ଆସ ମା କୈଳାସ ରାଣୀ
ଆସ ମା କୈଳାସ ରାଣୀ
ଆସ ଆସ ମାଗୋ ଗଉରୀ
ଆସ କୈଳାସ ରାଣୀ
ମର୍ତ୍ତ୍ୟ ମଣ୍ଡଳରେ ବାଜେ ମା
ପାର୍ବଣର କିଙ୍କିଣି ।
ଶିତଳ ତୁଷାର ରାଇଜେ
ପରା ତୁମ ନିବାସ
ଶୈଳ ଚୂଡା ଶୋଭା ବର୍ଦ୍ଧନ
ପାଇ ତୁମ ପରଶ ।
ରକ୍ତିମ ଆଭାରେ ତପନ
ଦେଖ ଆସିଲେ ଉଇଁ
ସ୍ବର୍ଣ୍ଣିମ କିରଣ ଧରାରେ
ଦେଖ ଯାଏ ବିଛାଇ ।
ମୁଣ୍ଡ ଟେକି ଚେଇଁ ଉଠିଲା
ନାଗପୁଷ୍ପର ମନ
ପାଷାଣ ଦେହରେ ଫୁଟିଛି
ଦେଖ ବଣ୍ୟ କୁସୁମ ।
ଶୁଭ୍ର ବସ୍ତ୍ର ପରିଧାନରେ
ଧରା ତନୁ ମେଖଳା
ତୁମ ଆଗମନ ଆନନ୍ଦେ
ଲାଗେ ଶିଶିର ମେଳା ।
ଦଶଭୁଜାଧାରୀ ଦୁର୍ଗା ମା
ହର ଭୁଜାବଲ୍ଲରୀ
କରୁଣା ବର୍ଷାଇ ତୋହର
ଭକ୍ତେ ନିଅ ଉଦ୍ଧାରି ।
ଗିରି ଶୃଙ୍ଗ ଦିଶେ ସୁନ୍ଦର
ତୋର ଉପବେଶନେ
କିଛି କ୍ଷଣ ଆସ ପାର୍ବଣେ
ଡାକେ ଅଶ୍ରୁ ଲୋଚନେ ।
କଳି କାଳ ବଡ଼ ଦୁଷ୍କର
ବହେ ରକତ ନଦୀ
ପାପ ଏଠି ନୃତେ ମଜଇ
ପୁଣ୍ୟ ବନ୍ଦୀ କଇଦୀ ।
ତୋର ଆରାଧନା କରେ ମା
ଏହି ଭକତ ବୃନ୍ଦ
ସ୍ତାବକ ନେତ୍ରରେ ଜ୍ୟୋତି ଦେ
ଉଇଁ ଆସୁ ମା ଚାନ୍ଦ ।
କେଉଁ ଯୁଗରେ ତୁ ନାଶିଲୁ
ପାପି ମହିଷାସୁର
କଳି ଯୁଗେ ଜନ୍ମି ଉତ୍ପାତ
ବଢେ ବହୁ ମାତ୍ରାର ।
ସୁଖ ଶାନ୍ତି ହେଉ ବିକାଶ
ପୋଛି ଦିଅ ଗୋ ପାପ
ଆଶ୍ଵିନ ଶରତ ଋତୁରେ
ସଜାଡିଛି ମଣ୍ଡପ ।
ପ୍ରଭାତୀ ମିନତି କରେ ମା
ସଦା ରଖିବ ସୁଖେ
ଲେଖନୀ ସୁରକ୍ଷା ରଖିବ
ଶେଷେ ଏତିକି ଲେଖେ ।