ଯେମିତ କର୍ମ ସେମିତି ଫଳ
ଯେମିତ କର୍ମ ସେମିତି ଫଳ
ଅନେକ ଦିନ ତଳର କଥା । ଥରେ ଜଣେ ଲୋକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ନିମିତ୍ତ ମନ ବଳାଇଲେ, ସେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀକୁ ଯିବା ପାଇଁ ନିଷ୍ପତ୍ତି ନେଲେ । ତହିଁ ଆରଦିନ ସେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ବାହାରି ପଡିଲେ । ସଂଗରେ କିଛି ଖାଦ୍ଯ ଏବଂ ବସ୍ତ୍ର ଧରି ନିଜର ରାସ୍ତାରେ ଆଗକୁ ବଢିଲେ । ତାଙ୍କ ଘର ଠାରୁ ଶ୍ରୀକ୍ଷେତ୍ର ଅନେକ ଦୂର ଥିଲା, ଯେଉଁ ସ୍ଥାନରେ ସନ୍ଧ୍ୟା ହୁଏ ସେ ସେହି ନିକଟସ୍ଥ ଗ୍ରାମରେ କାହାରି ଦାଣ୍ଡ ବାରଣ୍ଡାରେ କିମ୍ବା ଅନୁଷ୍ଠାନ ଗୃହ ଇତ୍ୟାଦି ସ୍ଥାନରେ ରାତ୍ରି ଯାପନ କରୁଥିଲେ, କାହାରି ଘର ଭିତରକୁ ଯାଉ ନ ଥିଲେ କି କାହାରି ଖାଦ୍ଯ ଖାଉ ନ ଥିଲେ ।
ଶ୍ରୀକ୍ଷେତ୍ରରେ ପହଁଚିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥାଏ । ମନରେ ଅସୁମାରି ଆନନ୍ଦ, ରାତି ପାହିଲେ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିବେ, ନିଜର ଅଭିଳାଷ ପୂରଣ କରିବେ । ଶେଷ ରାତ୍ରିର ବିଦାୟ ନିମିତ୍ତ ସେ ଜଣେ ଭଦ୍ର ଲୋକଙ୍କ ବାରଣ୍ଡାରେ ରହିବା ପାଇଁ ସ୍ଥିର କରିଲେ । ସେହି ଘରେ ସ୍ବାମୀ, ସ୍ତ୍ରୀ ଦୁଇଜଣ ରହୁଥିଲେ, ତାଙ୍କର ସନ୍ତାନ ସନ୍ତତି କିଛି ନଥିଲେ । ଲୋକ ଜଣକ ନିଜ ଖାଦ୍ଯ ଖାଇ ପିଣ୍ଢାରେ ଶୋଇପଡିଲେ । ଘର ଭିତରେ ଥିବା ଦମ୍ପତି ଖିଆପିଆ ସାରି ଶୋଇବା ପାଇଁ ପ୍ରସ୍ତୁତ ହେଲେ । ସ୍ତ୍ରୀ ଶୋଇବା ପୂର୍ବରୁ ସ୍ବାମୀ ଶୋଇ ପଡିଥିଲେ , ସ୍ତ୍ରୀ ଲୋକଟି ସବୁକାମ ସାରି ଦାଣ୍ଡ କବାଟ ବନ୍ଦ କରିବାକୁ ଗଲାବେଳେ ଦେଖିଲେ ଜଣେ ସୁନ୍ଦର ଯୁବକ ବାରଣ୍ଡାରେ ଶୋଇଛନ୍ତି , ସେ ଯୁବକ ଜଣକୁ ଉଠାଇ ପଚାରିବାରୁ ସମସ୍ତ କଥା ଜାଣିପାରିଲେ ।
ସେତେବେଳକୁ ମହିଳାଙ୍କ ମନରେ କାମ ଭାବ ଜାଗ୍ରତ ହୋଇ ସାରିଥିଲା , ସେ ଯୁବକ ଜଣଙ୍କୁ ଘର ଭିତରେ ଶୋଇବା ଲାଗି ଅନୁରୋଧ କଲେ କିନ୍ତୁ ଯୁବକ ରାଜି ହେଲେନାହିଁ , ମହିଳା ଜଣଙ୍କ ଅନେକ ଚେଷ୍ଟା କଲେ ମଧ୍ଯ ସଫଳ ହେଲେନାହିଁ, ଶେଷରେ ଯୁବକଙ୍କୁ ସେ ତାଙ୍କର ମନ କଥା ଖୋଲି କହିଲେ କିନ୍ତୁ ଯୁବକ ଘୋର ବିରୋଧ କଲେ, ଘରେ ସ୍ବାମୀର ଉପସ୍ଥିତି ମନେ ପକାଇ ଦେଲେ ।
ତା'ପରେ ମହିଳା ଘର ଭିତରକୁ ଯାଇ କିଛି ସମୟ ପରେ ହାତରେ ଗୋଟିଏ କଟାମୁଣ୍ଡ ଧରି ଚଣ୍ଡୀ ରୂପରେ ଯୁବକଙ୍କ ନିକଟରେ ପହଞ୍ଚିଲେ । କହିଲେ ଏଇ ଦେଖ ତୁମେ ଯାହାକୁ ଭୟ କରୁଥିଲ ମୁଁ ତାକୁ ହତ୍ଯା କରିଆସିଛି । ଏବେ ଆଉ କୌଣସି ପ୍ରକାର ଅସୁବିଧା ନାହିଁ , ତୁମେ ଘରକୁ ଆସି ମୋ ଅନ୍ତରର ଅଗ୍ନିକୁ ଶାନ୍ତ କର। କିନ୍ତୁ ଯୁବକ ଜଣକ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଏତେ ବ୍ୟାକୁଳ ଥିଲେଯେ ଏସବୁରେ ତାଙ୍କର ମନ ବଳିଲା ନାହିଁ । ସେ ସଫା ସଫା ମନାକରିଦେଲେ । ଏହାପରେ ମହିଳା ନିଜ ରୂପ ବଦଳାଇ ଜୋରରେ କାନ୍ଦିବାକୁ ଲାଗିଲେ, କାନ୍ଦ ଶୁଣି ପଡୋଶୀ ମାନେ ଧାଇଁ ଆସିଲେ । ମହିଳା ଜଣଙ୍କ ସମସ୍ତଙ୍କ ସମ୍ମୁଖରେ କହିଲା ଏହି ବାରବୁଲା ଭିକାରୀ କିଛି ନଖାଇ ନପିଇ ଏଠି ଶୋଇଥିଲା, ମୁଁ ତାକୁ କିଛି ଖାଇବାକୁ ଦେବା ସମୟରେ ମୋ ରୂପ ଯୌବନରେ ଆକର୍ଷିତ ହୋଇ ମୋତେ ବଳାତ୍କାର କରିବାକୁ ଚେଷ୍ଟାକଲା, ମୁଁ ଘର ଭିତରକୁ ଚାଲିଯିବାରୁ ସେ ମୋ ପଛରେ ଗଲା,ମୋ ସ୍ବାମୀ ବିରୋଧ କରିବାରୁ ଇଏ ତାଙ୍କୁ ମାରିଦେଲା । ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇ ସବୁ ସତ୍ଯ କହିଲେ ମଧ୍ଯ କେହି ତା କଥାକୁ ବିଶ୍ବାସ କଲେ ନାହିଁ, ଓଲଟି ମାଡ ମାରି ଯୁବକଙ୍କୁ ବାନ୍ଧି ପକାଇଲେ।
ଯୁବକ ଜଣକ ମନେ ମନେ ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ, ପ୍ରଭୁ ଏ କି ବିଚିତ୍ର ପରିସ୍ଥିତି । ସକାଳ ହେବାରୁ ଗ୍ରାମବାସୀ ମାନେ ଯୁବକଟିକୁ ନିକଟସ୍ଥ ରାଜାଙ୍କ ପାଖକୁ ନେଇ ସମସ୍ତ କଥା ରାଜାଙ୍କୁ ଜଣାଇଲେ, ରାଜ ଦରବାରରେ ନ୍ଯାୟ ବିଚାର ଚାଲିଲା। ରାଜା ଯୁବକଙ୍କୁ ନିଜର ସାକ୍ଷ୍ୟ ରଖିବା ପାଇଁ କହିଲେ କିନ୍ତୁ ଯୁବକ କହିଲା ମୋର ଯିଏ ସାକ୍ଷୀ ସିଏ କିଛି କଥା କହିବେ ନାହିଁ, ଏଣୁ ଆପଣ ବିନା ସାକ୍ଷୀରେ ନ୍ଯାୟ ପ୍ରଦାନ କରନ୍ତୁ । ରାଜା ସବୁ କିଛି ବିଚାର କରି ଯୁବକଙ୍କୁ ଦୋଷୀ ସାବ୍ଯସ୍ତ କରି ତାଙ୍କର ଦୁଇ ହାତ କାଟି ଦେବା ଲାଗି ନିର୍ଦ୍ଦେଶ ଦେଲେ । ବିଧିର ବିଧାନ କେମିତି ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇ ଆଜି ଅକର୍ମଣ୍ୟ ହେବ , ଯୁବକ ଜଣକ କାନ୍ଦି କାନ୍ଦି ସବୁ ଦଣ୍ଡକୁ ମଥାନତ ହୋଇ ସହିଗଲା। ଶ୍ରୀକ୍ଷେତ୍ର ଯିବା କଥା ମନରୁ ପୋଛି ନିଜ ଘରକୁ ଫେରିବା ବାଟରେ ଗୋଟିଏ ଛୋଟ ଜଙ୍ଗଲର ଏକଗଛ ମୂଳେ ଶୋଇ ପଡିଲା ।
ଏହି ସମୟରେ ସେ ଏକ ଅଦ୍ଭୁତ ସ୍ବପ୍ନ ଦେଖିଲା, ଜଣେ ସାଧୁ ତାଙ୍କୁ ଶ୍ରୀକ୍ଷେତ୍ର ଯିବା ପାଇଁ ଡାକୁଛନ୍ତି, ଯୁବକ ସାଧୁଙ୍କୁ ଧିକ୍କାର କରିବା ସହିତ ମହାପ୍ରଭୁଙ୍କୁ ମଧ୍ଯ ଅପମାନିତ କରୁଛି କିନ୍ତୁ ସାଧୁ କହୁଛନ୍ତି ଏସବୁ ତୋ କର୍ମର ଫଳ, ଯୁବକ ପଚାରୁଛି ମୁଁ କି କର୍ମ କରିଥିଲି ଯେ ମୋତେ ଏ ଦଣ୍ଡ ମିଳିଲା । ସାଧୁ କହିଲେ ମୁଁ ତୁମକୁ ଗୋଟିଏ ଛବି ଦେଖାଉଛି ଦେଖ । ହଠାତ ଯୁବକ ନିଜ ପୂର୍ବ ଜନ୍ମ କଥା ଦେଖୁଛନ୍ତି ।
ଯୁବକ ପୂର୍ବ ଜନ୍ମରେ ଏକ ସନ୍ଯାସୀ ଥିଲେ, ଗଛ ମୂଳରେ ତପସ୍ୟାରତ ସମୟରେ ଗୋଟିଏ ଗାଈ ଅତି ଭୟଭୀତ ହୋଇ ଦୌଡି ଦୌଡି ଆସି ସେହି ଗଛ ପଛରେ ଲୁଚିଗଲା, ଏହି ସମୟରେ ଏକ କଂସେଇ ଗାଈକୁ ଖୋଜି ଖୋଜି ସେହି ଗଛ ନିକଟରେ ପହଞ୍ଚିଲା ଏବଂ ସାଧୁକୁ ପଚାରିବାରୁ ସେ କିଛି ନକହି ପଛ ପାଖକୁ ହାତ ଠାରିଦେଲା । କଂସେଇ ଗାଈକୁ ନେଇ ହତ୍ଯା କଲା , ଆଉ ଏ ଜନ୍ମରେ ଗାଈଟି ସ୍ତ୍ରୀ ଏବଂ କଂସେଇ ତା ସ୍ବାମୀ , ସେଥିପାଇଁ ସେ ତାକୁ ମାରିଲା ଏବଂ ତୁମେ ଗୋଟାଏ ହାତରେ ଠାରିଥିବାରୁ ତୁମର ଦୁଇ ହାତ ଗଲା, ଗାଈ ନିର୍ଦୋଷ ଥିବାରୁ ଏବେ ସେ କିଛି ଦଣ୍ଡ ପାଇଲା ନାହିଁ । ଏଣୁ ଯେମିତି କର୍ମ ସେମିତି ଫଳ ।
ହଠାତ୍ ଯୁବକଙ୍କ ନିଦ ଭାଙ୍ଗିଗଲା ସେ ସାଧୁଙ୍କୁ ଖୋଜିଲା କିନ୍ତୁ କାହାରିକୁ ନପାଇ କାନ୍ଦିକାନ୍ଦି ପୁଣି ଶ୍ରୀକ୍ଷେତ୍ରକୁ ଧାଇଁଲା ।