ପ୍ରତାପଙ୍କ ନିରବ ରାସ୍ତା
ପ୍ରତାପଙ୍କ ନିରବ ରାସ୍ତା
ମଣିଷ ଜନ୍ମ ବେଳେ ଏକା ଓ ଖାଲି ହାତରେ ଆସିଥାଏ । ଗଲାବେଳେ ବି ଖାଲି ହାତରେ ବିଦାୟ ନେଇ ଯାଏ । ଜୀବନ ସାରା ଅନ୍ୟ ପାଇଁ ସବୁ କିଛି କରି ଚାଲିଥାଏ, କିନ୍ତୁ ସମସ୍ତେ ବିରୋଧ ଓ ପ୍ରତିବାଦରେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଅଡ଼ି ବସିଥାନ୍ତି । ସମସ୍ତଙ୍କର ଗୋଟିଏ ପ୍ରକାରର ଅଭିଯୋଗ ଯେ ମୋ ପାଇଁ ଏଇଟା କଲେନାହିଁ, ସେଇଟା ହେଲା ନାହିଁ, ସେଇଟା ପାଇଥାନ୍ତି, ଏଇଟା ମିଳିନାହିଁ, କିନ୍ତୁ ତା ପାଇଁ ସବୁ କଲ, ମୋ ପାଇଁ କଲ ନାହିଁ, ଏମିତି ଅନେକ । ପରିବାରର ମୁଖ୍ୟ ଲୋକଟି ଅନେକ ପ୍ରଶ୍ନରେ ଛନ୍ଦି ହୋଇପଡେ । ଜୀବନର ପ୍ରତିଟି ରାସ୍ତା ତା ପାଇଁ ନିରବ ନିଶ୍ଚଳ ହୋଇଯାଏ ।
ଚାକିରିର ୩୫ ବର୍ଷ ଭିତରେ ପ୍ରତାପ ବାବୁ ପରିବାର ପାଇଁ ଭଲ ଘର ଖଣ୍ଡେ କରିଛନ୍ତି, ପିତୃ ସମ୍ପତ୍ତିକୁ ଛାଡି ଜମିବାଡ଼ି କିଛି କିଣିଛନ୍ତି । କିନ୍ତୁ ତାଙ୍କର କେହି ପୁଅଝିଅ ନାହାନ୍ତି । ପରିବାରର ୨୦ ଜଣ ସଦସ୍ୟ, ତାଙ୍କର ତିନି ଜଣ ସାନ ଭାଇ ସମସ୍ତେ ବିବାହିତ, ସେମାନଙ୍କର ବାହାଘର ବଡ଼ଭାଇ ସବୁ କରିଛନ୍ତି, ତାଙ୍କ ଭିତରେ ଜଣେ ଘରର ଚାଷ କଥା ବୁଝାବୁଝି କରନ୍ତି, ଆଉ ଜଣେ ରାଜନୀତିରେ ମାତିଥାନ୍ତି, ଜଣେ କିଛି କରନ୍ତି ନାହିଁ । ଏମାନେ ସମସ୍ତେ ବଡ଼ ଭାଇ ଭାଉଜଙ୍କ ସ୍ନେହ ଆଦରରେ ବଢିଛନ୍ତି । ପ୍ରତାପ ବାବୁଙ୍କର ୫ ଗୋଟି ଭଉଣୀ, ସମସ୍ତେ ବିବାହିତ, ସବୁ ସେହି ବଡ଼ଭାଇ ସେମାନଙ୍କ ବାହାଘର କରିଛନ୍ତି । ସେମାନେ ସମସ୍ତେ ପାଖାପାଖି ଅଞ୍ଚଳରେ ରୁହନ୍ତି । ସେମାନଙ୍କର ଯାହା କିଛି ଦରକାର ପଡେ ବଡ଼ ଭାଇ ପାଖରେ ଆସି ପହଞ୍ଚିଯାଆନ୍ତି । ଆମ ଓଡ଼ିଆ ଲୋକମାନଙ୍କର ବର୍ଷ ସାରା ପର୍ବ, ବାର ମାସରେ ତେର ପର୍ବ, ସବୁ ପର୍ବପର୍ବାଣିକୁ ଭଉଣୀମାନେ ତାଙ୍କର ଦାବି ସାବ୍ୟସ୍ତ କରି ବସନ୍ତି । ସେମାନଙ୍କ ଶଶୁର ଘରେ ଥିଲା ସତ୍ତ୍ୱେ ଭାଇ ମୋତେ ଏଥର କିଛି ଅଧିକ ଟଙ୍କା ଦେବୁ, ସବୁ ଭଉଣୀ ମାନେ ଅଡ଼ି କରି ବସନ୍ତି । ସାନ ଭଉଣୀଠୁଁ ଆରମ୍ଭ କରି ବଡ଼ ଭଉଣୀ ପର୍ଯ୍ୟନ୍ତ ସମସ୍ତେ କିଛି କିଛି ନା କିଛି ମାଗି ଚାଲିଥାନ୍ତି । ବିଚାରା ପ୍ରତାପ ବାବୁ କ'ଣ ବା କହିବେ ବା କରିବେ । ଯାହା ହେଲେ ବି ବଡ ଭାଇ, ସମସ୍ତଙ୍କ କଥା ଅନେକ ଦିନରୁ ବୁଝାବୁଝି କରିଆସୁଛନ୍ତି । ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କ ପାଇଁ ସବୁକିଛି କରନ୍ତି, କେବେହେଲେ କାହାରିକୁ ହତାଶ କରନ୍ତି ନାହିଁ । ଏ ସବୁ କରିବାକୁ ସ୍ତ୍ରୀ ସୁମିତ୍ରା କେବେହେଲେ କିଛି ପ୍ରତିବାଦ କରନ୍ତି ନାହିଁ ବରଂ ସ୍ୱାମୀଙ୍କୁ ଏଥିରେ ସହଯୋଗ କରନ୍ତି । ଦୁଇ ଜଣଙ୍କ ହୃଦୟ ବହୁତ ନିର୍ମଳ । ସାନ ଭାଇ ମାନଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରନ୍ତି । ଏ ସବୁ କରିବା ସତ୍ତ୍ୱେ ସେମାନେ ବଡ଼ଭାଇ ଙ୍କୁ ଅନେକ ପ୍ରକାରର କଟୁକ୍ତି କରିବାକୁ ପଛାଇ ନଥାନ୍ତି । ସମସ୍ତଙ୍କର ସମସ୍ୟା ସମାଧାନ କରୁ କରୁ ବୟସର ଅପରାହ୍ନ ଆସି ହୃଦୟ ଫାଟକ ନିକଟରେ ପହଞ୍ଚି ସାରିଥାଏ । ସୁମିତ୍ରା ଥରେ ପ୍ରତାପ ବାବୁଙ୍କୁ କହନ୍ତି, ତମେ ତ ସାରା ଜୀବନ ଭାଇ ଭଉଣୀ ମାନଙ୍କୁ ସ୍ନେହ ମମତାର ଡୋରି ଭିତରେ ରଖିଲ, ହେଲେ ସେମାନେ କେବଳ ନିଜ ସ୍ୱାର୍ଥ ସିଦ୍ଧି ପାଇଁ ବ୍ୟସ୍ତ ରହିଲେ । ସୁମିତ୍ରା ତମେ ସେମିତି କିଛି ଭାବନି ଯେ ସେମାନେ ମୋ ସହିତ କିଛି ଖରାପ ବ୍ୟବହାର କରିବେ । ଏମିତି ବି ମୁଁ କାହାର କାଣିଚାଏ ସାହାଯ୍ୟକୁ ଅପେକ୍ଷା କରିନଥାଏ । ସବୁବେଳେ ମୁଁ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାଏ । ଯାହା କରିବା କଥା ମୁଁ ସେମାନଙ୍କ ପାଇଁ ଜୀବନ କାଳ ଭିତରେ କରିଛି । ଏହା ସତ୍ତ୍ୱେ ସେମାନେ ମୋ ସହିତ କ'ଣ ବ୍ୟବହାର କରିବେ ମୋର ସେଥିପାଇଁ ଚିନ୍ତା ନାହିଁ । ବୁଝିଲ ସୁମିତ୍ରା ତମେ ଧୈର୍ଯ୍ୟ ରଖ, ମୋ ସହିତ ଯାହା ହେବାର ଅଛି ତାହା ପୂର୍ବରୁ ନିର୍ଦ୍ଧାରିତ । କିଛି ଦିନ ପରେ ପ୍ରତାପ ବାବୁଙ୍କ ଦେହାନ୍ତ ହୋଇଗଲା, କେହି କିଛି କହିବା ଶୁଣିବା ପୂର୍ବରୁ ସେ ସମସ୍ତଙ୍କ ନଜରରୁ ଅନେକ ଦୂର ଚାଲିଗଲେ । ସେ ସବୁଦିନ ପାଇଁ ନିରବ ରାସ୍ତାର ପଥିକ ହୋଇଗଲେ । ପରିବାରର ଭାଇ ଭଉଣୀ ମାନେ ଆଉ କେବେ ବି ଅଳି ଓ ଦାବି ସାବ୍ୟସ୍ତ କରି ପାରିବେ ନାହିଁ । ପ୍ରତ୍ୟେକ ମଣିଷ ଜୀବନରେ ଭଲ କରନ୍ତୁ କି ଖରାପ କରନ୍ତୁ, ସମୟ ଆସିଲେ ନିରବ ରାସ୍ତାର ପଥିକ ସାଜିବାକୁ ପଡେ । ଏହା ବିଧିର ବିଧାନ ।