Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Children Stories Inspirational Others

4  

arun sahoo

Children Stories Inspirational Others

ଭକ୍ତି ଭାବ

ଭକ୍ତି ଭାବ

6 mins
572


ରାକେଶ ଏସି କମ୍ପାର୍ଟମେଣ୍ଟ ଭିତରକୁ ଉଠି ଗଲା ବେଳକୁ ଭିତରଟା ପୁରା ଖାଲି ଖାଲି ଦିଶୁଥାଏ । କରୋନା ପାଇଁ ଏସି ଚେୟାର କାର ବି ପୁରା ଖାଲି ପଡିଛି। ଚାରି ଆଡକୁ ରାକେଶ ଆଖିଟା ବୁଲେଇ ଆଣିଲେ। ଦେଖିଲେ, ମଝିରେ ଜଣେ ମାତ୍ର ବସିଛି । ଆଶ୍ଚର୍ଯ୍ୟ ହେଲେ, ଏତେ ଚେୟାର ପଡିଛି ଅଥଚ ମଝିରେ ଗୋଟିଏ କୋଣକୁ କାହିଁକି ବସିଛନ୍ତି। ସେରଲକ ହୋମସ୍ ପରି ଭାବିବାକୁ ଲାଗିଲେ - ଲୋକଟା ନିଶ୍ଚିତ ଭାବରେ ଏକାନ୍ତ ଚାହୁଁ ଥିବ, ନଚେତ୍ ଦୁଶ୍ଚିନ୍ତା ରେ ଥିବେ ଅବା କୌଣସି ପୁସ୍ତକ ପଢାରେ ମଗ୍ନ ଥିବେ। ନିଜ କଥା ର ସତ୍ୟତା ଜାଣିବା ପାଇଁ ରାକେଶ ଆଉ କୋଉଠି ବସିବାକୁ ଇଛା ନକରି ସିଧା ସେଇଠିକି ଯାଇ ସାମନାରୁ ଦୁଇଟି ଚେୟାର ଛାଡି ବସି ପଡିଲେ। ସତକୁ ସତ ଲୋକଟି ବହି ଖଣ୍ଡେ ଧରି ପଢୁଥିଲେ। ରାକେଶ ନିଜ ବୈଚାରିକ ସିଦ୍ଧାନ୍ତରେ ଖୁସି ହୋଇ ହାଲୋ କହି ନିଜ ପରିଚୟ ଦେଲେ। ଲୋକ ଟି ମଧ୍ୟ ହାଲୁକା ଭାବେ ହସି ଦେଇ କହିଲେ, ମୁଁ ରାଜେଶ ଦାସ।


ଉଭୟେ କିଛି ସମୟ ଗପସପ କରି ସାରିଲା ପରେ ରାକେଶ ଜାଣି ପାରିଲେ ଯେ ରାଜେଶ ଜଣେ ଖୁବ୍ ଧର୍ମ ବିଶ୍ଵାସୀ ଓ ଆଧ୍ୟାତ୍ମ ବାଦୀ ମଣିଷ। ରାକେଶଙ୍କୁ କଥା ହେବାକୁ ଖୁବ୍ ଭଲ ଲାଗୁଥିଲା। ରାଜେଶଙ୍କର ବହି ପଢାରେ ବାଧା ହେଉଛି ଜାଣି ମଧ୍ୟ ସେ ତାଙ୍କର କଥା ହେବାର ଇଛାକୁ ରୋକି ପାରିଲେ ନାହିଁ। କହିବାର ଆଳରେ କହି ମଧ୍ୟ ଦେଲେ ଟ୍ରେନରେ ଯାତ୍ରା ସମୟରେ କଥାବାର୍ତ୍ତା ହେଇ ଗଲେ ଯାତ୍ରା କ୍ଳାନ୍ତି ଜଣା ପଡେ ନାହିଁ କି ସମୟର ଅପେକ୍ଷା ଜନିତ ଆସୁଥିବା ଉଦବିଗ୍ନତା ରହେ ନାହିଁ। ମୁଁ ସେଥିପାଇଁ ମୋ ସହଯାତ୍ରୀ ମାନଙ୍କୁ ପୂର୍ଣ୍ଣ ସହଯୋଗ କରେ। ସମସ୍ତେ ତ ଆଉ ଗପିବାର କଳା ନେଇ ଜନ୍ମ ହେଇ ନାହାନ୍ତି ତେଣୁ ମୁଁ ଗପିଲେ ଆଉ କିଏ ହୁଏତ ଶ୍ରୋତା ହେଇ ପାରିବେ। ଏତିକି କହି ରାକେଶ ନିଜ ବକ୍ତବ୍ୟରେ ସନ୍ତୋଷ ପ୍ରକାଶ କରି ଜୋରରେ ହସିଲେ। 

ରାଜେଶ ମଧ୍ୟ ସାମାନ୍ୟ ହସିଦେଇ କହିଲେ, ସେଥିପାଇଁ ବୋଧହୁଏ ଆପଣ ମୋ ପାଖରେ ବସି ପଡିଲେ। 


ରାଜେଶଙ୍କର ହସରେ ପ୍ରଭାବିତ ହୋଇ ରାକେଶ କହିଲେ ଆପଣ କିନ୍ତୁ ଜଣେ ଖୁବ୍ ସୁନ୍ଦର ଶ୍ରୋତା ଓ ବକ୍ତା ପରି ଜଣା ପଡୁଛନ୍ତି । ଆପଣଙ୍କର ଆଧ୍ୟାତ୍ମିକ ଜ୍ଞାନ ଦେଖି ମୋର କିଛି ପଚାରିବାକୁ ଇଛା ହେଉଛି। ଯଦି କିଛି ମନେ ନ କରନ୍ତି ମୁଁ କହିବି କି!  ହଁ, ପଚାରନ୍ତୁ! ଏଥିରେ ମନେ କରିବାର କଣ ଅଛି। ଜିଜ୍ଞାସୁ ହେବାଟା ଖୁବ୍ ଭଲ।  ରାକେଶ ଆଗ୍ରହ ରେ କହିଲେ, ପ୍ରଶ୍ନ ଟା ଅବଶ୍ୟ ମୋ ବିଷୟରେ ନୁହେଁ। ମୋର ଜଣେ ବନ୍ଧୁ ଅଛନ୍ତି ମୁଁ ତାଙ୍କ ବିଷୟରେ କିଛି ପଚାରିଥାନ୍ତି । ହଁ ପଚାରନ୍ତୁ। ମୁଁ କିନ୍ତୁ ଜ୍ୟୋତିଷ ନୁହେଁ କହି ରାଜେଶ ହସିଦେଲେ ।


ରାକେଶ କହିବା ଆରମ୍ଭ କଲେ - ମୋର ଜଣେ ବନ୍ଧୁ ଅଛନ୍ତି। ତାଙ୍କ ନାଁ ପ୍ରଭଞ୍ଜନ। ସେ ସୁନ୍ଦର ଭକ୍ତି କବିତା ଲେଖନ୍ତି। କବିତା ତାଙ୍କର ପଢିଲେ ସେଥିରେ ଥିବା ଜୀବନୀ ଶକ୍ତିକୁ ବି ଆପଣ ଅନୁଭବ କରି ପାରିବେ। କବିତା ରୁ ତାଙ୍କର ଦୁଃଖ ଓ ସୁଖର ଭାବ ନିର୍ଗତ ହେଉଥିବାରୁ ତାଙ୍କର ପ୍ରତିଟି କବିତା ପ୍ରାଣସ୍ପର୍ଶି ଓ ମନକୁ ଛୁଇଁଲା ଭଳି। ପ୍ରଭଞ୍ଜନ ଥରେ ଗୋଟିଏ ଭକ୍ତି କବିତା ଲେଖି ନିଜ ଗୁରୁ ଯିଏ ତାଙ୍କ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଗୌରହରି ଦାସ ଙ୍କୁ ଦେଖାଇଲେ । କବିତାର ପ୍ରତିଟି ପଦରେ ଭକ୍ତି ରସ ଭରି ରହିଥିଲା। ସେ ଭଗବାନଙ୍କୁ ଭକ୍ତି ରସରେ ନିବେଦନ କରି କହିଛନ୍ତି


ନୀଳାଦ୍ରି ନାଥହେ ଏତିକି ମାଗୁଣି ଘେନ

ଲୋଡେ ନାହିଁ ପ୍ରଭୁ ତୋଠାରୁ ମୁଁ କିଛି

ତୋପାଖେ ଥାଉ ମୋ ମନ

ନୀଳାଦ୍ରି ନାଥ ହେ ଏତିକି ମାଗୁଣି ଘେନ ।


ଗୌରହରି ସାର୍ ଶୁଣି ସାରି କହିଲେ - ଅତି ସୁନ୍ଦର ସୃଷ୍ଟିଟିଏ। ଭକ୍ତି ଭାବର କବିତା। 

ପ୍ରଭଞ୍ଜନ କହିଲେ - ସାର୍! ଏତେ ଭକ୍ତି ଭାବର ନୈବେଦ୍ୟ ଦେଲା ପରେ ମଧ୍ୟ ଠାକୁରଙ୍କର ମୋ ପ୍ରତି ଟିକିଏ ବି ଦୟା ନାହିଁ କାହିଁକି! ମୋର ତ ଯାହା ହେଲା ହେଲା ମୋ ପିଲା ମାନଙ୍କୁ ବି ଟିକେ ଭଲରେ ରଖିଲେ ନାହିଁ। 


ଗୌରହରି ସାର୍ ସବୁ ଶୁଣି ଦୁଃଖ ପ୍ରକାଶ କଲେ କିନ୍ତୁ କିଛି ନିଦାନ କରି ନ ପାରି କହିଲେ - ସବୁ ସେହି ପ୍ରଭୁ ଙ୍କ ଇଛା। 

ରାକେଶ ରାଜେଶ ଙ୍କୁ ଦୃଷ୍ଟି ରେ ରଖି କହିଲା ଯଦି ସାର୍ ସବୁ ପ୍ରଭୁଙ୍କ ଇଛା ହୁଏ ତାହେଲେ ନିଜ ଭକ୍ତି ଭାବର କଣ କିଛି ବି ଫଳ ନାହିଁ। ପ୍ରଭୁଙ୍କ ପାଖରେ ସମର୍ପିତ ହେବା ଓ ନ ହୋଇଥିବାଙ୍କ ଭିତରେ କଣ କୌଣସି ଫରକ ନାହିଁ। ତାଙ୍କ ଭକ୍ତି ରସର କବିତା ଆପଣ ଅନେକ ଗାୟକଙ୍କ କଣ୍ଠରୁ ବି ନିଶ୍ଚିତ ଶୁଣିଥିବେ। 

ରାକେଶ କଥା ଶେଷ କରି କହିଲେ ବିଚରାଟା ବଡ ଦୁଃଖୀ ଲୋକଟାଏ। ତା ପୁଅ ମାନେ ଏ ପର୍ଯ୍ୟନ୍ତ କିଛି ରୋଜଗାର କଲେନି ବୋଲି ତା ମନ ଭାରି ଦୁଃଖ। ଆପଣଙ୍କର ସିନା ସବୁ କିଛି ଅଛି ବୋଲି ଆପଣ ଆଧ୍ୟାତ୍ମିକ ତାର ଦ୍ଵାହି ଦେଇ ସବୁ କିଛି କହି ପାରିବେ। କିନ୍ତୁ ଯିଏ ନିଜ କର୍ମର ଫଳ ପାଉନି ସେ ତ ଧିରେ ଧିରେ ତାର ଈଶ୍ୱର ବିଶ୍ୱାସ କୁ ହରେଇ ବସିବ। ଆପଣ କଣ କହୁଛନ୍ତି ?


ରାଜେଶ ସବୁ ଶୁଣି ଆଉ ହାଲୁକା କରି ହସି ନପାରି ମୁହଁ ଖୋଲି ହସି ଦେଲେ। 

ରାକେଶ କୁ ଟିକେ ଅଡୁଆ ଲାଗିଲା। ତାଙ୍କ କଥା ରେ ତ କିଛି କୌତୁକ ନଥିଲା। ତଥାପି ସ୍ଵାଭାବିକ ଠାରୁ ଅଧିକ ହସିଲେ କେମିତି! ନିଜେ କହିଥିବା କଥାକୁ ମନ ଭିତରେ ଦୋହରାଇବାକୁ ଚେଷ୍ଟା କଲେ। ନା! ସେ ତ ସେମିତି କିଛି ଅପ୍ରାସଙ୍ଗିକ କଥା କହି ନାହାନ୍ତି । କିନ୍ତୁ କଥାରେ ବ୍ୟଙ୍ଗ ଥିଲା ପରି ତାଙ୍କ ହସିବାରୁ ବାରି ହେଇ ପଡୁଥିଲା। ରାକେଶକୁ ଖରାପ ଲାଗୁଥିଲା। ତାଙ୍କର ଏପରି ହସିବାର ଅର୍ଥ କଣ ବୋଲି ଜିଜ୍ଞାସା କରିବାକୁ ମନ ମଧ୍ୟରେ ଅଦମନୀୟ ଇଛା ଜାଗ୍ରତ ହେଲା। ରାକେଶ ନିଜ ଇଛାକୁ ବକ୍ତବ୍ୟ ରେ ପରିଣତ କରିବା ପୂର୍ବରୁ ରାଜେଶ ସେତିକିବେଳେ ହସ ହସ ମୁହଁରେ ପଚାରିଲେ - କଣ ମୁଁ ହସିଲି ବୋଲି ଆପଣ ଖରାପ ଭାବିଲେ କି? 

ରାକେଶ ଦୋଦୋପାଞ୍ଚ ହେଲା। ନିଜ ମନର କଥାକୁ ଇୟେ କେମିତି ଜାଣି ପାରିଲେ। ସ୍ଵୀକାର କରିଗଲେ ଭଲ ନୁହେଁ ଭାବି ରାକେଶ ମଧ୍ୟ ମୂଖରେ କୃତ୍ରିମ ହସ ଖେଳାଇ କହିଲେ - ନାହିଁ ନାହିଁ! ମୁଁ କାହିଁକି ଆପଣଙ୍କ ହସକୁ ନେଇ ଖରାପ ଭାବିବି। ଆପଣଙ୍କ ହସ ଆପଣଙ୍କ ର ବ୍ୟକ୍ତିଗତ। ସେଥିରେ ମୋର କଣ ଅଛି। ମୋ କଥା ଯଦି ଆପଣଙ୍କୁ ମିଛ ପରି ଲାଗିଥିବ ଆପଣ ସେଥିପାଇଁ ହସିଥିବେ। କିନ୍ତୁ ମୋ କଥା ମିଛ ନୁହେଁ। ଆପଣ ଚାହିଁଲେ ଭୂବନେଶ୍ବର ରେ ପହଞ୍ଚିଲା ପରେ ମୁଁ ମୋ ବନ୍ଧୁ ପ୍ରଭଞ୍ଜନ ସହ ଦେଖା କରେଇ ଦେବି। ଆପଣଙ୍କୁ ଆଉ ମୋ କଥା ଅବିଶ୍ୱାସ ଲାଗିବ ନାହିଁ। 


- ରାକେଶ ବାବୁ! ମୁଁ ଆପଣଙ୍କ କଥା ଅବିଶ୍ୱାସ କରୁ ନାହିଁ। ଆପଣ କାହିଁକି ମୋ ହସର ଅନ୍ୟ ଅର୍ଥ କରୁଛନ୍ତି। 


- ତାହେଲେ ମୋ କଥାରେ କଣ ଏମିତି ଅଛି ଯେ ଆପଣଙ୍କୁ ଏମିତି ହସିବାକୁ ପଡିଲା। 


- ଓକେ ରାକେଶ ବାବୁ। ମୋ ହସିବା ଯଦି ଆପଣଙ୍କୁ ଖରାପ ଲାଗିଛି ମୁଁ ସେଥିପାଇଁ ଦୁଃଖୀତ। ମୋର କିନ୍ତୁ ସେମିତି କିଛି ଉଦ୍ଦେଶ୍ୟ ନାହିଁ। ଏଇଟା ସତ୍ୟ। ଏଥିରେ ଦ୍ଵିଧା ରଖନ୍ତୁ ନାହିଁ। ହଁ! ମୁଁ କାହିଁକି ଏମିତି ହସିଲି ବୋଲି ଯଦି ମନେ ମନେ ଭାବୁଥାନ୍ତି ତାହେଲେ ପ୍ରଥମେ ମୁଁ ଆପଣଙ୍କୁ ପଚାରିବି ଯେ- ଯଦି ଆପଣ ମୋତେ ଯାହା ଯାହା କହିଛନ୍ତି ସବୁ ମିଛ ବୋଲି ମୁଁ ଜାଣି ପାରୁଛି ତାହେଲେ ମୋର ଏପରି ହସିବାଟା ଯଥାର୍ଥ ହେବ କି ନାହିଁ ! 


- ମୁଁ ଆପଣଙ୍କୁ କହି ସାରିଛି ମୋ କଥା ମିଛ ନୁହେଁ। ଏହାର ପ୍ରମାଣ ମୁଁ ଭୂବନେଶ୍ବର ପହଞ୍ଚିଲା ପରେ ଦେଇ ଦେବି। ରାକେଶ ସାମାନ୍ୟ ଦୁଃଖୀତ ହେଇ କହିଲେ। 


- ମୁଁ ବି ଆପଣଙ୍କ କଥା ସତ ବୋଲି ସ୍ଵୀକାର କରୁଛି। ମୁଁ ବିଲକୁଲ କହୁ ନାହିଁ ଯେ ଆପଣ ମିଛ କହୁଛନ୍ତି ବୋଲି। ମୋତେ କିନ୍ତୁ କୁହନ୍ତୁ ଯଦି, ଆଉଥରେ କହୁଛି ଯଦି ଆପଣ ଏସବୁ ମିଛରେ କହୁଥିବେ ଆଉ ମୁଁ ଆପଣଙ୍କ କଥା ମିଛ ବୋଲି ଜାଣି ପାରୁଥିବି ତାହାଲେ ମୋ ହସିବାଟା ଠିକ କି ନୁହେଁ! 


ଏଥରକ ବୋଧେ କଥାଟା ସ୍ପଷ୍ଟ ଭାବରେ ବୁଝି ପାରିଲେ ରାକେଶ। ସେ ନିଃସନ୍ଦେହ ହୋଇ କହିଲେ - ହଁ! ଅବଶ୍ୟ ହସିବା ଠିକ। ଯେ କୌଣସି ଲୋକ ବି ହସିବ। ମୁଁ ବି ହସିବି। ଏବଂ ଦରକାର ପଡିଲେ ମୁଁ ମଧ୍ୟ କହି ଦେବି ଯେ ଏଭଳି ମିଥ୍ୟା ଅବତାରଣା କରିବା ଠିକ୍ ନୁହେଁ। ଏହା ବ୍ୟକ୍ତି ର ବ୍ୟକ୍ତିତ୍ଵକୁ ନଷ୍ଟ କରେ ଓ ଏଭଳି କଥା ଶୁଣୁଥିବା ଲୋକ ଙ୍କୁ ମଧ୍ୟ ଭ୍ରମରେ ପକାଏ। 

ଛାଡନ୍ତୁ ଏସବୁ। ଏଠି ତ ମିଛ ବୋଲି କିଛି ନାହିଁ। ମୁଁ ଯାହା କହିଛି ସବୁ ଠିକ୍ କହିଛି। ତଥାପି ବି ଆପଣ ଏକ ଅନ୍ୟ ଭାବରେ ହସିଲେ ।


- ଆପଣ ରାଗନ୍ତୁ ନାହିଁ ରାକେଶ ବାବୁ। ଆପଣଙ୍କୁ ମୁଁ ବୁଝେଇ ଦେଉଛି ମୋ ହସିବା ପଛର ରହସ୍ୟ।

ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଯେ ଆପଣ ବନ୍ଧୁଙ୍କ ପାଇଁ ଏତେ ଚିନ୍ତିତ। ପ୍ରଭଞ୍ଜନ ବାବୁଙ୍କ ଭକ୍ତିରସ ପୂର୍ଣ୍ଣ ଗୀତରେ ପ୍ରଭାବିତ ହୋଇ ଆପଣ ଭଗବାନ ଙ୍କୁ ମଧ୍ୟ ଅନ୍ୟାୟ କରିବାରେ ଆରୋପିତ କରିଛନ୍ତି। କିନ୍ତୁ ଭଗବାନ ଙ୍କୁ ଭଜନ କରିବାରେ ଯେ ସେ କେତେ ମିଛକଥା ସବୁ କହୁଛନ୍ତି, ସେଇଟା କଣ ଆପଣ କେବେ ଧରି ପାରୁଛନ୍ତି। ଆମେ ଠାକୁର ଙ୍କୁ ଡାକିଲା ବେଳେ ଅନେକ ପ୍ରକାରର ବକ୍ତବ୍ୟ ରଖୁ କିନ୍ତୁ ତାକୁ ପୁରା କରିବାର ସାମର୍ଥ୍ୟ ଆମେ କେବେ ଚିନ୍ତା କରୁନା, କାହିଁକି ନା ଆମେ ଜାଣିଛୁ ଯେ ଆମେ ଯେଉଁ ଭଜନ ଲେଖୁଛୁ ତାହା ଠାକୁରଙ୍କ ପାଇଁ କମ୍ ଓ ଲୋକଙ୍କ ପାଇଁ ବେଶି। ଯଦି ଆମେ ଭଜନ ଲୋକଙ୍କ ପାଇଁ ଲେଖୁଛେ ତାହାଲେ ଠାକୁରଙ୍କୁ କାହିଁକି ଆରୋପ କରିବା! 


- ଆପଣ ଏମିତି କଣ କହୁଛନ୍ତି ଯେ! ମୁଁ ଆପଣଙ୍କ କଥା ବୁଝି ପାରୁନି। 


- ହୋଉ! ମୋତେ ଗୋଟିଏ କଥା କହିଲେ, ଆପଣ ଯୋଉ ଭଜନର ପଦଟି ଟିକିଏ ଆଗରୁ ମୋତେ କହିଥିଲେ, ସେଇଟା ଆଉଥରେ କହିଲେ। 


ରାକେଶ ତୁରନ୍ତ ସ୍ଵରସହ ଆବୃତ୍ତି କଲା - ନୀଳାଦ୍ରି ନାଥ ହେ ଏତିକି ମାଗୁଣି ଘେନ 

ଲୋଡେ ନାହିଁ ପ୍ରଭୁ ତୋଠାରୁ ମୁଁ କିଛି 

ତୋପାଖେ ଥାଉ ମୋ ମନ 

ନୀଳାଦ୍ରି ନାଥ ହେ ଏତିକି ମାଗୁଣି ଘେନ। 


ରାଜେଶ କହିଲେ ଦେଖନ୍ତୁ - ରାକେଶ ବାବୁ ! ଆପଣ କିଛି ଜାଣି ପାରିଲେ? 

- ନା! ମୁଁ କିଛି ଜାଣି ପାରୁନି 

- ଆପଣ କହିଲେ "ଲୋଡେ ନାହିଁ ପ୍ରଭୁ ତୋଠାରୁ ମୁଁ କିଛି "

- ହଁ ମୁଁ କହିଲି। କବିତା ତ ସେୟା। ମୁଁ କିଛି ଭୁଲ କହିନି। 

- ଆପଣ ସିନା କିଛି ଭୁଲ କହି ନାହାନ୍ତି, ଯିଏ ଭକ୍ତି ଭାବରେ ବିହ୍ଵଳିତ ହେଇ ଭଗବାନଙ୍କୁ କହିଛି ସେ ତ ଭଗବାନଙ୍କୁ ମିଛ କହିଲା 

- କଣ ମିଛ କହିଲା 

ରାଜେଶ ହସି ହସି କହିଲେ - ଭଗବାନ ଙ୍କୁ ମୁଁ ଭକ୍ତି ରେ କହିବି "ଲୋଡେ ନାହିଁ ପ୍ରଭୁ ତୋଠାରୁ ମୁଁ କିଛି ", ଅଥଚ ମନ ଭରି ଭଗବାନ ଙ୍କୁ ମାଗିବି ଏବଂ ନ ମିଳିଲେ ତାଙ୍କୁ ଆରୋପ କରିବି। ଏଇଟା ଶୁଣିଲେ ଭଗବାନ ହସିବେ କି ନାହିଁ। ମୋତେ ତ ହସ ମାଡିଲା। 

ଟ୍ରେନ ଭୂବନେଶ୍ବର ଷ୍ଟେସନ ଭିତରକୁ ପଶି ସାରିଥିଲା। ରାଜେଶ ତାଙ୍କ ଏୟାର ବ୍ୟାଗ ଧରି କବାଟ ପାଖକୁ ଉଠି ଆସିଲେ। 

ରାକେଶ ର ମନ ଭିତରେ କିନ୍ତୁ ସେଇ ପଦଟି ଗୁଞ୍ଜରିତ ହେଉଥାଏ - ଲୋଡେ ନାହିଁ ପ୍ରଭୁ ତୋଠାରୁ ମୁଁ କିଛି -- ସତରେ ତ ଆମେ ଲୋଡା ନାହିଁ କହି କେତେ କଣ ଭଗବାନ ଙ୍କୁ ମାଗି ଦେଉଛୁ। ସେଥିରେ ପୁଣି କିଛି ବ୍ୟତିକ୍ରମ ହେଲେ ପକ୍ଷପାତିତା ହେଲା ବୋଲି କହିବାକୁ ସଂକୋଚ କରୁନୁ। ରାଜେଶ ଠିକ କହିଛନ୍ତି। ରାକେଶ ନିଜ ଭୁଲ ବୁଝି ପାରି ରାଜେଶଙ୍କୁ କହିବାକୁ ତରତରରେ ଉଠି ଆସିଲେ । ପ୍ଲାଟଫର୍ମ ଚାରିପଟ କୁ ଅନାଇଲେ। ରାଜେଶ କିନ୍ତୁ କୋଉଠି ଦିଶିଲେ ନାହିଁ। ମନେ ମନେ ଭାବିଲେ ଭଗବାନ ଆଉ ଆସି କହି ଦେଇ ଗଲେ କି ଆମେ ସତ୍ୟତା ନଥାଇ ଲୋକ ଦେଖିବେ ବୋଲି ମିଛରେ ଭକ୍ତି ଭାବର ବାହାନା କରୁଛୁ । ରାକେଶ ର ମୁହଁରୁ ବି ହସ ଟିକେ ଆପେ ବାହାରି ଆସିଲା। 


    


Rate this content
Log in