ଅଟଳ ଜି ଅମର ରହେ
ଅଟଳ ଜି ଅମର ରହେ
ଅ ଅନନ୍ୟ ତୁମ୍ଭେତ ଅତୁଳନୀୟ ବି
ଆମ ପ୍ରାଣ ଛବି ବହି
ସରହଦ ସନ୍ୟାସ ସାହିତ୍ୟ ସାଧକ
ହେ ପୂଜ୍ୟ ବାଜପେୟୀ ।
ଟ ଟହକ ବ୍ୟକ୍ତିତ୍ଵ ମହକାଉ ଥିଲ
ଦେଇ ଗୁଣ ବାସ୍ନା ଝରା
ଆଜିବି ପ୍ରତୀତ ତୁମ୍ଭ ଅନୁପସ୍ଥିତ
ଝୁରୁଛି ଏ ସାରା ଧରା ।
ଳ ଲମ୍ବି ଲମ୍ବି ଯିବ ଅସ୍ମିତାର ଗାଥା
ସରିବନି ଗାଉଥିଲେ
ଚୁମ୍ଭି ଚୁମ୍ଭି ଯାଏ ଭାରତୀର ପ୍ରାଣ
ତୁମ୍ଭ ନାମ ନେଉଥିଲେ ।
ଜି ଜୀବନ କରିଛ ସମର୍ପିତ ତୁମ୍ଭେ
ନିଜକୁ ସେବକ କରି
ରକ୍ଷାସୂତ ହେଇ ରଖିଦେଇ ଗଲ
ମା ଭାରତୀର ଶିରି ।
ଅ ଅବାକ ହେଇଛି ଏ ସାରା ଜଗତ
ଦେଖି ତୁମ୍ଭ ଶ୍ରେଷ୍ଠ ନୀତି
ଭାରତ ରତନ ହେଇ ସାଜି ଅଛ
ଦୁନିଆ ଆଲୋକ ବତୀ ।
ମ ମଣିଷ ରୂପରେ ଦେବତା ସାଜିଲ
ଭାରତୀର ପୁଣ୍ୟ ଫଳ
ନିଜକୁ ସମର୍ପି ମାଟି ର ସେବାରେ
ରଖିଗଲ ନାମ ବଳ ।
ର ରହିଛି ରହିବ ତୁମ୍ଭ ନାମେ ଯଶ
ରହିଥିବ ହେଇ କୀର୍ତ୍ତି
ଶୁଭୁଛି ଶୁଭିବ ତୁମ୍ଭ କଣ୍ଠ ଶବଦ
କବିତାର ପଦ ଗୀତି ।
ର ରଚିଅଛ କେତେ ଇତିହାସ ତୁମ୍ଭେ
ସହି ଘାତ ପ୍ରତିଘାତ
ଶାନ୍ତିର ଯୋଟକ ଶତ୍ରୁ ର ବନ୍ଧୁକ
ବିରୋଧୀ ମନର ମିତ ।
ହେ ହେ ପୂଜ୍ୟ ଅଟଳ ରାଷ୍ଟ୍ର ଗଙ୍ଗାଜଳ
କରୁଛୁ ଶତ ପ୍ରଣାମ
ଫେରି ଆସ ପୁଣି ଆମ ଗହଣକୁ
ଖୋଜୁଛି ଏ ଧରାଧାମ ।