Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Classics Inspirational

4.5  

Nityananda Nandi

Classics Inspirational

ପକେଟ ଖାତା

ପକେଟ ଖାତା

5 mins
622



ଚାକିରୀ ପାଇଲି । ଗାଆଁରୁ କିନ୍ତୁ ଦୁଃଖଦ ଖବର ପହଞ୍ଚିଲା, ବୋଉ ଆଉ ଦୁନିଆରେ ନାହିଁ। ଆକାଶଟା ଛିଣ୍ଡି ପଡ଼ିଲା ମୋ ଉପରେ। କ୍ରିୟା କର୍ମ ସାରି ଚାକିରୀରେ ଯୋଗ ଦେଲି, ଡେପୁଟି ତହସିଲଦାର୍। ବାପା ବୋଉଙ୍କ ସ୍ବପ୍ନ ବି ଥିଲା, ମୁଁ ବଡ ଚାକିରୀ କରିବି ! ଚାକିରୀ ଆରମ୍ଭ ନ ହଉଣୁ ବୋଉ ହାତ ଛାଡିଦେଲା...


ଗାଆଁରେ ବାପାଙ୍କ କଥା କିଏ ବୁଝିବ ? ବାପା ସବୁ ଭୁଲି ଯାଆନ୍ତି। ଘର ଆଗରେ ଥିବା ତାଳ ଗଛରୁ ପଡି ଯାଇଥିଲେ ସେ। ମୁଣ୍ଡରେ ଆଘାତ ଲାଗିଥିଲା। ଡାକ୍ତର କହିଲେ ଦୁଇ ତିନି ଲକ୍ଷ ଲାଗିବ, ସର୍ଜରୀ ପାଇଁ। ବାପା ଖାଲି ହସିଦେଲେ । ଅସହାୟ ମଣିଷ ହସି ଦେଇ ନିଜକୁ ନିୟନ୍ତ୍ରଣ କରେ ବୋଧେ। ଯାହା ସମ୍ଭବ ନୁହେଁ, କେବେ ବି ସମ୍ଭବ ନୁହେଁ। ଦୁଃଖ କରି ଲାଭ ବା କଣ ?? ଜୀବନର ଅଙ୍କା ବଙ୍କା ରାସ୍ତାରେ ସମୟ କେତେବେଳେ ହାତ ଧରି ସାହାରା ଦିଏ ତ କେତେବେଳେ ହାତ ଛାଡିଦେଇ ହିସାବ ନିକାସ କରେ ଶତ୍ରୁତାର.. ନା ସର୍ଜରୀ ହେଲା, ନା ବାପାଙ୍କର କିଛି ଆଗ୍ରହ ଥିଲା ନିଜ ଦେହକୁ ନେଇ, ନିଜ ଜୀବନକୁ ନେଇ।  


ମୋର ବି ବୁଝିବା ପାଇଁ ବୟସ କୋଉଠି ? ଏତେ କଥା ବୁଝି ପାରନ୍ତି। ଖାଲି ବୁଝିଲି ସାମର୍ଥ୍ୟ ଓ ଦକ୍ଷତା ଜୀବନର ମେରୁଦଣ୍ଡ, ତା ନ ହେଲେ ସରୀସୃପମାନଙ୍କ ପରି ହାମୁଡେଇ ଚାଲିବାକୁ ହୁଏ, ଜଞ୍ଜାଳ ପୂର୍ଣ୍ଣ ହୋଇଉଠେ ଜୀବନଟା, ଠିକ୍ ମୋ ବାପାଙ୍କ ପରି...ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲେ ଯଦି ଜୀବନ୍ତ କୁହାଯାଏ ତେବେ ମୋ ବାପା ଖାଲି ବଞ୍ଚିଥିଲେ, ନା କିଛି ଉଦ୍ଦେଶ୍ୟ ଥିଲା, ନା କିଛି ଲକ୍ଷ୍ୟ ଥିଲା ଜୀବନରେ...


ବୋଉ ଘର କଥା ବୁଝୁଥିଲା। ବୋଉର ଅନୁପସ୍ଥିତିରେ ବାପା କଥା କିଏ ବୁଝିବ ? ଛ ମାସ ପର୍ଯ୍ୟନ୍ତ ଗାଆଁ ର ସମ୍ପର୍କୀୟ ପିଉସୀ ଆମ ଘରେ ରହି ବାପାଙ୍କ କଥା ବୁଝୁଥିଲେ। କେତେଦିନ ଆଉ ସେ ଜଗିବେ, ରାନ୍ଧିବେ ବାପାଙ୍କ ପାଇଁ। ଭାବିଥିଲି ବିବାହ ପରେ ଫୁରସତରେ ଘର ବନେଇବି ବୋଲି। ବାପା ପୁଣି କୋଉଠି ରହିବେ, କାହା ପାଖରେ ରହିବେ ? ବାପାଙ୍କ ଖୁସି ପାଇଁ କିଛି ବି କରିବାକୁ ମୁଁ ପ୍ରସ୍ତୁତ ଥିଲି, ନଈକୁ ବନ୍ଧ ଦେଇ ଅଟକି ହୁଏନି ସିନା, ବନ୍ଧ ଦେଇ ନଈକୁ ପଥଚ୍ୟୁତ ହେବାରୁ ବଞ୍ଚେଇ ହୁଏ। ଅଳ୍ପ ଟିକିଏ ଯତ୍ନ ଦରକାର ବାପାଙ୍କ ଖୁସି ପାଇଁ। ଘର କିଣିବା ପାଇଁ ନା ବୟସ ହୋଇଥିଲା, ନା ପାଖରେ ପଇସା ଥିଲା । କିଛି ଉପାୟ ନ ପାଇ ବେଙ୍କରୁ ଋଣ ନେଇ ଘରଟିଏ କିଣିଲି କଟକ ସହରରେ। ଏତେ ବଡ ଚାକିରୀ ଶୁଣି ବେଙ୍କ ବାଲା ବି ଅସହଜ ମନେ କଲେନାହିଁ ଲୋନ ଦେବାକୁ !

 

ବାପାଙ୍କ ସର୍ଜରୀ ଥିଲା ପରବର୍ତ୍ତୀ ପ୍ରାଥମିକତା। ପଇସା ପତ୍ର ଯୋଗାଡ କରି ହସ୍ପିଟାଲରେ ଆଡ଼ମିଶନ କରେଇଲି ବାପାଙ୍କୁ। ସଫଳ ଅସ୍ତ୍ରୋପଚାର ହେଲା। ତିନି ଲକ୍ଷ ଖର୍ଚ୍ଚ ହେଲା ମୋ ବାପାଙ୍କ ପାଇଁ, ମୋର ଅସହାୟତାକୁ ବୁଝିପାରି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ସିନିୟର୍ ସିଟିଜେନ୍ କୋଟାରେ ପଚାଶ ହଜାର ପର୍ଯ୍ୟନ୍ତ ରିହାତି ଦେବେବୋଲି ଆଶ୍ୱାସନା ଦେଲେ। ହେଲେ ଆଧାର କାର୍ଡ ଦରକାର। ପିଉସୀଙ୍କୁ ବସେଇ ଦେଲି ବାପାଙ୍କ ପାଖରେ। ମୁଣ୍ଡ କାମ କଲାନାହିଁ, ଆଧାର କାର୍ଡ କୋଉଠି ମିଳିବ। ସବୁ ବୋଉ ରଖେ ବୋଲି ଶୁଣିଥିଲି। ଘରକୁ ଯାଇ ଖୋଜିବି ବୋଲି ଗାଆଁକୁ ଚାଲି ଆସିଲି। ବାପା ଗାଆଁରୁ ଆସିବା ପରେ ଚାବିକାଠି ମୋ ପାଖରେ ଥିଲା। ଘର ଖୋଲି ଖୋଜିଲି ସବୁ ଜାଗାରେ, ଝାଟି ମାଟି ନଡ଼ା ଛପର ଘର, ପିଲା ଦିନରୁ ଦେଖି ଆସିଛି ଘରଟିକୁ। ଠିକ୍ ସେମିତି। ଯେମିତି ଗତିରେ ମୋ ବୟସ ବଢ଼ି ଚାଲିଛି ଘରଟି ପୁରୁଣା ହେଲେ ବି କାହିଁକି କେଜାଣି ମୋତେ ଲାଗୁଛି ତାର ବୟସ ସେମିତି କିଛି ବଢ଼ିନାହିଁ। କେତେ ଲିପାପୋଛା ଦେଇ ଘରକୁ ସଜେଇ ରଖିଥିଲା ମୋ ବୋଉ। ଏହା ପରେ ଏଇ ଘରକୁ ଆସିବା ଧୀରେ ଧୀରେ କମିଯିବ। ଦଶ ବର୍ଷରୁ ଅଧିକ ହେବ ମୁଁ ହଷ୍ଟେଲରେ ରହି ପଢ଼ୁଥିଲି ଭୁବନେଶ୍ୱରରେ। ବାପା, ବୋଉ କୋଉଠି କଣ ରଖିଛନ୍ତି ମୁଁ ଜମାରୁ ଧ୍ୟାନ ଦେଇନି। ତଥାପି ଖୋଲା ପଡିଥିବା ଗୋଟାଏ ପୁରୁଣା ବାକ୍ସ ଭିତରେ ଖୋଜିଲି, ବାପାଙ୍କ ଆଧାର କାର୍ଡ କୁଆଡେ ଯଦି ମିଳିଯିବ ତା ଭିତରୁ!


ବାକ୍ସ ଭିତରୁ ଛୋଟ ପକେଟ ଖାତାଟିଏ ପାଇଲି । ଶେଷ ପୃଷ୍ଠା ଦେଖିଲି, ବୋଉ ଲେଖିଛି ମାଧିଆ ଦୋକାନରେ ପାଞ୍ଚ ଶହ ଏକାନବେ ଟଙ୍କା ବାକି ପଡ଼ିଛି। ଶେଷ ପୃଷ୍ଠା, ମୋ ବୋଉ ଜୀବନର ଶେଷ କଥା, ତା ପରେ ଆଉ ପୃଷ୍ଠା ନ ଥିଲା ଲେଖିବା ପାଇଁ, ନା ଆଉ ସମୟ ଥିଲା ତା ପାଖରେ। କିରାନା ଦୋକାନ ର ବାକି ଶୁଝି ପାରିନି, ଚାଲିଗଲା ଆର ପାରି କୁ।


ଘର ଆଗରେ ମାଧିଆ କାକାର ସଉଦା ଦୋକାନକୁ ଯାଇ ପଚାରିଲି ମୋ ବୋଉର କିଛି ବାକି ପଡିଛି ? ବାକି ଖାତା ଦେଖି ସେ କହିଲେ ହଁ ତୃପ୍ତି !  ପାଞ୍ଚ ଶହ ଏକାନବେ ଟଙ୍କା । ଛାଡ଼, ଭାଉଜ ଆଉ କୋଉଠି ବଞ୍ଚିଛି ଯେ ପଇସା ମାଗି ଥାଆନ୍ତି !

ନା କାକା ! ସେମିତି କୁହନି, ମୁଁ ପରା ଚାକିରୀ କଲିଣି। ଛ ଶହ ଟଙ୍କା ବଢେଇ ଦେଲି ତାଙ୍କ ହାତକୁ, ହସିଦେଲେ ମାଧିଆ କାକା। କହିଲେ ଆଜି କାଲିର ଛୁଆଙ୍କୁ ଆଉ ପାରି ହେବନି...


ଫେରି ଆସିଲି ଘରକୁ। ଭିତରେ ପଡିଥିବା ଦୌଡିଆ ଖଟ ଉପରେ ବସି ପଡିଲି। ପକେଟ ଖାତାକୁ ଓଲଟାଇ ପଢିବାକୁ ଭାରି ଇଚ୍ଛା ହେଲା।

ବାପାଙ୍କ ଅକ୍ଷର, ସେତେବେଳେ ବୋଧେ ବାପା ସବୁ ହିସାବ ପତ୍ର ଲେଖିଥିଲେ ଏଇ ଖାତାରେ।

ଗୋଟାଏ ପୃଷ୍ଠାରେ ମୋ ନାଁ ଦେଖି ଅଟକି ଗଲି। ତୃପ୍ତିର ବହି ପାଇଁ ୧୫୦୦ ଟଙ୍କା ଲାଗିବ। ଛେଳି ଛୁଆକୁ ବିକ୍ରି କରି ଦେଇ ଆଜି ପନ୍ଦର ଶହ ମନି ଅର୍ଡର କରିଛି ତୃପ୍ତି ପାଖକୁ।

ପୃଷ୍ଠା ଓଲଟେଇଲି। ପୁଣି ଥରେ ମୋ ନାଁ, କିଟ୍ସ୍ ରେ ତୃପ୍ତିର ବି କମ୍ ଆଡ଼ମିଶନ। ଦେଢ଼ ଲକ୍ଷ ଲାଗିବ। ଦୁଇ ଡେସିମିଲ ଘର ଡିହ ବିକି ଦେଇଛି, ସଉଦା ଦୋକାନୀ ମାଧିଆକୁ। ଲୁହକୁ ସମ୍ଭାଳିବା ଆଉ ସମ୍ଭବ ହେଲା ନାହିଁ। ପୁଣି ଗୋଟାଏ ପୃଷ୍ଠା, ବୋଉର ହାତଲେଖା, ବାପା ତାଳ ଗଛରୁ ପଡ଼ିଯିବା ପରେ ବୋଧେ। ତା ପରଠୁ ବୋଉ ବୋଧେ ଲେଖିଛି ଘରର ଭଲ ମନ୍ଦ ଏଇ ପକେଟ ଖାତାରେ। କଟକ ବଡ ଡାକ୍ତର ଖାନାକୁ ଯିବା ପାଇଁ ହଜାରେ ଟଙ୍କା ଲାଗିବ, ସୁନା ମୁଦି ବନ୍ଧା ପକେଇଛି ବ୍ରଜ ସାହୁ ଘରେ। କଟକ ବଡ଼ ଡାକ୍ତରଖାନା !! କଣ ହୋଇଥିଲା ମୋ ବୋଉକୁ ???


ଗୁଲଜାର ଙ୍କ ଗୋଟାଏ କଥା ମନକୁ ଆଘାତ କଲା

ଘର କୀ ଇସ ବାର ମୁକମଲ୍

ତଲାସୀ ଲୁଙ୍ଗା ମେ

ଗମ୍ ଚ୍ଛୁପା କର ମେରେ ମା ବାପ କାହାଁ ରଖତେ ଥେ...


ଖାତାକୁ ଜୋର୍ କରି ଜାବୁଡ଼ି ଧରିଲି , ସେମାନେ ବିତେଇଥିବା ସବୁ ଦୁଃଖ ମୁହୂର୍ତ୍ତ ଲିପିବଦ୍ଧ ହୋଇଛି ଏଇ ପକେଟ ଖାତାରେ। ତାକୁ ସାଇତି ରଖିବି। ପ୍ରତି ମୁହୂର୍ତ୍ତରେ ମୁଁ ପ୍ରେରଣା ପାଉଥିବି ତାଙ୍କର ଏଇ ଯନ୍ତ୍ରଣା ପୂର୍ଣ୍ଣ ଉପନ୍ୟାସର ପ୍ରତିଟି ଘଟଣାରୁ।


ବାରଣ୍ଡା କୁ ବାହାରି ଆସିଲି, ଭାବିଲି ବାପା ବୋଉଙ୍କ ସବୁ ଦୁଃଖ ଏଇ ଝାଟି ମାଟି ଘରର ଚାଳି ଭିତରେ ଏଣେ ତେଣେ ଲୁଚି ରହିଛି, ଖୋଜି ଖୋଜି ବାହାର କରିବି ପ୍ରତିଟି ଦୁଃଖକୁ।


ନାଲି କନା ପୁଟୁଳି ଟିଏ ବାରଣ୍ଡା ଚାଳ ଭିତରେ ଗେଞ୍ଜା ହୋଇଛି, ଖୋଲି ଦେଖିଲି। ତା ଭିତରେ କଣ ଅଛି !! ଦୁଇ ଟଙ୍କିଆ କଏନ ସାଥିରେ, ମନ୍ଦାର ଫୁଲ ଶୁଖି ଯାଇଛି । ବୋଉ ମାନସିକ କରିଥିଲା ବୋଧେ ମୋ ଚାକିରୀ ପାଇଁ। ତାର ଏକାନ୍ତ ସ୍ବପ୍ନ ଥିଲା ବୋଧେ ମୁଁ ଚାକିରୀ କରିବି। ବଖରାଏ ଘର ବନେଇବାର ସ୍ବପ୍ନ ସେ ଦେଖିନି, ମୋ ଚାକିରୀ ପାଇଁ ସର୍ବସ୍ବ ଅଜାଡ଼ି ଦେଇଛି, ଧନ୍ୟ ମୋ ବୋଉ !


ଘର ଭିତରେ କାନ୍ଥ ଠଣାରେ ପ୍ଲାଷ୍ଟିକ କଭରଟିଏ ଦେଖି ମନ ଟା ବ୍ୟଗ୍ର ହୋଇ ଉଠିଲା ତା ଭିତରେ କଣ ଅଛି ଦେଖିବାକୁ ! ବାପା ବୋଉଙ୍କ ଆଧାର କାର୍ଡ। ମନଟା ଖୁସି ହୋଇଗଲା। ଗୋଟାଏ ପ୍ରେସ୍କ୍ରିପ୍ସନ୍ ପାଇଲି ତା ଭିତରୁ, ବୋଉର। ଇଉଟେରସ ଟିୟୁମର, ଫୋର୍ଥ ଷ୍ଟେଜ୍। ଅର୍ଜେଣ୍ଟ ସର୍ଜରୀ, ଦରକାର। ଏତେ କଥା ବୋଉ ଲୁଚେଇ ରଖିଥିଲା। ମୋ ପଢା ପାଇଁ ସବୁ ଖର୍ଚ୍ଚ କରି ଦେବା ପରେ ଖାଲି ହାତ ମୋ ବାପା ବୋଉଙ୍କ। ତା ଦେହ ପାଇଁ ଚିନ୍ତା କରିବାକୁ ସାହାସ ବାନ୍ଧି ପାରିନି। ପ୍ରେସ୍କ୍ରିପ୍ସନଟା ଅକ୍ଷତ ଅବସ୍ଥାରେ ପଡ଼ି ରହିଛି ଏଇ ପ୍ଲାଷ୍ଟିକ ବେଗ ଭିତରେ। ମାରାତ୍ମକ ରୋଗରେ ବୋଉ ମରିଗଲା । ମୋ ପଢା, ମୋ ଇଣ୍ଟରଭିଉ ରେ ବ୍ୟାଘାତ ଆସିବ ବୋଲି ମନର ଦୁଃଖ ସବୁ ମନ ଭିତରେ ମାରି ଦେଇଛି ମୋ ବୋଉ।

ଟେକ୍ସି ଧରି ଚାଲିଲି ହସ୍ପିଟାଲ କୁ। ତିନି ଘଣ୍ଟାର ରାସ୍ତା। ବାପା ପୁଣି ବ୍ୟସ୍ତ ହୋଇ ପଡୁଥିବେ, ମୋତେ ଖୋଜୁଥିବେ ମନେ ମନେ। ପିଉସୀଙ୍କୁ ପଚାରୁଥିବେ ତୃପ୍ତି କୁଆଡେ ଗଲା ବୋଲି।

ପଶିଗଲି ବାପାଙ୍କ କେବିନ୍ ଭିତରକୁ। ବାପା ମୋତେ ଦେଖି ହସିଦେଲେ। ପର୍ସ୍ ଭିତରୁ ମୁଦି ବାହାର କରି ବାପାଙ୍କୁ ପିନ୍ଧେଇ ଦେଲି। ହଁ, ଏଇଟା ତୋ ବ୍ରଜ ସାହୁ ପାଖରେ ବନ୍ଧା ପଡ଼ିଥିଲା। ତୋ ବୋଉର କାନଫୁଲ ?

ନିଜ କାନକୁ ଦେଖେଇ ଦେଇ କହିଲି, ଏଇଟା ମୋ ବୋଉର କାନ ଫୁଲ। ବ୍ରଜ ସାହୁ ଘରୁ ମୁକ୍ତ କରି ନେଇ ଆସିଛି। ବାପାଙ୍କ ସ୍ମରଣ ଶକ୍ତି ଫେରି ଆସିଛି। ସଫଳ ଅସ୍ତ୍ରୋପଚାର ! ଖୁସିରେ କୋଳେଇ ଧରିଲି ମୁଁ ମୋ ବାପାଙ୍କୁ। କାନ ପାଖରେ କହିଲି ବାପା ! ବୋଉର ରୋଗ ବାବଦରେ ମୋତେ କହିଲନି କାହିଁକି ? ମୋ ପାଇଁ ସବୁ ବନ୍ଧା ପକେଇଦେଲ। ବୋଉ ପାଇଁ କିଛି କଲନି ???? ବାପା ଚୁପ୍ ରହିଲେ...

 

ବୋଉ ପାଇଁ କିଛି କରିବାକୁ ଭଗବାନ ସୁଯୋଗ ଦେଲେ ନାହିଁ, ନିଜକୁ ବନ୍ଧା ପକେଇ ଦେଲି ବାପାଙ୍କ ପାଖରେ ସାରା ଜୀବନ ପାଇଁ, ତାଙ୍କ ସ୍ନେହର ଋଣ ସବୁ ଶୁଝି ପାରିବି ତ !

ଘର ଭିତରେ ଜାଗା କୋଉଠି ଖାଲି ଅଛି ଯେ ଯେଉଁଠି ସେ ତାଙ୍କ ଦୁଃଖ ଲୁଚେଇ ନାହାନ୍ତି, ଖାସ୍ ମୋ ପାଇଁ। ହଁ ଭୁଲି ବି ଗଲିଣି। କେତେବର୍ଷ ଆଗରୁ ଛେଳିଛୁଆ କଥା ତାଙ୍କୁ ପଚାରିଥିଲି, ଭାରି ଭଲ ପାଉଥିଲି ଛୁଆଟିକୁ, ମୋତେ କହିଲେ ହଜି ଯାଇଛି ! ଛେଳି ଛୁଆକୁ କିନ୍ତୁ ବିକିଦେଇ ମୋ ପାଇଁ ବହି କିଣିଥିଲେ ମୋ ବାପା। ବାପା ଥିଲେ ମୋ ବାହୁ ବନ୍ଧନରେ, ଲୁହକୁ ଆଉ ନିୟନ୍ତ୍ରଣ କରି ହେଲାନି....।


Rate this content
Log in

Similar oriya story from Classics