ଚେନାଏ ଋତୁ
ଚେନାଏ ଋତୁ
ବୈଶାଖ ମାସ ଆସିଛି
ଗ୍ରୀଷ୍ମ ଲହରୀ ବହିବ ହିଁ ବହିବ
ଫୁଲେଇ ଫୁଲ ଡାଳରୁ କଢି ସବୁ
ଝଡିବ ହିଁ ପଡିବ
କଅଁଳ କଦଳୀ ପତ୍ରରେ ଚେଙ୍କ ଲାଗିବ
ସିଝିବ ହିଁ ଝାଉଁଳିବ
ତାତି ବି ଅସହ୍ୟ ହେବ ହିଁ ହେବ
ସଞ୍ଜ ନଇଁ ଆସୁ ଆସୁ
ସୁନା ଆଉଟା ରଙ୍ଗରେ
ସୁଲୁସୁଲିଆ ପବନରେ
କୁଆଁରୀ ରାତି ହସିବ ହିଁ ହସିବ
ଆଉ ତୁମେ ଫୋନ କରିବ କହି କଲ୍
କରୁନଥିବ
ମୋବାଇଲ୍ କେଞ୍ଚୁ କେଞ୍ଚୁ
ମୋ ଆଖି ଖୋଜୁଥିବ
ତୁମ ଛିଟ ଶାଢୀର କମନୀୟ କାନି
ନୀଳନୟନୀର ମୁହଁରେ କଳାଯାଇ ବେନି
ଗୋଳାପି ଓଠ ତୁଠରେ ପ୍ରତୀକ୍ଷାର ଧ୍ଵନୀ
ଗୋରୀ ପାତଳୀ ତନୁରେ କାମାଞ୍ଜନୀ
ଅପୂର୍ବ
ଆଉ ତୁମେ ଫୋନ କରିବ କହି କଲ୍
କରୁନଥିବ
ମୁଖପୁସ୍ତିକା (ଫେସବୁକ୍) ପଢୁ ପଢୁ
ମୋ ମନ ଚାହୁଁଥିବ
ନୀଳ ଜହ୍ନର ବହ୍ନିରେ ଜଳୁ ବାସନା ବିରହ
ଅନନ୍ତ ପ୍ରତୀକ୍ଷାନ୍ତେ ଦିଶୁ ତୁମ ହସ ହସ ମୁଁହ
ଧିମେଇ ଧିମେଇ ସ୍ଵପ୍ନ ବୃତ୍ତାନ୍ତ ଆସୁ ଅହରହ
ମିଛରେ ହେଉ ବରଂ ମିଳନ ପାଇଁ କ୍ଷଣେ ରୁହ ଦେଖିବ
ଆଉ ତୁମେ ଫୋନ କରିବ କହି କଲ୍
କରୁନଥିବ
ମ୍ୟାସେଜ୍ ଚେକ୍ କରୁ କରୁ
ମୋ ଆତ୍ମା ଭାବୁଥିବ
ପ୍ରେମରେ ପଡିଲେ ନାରୀ ଲାଗେ ଫୁଲେଇ
ପ୍ରଗଲ୍ଭା ନଈ ପରି ଅଳପ ଅଳପ ମିଛେଇ
ଫଗୁଣ ଆସୁ କି ନ ଆସୁ ଶୃଙ୍ଗାରେ ସଜେଇ
ଶ୍ରାବଣ ଆସୁ କି ନ ଆସୁ ସ୍ଵପ୍ନରେ ଭିଜେଇ
ମୋ ଭଳି ଯାଯାବର ମାନଙ୍କୁ
ଜିଇଁବା ପାଇଁ ଚେନାଏ ଋତୁ ଦେଖେଇ ଦେଇ
କୁଆଡ଼େ ଉଭେଇ ଯାଆନ୍ତି
ଝରା ଶେଫାଳିର ବାସ୍ନା ଦେଇ ଶୁଙ୍ଘେଇ
ମରୁ ମରିଚିକା ହେଇ ନିହାରୁ ଥିବ
ଆଉ ତୁମେ ଫୋନ କରିବ କହି କଲ୍
କରୁନଥିବ ।