଲି ଲୋ ନାନୀ।ବିଡା ବାନ୍ଧିକି ଗଛମୂଳେ ଥୋଇଚି।ଟିକିଏ ମୁଣ୍ଡୁକୁ ଟେକିଦବୁ?"

"ମଲା, ଏଇ କଥାକୁ? ଚାଲୁନୁ।"ସାରିଆ ମା କହିଲା।

ତଳେ ପସରା ରଖି ନଖିମୀ ମୁଣ୍ଡକୁ କାଠବିଡା ଟେକିଦବାପାଇଁ ଗଲା ସାରିଆ ମା।ନଖିମୀ ପାଟିରେ ହୁଇସିଲ୍ ମାରିବା ଦେଖି କାଠ ମୁଣ୍ଡେଇ ଦଉ ଦଉ ସାରିଆ ମା କହିଲା"ସୁସୁରୀ କାହାକୁ ମାରୁଚୁ ମ ଆଣ୍ଡର ଝୁଅ(ରାଣ୍ଡର ଝିଅର ଅପଭ୍ରଂଶ)?"

"ଯମ କୁ",ହସି ହସି କହିଲା ନଖିମୀ।ତା ପର ମୁହୁର୍ତ୍ତରେ,ତୀକ୍ଷଣ ଛୁରୀରେ ସାରିଆ ମା ର ବେକକୁ କାଟି ଖା'ସୁ ମାଳି ଧରି ଚମ୍ପଟ ଦେଲା ଯମ। କିଛି ସମୟ ଛଟପଟ ହେଇ ସ୍ଥିର ହୋଇ ରହିଗଲା ସାରିଆ ମାଆର ପ୍ରାଣହୀନ ଶରୀର।କୁସୁମୀ ନଈରେ ରକ୍ତ ଲୁଗା ଧୁଆଧୋଇ କରି ଗାଧୁଆ ପାଧୁଆ ସାରି ନିରୀହ ପିଲାଟି ପରି ନଖିମୀ ଘରକୁ ଫେରିଲା। କିଛି ଦୂରରେ ନଖମୀର ସାତବର୍ଷର ଭାଇ 'ଗବଲୁ' ଛେଳି ଚରଉଥିଲା। ନଖମୀ କହିଲା..ତୁ କିଛି ଦେଖିନୁ ଗବଲୁ,ପାଟି ଫିଟେଇଲେ ତୋ ତଣ୍ଟି କାଟିଦେବି।ମୋ ସାଙ୍ଗରେ ଘରକୁ ଚାଲ୍।"ନଖମୀ, ଭାଇ ସହିତ ଛେଳିଙ୍କୁ ନେଇ ଘରକୁ ଫେରିଲା।ପଛରେ ରହିଗଲା ଜନଶୂନ୍ୟ ଖରାଦିନିଆ ଦିପହର'ର ନଈପଠା ଓ ମଶାଣି।


ଉପରବେଳା ହଲ୍ଲାପଟା ହେଲା "କିଏ ସାରିଆ ମା'ର ତଣ୍ଟି କାଟି

ନଈବନ୍ଧ ତଳେ ପକେଇ ଦେଇଚି।"


ବହୁ ବର୍ଷ ବିତି ଯାଇଛି ଏ ଭିତରେ।ନଖିମୀ ବାହା ସାହା ହେଇ ପିଲା ଛୁଆର ମା। ଯେଉଁ ତଥାକଥିତ ଯମକୁ ସୁସୁରି ମାରି ନଖିମି ଡାକିଥିଲି ଏ ଯାଏ ତାର ପତ୍ତା ମିଳିନି।ଘଟଣାର ପରଦିନ ଠାରୁ ତଳ ସାହିର ଟୋକାଟେ ନିଖୋଜ ହେଇଗଲା;ଲୋକେ କହନ୍ତି ତାର କୁଆଡେ ଲଖମୀ ସହିତ ଭାବ ଥିଲା ଏବଂ ଲଖମୀ ତାକୁ ଗୋଟେ ସୁନାର ହାର ମାଗିଥିଲା।ପୁଲିସ୍ ସନ୍ଦେହରେ ନଖିମୀକି ପଚରା ଉଚରା କଲାପରେ ଏବଂ ତଳ ସାଇର କେତେଟା ଟୋକାଙ୍କୁ ହାଡଭଙ୍ଗା ମାଡ ଦବାପରେ କୌଣସି ପ୍ରମାଣ ନପାଇ କେଶ୍ କ୍ଲୋଜ୍ କରି ଦେଲା।


ଦଶବର୍ଷ ପରେ ତଳସାହିର ସେଇ ନିଖୋଜ ଟୋକାଟା ଏବେ କଲିକତାରୁ ଫେରିଛି,ସାଙ୍ଗରେ ପାଞ୍ଚ ବର୍ଷର ପୁଅ ଏବଂ ଗୋରୀ ଚକିଚାକି ବଙ୍ଗାଳୀ ମାଇପ "ଖୁଲଣା"। ଟୋକାଟା ଶାନ୍ତଶିଷ୍ଟ ଅମାୟୀକ ଯୁବକରେ ପରିଣତ ହୋଇଯାଇଛି। ବହୁତ୍ ଖୁସିରେ ଚାଲିଛି ତାର ଘରସଂସାର।


ପୋଲିସ ମାଡରେ ଅଣ୍ଟା ଭାଙ୍ଗିଯାଇଥିଲା ତଳସାହିର ଗୋଟେ ଟୋକା ଶୁକୁଟାର। ତା ସହିତ ଏବେ ଥରେ ମୋର ଦେଖାହେଲା।ବାଡି ଧରି ଛୋଟେଇ ଛୋଟେଇ ଚାଲୁଚାଲୁ ଶୁକୁଟା କହିଲା... ବାବୁ,ଦେଖୁଚ ତ ନ୍ୟାୟ,ମଣିଷ ମାରିଲା କିଏ, ପୋଲିସ ଲାଠିରେ ଅଣ୍ଟା ଭାଙ୍ଗିଲା କାହାର !

ପଚାରିଲି...ତୁ ଜାଣିଚୁ କିଏ ମାରିଚି ? ଶୁକୁଟା କହିଲା..ଆମ କଥାରେ କଣ ଅଛି ? ପୋଲିସ ତ ଧରିପାରିଲାନି।


ସାରିଆ ମାଆର ହତ୍ୟାକାରୀ ଏବେ ମଧ୍ୟ, ପ୍ରମାଣ ଅଭାବରୁ ଉତ୍ତର ଜଣାଥିବା ପ୍ରଶ୍ନର ବଳୟ ଭିତରେ ରହିଯାଇଛି।


Rate this content
Log in

Similar oriya story from Crime