ଆଉ ଖୁସି ମଜା କାହିଁ
ଆଉ ଖୁସି ମଜା କାହିଁ
ନୂଆ ବରଷରେ ଖୁସି ମଜା ପାଇଁ
ଯାଇଥିଲୁ ଆମେ ବୁଲି
ଯେତେ ଖୁସି ହେଲୁ ଯାହା ମଜା କଲୁ
ମନରୁ ପାରୁନି ଭୁଲି ।।
ବାପା ଥିଲେ, ମାଆ ଥିଲେ ଆମ ସାଥେ
ଥିଲା ମୋର ସାନଭାଇ
ଆମ ପୋଷା 'ଟମି' ଥିଲା ବି ସାଥିରେ
ଥିଲେ ଆମ ଅଜା ଆଈ ।।
ପେଣ୍ଡୁ ଗୋଟେ ସାଥେ ନେଇଥିଲୁ ଆମେ
ଖେଳିବାକୁ ମନକରି
'ଟମି'ଟା ଆମର ନେଇଯାଇ ଆଗ
ଖେଳିଲା ତାହାକୁ ଧରି ।।
ଖେଳରେ ତାହାର ସବୁବେଳେ ମନ
ଭାରି ଖେଳୁଆଡ଼ ସିଏ
ଠିଆ ହୋଇ ତାକୁ ଚାହିଁଛି ଘଡ଼ିଏ
ତା' ଖେଳ ଦେଖିଛି ଯିଏ ।।
ଉପରକୁ ଡେଇଁ ଦଉଡ଼ି ଧାଇଁ ସେ
ଖେଳୁଥିଲା ପେଣ୍ଡୁ ଖେଳ
ଦେଖିବାକୁ ଆମେ ଏକାଠି ହୋଇଲୁ
ହୋଇଗଲେ ଲୋକମେଳ ।।
'ଟମି' ସାଥେ ଯାଇ ମିଶିଗଲି ମୁହିଁ
ଖେଳିଲି ବହୁତ ଖେଳ
ଭାଇ ବି ଆସିଲା ଆମ ସାଙ୍ଗ ହେଲା
ଜଣା ପଡ଼ିଲାନି ବେଳ ।।
ଖେଳି ଖେଳି ଆମେ ଥକିଗଲୁ ହେଲେ
ସିଏ ଥକିଲାନି କେବେ
ମୁହଁ ସଞ୍ଜ ହେଲା ବାପା କହିଦେଲେ
ଚାଲ ଫେରିଯିବା ଏବେ ।।
ଫେରିବାକୁ ହେଲା ଫେରି ବି ଆସିଲୁ
ସମୟକୁ ଦେଖି ଚାହିଁ
ଖେଳିବାରେ ଖୁସି ବୁଲିବାରେ ମଜା
ଆଉ ଖୁସି ମଜା କାହିଁ ।।