Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Classics Inspirational

4.4  

Nityananda Nandi

Classics Inspirational

ବି.ଏ. ପାସ

ବି.ଏ. ପାସ

7 mins
804


"ଖବର କାଗଜ, ଟିଭିରେ ଚହଳ ପଡ଼ିଛି। ରୂପାରାଣୀ ପରିଜା, ଓଡ଼ିଆ ଝିଅ, ପ୍ରଥମ ସ୍ଥାନ ହାସଲ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଚିତ୍ର କଳା ପ୍ରତିଯୋଗିତାରେ। 

ପ୍ରଥମ ଥର ପାଇଁ ମୁଁ କୁଣ୍ଢେଇ ପକେଇଲି ଦେବାଶିଷଙ୍କୁ, ମୋ ସ୍ବାମୀ। ବିବାହର ଦୁଇ ବର୍ଷ ପରେ ମନଖୋଲା ଗୋଟାଏ ଶବ୍ଦ କହିଲେ ସେ ମୋ କାନ ପାଖରେ। " କଂଗ୍ରାଚୁଲେସନ୍ ରୂପା" ମନ ଖୋଲି ହସିଲି ତାଙ୍କ ଆଗରେ ପ୍ରଥମ ଥର ପାଇଁ।

କହିଲି ଦେବାଶିଷ ! ଗୋଟାଏ କଥା କହିବି, ରଖିବ ??

କୁହ ! ଆୱାର୍ଡ଼ ବିତରଣ ସମାରୋହକୁ ବୋଉ ଆମ ସାଥିରେ ଯିବେ। ଠିକ୍ ଅଛି। ଅତି ଖୁସିରେ ଶାଶୁ, ଶଶୁରଙ୍କୁ ଯାଇ ମୁଣ୍ଡିଆ ମାରିଲି।

 

ମନଟା ମୋର ଆକାଶରେ ଉଡୁଥିଲା। କାହିଁକି କେଜାଣି ?? ଆନ୍ତର୍ଜାତିକ ପୁରସ୍କାର, "ୱାର୍ଲ୍ଡ ଗଟ ଦ ଟାଲେଣ୍ଟ" ପଚିଶ ଲକ୍ଷ ଟଙ୍କା। ପଚିଶ ହଜାର ଟଙ୍କା ମୁଁ କେବେ ଏକାଥରେ ଦେଖିନି। ପୁଣି ଫ୍ଲାଇଟରେ , ପ୍ରଥମ ଥର ପାଇଁ । ଦେବାଶିଷ, ବୋଉ ଆଉ ମୁଁ। କାଲି ଅପରାହ୍ନରେ ଫ୍ଲାଇଟ୍, ଭୁବନେଶ୍ୱରରୁ। ସକାଳୁ ସକାଳୁ ଭୁବନେଶ୍ୱର ବାହାରିବାକୁ ହେବ ବୋଲି ଦେବାଶିଷ କହିଲେ। ରାତିରେ ଆଉ ନିଦ ନାହିଁ ବିବାହ ପରେ ଦୁଇବର୍ଷ ଶାଶୁ ଘରେ କଟିଥିବା ସମୟ ସବୁ ଚଳଚିତ୍ର ପରି ପରି ଆଖି ଆଗରେ ନାଚି ନାଚି ଗଲା।


ବାହାଘର ପରେ ବେଶ୍ ଶୂନ ଶାନ୍ ଥିଲା ଘରଟା। ଅଶାନ୍ତିର ବାତାବରଣ ଘର ସାରା। ଝଡ଼ ଆଗର ନିସ୍ତବ୍ଧତା। ଝଡ କିନ୍ତୁ କେବେ ଉଠି ନ ଥିଲା। କଥା ଉଠିଲା ମୋର ଶିକ୍ଷାଗତ ଯୋଗ୍ୟତାକୁ ନେଇ । ସବୁ ଭୁଲଥିଲା ମଧ୍ୟସ୍ଥତା କରିଥିବା ଲୋକଟିର। ବି ଏ ପାସ କରିଥିବା ମୋ ପରି ଜଣେ ଝିଅ କୁ ବି ଟେକ୍ କହି ବାହା କରେଇ ଦେଇଛି ଏତେ ବଡ ଘରେ। ବଡ ମାନେ, ନିମ୍ନ ମଧ୍ୟବିତ୍ତ ପରିବାର।  ମୋ ରୂପରେ ମୁଗ୍ଧ ହୋଇ ନା ଦେବାଶିଷ କିଛି ଚେକ୍ କଲେ ନା ଘର ବାଲା। ମଧ୍ୟସ୍ଥର ଆଉ ଦେଖା ସାକ୍ଷାତ ନାହିଁ। ଗାଆଁରେ ବେଶ୍ ଖାତିର ଅଛି ମୋ ଶ୍ଵଶୁରଙ୍କର। ଝଗଡା ଝାଟି ହେଲେ ଲୋକେ କଣ କହିବେ। 

ନିଶବ୍ଦରେ ବି ଯନ୍ତ୍ରଣାକୁ ଅନୁଭବ କରି ହୁଏ, ଖୁସି ପାଇଁ ଖାଲି ସାଥିରେ ରହିଲେ ହୁଏନି, ଅଳ୍ପ କିଛି ଭାବର ଆଦାନ ପ୍ରଦାନ ଅନିର୍ବାହ୍ୟ। ଲାଗୁଥିଲା ଯେମିତି, ଯନ୍ତ୍ରଚାଳିତ ମଣିଷ ଆମେ ସବୁ, ଗୋଟାଏ ଘର ଭିତରେ ରହିଛୁ ! ସମସ୍ତେ ଚୁପଚାପ୍।


ଭାରି କଷ୍ଟ ପାଉଥିଲି ମୁଁ ବାହାଘର ପରଠୁ। ରହୁଛି ଦେବାଶିଷ ସାଥିରେ, କିନ୍ତୁ ଆନ୍ତରିକତା ନାହିଁ। ଶ୍ଵଶୁର ବି ପ୍ରାୟ କଥା ହୁଅନ୍ତି ନାହିଁ ମୋ ସାଥିରେ। ନଣନ୍ଦ ଚିଡ ଚିଡ୍ ହୁଏ। ମୋ ଶାଶୁ ମା ଙ୍କ ନାଁ ପ୍ରତିମା ଦେବୀ। ମୋ ମନ ରଖିବା ପାଇଁ ମୋ ସପକ୍ଷରେ ଯାଆନ୍ତି ସେ କଥା କଥାରେ।

 

ଦେବାଶିଷ ଘରଠୁ ଚାଳିଶ କିଲୋମିଟର ଦୂରରେ ଅବସ୍ଥିତ ଷ୍ଟିଲ ପ୍ଲାଣ୍ଟରେ ମେନେଜମେଣ୍ଟ ଟ୍ରେନି ହିସାବରେ କାମ କରନ୍ତି। ପଇନ୍ତିରିଶ ହଜାର ଦରମା। ସକାଳ ଆଠଟା ରୁ ଯାଇ ଦେବାଶିଷ ରାତି ଆଠଟାରେ ଫେରନ୍ତି। ଆସିବା ପୂର୍ବରୁ ବାଥ୍ ରୁମରେ ଗରମ ପାଣିଠୁ ଆରମ୍ଭ କରି ଚା ବିସ୍କୁଟ ପର୍ଯ୍ୟନ୍ତ ସବୁ କିଛି ମୁଁ ପ୍ରସ୍ତୁତ କରି ରଖିଥାଏ । ଆନ୍ତରିକତାର ଘୋର ଅଭାବ କିନ୍ତୁ। ନା ଦେବାଶିଷ କହନ୍ତି ମୋତେ ପାଖରେ ବସିବା ପାଇଁ, ନା ସ୍ଵତଃପ୍ରବୃତ୍ତ ଭାବେ ମୁଁ ଯାଇ ବସେ ଦେବାଶିଷଙ୍କ ପାଖରେ। ଭଲ ପାଇବା ଗୋଟେ କର୍ତ୍ତବ୍ୟ ନୁହେଁ, ମୁଡ ଉପରେ ଆଧାରିତ ଗୋଟାଏ ଅନୁଭବ। ମୁଁ ହଲ ଭିତରେ ବସି ସିରିଏଲ୍ ଦେଖେ ଶାଶୁଙ୍କ ସହିତ। ନଣନ୍ଦ ବି ଟେକ କରୁଛି ବୋଲି ଭାରି ଗର୍ବି। ଆଦୌ କଥା ହୁଏନି ମୋ ସାଥିରେ। ତାର ଭାରି ସନ୍ଦେହ, ମୁଁ ହିଁ ମଧ୍ୟସ୍ଥକୁ ମିଛ କହି ବାହା ହୋଇ ଆସିଛି ଏଇ ଘରକୁ।


କାହିଁକି କେଜାଣି ଶାଶୁ ମା ଜଡି ଯାଉ ଥିଲେ ମୋ ସାଥିରେ। ମୁଁ ଝାଡୁ ଦେବା ଆରମ୍ଭ କଲେ ପୋଛା ଲଗେଇ ଦିଅନ୍ତି ମୋ ଶାଶୁମା। ଗାଧୋଇ ସାରି ବଗିଚାରୁ ଫୁଲ ତୋଳି ଆସିବା ବେଳକୁ ପୂଜା ଥାଳି ପରିଷ୍କାର କରି ଦେଇ ଥାଆନ୍ତି ସେ ଠାକୁର ଘରେ । ଚୁଲାରେ ଭାତ ବସେଇ ବାକି ଥିବା ଦୁଇ ତିନୋଟି କାମ ସାରି ଆସିଲା ବେଳକୁ ଦେଖେ ତ ଭାତ ଗାଳି ଦେଇଛନ୍ତି ମୋ ଶାଶୁମା।


ନିଃସ୍ୱାର୍ଥପର ଭଲ ପାଇବାର ଲକ୍ଷଣ ବାରି ହୋଇପଡେ। କଥାରୁ ମହକ ଆସେ , ଶୀତଳତା ଅନୁଭୂତ ହୁଏ ସାନ୍ତ୍ୱନାରୁ। ଆଶ୍ୱାସନା ର ପ୍ରଲେପ ମାଖି ହେଇ ଯାଉଥିଲା ମୋ ଦେହ ସାରା। ମୋତେ ନେଇ ଘରେ ସମସ୍ତେ ଦୁଃଖୀ ଥିଲାବେଳେ ମୋତେ ଖୁସି ରେ ରଖିବାକୁ ଶତ ଚେଷ୍ଟା କରୁଥିଲେ ବୋଧେ ମୋ ଶାଶୁମା।


ଦୁଇ ବର୍ଷ ସମୟ କେମିତି ପାସ ହୋଇଗଲା ଜାଣି ହେଲାନି। ତାଙ୍କରି ସ୍ନେହ ପାଇଁ ବୋଧେ। ଆଜି ବି ମୁଁ ବୁଝି ପାରେନି ଦେବାଶିଷ, ଶ୍ଵଶୁରଙ୍କ ବିନା ଅନୁମତିରେ ମୋତେ କାହିଁକି ବାଲୁକା ଚିତ୍ର ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ସେ ମୋତେ ତାଲିମ ଦେଲେ। ଏହା ଭିତରେ ଅନେକ ଘଟଣା ଘଟି ଯାଇଛି ମୋ ଜୀବନରେ ଭୁବନେଶ୍ୱର ଯାଇ ଆନ୍ତର୍ଜାତିକ ବାଲୁକା ଚିତ୍ର ପ୍ରତି ଯୋଗିତାରେ ଭାଗ ନେଲି।  ଦେବାଶିଷ ମୋତେ ନେଇ ଭୁବନେଶ୍ବର ଯିବାକୁ ଆଦୌ ଇଚ୍ଛା କରୁ ନ ଥିଲେ। ମାଆ କାକୁତି ମିନତି କଲେ, ନେଇ ଯାଆ ମୋ ବୋହୂକୁ..ସେ ପ୍ରତିଯୋଗିତାରେ ଭାଗ ନେବ।


ଦେବାଶିଷ ଙ୍କ ସାଥିରେ ଗୋଟାଏ ରାତି କଟେଇଥିଲି ଭୁବନେଶ୍ୱରରେ। ପ୍ରଥମ ଥର ପାଇଁ ଜାଣିଲି ଭାରି ଭଦ୍ର, ଆଉ ସରଳ ସେ। ଆଗରୁ ଏତେ ମିଶି ନ ଥିଲେ ସେ ମୋ ସାଥିରେ। ମନ ଖୋଲା ଅନେକ କଥା ହେଲେ ସେ ମୋ ସାଥିରେ। ନା ଛଳନା, ନା କପଟତା। କହିଲି ଦେବାଶିଷ ! ମୋ ଶିକ୍ଷାଗତ ଯୋଗ୍ୟତା ନେଇ ମୁଁ କିମ୍ବା ମୋ ବାପା ମିଛ କହି ନାହାନ୍ତି । ମୁଁ ବି ଏ ପାସ, ସବୁ ଭୁଲ ମଧ୍ୟସ୍ଥର। କ୍ଷଣ ଭଙ୍ଗୁର୍ ଜୀବନ ଭିତରେ ଶିକ୍ଷା କଣ ସବୁ କିଛି ଦେବାଶିଷ ? ଶିକ୍ଷା କଣ ପ୍ରେମର ଭିତ୍ତିଭୂମି ? ସଂସ୍କାର, ସଂସ୍କୃତି ର କିଛି ମୂଲ୍ୟ ନାହିଁ ? ହେଇ ଦେଖୁନା ଏତେ ବଡ ଘଟଣା କୁ ନେଇ ଆଜି ପର୍ଯ୍ୟନ୍ତ ନା ମୋତେ ଗାଳି କରିଛ ନା ମୋ ଦେହରେ ହାତ ଦେଇଛ। ଏଇଟା ତ ତମ ସଂସ୍କାର। ମୁଁ ସେମିତି ତମେ ଘରେ ପଡି ରହିଛି, ଚାହିଁଥିଲେ ବାପା ବୋଉଙ୍କ ପାଖରେ ଦୋଷାରୋପ କରି ସାରନ୍ତିଣି। ଏଇଟା ଆମ ସଂସ୍କାର। ବେଳେ ବେଳେ ମୋତେ ଲାଗେ ପ୍ରେମ, ସ୍ନେହ ଆଉ ମମତା ଏଇ ସଂସ୍କାର ପାଖରେ ହିଁ ଘୁରି ବୁଲନ୍ତି। ଜରୁରୀ ନୁହେଁ ଯେ କେବଳ ଶିକ୍ଷା ଓ ଶକ୍ତି ପାଖରେ ଘୁରି ବୁଲିବେ ! ଆଇ ଲଭ୍ ୟୁ ଦେବାଶିଷ ! ମୋ କଥା ଶୁଣି ଦେବାଶିଷ ହସିଦେଲେ ସେଦିନ। ଏମିତି ଘଟଣା ସବୁ ଘଟି ଯାଇଛି ଏଇ ଦୁଇ ବର୍ଷ ଭିତରେ


ରାତି ଚାରିଟା, ଆଉ ନିଦ ହେଲାନି। ଉଠି ପଡି ବେଗ ପତ୍ର ସଜାଡି ଲି। ଆଗ ଧାଡିରେ ଯାଇ ଆମେ ବସିଲୁ। ମୋ ନାଁ ଡକା ହେଲା। ମୁଁ ଥରୁଥିଲି। ଇଂଲିଶ ବୁଝିପାରେ, କିନ୍ତୁ କହି ପାରେନି। ଦେବାଶିଷ ଆଶ୍ୱାସନା ଦେଇ ପଠେଇଲେ ମୋତେ ମଞ୍ଚ ଉପରକୁ। ଶାଶୁଙ୍କ ଆଖିରେ ଲୁହ, ଖୁସିର ଲୁହ ବୋଲି ମୁଁ ଅନୁମାନ କଲି। ମଞ୍ଚ ଉପରକୁ ଗଲି ମୁଁ ଧୀରେ ଧୀରେ। କର ତାଳିରେ ଭରି ଉଠିଲା ପୁରା ହଲଟି। ଦୁଇଜଣ ବିଦେଶୀ ମହିଳା ଆସି ମୋ ହାତରେ ଛୋଟ ବ୍ରିଫକେଶଟିଏ ଧରେଇଦେଲେ, ମୁଁ ଧନ୍ୟବାଦ କହିଲି। ମୋ କଥାଟି ଇଂରାଜୀ ରେ ଅନୁବାଦ ହୋଇଗଲା " ଥ୍ୟାଙ୍କ ୟୁ" ମୋ ଭିତରେ ସାହାସ ସଂଚାର ହେଲା। ଏଇଠି ବୋଧେ ଯେଉଁ ଭାଷାରେ କହିଲେ ଚଳିବ। ଆପେ ଆପେ ଅନୁବାଦ ହୋଇଯିବ କଥା ଗୁଡ଼ିକ। ମୋତେ କିଛି କହିବାକୁ କହିଲେ ସେମାନେ। ଯାହା ଯେମିତି ଜାଣିଥିଲି ଓଡ଼ିଆରେ କହିଲି


ବନ୍ଧୁଗଣ !

ଏଇ ସଫଳତା ପଛରେ ମୋ ପରିବାରର ସମସ୍ତଙ୍କ ହାତ ରହିଛି। ସବୁଠୁ ବେଶି ଅବଦାନ ରହିଛି ମୋ ସ୍ବାମୀ ଦେବାଶିଷ ଙ୍କ, ମୋ ପାଇଁ। ବିବାହର ପ୍ରଥମ ଦିନରୁ ଆଜି ଏଇ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ କେବେ କିଛି ବିରୋଧ କରି ନାହାନ୍ତି। କେତେ ସୁନ୍ଦର ଏ ସଂସ୍କାର। ସେ ଆସନ୍ତୁ ମଞ୍ଚ ଉପରକୁ।

ଦେବାଶିଷ ଆସି ଛିଡା ହେଲେ ମଞ୍ଚ ଉପରେ। 

ତା ପରେ ଆଜି ମୋତେ ଏଇ ଜାଗାରେ ପହଞ୍ଚାଇବା ପାଇଁ ଯିଏ ତାଙ୍କ ଜୀବନର କିଛି ମୂଲ୍ୟବାନ ସମୟ ମୋତେ ପ୍ରଦାନ କରିଛନ୍ତି ସେ ହିଁ ମୋ ଶାଶୁ ମା। ତାଙ୍କୁ ମୁଁ ମଞ୍ଚ ଉପରକୁ ଡାକିବି।

ନିଜେ ଯାଇ ଶାଶୁମାଙ୍କୁ ନେଇ ଆସିଲି ମଞ୍ଚ ଉପରକୁ..


ପ୍ରିୟ ବନ୍ଧୁଗଣ ! ଗୋଟାଏ ହାତ ଛାଡି ବେଦୀରୁ ବିଦାୟ ନେଇ ଆସି ଆଉ ଗୋଟାଏ ହାତ ଧରିଲି, ଶାଶୁଙ୍କ ହାତ। କାହିଁ କିଛି ପାର୍ଥକ୍ୟ ତ ନ ଥିଲା। ସମାନ ଉଷ୍ମତା, ସମାନ ସ୍ନେହ, ସମାନ ମମତା। ଶାଶୁମା ବୋଧେ ବୋଉର ଦ୍ୱିତୀୟ ରୂପ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ମଧ୍ୟାନ୍ତର ପରେ। ମୋ ନିଜ ବୋଉକୁ କେବେ କେବେ ଫୋନ କରି କହେ, ବୋଉ ! ତୁ ତ ମୋ ପାଖେ ପାଖେ ଅଛୁ, ଦୁଃଖ ଆଉ କଣ। ଏଇ ମୋ ଶାଶୁ ମା, ପ୍ରତିମା ଦେବୀ ବୋଲି ସମସ୍ତେ ଡାକନ୍ତି। ଠିକ୍ ମୋ ବୋଉ ପରି। ଖାଲି ଟିକିଏ ତଫାତ୍ ! ବୋଉ ମଝିରେ ମଝିରେ ଗାଳି କରେ, ଶାଶୁମା କେବେ ଗାଳି କରନ୍ତି ନାହିଁ।


ଦିନେ କହୁ କହୁ କହି ପକେଇଲି ମା ! ବାଲୁକା ଚିତ୍ର ପ୍ରତିଯୋଗିତା ରେ ମୁଁ ଜିଲ୍ଲା ସ୍ତରୀୟ ପୁରସ୍କାର ପାଇଛି। ତା ପରେ ମୁଁ ଆଉ ପଛକୁ ଅନେଇନି। ସେ ଲାଗି ପଡିଲେ ମୋ ପାଇଁ। ଖରା ନାହିଁ, ବର୍ଷା ନାହିଁ ସବୁଦିନ ମୋତେ ଆମ ଘରଠୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ନଦୀ ପଠାକୁ ନେଇ ଯାଆନ୍ତି ମୋ ଶାଶୁମା। କାହିଁକି କେଜାଣି ? ମୁଁ ବାଲି ପଠାରେ ବସି ବାଲୁକା ଚିତ୍ର ଅଭ୍ୟାସ କରେ, ଶାଶୁ ମା ମୋ ପାଖେ ପାଖେ ବସି ଢ଼ୁଳଉ ଥାଆନ୍ତି। ମୁଁ ଦେଖେ ମୋ ଶାଶୁମାଙ୍କ ମୁହଁକୁ। ନିଃସହାୟତାର ବୋଝଟିଏ ତାଙ୍କ ମଥା ଉପରେ । ମୋ ଭିତରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ସେ ବ୍ୟଥିତ ଥିଲେ ନା ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସମକକ୍ଷ ପାଇଁ ମୋ ଉଡାଣ ଭରିବା ନିମିତ୍ତ ଗୋଟାଏ ପ୍ରେରଣା ତାଙ୍କ ଭିତରେ ଜନ୍ମ ନେଉଥିଲା, ମୁଁ ଜାଣିନି

ମୋ ସ୍ବାମୀ ଦେବାଶିଷ ବି ଟେକ, ମୋ ନଣନ୍ଦ ବି ଟେକ ପଢୁଛନ୍ତି। ମୋ ଖାଲି ବି ଏ ପାସ । ସେ ପ୍ରମାଣ କରିବାକୁ ଚାହୁଁଥିଲେ ବୋଧେ ପ୍ରତି ମଣିଷ ଭିତରେ ଅସାଧାରଣ ପ୍ରତିଭା ଲୁଚି ରହିଥାଏ। ଯାହାର କି ଶିକ୍ଷା ସାଥିରେ ସମ୍ପର୍କ ନାହିଁ। ତାକୁ ଖୋଜି ବାହାର କରିବାକୁ ହୁଏ। ଶାଶୁମା ଦିନେ ମୋତେ କହିଲେ ଶିକ୍ଷା ମଣିଷକୁ ସେତେ ଉପରକୁ ନିଏନି, ପ୍ରତିଭା ଯେତେ ଉପରକୁ ନିଏ !


ଅଧିକ  ତାଲିମ୍ ପାଇଁ ସହରରେ ଥିବା ବାଲୁକା ଚିତ୍ର ପ୍ରଶିକ୍ଷଣ କେନ୍ଦ୍ରକୁ ନେଇଗଲେ। ଥରେ ପଚାରିଲି ମା, ଦେବାଶିଷ ରାଗିବେ ଯେ କହିଲେ ସେ କଥା ମୁଁ ବୁଝିବି। ଥରେ ପଚିଶ ହଜାର ଟଙ୍କା ମାଗିଲେ ସେ ଶ୍ଵଶୁରଙ୍କୁ, ମୋ ପାଇଁ, ପ୍ରଶିକ୍ଷଣ କେନ୍ଦ୍ରର ଫିଜ୍ ବାବଦକୁ। ରୋକ ଠୋକ ମନା କରିଦେଲେ ମୋ ଶ୍ଵଶୁର। କହିଲେ ଝିଅର ଫିଜ ଜମା କରିବାକୁ ହେବ ଏଇ ମାସରେ। ଇଚ୍ଛା ଗୋଟାଏ ଅଦ୍ଭୁତ ଶକ୍ତି, ପରମାଣୁ ଶକ୍ତିଠୁ ବି ଅଧିକ ଶକ୍ତି ଶାଳୀ ବିସ୍ଫୋରଣ ହୁଏ, ପୃଥିବୀଟା ଦୋହଲି ଯାଏ। ଶାଶୁ ମା ଯାହା ଚାହୁଁ ଥିଲେ ତାହା ହିଁ ହେଲା।


ଦିନେ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବା ରାସ୍ତାରେ ପଚାରିଲି ବୋଉ ! ଗୋଟାଏ କଥା ପଚାରିବି। ତମ ହାତର ସୁନା ଚୁଡି ?

ଶାଶୁ ଙ୍କ ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଲା। ବାଷ୍ପରୁଦ୍ଧ ଗଳାରେ କହିଲେ ରୂପା ! ରୂପା ପୁରୁଣା ହେଲେ ଔଜଲ୍ୟତା ହରେଇ ବସେ। ତାକୁ ମାଜି ଦେଲେ ଚିକ୍ ଚିକ୍ କରେ ନା ତା ପରେ ତା ମୂଲ୍ୟ ବଢି ଯାଏ କି ନା କହିଲୁ। ତୁ ଗୋଟାଏ ପୁରୁଣା କାଳିଆ ରୂପା। ତୋତେ ବି ମାଜିବାକୁ କିଛି ଖର୍ଚ୍ଚ ହେବ ମୋ ଆଖିରୁ ବି ଦୁଇ ଟୋପା ଲୁହ ବୋହି ଆସିଲା।


ବନ୍ଧୁଗଣ ! ମୋ ଶାଶୁ ମା ଚୁଡି ବିକ୍ରି କରି ପଚିଶ ହଜାର ଫିଜ୍ ଭରି ଥିଲେ ମୋ ପାଇଁ। ତାଙ୍କରି ପାଇଁ ଆଜି ମୁଁ ଏଇ ମଞ୍ଚ ଉପରେnଭାରି ସ୍ଵାଭିମାନୀ ମୋ ଶାଶୁମା। ଦେବାଶିଷ ପଇନ୍ତିରିଶ ହଜାର ଟଙ୍କା ଦରମା ପାଆନ୍ତି ମାସକୁ। ତାଙ୍କୁ ସେ ମାଗି ପାରି ଥାଆନ୍ତେ ମୋ ପାଇଁ କିନ୍ତୁ ନା, ତାଙ୍କୁ ସେ ମାଗି ନାହାନ୍ତି। 


ଯିବା ଆସିବା ଖର୍ଚ୍ଚ ପାଇଁ ମାସକୁ ପ୍ରାୟ ପାଞ୍ଚ ଶହ ଟଙ୍କା ଲାଗୁଥିଲା । ହଠାତ୍ ଦିନେ ଦେଖିଲି ଆମ ଘରୁ ବାହାରି ଡାକେ ଦୂରରେ ଥିବା ଟେଲରିଙ୍ଗ ସପରେ ବ୍ଲାଉଜ ବୋତାମ ସିଲେଇ କରୁଛନ୍ତି ଏଇ ପଣଷଠି ବର୍ଷ ବୟସରେ। ପଚାରିଲି, ମା ତମେ ଏଇଠି ? ବାସ୍ କିଛି କହିଲେନି। ସରଳ , ସହଜ ହସ ଭିତରୁ ତାଙ୍କ ଅସହାୟତା କୁ ମୁଁ ପଢି ପାରୁଥିଲି।  ମା ! ମୁଁ ଏଇ ପଚିଶ ଲକ୍ଷ ଟଙ୍କା ପୁରସ୍କାର ରାଶି ତମ ପାଇଁ ଉତ୍ସର୍ଗ କରୁଛି। କାଲିଠୁ ତୁମକୁ ଆଉ ବ୍ଲାଉଜ ଦୋକାନରେ ଯାଇ ବୋତାମ ଲଗାଇବାକୁ ହେବନି ରାଜି ତ !


ଅସହାୟ ଶାଶୁମା ଅନେଇ ଥିଲେ ମୋ ଆଡ଼କୁ ତାଙ୍କ ମୋଟା ଚଷମା ଦେଇ ସ୍ପଷ୍ଟ ଦେଖି ପାରୁଥିଲି ଆଖି ଭିତରୁ ଦୁଇ ଟୋପା ଲୁହ ଯେମିତି ବୋହି ଆସିବ

କରତାଳିରେ ଭ ରି ଉଠିଲା ସଭା ସ୍ଥଳଟି।

ମୁଁ କୋଳେଇ ନେଲି ମୋ ଶାଶୁ ଙ୍କୁ ସେଇ ମଞ୍ଚ ଉପରେ।

ଦେବାଶିଷ ମୋ ହାତରୁ ଫୋନ୍ ଧରି ନେଇ କହିଲେ

ଫ୍ରେଣ୍ଡ୍ସ୍ ! ବି.ଏ ଆଉ ବି.ଟେକ ଭିତରେ ସେମିତି କିଛି ପାର୍ଥକ୍ୟ ନାହିଁ। ସେଇ ଗର୍ବ କୁ ନେଇ ବଞ୍ଚିଥିବା ଜଣେ ମଣିଷ ମାସକୁ ପଇନ୍ତିରିଶ ହଜାର ଉପାର୍ଜନ କରେ। ରୂପା ଭଳି ଝିଅ ମାନେ ପଚିଶ ଲକ୍ଷ ଟଙ୍କା ରୋଜଗାର କରନ୍ତି ଗୋଟାଏ ତୀରରେ।

ଜୀବନରେ ଶିକ୍ଷା କିଛି ନୁହେଁ, ସବୁ କିଛି ହୁନର/ ପ୍ରତିଭା ଭିତରେ ହିଁ ଛୁପି ରହିଥାଏ। ମୋ ମାଆ ପରି ମଣିଷ ମାନଙ୍କର ଖାଲି ସମର୍ଥନ ଦରକାର ହୁଏ ଜୀବନରେ, ବାସ୍ ଦେବାଶିଷ କହିଲେ ଆଇ ସେଲ୍ୟୁଟ ୟୁ ରୂପା, ୟୁ ଆର୍ ଦ ଗ୍ରେଟ୍।

ମୁଁ କୋଳେଇ ନେଲି ଦେବାଶିଷ ଙ୍କୁ ଉତ୍ସବ ମୁଖରିତ ହୋଇ ଉଠୁଥିଲା ପୃଥିବୀଟା ବହୁତ ବର୍ଷ ତଳ ର ଘଟଣା, ଶାଶୁ କେବେଠୁ ଦୁନିଆ ଛାଡି ଗଲେଣି। ସବୁ କଥା ଡାଇରୀରେ ଲେଖିଥିଲି। କାହିଁକି କେଜାଣି ପଢ଼ିବାକୁ ଭାରି ଇଚ୍ଛା ହେଲା, ଶାଶୁଙ୍କ ଶ୍ରାଦ୍ଧ ବାର୍ଷିକୀ ରେ। ନିଦ ଆସିଲାଣି, ଯାଉଛି ଶୋଇଯିବି । 


Rate this content
Log in

Similar oriya story from Classics