ବାପାଙ୍କ ପାଇଁ ଶୋକବାର୍ତ୍ତା
ବାପାଙ୍କ ପାଇଁ ଶୋକବାର୍ତ୍ତା
ବାପା ଯେତେବେଳେ ଚାଲିଗଲେ ,
ଟେବୁଲ୍ ଉପର କାଗଜ ଗଦାରେ କିଛି
ଧୂଳି ବସିଗଲା ।
ପଛରେ ଛାଡ଼ିଗଲେ କିଛି
ଋଣ ଓ ଅବିବାହିତ ଝିଅ , ମୋ' ଭଉଣୀ
ଗୋଟେ ବିଛଣାରେ ମୁତିବା ଛାଡି ନଥିବା ତାଙ୍କ ନାତି -
ଦିନେ ଆଠଣିଟିଏ ଟସ୍ ପକାଇ,
ବାପା ଯାହାର ନା' ଦେଇଥିଲେ ଲାଞ୍ଜ ( ଟେଲ୍ ) ।
ବାରି ପଟର ବଙ୍କା ନଡ଼ିଆ ଗଛ ପରି,
ଆମ ଘର ବି ନଇଁ ପଡିଲା, ବାପା ଗଲାପରେ,
ଆଗକୁ ବଢୁଥିବା ସମୟର ବୋଝରେ ।
ଏକ ଜ୍ୱଳନ୍ତ ବ୍ୟକ୍ତିତ୍ୱ ଥିବାରୁ
ତାଙ୍କୁ ଭଲ ଭାବରେ ଜଳା ହୋଇଥିଲା
ଗାଁ ମୁଣ୍ଡ ମଶାଣିରେ ।
ବଂଚି ଥିଲା ବେଳ ପରି , ସେ ଜଳୁଥିଲେ ଦୁଇ ପଟରୁ ।
ଦୁଇ ଆଖିର ପୁତୁଳା ସମାନ ଭାବରେ ପାଉଁଶ ହୋଇଗଲା,
ଟିକିଏ ବି ଏପାଖ ସେପାଖ ହୋଇ ନଥିଲା ;
କାରଣ ଜୀବନ ସାରା ସେ ସଭିଙ୍କୁ
ସମାନ ଭାବେ ଦେଖୁଥିଲେ ।
ମେରୁ ହାଡ଼ ଜଳିଲା , ଖପୁରି ବି ଜଳିଲା ।
କିଛି ଅଧା ଜଳା ହୋଇ ରହିଗଲା ପୁଅ ମାନଙ୍କ ପାଇଁ -
ସତର୍କ ଭାବରେ ଉଠାଇ, ଦଶ କର୍ମ ପରେ,
ପୁରୋହିତ କହିବା ମୁତାବକ ଫିଙ୍ଗି ଦେବାକୁ ପଡିଲା,
ପୂର୍ବ ଦିଗକୁ ଚାହିଁ ,
ଯେଉଁଠି ତିନୋଟି ନଦୀ ଏକାଠି ମିଶିଛନ୍ତି ।
ପରେ, ସମାଧିଟିଏ ତିଆରି କରି ଏକ ମାର୍ବଲ ଫଳକରେ,
ପୁରା ନାମ ସହିତ ଦୁଇଟା ତାରିଖ ଲେଖା ହେଲା,
ତାଙ୍କ ଆବିର୍ଭାବ ଓ ତିରୋଧାନର !
ବନ୍ଧନୀ ଭିତରେ ନିଜର ଅସ୍ତିତ୍ୱ କାଳ,
ନାମ ଆଗକୁ କମା ଦେଇ ତାଙ୍କ ପରିଚୟ,
ଏ ସବୁ ଲେଖିବା ଜରୁରୀ ଥିଲା ସ୍ମୁତି ଫଳକରେ ।
କିନ୍ତୁ ଲେଖା ହୋଇ ନ ଥିଲା ତାଙ୍କ ଜନ୍ମର ଇତିହାସ -
ସିଜରିଆନ୍ ଜନ୍ମ ହୋଇଥିଲେ ସେ ଏକ ଉଚ୍ଚ ପରିବାରରେ,
ଆଉ ମୃତ୍ୟୁ ହୋଇଥିଲା ତାଙ୍କର ହାର୍ଟ୍ ଫଲୀଉର୍ ରେ ;
ଗାଁ ହାଟର ଚକରା ତନ୍ତୀର ଲୁଗା ଦୋକାନ ନିକଟରେ ।
କିଛି ଦିନ ପରେ କେହି ଜଣେ କହିଲା -
ତାଙ୍କ ମୃତ୍ୟୁ ଖବର ଲୋକାଲ୍ ସମ୍ବାଦ ପତ୍ରରେ ବାହାରିଥିଲା;
ଦୁଇ ଧାଡି ଭିତର ପୃଷ୍ଠାରେ ।
ଯାହା ମୁଁ ବିକି ଦେଇଥିଲି କିଲୋ ଦଶ ଟଙ୍କାରେ,
ପୁରୁଣା ପେପର୍ ବିକାଳିର ଦଣ୍ଡିରେ ଚାରି ସପ୍ତାହ ତଳେ ।
ଠୁଙ୍ଗା ହୋଇ ପେପର୍ ସବୁ ଚାଲି ଯାଇଥିଲେ
ଗ୍ରୋସରୀ ଦୋକାନକୁ,
ଯାହା ଭିତରେ ମୁଁ କିଣି ଆଣିଥିଲି ଲୁଣ, ପୋସ୍ତକ ଓ ଗୁଡ ।
ଶେଷରେ ଏକ ଠୁଙ୍ଗା ଭିତରେ ମୁଁ ପଢ଼ିଲି,
ଛପା ହୋଇଥିବା ମୋ ବାପାଙ୍କ ମୃତ୍ୟୁ ଖବର ।
କେହି ଜଣେ ବଦାନ୍ୟ, ସମ୍ପୂର୍ଣ୍ଣ ମୋ ବାପାଙ୍କ
ପରିଚୟ ଦେଲା ପରେ, ଶୋକ ବାର୍ତ୍ତାଟିଏ ଲେଖିଥିଲେ ।
ବାପା ଛାଡି ଯାଇଥିଲେ ମୋ ପାଇଁ -
ଏକ ଲୁହ ଶୁଖିଯାଇଥିବା ପରିବର୍ତ୍ତିତ ମା'
ଓ ଏକାଧିକ ବାର୍ଷିକ ଶ୍ରାଦ୍ଧ କର୍ମ ।